Unknown

 

 

 

 

 

 

 

 

 

ସବୁ ସ୍ମୃତି ମଧୁର

ଗୀତା ହୋତା

 

ସୂଚୀପତ୍ର

 

୧.

ସ୍ୱାଧିନତାର ସଂଗ୍ରାମର ଅକୁହା କାହାଣୀ

୨.

ସାଂପ୍ରଦାୟିକ ଦଙ୍ଗା

୩.

ଆମ ଗାଁ ସ୍କୁଲର ପ୍ରଥମ ପୁରସ୍କାର ବିତରଣ ସଭା

୪.

ଓଡ଼ିଆ ଆମେ

୫.

ଓଡ଼ିଆ ଆମ ଭାଷା

୬.

ନଈରେ ବାଙ୍କ ଦେଶ-ଦେଶରେ ଫାଙ୍କ

୭.

ମୟୂରଭଞ୍ଜର ଇତିବୃତ୍ତି

୮.

ବାରିପଦାର ବିଭବ

୯.

ରେଳବାଇର ଆହ୍ଵାନ

୧୦.

ଟିଟିଲାଗଡ଼ରେ ଅଢ଼େଇ ବର୍ଷ (୧)

୧୧.

ଟିଟିଲାଗଡ଼ରେ ଅଢ଼େଇ ବର୍ଷ (୨)

୧୨.

ଟିଟିଲାଗଡ଼ରେ ଅଢ଼େଇ ବର୍ଷ (୩)

୧୩.

ଓଡ଼ିଶାରୁ ଆସାମ

୧୪.

ସୀମାନ୍ତର ପାଚିରୀ

୧୫.

ଉପାନ୍ତରେ କୋଳାହଳ

୧୬.

ଅନେକଦୂର ନଇନପୁର

୧୭.

ଅତି ଆପଣାର ଖଡଗପୁର

୧୮.

ଛତିଶଗଡ଼ର ଓଡ଼ିଆ

୧୯.

କଟକ ନଗର ଧବଳ ଟଗର

୨୦.

କଲିକତା କେତେ କଥା (୧)

୨୧.

କଲିକତା କେତେ କଥା (୨)

୨୨.

କଲିକତା କେତେ କଥା (୩)

୨୩.

ସତ ଓ ମିଛର ଜଗତ (୧)

୨୪.

ସତ ଓ ମିଛର ଜଗତ (୨)

୨୫.

ସମାଜ କଲ୍ୟାଣ କାର୍ଯ୍ୟ - ପରୋପକାରାୟଧର୍ମାୟ

୨୬.

ଜନମଙ୍ଗଳ କାର୍ଯ୍ୟରେ ମହିଳା

୨୭.

ରାଜନୀତିର ଆକର୍ଷଣ ମହୁଫେଣା ପରି

୨୮.

ଆଦର୍ଶ ନ ଥିଲେ ଅସନ୍ତୁଷ୍ଟ

୨୯.

ଇଚ୍ଛାଶକ୍ତି ହିଁ ସଫଳତାର ଜନନୀ

୩୦.

ଆବେଗ, ଅନୁରାଗରୁ ଜନ୍ମ- ‘ଅମୃତାୟନ’

୩୧.

ଶୁଭ ସକଳ୍ପରୁ ସଫଳତା ଆସେ

୩୨.

ମା, ଫଳେଷୁ କଦାଚନ

୩୩.

ଯାହା ଦେଖାଯାଏ ସବୁ ସତ ନୁହେଁ

୩୪.

ମହିଳାମାନଙ୍କ ସାମାଜିକ ଜୀବନ

୩୫.

ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଆନ୍ଦୋଳନର ଏକ ଅଜ୍ଞାତ ଅଧ୍ୟାୟ

୩୬.

ଓଡ଼ିଆ ଭାଷା, ସଂସ୍କୃତି ଓ ଆଦିବାସୀ

୩୭.

ଅନ୍ଧବିଶ୍ୱାସ, ଅଜ୍ଞତା ଓ ଧର୍ମୀୟ ରୀତି

୩୮.

ପ୍ରେମ ଓ ବିବାହର ନୂତନଧାରା

୩୯.

ଗାଁର ଚଳଣିରେ ସହରର ଫେସନ

୪୦.

ଭୂତ ପ୍ରେତର ପୃଥିବୀ

୪୧.

ତନ୍ତ୍ରମନ୍ତ୍ରର ଜଗତ

୪୨.

ଜ୍ଞାନପୀଠ ପୁରସ୍କାର

୪୩.

ତନ୍ତ୍ରମନ୍ତ୍ର ସାଧକ ଗଣେଶ ପରିଜା

Image

 

ସ୍ୱାଧୀନତା ସଂଗ୍ରାମର ଅକୁହା କାହାଣୀ

 

ମୁଁ ସେତେବେଳେ ମେଦିନୀପୁର ଜିଲ୍ଲାରେ ଗୋପୀବଲ୍ଲଭ ପୁର ନୟାବସାଣରେ ଥିବା ଜୁବିଲି ହାଇସ୍କୁଲରେ ପଢ଼ୁଥିଲି । ସ୍ଵାଧୀନତା ସଂଗ୍ରାମ ଜୋରସୋର୍‌ ଚାଲିଥାଏ । ମେଦିନୀପୁରରେ ଇଂରେଜ ଶାସକମାନେ ଦମନଲୀଳା ଚଳାଇଥାନ୍ତି । ସେଠାରେ ଖୁଦିରାମ କଲେକ୍ଟର ସାହେବଙ୍କୁ ଗୁଳି କରିଥିଲେ ବୋଲି ପୋଲିସ୍‌ କାହାକୁ ବିଶ୍ଵାସ କରୁନଥିଲେ । ମେଦିନୀପୁର ଜିଲ୍ଲାରେ ବନ୍ଦେ ମାତରଂ ଦଳର ପ୍ରାଧାନ୍ୟ ଥିଲା । ବନ୍ଦେ ମାତରଂ ଦଳ ପୂର୍ବବଙ୍ଗର ‘ଅନୁଶୀଳନ ସମାଜ’ ସହିତ ଗୋପନ ସଂପର୍କ ରଖିଥାନ୍ତି । ଛାତ୍ରମାନଙ୍କୁ ବାଛି ବାଛି ବିପ୍ଳବୀ ଶିକ୍ଷକମାନେ ଦେଶସେବାରେ ଉଦ୍‌ବୃଦ୍ଧ କରୁଥାନ୍ତି ।

 

ସେତେବେଳେ ଛାତ୍ର ଓ ଶିକ୍ଷକମାନଙ୍କ ମଧ୍ୟରେ ଭାରି ଭଲ ସଂପର୍କ ଥିଲା । ନୟାବସାଣ ଓ ଗୋପୀବଲ୍ଲଭପୁର ମୟୂରଭଞ୍ଜ ମହାରାଜାଙ୍କ ଜମିଦାରୀ ଥିଲା । ତେଣୁ ସେଠାରେ ମହାରାଜାଙ୍କ ଶାସନ ଚାଲୁଥିଲା, କିନ୍ତୁ ପୋଲିସ୍‌ ଓ ମାଜିଷ୍ଟ୍ରେଟ୍‌ ବଙ୍ଗଳା ସରକାରଙ୍କ ଅଧୀନରେ ଥିଲେ । ମହାରାଜା କେବଳ ଖଜଣା ଆଦାୟ କରୁଥିଲେ। ସୁବର୍ଣ୍ଠରେଖା ନଦୀ କୂଳରେ ନୂଆବସାଣ ଓ ଗୋପୀବଲ୍ଲଭପୁର। ବାରିପଦା ଆସିବାପାଇଁ ହେଲେ ନଦୀ ପାର ହେବାକୁ ପଡ଼ୁଥିଲା । ସେହିପରି ମେଦିନୀପୁର ଯିବାପାଇଁ ନହୀ ପାର ହେଉଥିଲେ ଲୋକମାନେ । ସେତେବେଳେ ବାରିପଦାରୁ ନୂଆବସାଣ ମଧ୍ୟରେ ଗୋଟିଏ ନାଲିସଡ଼କ ଥିଲା । କିନ୍ତୁ ନଦୀ ଉପରେ ପୋଲ ହୋଇନଥିଲା । ହାଇସ୍କୁଲର ପିଲାଙ୍କ ପାଇଁ ଗୋଟିଏ ହଷ୍ଟେଲ୍‌ ଥିଲା । ସେଥିରେ ପଚାଶ ଜଣ ଛାତ୍ରଙ୍କ ଲାଗି ରହିବା ବ୍ୟବସ୍ଥା ଥିଲା । ମୋ ବାପା ପୂର୍ଣ୍ଣଚନ୍ଦ୍ର ମିଶ୍ର ସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସେ ହଷ୍ଟେଲ୍‌ ପାଖରେ ଥିବା ଆମ ନିଜ ଘରେ ରହୁଥିଲେ ଏବଂ ହଷ୍ଟେଲ୍‌ ଦାୟିତ୍ଵରେ ଥିଲେ । ହଷ୍ଟେଲ୍‌ରେ କାଳେ ବିପ୍ଳବୀମାନେ ଲୁଚିଥିବେ ଭାବି, ପୋଲିସ୍‌ ମଝିରେ ମଝିରେ ଆସି ଅଚାନକ ଅନୁସନ୍ଧାନ କରୁଥିଲେ । ଆମ ଘରକୁ କେତେଥର ପୋଲିସ୍‌ ଇନିସ୍‌ପେକ୍ଟର ଆସି ବାପାଙ୍କ ସହିତ ଆଲୋଚନା କରିବା ମୁଁ ଦେଖୁଛି । ବିପ୍ଲବୀମାନଙ୍କ ପ୍ରତି ବାପାଙ୍କର ସହାନୁଭୂତି ଥିଲା ଏବଂ ଗାନ୍ଧି ମହାତ୍ମାଙ୍କୁ ଭକ୍ତି କରୁଥିଲେ । ଗାନ୍ଧି ଥରେ ସେ ଅଞ୍ଚଳକୁ ଆସିଥିଲେ । ଆମେ ସ୍କୁଲ ପିଲାମାନେ କବିଗୁରୁ ରବୀନ୍ଦ୍ରନାଥଙ୍କ ରଚିତ ଗୀତ ‘ଯଦି ତୋର ଡାକ୍‌ ସୁନେ କେଉ ନା ଆସେ ତବେ ଏକଲା ଚଲୋରେ… ’ ଗୀତ ଗାଇଥିଲୁ । କଂଗ୍ରେସ ନେତାମାନେ ମଧ୍ୟେ ମଧ୍ୟେ ଆସି ଅରଟରେ ସୂତାକଟା ଶିଖାଉଥିଲେ ଓ ଗାନ୍ଧୀଙ୍କ ବାଣୀ ପ୍ରଚାର କରୁଥିଲେ । ନୂଆବସାଣର ଧନଞ୍ଜୟ କର ବନ୍ଦେ ମାତରଂ ଦଳର ସଭ୍ୟ ଥିଲେ । ସେ ବିପ୍ଳବୀ ଥିଲେ । ୧୯୪୨ ଭାରତଛାଡ଼ ଆନ୍ଦୋଳନ ସମୟରେ ପୋଲିସ୍‌ ତାଙ୍କୁ ଗିରଫ୍‌ କରିବା ପାଇଁ ଯେତେବେଳେ ତାଙ୍କ ଘର ଉପରେ ଚଢ଼ଉ କଲେ ସେ ଓ ତାଙ୍କ କେତେକ ବିପ୍ଲବୀ ସାଥୀ ନଦୀପଥ ଦେଇ ପଳାଇଗଲେ । ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ର ସବୁ ଉଦ୍ୟମ ବିଫଳ ହେଲା । ପରେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

 

ସେତେବେଳେ ସ୍କୁଲର ହେଡ଼ମାଷ୍ଟର ଥିଲେ ମନମୋହନ ଘୋଷ । ସେ ଦେଶପ୍ରେମୀ ଥିଲେ । ତାଙ୍କ ଘରକୁ ବୁଲିଗଲେ ହେଡ଼ମାଷ୍ଟର ମହାଶୟ ଓ ତାଙ୍କ ସ୍ତ୍ରୀ ମୋତେ ବିସ୍କୁଟ ବା ସଂଦେଶ ଦେଉଥିଲେ ଖାଇବା ପାଇଁ । କେତେ ରକମ କାହାଣୀ କହୁଥିଲେ । ଶାନ୍ତି ଚାଟାର୍ଜୀ ନାମରେ ଜଣେ ଶିକ୍ଷକ କାର୍ଯ୍ୟ କରୁଥିଲେ । ତାଙ୍କ ଘର ତମଲୁକରେ ଏବଂ ସେ ବିପ୍ଲବୀ ବନ୍ଦେ ମାତରଂ ଦଳ ସହିତ ସଂପୃକ୍ତ ଥିଲେ । ତାଙ୍କ ଭାଇଙ୍କ ନାମ କାନ୍ତି । ବାପାଙ୍କଠାରୁ ଶୁଣିଛି ଯେ ଶାନ୍ତିବାବୁ ବିପ୍ଲବୀମାନଙ୍କ ସହିତ ସଂପର୍କ ରଖିଥିଲେ କଲିକତା ପାଖରେ ଗୋଟିଏ ସ୍କୁଲରେ କାମ କରୁଥିଲା ବେଳେ ।

 

ପୋଲିସ୍‌ ତାର ପ୍ରମାଣ ପାଇବା ପରେ ସେ ଆତ୍ମଗୋପନ କରି ଏଣେ ତେଣେ ବୁଲି ଶେଷରେ ନୂଆବସାଣ ସ୍କୁଲରେ ଚାକିରି କରୁଥିଲେ । ଏହି ସ୍କୁଲ ମହାରାଜାଙ୍କ ପରିଚାଳନାରେ ଥିବାରୁ ପୋଲିସ୍‌ର ଦୈନନ୍ଦିନ ତତ୍ତ୍ୱାବଧାନ ବାହାରେ ଥିଲା । ଶାନ୍ତିବାବୁ ଆମକୁ ଦେଶପ୍ରେମୀମାନଙ୍କ କଥା କହୁଥିଲେ ଏବଂ ବିପ୍ଳବର ଗୀତ ଶିଖାଉଥିଲେ । ଆମେ ଗାଉଥିବା ଗୀତର ପ୍ରଥମ ଧାଡ଼ି ଏବେ ବି ମନେ ଅଛି; ‘ଚଲରେ ଚଲ୍‌ରେ ଚଲ୍‌, ଉର୍ଦ୍ଧ ଗଗନେ ବାଜେ ମାଦଲ’ ତ୍ରିରଙ୍ଗା ପତାକା ଧରି ଆମେ ପାଦରେ ପାଦ ମିଳାଇ ଗୀତ ଗାଇ ଗାଇ ଦିନେ ଦାଣ୍ଡରେ ଯାଇଥିଲୁ ବୋଲି ସେଇରାତି ପୋଲିସ୍‌ ଶାନ୍ତିବାବୁଙ୍କୁ ଗିରିଫ କରିବା ପାଇଁ ତାଙ୍କ ଘର ଉପରେ ଅଚାନକ ଚଢ଼ଉ କରିଥିଲେ । କିନ୍ତୁ ତା ଆଗରୁ କୌଣସି ଗୋପନ ସୂତ୍ରରୁ ଶାନ୍ତିବାବୁ ଏହା ଜାଣିପାରି ପୋଲିସ୍‌ ସକାଳେ ପହଞ୍ଚିବା ପୂର୍ବରୁ ପଳାଇ ଯାଇଥିଲେ । ତାଙ୍କ ଘରେ କିଛି ଜିନିଷପତ୍ର ମଧ୍ୟ ନଥିଲା । ତାଙ୍କ ପାଖରେ ରହୁଥିବା ଚାକର ପିଲାଟିକୁ ପୋଲିସ୍‌ ଅନେକ ପଚରା ଉଚୁରା କରି ମଧ୍ୟ କୌଣସି ତଥ୍ୟ ପାଇନଥିଲା ।

 

ଶାନ୍ତିବାବୁ ଅନ୍ତର୍ଦ୍ଧାନ ହେବା ପରେ ପୋଲିସ୍‌ର ଜୁଲୁମ ବଢିଲା ତାଙ୍କ ଭାଇ ଉପରେ । ବାପ ଓ ସେ ମିଶି ପିଲାମାନଙ୍କୁ ନେଇ ‘ବାନରସେନା’ ଗଠନ କରିଥିଲେ । ମୁଁ ସେତେବେଳେ ଚତୁର୍ଥ ଶ୍ରେଣୀର ଛାତ୍ର । ଶାନ୍ତିବାବୁଙ୍କ ପରେ କାନ୍ତିବାବୁ ମଧ୍ୟ କେଉଁଆଡ଼େ ଚାଲିଗଲେ ଏବଂ ପୋଲିସ୍‌ର କଡ଼ା ନଜର ପଡ଼ିଲା ସ୍କୁଲ ଓ ହଷ୍ଟେଲ୍‌ ଉପରେ । ଥରେ ବାପାଙ୍କୁ ଥାନାକୁ ଡ଼କାଇ ନେଇ ବହୁତ ସମୟଧରି ପଚରାଉଚରା କରି ଶେଷରେ କୌଣସି ସୂତ୍ର ନ ପାଇ ତାଙ୍କୁ ପୋଲିସ୍‌ ଛାଡ଼ିଦେଲେ । ସେହି ସମୟରୁ ମୋ ମନରେ ସ୍ୱଦେଶ ପ୍ରୀତିର ମଞ୍ଜି ପୋତା ହୋଇଥିଲା । ପରେ ତାହା ଅଙ୍କୁରିତ ଓ ପଲ୍ଲବୀତ ହେଲା । ଗାନ୍ଧି ମହାତ୍ମାଙ୍କ ସଭାରେ ଲୋକମାନେ ବିଦେଶୀ ଲୁଗା, ବିଦେଶୀ ଜିନିଷ ନିଆଁ ଉପରକୁ ଫିଙ୍ଗିବା ଦୃଶ୍ୟ ମୁଁ ଦେଖିଛି । ତାଙ୍କରି ଆହ୍ୱାନରେ ଅନେକ ସ୍ତ୍ରୀ ଲୋକ ଗହଣାଗାଣ୍ଠି ସ୍ଵରାଜ ପାଣ୍ଠିକୁ ଦାନ କରିଥିଲେ । ସେ ଦିନର ସ୍ମୃତି ଏଯାଏ ମନରେ ଲିପିବଦ୍ଧ ହୋଇ ରହିଛି । ଭାବିଲେ ଆଶ୍ଚର୍ଯ୍ୟ ହୁଏ କିପରି ସେଦିନର ଦେଶଭକ୍ତି ଏଇ ପଚାଶ ବର୍ଷରେ ମଉଳିଗଲା । ସେଦିନ ଦେଶର ସ୍ଵାଧୀନତା ପାଇଁ ବିନା ଦ୍ୱିଧାରେ ଜୀବନକୁ ପାଣି ଛଡ଼ାଇ ଦେଶ କାମରେ ନିଜକୁ ସମର୍ପି ଦେଇଥିଲେ କେତେ ଛୋଟବଡ଼ ଜ୍ଞାନୀଗୁଣୀ ଲୋକ । ସେମାନେ ପାଇବାର କୌଣସି ଆଶା ନରଖି କେବଳ ଦେବାପାଇଁ ପଣ କରିଥିଲେ । ଦେଶ ଓ ଦଶର ସ୍ୱାର୍ଥ ରକ୍ଷା କରିବା ଥିଲା ସେମାନଙ୍କର ପରମ ବ୍ରତ। ସେ ଦିନର ସେଇ ଛୋଟ ଛୋଟ ଓ ବଡ଼ ବଡ଼ ଲୋକମାନେ କେଉଁଠି ହଜିଗଲେ ? କେଉଁଠି ଲିଭିଗଲା ସେଦିନର ତ୍ୟାଗ ଓ ଦେଶପ୍ରୀତି ? ଗାନ୍ଧିନାମରେ ପାଗଳ ହେଉଥିବା ଲୋକମାନେ କୁଆଡ଼େ ଗଲେ ? ବନ୍ଦେ ମାତରଂ ଉଚ୍ଚାରଣ କଲାକ୍ଷଣି ବିପ୍ଳବର ମନ୍ତ୍ର ମନନ କରୁଥିବା ସଂଗ୍ରାମୀମାନେ ଅଦୃଶ୍ୟ ହୋଇଗଲେ କେଉଁ ଅପନ୍ତରାରେ ?

 

କିନ୍ତୁ ଆଜି ବି ମୋ କାନରେ ବାଜୁଛି ଶାନ୍ତି ସାର୍‌ଙ୍କ ମନ୍ତ୍ରଗାନ, ବନ୍ଦେ ମାତରମ୍‌, ସୁଜଳାମ୍‌ ସୁଫଳାମ୍‌ ମଳୟଜ ଶୀତଳମ୍‌, ମାତରମ୍‌.... ।

Image

 

ସାଂପ୍ରଦାୟିକ ଦଙ୍ଗା

୧୯୪୬ ଓ ୧୯୪୭ ମସିହା ସ୍ୱାଧୀନତା ପୂର୍ବର ଘଟଣା । ୧୯୪୬ ମସିହାରେ ବଙ୍ଗଳାର ମୁଖ୍ୟମନ୍ତ୍ରୀ ଥାଆନ୍ତି ସୟଦ ସୁରାବର୍ଦ୍ଦି ସାହେବ । ସେ ମୁସଲିମ୍‌ ଲିଗ୍‌ର ନେତା । ଭାରତ ସ୍ୱାଧୀନ ହେବା ନିଶ୍ଚିତ ହୋଇ ସାରିଥାଏ ସେତେବେଳକୁ । ଜବାହରଲାଲ ନେହେରୁ ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରଧାନମନ୍ତ୍ରୀ । ମୁସଲିମ୍‌ ଲିଗ୍‌ ନେତା ଲିଆକଦ୍‌ ଅଲ୍ଲୀ ଖାଁ ବି ଅର୍ଥମନ୍ତ୍ରୀ ହୋଇଥାନ୍ତି । ମୌଲାନା ଆଜାଦ୍‌ ଓ ସର୍ଦ୍ଦାର ପଟେଲ କେନ୍ଦ୍ରର ଟାଣୁଆ ମନ୍ତ୍ରୀ ଥିଲେ । ମୁସଲିମ୍‌ ଲିଗ୍‌ର ନେତା ମହମ୍ମଦ ଅଲ୍ଲୀ ଜିନ୍ନା ସେତେବେଳକୁ ଭାରତ ବିଭାଜନର ପ୍ରତିଶ୍ରୁତି ଆଦାୟ କରି ନେଇଥାନ୍ତି ଏବଂ ଦେଶରେ ଅନିଶ୍ଚିତ ଅବସ୍ଥା ଲାଗି ରହିଥାଏ । କେଉଁ ଅଞ୍ଚଳ ପାକିସ୍ଥାନ ଓ କେଉଁ ଅଞ୍ଚଳ ଭାରତରେ ରହିବ ତାହା ନେଇ ବହୁ ତର୍କବିତର୍କ ଓ କେଉଁଠି କେମିତି ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଦଙ୍ଗା ସୃଷ୍ଟି ହେଉଥାଏ । ମୁଁ ସେତେବେଳେ ଛାତ୍ରୀ, ନଅ ଦଶ ବର୍ଷ ହେବ ମୋତେ । ଅନେକ କଥା ମନେ ଅଛି । ମହାତ୍ମା ଗାନ୍ଧି ହିନ୍ଦୁ ମୁସଲମାନ ପରସ୍ପର ମଧ୍ୟରେ ଝଗଡ଼ା ନ କରି ଶାନ୍ତିରେ ରହିବା ପାଇଁ ବୁଝାଉଥାନ୍ତି । ଆମେ ଛାତ୍ରମାନେ ଗାଉଥିବା ଓଡ଼ିଆ ଗୀତର ପଦେ ପଦେ ମନେ ପଡୁଛି:

 

ଭାଇ ସଙ୍ଗେ ଭାଇ ଯେବେ ମିଳାଏ ଛାତି, ଶତ୍ରୁ ଗଳେ ଶାଣ ଦିଏ ମିଳିତ କାତି ।

ଆଉ ଆଉ ଗୋଟିଏ ଗୀତର କିଛି-

ଆରେ ରେ ନବଯବାନ ରଖରେ

ଦେଶର ମାନ

ଆମେ ହିନ୍ଦୁ ମୁସଲମାନ

ଏଇ ମାଟିର ମଣିଷ ଆମେ ଏକ

ମାଆର ସନ୍ତାନ ।

 

ଏଇ ଗୀତ ଗାଇ ଗାଇ ଆମେ ଛାତ୍ରଛାତ୍ରୀ ପରେଡ଼ କରୁଥିଲୁ, ତ୍ରିରଙ୍ଗା ଝଣ୍ଡା ଧରି ହିନ୍ଦୁ ମୁସଲମାନ ଏକତା ପାଇଁ ସ୍ଲୋଗାନ ଦେଉଥିଲୁ । ଥରେ କଲିକତାରେ ହିନ୍ଦୁ ମୁସଲମାନ ଗଣ୍ଡଗୋଳ ଲାଗିଗଲା । ହଣାକଟାର କରୁଣ ସମ୍ବାଦ ଶୁଣା ଯାଉଥାଏ । ଆମ ମନରେ ଭୟ କାଳେ କ’ଣ ହେବ ବୋଲି । ନୟାବସାଣ ଓ ଗୋପୀବଲ୍ଲଭପୁର ଅଞ୍ଚଳରେ ମା’ ମାନେ ଝିଅ ପୁଅ ମାନଙ୍କୁ ବାହାରକୁ ଛାଡ଼ୁ ନଥାନ୍ତି । ଧନଞ୍ଜୟ କର ଥିଲେ ବଡ଼ ବିପ୍ଲବୀ । ସେ ବନ୍ଦେ ମାତରମ୍‌ ଦଳରେ ଥିଲେ। ମୁଁ ତାଙ୍କୁ ମଉସା ଡାକୁଥିଲି । ତାଙ୍କ ପଛେ ପଛେ ପୋଲିସ ଲାଗିଥାଏ । ତାଙ୍କଠାରୁ ଅନେକ ଖବର ମିଳୁଥିଲା । ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ଶାନ୍ତିରକ୍ଷା କରିବା ପାଇଁ ସେ କାମ କରୁଥିଲେ-। କିନ୍ତୁ ସୁରାବର୍ଦ୍ଦି ସାହେବ ଅବସ୍ଥା ଆୟତ୍ତ କରିପାରିଲେ ନାହିଁ । ମଧ୍ୟେ ମଧ୍ୟେ ସାଂପ୍ରଦାୟିକ ଦଙ୍ଗା ଲାଗି ଯାଉଥିଲା । ନୟାବସାଣ ଗୋପୀବଲ୍ଲଭପୁର ଅଞ୍ଚଳରେ ଅନେକ ମୁସଲମାନ ରହୁଥିଲେ । ସେମାନଙ୍କ ମଧ୍ୟରେ କିଛି ହିନ୍ଦୁ ମୁସଲମାନ ଏକତା ସପକ୍ଷରେ ଥିଲେ ଏବଂ ଶାନ୍ତି ଚାହୁଥିଲେ । ଆଉ କେତେକ ହିନ୍ଦୁ କଲିକତା ଗଣ୍ଡଗୋଳର ପ୍ରତିଶୋଧ ନେବା ପାଇ ଚାହୁଁଥିଲେ । କାଳେ କେତେବେଳେ କ’ଣ ଅଘଟଣ ଘଟିଯିବ ବୋଲି ଆଶଙ୍କା କରି ଲୋକମାନେ ସନ୍ଧ୍ୟା ହେବା ବେଳକୁ ଘରକୁ ଫେରି ଆସୁଥିଲେ । ବାପା ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଏବଂ ସଂସ୍କୃତ ପଣ୍ଡିତ ଥିଲେ ! ବିପ୍ଳବୀ ଶିକ୍ଷକ ଶାନ୍ତିବାବୁ ଓ ତାଙ୍କ ଭାଇ କାନ୍ତିବାବୁଙ୍କ ସହିତ ବାପାଙ୍କର ଭଲ ସଂପର୍କ ଥିଲା । ତେଣୁ ଆମ ଘର ଉପରେ ମଧ୍ୟ ପୋଲିସ୍‌ ଆଖି ରଖୁଥିଲା ।

 

୧୯୪୬ କୌଣସି ପ୍ରକାରେ କଟିଗଲା । କାଁ ଭାଁ ଗଣ୍ଡଗୋଳ ତ ଲାଗି ରହିଥିଲା । କିନ୍ତୁ ୧୯୪୭ର ସ୍ଵାଧୀନତା ଦିବସ ଅଗଷ୍ଟ ପନ୍ଦର ଯେତିକି ପାଖ ହେବାକୁ ଲାଗିଲା, ଅବସ୍ଥା ସେତିକି ଖରାପ ହେଲା । ମେଦିନୀପୁର ଓ ଖଡ଼ଗପୁର ଅଞ୍ଚଳରୁ ମଧ୍ୟ ଦଙ୍ଗା ଖବର ଆସୁଥାଏ । ସୁରାବର୍ଦ୍ଦି ସାହେବ ପାକିସ୍ଥାନ ସପକ୍ଷରେ । ତେଣୁ ସେ, ଫଜଲୁଲ୍‌ ହକ୍‌ ପ୍ରଭୃତି ନେତାମାନେ ବଙ୍ଗ ପ୍ରଦେଶକୁ ପାକିସ୍ଥାନରେ ମିଶାଇବା ପାଇଁ ମସୁଧା କରୁଥିଲେ । ବଙ୍ଗ ପ୍ରଦେଶର ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ସଂଖ୍ୟା ଅଧିକ ଥିଲା । ପୂର୍ବବଂଗରେ ମୁସଲମାନଙ୍କ ସଂଖ୍ୟା ଥିଲା ଅଧିକ । କଲିକତାରେ ବେଶି ଲୋକ ହିନ୍ଦୁ ଥିଲେ । କିନ୍ତୁ ମୁସଲମାନ ମଧ୍ୟ କମ୍‌ ନଥିଲେ । ତେଣୁ ବିଭିନ୍ନ ବସ୍ତିରେ ଦଙ୍ଗା ଲାଗିଲେ ସେଠାରେ କାମ କରୁଥିବା ଆମ ଅଞ୍ଚଳର ଲୋକ ଘରକୁ ପଳାଇ ଆସୁଥିଲେ ଓ ଆଉ କେତେକ ଦଙ୍ଗାରେ ମୃତ ବା ଆହତ ହୋଇଥିଲେ । ଅନେକଙ୍କ ଘରଦ୍ୱାରରେ ନିଆଁ ଲଗାଇ ଦିଆଯାଇଥିଲା । ୧୯୪୭ ଅଗଷ୍ଟ ଦଙ୍ଗା ଏତେ ପ୍ରବଳ ହେଲା ଯେ ନିଜେ ମହାତ୍ମାଗାନ୍ଧି ବଙ୍ଗ ପ୍ରଦେଶର ଦଙ୍ଗା ଅଞ୍ଚଳ ଗସ୍ତ କରିବା ପାଇଁ ଆସିବା ଘୋଷଣା କରାଗଲା । ସେ ସୋଦ୍‌ପୁର ଆସିଥିଲେ ଏବଂ ହିନ୍ଦୁ ଓ ମୁସଲମାନଙ୍କୁ ଶାନ୍ତିରେ ଭାଇ ଭାଇ ପରି ରହିବାକୁ ନିବେଦନ କରିଥିଲେ । ତା’ପରେ ସେଠାରୁ ସେ ପୂର୍ବ ବଙ୍ଗର ନୂଆଖାଲି ଗଲେ ।

 

ଦେଶର ସ୍ୱାଧୀନତା ପାଇଁ ଆମେ ପିଲାମାନେ ବାନର ସେନା ଗଢ଼ିଥିଲୁ । ଘର ଘର ବୁଲି ମୁଷ୍ଟିଭିକ୍ଷା କରି ଯାହା ଆଣୁଥିଲୁ ସେତକ ଠୁଳ କରି ଚାଉଳତକ ବିକ କରି ସବୁ ପଇସା ସ୍ଵାଧୀନତା ପାଣ୍ଠିକୁ ଦେଉଥିଲୁ । ଶାନ୍ତିବାବୁ ଆମକୁ ଡ୍ରିଲ ଶିଖାଉଥିଲେ ଏବଂ ଶହୀଦ ଖୁଦୀରାମ କଥା କହୁଥିଲେ । ଆମେ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଦେଇ ଗୀତ ଗାଉଥିଲୁ :

 

 

ଏକବାର ବିଦାୟ ଦାଓ ଗୋ ମା

ଘୂରେ ଆସି,

ହାଁସି ହାଁସି ବରବ ଫାଶୀ

ଦେଖିବେ ଭାରତବାସୀ ।

ଥାକ୍‌ତ ଜଦି ହାତେ ଛୁରା ଖୁଦୀରାମ

କି ପଡ଼ତ ଧରା

ଏକା ଚାବୁକେ ଦେଖିଏ ଜିତାମ୍‌

ଗୟାଗଙ୍ଗା କାଶୀ ।

 

ଖୁଦୀରାମ ସେତେବେଳେ ବଙ୍ଗ ପ୍ରଦେଶର ବୀର । ତାଙ୍କ ନାମ ଶୁଣିଲେ ଲୋକ ଶିହରି ଉଠୁଥିଲେ ଏବଂ ନମସ୍କାର କରୁଥିଲେ । ଆମେ ଏଇ ଗୀତ ଗାଇ ଦାଣ୍ଡରେ ପତାକା ଉଡ଼ାଇ ଗଲାବେଳେ ଝିଅବୋହୂ କବାଟ ଝରକା ଫାଙ୍କରୁ ଦେଖୁଥିଲେ । କାଳେ ପୋଲିସ୍‌ ଧରିନେବ ବୋଲି ମା ବାପା ପିଲାମାନଙ୍କ ଉପରେ ନଜର ରଖୁଥିଲେ ମଧ୍ୟ ମନା କରୁନଥିଲେ ସେଇ ଗୀତ ଗାଇବା ପାଇଁ ବରଂ ପିଲାମାନେ ଗାଇବାବେଳେ ମା ଓ ମୋ ବୟସର ଭାଇଭଉଣୀମାନେ ବି ଗୁଣୁ ଗୁଣୁ ହୋଇ ସେଇ ଗୀତ ଗାଉଥିଲେ । ଭାରତ ସ୍ଵାଧୀନ ହେବ ଶୁଣିଲେ ଲୋମ ଟାଙ୍କୁରି ଉଠୁଥିଲା ଏବଂ ଭାରତମାତାଙ୍କ ଛବି ମନେ ପଡ଼ୁଥିଲା । ଥରେ ଦୁଇଜଣ ବିପ୍ଳବୀ ଛାତ୍ର ମେଦିନୀପୁରରୁ ପୋଲିସ୍‌ ଆଖ୍‌ରେ ଧୂଳିଦେଇ ପଳେଇ ଆସିଥିଲେ ଛଦ୍ମବେଶରେ । ଦୁଇଦିନ ଖାଇ ନଥିଲେ । ଆମ ଘରେ ଦୁଇଦିନ ଲୁଚି ରହିଥିଲେ । ସେମାନଙ୍କୁ ଖାଇବା ପିଇବା ଦେବା ଦାୟିତ୍ୱ ଥିଲା ମୋ ଉପରେ । ସେମାନେ ଆଟୁ ଉପରେ ଅନ୍ଧାର ଭିତରେ ଦିନରାତି କଟାଉଥିଲେ । ବାପା ଦେଇଥିବା ପଇସା ମୁଁ ସଞ୍ଚୟ କରି ଗୋଟେ ଛୋଟ ମାଟି ଘଡ଼ିରେ ରଖିଥିଲି । ସେଥିରୁ ପାଞ୍ଚଟଙ୍କା ସେମାନଙ୍କୁ ଦେଇଥିଲି ସେମାନେ ଆମ ଘରଛାଡ଼ି ମୟୂରଭଞ୍ଜ ପଳାଇ ଗଲାବେଳେ।

 

ଆଜି ସବୁ ମନେ ପଡ଼ିଲେ ସ୍ଵପ୍ନପରି ଲାଗୁଛି । ସେଦିନ ଲୋକମାନେ ସ୍ୱାଧୀନ ହେବା ପାଇଁ ପାଗଳ ହେଉଥିଲେ । ସ୍ୱାଧୀନତାର ଅର୍ଥ ନ ବୁଝି ମଧ୍ୟ ଆମେ ପିଲାମାନେ ପୋଲିସର ବେତମାଡ଼କୁ ଭୟ ନ କରି ତ୍ରିରଙ୍ଗା ପତାକା ଧରି ଗୀତ ଗାଇ ଗାଇ ମାର୍ଚ୍ଚ କରିଥିଲୁ । ଯଦି ହିନ୍ଦୁ ମୁସଲମାନ ଅଲଗା ନ ହୋଇ ଅଖଣ୍ଡ ଭାରତବର୍ଷରେ ରହିଥାନ୍ତେ, ତେବେ ଆଜି ଗୋଟିଏ ଦେଶ ତିନୋଟି ଦେଶ ନ ହୋଇ ପୂର୍ବର ଭାରତବର୍ଷ ରହିଥାନ୍ତା । ବୋଧହୁଏ ପୁଣି ସେଇ ସମ୍ଭାବନା ଆସିବ ଆଗାମୀ ଶତାବ୍ଦୀରେ ବା ଆଉ କେବେ । ସେଦିନ ଆମେ ନ ଥିବା, କିନ୍ତୁ ସେଇ ସୁଦିନ ଓ ସୌଭାଗ୍ୟ ପାଇଁ ସ୍ଵପ୍ନ ଦେଖିବାରେ କ୍ଷତି କ’ଣ !

 

ଆମ ଗାଁର ଯାତ୍ରା

 

ପ୍ରାୟ ଚାଳିଶ ବର୍ଷ ତଳର କଥା ସେତେବେଳେ ଗାଁ ମାନଙ୍କରେ ବିଜୁଳି ଶକ୍ତି ଦିଆଯାଇନଥିଲା, ରାସ୍ତା ପଡ଼ିନଥଲା କି ସିନେମା ଦେଖିବାର ସୁଯୋଗ ନଥିଲା । ଆମ ଗାଁରେ ପ୍ରତିବର୍ଷ କାଳୀ ପୂଜା ହୁଏ । ରେଳଷ୍ଟେସନ ପଡ଼ିଆରେ ତିଆର ହେଉଥିଲା ପ୍ରଜାମଣ୍ଡପ । ପାଖାପଖି ପଚିଶ ତିରିଶ ଗାଁରୁ ଲୋକ ଦଳ ଦଳ ହୋଇ ଆସୁଥିଲେ କାଳୀ ପୂଜା ଆଉ ଯାତ୍ରା ଦେଖିବା ପାଇଁ । ଦୋକାନ ବଜାର ବସୁଥିଲା । ମେଳା ଲାଗି ଯାଉଥିଲା, ଲୋକଙ୍କ ଭିଡ଼ ଓ କିଣାବିକା ଆହୁରି ଧୁମ୍‌ଧାମରେ ହେଉଥଲା । ପିଲାମାନଙ୍କର ଉତ୍ସାହର ଅନ୍ତ ନଥିଲା । ଚାନ୍ଦାଭେଦା ଯାହା ଉଠେ ସେଥିରୁ ପ୍ରାୟ ଅଧେ ଟଙ୍କା ଖର୍ଚ୍ଚ ହୋଇଯାଏ ମା କାଳୀଙ୍କ ମୂର୍ତ୍ତି ତିଆରି ଓ ପୂଜାର୍ଚ୍ଚନା ପାଇଁ । ଆଉ ଯାହା ବଳେ ସେତକ ଖର୍ଚ୍ଚ ହୁଏ ଗୀତ ନାଚ ବା ଯାତ୍ରା ପାଇଁ । ସେଥର ପିଲାମାନେ ମନ କଲେ କଟକ ଜିଲ୍ଲାର ବୈଷ୍ଟବ ପାଣିଙ୍କ ଅପେରା ଦଳ ଆଣିବାପାଇଁ । ଚିଠି ଲେଖାଗଲା । ଲୋକ ଯାଇ ସବୁ ବୁଝାବୁଝି କରି ବହିନା ନ ଦେଇ ଫେରି ଆସିଲା। କଟକରୁ ଅପେରା ଦଳ ଆସିଲେ ସବୁ ମିଶି ହଜାରେ ଟଙ୍କା ଖର୍ଚ୍ଚ ହେବ । ଏତେ ଟଙ୍କା ଦବ କିଏ ଆସିବ କୁଆଡ଼ୁ ? ପିଲାମାନଙ୍କର ମନ ମଉଳି ଗଲା ।

 

ମୋ ବୟସର ପୁଅ ଝିଅମାନେ ଏକତ୍ର ହେଲୁ । ସହଜରେ ହାର ମାନିବା ପିଲା ନୋହୁଁ ଆମେ । ଯାତ୍ରା ଦେଖିବା ପାଇଁ ମନ, କିନ୍ତୁ ଅଣ୍ଟାରେ ନାହିଁ ଧନ । ମା, ମାଉସୀ, ପିଉସୀ, ଖୁଡ଼ୀ, ନାନୀମାନେ କହିଲେ ଯେମିତି ହେଉ ଯାତ୍ରା ଦେଖିବେ । ବାଲ୍ୟଲୀଳା ବା ରାବଣ ବଧ । ଆମେ ବିଚାର ଆଲୋଚନା କଲୁ । କେହି କେହି ପ୍ରସ୍ତାବ କଲେ ରୂପ୍ପାରୁ ଯାତ୍ରା ଦଳ ଆଣିବା ପାଇଁ ! ସେଇ ଦଳ ତା ପୂର୍ବରୁ ଆସିଥିଲେ, କିନ୍ତୁ ସେମିତି କିଛି ପ୍ରଭାବ ପଡ଼ିନଥିଲା । ଆମେ ବିରୋଧ କଲୁ । ମୋ ମୁଣ୍ଡକୁ ଗୋଟେ ନୂଆ ଭାବନା ଆସିଲା- ଯଦି ଆମେ ସମସ୍ତେ ମିଶି ଗୋଟେ ନାଟକ କରୁ । ପ୍ରସ୍ତାବଟା ସମସ୍ତଙ୍କ ମନକୁ ପାଇଲା । ସମସ୍ତେ ଆନନ୍ଦ ଉତ୍ସାହରେ କୁରୁଳି ଉଠିଲେ । ନାଟକ ଖୋଜା ହୋଇ ଆସିଲା । ଜଳନ୍ଧର ବଧ । କଟକ ଜିଲ୍ଲାର ଜଣେ ଓସ୍ତାଦ ପାଖ ଗାଁରେ ଯାତ୍ରା ଶିଖାଉଥିଲେ । ସେ ଆସିଲେ । ରିହରସେଲ୍‌ ଚାଲିଲା । ଓସ୍ତାଦ ଆଶ୍ଚର୍ଯ୍ୟ ହେଲେ ପିଲାମାନଙ୍କ ଉତ୍ସାହ ଦେଖି । ଆମେ କେତେ ଜଣ ବାହାରିଲୁ ନାରୀ ଚରିତ୍ରରେ ଅଭିନୟ କରିବା ପାଇଁ, କିନ୍ତୁ ବୁଢ଼ାବୁଢ଼ୀମାନେ କହିଲେ- କଣ, ଝିଅପିଲା ନାଟକରିଵ, ନିର୍ଲଜ ଗାଏ, ଅତି ଅଲାଜୁକି ନାଟିଯାଏ ।

 

କିନ୍ତୁ ସଜବାଜ ଆସିବ କେଉଁଠୁ ? ସେଥିପାଇଁ ତ ଟଙ୍କା ଦରକାର । କିଛି ଟଙ୍କା ଆଦାୟ ହେଲା । ଗାଁ ବାଲା ବାହାରିପଡ଼ିଲେ ସାହାଯ୍ୟ କରିବା ପାଇଁ । ଗାଁ ପିଲା ମିଳିମିଶି ନାଟକ କରିବେ-। ଏହାଠାରୁ ଭଲ କଥା ଆଉ କ’ଣ ହୋଇପାରେ ? ଆୟୋଜନ ଜୋରସୋରରେ ଚାଲିଥାଏ । ମଞ୍ଚ ବନ୍ଧା ହେଲା । ସିନ୍‌ ଟଙ୍ଗା ହେଲା । ବାରିପଦାରୁ ସଜବାଜ ନେଇ ଲୋକ ଆସିଲେ ।

 

ରାତି ଦଶଟା ବେଳକୁ ଚାରିଟା ପେଟ୍ରୋଲ ମାକ୍ସ ଲାଇଟ ଜଳିଲା । ସେଇ ଆଲୁଅରେ ଚହଟି ଉଠିଲା ପୂଜାସ୍ଥଳ । ମା’ କାଳୀଙ୍କ ପ୍ରତିମୂର୍ତ୍ତି ଆଗରେ ରାତିସାରା ପୂଜାର୍ଚ୍ଚନା ଚାଲିଥାଏ । ନାଟକ ଆରମ୍ଭ କଲାବେଳକୁ ଏଗାରଟା । ଗାଁ ଲୋକ ସବୁ ଖାଇପିଇ ଆସିଥାନ୍ତି ନାଟକ ଦେଖି ସକାଳେ ଘରକୁ ଫେରିବେ । ଟିକେ ଟିକେ ଥଣ୍ଡା ପଡ଼ିଥାଏ । ଦେହରେ କିନ୍ତୁ ଉତ୍ସାହ ଉଦ୍ଦିପନାର ଉଷ୍ମତା । ବାଣ ଫୁଟିବାର ଶବ୍ଦ ଶୁଣାଯାଉଥାଏ ।

 

ପର୍ଦ୍ଦା ଉଠିଲା, ପ୍ରଥମେ ଚାରିଜଣ ପୁଅ-ଝିଅ ବେଶରେ ଗୀତ ଗାଇ ନାଚିଲେ ‘ଏଇଧରା ସସାଗରା କେଡ଼େ ସୁନ୍ଦର, ଆସ ଆସ ଦେବୀମାତା ଏଜଗତର ।’ ନାଚ ସରିବା କ୍ଷଣି କରତାଳିରେ କମ୍ପି ଉଠିଲା ପୂଜାସ୍ଥଳୀ । ଦୁଲୁକି ଉଠିଲା ଛାତି । ପ୍ରମ୍ପଟିଂଗ କରିବା ଓ କାହା ପରେ କିଏ କେଉଁ ଦୃଶ୍ୟରେ ଅଭିନୟ କରିବ ତାହା ଦେଖିବା ମୋର କାମ । ପ୍ରଥମ ଦ୍ଵିତୀୟ, ତୃତୀୟ ଦୃଶ୍ୟ ଭିତରେ ହୋଇଗଲା ଚତୁର୍ଥ ଦୃଶ୍ୟରେ ଜଣେ ପ୍ରମ୍ପଟିଂଗ ଶୁଣି ନପାରି ନୀରବରେ ଛିଡ଼ା ହୋଇ ରହିବାରୁ ମୁଁ ପଛରୁ ଠେଲିଦେଇ କହିଲି ଶୁଣ୍ ଯାହା କହୁଛି ସେୟା କୁହ ।

 

ସେ ସଂଗେ ସଂଗେ କହି ପକାଇଲା ଶୁଣ ଯାହା କହୁଛି ସେୟା କୁହ... । ହସରେ ଉଛୁଳି ଉଠିଲା ମଞ୍ଚ ଚାରିପାଖରେ । ଆଉ ଗୋଟେ ଦୃଶ୍ୟରେ ଆମ ଗାଁର ଯୁଗିଆ ପାଣି ବାଉଳି ହୋଇ କହିପକାଇଲା, ଧର ଯୁଦ୍ଧ କର ୠଣ... । ଦର୍ଶକ ହସିଲେ, କିନ୍ତୁ ଗାଁ ପିଲାଏ ପ୍ରଥମ ନାଟକ କରୁଥାନ୍ତି ବୋଲି ସାତଖୁନ୍‌ ମାପ ।

 

ତା’ପରେ ପୁଣି ନାଟକ ଚାଲିଲା । ଜଳନ୍ଧର ବଧ ପୂର୍ବରୁ ଦୃଶ୍ୟ ଦେଖି କେତେ ଓ ମା’ ମାଉସୀ କାନ୍ଦି ପକାଇଲେ । ଦୁଷ୍ଟ ଜଳନ୍ଧର ବଧହେବା ପରେ ପୁଣି ଆନନ୍ଦର କୋଳାହଳରେ କମ୍ପି ଉଠିଲା ପୂଜାସ୍ଥଳୀ । ସେତେବେଳକୁ କୁଆଁତାରା ଉଠି ସାରିଥାଏ ....ଫଚ୍ଚାହୋଇ ଆସୁଥାଏ ପୂର୍ବ ଦିଗ ।

Image

 

ଆମ ଗାଁ ସ୍କୁଲର ପ୍ରଥମ ପୁରସ୍କାର ବିତରଣ ସଭା

 

ଏବେ ତ ଛାତ୍ର, ଶିକ୍ଷକ, ଲେଖକ, ବୈଜ୍ଞାନିକ, ଶିଳ୍ପୀ, କଳାକାର, ଦେଶସେବକ ଓ ସମସ୍ତେ ପୁରସ୍କାର ପାଉଛନ୍ତି । କିନ୍ତୁ ମୋ ପିଲାବେଳର ଅବସ୍ଥା ସେପରି ନଥିଲା । ପୁରସ୍କାର କ୍ଵଚିତ୍‌ ଦିଆଯାଉଥିଲା । ଯଦି କେହି ମହାମାନ୍ୟ ଅତିଥି ସ୍କୁଲ ପରିଦର୍ଶନ କରିବାକୁ ଆସୁଥିଲେ ତାଙ୍କ ସମ୍ମାନାର୍ଥେ ପଦ୍ୟ ଆବୃତ୍ତି କରାଯାଉଥିଲା ଏବଂ ଦିନେ ଛୁଟି ମିଳୁଥିଲା । ଆମ ଗାଁର ଉଚ୍ଚ ପ୍ରାଥମିକ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆବୃତ୍ତ, ଖେଳ ଦୌଡ଼ ଓ ନୃତ୍ୟ ସଂଗୀତ ପ୍ରତିଯୋଗିତା କରିବା ପାଇଁ କଲେଜରେ ପଢ଼ୁଥିବା କେତେଜଣ ଉତ୍ସାହୀ ଯୁବକ ଆୟୋଜନ କଲେ। ମୁଁ ସେତେବେଳେ ମେଦୀନପୁର ଜିଲ୍ଲାର ଗୋପୀବଲ୍ଲଭପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲି । ଗୋପୀବଲ୍ଲଭପୁର ମୟୂରଭଞ୍ଜ ମହାରାଜାଙ୍କ ଜମିଦାରୀ ଅନ୍ତର୍ଭୁକ୍ତ ଇଲାକା ଥିବାରୁ ସେଇ ବିଦ୍ୟାଳୟରେ ଉଭୟ ବଙ୍ଗଳା ଓ ଇଂରାଜୀ ଶିକ୍ଷା ଦିଆଯାଇଥିଲା । ମୋ ବାପା ହାଇସ୍କୁଲର ସଂସ୍କୃତ ହେଡ଼ପଣ୍ଡିତ ଥିଲେ ଏବଂ ତାଙ୍କଠାରୁ ମୁଁ ଘରେ ଓଡ଼ିଆ ଶିଖିଥିଲି । ତେଣୁ ଗାଁ ସ୍କୁଲର ପ୍ରତିଯୋଗୀତାରେ ଭାଗନେବା ପାଇ ମୋତେ ଅନୁମତି ମିଳିଲା ।

 

ଉପର ଶ୍ରେଣୀରେ ପଢ଼ୁଥିବା କିଶୋର ଓ ତରୁଣମାନେ ଘର ଘର ବୁଲି ମୁଷ୍ଟିଭିକ୍ଷା କରି ପାଇଥିଲା ପଇସା ଏକତ୍ର କଲେ । ଯେଉଁମାନେ ପଇସା ନଦେଇ ଚାଉଳ ଦେଲେ ତାହାବିକ୍ରି କରିଦିଆଗଲା । କିଛି ଟଙ୍କା ଠୁଳ ହେବାରୁ ସେଇ ଟଙ୍କାରେ ବାରିପଦାରୁ ପୁରସ୍କାର ବହି କିଣାଗଲା-। ଗାଁରେ ଉତ୍ସାହ ଉଦ୍ଦୀପନା ଖେଳିଗଲା । ପ୍ରଥମ ଥର ଏପରି ଏ ପ୍ରତିଯୋଗୀତା ହେଉଥିବାରୁ ଛାତ୍ର ଓ ଅଭିଭାବକ ସମସ୍ତେ ଉତ୍ସାହ ଦେଖାଉଥିଲେ । ଏବଂ ତା ଅନୁସାରେ କିଛି କିଛି ଦାନ କରିଥିଲେ । ଏକାବେଳେ ଅର୍ଥ ମିଳିବାର ଆଶାନଥିବାରୁ ଏବଂ ଏକାଧିକ ଲୋକଙ୍କ ପାଖରେ ପ୍ରତିଯୋଗିତାର ବାର୍ତ୍ତା ପହଞ୍ଚାଇବା ପାଇଁ ମୁଷ୍ଟିମେୟ କରାଯାଇଥିଲା । ଆମେ ଦଳ ଦଳ ହୋଇ ଘର ଘର ବୁଲି ପଇସା ଓ ଚାଉଳ ଯିଏ ଯାହା ଦେଇଥିଲା ତାହା ସଂଗ୍ରହ କରି ଗୋଟିଏ ସ୍ଥାନରେ ଠୁଳ କରୁଥିଲୁ । ଗ୍ରୀଷ୍ମ ଛୁଟିରେ ଏହି ଆୟୋଜନ କରାଯାଇଥିଲା ।

 

ପୁରସ୍କାର ବିତରଣ ସଭା ଗାଁ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହେଲା । କୌଣସି ରାଜନୈତିକ ନେତାଙ୍କୁ ନ ଡ଼ାକି ଆମେ ଗ୍ରାମର ବୟୋଜ୍ୟେଷ୍ଠ ସମାଜସେବୀ ରାଧାନାଥ ଷଡ଼ଙ୍ଗୀଙ୍କୁ ଆମନ୍ତ୍ରଣ କରିଥିଲୁ । ପୁରସ୍କାର ବିତରଣ ସଭାର ପ୍ରାରମ୍ଭରେ ‘ଅଖିଳ ବ୍ରହ୍ମାଣ୍ଡ ପତି ମୋ ଜୀବନ ସ୍ଵାମୀ’ ସମବେତ କଣ୍ଠରେ ଗାଇଥିଲେ ଝିଅମାନେ । ମୁଁ ଗାଇଥିଲି ‘ଆହେ ଦୟାମୟ ବିଶ୍ଵ ବିହାରୀ’-। ସେଦିନ ସମସ୍ତ ଆବୃତ୍ତି ଗୁଡ଼ିକ ମଧୁର ଶୁଣାଯାଇଥିଲା ଏବଂ ପ୍ରତ୍ୟେକ ଆବୃତ୍ତି ପରେ ଦର୍ଶକମାନେ ହାତତାଳି ଦ୍ଵାରା ଉତ୍ସାହ ଦେଉଥିଲେ। ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଁ ପୁରସ୍କାର ଦିଆଯାଉଥିଲା । କମଳା, ସୂବର୍ଣ୍ଣ ପ୍ରଭୃତିଙ୍କୁ ଗୀତ ବହି ପୁରସ୍କାର ଦିଆଯାଇଥିଲା, କିନ୍ତୁ ମୋତେ ମିଳିଥିଲା ମହାତ୍ମାଗାନ୍ଧିଙ୍କଜୀବନୀ । ପ୍ରଥମେ ମୁଁ ରାଗି ଯାଇଥିଲି କାହିଁକି ମୋତେ ଗୀତ ବହି ନଦେଲେ ବୋଲି । କିନ୍ତୁ ପରେ ଉଦ୍ୟୋକ୍ତାମାନେ ବୁଝାଇଦେଲେ ଯେ ଗାନ୍ଧି ମହାତ୍ମା ପୃଥିବୀର ମହାନ୍‌ ନେତା ଏବଂ ତାଙ୍କ ଜୀବନୀ ସମସ୍ତଙ୍କର ଶିକ୍ଷଣୀୟ । ମୁଁ ବୁଝି ଯାଇଥିଲି, କିନ୍ତୁ ମନ ହେଉଥିଲା ମୋତେ ବି ଗୋଟେ ଗୀତ ବହି ବା ଗପ ବହି ମିଳିଥାନ୍ତା କି ? କିଶୋର ବୟସରେ ଆଦର୍ଶ ଅପେକ୍ଷା, ଗପ, ଗୀତ, ନାଚ ବୋଧହୁଏ ବେଶୀ, ଆକର୍ଷଣ କରେ ପିଲାମାନଙ୍କୁ।

 

ଆମ ଗାଁରେ ଏହାପରେ ବହୁ ସଭାସମିତି ହୋଇଛି । କିନ୍ତୁ ପ୍ରଥମ ପୁରସ୍କାର ବିତରଣ ସଭା ଓ ଆବୃତ୍ତି ପ୍ରତିଯୋଗିତା ଯେତେ ସରସ ଲାଗିଥିଲା ଆଉସବୁ ସେପରି ଲାଗିନାହିଁ । ବୋଧହୁଏ ମୁଁ ପ୍ରଥମ ପୁରସ୍କାର ପାଇଥିଲି ବୋଲି ଏବେ ବି ସେଇ ସ୍ମୃତି ମନରେ ଛାପି ହୋଇ ରହିଛି । ଆଉ ଗୋଟିଏ କଥା । ମନ ଥିଲା ଏପରି କିଛି କାମ ନାହିଁ ଯାହା କରିନହେବ । ଏବେ ଆମ ଗାଁ ଉଚ୍ଚ ପ୍ରାଥମିକ ସ୍କୁଲଟି ହାଇସ୍କୁଲରେ ପରିଣତ ହୋଇଛି । କଲେଜ ବି ଖୋଲିଛି । କିନ୍ତୁ ଆମେ ପିଲାଦିନେ ଯେପରି ମିଳିମିଶି ଉତ୍ସାହ ଉଦ୍ଦିପନାରେ ପୁରସ୍କାର ବିତରଣୀ ସଭା ବା ନାଚଗୀତ କରୁଥିଲୁ ଏବେ ତାହା ସ୍ଵପ୍ନ ହୋଇଯାଇଛି । ପିଲାମାନଙ୍କ ମଧ୍ୟରେ ମନର ମେଳ ନାହିଁ । ତେଣୁ ଭଲ କାମଟିଏ କରିବା ପାଇଁ ଯେଉଁ ଏକତା ଲୋଡ଼ା ତାହା ନଥିବାରୁ ଗାଁର ପିଲାମାନେ ତିନିଚାରି ଦଳରେ ବାଣ୍ଟିହୋଇ ଯାଇଛନ୍ତି । ନିଜ ଉଦ୍ୟମରେ ଆଉ ପୁରସ୍କାର ବିତରଣୀ ସଭା ହୋଇନାହିଁ । ସରକାର ଅର୍ଥ ଦେଲେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୁଏ ।

 

ମୁଁ ଭାବୁଛି ଯେ କିଶୋର ବୟସରୁ ଯଦି ପିଲାମାନେ ମିଳିମିଶି ହସ ଖୁସିରେ ସବୁ କାମ କରିବା ପାଇଁ ଶିଖନ୍ତେ ତେବେ ଗାଁ ମାନଙ୍କରେ ଜୀବନ ଆହୁରି ସରସ ସୁନ୍ଦର ହୁଅନ୍ତା । ବଡ଼ ହେଲେ ମଧ୍ୟ ମନର ମେଳ ରହନ୍ତା ।

Image

 

ଓଡ଼ିଆ ଆମେ

 

ଦାସେ ଆପଣେ (ଉତ୍କଳମଣି ଗୋପବନ୍ଧୁ) ଥରକୁ ଥର ସିଂହଭୂମି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନରେ ଆସିବାରୁ ଅଜା (ସ୍ୱର୍ଗୀୟ ଈଶ୍ୱରଚନ୍ଦ୍ର ହୋତା)ଙ୍କ ସହିତ ସଂପର୍କ ଆହୁରି ଘନିଷ୍ଠ ହେଲା । ଅଜା ଖଦଡ଼ ପିନ୍ଧିଲେ । ଅରଟ ଆଣି ସୂତା କାଟିଲେ ଏବଂ ସେଇ ସୂତାରେ ଧୋତି, ଚାଦର ବୁଣାଗଲା । କଂଗ୍ରେସର ଅହିଂସା ନୀତି ଓ ସ୍ଵାଧୀନତା ଆନ୍ଦୋଳନର ମର୍ମକଥା ଘର ଘର ବୁଲି ପ୍ରଚାର କଲେ । ସେହି ସମୟରେ ଦାସେ ଆପଣେ ଚକ୍ରଧରପୁର, ଚାଇଁବସା, ଜାମସେଦପୁର, ପାଞ୍ଚରୁଳିଆ, ଖଣ୍ଡ ମୌଦା ଆସି ମାତୃଭାଷାରେ ପଢ଼ିବା ଓ କଥା କହିବା ପାଇ ସମସ୍ତ ଓଡ଼ିଆଙ୍କୁ ବୁଝାଉଥିଲେ । ସେତେବେଳେ ଓଡ଼ିଆ ପଢ଼ିବାର ସୁବିଧା ସବୁଠାରେ ନଥିବାରୁ ଚକ୍ରଧରପୁର, ଚାଇଁବସା, ଜାମସେଦପୁର, ପାଞ୍ଚରୁଳିଆ, ଖଣ୍ଡାମୌଦାଠାରେ ଓଡ଼ିଆ ବିଦ୍ୟାଳୟ ସ୍ଥାପନ କରାଗଲା ଏବଂ କଟକ ପୁରୀ ଅଞ୍ଚଳରୁ କେତେଜଣ ଦେଷପ୍ରେମୀ ଆସି. ଓଡ଼ିଆ ବିଦ୍ୟାଳୟମାନଙ୍କରେ ଶିକ୍ଷକତା କରୁଥିଲେ ।

 

ଏହି ସମୟରେ ବାଣପୁରର ପଣ୍ଡିତ ଗୋଦାବରୀଶ ମିଶ୍ର ଓ ଅନନ୍ତ ମିଶ୍ରଙ୍କ ସହିତ ଅଜାଙ୍କର ବନ୍ଧୁତ୍ୱ ହେଲା । ସେମାନେ ଚକ୍ରଧରପୁର ଠାରେ ରହି ଓଡ଼ିଆ ପ୍ରଚାର କରୁଥିଲେ । ପଡୋଶୀ ଭାଷାର କେତେକ ଅସାମାଜିକ ଲୋକ ସେମାନଙ୍କୁ ଓ ଅଜାଙ୍କୁ ଗାଳଗୁଲଜ କରୁଥିଲେ ଏବଂ ଜୀବନରେ ମାରିଦେବେ ବୋଲି ମଧ୍ୟ ଧମକ ଚମକ ଦେଉଥିଲେ । ଗୋଦାବରୀଶ ବାବୁ ପରେ ବଡ଼ ନେତା ଓ ମନ୍ତ୍ରୀ ହେଲେ ବୋଲି ଅଜା କହୁଥିଲେ । ସେଦିନୁ ତାଙ୍କ ସହିତ ଅଜାଙ୍କର ପାରିବାରିକ ସଂପର୍କ । ଅଜାଙ୍କ ବଡ଼ପୁଅ ମୋ ବଡ଼ମାମୁଁ ଗଦାଧର ବାଣପୁରରେ ଗୋଦାବରୀଶ ବାବୁଙ୍କ ଘରେ ତାଙ୍କ ମଝିଆ ପୁଅ ଲୋକନାଥ ବାବୁ (ବର୍ତ୍ତମାନ ଆସାମର ରାଜ୍ୟପାଳ) ଙ୍କ ସହିତ ପଢୁଥିଲେ । ମୁଁ ବଡ଼ ହେଲାରୁ ସେଇ ଗୋଦାବରୀଶ ବାବୁଙ୍କ ‘କାଳିଜାଈ’ ଓ ଅନ୍ୟାନ୍ୟ କବିତା ପଢ଼ି ମୁଗ୍ଧ ହୋଇଥିଲି ।

 

‘କାଳିଜାଈ’ କବିତା ଏବେ ବି ମୋର କଣ୍ଠସ୍ଥ । ଗୋଟିଏ ଅଖ୍ୟାତ ଅଞ୍ଚଳର । ନଦନଦୀ ପାହାଡ଼ ପର୍ବତ ଦେବାଦେବୀ କିପରି ତାଙ୍କ କବିତ୍ଵ ବଳରେ ପରିଚିତ ଓ ଜନପ୍ରିୟ ହୋଇ ଉଠିଲେ ତାହା କାଳିଜାଈ କବିତା ପଢ଼ିଲେ ଜାଣିହୁଏ । କାଳିଜାଈ କବିତାରେ ପଢ଼ିଥିବା ‘ମାମୁଁ ଭଣଜା’ ପାହାଡ଼ ଯେଉଁଦିନ ମୁଁ ପ୍ରଥମ ଦେଖିଲି, ବାଲୁଗାଁ ପହଞ୍ଚିବା ପୂର୍ବରୁ ଏବଂ ତା’ପରେ ବରକୂଳରୁ ଡଙ୍ଗା ଚଢ଼ି ଚିଲିକା ବୁଲିଲି ଏବଂ କାଳିଜାଈ ଠାକୁରାଣୀଙ୍କୁ ଦର୍ଶନ କଲି ସେତେବେଳେ ଗୋଦାବରୀଶ ବାବୁଙ୍କ କବିତା ମୋ ଆଖି ଆଗରେ ଆହୁରି ଜୀବନ୍ତ ହୋଇ ଉଠିଲା ।

 

ଭଲ କରି ନାଆ ବାହାରେ ନାଉରୀ

ଝିଅକୁ ମାଡ଼ୁଛି ଡର,

ଗଡେ ଗଡ଼ ଲୋକ ଚାହିଁ ବସିଥିବେ

ଝିଅ ଯିବ ଶାଶୁଘର ।

× × × ×

କାଳିଜାଈ ବଡ଼ ପ୍ରତ୍ୟକ୍ଷ ଦେବତା

କୋଟି କୋଟି ଦଣ୍ଡବତ ।

ପାହାଡ଼ର ନାଁ ରାଇଜେ ଖ୍ୟାତ ଲୋ

‘କାଳିଜାଈ ପରବତ’ ।

 

ଅଜା କହୁଥିଲେ ଯେ ସେତେବେଳେ ସିଂହଭୂମିରେ ବିହାର ସରକାର ହିନ୍ଦୀ ପଢ଼ିବା ପାଇଁ ବାଧ୍ୟ କରୁଥାନ୍ତି । ଏଣେ ଗୋପବନ୍ଧୁଙ୍କ ଓଜସ୍ଵିନୀ ଉଦ୍‌ବୋଧନ ଶୁଣି ଲୋକମାନେ ଓଡ଼ିଆ ଶିଖିବା ଓ ପଢ଼ିବା ପାଇଁ ଶପଥ ନେଉଥାନ୍ତି । ବିହାର ସରକାର ଅଧୀନରେ ସେତେବେଳେ ଓଡ଼ିଶା ଅଞ୍ଚଳ ଥାଏ । ୧୯୩୬ ରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହେଲା । ସେ ପର୍ଯ୍ୟନ୍ତ ବିହାରରେ ରହୁଥିବା ଓଡ଼ିଆମାନଙ୍କର ହାରି ଗୁହାରି ବୁଝିବା ପାଇଁ ଥାଆନ୍ତି ବିହାର ସରକାର । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନ ହେବା ପୂର୍ବରୁ ତାହା ଶହେ ବର୍ଷରୁ ଅଧିକ ବଙ୍ଗପ୍ରଦେଶ, ମାନ୍ଦ୍ରାଜ ପ୍ରଦେଶ ଓ କେନ୍ଦ୍ର ପ୍ରଦେଶରେ ବାଣ୍ଟି ହୋଇଥିଲା ।

 

ଓଡ଼ିଆମାନଙ୍କୁ ଏକତ୍ର କରିବା ପାଇଁ ନାନା ପରିକଳ୍ପନା ଚାଲିଥିଲା । ଅଜା ଗୋଟିଏ ଅଭିନବ ଉପାୟ ପାଞ୍ଚିଲେ । ଗୀତ ଓ ନାଟକକୁ ମାଧ୍ୟମ କରି ଓଡ଼ିଆମାନଙ୍କୁ ଠୁଳ କରିବା ପାଇଁ ହାରମୋନିଅମ ଧରି ଗୀତ ଗାଇ ଗାଇ ବୁଲନ୍ତି ଗାଁକୁ ଗାଁ । ଖାଲି ଗୀତ ଗାଇଲେ ତ ଓଡ଼ିଆ ଶିକ୍ଷା ହେବ ନାହିଁ । ସେଥିପାଇଁ ଅଜା ନାଟକ ଲେଖିଲେ ଏବଂ ସେଇ ନାଟକ ଜରିଆରେ ଓଡ଼ିଆ ଶିକ୍ଷା ଦେବାକୁ ଲାଗିଲେ । ସେଇ ନାଟକରେ ସିଂହଭୂମିରେ କିପରି ବିଭିନ୍ନ ଜାତିଗୋଷ୍ଠୀର ଲୋକ ଭିନ୍ନ ଭିନ୍ନ ଓଡ଼ିଆ କହୁଥିଲେ ତାହା । ବର୍ଣ୍ଣନା କରାଯାଇଥିଲା ଏବଂ ସେ ସବୁର ଭଲ ଓଡ଼ିଆ ଶବ୍ଦ କ’ଣ ହେବ ତାହାର ମଧ୍ୟ ସୂଚନା ଦିଆଯାଉଥିଲା । ସ୍ଵାମୀ ସ୍ତ୍ରୀଙ୍କ କଥୋପକଥନରୁ ଏଠାରେ କିଛି ଅଂଶ ଉଦ୍ଧାର କରୁଛି–

 

ସ୍ତ୍ରୀ- ମୁଁ ଆପଣଙ୍କ ସହିତ ଏଠାରେ ଲୋକମାନଙ୍କ ଆଗରେ ତାଙ୍କ ଭାଷାରେ ‘‘କଥା କହିନପାରି ବିଶେଷ ଲଜ୍ଜିତ (ସ୍ତ୍ରୀ ଓଡ଼ିଆ ହେଲେ ମଧ୍ୟ ବାସ ହୋଇ ବଙ୍ଗଳା ପଢ଼ୁଥିଲେ କାରଣ ତାଙ୍କ ବାପଘର ମେଦିନୀପୁର ଜିଲ୍ଲାରେ)

 

ସ୍ଵାମୀ- ଆମ ଏଠାରେ ଓଡ଼ିଆ ଭାଷା ଚଳେ । ବେଙ୍ଗଲର ଯେପରି ବଙ୍ଗଳା ଭାଷା ।

 

ସ୍ତ୍ରୀ- ଧନ୍ୟ ଆପଣଙ୍କ ଦେଶ । ପ୍ରଭୁ କୃପା କରି କହନ୍ତୁ । ବିଭିନ୍ନ ଭାଷା କ’ଣ ଭିନ୍ନ ଭିନ୍ନ ଅକ୍ଷରେ ଲେଖାଯାଏ ?

 

ସ୍ଵାମୀ- ହଁ । ଭାଷା ପ୍ରକାଶ ପାଇଁ ଅକ୍ଷର ଓ ଶବ୍ଦ ରହିଛି ।

 

ସ୍ତ୍ରୀ- ମୋ ମୁହଁରୁ ଓଡ଼ିଆ କଥା ଶୁଣିଲେ ଏଠାରେ ହସନ୍ତି ।

 

ସ୍ୱାମୀ- ଆମ ଭାଷା ଓଡ଼ିଆ । ଆମ୍ଭ ଦେଶର ଲୋକଙ୍କ ସହିତ ଅନ୍ୟ କୌଣସି ଦେଶର ଲୋକେ ତାଙ୍କ ନିଜ ଭାଷାରେ କଥା କହି ମନୋରଂଜନ କରି ପାରିବେ ନାହିଁ । (ଅଜାଙ୍କ ନାଟକ ୧୯୨୦ରେ ଲିଖିତ) ଏଥିରୁ ପ୍ରମାଣ ମିଳେ ଯେ ଗୋଟିଏ ଭାଷା ରାଜନୈତିକ କାରଣରୁ ନଷ୍ଟ ହୋଇଯିବାର ଭୟ ସବୁବେଳେ ଥାଏ । ଓଡ଼ିଆ ଭାଷାଭାଷୀଙ୍କୁ ହିନ୍ଦୀରେ, ବଙ୍ଗଳାରେ, ତେଲୁଗୁରେ ଲେଖା ପଢ଼ା କରିବା ପାଇଁ ବାଧ୍ୟ କରାଯାଉଥିଲା । ଓଡ଼ିଆଭାଷୀ ଅଞ୍ଚଳରେ ହିନ୍ଦୀରେ ଅଫିସ୍‌ ଓ ଅଦାଲତରେ କାମ କରାଯାଉଥିଲା । ମୁଁ ମେଦିନୀପୁର ଜିଲ୍ଲାରେ ବାଲ୍ୟ ଓ କୈଶୋର କଟାଇଛି । ସେସବୁ ଅଞ୍ଚଳରେ ଓଡ଼ିଆମାନଙ୍କୁ କିପରି ହୀନିମାନ କରାଯାଏ ତାହା ଅଙ୍ଗେ ନିଭାଇଛି ।

 

ଆମ ଓଡ଼ିଶା ଅଞ୍ଚଳରୁ ପାଲା ଗାୟକମାନେ ବେଳେ ବେଳେ ପାଲା ଗାଇବାକୁ ବିଚ୍ଛିନ୍ନାଞ୍ଚଳକୁ ଆସୁଥିଲେ । ସେମାନଙ୍କ ମୁହଁରୁ ପାଲା ମାଧ୍ୟମରେ ଶାସ୍ତ୍ରପୁରାଣ ଓ ପ୍ରଚାର ସାହିତ୍ୟ ସମ୍ବନ୍ଧରେ ଶୁଣିବାକୁ ମିଳୁଥଲା ଏବଂ ଆମ ଭାଷା ଯେ ଆଉ କାହାଠାରୁ ନ୍ୟୁନ ନୁହେଁ ତାହା ମନରେ ଗର୍ବର ସଂଚାର କରୁଥିଲା । କିନ୍ତୁ ଏସବୁ ସତ୍ତ୍ଵେ । ମେଦିନୀପୁର ଜିଲ୍ଲାର ଲକ୍ଷ ଲକ୍ଷ ଓଡ଼ିଆ ବଙ୍ଗଳା ଭାଷା ଆପଣେଇ ନେବାକୁ ବାଧ୍ୟ ହେଲେ ସମାଜରେ ସୁବିଧାରେ ଚଳିବା ପାଇଁ ଏବଂ ସରକାରୀ ସୁବିଧା ସୁଯୋଗ ପାଇବା ପାଇଁ ।

 

ମୋର ବହୁ ଆତ୍ମୀୟ ଏବେ ବି ମେଦିନୀପୁର ଓ ସିଂହଜୂମି ଜିଲ୍ଲାରେ । ସିଂହଭୂମି ଜିଲ୍ଲାର ଓଡ଼ିଆମାନେ ଓଡ଼ିଆ ଭାଷା ରକ୍ଷା କରିଥିଲାବେଳେ ମେଦିନୀପୁର ଜିଲ୍ଲାର ଓଡ଼ିଆମାନେ ଓଡ଼ିଆ ଭାଷା ଭୁଲି ମାତୃଭାଷା ବଙ୍ଗଳା ଲେଖୁଛନ୍ତି ଓ କହୁଛନ୍ତି, ସବୁ କାଳରେ ଏପରି ହୁଏ । ରାଜନୈତିକ କାରଣରୁ ଶାସନ ଶକ୍ତି ଯାହା ପଛରେ ରହେ ସେ ଅଧିକ ଶକ୍ତିଶାଳୀ ହୁଏ । ମେଦିନୀପୁର ଓଡ଼ିଆମାନେ ଓଡ଼ିଆ ପଢିବାର ସୁଯୋଗ ଓ ଚାକିରିରେ ସୁବିଧା ନପାଇ ନିଜ ଭାଷା ଛାଡ଼ି ଦେଲେ । ଆହୁରି ବି ଦୁର୍ବଳକୁ ସବଳ ଆତ୍ମସାତ୍‌ କରିବା ପରି ପ୍ରଭାବଶାଳୀ ଭାଷା ବେଳେ ବେଳେ ପ୍ରାନ୍ତୀୟ ଭାଷା ଓ ସଂସ୍କୃତିକୁ ଆତ୍ମସାତ୍‌ କରିଥାଏ । ତଥାପି ମୁଁ ପଢ଼ିବା ବେଳେ ମେଦିନୀପୁରର ଓଢ଼ିଆଭାଷୀମାନେ ଘରେ ଓଡ଼ିଆ କହୁଥିଲେ, ଆଜି ଆଉ ସେମାନେ ଓଡ଼ିଆ କହୁନାହାନ୍ତି । ପଚାଶ ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଯାଇଛି । ମେଦିନୀପୁର ଜିଳ୍ଲାର ଓଡ଼ିଆ ଘରେ ଆଉ ଜଗନ୍ନାଥ ଦାସଙ୍କ ଭାଗବତ କିମ୍ବା ବଳରାମଙ୍କ ରାମାୟଣ ପଢ଼ା ହୁଏନାହିଁ ।

 

ଖଣ୍ଡାମୌଦାରେ ଓଡ଼ିଆ ହାଇସ୍କୁଲ ଅଛି । ସେଠାରେ ଓଡ଼ିଆ ମାଧ୍ୟମରେ ଲେଖାପଢ଼ା ହୁଏ । ମୋର ଜଣେ ସଂମ୍ପର୍କୀୟ ବିଭୂତି ଭୂଷଣ ହୋତା ଦୀର୍ଘ ସମୟ ସେଠାରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ଏବେ ଓଡ଼ିଆମାନେ ମୁଣ୍ଡ ଟେକି ଚାଲନ୍ତି। ଓଡ଼ିଆ ପଢ଼ନ୍ତି ଓ ଓଡ଼ିଆରେ କଥାବାର୍ତ୍ତା ହୁଅନ୍ତି । ବିହାର ସରକାରଙ୍କ ଅସହଯୋଗ ସତ୍ତ୍ୱେ ଭାଷାର ମୃତ୍ୟ ହୋଇନାହିଁ । ଦାସେ ଆପଣେ ଦେଶପ୍ରୀତି ସହିତ ଭାଷା ପ୍ରୀତି ଶିଖାଇ ଯାଇଥିଲେ । ତାହା କେହି ଭୁଲି ନାହାନ୍ତି । ସେ ଥିଲେ ପ୍ରକୃତରେ ନେତା । ନିଜର ତ୍ୟାଗ, ନିଷ୍ଠା ଓ ଆଦର୍ଶ ବଳରେ ସେ ଆକର୍ଷଣ କରୁଥିଲେ ସମସ୍ତଙ୍କୁ । ସେ ଅଜାଙ୍କ ଘରେ କେତେଥର ରହିଥିଲେ । ପ୍ରଥମ ଥର ତାଙ୍କ ଆଗମନ ଉପଲକ୍ଷେ ଅଜା ଯେଉଁ ଗୀତ ଲେଖୁଥିଲେ ତାହା ଲେଖୁଛି । ବିଦାୟ ବେଳର ଗୀତ ଏଥର ଏଠାରେ ଉଲ୍ଲେଖ କରୁଛି ।

 

ପ୍ରଭୁ ଛାଡ଼ିଯାଉଛ ତ ଆମ୍ଭଙ୍କୁ

କେତେ ପୂଣ୍ୟଫଳେ,

ଦେଖିଲଇ ଡୋଳେ ଦୟାମୟ ପ୍ରଭୁ ତୁମ୍ଭଙ୍କୁ ।

ନଯିବ ପାଶୋରି

ଆମ୍ଭର ଗୁହାରି ଫେରି ହରିବ ଆମ୍ଭଙ୍କୁ

ଦୂରୁ ଡାକ ଶୁଣି

ନାସି ଦୁଃଖ ରାଶି ରଂଜିବ ଆମ୍ଭର ଦମ୍ଭକୁ ।

ପୁଣି ଦୟାକରି ।

ଦୁଃଖୀ ଦୁଃଖ ହରି

ବିଜେ ହେବ ଏଥିକୁ

ଶ୍ରୀପଥକୁ ଆସ

ନକରି ନିରାସ

ପୂର୍ଣ୍ଣ କରିବ ଆମ୍ଭଙ୍କୁ ।

 

ଓଡ଼ିଆ ଭାଷା ପ୍ରାଚୀନ ଭାଷା ମଧ୍ୟରୁ ଗୋଟିଏ । ହଜାରେ ବର୍ଷର ହେବ । ଏବେ କେହି କେହି କହୁଛନ୍ତି ଯେ ଆମ ହିନ୍ଦୀ କି ବଙ୍ଗାଳୀ ନୁହେଁ, ଓଡ଼ିଶାରେ ମଧ୍ୟ ଓଡ଼ିଆ ଭାଷାର ପ୍ରଭାବ ହ୍ରାସ ପାଉଛି । ଅଧିକରୁ ଅଧିକ ଇଂରାଜୀ ସ୍କୁଲ ଖୋଲୁଛି ଏବଂ ଓଡ଼ିଆ ପିଲା ଇଂରାଜୀ ମାଧ୍ୟମରେ ପଢୁଛନ୍ତି । ସୁତରାଂ ଅଶୀ ବର୍ଷ ପୂର୍ବେ ଯେପରି ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ଦାସେ ଆପଣେ ଓ ଅନ୍ୟମାନେ କାର୍ଯ୍ୟ କରୁଥିଲେ, ସେହିପରି ନିଷ୍ଠାର ସହିତ କାର୍ଯ୍ୟ କଲେ ଓଡ଼ିଆ ଭାଷା ବଞ୍ଚିବ । ସତୁରି ଅଶି ବର୍ଷ ପୂର୍ବେ ଅଜା (ଈଶ୍ୱରଚନ୍ଦ୍ର ହୋତା) ଲେଖିଥିବା କବିତାର କିଛି ଅଂଶ ଏଠାରେ ଉଦ୍ଧାର କଲି–

 

‘ଉଠରେ ଉଠରେ ଓଡ଼ିଆ ସନ୍ତାନ

ଉଠରେ ରଜନୀ ପାହିଲାଣି,

ଶୁଣରେ ଶୁଣରେ ଭ୍ରମର ଝଙ୍କାର

କୋକିଳ ମଧୁର ଗାଇଲାଣି ।

ଭାରତ ଯାକର ଯେତେ ଭାଇମାନେ

ଉଠି ପୂଜିଲେଣି ଜନନୀ ଚରଣେ

ଶଂଖରୋଳେ ଧରା କମ୍ପିଲାଣି ।’

 

ମୁହଁମାଡ଼ି ପଡ଼ି ରହିବ ବୀର ଓଡ଼ିଆ ଜାତି ? ନା, ନା ! ସ୍ୱାର୍ଥକୁ ସାରଥି ନ କରି ଦେଶ ଦଶ ପାଇଁ କାମ କରିବାର ବେଳ ଇୟେ । ତୁଣ୍ଡରୁ କଥା ଓ କଲମର ଭାଷା କିନ୍ତୁ ହେବ ଓଡ଼ିଆ । କାରଣ ଆମେ ଓଡ଼ିଆ ।

Image

 

ଓଡ଼ିଆ ଆମ ଭାଷା

 

ମୋର ଜନ୍ମ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ଜନ୍ମ ପ୍ରାୟ ଏକ ସମୟରେ । ମୟୂରଭଜ ଗଡ଼ଜାତ ରାଜ୍ୟ ହେଲେ ମଧ୍ୟ ଓଡ଼ିଆ ଭାଷୀ ଅଂଚଳ । ଏହା ଓଡ଼ିଶାର ଶୀର୍ଷ ଦେଶରେ ମୁକୁଟ ପରି ରହିଥାଏ । ସ୍ଵତନ୍ତ୍ର ପ୍ରଦେଶ ହେବା ପୂର୍ବରୁ ଓଡ଼ିଶା ସେତେବେଳେ ବିହାରର ଅଂଶ ଥାଏ । ଓଡ଼ିଆ ଛାତ୍ରମାନେ ପାଟଣା ବିଶ୍ଵବିଦ୍ୟାଳୟ ଅଧୀନରେ ପଢୁଥାନ୍ତି । ମୋ ବାପା ପୂର୍ଣ୍ଣଚନ୍ଦ୍ର ମିଶ୍ର ଗୋପୀବଲ୍ଲଭପୁର ସିଲଭର ଜୁବୁଲି ହାଇସ୍କୁଲର ସଂସ୍କୃତ ଶିକ୍ଷକ ଥିଲେ । ନୟାବସାଣ ଓ ଗୋପୀବଲ୍ଲଭପୁର ଅଞ୍ଚଳ ବଙ୍ଗପ୍ରଦେଶରେ ଥାଇ ମଧ୍ୟ ମୟୂରଭଂଜ ମହାରାଜାଙ୍କ ଜମିଦାରୀ ଥଲା ଏବଂ ସେଠାରେ ବଙ୍ଗଳା ଓଡ଼ିଆ ଉଭୟ ଭାଷାର ପ୍ରଚଳନ ଥିଲା । ମେଦିନୀପୁର ଜିଲ୍ଲା ମୟୂରଭଞ୍ଜ ଓ ବାଲେଶ୍ଵରର ସଂଲଗ୍ନ, ତେଣୁ ସେଠାରେ ହଜାର ହଜାର ଓଡ଼ିଆଭାଷୀ ରହୁଥିଲେ । ମେଦୀନପୁରକୁ ଲାଗିଥିବା ବାଙ୍କୁଡ଼ା ଓ ବୀରଭୂମି ଜିଲ୍ଲାରେ ମଧ୍ୟ ବହୁ ସଂଖ୍ୟାରେ ଓଡ଼ିଆଭାଷୀ ବସବାସ କରୁଥିଲେ । କିନ୍ତୁ ବିହାରରେ ହିନ୍ଦୀ ଓ ବଙ୍ଗଳାରେ ବଙ୍ଗଳାଭାଷୀ ଅଧିକ ସଂଖ୍ୟକ ଥିବାରୁ ହିନ୍ଦୀ ଓ ବଙ୍ଗଳା ଭାଷା ଚଳୁଥିଲା ଏ ଦୁଇ ପ୍ରଦେଶରେ । ବିହାରର ସିଂହଭୂମି ଜିଲ୍ଲା ଓ ଛୋଟନାଗପୁର ଅଞ୍ଚଳରେ ଅନେକ ଓଡ଼ିଆ ରହୁଥିଲେ । ସିଂହଭୂମିର ଆଦିବାସୀମାନେ ମଧ୍ୟ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଅନୁରାଗ ରଖୁଥିବାରୁ ସିଂହଭୂମିରେ ଓଡ଼ିଆଭାଷୀ ସଂଖ୍ୟାଗରିଷ୍ଠ ଥିଲେ । ଓଡ଼ିଆମାନେ ଘରେ ଓ ପରସ୍ପର ମଧ୍ୟରେ ଓଡ଼ିଆରେ କଥାଭାଷା ହେଉଥିଲେ, ଓଡିଆ ପର୍ବପର୍ବାଣୀ ଓଡ଼ିଆ ରୀତିରେ ପାଳନ କରୁଥିଲେ ଏବଂ ବାହାପଇତା ଓଡ଼ିଆ ପୋଥି ଅନୁସାରେ ସଂପନ୍ନ କରୁଥିଲେ । ମେଦୀନପୁର, ସିଂହଭୂମି ଓ ବାଙ୍କୁଡ଼ା ଜିଲ୍ଲା ଦିନେ ଓଡ଼ିଶାର ଅଂଶ ଥିଲା ବୋଲି ମୋ ଅଜା ସ୍ଵର୍ଗତ ଈଶ୍ଵରଚନ୍ଦ୍ର ହୋତାଙ୍କଠାରୁ ଶୁଣିଛି । ସେ ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ନେତା, ଉତ୍କଳମଣି ଗୋପବନ୍ଧୁଙ୍କ ସହକର୍ମୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଓଡିଆ ଭାଷାଭାଷୀମାନେ କେବଳ ସେମାନଙ୍କ ମଧ୍ୟରେ ବିବାହ ସଂପର୍କ ସ୍ଥାପନ କରୁଥିଲେ ।

 

ସ୍କୁଲରେ ଓଡ଼ିଆ ଶିକ୍ଷକ ନଥିବାର ମୁଁ ବଙ୍ଗଳା ପଢୁଥିଲି, କିନ୍ତୁ ଘରେ ମା, ବାପା ମୋତେ ଓଡ଼ିଆ ପଢାଉଥିଲେ । ମୋ ଅଜା ମଝିରେ ମଝିରେ ଆମ ଘରକୁ ଆସୁଥିଲେ । ଓଡ଼ିଆଭାଷୀଙ୍କ ମଧ୍ୟରେ ଜାତୀୟତା ଜାଗ୍ରତ କରିବା ପାଇଁ ସେ ଆନ୍ଦୋଳନ କରୁଥିଲେ । ଆମେ ମଧ୍ୟ ଛୁଟିରେ ଗାଁକୁ ଯିବା ବାଟରେ ତାଙ୍କ ଘରେ କିଛିଦିନ ରହିଥିଲୁ । ଅଜାଙ୍କଘର ଥିଲା ସିଂହଭୂମି ଜିଲ୍ଲାର ବହଡ଼ାଗୋଡ଼ା ନିକଟସ୍ଥ ଖମାର ଗ୍ରାମରେ । କେବଳ ବହଡ଼ାଗୋଡ଼ାରେ କିଛି ଲୋହ ହିନ୍ଦୀ ଓ ବଙ୍ଗାଳୀ ଥିଲେ, ମାତ୍ର ବେଶୀ ଲୋକ ଥିଲେ ଓଡ଼ିଆ କିନ୍ତୁ ସରକାର ଓଡିଆ ପିଲାଙ୍କ ସକାଶେ ପଢ଼ିବା ପାଇଁ ବିଦ୍ୟାଳୟ ଖୋଲିନଥିଲେ ମଧ୍ୟ ଓଡ଼ିଆମାନେ ଏକଜୁଟ ହୋଇ ଓଡ଼ିଆ ସ୍ତୁଲ ଖୋଲିଥିଲେ । ସିଂହଭୂମି ଜିଲ୍ଲାର ଓଡ଼ିଆ ନେତା ମୋ ଅଜା ଈଶ୍ଵରଚନ୍ଦ୍ର ହୋତା ଓ ତାଙ୍କ ବନ୍ଧୁ ତାରାପଦ ଷଢ଼ଙ୍ଗୀ ପ୍ରଭୃତି ଓଡ଼ିଆମାନଙ୍କୁ ଏକଜୁଟ କରିବା ସକାଶେ ଚେଷ୍ଟା କରୁଥିଲେ ଏବଂ ସରକାରଙ୍କ ଓଡ଼ିଆ ବିରୋଧୀ ନୀତି ବିରୁଦ୍ଧରେ ଲଢ଼େଇ କରୁଥିଲେ । ତେଣୁ ସେମାନଙ୍କୁ ଜୀବନରେ ମାରିଦେବା ପାଇଁ ଅନ୍ୟ ଭାଷାଭାଷୀମାନେ କେତେଥର ଚେଷ୍ଟା କରି ମଧ୍ୟ ନିରାଶ ହୋଇଥଲେ । କଟକ ଓ ପୁରୀ ଅଞ୍ଚଳରୁ ନେତାମାନେ ମଧ୍ୟେ ମଧ୍ୟେ ଓଡ଼ିଆମାନଙ୍କୁ ସଙ୍ଗଠିତ କରିବା ପାଇଁ ଆସୁଥିବା ଅଜା ଓ ବାପାଙ୍କ ଠାରୁ ଶୁଣିଛି । ଓଡ଼ିଆ ଭାଷାର ପ୍ରସାର ପାଇଁ ଅଜା ଅନେକ ଗୀତ ଓ ନାଟକ ରଚନା କରିଥିଲେ ଏବଂ ଗାଁ ଗାଁ ବୁଲି ସଭାସମିତିରେ ଗୀତ ଗାଇ ସମସ୍ତଙ୍କୁ ଉଦ୍‌ବୁଦ୍ଧ କରୁଥିଲେ । ରାତିରେ ତାଙ୍କ ରଚିତ ନାଟକ ଅଭିନୟ କରାଯାଉଥଲା । ପାଞ୍ଚଚୁଳିଆ ଗ୍ରାମରେ ଗୋଟିଏ ଓଡ଼ିଆ ସ୍କୁଲ ଥିଲା । ଦାସେ ଆପଣେ (ଉତ୍କଳମଣି ଗୋପବନ୍ଧୁ) ସେଠାକୁ ପ୍ରଥମେ ୧୯୨୨ ମସିହାରେ ଆସିଥିଲେ । ତାଙ୍କୁ ସ୍ଵାଗତ କରିବା ପାଇଁ ବଡ଼ ସଭା ହୋଇଥିଲା । ଅଜା ସେଠାରେ ଯେଉଁ ଗୀତ ବୋଲିଥିଲେ ତାହା ଦୁଇବର୍ଷ ପରେ ତାଙ୍କ ଖାତାରୁ ମୁଁ ଟିପି ନେଇଥିଲି ସେତକ ଏଠାରେ ଉଦ୍ଧାର କରୁଛି:

 

ଓଡ଼ିଆ ଆମର ମାତୃଭାଷା ଓଡ଼ିଆ ଆମ ପ୍ରାଣ

ଓଡ଼ିଆ ଦେଶରେ ଜନମ ଆମ୍ଭ ଓଡ଼ିଆର କରୁଟାଣ

ଆସ ଆସ ଆସ ଭାଇ ମନକୁ ମିଳାଇ ରଖିବା ଓଡ଼ିଆ ମାନ,

କହିବୁ ଓଡ଼ିଆ ପଢ଼ିବା ଓଡ଼ିଆ ଶିଖିବା ଓଡ଼ିଆ ଗାନ ।

 

ଓଡ଼ିଆର ରାଣୀ ଆମ ଗିରିନଦୀ ତାପରେ ରଖିବା ଧ୍ୟାନ,

ଓଡ଼ିଆର ଯଶ ରଖିବାରେ ଆମ ଓଡ଼ିଆରେ ଦେବା ପ୍ରାଣ ।

ଓଡ଼ିଆ ମାଆକୁ କହିବା ଆମ୍ଭଙ୍କୁ ଦିଅ ମା ଓଡ଼ିଆ ଜ୍ଞାନ,

ଦୁଇକର ଯୋଡ଼ି ମା ପାଦେ ପଡ଼ି କରିବା ଏଇ ଜଣାଣ ।

(ଈଶ୍ୱର ଚନ୍ଦ୍ର ହୋତା-୧୯୯୨)

 

ଅଜା କହନ୍ତି ସେତେବେଳେ ଏଇ ଗୀତ ଶୁଣି ଉତ୍କଳମଣିଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା ଓ ଅଜାଙ୍କୁ କୁଣ୍ଢାଇ ପକାଇ କହିଥିଲେ- ଈଶ୍ଵର, ତୁମେ ଅନ୍ୟ କାମଛାଡ଼ି ମୋ କାମ କର-। ଓଡ଼ିଆ ଭାଷା ବଞ୍ଚିଲେ ଓଡ଼ିଆ ବଞ୍ଚିବେ । ଓଡ଼ିଆଙ୍କ ପରିଚୟ ରହିବ । ଅଜା ମୋଚେ ଓଡ଼ିଆ ଶିଖାଉଥିଲେ ଏବଂ ଓଡ଼ିଆ ବହି ପଢ଼ିବାକୁ ଦେଉଥିଲେ । ବେତାଳ ପଞ୍ଚବିଂଶତି, ଅବୋଲକରା କାହାଣୀର ଗଳ୍ପ କହୁଥିଲେ । ମା’ ବଙ୍ଗଳା ଜାଣି ନଥଲା । ସେ ଘରେ ଭାଗବତ ଓ ପୁରାଣ ପଢ଼େ । ଅଜାଙ୍କର ସେ ବଡ଼ ଝିଅ ବୋଲି ଅଜା ତାକୁ ଭାରି ଭଲ ପାଉଥିଲେ । ନାମ ରଖିଥିଲେ ପ୍ରମଦା । ମୋ ବାପାଙ୍କୁ ଏବେ ପଞ୍ଚାନବେ ଏବଂ ମାଂଙ୍କୁ ପଞ୍ଚାଅଶୀ ଚାଲିଛି ।

 

୧୯୨୨ ପରେ ତା ପରବର୍ଷ ଦାସେ ଆପଣେ ପୁଣି ଆସିଥିଲେ ସିଂହଭୂମିକୁ ଓ ଚକ୍ରଧରପୁର ଯାଇଥିଲେ । ସେଠାରୁ ଫେରିବା ବାଟରେ ବହଡ଼ାଗୋଡ଼, ପାଞ୍ଚରୁଳିଆ ଓ ଶାସନଠାରେ ଅଟକିଥିଲେ । ମୋ ଅଜାଙ୍କ ଗାଁ ଖମାର, ଅଜାଙ୍କ ଘରକୁ ତାଙ୍କର ପ୍ରଥମ ଆଗମନ ଉପଲକ୍ଷେ ଅଜା ଯେଉଁ ଆବାହନୀ ଗୀତ ଲେଖିଥିଲେ ତାହାର କିୟଦଂଶ ଏଠାରେ ଉଦ୍ଧାର କରୁଛି-

 

ବିଜେ କର ବିଜେ କର ବିଜେ କର

ଦୀନ ଭବନେ,

ହୋଇଲୁଁ ଧନ୍ୟ ଧନ୍ୟ ଜୀବନ ହେଲା

ପ୍ରଭୁ ତୁମ ଦର୍ଶନେ ।

ଆମେ ଅରକ୍ଷିତ ଅଟୁ ମୁରୁଖତ

ଅକ୍ଷମ ଶ୍ରୀପଦ ଦର୍ଶନେ,

ଦୁଇକର ଯୋଡ଼ି ନମୁଁ ତୁମ୍ଭ ପଦେ ପ୍ରଭୁ

ଦୟାକରି ବସ ଆସନେ ।

 

ଆମ୍ଭେମାନେ ଯେତେ ଓଡ଼ିଆର ସୂତେ

ଦୁଃଖ ଦେଖ ଆମ୍ଭ ନୟନେ,

ମାତୃଭାଷା ଛାଡ଼ି ପରଭାଷା ପଢ଼ି କି

ଦୁଃଖ ପାଉଛୁ ଜୀବନେ ।

 

ହେଲା ଅଳ୍ପଦିନ ସହଣି କଷଣ ମିଳିବା

ସକଳ ସନ୍ତାନେ,

ଆମ୍ଭ ମାତୃଭାଷା ଶିଖିବାକୁ ଆଶା କରି

ପଢ଼ୁଅଛୁ ଅତି ଯତନେ ।

 

ଦେବ ଦୟାକରି ଅଛ ବିଜେକର ହେଉ

ଜାତ କୃପା ନୟନେ

ତୋଷ ଆମ୍ଭ ମନ ଦେଇ ଶିକ୍ଷାଦାନ

ଏତିକି ମାଗୁଣି ଚରଣେ ।

 

ନାହିଁ ଆମ୍ଭ ଧନ ନାହିଁ ଆମ୍ଭ ମାନ ତୁମ୍ଭ

ମନତୋଷ କରଣେ

ସମର୍ପୁଚି ପ୍ରାଣ ଶ୍ରୀପଦ୍ନ ଚରଣେ ରଖ

ରଖ ପ୍ରଭୁ ଶରଣେ ।

 

(୰ଈଶ୍ୱରଚନ୍ଦ୍ର ହୋତା- ୧୯୨୩) ମୋ ଅଜା ଜମିଦାର ନଥିଲେ ମଧ୍ୟ ବହୁ ଜମିଜମାର ଅଧିକାରୀ ଥିଲେ । ବେଶ୍‌ ସ୍ୱଚ୍ଛଳ ଓ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ । ଅଜା କହନ୍ତି ଦାସେ ଆପଣେ ଏଇ ଗୀତଶୁଣି ତାଙ୍କୁ କୁଣ୍ଢେଇ ପକାଇ କହିଥିଲେ ଈଶ୍ଵର ଗତଥର ତୁମେ ଓଡ଼ିଆ ଭାଷାକୁ ଜୀଆଁଇ ରଖିବା ପାଇଁ ପଣ କରିଥିଲ । ଏଥର ଆଉ ଗୋଟେ ପ୍ରତିଜ୍ଞା କର- ମୋ କଥା ମାନି ଗାନ୍ଧି ମହାତ୍ମାଙ୍କ କଂଗ୍ରେସରେ ଯୋଗ ଦିଅ । ଦେଶର ସ୍ୱାଧୀନତା ପାଇଁ ଲଢ଼ । ବିଳାସ ବ୍ୟସନ ସଂଗ୍ରାମୀକୁ ସାଜେ ନାହିଁ । ପଶା ଖେଳ, ନାଚ ତାମସା ଛାଡ଼ି ଦେଶକାମ କର । ଗୋପବନ୍ଧୁଙ୍କ ପାଦଛୁଇଁ ସେଇଦିନୁ ଅଜା ତାଙ୍କ ଶିଷ୍ୟ ହେଲେ । କଂଗ୍ରେସରେ ଯୋଗଦେଲେ । ଓଡ଼ିଆ ଭାଷା ସହିତ ଦେଶର ସ୍ୱାଧୀନତା ପାଇଁ ସର୍ବସ୍ଵ ତ୍ୟାଗ କରିବାକୁ ପଣ କଲେ । ମୁଁ ସେତେବେଳେ ଜନ୍ମ ହୋଇନଥିଲି। ମା ବି ବାହା ହୋଇନଥିଲା । କିନ୍ତୁ ପରେ ଅଜା ମୁହଁରୁ ମୁଁ ଏସବୁ ଶୁଣିଛି ଏବଂ ତାଙ୍କ ଗୀତ ସବୁ ଟିପି ରଖିଥିବା ତାଙ୍କ ହାତଲେଖା ଖାତା ଏବେ ବି ମୋ ପାଖରେ ଅଛି । ସେଇ ଖାତାର ବୟସ ମୋ ଠାରୁ କୋଡ଼ିଏ ବର୍ଷ ଅଧିକ । ଗୋପବନ୍ଧୁ ବିଦାୟ ନେଇଯିବା ପୂର୍ବରୁ ଅଜା ସବୁ ଧୋତି ପଞ୍ଜାବି ଛାଡ଼ି ମୋଟା ଖଦୀ ଓ ଚାଦର ବ୍ୟବହାର କଲେ । ପଶା ଖେଳ, ନାଟତାମସା ଛାଡ଼ି ଦେଶ କାମରେ ଲାଗିଲେ । ଓଡ଼ିଆ ଭାଷା ପ୍ରସାର ପାଇଁ ଯାହା ପାରିଲେ ଦାନ କଲେ । ସେ ଓ ତାରାପଦ ଷଡ଼ଙ୍ଗୀ ଦୁହେଁ ଥିଲେ ସହକର୍ମୀ ବନ୍ଧୁ । ଅଣଓଡ଼ିଆମାନେ ଏମାନଙ୍କୁ ଶତ୍ରୁ ଭାବି ଲାଞ୍ଛନା ଦେଉଥିଲେ ।

 

ଆଜି ସେ କଥା ମନେପଡ଼ିଲେ ରୋମ ଟାଙ୍କୁରି ଉଠୁଛି । ଦାସେ ଆପଣଙ୍କ ଡାକରା ପାଇ ଦେଶ ପାଇଁ କେତେ ଲୋକ ସର୍ବସ୍ଵ ତ୍ୟାଗ କରିଥିଲେ । ଆଜି ସେଦିନର କଂଗ୍ରେସ ଲୋକ ଆଉ ନାହାନ୍ତି, ମାତୃଭାଷା ପାଇଁ ଜୀବନ ପଣ କରି ଲଢ଼ିବା ପାଇଁ ଆଉ କେହି ନାହାନ୍ତି । ଓଡ଼ିଆମାନେ ଛେଉଣ୍ଡ ପିଲା ପରି ଅସହାୟ ।

Image

 

ନଈରେ ବାଙ୍କ ଦେଶ - ଦେଶରେ ଫାଙ୍କ

 

କଥା ଅଛି ନଈର ବାଙ୍କ ଦେଶ-ଦେଶରେ ଫାଙ୍କ । ନଈର ବାଙ୍କ ପରି ଗାଁ ଗାଁରେ ଫାଙ୍କ-। ଏଇ ଫାଙ୍କ ମନର ନୁହେଁ ଭାଷାର । ଭାଷାବିତ୍‌ମାନଙ୍କ ମତରେ ପ୍ରତି ପାଞ୍ଚ ଦଶ ମାଇଲ୍‌ ମଧ୍ୟରେ ଭାଷା ବଦଳେ । ନଈର ବାଙ୍କପରି ଦେଶ ଓ ଦେଶ ମଧ୍ୟରେ ତଫାତ୍‌ । ଆମ ମୟୂରଭଂଜ ଦେଶୀୟ ରାଜ୍ୟ ଥିଲା । ସେଠାରେ ଭଂଜବଂଶୀୟ ରାଜାମାନେ ରାଜତ୍ଵ କରୁଥିଲେ । ମୟୂରଭଂଜ ରାଜ୍ୟ (ଏବେ ଓଡ଼ିଶାର ଗୋଟିଏ ଜିଲ୍ଲା) କିନ୍ତୁ ଏଠାରେ ବସବାସ କରନ୍ତି ଅନେକ ଜାତିଗୋଷ୍ଠୀର ଅଧିବାସୀ । ସାନ୍ତାଳ, ହୋ, ଭୂମିଜ, କୁର୍ମୀ, ଲୋଧା, ବାଥୁଡ଼ି, ଖଡ଼ିଆ ବିଭିନ୍ନ ସଂପ୍ରଦାୟର ଲୋକମାନେ ଯୁଗ ଯୁଗ ଧରି ଏକତ୍ର ଚଳି ଆସିଛନ୍ତି । ଜିଲ୍ଲାର ଅଧିକାଂଶ ଅଂଶ ଅରଣ୍ୟୟ । ଧାନ ପ୍ରଧାନ ଫସଲ । ଆମ ଗାଁ ଚାରିପାଖେ ଜଙ୍ଗଲ ଥିଲା । ଗୋଟିଏ ଛୋଟ ପାହାଡ଼ ମଧ୍ୟ ଅଛି । ଏବେ କିନ୍ତୁ ତାହା ଗଛ ଶୂନ୍ୟ । ସେତେବେଳେ ହେଟା ବାଘ, ଭାଲୁ, ହରିଣ ଦେଖିବାକୁ ମିଳୁଥିଲେ, ଏବେ ସେସବୁ କିଛି ନାହିଁ । ମୟୂରଟିଏ ଦେଖିବା ଅସମ୍ଭବ । ଶିମିଳିପାଳ ପର୍ବତ ଆମ ଗାଁରୁ ଦେଖାଯାଏ । ହଁ, ଯେଉଁ ଆଦିମ ଅଧିବାସୀମାନଙ୍କ ବିଷୟ ଉଲ୍ଲେଖ କଲି ସେମାନଙ୍କ ମଧ୍ୟରେ ଚଳଣିର ଫରକ ବାରି ହୋଇପଡ଼େ । ଆମ ଗାଁର ଲୋକସଂଖ୍ୟା ପାଞ୍ଚଶହ ହେବ, କିନ୍ତୁ ସେଠାରେ ଚାରିପ୍ରକାର ଭାଷା ଚଳେ । ବ୍ରାହ୍ମଣ, କ୍ଷତ୍ରିୟ, ଖଣ୍ଡାୟତ ଓଡ଼ିଆ ଭାଷା ବ୍ୟବହାର କରୁଥିବା ବେଳେ, ଭୂମିଜ ଓ ସାନ୍ତାଳମାନେ ଭିନ୍ନ ଭିନ୍ନ ଭାଷା ବ୍ୟବହାର କରନ୍ତି । ଗୁହୁଳା ବା ସଦ୍‌ଗୋପମାନେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ସାନ୍ତାଳୀ ମିଶ୍ରିତ ଭାଷା ବ୍ୟବହାର କରନ୍ତି । ଯାଉଛି କି ଯାଆଣ୍ଢ, ଖାଉଛିକି ଖାଆଣ୍ଢ । ମେଦିନପୁର ପୂର୍ବରେ, ପଶ୍ଚିମରେ ସିଂହଭୂମି, ଉତ୍ତରରେ କେନ୍ଦୁଝର ଓ ଦକ୍ଷିଣରେ ବାଲେଶ୍ଵର ଓ ନୀଳଗିରି । ଏତେ ପାଖାପାଖି ଥିବା ସତ୍ତ୍ୱେ ମୟୂରଭଂଜ ଓ ବାଲେଶ୍ଵର ଚଳଣି ମଧ୍ୟରେ ଅନେକ ଫରକ । ଯେପରି ଆଦିବାସୀ ଓ ଅଣଆଦିବାସୀମାନଙ୍କ ମଧ୍ୟରେ ।

 

ମୁଁ ବାଲ୍ୟ ଓ କୈଶୋର ମେଦିନୀପୁର ଜିଲ୍ଲାରେ କଟାଇଥିଲି। ତେଣୁ ଘରେ ଓଡ଼ିଆ କହୁଥିଲେ ମଧ୍ୟ ବାହାରେ ବଙ୍ଗଳା କହିବାକୁ ପଡ଼ୁଥିଲା । ପୁଣି ଆମ ସହିତ କଥାଭାଷା ହେଲାବେଳେ ସାନ୍ତାଳ, ସଦଗୋପ ଭୂମିଜ ଓ ଖଡ଼ିଆମାନେ ସେମାନଙ୍କ ସହିତ ଓଡ଼ିଆ ଓ ବଙ୍ଗଳା ମିଶାଇ କହୁଥିଲେ । ଏବେ ବି ସେଇ ଚଳଣି ରହିଛି । ମୟୂରଭଂଜ ୧୯୪୯ ମସିହା ଜାନୁଆରୀ ପହିଲା ଦିନ ଓଡ଼ିଶାରେ ମିଶିଲା । ତା ପରେ ମଧ୍ୟ ମେଦିନୀପୂର ଓ ସିଂହଭୂମି ସହିତ ସମ୍ପର୍କ ଶିଥିଳ ହୋଇନାହିଁ । ଓଡ଼ିଆ ଭାଷା ମେଦିନୀପୁରରେ ଆଉ ଚଳୁନଥିଲେ ମଧ୍ୟ ଓଡ଼ିଆ ସଂସ୍କୃତି ଚଳୁଛି । ବିବାହ, ବ୍ରତ ଓଡ଼ିଆ ରୀତି ଅନୁସାରେ ହେଉଛି । ଏବେ ଓଡ଼ିଆ ଭାଷାର ପ୍ରସାର ଘଟିଛି ଉପାନ୍ତ ଅଂଚଳରେ । ଓଡ଼ିଆ ବିଦ୍ୟାଳୟ ସଂଖ୍ୟା ବଢ଼ିଛି ଓଡ଼ିଆ ଭାଷାରେ ବାହାର ଲୋକଙ୍କ ସହିତ କଥାଭାଷା ହେଉଥିଲେ ସୁଦ୍ଧା ନିଜ ଜାତିଗୋଷ୍ଠୀ ମଧ୍ୟରେ ନିଜ ନିଜ ବୋଲିର ପ୍ରଚଳନ ଅଧିକ । ଓଡ଼ିଆ ଭାଷାର ପ୍ରସାର ପାଇଁ ସିଂହଭୂମି, ମୟୂରଭଂଜ ଉପାନ୍ତ ଅଂଚଳ ଓ ମେଦୀନପୁରରେ ଉତ୍କଳମଣି ଓ ପଣ୍ଡିତ ଗୋଦାବରୀଶ ଯେଉଁ ନିଷ୍ଠାପର ଉଦ୍ୟମ କରିଥିଲେ ତାହାର ସୁଫଳ ଏବେ ଫଳୁଛି ସତୁରିଅଶି ବରଷ ପରେ । ଓଡ଼ିଆ ଭାଷା ମରିଯାଇ ନାହିଁ, ସିଂହଭୂମିରେ ଓଡ଼ିଆ ସଂସ୍କୃତିର ମଧ୍ୟ ବଂଚିଛି । ଆଦିବାସୀମାନଙ୍କ ଭାଷା ଓ ସଂସ୍କୃତି ଓଡ଼ିଆମାନଙ୍କ ସହିତ ବେଶି ସାମଞ୍ଜସ୍ୟ ଥିବାରୁ ସେମାନେ ନିଜକୁ ଓଡ଼ିଆମାନଙ୍କ ସୁଖ ଦୁଃଖ ସହିତ ସାମିଲ୍‌ ହୋଇଛନ୍ତି । କିନ୍ତୁ ଏଇ ଦୀର୍ଘ ବ୍ୟବଧାନ ସତ୍ତ୍ୱେ ଏବେ ବି ସେହିପରି ଓଡ଼ିଆ ବହିପତ୍ର, ପୁରାଣ, ଗଳ୍ପ ଉପନ୍ୟାସ, କାବ୍ୟ କବିତା ବହି ଦୁର୍ଲଭ । ଅନ୍ନପୂର୍ଣ୍ଠା ଥିଏଟର, ପାଲାବାଲା ଓ ଯାତ୍ରାଦଳ ସିଂହଭୂମି, ମୟୂରଭଂଜ ଅଂଚଳକୁ ବର୍ଷାଋତୁ ପରେ ନିୟମିତ ଆସୁଥିଲେ ଏବଂ ଓଡ଼ିଆ ଯାତ୍ରା, ପାଲା ଓ ଥିଏଟର ବେଶ୍‌ ଆଦୃତ ହେଉଥିଲା । ଏବେ କିନ୍ତୁ ଏହା କମିବାପରି ଲାଗୁଛି । ଏ ବିଷୟଟି ପ୍ରତି ଧ୍ୟାନଦେଇ ଯଦି ଓଡ଼ିଆ ଯାତ୍ରା ଓ ପାଲାଦଳ ସେସବୁ ଅଂଚଳକୁ ପଠାଇବା ସକାଶେ ସଂସ୍କୃତି ବିଭାଗ ଯତ୍ନ କରନ୍ତେ ଓଡ଼ିଆମାନଙ୍କର ଭାଷା ଓ ସଂସ୍କୃତି ପ୍ରେମ ଆହୁରି ଦୃଢ଼ ହୁଅନ୍ତା । ଗୋଟିଏ ବଡ଼ ସଂସ୍କୃତି ବା ଗୋଟିଏ ଅପେକ୍ଷାକୃତ ଅଧିକ ସମୃଦ୍ଧ ଭାଷା ଦୁର୍ବଳ ସଂସ୍କୃତି ବା ଦୁର୍ବଳ ଭାଷାକୁ ଆତ୍ମସାତ୍‌ କରିବାର ବହୁ ଉଦାହରଣ ରହିଛି । ଏବେ ଯେପରି ସାନ୍ତାଳମାନଙ୍କୁ ‘ଓଲଚିକି’ ଭାଷାରେ କେତେକ ସ୍ଥାନରେ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି ତାହାଦ୍ଵାରା ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବ ବୋଲି ମନେହୁଏ ନାହିଁ । ଓଡ଼ିଆ ଭାଷାରେ ଲିଖିତ ବିଭିନ୍ନ ବିଭାଗର ବହି ସୁଲଭ ଦରରେ ମିଳିଲେ ସେ ଅଂଚଳରେ ଓଡ଼ିଆ ଭାଷାର ପ୍ରସାର ହୁଅନ୍ତା । ଆହୁରି ଗୋଟିଏ ଅସୁବିଧା । ସେତେବେଳେ ସିନା ପଣ୍ତିତ ଗୋଦାବରୀଶ, ପ୍ରଚାରକ ଅନନ୍ତ ମିଶ୍ରଙ୍କ ପରି ସମର୍ପିତ ବ୍ୟକ୍ତିତ୍ୱ ମାସ ମାସ ଚକ୍ରଧରପୁର ଅଞ୍ଚଳରେ ରହି ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିଲେ, ବର୍ତ୍ତମାନ ଓଡ଼ିଆ ଅଭାବରୁ ଓଡ଼ିଆ ମାଧ୍ୟମରେ ଶିକ୍ଷାଦେବା କଷ୍ଟକର ହେଲାଣି ।

 

ସେତେବେଳେ ଆମ ଗାଁ ପାଖରେ ଥିବା ଖଡ଼ିଆଶୋଳ ଓ ପାଣିଶୋଳରେ ଖରାଦିନେ ଚାଙ୍ଗୁନାଟ ହେଉଥିଲା । ପୁରୁଷ ଓ ସ୍ତ୍ରୀମାନେ ଓଡ଼ିଆ ଗୀତ ଗାଇ ଚାଙ୍ଗୁ ବଜାଇ ଏକତ୍ର ନାଚୁଥିଲେ-। ଏବେ ତାହା କମିଗଲାଣି । କାର୍ତ୍ତିକ ମାସରେ ନାମ କୀର୍ତ୍ତନ କରିବା ପାଇଁ ବୈଷ୍ଣବମାନେ ଗିନି ବଜାଇ ଗୀତ ଗାଉଥିଲେ । ଯୋଗୀମାନେ ପ୍ରାୟ ବର୍ଷସାରା କେନ୍ଦେରା ବଳାଇ ‘ଭଜୁକିନା ରାମ ନାମରେ ଗୋବିନ୍ଦ’ ଗାଇବା ବେଳେ ଝିଅ ବୋହୂଙ୍କର ଆଖ୍‌ରୁ ଲୁହ ଝରି ପଡୁଥିଲା-। ଆମ ଗାଁ ଏ ଅଞ୍ଚଳରେ ଅନ୍ୟ ଗାଁ ଅପେକ୍ଷା ଆଗୁଆ ଥିଲା ବୋଲି ପ୍ରତି ଫଗୁଣ ଓ ଚୈତ୍ର ମାସରେ ଛଉନାଚ ହେଉଥିଲା ଏବଂ ମଧ୍ୟେ ମଧ୍ୟେ ପାଲା ଥ୍‌ଏଟର ମଧ୍ୟ ହେଉଥିଲା । ଛଉନାଚ ପ୍ରାୟ ପ୍ରତି ବଡ଼ ଛୋଟ ଗାଁରେ ହେଉଥିଲା। ଚୈତ୍ର ସଂକ୍ରାନ୍ତି ଦିନ ବାରିପଦାରେ ରାଜବାଟୀ ପ୍ରାଙ୍ଗଣରେ ମହାରାଜାଙ୍କ ଦକ୍ଷିଣ ସାହି ଓ ମହାରାଣୀଙ୍କ ଉତ୍ତର ସାହି ଦଳ ମଧ୍ୟରେ ପ୍ରତିଯୋଗିତା ହେଉଥିଲା । ଓଡ଼ିଶା, ଛତିଶଗଡ଼, ବିହାର ପ୍ରଭୃତି ସ୍ଥାନରୁ ରାଜା ମହାରାଜାମାନେ ଅତିଥି ହୋଇ ଆସୁଥିଲେ ଛଉନୃତ୍ୟ ଦେଖିବା ପାଇଁ । ଝୁମର ଗୀତ ମୟୂରଭଂଜରେ ବେଶ୍‌ଲୋକପ୍ରିୟ । ଛଉନାଚରେ ଓଡ଼ିଆ ଝୁମର ଓ ଓଡ଼ିଆ କବିମାନଙ୍କ ଗୀତ ବୋଲାଯାଉଥିଲା । କିନ୍ତୁ ନାମ କୀର୍ଜନ ଓ ସଂକୀର୍ତ୍ତନର ଗୀତ ଥିଲା ବଙ୍ଗଳା । ତ୍ରିନାଥ ମେଳା ଉପାଖ୍ୟାନ ଓଡ଼ିଅ।ରେ ପଢ଼ାଯାଉଥିଲା, କିନ୍ତୁ ସତ୍ୟନାରାୟଣ ପୂଜା ପାଲା ଓଡ଼ିଆ ଅକ୍ଷରରେ ଲେଖାଥିବା ବଙ୍ଗଳା ପାଲା । ସେତେବେଳେ ସତ୍ୟନାରାୟଣ ପୂଜାର ଓଡ଼ିଆରେ ଲେଖା ଷୋହଳ ପାଲାର ପ୍ରଚଳନ ହୋଇନଥିଲା । ମେଦିନୀପୁର ଜିଲ୍ଲାର ବ୍ରାହ୍ମଣ ଓ କରଣ ପରିବାରରେ ବଙ୍ଗଳା ଅକ୍ଷରରେ ଲେଖା ଓଡ଼ିଆ ଭାଗବତ ପଢ଼ାଯାଉଥିଲା । ଏବେ ତାହା ଅଚଳ ହୋଇଗଲାଣି । ସାନ୍ତାଳମାନେ ମକର ଓ ଦୁର୍ଗାପୂଜା ସମୟରେ ଦଳ ଦଳ ହୋଇ ବାଦ୍ୟ ବଜାଇ ଗୀତ ଗାଇ ଗାଁକୁ ଆସୁଥିଲେ ଏବଂ ଯିଏ ଯାହା ଦେଉଥିଲେ ମନ ଖୁସିରେ ନେଉଥିଲେ । ସେମାନଙ୍କର ପ୍ରିୟ ଗୀତ ଥିଲା 'ଦେବୀରେ ଦୁରୁଗା’ । ଆହୁରି କଟକ ଓ ବାଲେଶ୍ୱର ଜିଲ୍ଲାରୁ କଳାକାରମାନେ କାଳୀ ବେଶ ହୋଇ ହାତେଲମ୍ବା ନାଲି ଟହ ଟହ ଜିଭ ଓ ଆଜାନୁଲମ୍ବିତ କେଶ ଛାଡ଼ି ଆସୁଥିଲେ, ସେମାନଙ୍କୁ ଦେଖି ଆମେ ଭୟରେ ଘରେ ଲୁଚୁଥିଲେ । ସେହିପରି, ଘଣ୍ଟାକର୍ଣ୍ଣମାନେ ରାତି ଅଧରେ ବେତାଳ ନୃତ୍ୟ କରି ‘ଯୋଗୀ ଧଡ଼୍‌ପଡ଼ କାନ୍ଥ ଭାଙ୍ଗିପଡ଼୍‌’ ବୋଲି ଶଂଖନାଦ କରି ଗାଁ କମ୍ପାଇ ଦେଉଥିଲେ । ସେମାନଙ୍କ ଆଗରେ ସ୍ତ୍ରୀ ଓ ପିଲା ଭୟରେ ବାହାରୁ ନଥିଲେ । ମେଦିନୀପୁର ବା କଲିକତା ଆଡ଼ୁ ବାଇସ୍‌କୋପ୍‌ ଦେଖାଇ କିଛି ଉପାର୍ଜନ କରିବା ପାଇଁ ଆସୁଥିଲେ ବାଇସ୍‌କୋପ ବାଲା । କାଚଦେଇ ନଳ ଭିତରକୁ ଚାହିଁଲେ ହାଉଡ଼ା ପୋଲ, କଲିକତାର କାଳୀ ମନ୍ଦିର, ଚିଡ଼ିଆଖାନା, ଭିକ୍‌ଟୋରିଆଳ ଦେଖାଯାଉଥିଲା । ଆଦିବାସୀ ଓ ହାଟୁଆ ଘରର ଝିଅମାନେ ଦୋ ମେମୋରିଆଲ୍‌, ରଜ ଓ କୁଆଁର ପୂନେଇ ସମୟରେ ବା ଧାନକାଟିବା ବେଳେ ନାନା ପ୍ରକାରର ଗୀତ ବୋଲୁଥିଲେ । ଗୀତ ହିଁ ଥିଲା ଉଛୁଳା ଜୀବନର ଉଲ୍ଲାସ । ଗୀତରେ ବାଦ ପ୍ରତିବାଦ ମଧ୍ୟ ହେଉଥିଲା । ସେତେବେଳେ ଝିଅ ବୋହୂଙ୍କ ମଧ୍ୟରେ ସାହାଡ଼ା ସୁନ୍ଦରୀ ଉପାଖ୍ୟାନ, ଅବୋଲକରା କଥା ଇତ୍ୟାଦି ବେଶ୍‌ ଆଦୃତ ହେଉଥଲା । କଥା କଥାରେ ଢଗ ଢମାଳି ଉଦାହରଣ. ଦିଆଯାଉଥିଲା ।

 

ଯଥା–

 

ଶାକୁଲି ଘରକୁ ନାଉଲି ଗଲା

ଶିଳଧୁଆ ପାଣି ଚକୁଳି କଲା ।

ଅଫୁଲି ଫୁଲେଇ ହେଉଛି

ଘଇତା ଆଣିଲା ସାବୁନି ବକଟେ

ଗାଁ ଯାକ କହି ବୁଲୁଛି ।

 

ଅଦେଖିଲି କି ହୋଇଛି ଶାଢ଼ୀ

ହପର ହପର କଣ୍ଢେଇ ପେଡ଼ି

ଅତି ଶରଧାର ପିଆଜ ମୁଠେ

ଚୋବେଇ ଜାଣିଲେ ସୁଆଦ ଉଠେ ।

 

ଆମ ପିଲାବେଳେ ଝିଅମାନେ ଅନେକ ସଂଖ୍ୟାରେ ପାଠ ପଢ଼ିବାକୁ ଯାଉନଥିଲେ । କିନ୍ତୁ ବ୍ରାହ୍ମଣ, କରଣ, କ୍ଷତ୍ରୀୟ ପରିବାରର ଝିଅମାନେ ବିଦ୍ୟାଳୟରେ ପଢ଼ୁଥିଲେ । ନାରୀ ଶିକ୍ଷା ପ୍ରାୟ ପାଞ୍ଚ ପ୍ରତିଶତ ମଧ୍ୟରେ ଥିଲା । ମା, ମାଉସୀ, ଖୁଡ଼ୀ, ଦେଠେଇମାନେ ଓଢ଼ଣା ଦେଉଥିଲେ । ବୋହୂମାନଙ୍କର ମୁହଁ ଦିଶୁନଥିଲା । ବାଲ୍ୟ ବିବାହ ପ୍ରଚଳନ ଥିଲା । ଆମ ଗାଁ ପାଖରେ ପଥିରୀ ଓ ବୁଢ଼ାମରା ଗାଁର ତେଲି ସଂପ୍ରଦାୟର ଲୋକମାନେ ବେଶ୍‌ ସ୍ୱଚ୍ଛଳ, କିନ୍ତୁ ସେତେବେଳେ ସେମାନଙ୍କର ପୁଅଝିଅମାନେ ତିନି ଚାରି ବରଷର ହେଲେ ବାହା କରାଇ ଦେଉଥିଲେ । ବରଷ ଦୁଇ ବରଷ ଝିଅ ମଧ୍ୟ ବାହା ହେଉଥିଲେ । ବାପା ମା’ ମାନେ ଝିଅ ପୁଅଙ୍କୁ ଧରି ବେଦୀରେ ବସୁଥିଲେ । ସୁଆରିରେ ବରକନ୍ୟା ବସୁଥିଲେ । ମକର ସବୁଠାରୁ ବଡ଼ ପର୍ବ । ଏବେ ବି ମକର ପନ୍ଦର ଦିନ ଧରି ପାଳନ କରନ୍ତି ଆଦିବାସୀ ଓ ହାଟୁଆମାନେ। ମକର ସମୟରେ କୁକୁଡା ଲଢ଼େଇ ଆୟୋଜନ କରାଯାଉଥିଲା ଗାଁ ଗାଁରେ ବା ହାଟରେ । ଛୁଆଁ ଅଛୁଆଁ ଚଳୁଥିଲା । ଏପରିକି ବ୍ରାହ୍ମଣମାନଙ୍କ ମଧ୍ୟରେ ଉଚ୍ଚଗୋତ୍ରର ଏଇ ଭେଦଭାବ ପ୍ରଚଳିତ ଥିଲା । ଲକ୍ଷ୍ମୀପୂଜା ଅତି ପବିତ୍ରତାର ସହିତ ପାଳନ କରାଯାଉଥିଲା । ଗୁରୁବାର ଲକ୍ଷ୍ମୀପୂଜା ସମୟରେ ଝୋଟି ପ୍ରତିଯୋଗିତା ହେଉଥିଲା । ମକର ଓ ଲକ୍ଷ୍ମୀପୂଜା ସମୟରେ ପିଠାପଣା ପରସ୍ପର ମଧ୍ୟରେ ଦିଆନିଆ ହେଉଥିଲା । ଏସବୁ ଚଳଣି ଏକାବେଳେ ବନ୍ଦ ନ ହୋଇଥିଲେ ବି କମିଗଲାଣି । ଖରାଦିନେ ଗାଁ ଦାଣ୍ଡରେ ବା ମନ୍ଦିର ଆଗରେ ସାରଳା ଦାସଙ୍କ ମହାଭାରତ ବା ଜଗନ୍ନାଥ ଦାସଙ୍କ ଭାଗବତ ବୋଲା ଯାଉଥିଲା । ପୁରୁଷ, ସ୍ତ୍ରୀ ସମସ୍ତେ ପିଣ୍ଡା ଉପରେ ବସି ଶୁଣୁଥିଲେ । ଆମ ଗାଁରେ ଯେପରି ଅନ୍ୟ ଗାଁରେ ସେହିପରି ଭୂତପ୍ରେତ ଡାଆଣୀ ପ୍ରତି ପ୍ରବଳ ଭୟ ଥିଲା । ଡାଆଣୀ ଲାଗିବା ଝିଅ ବୋହୂଙ୍କୁ ମୁଁ ଦେଖୁଛି । ଶୂନ୍ୟେ ଶୂନ୍ୟେ ବାଡ଼ ଡ଼େଇଁ ଯିବାର ଦେଖିଛି । ସେତେବେଳେ ଦେହରେ ଯେପରି ହାତୀର ବଳ । ଭୂତପ୍ରେତଙ୍କ ଉତ୍ପାତ, ବେତାଳ ସାଧନା ସମ୍ପର୍କରେ ମଧ୍ୟ ଶୁଣାଯାଉଥି‌ଲା । ପଚାଶ ଷାଠିଏ ବର୍ଷରୁ ଅଧିକ କେହି ବଂଚୁନଥିଲେ । ଶିଶୁ ମୃତ୍ୟୁ ଅତି ବେଶୀ ଥିଲା । କିନ୍ତୁ ଏନ୍ତୁଡ଼ିଶାଳର ଚିତ୍ର ଏବେ ବି ମନେଅଛି । ପ୍ରସବ କରିଥିବା ମା’କୁ ଭୂଇଁ ଉପରେ ଖାଇବାକୁ ଦିଆଯାଉଥଲା । ଅଜ୍ଞତା ଓ ଅନ୍ଧବିଶ୍ୱାସ ପ୍ରବଳ ଥିଲା । ମିଳିମିଳା କିମ୍ବା ବସନ୍ତ ହେଲେ ଗାଁ ଲୋକେ କବାଟ କିଳି ଘର ଭିତରେ ରହୁଥିଲେ । ଡାକ୍ତର ଡାକିଲେ ଠାକୁରାଣୀ କୋପ କରିବେ କୁହାଯାଉଥିଲା । କାହା ଗୁହାଳରେ ବା ବେକରେ ଦଉଡ଼ି ଲାଗିଥିବା ଗୋରୁଗାଈ ମରିଗଲେ ପ୍ରାୟଶ୍ଚିତ୍ତ ହେବା ବିଧି ବଡ଼ କରୁଣ ଥିଲା । ଦାନ୍ତରେ ଚିରଣ ଧରି ଗୃହମାଲିକ ପ୍ରାୟଶ୍ଚିତ କରୁଥିଲା-

 

ଗାଁର ସେସବୁ ଚିତ୍ର ଅନେକ ବଦଳି ଗଲାଣି । ଏବେ ତ ପ୍ରତି ଗାଁକୁ ରାସ୍ତା, ପ୍ରତି ଗାଁରେ ନଳକୂଅ, ବିଦ୍ୟାଳୟ, ବିଜୁଳି ଆଲୁଅ, ରେଡ଼ିଓ ଓ ଟି.ଭି. । ଗାଁ ଜୀବନର ସେଇ ଉଛୁଳା ରୂପ ଆଉ ଦେଖିବାକୁ ମିଳେ ନାହିଁ । ଅଜ୍ଞତା ଓ କୁସଂସ୍କାର ମଧ୍ୟରେ ଆତଜାତ ହେଉଥିଲେ ସେ କାଳର ଲୋକ, କିନ୍ତୁ ସେତେବେଳେ ଜୀବନ ଏତେ ବ୍ୟଗ୍ର ବା ବ୍ୟସ୍ତ ନଥିଲା । ସମୟ ଏତେ ବେଗରେ ବଦଳୁ ନଥିଲା । ମଣିଷ ଥିଲା ଗଛବୃଚ୍ଛ ପରି ନିରୀହ ଓ ସରଳ ।

Image

 

ମୟୂରଭଞ୍ଜର ଇତିବୃତ୍ତି

 

ମୟୁରଭଂଜ ରାଜବଂଶ ପ୍ରାୟ ହଜାରେ ବର୍ଷ ଧରି ରାଜତ୍ଵ କରିଥିଲେ । ପୂର୍ବରୁ ମୟୁରଭଞ୍ଜ ରାଜ୍ୟ ଵର୍ତ୍ତମାନ ମୟୁରଭଞ୍ଜ ଜିଲ୍ଲାରେ ସୀମାବଦ୍ଧ ଥିଲେ ମଧ୍ୟ ପୂର୍ବକାଳରେ ଏହାର ସୀମା ସିଂହଭୂମି, ମେଦିନୀପୁର ଯାଏ ବ୍ୟାପିଥିଲା । ମୟୁରଭଂଜର ନାମ ଦୁଇ ରାଜ ପରିବାରର ମିଶ୍ରଣରୁ ଉଦ୍‌ଭବ । ମୟୁର ରାଜବଂଶୀମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପରେ ଏହି ଦୁଇ ବଂଶୋଦ୍ଭବମାନଙ୍କୁ ନେଇ ମୟୁରଭଞ୍ଜ ରାଜବଂଶ ଗଢ଼ିଉଠିଛି । ଏହି ଜିଲ୍ଲାର ସୀମା ୪୦୨୧ ବର୍ଗ ମାଇଲ ଏବଂ ଏହାର ବର୍ତ୍ତମାନ ଲୋକସଂଖ୍ୟା ୨୦ ଲକ୍ଷରୁ ଅଧିକ । ଇତିହାସ ଅନୁସାରେ ମୟୂରଭଞ୍ଜ ରାଜବଂଶର ଖ୍ୟାତି ସହିତ ଥିଲା । ଶାହାଜାହାନଙ୍କ ସମୟରେ ମୟୂରଭଞ୍ଜର ରାଜା କୃଷ୍ଣଚନ୍ଦ୍ର ଭଞ୍ଜ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିଲେ ଏବଂ ଭଦ୍ରକଠାରୁ ମେଦିନପୁର ଯାଏ ଅଞ୍ଚଳ ତାଙ୍କ ପ୍ରତାପରେ ଥରହର ହେଉଥିଲା । ୧୬୬୦ ମସିହାରେ ଖା-ଇ-ଦୌରାନ୍‌ ଯିଏ କି ଔରଙ୍ଗଜେବଙ୍କ ସେନାଧ୍ୟକ୍ଷ ଥିଲେ ସେ କୃଷ୍ଣଚନ୍ଦ୍ରଙ୍କ ପରାସ୍ତ କରି ନିହତ କରିଥିଲେ । ସେତେବେଳକୁ କେନ୍ଦୁଝର ମୟୁରଭଞ୍ଜ ଠାରୁ ଅଲଗା ହୋଇଯାଇଥିଲା । ଆର୍ଲିବର୍ଦ୍ଦି ଖାଁ ଏବଂ ମୀର୍ଜା ବକିରଙ୍କୁ ମଧ୍ୟରେ ସଂଘର୍ଷ ବେଳେ ୧୭୪୨ ମସିହାରେ ମୟୂରଭଞ୍ଜର ରାଜା ମୀର୍ଜା ବକିରଙ୍କୁ ସାହାର୍ଯ୍ୟ କରିଥିଲେ । ଆର୍ଲିବର୍ଦ୍ଦି ଖାଁ ମୟୁରଭଞ୍ଜ ଉପରେ ଅଧିପତ୍ୟ ବିସ୍ତାର କରୁଥିଲେ ମଧ୍ୟ ୧୭୫୧ ପର୍ଯ୍ୟନ୍ତ ମୟୂରୟଭଞ୍ଜ ପ୍ରାୟ ସ୍ଵାଧୀନ ଥିଲା କହିଲେ ଚଳେ । ୧୭୫୧ ମସିହାରେ ମରାଠମାନେ ମୟୁରଭଞ୍ଜ ଅଧିକାର କରିଥିଲେ ଏବଂ ବାଲେଶ୍ଵର ନିକଟସ୍ଥ ପିପ୍‌ଲି ଏବଂ ଅନ୍ୟାନ୍ୟ ତାଲକା ମୟୂରଭଞ୍ଜ ଠାରୁ କାଢ଼ି ନିଆଯାଇଥିଲା । ସେତେବେଳେ ରାଜଘାଟ ରାଣୀସରେଇ ଏବଂ ବସ୍ତା ଇତ୍ୟାଦି ଅଞ୍ଚଳ ମୟୁରଭଞ୍ଜ ସହ ସଂପୃକ୍ତ ଥିଲା । ଏହି ଅଞ୍ଚଳକୁ ମରାଠାମାନେ ମୟୁରଭଞ୍ଜକୁ କାଢ଼ି ନେଇଥିଲେ । ୧୭୨୮ ମସିହାରେ ନୀଳଗିରି ଜମିଦାରକୁ ମୟୁରଭଞ୍ଜରୁ କାଢ଼ି ନିଆଯାଇ ସ୍ଵତନ୍ତ୍ର ରାଜ୍ୟ କରାଯାଇଥିଲା । ୧୮ଶ ଶତାବ୍ଦୀର ଶେଷ ବେଳକୁ ମୟୁରଭଞ୍ଜ ମହାରାଣୀ ସୁମିତ୍ରା ଦେବୀଙ୍କ ଦ୍ୱାରା ଶାସିତ ହେଉଥିଲା । ୧୮ଶ ମସିହାରେ ରାଣୀ ସୁମିତ୍ରା ଦେବୀ ନୟାବସାଣ ଜମିଦାରୀ ପଶ୍ଚିମବଙ୍ଗ ଅଧିଗ୍ରହଣ କରିଥିଲେ। ଇତିହାସରୁ ଜଣାପଡ଼େ ଯେ, ୧୮୦୩ ମସିହାରେ ମରାଠାମାନଙ୍କର ଶାସନ ଶେଷ ହୋଇ ଓଡ଼ିଶାର ଅନ୍ୟଭାଗ ମାନଙ୍କ ପରି ମୟୁରଭଞ୍ଜ ମଧ୍ୟ ବିଟ୍ରିଶ୍‌ ଶାସନାଧିନ ହେଲା । ଏହାପରେ ୧୮୩୦ରୁ ୧୮୩୪ ମଧ୍ୟରେ ଯଦୁନାଥ ଭଞ୍ଜଙ୍କର ରାଜତ୍ଵର ଶାସନ ବିରୋଧରେ ବାନଘାଟିର କୋହ୍ଲମାନେ ବିଦ୍ରୋହ କରିଥିଲେ ଏବଂ ବାମନଘାଟିର ଚାରୋଟି କୋହ୍ଲ ଅଧ୍ୟୁଷିତ ଅଞ୍ଚଳ କୋହ୍ଲଣ ନାମରେ ପରିଚିତ ଏବଂ ଏହା ବର୍ତ୍ତମାନ ସିଂହଭୂମି ଜିଲ୍ଲା(ବିହାର) ରେ ଅବସ୍ଥିତ । ଯଦୁନାଥ ଭଞ୍ଜଙ୍କ ସମୟରେ ଆମ ଗାଁ ଶାସନ ସ୍ଥାପିତ ହୋଇଥିବା ପ୍ରମାଣ ମିଳେ । ବୋଧହୁଏ ୧୮୨୫ ମସିହା ବେଳକୁ ପୁରୀ ଜିଲ୍ଲାର ଶ୍ରୀରାମଚନ୍ଦ୍ରପୁର ଓ ବୀର ହରେକୃଷ୍ଣପୁର ଅଞ୍ଚଳରୁ କେତେକ ବ୍ରାହ୍ମଣଙ୍କୁ ଆଣି ମୟୁରଭଞ୍ଜର ରାଜା ଯେଉଁ କେତୋଟି ଶାସନ ସ୍ଥାପନ କରିଥିଲେ, ସେଥିମଧ୍ୟରୁ ଆମ ଗାଁ ବିଜେ ଯଦୁନାଥପୁର ଶାସନ (ପରବର୍ତ୍ତୀ ନାମ ଜଗନ୍ନାଥଖୁଣ୍ଟା) ସ୍ଥାପିତ ହୋଇଥିଲା । ଏଣୁ ଆମ ଗାଁର ଇତିହାସ ଶହେ ପଞ୍ଚସ୍ତରୀ ବର୍ଷରୁ ଅଧିକ ହେବନାହିଁ ।

 

ମୟୁରଭଞ୍ଜର ଭୂଗୋଳ ସମ୍ପର୍କରେ କବି ରାଧାନାଥ ରାୟଙ୍କର ‘ଉଷା’ କାବ୍ୟରୁ ନିମ୍ନଲିଖିତ ବର୍ଣ୍ଣନା ଏଠାରେ ଉଦ୍ଧାର କରାଗଲା ।

 

ଶିଲ୍ମଲୀ ଶଇକୁ ସ୍ଥାନେ ସ୍ଥାନେ ତିନି ତଟିନୀ ଝରେ

ଲଂଘି ନାନା ବନ ଜନପଦ ମିଶେ ବଙ୍ଗ ସାଗରେ ।

 

ଉତ୍ତରେ ବଳାଙ୍ଗୀ ମଧ୍ୟେ ଗଙ୍ଗା ହାର ଶୋଣ ଦକ୍ଷିଣେ

ଜଳ ବେଣୀ ବର୍ଣ୍ଣେ କୁରଙ୍ଗୀ ନୟନା ନୀଳିମା ଜିଣେ ।

ନିତି ନଦୀଜଳ ନିଜ ପୁଣ୍ୟ ବକ୍ଷେ ବଳାଙ୍ଗି ବୋହି

 

ଯୋଜନାନ୍ତ ଯାଇ ନିଜେ ମହାସିନ୍ଧୁ- ବକ୍ଷେ ମିଶଇ ଥିଲେ ତାର ତୀରେ ନୁରୁ ନାମେ- ରାଜା ମହାପ୍ରତାପୀ ପୂଜୁଥିଲେ ଯେହୁ ନଦୀ ତୀରେ ଶ୍ୟାମା ପ୍ରତିମା ସ୍ଥାପି ହୋମଯାଗ ଆଦି ଅନୁଷ୍ଠାନେ ଦ୍ୱିଜେ ହେଲେ ଦୀକ୍ଷିତ, ବଳି ଲୋହେ ନୀଳ-ବଳାଙ୍ଗୀ-ସଲିଳ ହେଲା ଲୋହିତ ।

 

ଏଥିରୁ ଜଣାପଡ଼େ ଯେ, ସେତେବେଳେ ନରବଳି ପ୍ରଥା ପ୍ରଚଳିତ ଥିଲା । କୌଣସି ନୂତନ ଗୃହ, ପୋଲ ବା ମନ୍ଦିର ନିର୍ମାଣ ସମୟରେ ତାର ସୁରକ୍ଷା ପାଇଁ ନରବଳି ଦିଆଯାଇଥିଲା । ମୋ ପିଲାବେଳେ ଏହିପରି ନରବଳି ଦିଆଯାଉଥିବା ବିଷୟ ମୁଁ ଦଦେଇ ଏବଂ କକେଇଙ୍କଠାରୁ ଶୁଣିଛି । ମୟୂରଭଞ୍ଜ ରାଜବଂଶରେ ନରବଳୀ ପ୍ରଥା ପ୍ରଚଳିତ ଥିବାର କୋଣସି ପ୍ରମାଣ ନାହିଁ । ବରଂ ରାଣୀ ସୁମିତ୍ରା ଦେବୀଙ୍କ ସମୟରେ ହରିପୁର ଗଡ଼ ଭିତରେ ରାଧାକୃଷ୍ଣ ପୂଜା ପାଉଥିବାର ପ୍ରମାଣ ରହିଛି । ଗଡ଼ ଭିତରେ ଯେଉଁ ଦୁଇଟି ମନ୍ଦିର ଭଗ୍ନ ଅବସ୍ଥାରେ ଦେଖାଯାଏ ସେ ଦୁଇଟିରୁ ଗୋଟିକରେ ରାଧାବିନୋଦ ଆଉ ଗୋଟିକରେ ମଧ୍ୟ କୃଷ୍ଣରାଧା ପୂଜା ପାଉଥିଲେ । ଏହି ମନ୍ଦିର ନିର୍ମାଣ ବଙ୍ଗଳାର ସ୍ଥାପତ୍ୟ ଶୈଳୀ ଅନୁସରଣ କରାଯାଉଛି । ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଶୈଳୀ ସେଠାରେ ଦେଖାଯାଏ ନାହିଁ । କିନ୍ତୁ ବାରିପଦାର ବଳଦେବ ଜୀଉ ମନ୍ଦିର ବା ଶ୍ରୀଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ନିର୍ମାଣରେ ଓଡ଼ିଶାର ସ୍ଥାପତ୍ୟ ଶୈଳୀ ବ୍ୟବହୃତ ହୋଇଅଛି । ଅନେକଙ୍କର ମନରେ ଗୋଟିଏ ଧାରଣା ରହିଯାଇଛି ଯେ, ମୟୂରଭଞ୍ଜର ସଂସ୍କୃତି ବଙ୍ଗଳା ସଂସ୍କୃତି ଦ୍ଵାରା ପ୍ରଭାବିତ । କିନ୍ତୁ ଏଇ ଧାରଣା ଭୁଲ । ମହାରାଜା କୃଷ୍ଣଚନ୍ଦ୍ର ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ସମୟରେ ବହୁ ଉଚ୍ଚ ଶିକ୍ଷିତ ବଙ୍ଗୀୟ ପରିବାର କଲିକତା ଅଞ୍ଚଳରୁ ଆସି ବାରିପଦାରେ ବସବାସ କରୁଥିଲେ । ମୟୂରଭଞ୍ଜର ସଂସ୍କୃତିକୁ ସେମାନଙ୍କର ଅବଦାନ ସ୍ଵୀକାର କଲାବେଳେ ଏହା କହିରଖିବା ପ୍ରୟୋଜନ ଯେ ମୟୂରଭଞ୍ଜର ସଂସ୍କୃତିରେ ନିଷାଦ, ଆର୍ଯ୍ୟ, ଦ୍ରାବିଡ଼ ସଂସ୍କୃତର ସମ୍ମିଶ୍ରଣ ଘଟିଅଛି । କିନ୍ତୁ ମୟୂରଭଞ୍ଜର ସଂସ୍କୃତିରେ ଆଦିବାସୀ ସଂସ୍କୃତିର ଛାପ ସୁସ୍ପଷ୍ଟ । ସେଥିପାଇଁ ମୟୂରଭଞ୍ଜର ସବୁଠାରୁ ବଡ଼ ପର୍ବ ମକର ସଂକ୍ରାନ୍ତି । କୁକୁଡା ଲଢ଼େଇ ମଧ୍ୟ ଏହି ଆଦିବାସୀ ସଂସ୍କୃତିରୁ ଉଦ୍‌ଭୁତ । ଆଦିବାସୀମାନେ ଅଧିକାଂଶ ଶିବ ଓ ଦୁର୍ଗା ଭକ୍ତ ।

 

ଶ୍ରୀ ରାମଚନ୍ଦ୍ର ଭଞ୍ଜ ମୟୂରଭଞ୍ଜ ରାଜବଂଶର ସବୁଠାବୁ ଖ୍ୟାତନାମା ରାଜା । କବିବର ରାଧାନାଥ ମହାଯାତ୍ରାର ପଞ୍ଚମ ସର୍ଗରେ ଲେଖିଛନ୍ତି -

 

ଆଶାୟୀ-ଉତ୍କଳ-ଆଶା-କିଶୋର ପାଦପ ପୁଣା ରାମଚନ୍ଦ୍ର ଭଞ୍ଜ କଞ୍ଜରବି । ଭଞ୍ଜକୁଳ- ଧ୍ଵଜ- କୃଷ୍ଣଚନ୍ଦ୍ର-ଜ୍ୟେଷ୍ଠାତ୍ମଜ । ଶୁଣିଲି ମୁଁ ବହୁମୁଖୀ ଜନଶ୍ରୁତି ମୁଖେ । ନବରେ ତୁମ୍ଭର କଳି ପଶନ୍ତେ ପ୍ରଥମେ । ଅବିରତ ଦାନବାରି- ପିଚ୍ଛଳ ପ୍ରାଙ୍ଗଣେ ।

 

ମୟୂରଭଞ୍ଜର ଅଧିକାଂଶ ଅଞ୍ଚଳ ଜଙ୍ଗଲ ପରିପୂର୍ଣ୍ଣ । ଶିମିଳିପାଳ ଆମ ଗାଁର ଅନତି ଦୂରରେ ଅବସ୍ଥିତ । ମୟୂରଭଞ୍ଜ ଜଙ୍ଗଲରେ ଶାଳ ପ୍ରଧାନ ଗଛ ହେଲେ ମଧ୍ୟ, ପିଆଶାଳ, ମହୁଲ, ଅସନ, ଚମ୍ପା, କେନ୍ଦୁ, ଆମ୍ବ ପଣସ, ଚାର, ଗମ୍ଭାରୀ, ନିମ ଜାତିର ଗଛ ବହୁ ସଂଖ୍ୟାରେ ଦେଖାଯାଏ-। ଶିମିଳିପାଳ ଅରଣ୍ୟ ହାତୀ ପାଇଁ ପ୍ରସିଦ୍ଧ । କିନ୍ତୁ ଏଠାରେ ଅନ୍ୟାନ୍ୟ ପଶୁପକ୍ଷୀ ଯଥା - ବାଇସନ୍‌, ସମ୍ବର, ଚିତାହରିଣୀ, ସିଂଗ ହରିଣୀ, ବାର୍‌ହା ବାଘ, ଅଜଗର ଇତ୍ୟାଦି ବହୁ ସଂଖ୍ୟାରେ ଦେଖିବାକୁ ମିଳେ । ଶିମିଳିପାଳକୁ ଜାତୀୟ ଉଦ୍ୟାନର ଆଖ୍ୟା ଦିଆହୋଇଛି । ଏହା ୧୧୦୦ ବର୍ଗ ମାଇଲ ପରିମିତ ଅଞ୍ଚଳରେ ଅବସ୍ଥିତ । କିନ୍ତୁ ଦୁର୍ଭାଗ୍ୟର କଥା ଯେ, ଶିମିଳିପାଳକୁ ଦେଶର ଏକ ଜୈବମଣ୍ଡଳ ବା ବାୟୋସ୍ପିୟର ଅଞ୍ଚଳ ବୋଲି ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ-। ଏଠାରେ ଶତାଧିକ ପ୍ରକାର ଦୁର୍ଲଭ Orchids ଜାତୀୟ ଗୁଳ୍ମ ଦେଖିବାକୁ ମିଳେ । ରାଜବାଟୀରୁ ମିଳୁଥିବା ତଥ୍ୟରୁ ଜଣାପଡୁଛି ଯେ, ହାତୀଧରା ବା ଖେଦା ବଡ଼ ଆକର୍ଷଣୀୟ ଥିଲା । ୧୮୭୦-୭୧ରେ ୨୦୦ ହାତୀ ଧରା ହୋଇଥିଲେ । ତାହା ୧୯୧୦ ବେଳକୁ ୪୦ କୁ କମି ଆସିଥିଲା । ୧୯୩୧-୩୨ରେ ହୋଇଥିବା ଖେଦା ଦେଖିବା ପାଇଁ ବିକାନିରର ମହାରାଜା ଏବଂ ପୁରୀ ଓ ନୀଳଗିରିର ରାଜା ଆସିଥିଲେ । ୧୯୩୩- ୩୪ରେ ୨୦ଟି ହାତୀ ଧରା ହୋଇଥିଲେ । ଏଥିପାଇଁ ୧୨ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ଏହା ଦେଖିବାପାଇଁ ଜୟପୁର ଏବଂ ପାନ୍ନାର ମହାରାଜାମାନେ ଆସିଥିଲେ । ୧୯୩୩-୩୮ ଖେଦାରେ ୧୫ଟି ହାତୀକୁ ଧରିବା ପାଇଁ ୨୦୫୦୦ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ପରେ ଆଉ ହାତୀ ଧରାର ବିବରଣୀ ରଖାଯାଇ ନାହିଁ-। କିନ୍ତୁ ଏବେ ମଧ୍ୟ ଶିମିଳିପାଳ ଅରଣ୍ୟରେ ଶତାଧିକ ହାତୀ ନିର୍ଭୟରେ ବାସ କରୁଛନ୍ତି ।

 

ଆମ ଗାଁରୁ ଚାହିଁଲେ ଶିମିଳିପାଳର ପୂର୍ବଦିଗ ଦେଖାଯାଏ । ଠିକାଦାରମାନେ ନିର୍ଦ୍ଦୟଭାବେ କାଠ କାଟି ନେଉଥିବାରୁ ଅରଣ୍ୟ ପ୍ରାୟ ସଫା ହୋଇ ଆସିଲାଣି। ମୟୂରଭଞ୍ଜ କେବଳ ଓଡ଼ିଶାର ସମ୍ପଦ ନୁହେଁ, ଏହା ଦେଶର ଅମୂଲ୍ୟ ସମ୍ପଦ । ଏହାର ସୁରକ୍ଷା ଉପରେ ଆଦିବାସୀମାନଙ୍କର ସଂସ୍କୃତି ଓ ପରିଚୟ ନିର୍ଭର କରେ ।

Image

 

ବାରିପଦାର ବିଭବ

 

ଭାରତ ସ୍ଵାଧୀନ ହେଲା ୧୯୪୭ ଅଗଷ୍ଟ ପନ୍ଦର ଦିନ । ସେହିଦିନ ଭାରତର ସ୍ଵାଧୀନତା ସହିତ ଦେଶୀୟ ରାଜ୍ୟ ସମୂହ ମଧ୍ୟ ନିଜର ସାର୍ବଭୌମତ୍ଵ ଫେରିପାଇ ସ୍ୱାଧୀନ ରାଜ୍ୟ ହେଲେ । ମୟୂରଭଂଜ ମଧ୍ୟ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ସ୍ୱାଧୀନ ହେଲା । ଅନ୍ୟାନ୍ୟଗଡ଼ଜାତ ରାଜ୍ୟ ଓଡ଼ିଶାରେ ମିଶି ଗଲେ, ୧୯୪୮ ଜାନୁୟାରୀ ପହିଲା ଦିନ କିନ୍ତୁ ମୟୂରଭଂଜ ଅଲଗା ରହିଗଲା । ମୟୂରଭଂଜ ମହାରାଜା ୧୯୪୭ ଡିସେମ୍ବର ନଅ ତାରିଖ ଦିନ ମୟୂରଭଂଜ ରାଜ୍ୟ ବିଧାନସଭା ଗଠନ କରି ନିଜ ହାତରେ ଥିବା ଅନେକ କ୍ଷମତା ଲୋକପ୍ରିୟ ପ୍ରତିନିଧିମାନଙ୍କ ହାତକୁ ହସ୍ତାନ୍ତର କରିଦେଲେ। ଫଳରେ ଅନ୍ୟ ସବୁ ଗତଜାତ ରାଜ୍ୟ ଓଡ଼ିଶା ସହିତ ମିଶିଗଲେ ମଧ୍ୟ ମୟୂରଭଞ୍ଜ ମିଶିଲା ନାହିଁ । ସର୍ଦ୍ଦାର ପଟେଲଙ୍କ ଆଲୋଚନା ବେଳେ ମହାରାଜା କହିଲେ ଯେ ତାଙ୍କ ରାଜ୍ୟରେ ଲୋକପ୍ରତିନିଧି ଶାସନ ଚାଲୁଥିବାରୁ ମିଶ୍ରଣ ବିଷୟରେ ସେ ନିଷ୍ପତ୍ତି ନେଇପାରିବେ ନାହିଁ ଏବଂ ମନ୍ତ୍ରୀମଣ୍ଡଳ ଓ ପ୍ରତିନିଧିମାନଙ୍କ ସହିତ ପରାମର୍ଶ କରି ଯାହା କରାଯିବ-। ସେତେବେଳେ ମୟୂଭଂଜ ପ୍ରଜାମଣ୍ଡଳର ପ୍ରଧାନ କର୍ଣ୍ଣଧାର ଥିଲେ ସ୍ଵର୍ଗୀୟ ଶରତଚନ୍ଦ୍ର ଦାସ । ମୋ ବାପାଙ୍କ ସହିତ ତାଙ୍କର ଅତି ଘନିଷ୍ଠ ସମ୍ପର୍କ ଥିଲା, ଏବଂ ଅନେକ କାର୍ଯ୍ୟ କରିବା ପୂର୍ବରୁ ବାପା ତାଙ୍କ ସହିତ ପରାମର୍ଶ କରୁଥିଲେ । ଶରତ ବାବୁ ହେଲେ ସ୍ୱାଧୀନ ମୟୂଭଂଜର ପ୍ରଥମ ଓ ଶେଷ ପ୍ରଧାନମନ୍ତ୍ରୀ । ସେତେବେଳେ ଓଡ଼ିଶାର ଅନ୍ୟାନ୍ୟ ଗଡ଼ଜାତ ରାଜ୍ୟରେ ଲୋକପ୍ରତିନିଧି ଶାସନ ନଥିଲା, ତେଣୁ ସର୍ଦ୍ଦାର ପଟେଲଙ୍କ କଥାମାନି ରାଜାମାନେ ଓଡ଼ିଶା ସହିତ ମିଶିବା ପାଇଁ ଡିସେମ୍ବର ଚଉଦ ତାରିଖ ଦିନ ରାଜି ହୋଇଗଲେ ଏବଂ ତା’ପରେ ଓଡ଼ିଶା ସହିତ ମିଶ୍ରଣ ହେଲା । ସେତେବେଳେ ଆମ ଘରର ଯଜମାନ ଜଣେ ପ୍ରସିଦ୍ଧ କବିରାଜ ଶ୍ରୀହରି ପାଣି ମୟୂରଭଂଜ ବିଧାନସଭାର ସଭ୍ୟ ଥିଲେ । ସେ ମୋ ବାପାଙ୍କର ହିତୈଷୀ ଓ ଘନିଷ୍ଠ ବଂଧୁ ଥିଲେ । ତେଣୁ ବାପାଙ୍କର ମୟୂରଭଂଜର ଲୋକପ୍ରିୟ ପ୍ରତିନିଧିମାନଙ୍କ ସହିତ ସଂପର୍କ ଆହୁରି ଦୃଢ଼ ହେଲା । ମୟୂରଭଂଜ ମହାରାଜା ସ୍ଵର୍ଗୀୟ ପ୍ରତାପ ଚନ୍ଦ୍ର ଭଂଜଦେଓ ବାପାଙ୍କୁ ୧୯୩୬ ମସିହାରେ ଗୋପୀବଲ୍ଲଭପୁର ନୂଆବସାଣ ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ ନିଯୁକ୍ତି ଦେଇଥିଲେ । ମହାରାଜା, ତାଙ୍କ କକେଇ ସ୍ୱର୍ଗୀୟ ଶ୍ରୀ ଦାମ ଭଂଜ (ରାଉତରାୟ ସାହେବ) ବାପାଙ୍କୁ ଶ୍ରଦ୍ଧା କରୁଥିଲେ । ତେଣୁ ମୟୂରଭଂଜ ସ୍ଵାଧୀନ ରାଜ୍ୟ ହୋଇଯିବାରୁ ବାପା ନୂଆବସାଣ ହାଇସ୍କୁଲରୁ ବଦଳି ହୋଇ ବାରିପଦା ଚାଲି ଆସିଲେ ।

 

ବାରିପଦାର ମହାରାଜା କୃଷ୍ଣଚନ୍ଦ୍ର ହାଇସ୍କୁଲରେ ବାପା ଯୋଗଦେବା ପରେ ଆମେ ବାରିପଦାକୁ ଉଠି ଆସିଲୁ । ଗୋପୀବଲ୍ଲଭପୁର ଅପେକ୍ଷା ବାରିପଦା ବଡ଼ ଜାଗା । ମହାରାଣୀ ପ୍ରେମକୁମାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ମୁଁ ନାମ ଲେଖାଇଲି, କିନ୍ତୁ ଗୋପୀବଲ୍ଲଭପୁର ନୂଆବସାଣର ସଚେତନତା ସେତେବେଳେ ନଥିଲା ବାରିପଦାରେ । ଏକେତ ଦେଶୀୟ ରାଜ୍ୟ, ପୁଣି ଲୋକମାନେ ସୁଖଶାନ୍ତିରେ ଚଳୁଥିବାରୁ ରାଜା ବିରୋଧୀ ଆନ୍ଦୋଳନ ମଧ୍ୟ ନଥିଲା । କିନ୍ତୁ ମୟୂରଭଂଜ ବେଶୀ ଦିନ ସ୍ଵାଧୀନ ରାଜ୍ୟ ଭାବେ ରହି ପାରିଲା ନାହିଁ । ମୟୂରଭଂଜକୁ ଓଡ଼ିଶାରେ ମିଶାଇ ଦେବାପାଇଁ ଆନ୍ଦୋଳନ ଆରମ୍ଭ ହୋଇଯାଇଥାଏ ଠିକ୍‌ ଅଲଗା ରହିବା ଦିନ ଠାରୁ। କାଲିପରି ମନେ ପଡୁଛି ସବୁ । ଅଳ୍ପ ବୟସରେ ମୋର ବାହାଘର ହୋଇଯାଇଥିଲା ବୋଲି ମୁଁ ବାପା ମା ସହିତ ରହୁଥିଲି ଓ ପାଠ ପଢୁଥିଲି । ସେତେବେଳେ ଛାତ୍ର ଆନ୍ଦୋଳନ ନୂଆକରି ଚାଲୁଥାଏ । ଗୋଟିଏ ଛୋଟ ଗୋଷ୍ଠୀ ମୟୂରଭଂଜ ମିଶ୍ରଣର ବିରୋଧରେ ଥିଲେ । କିନ୍ତୁ ମୋତେ ଭାରି ଖୁସି ଲାଗୁଥାଏ ଯେ ସାତକଡି ବାବୁ ଓଡ଼ିଶା ସହିତ ମିଶ୍ରଣ ସପକ୍ଷବାଦୀ ଛାତ୍ର କଂଗ୍ରେସର ସଭାପତି ଥାଆନ୍ତି ସେତେବେଳେ । ସେ ପ୍ରତି ସ୍କୁଲକୁ ଯାଇ ଛାତ୍ରମାନଙ୍କୁ ମତାଉଥାନ୍ତି ମିଶ୍ରଣ ସପକ୍ଷରେ । ମିଶ୍ରଣ ସପକ୍ଷରେ ସେ ଆନ୍ଦୋଳନ କରୁଥିବାରୁ ପ୍ରଧାନମନ୍ତ୍ରୀ ଶରତ ଦାସ ଅସନ୍ତୁଷ୍ଟ ଥିଲେ ଏବଂ ବାପାଙ୍କୁ ଡାକି ଜ୍ଵାଇଁଙ୍କୁ ସେହି କାର୍ଯ୍ୟରୁ ନିବର୍ତ୍ତାଇବା ପାଇଁ କହୁଥିଲେ। କିନ୍ଥି ବାପାଙ୍କର ତ ମେଦିନୀପୁର ଜିଲ୍ଲାରେ ଗୋପୀବଲ୍ଲଭପୁରରେ ଥିବାବେଳୁ ସ୍ୱାଧୀନତା ସଂଗ୍ରାମୀ ଓ ବିପ୍ଲବୀମାନଙ୍କ ସହିତ ସଂପର୍କ ଥିଲା, ତେଣୁ ସେ ପ୍ରଧାନମନ୍ତ୍ରୀଙ୍କ ଠାରୁ ସବୁ ଶୁଣି ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଉଥିଲେ ସିନା ତାଙ୍କ ଜ୍ଵାଇଁଙ୍କୁ ଦିନେହେଲେ ଛାତ୍ର ଆନ୍ଦୋଳନରୁ ନିବୃତ୍ତ ରହିବା ପାଇଁ କହି ନ ଥିଲେ । କିନ୍ତୁ ସାତକଡ଼଼ି ବାବୁଙ୍କ ପଛେ ପଛେ ଗୁଇନ୍ଦା ପୋଲିସ ବୁଲୁଥିବା ସମ୍ବାଦ ସେ ପାଉଥିଲେ । ଏ ସବୁ ଶୁଣି ମୋର ଭୟ ବି ହେଉଥିଲା ଆଉ ଖୁସି ବି ଲାଗୁଥିଲା ଯେ ସେ ଜଣେ ଛାତ୍ରନେତା ଭାବେ ଯାହା ଉଚିତ ତାହା କରୁଛନ୍ତି ।

 

ମିଶ୍ରଣ ସପକ୍ଷରେ ଥରେ ବାରିପଦାର ହାଇସ୍କୁଲ ପଡ଼ିଆରେ ଗୋଟିଏ ବିରାଟ ସଭା ହେଲା । ସେଇ ସଭାରେ ମିଶ୍ରଣ ସପକ୍ଷରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରଫୁଲ ଘୋଷ ଓ ଅନ୍ୟ ନେତାମାନେ ଭାଷଣ ଦେଇଥିଲେ । ମିଶ୍ରଣ ବିରୋଧରେ ଆଦିବାସୀମାନଙ୍କୁ ମତାଉଥିଲେ ସୁନାରାମ ସୋରେନ । ପରେ ସେ ଓଡ଼ିଶାର ମନ୍ତ୍ରୀ ହୋଇଥିଲେ ବେଶୀ ଭାଗ ଛାତ୍ରଛାତ୍ରୀମାନେ ମିଶ୍ରଣ ସପକ୍ଷ ଆନ୍ଦୋଳନରେ ଯୋଗ ଦେଉଥିଲେ । ଶେଷରେ ମୟୂରଭଂଜ ଭଳି ଗୋଟିଏ ଛୋଟ ରାଜ୍ୟ ଓଡ଼ିଶା ଠାରୁ ଅଲଗା ରହିବା ସମ୍ଭବ ନୁହେଁ ଜାଣି ୧୯୪୮ ମସିହା ଅକ୍ଟୋବର ସତର ତାରିଖ ଦିନ ମୟୂରଭଂଜ ମିଶ୍ରଣ ପାଇଁ ରାଜା ମିଶ୍ରଣ ଚୁକ୍ତିରେ ସ୍ଵାକ୍ଷର କଲେ । ଏହାପରେ ୧୯୪୮ ନଭେମ୍ବର ନଅ ତାରିଖ ଠାରୁ ମୟୂରଭଂଜ ଭାରତ ସରକାରଙ୍କ ଜଣେ ଚିଫ୍‌ କମିଶନରଙ୍କ ଶାସନାଧିନରେ ରହିଲା ଏବଂ ଶେଷରେ ୧୯୪୯ ମସିହା ଜାନୁଆରୀ ପହିଲା ଦିନ ଓଡ଼ିଶା ସହିତ ମିଶିଗଲା । ସେହିଠାରୁ ପ୍ରାୟ ହଜାର ବର୍ଷର ଭଂଜବଂଶୀୟ ରାଜତ୍ଵର ଅବସାନ ଘଟିଲା ।

 

କିନ୍ତୁ ମହାରାଜାଙ୍କ ଶାସନ କାଳରେ ବାରିପଦା ବହୁ ମର୍ଯ୍ୟାଦାର ଅଧିକାରୀ ଥିଲା । ସହରଟି ଛୋଟ ହେଲେ ମଧ୍ୟ ଅତି ପରିଷ୍କାର ପରିଚ୍ଛନ୍ନ ଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭଲ ଶୃଙ୍ଖଳା ଥିଲା ଏବଂ ଭଲ ପାଠପଢ଼ା ହେଉଥିବାରୁ ପରୀକ୍ଷାରେ ମଧ୍ୟ ଭଲ ଫଳ କରୁଥିଲେ । ମୁଁ ବାରିପଦା ଆସିବା ପରେ ମହାରାଜା ପ୍ରତାପଚନ୍ଦ୍ରଙ୍କ ନାମରେ ରାଜପ୍ରାସାଦରେ ଏମ୍‌.ପି.ସି କଲେଜ ଆରମ୍ଭ ହେଲା । ମୟୂରଭଂଜ ଭାରତ ସରକାରଙ୍କ ଅଧୀନରେ ଥିବାବେଳେ ଚିଫ୍‌ କମିଶନର ଥିଲେ ରେଗି ସାହେବ । ମୟୂରଭଂଜରେ ଚାକିରି କରୁଥିବା କର୍ମଚାରୀ, ସେଠାରେ ଚାଲୁଥିବା କେତେକ ଅନୁଷ୍ଠାନ ଇତ୍ୟାଦିଙ୍କ ସ୍ଵତନ୍ତ୍ର ସ୍ଵାର୍ଥରକ୍ଷା କରିବା ସକାଶେ ମିଶ୍ରଣ ଚୁକ୍ତିରେ ବ୍ୟବସ୍ଥା ଥିଲା । ସେତେବେଳେ ରାଣୀବାଗ ଥିଲା ପିଲାମାନଙ୍କର ପ୍ରଧାନ ଆକର୍ଷଣ । ବୁଢା ବଳଙ୍ଗ ନଦୀ କୂଳରେ ମଧୁବନ ଠାରେ କୋଡ଼ିଏ ଏକର ଜମି ଉପରେ ଥିଲା ଏହି ସୁନ୍ଦର ବଗିଚା ।

 

ନାନା ପ୍ରକାର ପଶୁପକ୍ଷୀ ଛଡ଼ା ଗୋଟିଏ ଖେଳଣା ରେଳଗାଡ଼ି (ଛୋଟ ରେଳଗାଡ଼ି) ଥିଲା । ଡବା ସହିତ ଇଂଜିନ୍‌ ଲାଗିଥିଲା ଏବଂ ଗୋଟିଏ ପାଖରୁ ଆଉ ଗୋଟିଏ ପାଖକୁ ଯାଉଥିଲା-। ବଗିଚାରେ ବଡ଼ ବଡ଼ ଗୋଲାପ ଓ ବହୁ ପ୍ରକାର ଫୁଲଗଛ ଥିଲା ଏବଂ ବାଡ଼ ଓ ଗଛ ସବୁ ସୁନ୍ଦର ଡ଼ିଜାଇନ କରି କଟା ଯାଉଥିଲା । କିନ୍ତୁ ରାଣୀବାଗରେ ବାଘ ନଥିଲେ । ତିନି-ଚାରୋଟି ବାଘ ରହୁଥିଲେ ଭଂଜପୁରଠାରେ ଥିବା ବାଘ ଘରେ । ରାଣୀବାଗ ଆଉ ନାହିଁ କି ବାଘଘର ମଧ୍ୟ ନାହିଁ । ଓଡ଼ିଶାରେ ମିଶିଯିବା ପରେ ସେଇ ଦୁଇଟି ସୁନ୍ଦର ଦର୍ଶନୀୟ ସ୍ଥାନ ରକ୍ଷା କରାଯାଇ ପାରିଲା ନାହିଁ । ଆଉ ଗୋଟିଏ ଭଲ ସ୍ଥାନ ଏବର ଜୁବୁଲି ଲାଇବ୍ରେରି । ଆମେ ଲାଇବ୍ରେରି ପଡ଼ିଆରେ ଖେଳାଖେଳି କରୁଥିଲୁ ଏବଂ ବୟସ୍କମାନେ ଲାଇବ୍ରେରିରେ ବହି ଓ ପତ୍ର ପତ୍ରିକା ପଢ଼ୁଥିଲେ । ଲାଇବ୍ରେରିରେ ଅନେକ ଦୁର୍ଲଭ ପୁସ୍ତକ ଥିଲା । କିନ୍ତୁ କାଳକ୍ରମେ ସେ ସବୁ ଚୋରି ହୋଲଗଲା । ଏବେ ଜୁବୁଲି ଲାଇବ୍ରେରି ଅଛି, କିନ୍ତୁ ଅନେକ ଦୁର୍ଲଭ ପୁସ୍ତକ ଆଉ ସେଠାରେ ନାହିଁ କି ଏହାର ପୂର୍ବ ଆକର୍ଷଣ ମଧ୍ୟ ନାହିଁ । ସେତେବେଳେ ପୋଲିସ ଲାଇନ ପଡ଼ିଆରେ ପ୍ରତିବର୍ଷ ଫୁଟବଲ ମ୍ୟାଚ ହେଉଥିଲା ଏବଂ କଲିକତା ଓ କଟକରୁ ଅନେକ ବଛା ବଛା ଦଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାପାଇଁ ଆସୁଥିଲେ । କଲିକତାର ବି.ଏନ୍‌.ଆର୍‌. ଜର୍ଜ ଟେଲିଗ୍ରାଫ, ମୋହନ ବାଗାନ, ଇଷ୍ଟବେଙ୍ଗଲ ଦଳ, କଟକ ଗଭର୍ଣ୍ଣମେଣ୍ଟ ପ୍ରେସ୍‌ଦଳ ବେଶ୍‌ ଖ୍ୟାତି ଅର୍ଜିଥିଲେ । ଫୁଟବଲ ଖେଳର ସେଇ ଉଦ୍ଦାମ ଆକର୍ଷଣ ମଧ୍ୟ ଆଜି ଆଉ ନାହିଁ । ଆହୁରି ସେ ସମୟରେ ସାଂସ୍କୃତିକ ସଚେତନ ବାରିପଦା ଆଜି ଆଉ ନାହିଁ । ଦଶହରା ଦିନ ଲାଖବିନ୍ଧା ଅଛି, କିନ୍ତୁ ପୂର୍ବର ଉତ୍ସାହ ନାହିଁ । ଛଉନାଚ ଦେଖିବା ପାଇଁ ରାଜ ମହାରାଜାମାନେ ଅନ୍ୟ ରାଜ୍ୟରୁ ଆସୁଥିଲେ । ମୁଁ ବାପାଙ୍କ ସହିତ ଛଉନାଚ ଦେଖବାକୁ ଯାଉଥିଲି । ମହାରାଜାଙ୍କ ଦକ୍ଷିଣସାହି ଦଳ ଓ ମହାରାଣୀଙ୍କ ଉତ୍ତରସାହି ଦଳ ମଧ୍ୟରେ ପ୍ରତିଯୋଗିତା ହେଉଥିଲା । ଛଉନାଟର ବାଜା ବହୁଦୂର ପର୍ଯ୍ୟନ୍ତ ଶୁଣାଯାଉଥିଲା । ସେହି ବୀରବାଦ୍ୟ ଶୁଣିବା ପରେ ମନ ଅଥୟ ହେଉଥିଲା ଯିବା ପାଇଁ । ରାଜବାଟୀ ପ୍ରାଙ୍ଗଣରେ ଏହି ନାଚ ହେଉଥିଲା । ଏବେବି ଛଉନାଚ ହୁଏ । କିନ୍ତୁ ପୂର୍ବର ସେ କଳା କୌଶଳ ଓ ଉତ୍ସାହ ଅନେକ ମଳିନ ପଡ଼ିଯାଇଛି । ଆହୁରି ମଧ୍ୟେ ମଧ୍ୟେ ଥିଏଟର ହେଉଥିଲା । ସେଥିରେ ପ୍ରଧାନ ଭୂମିକାରେ ନାମଜାଦା ଅଫିସରମାନେ ଅଭିନୟ କରୁଥିଲେ । ପୋଲିସ୍‌ ସୁପରିଣ୍ଟେଣ୍ଡେଣ୍ଟ ରାମଚନ୍ଦ୍ର ଦାସ, ବ୍ୟାଙ୍କ ମ୍ୟାନେଜର ସୁରେଶ ମିଶ୍ର, ପ୍ରଭୃତି ଚିତ୍ତାକର୍ଷକ ଅଭିନୟ କରୁଥିଲେ । ପାଲା, ଦାସକାଠିଆ ଓ ଯାତ୍ରା ଦଳ କଟକ ଓ ଗଂଜାମ ଅଂଚଳରୁ ଆସୁଥିଲେ ଏବଂ ଯାତ୍ରା ଦେଖିବା ଓ ପାଲା ଶୁଣିବା ପାଇଁ ପ୍ରବଳ ଭିଡ଼ ହେଉଥିଲା । ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍‌ମଧ୍ୟ ପ୍ରତିବର୍ଷ ଫଗୁଣ ମାସ ବେଳକୁ ଆସି ନାଟକ ଅଭିନୟ କରୁଥିଲେ ।

 

ବାରିପଦାରେ ମୁଖ୍ୟ ବଜାର ଗୁଜୁରି ବଜାର ନାମରେ ପରିଚିତ ଥିଲା । ଗୁଜୁରାଟୀ, ମାରୁଓ୍ୱାଡ଼ି ବ୍ୟବସାୟୀମାନଙ୍କ ସଂଖ୍ୟାଥିଲା ବେଶୀ ଏବଂ ସେମାନେ ପ୍ରଥମରୁ ସେଠାରେ ଗଦି ଆଣ୍ଟି ବସିଥିଲେ ବୋଲି ନାମ ରହିଗଲା ଗୁଜୁରି ବଜାର । ସେହିଭଳି ମହାରାଜାଙ୍କ ସାନଭାଇଙ୍କୁ ଲାଲ ସାହେଵ କୁହାଯାଉଥିଲା ବୋଲି ତାଙ୍କ ନାମ ଅନୁସାରେ ଜୁବୁଲି ଲାଇବ୍ରେରି ଅଂଚଳକୁ ଲାଲ ବଜାର କୁହାଯାଏ । ମୁଁ ବାରିପଦାରେ ପାଠ ପଢିଛି ।

 

କୈଶୋର ଓ ଯୌବନର ଅନେକ ସମୟ ଅତିବାହିତ କରିଛି । ସେଠାରେ ମୋ ଝିଅ ପୁଅମାନେ ମଧ୍ୟ ପଢ଼ିଛନ୍ତି । ବାରିପଦା ପ୍ରତି ମୋର ଆକର୍ଷଣ ସେଥିପାଇଁ ଅଧିକ ଆଜି ବାରିପଦାର ସେଇ ଅଭୁଲା ଅନ୍ତରଂଗତା ଆଉ ନାହିଁ । ସହର ପୂର୍ବରେ ତକତପୁର ପର୍ଯ୍ୟନ୍ତ ପଶ୍ଚିମରେ ବଳଙ୍ଗ ପର୍ଯ୍ୟନ୍ତ ଏବଂ ଉତ୍ତରରେ ତେନ୍ତୁଳିଡ଼ିଙ୍ଗା ପର୍ଯ୍ୟନ୍ତ ପ୍ରସାରତ । ଲୋକସଂଖ୍ୟା ଲକ୍ଷେ ପାଖାପାଖି । କିନ୍ତୁ ସେଦିନର ଶ୍ରୀ ଆଉ ନାହିଁ । ସବୁଠାରୁ ଵେଶୀ ଅବନତି ଘଟିଛି ସହରର ସୌନ୍ଦର୍ଯ୍ୟ ଓ ପରିଷ୍କାର ପରିଚ୍ଛନ୍ନତାରେ, ସାଂସ୍କୃତିକ ଜୀବନ ଧାରାରେ ଏବଂ ସ୍ଵାସ୍ଥ୍ୟ ସେବାରେ । ବାରିପଦା ଡାକ୍ତରଖାନାର ଆହୁରି ସଂପ୍ରସାରିତ ହୋଇଛି କିନ୍ତୁ ପୂର୍ବ ଖ୍ୟାତି ଆଉ ନାହିଁ ।

 

ହଜିଲା ଦିନର ସ୍ମୃତି କିନ୍ତୁ ମନେଅଛି ସବୁ ।

Image

 

ରେଲବାଇର ଆହ୍ନାନ

 

ସାତକଡ଼ିବାବୁ ରେଳବାଇରେ ଚାକିରି ପାଇବା ଶୁଣି ମୁଁ ଖୁସି ହେଲି । ବିନା ଭଡ଼ାରେ ରେଳବାଇ ଅଫିସରମାନଙ୍କୁ ଭାରତବର୍ଷର ଯେ କୌଣସି ସ୍ଥାନରୁ, ଯେକୌଣସି ସ୍ଥାନ ପର୍ଯ୍ୟନ୍ତ ଯିବା ଆସିବା କରିବା ପାଇଁ ଫ୍ରି ପାସ୍‌ମିଳେ । ଥରେ ନୁହେଁ ଛଅ ଥର । ତା ଛଡ଼ା ବୁଲିବା ପାଇଁ ଅନ୍ୟାନ୍ୟ ସୁବିଧା ମଧ୍ୟ ଅଛି । ସେ କଟକରେ ରହି ବାଣିଜ୍ୟକର ବିଭାଗରେ ପ୍ରାୟ ଦେଢ଼ବର୍ଷ ଚାକିରି କରିଥିଲେ । ଆମେ ରେଭେନ୍ସା କଲେଜ ନିକଟ ବରଫକଳ ପାଖରେ ଗୋଟିଏ ଛୋଟ ଘରେ ରହୁଥିଲୁ । କଟକ ସହର କଲିକତାଠାରୁ ଆହୁରି ପୁରୁଣା ବୋଲି ଶୁଣିଛି । କଟକ ସହରର ନିଜସ୍ଵ ଆକର୍ଷଣ ମଧ୍ୟ ଅଛି । କଥାରେ କହନ୍ତି କଟକ ନଗର, ଧବଳ ଟଗର । ନୟାବସାଣ ଗୋପୀବଲ୍ଲଭରୁ ବାରିପଦା, ସେଠାରୁ କଟକ ଏବଂ ତା'ପରେ କଲିକତା । ବାରିପଦାରୁ ରୁପ୍‌ସା ଦେଇ ରେଳଯୋଗେ କଲିକତା ଯିବା ସହଜ । ଟ୍ରେନିଂରେ ଥିବାବେଳେ ଅଫିସରମାନଙ୍କୁ କ୍ୱାର୍ଟର୍ସ ମିଳେନାହିଁ । ସେଥିପାଇଁ ସାତକଡ଼ି ବାବୁ ମିର୍ଜାପୁର ଷ୍ଟ୍ରିଟ୍‌ରେ ଅବସ୍ଥିତ ଆଇଡ଼ିଏଲ ହୋମ୍‌ ହୋଟେଲରେ ରହୁଥିଲେ । ମୁଁ ମଧ୍ୟ ସେଠାରେ ଯାଇ ପହଞ୍ଚିଲି । ସେତେବେଳକୁ ମୋ ସାଙ୍ଗରେ ଥାଏ ମୋର ବଡ଼ ଝିଅ ସୌମ୍ୟା । ଚାରି ପାଞ୍ଚମାସର ହୋଇଥାଏ ସେ । ହୋଟେଲର ଗୋଟିଏ କୋଠରୀ ଭିତରେ ଆବଦ୍ଧ ହୋଇ ରହିବା ପାଇଁ ଇଚ୍ଛା ହେଉନଥାଏ । କିନ୍ତୁ ତାହା ହିଁ ନିୟତି ଭାବି ସେଇଠି ରହିଲି । ହୋଟେଲ ଖାଇବା ସବୁଦିନ ଏକାପରି । ବଙ୍ଗାଳୀ ହୋଟେଲ । ସେଥିପାଇଁ ସକାଳେ ଟିକେ ସୁଜି ଓ ଦୁଇ ଚାରିଖଣ୍ଡ ଲୁଚି । ମଧ୍ୟାହ୍ନ ଓ ରାତ୍ରୀ ଭୋଜନବେଳେ ଭାତ, ଡ଼ାଲି, ସୁକ୍ତ, ଚଟଣି, ଆଉ ମାଛ ତରକାରୀ । ମଝିରେ ମଝିରେ ଇଲିଶ ମାଛ । ମୁଁ ମାଛପ୍ରିୟ ନୁହେଁ । ତେଣୁ ଅସୁବିଧା ହେଉଥାଏ ମୋତେ । ତଥାପି କଲିକତାରେ ଥିବାରୁ ମନରେ ଟିକେ ଗର୍ବ ବି ହେଉଥାଏ । ଏଇ କଲିକତା ସମ୍ବନ୍ଧରେ ପରୀ ରାଇଜର. କାହାଣୀ ପରି କେତେ କଥା ଶୁଣିଛି ମା ବାପାଙ୍କ ଠାରୁ, ଶିକ୍ଷକମାନଙ୍କ ଠାରୁ । ଗୋପୀବଲ୍ଲଭପୁରରେ ଥିବାବେଳେ ମୋର ଶିକ୍ଷକ ଶାନ୍ତିବାବୁ କହୁଥିଲେ ଯେ କଲିକତା ବିପ୍ଳବର ସହର । ବ୍ରିଟିଶ ସରକାରର ରାଜଧାନୀ ଥିଲା କଲିକତା ସହର ୧୯୧୨ ପର୍ଯ୍ୟନ୍ତ । ତା’ପରେ ଉଠିଗଲା ଦିଲ୍ଲୀ ।

 

କଲିକତା ସହର ନାମ ଅନୁସାରେ ଷ୍ଟେସନର ନାମ ନାହିଁ । କଲିକତା ଆସୁଥିବା ଯାତ୍ରୀମାନଙ୍କୁ ହାଓ୍ୱଡ଼ା ବା ସିଆଲଦା ଷ୍ଟେସନରେ ଓହ୍ଲାଇବାକୁ ହୁଏ । ହାୱଡ଼ା ଷ୍ଟେସନ ଭାଗୀରଥି ନଦୀ (ଗଙ୍ଗା) କୂଳରେ ଅବସ୍ଥିତ । ଗାଡ଼ିରୁ ଓହ୍ଲାଇ ହାୱାଡ଼ା ପୋଲ ଅତିକ୍ରମ କଲେ ବଡ଼ବଜାର । ଏଇ କଲିକତା ନଗରୀର ଶୋଭା ସେତେବେଳେ କିନ୍ତୁ ବାନ୍ଧି ରଖୁଥିଲା ମନକୁ । ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ । ସକାଳ ଚାରିଟାବେଳକୁ ସଡ଼କ ସବୁ ଧୁଆହୁଏ ହୋସ ପାଇପରୁ ପାଣି ଢାଳି-। ରାତି ବାରଟା ପର୍ଯ୍ୟନ୍ତ ହଟ୍ଟଗୋଳରେ ଫାଟିପଡ଼ୁଥାଏ ସହର । ତାପରେ ଦୁଇ ତିନିଘଣ୍ଟା ଟିକେ ବିଶ୍ରାମ ନେଇଥିବ କି ନାହିଁ ରାତି ସାଢ଼େ ତିନିଟାରୁ ଆରମ୍ଭ ହୋଇଯାଇଥିଲା ଟ୍ରାମ୍‌ ଚଳାଚଳ-। କଲିକତାରେ ଟ୍ରାମ୍‌ରେ ବସି ମୁଁ ଅନେକ ଜାଗା ଦେଖିଲି । ଭଲ ଲାଗେ ଟ୍ରାମରେ ବସି ବୁଲିବା ପାଇଁ।

 

ଏଇ କଲିକତା ସହର ସମ୍ବନ୍ଧରେ କେତେ କଥା ଶୁଣିଲି । ଇଂରେଜମାନେ ପ୍ରଥମେ ୧୬୪୦ ଖ୍ରୀଷ୍ଟାବ୍ଦରେ ବଙ୍ଗଦେଶକୁ ଆସିଲେ ବ୍ୟବସାୟ କରିବା ଉଦ୍ଦେଶ୍ୟରେ । ବାଲେଶ୍ୱରରୁ ଆସି ଜବ୍‌ଚାରନକ୍‌ ସାହେବ ପହଞ୍ଚିଲେ କଲିକତାରେ । ସେତେବେଳେ ସେଠାରେ ସୂତାନଟୀ ନାମରେ ଗୋଟିଏ ଗ୍ରାମ ଥିଲା । ଏହିଠାରେ ଇଂରେଜମାନେ ପ୍ରଥମେ ବସତି ସ୍ଥାପନ କଲେ । ୧୬୮୭ ଖ୍ରୀଷ୍ଟାବ୍ଦରେ ଇଂରେଜମାନଙ୍କ ସହିତ ମୋଗଲମାନଙ୍କର ପ୍ରଥମେ ଏହି ଯୁଦ୍ଧ ବାଲେଶ୍ଵର ଠାରେ, ତା’ପରେ ହିଜଳି ଏବଂ ତାପରେ ସୂତାନଟୀରେ ଯୁଦ୍ଧ ହୁଏ । ବାଲେଶ୍ଵର ସେତେବେଳେ ବ୍ୟବସାୟ ବାଣିଜ୍ୟର ବଡ଼ ପେଣ୍ଠ ଥିଲା । ବାଲେଶ୍ଵର ଯୁଦ୍ଧ ପରେ ହିଜଳି ଠାରେ ଯୁଦ୍ଧ ହୁଏ । ଖବରପାଇ ସତୁରି ଜଣ ଇଂରେଜ ସୈନ୍ୟ ଜଳପଥରେ ଆସି ହିଜଳିରେ ପହଞ୍ଚିଲେ ୟୁରୋପରୁ । କ୍ୟାପଟେନ୍‌ ଡ଼େନହୋମ ଥିଲେ ସେମାନଙ୍କର ନେତା । ସେତେବେଳେ ବଙ୍ଗଳାର ନବାବ ଆବଦୁସ ସମ୍ମାନ ଥିଲେ ସୂତାନଟୀର ଶାସକ । ଇଂରେଜ ସୈନ୍ୟମାନଙ୍କ ଆଗରେ ଯୁଦ୍ଧ କରିନପାରି ସନ୍ଧି କଲେ ଏବଂ ସୂତାନଟୀଠାରେ ଇଂରେଜମାନେ ବସତି ସ୍ଥାପନ ଓ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଅନୁମତି ପାଇଲେ । ୧୬୯୦ ଖ୍ରୀଷ୍ଟାବ୍ଦ ୨୪ ଅଗଷ୍ଟ ଦିନ ସୂତାନଟୀ ଓ ପାଖଆଖ ଗ୍ରାମକୁ ନେଇ କଲିକତା ସହରର ଭତ୍ତିପ୍ରସ୍ତର ସ୍ଥାପନ କରାଗଲା । ସୂତାନଟୀ ପାଖରେ ଥିବା ଏକ ଗ୍ରାମର ନାମ ଥିଲା କଲିକତା । ଆଜବରଙ୍କ ରାଜସ୍ଵ ସଚିବ ତୋଡ଼ରମଲ୍ଲଙ୍କ ଖାତାରେ କଲିକତା ଗ୍ରାମର ଉଲ୍ଲେଖ ଥବା ଜଣାଯାଏ । ଏହା ପରେ ପରେ ବାଲେଶ୍ଵର ଓ ହୁଗୁଳିରେ ବାଣିଜ୍ୟ ପେଣ୍ଠର ପ୍ରଭାବ ହ୍ରାସହୁଏ ଏବଂ ତା ବଦଳରେ ଗଢ଼ିଉଠେ କଲିକତା । ଆହା, ଯଦି ଜଦ୍‌ଚାରନକ୍‌ ବାଲେଶ୍ୱର ନ ଛାଡ଼ି ସୂତାନଟୀ ନ ଆସିଥାନ୍ତେ ତେବେ ବାଲେଶ୍ୱର ହଁ ହୋଇଥାନ୍ତା ବ୍ରିଟିଶ ସାମ୍ରାଜ୍ୟର ରାଜଧାନୀ ।

 

କଲିକତାର ରୂପ ଦେଖି ବିସ୍ମୟରେ ଅଭିଭୂତ ହେଲି । ହାୱଡ଼ା ପୋଲ ଟ୍ୟାକ୍ସିରେ ପାର ହେବାବେଳେ ଦୁଇପାଖର ଦୃଶ୍ୟ ଆକର୍ଷଣ କରୁଥାଏ। ହୁଗୁଳି ନଦୀ ବା ଭାଗୀରଥି ନଦୀ ଉପରେ ହାୱଡ଼ା ପୋଲ ନିର୍ମାଣ କରାଯାଇଛି । ପୋଲ ନିର୍ମାଣ କରାଯିବା ପୂର୍ବରୁ ନଦୀ ଉପରେ କାଠନିର୍ମିତ ଜେଟି ଯୋଡ଼ି ଦିଆଯାଉଥିଲା ଏବଂ ତା ଉପରେ ଲୋକମାନେ ଏବଂ ଯାନବାହନ ଯିବାଆସିବା କରୁଥିଲା । ଜେଟ୍ଟି ଯୋଡ଼ିଦେବା ପରେ ନଦୀ ଉପରେ ଜାହାଜ ଚଳାଚଳ ବନ୍ଦ ରହୁଥିଲା ଏବଂ ପୁନର୍ବାର ଜେଟ୍ଟି ଖୋଲିଦେଲେ ଜାହାଜ ଚଳାଚଳ ଆରମ୍ଭ ହେଉଥିଲା । କଲିକତାର ବୟସ ସିନା ତିନିଶହ ବର୍ଷରୁ କିଛି ଅଧିକ, କିନ୍ତୁ ହାୱଡ଼ା ପୋଲର ବୟସ ଷାଠିଏ ବର୍ଷରୁ କମ୍‌ । ପୋଲର ଦୃଶ୍ୟ ଦୂରରୁ ଦର୍ଶକର ଦୃଷ୍ଟି ଆକର୍ଷଣ କରେ । ବଡ଼ବଜାର ଦେଇ ମିର୍ଜାପୁର ଷ୍ଟ୍ରିଟ୍‌ ଗଲାବେଳେ ଦେଖିନେଲି ଦୁଇପାଖର ଦୃଶ୍ୟ । ଦୋକାନ ବଜାର ରେ ପୂର୍ଣ୍ଣ କଲିକତା ସହର-। ଲୋକମାନଙ୍କର ହାଉଜାଉ । ହୋଟେଲରେ ଥିବାବେଳେ ପ୍ରତି ଛୁଟିଦିନ ଆମେ ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖିବା ପାଇଁ ଯାଉଥିଲୁ । ପ୍ରଥମେ ଗଲୁ ଚୌରଙ୍ଗୀ ।

 

ଚୌରଙ୍ଗୀର ଇତିହାସ ବଡ଼ ରୋମାଞ୍ଚକର । ୧୬୯୦ ଖ୍ରୀଷ୍ଟାଦ୍ଦର କଥା । ତୃତୀୟ ଥର ପାଇଁ ଜବ୍‌ଚାରନକ୍‌ ଆସି ସୂତାନଟୀରେ ପହଞ୍ଚିବା ପରେ ସେହିଠାରେ ବସତି ସ୍ଥାପନ କାର୍ଯ୍ୟ ଆରମ୍ଭ ହେଲା । ସେତେବେଳେ ଚୌରାଙ୍ଗୀ ଅଞ୍ଚଳ ଥିଲା ଜଙ୍ଗଲ । ସେହି ଜଙ୍ଗଲ ଭିତରେ ଦଶନାମୀ ସଂପ୍ରଦାୟର ସାଧୁ ଜଙ୍ଗଲଗିରି ଚୌରଙ୍ଗୀ ରହୁଥିଲେ । ତାଙ୍କରି ନାମ ଅନୁସାରେ ସେଇ ସ୍ଥାନର ନାମ ହେଲା ଚୌରଙ୍ଗୀ । ଦିନେ ନିଉ ମାର୍କେଟ ବୁଲିବା ପାଇଁ ଗଲୁ । ରୂପସୀ କଲିକତାର ସଂଭ୍ରାନ୍ତମାନଙ୍କର ବଜାର । ଆଖି ଝଲସା ରୂପ । ଇଂରେଜମାନେ ପ୍ରଥମେ ଆସିବା ସମୟରେ ବର୍ତ୍ତମାନ ସଚିବାଳୟ ଅଞ୍ଚଳ (ଡ଼େଲହାଉସି ସ୍କୋୟାର-ଏବେ ନାମ ବଦଳ କରି କୁହାଯାଉଛି ବିନୟ, ବାଦଲ, ଦିନେଶ ସ୍କୋୟାର) । ଏହାର ଛୋଟ ନାମ ହେଲା ବିବାଦିବାଗ । ବିନୟ, ବାଦଲ ଓ ଦିନେଶ ତିନି ଜଣ ବିପ୍ଳବୀଙ୍କ ନାମ ଅନୁସାରେ ଏହି ସ୍ଥାନର ନାମ ରଖାଯାଇଛି । ଡେଲହାଉସୀ ସ୍କୋୟାର ଦେଇ ଯିବାବେଳେ ପଶ୍ଚିମବଙ୍ଗ ସରକାରଙ୍କ ସଚିବାଳୟ ଆଖିରେ ପଡ଼ିଲା । ଲାଲରଙ୍ଗର ବିରାଟ ସୌଧ । ଏହାକୁ ସଚିବାଳୟ ନ କହି କୁହାଯାଏ ରାଇଟର୍ସ ବିଲଡିଂ ବା ମହାକରଣ । ମହାକରଣର ଚାରିପାଖରେ ବଡ଼ କଂପାନୀ ଓ ବ୍ୟାଙ୍କମାନଙ୍କର ଅଫିସ । ତା’ପରେ ଚୌରଙ୍ଗୀ ଅତିକ୍ରମ କଲାବେଳେ ଆଖିରେ ପଡ଼େ ଗ୍ରାଣ୍ଡ ହୋଟେଲ ଏବଂ ଶହୀଦ ମିନାର ଓ ବ୍ରିଗ୍ରେଡ଼ ପ୍ୟାରେଡ଼ ପଡ଼ିଆର ବିସ୍ମୃତ ସବୁଜିମା । ଠାଏ ଠାଏ ଖେଳ କ୍ଳବ । ମୋହନ ବାଗାନ, ଇଷ୍ଟବେଙ୍ଗଲ, ମହମ୍ମଡ଼ାନ ସ୍ପୋର୍ଟିଂ, ବିଏନ.ଆର., ଇଷ୍ଟର୍ଣ୍ଣ ରେଲଞେ ଇତ୍ୟାଦି କ୍ଲବ ଘର ଓ କାଠ ନିର୍ମିତ ଷ୍ଟାଡ଼ିୟମ । ବଙ୍ଗାଳୀମାନେ ଖେଳପ୍ରିୟ ଓ ସଂସ୍କୃତବନ୍ତ ଜାତିଭାବେ ବିଖ୍ୟାତ । ତା ପଛରେ ନିୟୁ ମାର୍କେଟ । ନିୟୁ ମାର୍କେଟ ତିଆରି କରିବା ପଛରେ ଭଲ କାହାଣୀ ଟିଏ ଅଛି । ଧରମତାଲା ଓ ଚାନ୍ଦନୀଠାରେ ଥିବା ବଜାରରେ ସାହେବ ମେମ୍‌ସାହେବମାନଙ୍କର କିଣାବିକା ଅସୁବିଧା ହେବାରୁ ୧୮୬୩ ଖ୍ରୀଷ୍ଟାବ୍ଦରେ ନୂଆବଜାର ସ୍ଥାପିତ ହେଲା । ସେତେଵେଳେ ମୋଟ ବ୍ୟୟ ହେଉଥିଲା ଛଅଲକ୍ଷ ପଞ୍ଚଷଠି ହଜାର ନଅଶହ ପଚାଶ ଟଙ୍କା । କିନ୍ତୁ ୧୮୭୪ ଜାନୁଆରୀ ପହିଲା ତାରିଖରେ ବଜାର ଉଦ୍‌ଘାଟିତ ହୋଇଥିଲା ସ୍ଵାଭାବିକ କିଣାବିକା କରିବା ପାଇଁ । ନୂଆ କରି ଏହି ବଜାର ନିର୍ମାଣ କରାଯାଇଥିବାରୁ ଏହାର ନାମ ହେଲା ନିଉ ମାର୍କେଟ । ୧୯୦୩ ଖ୍ରୀଷ୍ଟାଦ୍ଦରୁ ଏହାର ନୂତନ ନାମ ହୁଏ ସାର ଷ୍ଟୁଆର୍ଟ ହଗ୍‌ମାର୍କେଟ । କିନ୍ତୁ ଲୋକମୁହଁରେ ବି ନିଉ ମାର୍କେଟ । ନିଉ ମାର୍କେଟର ଚାକଚକ୍ୟ ଦେଖିବା ଭଳି । ସବୁ ପ୍ରକାର ଖେଳନା, ଆଧୁନିକ ଡ଼ିଜାଇନର ପୋଷାକ ପରିଧାନ, କେକ୍‌ ପ୍ରେଷ୍ଟ୍ରିଜ୍‌ ଇତ୍ୟାଦି, ଫୁଲ ଦୋକାନ, ମାଂସ ଦୋକାନ, ଅଳଙ୍କାର ଓ ବାସନ କୁସନ ଦୋକାନ ଇତ୍ୟାଦିରେ ପୂର୍ଣ୍ଣ । ଗୋଟିଏ ଛାତତଳେ ସବୁପ୍ରକାର ଜିନିଷ ବିକାକିଣାର ସୁନ୍ଦର ବ୍ୟବସ୍ଥା । ନିଉ ମାର୍କେଟରୁ ଫେରିବା ବେଳେ ଚୌରଙ୍ଗୀର ମେଟ୍ରୋ ସିନେମା ପାଖରେ ଅନାଦିର ରେସ୍ତୋଁରାରେ ମୋଗଲାଇ ପରଟା ଖାଇଲୁ । ଅନାଦି ସାହୁ ଓଡ଼ିଶା ଲୋକ । ଚାକିରି କରିବାକୁ କଲିକତା ଆସି ରହିଗଲା ଏଠାରେ । ଚାକିରି ଛାଡ଼ି ରେସ୍ତୋଁରା ଖୋଲିଲା । ଅନାଦିର ମୋଗଲାଇ ପରଟା କଲିକତାରେ ବିଖ୍ୟାତ । ମୋଗଲାଇ ପରଟା ମଇଦା ଓ ଅଣ୍ଡା ମିଶାଇ ତିଆରି କରାଯାଏ । ବେଶ୍‌ ସୁସ୍ଵାଦୁ । କିନ୍ତୁ ବ୍ୟବସାୟ ବଢ଼ିବା ପରେ ଅନାଦିର ନାମ ଯଶ ପ୍ରସାରିତ ହେଲା କଲିକତାରେ ଏବଂ ଯେପରି ସର୍ବତ୍ର ହୁଏ ସେଇ ଅନାମଧେୟ ଅନାଦି ଅନାଦିବାବୁରେ ପରିଣତ ହୋଇ ବଙ୍ଗାଳୀ ହୋଇ ସବୁଦିନ ପାଇଁ ରହିଗଲା କଲିକତାରେ ।

Image

 

Unknown

ଟିଟିଲାଗଡ଼ରେ ଅଢ଼େଇ ବର୍ଷ(୧)

 

କଲିକତା (ଶାଲିମାର)ରେ ୬ ମାସ ରହିବା ପରେ ସାତକଡ଼ିବାବୁ ବଦଳି ହୋଇ ଆସିଲେ ଓଡ଼ିଶାର ଟିଟିଲାଗଡ଼କୁ । ସେତେବେଳେ ଟିଟିଲାଗଡ଼ଠାରେ ଗୋଟିଏ ରେଲ୍‌ଓ୍ୱେ ଜିଲ୍ଲା ଅଫିସ୍‌ ଥିଲା । ଏହି ଜିଲ୍ଲା ଅଫିସ୍‌ ୧୯୩୩ ମସିହାରୁ ରାୟପୁର ବିଳୟନଗରମ୍‌ ରେଳପଥ ନିର୍ମାଣ ହେବାପରେ କାର୍ଯ୍ୟ କରୁଥଲା । ଟିଟିଲାଗଡ଼ରେ ଇଂଜିନିୟରିଂ ଟ୍ରାଫିକ ଓ ମେଡ଼ିକାଲ ବିଭାଗର ଅଫିସ୍‌ ଥିଲା । ସାତକଡ଼ିବାବୁ ଟ୍ରାଫିକ୍‌ ଅଫିସର ଭାବେ ଏଠାରେ ଅବସ୍ଥାପିତ ହୋଇଥି‌ଲେ । ସେତେବେଳେ ସମ୍ବଲପୁର ଟିଟିଲାଗଡ଼ ରେଳପଥ ନିର୍ମାଣ କରାହୋଇ ନଥାଏ । ଆମେ ଟିଟିଲାଗଡ଼ରେ ୧୯୫୬ ଅଗଷ୍ଟ ମାସଠାରୁ ପ୍ରାୟ ଅଢ଼େଇ ବର୍ଷ କାଳ ରହିଥିଲୁ ।

 

କଲିକତାରୁ ରାୟପୁର ଆସି ସେଠାରୁ ସେଲୁନ୍‌ରେ ଟିଟିଲାଗଡ଼ ଆସିଲୁ । ସେଲୁନ୍‌ରେ ଆସିବା ସେଇ ମୋର ପ୍ରଥମ । କନିଷ୍ଠ ଅଫିସରମାନଙ୍କୁ, ଚାରିଚକିଆ ସେଲୁନ୍‌ ମିଳେ । ଏଥିରେ ଗୋଟିଏ ଶୋଇବା ଓ ବସିବା ଘର ତା ସହିତ ସଂଲଗ୍ନ ଶୌଚ ଏବଂ ସ୍ନାନାଗାର, ତାପାଖରେ ଷ୍ଟେନୋଗ୍ରାଫରର ଗୋଟିଏ ଛୋଟ କୋଠରୀ ଏବଂ ତାକୁ ଲାଗି ରୋଷେଇ ଘର । କେବଳ ଚାଉଳ ପନିପରିବା, ଦୁଧ ଇତ୍ୟାଦି ସଂରଜାମ ପାଖରେ ଥିଲେ ରନ୍ଧାବଢ଼ା ପାଇଁ ଆଉ କିଛି ଅସୁବିଧା ହୁଏନାହି । ଉଚ୍ଚ ପଦବୀକୁ ଗଲେ ଆଠଚକିଆ ସେଲୁନ୍ ମିଳେ ଯେଉଁଥିରେ ଦୁଇଟି ଶୋଇବା ଘର, ଗୋଟିଏ ବୈଠକଘର ଗୋଟିଏ ନିରୀକ୍ଷଣ ଘର, ତା ଛଡ଼ା ଷ୍ଟେନୋଗ୍ରାଫର ପାଇଁ ଆଉ ଗୋଟିଏ ଘର ଏବଂ ରୋଷେଇ ଘର । ବଡ଼ ସେଲୁନ୍ ରେ ବୈଠକଖାନାରେ ସବୁ କୋଠରୀରେ କାର୍ପେଟ ବିଛା ହୋଇଥାଏ ଏବଂ ଫ୍ରିଜ୍‌, ସୋଫାସେଟ୍‌ ଇତ୍ୟାଦି ସୁବିଧା ଥାଏ ।

 

ରେଳବାଇ ଚାକିରିରେ ସାତକଡ଼ିବାବୁ ଜଏନ୍ କରିବା ପୂର୍ବରୁ ରେଳବାଇ ସମ୍ବନ୍ଧରେ ମୋର ସେପରି ଧାରଣା ନଥଲା । କିନ୍ତୁ ସେଲୁନ୍‌ରେ ବସିବାର ଅନୁଭୂତି ଶହ ଶହ କର୍ମଚାରୀଙ୍କର ସ୍ନେହ ଶ୍ରଦ୍ଧା ପାଇ ମୋତେ ଭାରି ଖୁସି ଲାଗୁଥାଏ । ରେଳବାଇର ପ୍ରଥମ ଶ୍ରେଣୀର ଟ୍ରାଫିକ ଅଫିସର ଭାବେ ସାତକଡ଼ିବାବୁ ଜଏନ କରିଥିବାରୁ ଓଡ଼ିଆମାନଙ୍କର ମନଖୁସି । ସେତେବେଳକୁ ସେ ଲେଖାଲେଖି ପାଇଁ ପରିଚିତ ଥଲେ । ତେଣୁ ଯେଉଁ କେତେକ ଅଳ୍ପ ଓଡ଼ିଆ କର୍ମଚାରୀ ସେତେବେଳେ ରେଳବାଇରେ ଚତୁର୍ଥ ଓ ତୃତୀୟ ଶ୍ରେଣୀରେ ଚାକିରି କରୁଥିଲେ ସେମାନେ ଏବଂ ସ୍ଥାନୀୟ ବ୍ୟବସାୟୀ, ଭଦ୍ରଲୋକ ଓ ସରକାରୀ କର୍ମଚାରୀମାନେ ଅନେକ ସଂଖ୍ୟାରେ ଆମ ଘରକୁ ଆସୁଥିଲେ । ଟିଟିଲାଗଡ଼ ଠାରେ ଓହ୍ଲାଇବା ପରେ ଆମେ ନିର୍ଦିଷ୍ଟ ବଙ୍ଗଳାକୁ ଗଲୁ । ପାଞ୍ଚ ଏକର ଜମି ଉପରେ ଥିବା ଏକ ପ୍ରକାଣ୍ଡ ବଙ୍ଗଳା ଏବଂ ବଗିଚାରେ ରହିବା ପାଇଁ ଏହି ପ୍ରଥମ ସୁବିଧା ମିଳିଲା । ଆମ ପୂର୍ବରୁ ସେଠାରେ କମର୍ସିଆଲ୍‌ ଅଫିସର ଥିଲେ ରଙ୍ଗାରାଓ । ଅଫିସର କେବଳ ରାମଚନ୍ଦ୍ର ମହାନ୍ତିଙ୍କୁ ଛାଡ଼ି ଆଉ କେହି ଓଡ଼ିଆ କିରାଣି ନଥିଲେ । ଚତୁର୍ଥ ଶ୍ରେଣୀରେ ମଧ୍ୟ ତେଲୁଗୁ, ବଙ୍ଗାଳୀ ଓ ହିନ୍ଦୀ ଲୋକଙ୍କର ଆଧିପତ୍ୟ । ସେତେବେଳେ ରେଳବାଇ ଜିଲ୍ଲା ଇଂଜିନିୟର ଥିଲେ ପି.ଡ଼ି.ପେରିସ୍‌ । କ୍ୟାଥୋଲିକ୍‌ ଖ୍ରୀଷ୍ଟିଆନ୍‌ । ଡ଼ାକ୍ତର ଥିଲେ ଡ଼ଃ.ଏସ୍‌.କେ.ମୁଖାର୍ଜୀ । ଏବଂ ଜଣେ ସହକାରୀ ଓଡିଆ ଇଂଜିନିୟର ଏମ୍‌.ଏସ୍‌.ପଟ୍ଟନାୟକ ମଧ୍ୟ ସେଠାରେ କାର୍ଯ୍ୟ କରୁଥିଲେ ।

 

ସାତକଡ଼ିବାବୁ ପ୍ରଥମ ଓଡ଼ିଆ ଟ୍ରାଫିକ୍‌ ଅଫସର ହୋଇ ଆସିଥିବାରୁ ସମସ୍ତଙ୍କର ପ୍ରତ୍ୟାଶା ଥାଏ ଅନେକ ବେଶୀ । ରାଜ୍ୟ ପ୍ରଶାସନରେ ଯେପରି ଆଇ.ଏ.ଏସ୍‌. ଅଫିସରମାନଙ୍କର ଆଧିପତ୍ୟ, ରେଳବାଇ ବିଭାଗରେ ସେହିପରି ଭାରତୀୟ ଟ୍ରାଫି୍କ ସର୍ଭିସ୍‌ ଅଫିସର ମାନଙ୍କର ଆଧିପତ୍ୟ । ପ୍ରଥମରୁ ଆମେ ସ୍ଥିର କରିନେଲୁ ଯେ ଯେତେ ସବୁ ନୂଆ ନିଯୁକ୍ତି ଦେବାର ସୁବିଧା ଆସିବ ସେଥିରେ ସ୍ଥାନୀୟ ଲୋକମାନଙ୍କୁ ଅଗ୍ରାଧିକାର ଦିଆଯିବ । ଆମ ବଙ୍ଗଳାରେ ଗୋଟିଏ ଟ୍ରଲି ଥିଲା । ସେହି ଟ୍ରଲିରେ ବସି ଅଫିସରମାନେ ଷ୍ଟେସନରୁ ଷ୍ଟେସନକୁ ଇନିସ୍‌ପେକ୍ସନ ପାଇଁ ଯାଉଥଲେ । ତାହା ଗୋଟିଏ ଇଂଜିନ ଥିଲା ଏବଂ ଜଣେ ଡ୍ରାଇଭର ଥିଲା ଚାରିଚକ ବିଶିଷ୍ଠ ଏହି ଟ୍ରଲିରେ ଆଠ ଜଣ ପର୍ଯ୍ୟନ୍ତ ଯାଇ ପାରୁଥିଲେ । ଆମ ଟ୍ରଲିର ଡ୍ରାଇଭର ଥିଲା ଆକବର ଏବଂ ଚାରିଜଣ ଟ୍ରଲିମ୍ୟାନ ଥିଲେ, ଉଦିଆ, ଧନୁ ପଭୃତି । ଏହାଛଡ଼ା ଇଂଜିନ ନଥିବା ଟ୍ରଲିକୁ ଠେଲାବାଲାମାନେ ଠେଲି ନେଉଥିଲେ । ଅଣରେଳବାଇ ବାଲାଙ୍କୁ ଟ୍ରଲିରେ ବସିବା ପରା ଦୃଷ୍ଟିରୁ ନିଷିଦ୍ଧ ଥିଲେ ମଧ୍ୟ ମୁଁ ଏବଂ ମୋର ପିଲାମାନେ କେତେଥର ଟ୍ରଲିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଛୁ । ସେହି ଟ୍ରଲିରେ କାମ କରୁଥିବା ଓଡ଼ିଆ କର୍ମଚାରୀମାନଙ୍କ ମାଧ୍ୟମରେ ଯେଉଁ ସ୍ଥାନୀୟ ଲୋକମାନେ ଚାକିରି ଉଦ୍ଦେଶ୍ୟରେ ଆସୁଥିଲେ ସେମାନେ ମୋତେ ପ୍ରଥମେ ସାକ୍ଷାତ କରୁଥିଲେ । ତା’ପରେ ମୁଁ ସେମାନଙ୍କୁ ସାତକଡ଼ି ବାବୁଙ୍କ ପାଖକୁ ପଠାଇ ଦେଉଥିଲି । ଆମେ ଟିଟିଲାଗଡ଼ରେ ଅଢ଼େଇ ବର୍ଷ ଥିବା ସମୟରେ ପ୍ରାୟ ଶତାଧିକ ଓଡ଼ିଆ ନିଯୁକ୍ତି ପାଇଥିଲେ । ତେଲୁଗୁ ଏବଂ କେତେକ ହିନ୍ଦୁସ୍ଥାନୀଙ୍କୁ ମଧ୍ୟ ଚାକିରି କରାଇ ଦେବାପାଇଁ ମୁଁ ସଫଳ ହୋଇଥିଲି । ଓଡ଼ିଆମାନଙ୍କ ପ୍ରତି ଦୀର୍ଘକାଳଧରି ଯେଉଁ ଅନ୍ୟାୟ କରାଯାଇଥିଲା ତାହାର କିଂଚିତ୍ କ୍ଷତିପୂରଣ କରିବା ସକାଶେ ମୁଁ ସଦା ଚେଷ୍ଟିତ ଥିଲି। ମୋର ସୌଭାଗ୍ୟ ଯେ, ଏ ବିଷୟରେ ଆମେ ସ୍ଵାମୀ ସ୍ତ୍ରୀ ଏକମତ ଥିଲୁ । ଆଜିକାଲି ଅଫିସର ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଚାକିରି ଦେବାପାଇଁ ପ୍ରତି ଜଣକ ଠାରୁ ପଚିଶ, ପଚାଶ ହଜାର ଟଙ୍କା ନେଉଥିବାର ଶୁଣାଯାଏ । କିନ୍ତୁ ଆମର ଦୀର୍ଘ ଚାକିରି ଜୀବନରେ ଶହ ଶହ ଲୋକଙ୍କୁ ଚାକିରି ଦେଇ ମଧ୍ୟ ସେମାନଙ୍କ ସ୍ଵେହ ଶ୍ରଦ୍ଧା ବ୍ୟତୀତ ଆଉ କିଛି ଆମେ ନେଇନାହୁଁ । ସେତେବେଳେ ନେବା ଦେବାର ଧାରାପ୍ରଚଳିତ ହୋଇନଥଲା । ଯେଉଁମାନେ ଦୁର୍ନିତି କରୁଥିଲେ ସେମାନଙ୍କର ସଂଖ୍ୟା ଥିଲା ଅନେକ କମ୍‌ ।

 

ଟିଟିଲାଗଡ଼ରେ ପହଞ୍ଚିବା ପରେ ଆମର ଜିଲ୍ଲା ପ୍ରଶାସନିକ ଅଫିସରମାନଙ୍କ ସହିତ ପରିଚୟ ହେଲା । ସେତେବେଳେ ବଙ୍କିମ ପଟ୍ଟନାୟକ ବଲାଙ୍ଗୀରର ଜିଲ୍ଲାପାଳ ଥିଲେ ଏବଂ ରାଓ ପଟ୍ଟନାୟକ ଥିଲେ ଭବାନୀପାଟଣାର ଜିଲ୍ଲା କଲେକ୍ଟର । ଟିଟିଲାଗଡ଼ର ଏସ୍‌.ଡ଼ି.ଓ. ଥିଲେ ପୂର୍ଣ୍ଣଚନ୍ଦ୍ର ମହାନ୍ତି । ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ଃ ସୁଜାତା ମହାନ୍ତି ତାଙ୍କର କନ୍ୟା । ପୂର୍ଣ୍ଣବାବୁ ଆମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରୁଥିଲେ । ଆମ ଘରେ ମେରୀ ଓରଫ ଲବଣୀ ନାମକ ଜଣେ ଖ୍ରୀଷ୍ଟିଆନ ମହିଳା ଆୟା ଭାବରେ କାର୍ଯ୍ୟ କରୁଥିଲା । ତା’ର ସ୍ଵାମୀ ଟିଟିଲାଗଡ଼ ବାହାରେ କାମ କରୁଥିଲା ଏବଂ ମଝିରେ ମଝିରେ ଆସୁଥିଲା । ଥରେ ସେ ସନ୍ଧ୍ୟାବେଳେ ପହଞ୍ଚି ଆଉଟ୍‌ ହାଉସ୍‌ରେ ତା ସ୍ତ୍ରୀ ସହିତ ରହିଥିଲା । ରାତି ଅଧ ପ୍ରାୟ । ତା ସ୍ତ୍ରୀର । କାନ୍ଦିବା ଶୁଣି ଆମେ ଉଠିଲୁ ଏଵଂ ମେରୀ ତା ସ୍ଵାମୀ ସଂପର୍କରେ ଯାହା କହିଲା ତାହା ଆମକୁ ଆଶ୍ଚର୍ଯ୍ୟ କରିଦେଲା । ଆମ ବଙ୍ଗଳାର ପଛପଟେ ଏକାଧିକ ଆମ୍ବଗଛ ଥିଲା । ସେଥରୁ ଗୋଟିକର ଡ଼ାଳରେ ଦଉଡ଼ି ବାନ୍ଧି ମେରୀର ସ୍ଵାମୀ ଝୁଲିପଡ଼ି ଆତ୍ମହତ୍ୟା କରିଥିଲା । ଆମର ସେତେବେଳେ ବୟସ ଅଳ୍ପ ଏବଂ ଅଭିଜ୍ଞତା କମ୍‌ । କିନ୍ତୁ ତଥାପି ସଂଗେ ସଂଗେ ପୋଲିସ୍‌କୁ ଖବର ଦିଆଗଲା ଏବଂ ଅଧଘଣ୍ଟା ଭିତରେ ପୋଲିସ୍‌ ଇନିସ୍‌ପେକ୍ଟର ଆସି ପହଞ୍ଚିଲେ । ଶବ ଡ଼ାକ୍ତରୀ ମାଇନା କରିବା ପାଇଁ ବ୍ୟବସ୍ଥା କଲେ ଏବଂ ତା ସ୍ତ୍ରୀକୁ ପଚରା ଉଚୁରା କରିବା ପାଇଁ ନେଇଗଲେ । ଭୋର ସକାଳେ ଏସ୍‌.ଡ଼ି.ଓ.ଙ୍କୁ ଆମେ ଜଣାଇଦେଲୁ । ମେରୀ ବେଶ୍‌ କର୍ମଠ ମହିଳା ଥିଲା । ଏବଂ ପିଲାମାନଙ୍କର ଦାୟିତ୍ଵ ଭଲଭାବରେ ତୁଲାଇ ପାରୁଥିଲା । ପରେ ଜାଣିଲି ଯ଼େ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଅଲଗା ଅଲଗା ରହିବାରୁ ମନୋମାଳିନ୍ୟ ଥିଲା । ସେମାନଙ୍କର କୌଣସି ପିଲା ଛୁଆ ନଥିଲେ । ଟିଟିଲାଗଡ଼ ବଙ୍ଗଳା ହତା ମଧ୍ୟରେ ଆମ୍ବ, ପଣସ, କୃଷ୍ଣଚୃଡ଼ା ଓ ଅନ୍ୟାନ୍ୟ ବହୁ ଗଛ ଥିଲା ଏବଂ ସେଠାରେ ବହୁ ବିଷଧର ସାପ ରହିଥିବାର ଆମେ ଦେଖିଛୁ, କିନ୍ତୁ କେବେ କାହାରି କୌଣସି କ୍ଷତି ହୋଇନାହିଁ । ଆମ ଘରେ ଥିବା ଟ୍ରଲିମ୍ୟାନମାନଙ୍କ ସାହାଯ୍ୟରେ ମୁଁ ବଡ଼ ପରିବା ବଗିଚା କରିଥିଲି ଏବଂ ସେଥିରୁ ମିଳୁଥିବା ଫୁଲକୋବି, ବନ୍ଧାକୋବି, ବିଲାତି, ମୂଳା, ମଟର ଇତ୍ୟାଦି ନିଜେ ଖାଇଲୁ ପଡ଼ୋଶୀମାନଙ୍କୁ ବାଣ୍ଟୁଥିଲି । ଟିଟିଲାଗଡ଼ରେ ଥିଲାବେଳେ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବାର ସୁଯୋଗ ମୋତେ ମିଳିଥିଲା । ଶିକ୍ଷା ଓ ସଚେତନତା ଅଭାବରୁ ଲୋକମାନଙ୍କ ମଧ୍ୟରେ ବହୁ ଅନ୍ଧବିଶ୍ଵାସ ଓ କୁସଂସ୍କାର ରହିଥିଲା । କିଛୁ ସେମାନେ ସେତେବେଳେ ଯେତେ ନିରୀହ ଓ ସରଳ ଥିଲେ ଏବେ ମଧ୍ୟ ତା’ର ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ । ସରକାରୀ ସାହାଯ୍ୟ ଆସେ. କିନ୍ତୁ ସେମାନଙ୍କର ସରଳତା ଓ ଅଜ୍ଞତାର ସୁଯୋଗ ନେଇ ସେତେବେଳେ ଯେପରି ଏବେ ମଧ୍ୟ ସେହିପରି କର୍ମଚାରୀମାନେ ତାହାର ଅଧେରୁ ଅଧା ଆତ୍ମସାତ୍‌ କରିଥାନ୍ତି ।

 

ରାଜ୍ୟ ସରକାରଙ୍କ ଅଫିସର ଓ କର୍ମଚାରୀ ଏବଂ କେତେ ଓକିଲ, ଡ଼ାକ୍ତର ଓ ସାଧାରଣ ଲୋକଙ୍କୁ ଛାଡ଼ିଦେଲେ ଧନୀଗୋଷ୍ଠୀରେ ଥିଲେ ମାର୍‌ଓ୍ୱାଡ଼ି ବ୍ୟବସାୟୀମାନେ । ଟିଟିଲାଗଡ଼ ନିକଟସ୍ଥ କଣ୍ଟାବାଂଝିରେ ତ ସେମାନଙ୍କର ଥଲା ପୂର୍ଣ୍ଣ ଅଧିକାର । ବଲାଙ୍ଗୀର ପୂର୍ବରୁ ଗଡ଼ଜାତ ରାଜ୍ୟ ଥଲା । ସେହିପରି କଳା ହାଣ୍ଡି । ଶିକ୍ଷା ଓ ସଚେତନତା ନଥିବାରୁ ଲୋକମାନେ ନିଜର ଅଧିକାର ସଂପର୍କରେ ଥିଲେ ଅଜ୍ଞ ଏବଂ ଆଦେଶ ପାଳନ କରିବାକୁ ହିଁ କର୍ତବ୍ୟ ଭାବୁଥିଲେ । ସେମାନଙ୍କ ସହିତ ମୁ ଅବାଧରେ ମିଶୁଥିଲି ଏବଂ ତଳ ଶ୍ରେଣୀର ଲୋକମାନଙ୍କୁ ଉତ୍ସାହିତ କରୁଥିଲି ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇବା ପାଇଁ । ରେଳବାଇ କଲୋନୀରେ ସ୍କୁଲ ଥିଲା ସତ, କିଛି ସେଥିରେ ତେଲୁଗୁ, ହିନ୍ଦୀ ସହିତ ଓଡ଼ିଆ ମଧ୍ୟ ପଢ଼ା ଯାଉଥଲା । ସଂସ୍କୃତିକ ଜୀବନ ଥିଲା ନିଶ୍ଚଳ । ଆଗ୍ରହ ନଥିଲା କାହାରି ପ୍ରତିଯୋଗିତା ସମ୍ବନ୍ଧରେ । ଆବୃତ୍ତି, ଗୀତ ପ୍ରତିଯୋଗିତା ଆରମ୍ଭ ହେଲା । ସାହିତ୍ୟ ବିମୁଖ ପଢୁଆ ଲୋକମାନଙ୍କ ମଧ୍ୟରେ ଦେଖି ଧୀରେ ଧୀରେ ତାହା ମଧ୍ୟ ପ୍ରସାରିତ ହେଲା-। କିନ୍ତୁ ଏ ସବୁଥିରେ ନିଶ୍ଚେତନତା ମୋତେ ଯେତେ ବିଚଳିତ କରୁନଥିଲା ତା’ଠାରୁ ସାଧାରଣ ଲୋକଙ୍କ ଦାରିଦ୍ର୍ୟ ଓ ଅଜ୍ଞତା ମୋତେ ବିଚଳିତ ଓ ବିମର୍ଶ କରୁଥିଲା ବେଶୀ । ବିଷମକଟକ, ଥେରୁବାଲି, ଅମ୍ବାଡ଼ୋଲା, ମୁନିଗୁଡ଼ା, ମୁରିବାହାଲ, ହରିଶଙ୍କର ଅଞ୍ଚଳରେ ବାସ କରୁଥିବା ନିରୀହ ଲୋକମାନେ ମାସ ମାସ ବଣର ଫଳମୂଳ ଖାଇ ବଂଚୁଥିଲେ ଏବଂ ଭୂମିହୀନମାନେ ରାୟପୁର, ରାଉରକେଲା ଅଞ୍ଚଳକୁ ତିରୋଟ ସମୟରେ ପଳାଇ ଯାଉଥିଲେ କାମ ପାଇବା ଆଶାରେ । ଏବେ ପେଟ ବିକଳରେ କଳାହାଣ୍ଡିରେ ଝିଅପୁଅଙ୍କୁ ବାପା’ ମା ବିକ୍ରି କରି ‘ଦେଉଛନ୍ତି’ ଚାଳିଶ ବର୍ଷ ପୂର୍ବେ ଅବସ୍ଥା ଥିଲା ଆହୁରି ଉତ୍କଟ । କିନ୍ତୁ ପଶ୍ଚିମାଞ୍ଚଳର ଲୋକସଂସ୍କତି ଥିଲା ଅତି ଜୀବନ୍ତ । ଡ଼ାଲଖାଇ ଓ ସମ୍ବଲପୁରୀ ନୃତ୍ୟଗୀତର ପ୍ରସାର ଆରମ୍ଭ ହେଉଥାଏ ସେତେବେଳେ ।

Image

 

ଟିଟିଲାଗଡରେ ଅଢ଼େଇ ବର୍ଷ (୨)

 

ଟିଟିଲାଗଡ଼ରେ ସେତେବେଳେ (୧୯୫୭-୫୯) ରେ ଯେଉଁ ପାଞ୍ଚଜଣ ରେଳବାଇ ଅଫିସର ଥିଲେ ସେମାନଙ୍କ ମଧ୍ୟରୁ ଜଣେ ବାଙ୍ଗାଲୋର୍‌ର ଖ୍ରୀଷ୍ଟିଆନ ଜଣେ କେରଳର ମାଲାୟାଲୀ, ଜଣେ ବଙ୍ଗାଳୀ, ଦୁଇଜଣ ଓଡ଼ିଆ, ଏମ୍‌.ଏମ୍‌ ପଟ୍ଟନାୟକ ସେତେବେଳେ ସହକାରୀ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ । ମାଲାୟାଲୀ ରଙ୍ଗ ରାଓ ପ୍ରକୃତରେ ତେଲୁଗୁ ବଂଶଜ ହେଲେ ମଧ୍ୟ କେରଳରେ ବସବାସ କରୁଥିଲେ। ତାଙ୍କ ସ୍ତ୍ରୀ ଥିଲେ କେରଳର । ରଙ୍ଗା ରାଓ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ । ଯଦିବା ସେ ସହକାରୀ ଇଞ୍ଜିନିୟର ଥିଲେ ଏବଂ ଓଭରସିୟର ପଦବୀରୁ ପ୍ରମୋଶନ ପାଇ ଅଫିସର ହୋଇଥିଲେ, ତାଙ୍କର ବର୍ଣ୍ଣାଢ଼୍ୟ ଜୀବନଯାତ୍ରା ଦେଖି ତାଙ୍କ ଅତୀତ ସମ୍ପର୍କରେ କେହି ଠିକ୍‌ ଧାରଣା କରିପାରୁ ନଥିଲେ । ରଙ୍ଗା ରାଓ ରାୟଗଡ଼ାରେ ଥିଲାବେଳେ ତାଙ୍କ ଘରକୁ ସମ୍ବଲପୁରର ରେଭିନ୍ୟୁ କମିଶନର ଏବଂ ଅନ୍ୟାନ୍ୟ ଜିଲ୍ଲା ଅଫିସର୍‌ ନବବର୍ଷ, ବଡ଼ଦିନ ବା ପୋଙ୍ଗଲ୍‌ ମକର ସଂକ୍ରାନ୍ତି ମନାଇବା ପାଇଁ ଆସୁଥିଲେ । ସମ୍ଭ୍ରାନ୍ତ ଆଦବକାଇଦା ତାଙ୍କ ବେଶ୍‌ ଜଣାଥିଲା ଏବଂ ତାଙ୍କ ଘରେ ସାହେବୀ ଆଦବକାଇଦା ଚଳୁଥିଲା । ଥରେ ସେ ଓଡ଼ିଶାର ଅର୍ଥମନ୍ତ୍ରୀ ଓ ବଲାଙ୍ଗୀରର ମହାରାଜା, ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ଚା’ ପାନ ପାଇଁ ନିଜ ଘରକୁ ଆମନ୍ତ୍ରଣ କରିଥିଲେ । ଆମେ ମଧ୍ୟ ନିମନ୍ତ୍ରିତ ହୋଇ ଯାଇଥଲୁ । ଏସ୍‌.ଡ଼ି.ଓ. ସବୁ, ଡ଼ିଭିଜନାଲ୍‌ ପୋଲିସ୍‌ ଅଫିସର୍‌, ବ୍ୟବସାୟୀ ସଂଘର ସଭାପତି ଓ ସମ୍ପାଦକ ପ୍ରଭୃତି ଆଉ କେତେଜଣ ବିଶିଷ୍ଟ ଲୋକ ଆମନ୍ତ୍ରିତ ହୋଇ ଚା’ ଭୋଜିରେ ଯୋଗଦାନ କରିଥଲେ । ପ୍ରଥମେ ଚିକେନ ସୁପ୍‌ ପରିବେଷଣ କରାଗଲା । ତା’ପରେ ଚିକେନ୍‌ ସାଣ୍ଡଉଇଟ୍‌, ପକୋଡ଼ା, କେକ୍‌ ଏବଂ କାଜୁ ବାଦାମ ପରଷା ଯାଇଥଲା । ଶେଷରେ ଚା’ ବା କଫି । ଏହାକୁ ହାଇ ଟି କୁହାଯାଇପାରେ । ସାତକଡ଼ିବାବୁ ଏବଂ ଡ଼ାହାଣ ପାଖରେ ବ୍ୟବସାୟୀ ସଂଘର ସମ୍ପାଦକ ଓ ସଭାପତି ବସିଥିଲେ ।

 

ସେଦିନ ଏକାଦଶୀ ଥିବାରୁ ସଭାପତି କିଛି ଖାଇଲେ ନାହିଁ । କିନ୍ତୁ ସମ୍ପାଦକ ଚିକେନ୍‌ ସୁପ୍‌ ଖାଇସାରି ତାହା ଅତି ସୁସ୍ୱାଦୁ ହୋଇଥିବାରୁ ଏହା କିପରି ହୋଇଥିଲା ବୋଲି ପଚାରିଲେ । ଚିକେନ (ମୂର୍ଗୀ)ରୁ ଏହି ସୁପ୍‌ ତିଆରି ହୁଏ ବୋଲି ଶୁଣି ସେ ଜିଭ ବାହାର କରି କହିଲେ - ମୋର ସତ୍ୟାନାସ ହୋଇଗଲା । ମୋତେ ଆପଣମାନେ ମୁର୍ଗୀ ଖୁଆଇଦେଲେ । ମୁଁ ଶାକାହାରୀ । ପ୍ରବଳ ହାସ୍ୟରୋଳ ମଧ୍ୟରେ ବ୍ୟବସାୟୀ ସଂଗ୍ରହ ସଭାପତି ଗମ୍ଭୀର ହୋଇଯାଇ କହିଲେ- ’ତୁମକୁ ଚଉଦ ଦିନ ବ୍ରତ ପାଳନ କରିବା ପାଇଁ ପଡ଼ିବ । ତା’ ପରେ ପଞ୍ଚାମୃତ ଖାଇ ତୁମର ସଂସ୍କାର କରାଯିବ । ଏହାପରେ ତୁମେ ସମାଜରେ ଚଳିବ । ତା ପୂର୍ବରୁ ନୁହେଁ ।’

 

ସେତେବେଳେ ଏହିପରି ସାମାଜିକ କୁସଂସ୍କାର ରହିଥିଲା । ଭୁଲରେ ମଧ୍ୟ କେହି ଶାକାହାରୀ ବ୍ୟବସାୟୀ (ମାରୁଆଡ଼ି) ଯଦି ଅଖାଦ୍ୟ ଖାଇଦେଲା ତେବେ ତା’ର ସଂସ୍କାର କରାଯାଉଥିଲା । ଆମ ଘରେ ଚାରବାଟିଆ ନାମରେ ଜଣେ ଟ୍ରଲିମେନ୍‌ ଥିଲା ଏବଂ ସେ ଗୁଣିଗାରେଡ଼ି ସମ୍ପର୍କରେ ତାଙ୍କ ଗାଁରେ ଘଟୁଥିବା ବିଭିନ୍ନ ଘଟଣା ସମ୍ବନ୍ଧରେ ଗପୁଥିଲା । କାହାକୁ ରୋଗ ଵଇରାଗ ହେଲେ ପ୍ରଥମେ ଡ଼ାହାଣୀ ଚିରୁଗୁଣୀ ଲାଗିଛି ଭାବି ଗୁଣିଆକୁ ଡ଼କା ହେଉଥଲା ଝାଡ଼ିବା ଫୁଙ୍କିବା ପାଇଁ । ଏହିପରି ଥରେ ତା’ଝିଅ ବେମାର ପଡ଼ିବାରୁ ସେ ଗୁଣିଆ ଡ଼ାକି ଯେତେ ଝଡ଼ାଫୁଙ୍କା କଲେ ମଧ୍ୟ ତାହା ଭଲ ନହେବାରୁ ରେଳବାଇ ଡ଼ାକ୍ତର ମୁଖାର୍ଜୀ ତା’ର ଚିକିତ୍ସା କରିଥିଲେ । ରୋଗ ହେଲେ ଗାଁର ଲୋକମାନେ ଚିକିତ୍ସା ସୁବିଧା ଗ୍ରହଣ ନକରି ଗୁଣିଆ ଓ ଅଧିଆ ପଡ଼ିବା ଉପରେ ନିର୍ଭର କରୁଥିବାର ବେଳେ ବେଳେ ଅଘଟଣ ମଧ୍ୟ ଘଟୁଥିଲା । ସେ ଅଞ୍ଚଳର ସ୍ଵାକ୍ଷର ସଂଖ୍ୟା ଦଶ ପ୍ରତିଶତରୁ କମ୍‌ ଥିଲା ଏବଂ ଆମ ପାଖରେ ଥିବା ଭଦିଆ, ଚାରିବାଟିଆ, ଧନୁ କେହି ଲେଖାପଢ଼ା ଜାଣିନଥିଲେ । ଯଦିବା ସେମାନେ ରେଳବାଇରେ ଚାକିରି କରୁଥିଲେ । ରେଳବାଇର ଅଧିକାଂଶ ଗ୍ୟାଙ୍ଗ କୁଲି ଏବଂ ଦୈହିକ ଶ୍ରମ କରୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ନିରକ୍ଷର ଥିଲେ । ଏହି କାରଣରୁ ମହାଜନ ଓ ବ୍ୟବସାୟୀମାନେ ସେମାନଙ୍କୁ ବିଭିନ୍ନ ଭାବେ ଠକୁଥିଲେ ଏବଂ ଶୋଷଣ କରୁଥଲେ । ଚାଳିଶ ବର୍ଷ ପରେ ମଧ୍ୟ ଏହି ଅବସ୍ଥାର ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ ଯଦିବା ସ୍ଵାକ୍ଷର ସଂଖ୍ୟା ପଚିଶ ତିରିଶକୁ ଉଠିଥିବ ।

 

ଟିଟିଲାଗଡ଼ରେ ଡ଼ାକ୍ତର ମୁଖାର୍ଜୀ ରେଳବାଇ ଡ଼ାକ୍ତର ଭାବରେ କାର୍ଯ୍ୟ ତୁଲାଉଥିଲେ। ତାଙ୍କ ପରି ଅଯୋଗ୍ୟ ଡ଼ାକ୍ତର ମୁଁ ଜୀବନରେ କେବେହେଲେ ଦେଖିନାହିଁ । ଯିଏ କେହି ତାଙ୍କ ଚିକିତ୍ସା ପାଇଁ ଆସୁଥଲା ତାଙ୍କ କବଳରୁ ଆଉ ନିସ୍ତାର ପାଉନଥିଲା । ଗୋଟିଏ ଡେଲିଭରି କେସ୍‌ରେ ସେ ଡ଼ାକ୍ତରୀ ବହି ଦେଖି ସନ୍ତାନ ପ୍ରସବ କରିବାର ବେଳକୁ ମାର ମୁତ୍ୟୁ ହେଲା । ତଥାପି ସେଠାକାର ଲୋକମାନେ ଏତେ ସରଳ ଏବଂ ନିରୀହ ଯେ କିଛି କହିଲେ ନାହିଁ ବରଂ ଡ଼ାକ୍ତରଙ୍କୁ ଅସୁର ବୋଲି କଥା ପ୍ରଚାରିତ ହୋଇଯାଇଥିଲା । ଚିଟିଲାଗଡ଼ରେ ରେଳବାଇ ଅଫିସ୍‌ ଥିବାରୁ କିଛି ସଂଖ୍ୟକ ଓଡ଼ିଆ ଚତୁର୍ଥ କର୍ମଚାରୀ ଭାବେ ନିଯୁକ୍ତି ପାଇବା ସୁଯୋଗ ଥିଲା ବିଜୟନଗରମ୍‌ ଠାରୁ ରାୟପୁର ମଧ୍ୟରେ ଜଣେ ମାତ୍ର ତୃତୀୟ କର୍ମଚାରୀ ସୁଦର୍ଶନ ଦାସ କେସିଙ୍ଗା ଷ୍ଟେସନରେ ମାଲବାବୁ ଭାବେ କାର୍ଯ୍ୟ କରୁଥିଲେ । ପରେ ତାଙ୍କର ବଡ଼ପୁଅ କମଳାକାନ୍ତ ଦାସ ଟିଟିଲାଗଡ଼ରେ ଟିକେଟ କଲେକ୍ଟର ପଦରେ ନିଯୁକ୍ତ ହେଲେ । ରେଳବାଇ ସଂସ୍ଥାରେ ପ୍ରାୟ ପନ୍ଦର ଷୋହଳ ଲକ୍ଷ କର୍ମଚାରୀ କାର୍ଯ୍ୟ କରନ୍ତି । ସେମାନଙ୍କ ମଧ୍ୟରୁ ଦଶ ବାର ହଜାର ଅଫିସରଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ । ଏତେ ବିପୁଳ ସଂଖ୍ୟକ ରେଳକର୍ମଚାରୀଙ୍କ ମଧ୍ୟରେ ସେତେବେଳେ ଓଡ଼ିଆଙ୍କ ସଂଖ୍ୟା ମାତ୍ର ଦୁଇ ତିନି ହଜାରରୁ ବେଶୀ ହେବନାହିଁ । ଏବେ ସେହି ସଂଖ୍ୟା ଅନେକ ବଢ଼ିଛି ସତ କିନ୍ତୁ ରେଳବାଇ ନିଯୁକ୍ତି ବହୁ ବର୍ଷ ଧରି ଅଫିସର୍‌ମାନଙ୍କ ମର୍ଜି ଉପରେ ନିର୍ଭର କରୁଥିବାରୁ ନିଜ ଅଞ୍ଚଳର ଲୋକମାନଙ୍କୁ ନିଯୁକ୍ତି ଦେଉଥିଲେ । ଓଡ଼ିଆ ଅଫିସର ବା ସୁପରଭାଇଜରଙ୍କ ସଂଖ୍ୟା ନଗଣ୍ୟ ଥିବାରୁ ଓଡ଼ିଆମାନଙ୍କୁ ନିଯୁକ୍ତି ଦେବା ସୁବିଧା ନଥିଲା । ଆମେ ଟିଟିଲାଗଡ଼ରେ ଅଢ଼େଇବର୍ଷ ରହିଥିଲୁ । ସେହି ସମୟ ମଧ୍ୟରେ ମୋ ପାଖକୁ ଯେତେ ଜଣ ସାଧାରଣ ଓଡ଼ିଆ ଗୁହାରି କରିବା ପାଇଁ ଆସିଛନ୍ତି ସେମାନଙ୍କୁ ଅଫିସରମାନଙ୍କୁ କହି ମୁଁ ରେଳବାଇରେ ଭର୍ତ୍ତି କରିଦେଇଥଲି । ଏବେବି କେତେକ ଚାକିରିରେ ଅଛନ୍ତି କାରଣ ସେମାନେ ଅଠର ବର୍ଷରେ ଚାକିରିରେ ଭର୍ତ୍ତି ହୋଇ ଅଠାବନ ବର୍ଷରେ ଅବସର ନେଉଥିବାରୁ ପ୍ରାୟ ଚାଳିଶ ବର୍ଷ କାର୍ଯ୍ୟ କରୁଥିଲେ ।

 

ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ଗରିବ ଲୋକମାନଙ୍କ ମଧ୍ୟରେ ନିଶା ଭାଙ୍ଗ ବେଶ୍‌ ପ୍ରଚଳିତ ଥିଲା । ହାଣ୍ଡିଆ, ମଦ, ଗଞ୍ଜେଇ ପ୍ରଭୃତି ପ୍ରଲୋଭନ ଦେଖାଇ ମହାଜନମାନେ ଗରିବ ଲୋକଙ୍କଠାରୁ ସେମାନଙ୍କର ଚାଷ ଜମିରୁ ଉତ୍ପାଦିତ ଶସ୍ୟ କିଣିଦେବା ପାଇଁ ଆଗୁଆ ପଇସା ଦେଉଥିଲେ । ଏହାଦ୍ଵାରା ଗାଁ ଗହଳିରେ ଲୋକମାନେ ଋଣଭାରରେ ପୋତିହୋଇ ପଡ଼ୁଥିଲେ ଏବଂ ସେଥିରୁ ମୁକ୍ତି ପାଇବା ଉପାୟ ନଥିଲା । ସେ ଅଞ୍ଚଳରେ ଜଳସେଚନର ସୁବିଧା ନଥିବାରୁ ବର୍ଷାପାଣି ଉପରେ ନିର୍ଭର କରି ଚାଷକାମ ହେଉଥଲା । ତେଣୁ କେବଳ ଧାନଚାଷ ଉପରେ ଲୋକମାନେ ନିର୍ଭର କରୁଥିଲେ । ଅନ୍ୟାନ୍ୟ ଧନ୍ଦା କରିବାର ବିଶେଷ ସୁବିଧା ନଥିଲା । ପିଇବା ପାଣିର ସୁବିଧା ସବୁ ଗାଁରେ ନଥିଲା । ସବୁ ଗାଁରେ ପାଠ ପଢ଼ିବାର ସୁବିଧା ବା ଆଖପାଖରେ ଚିକିତ୍ସା ସୁବିଧା ଆଦୌ ନଥିଲା । ଏହି ଅବସ୍ଥାରେ ଯେ କିଛି ପରିବର୍ତ୍ତନ ହୋଇନାହିଁ ତାହା ନୁହେଁ । କିନ୍ତୁ ଗାଁ ଗହଳିର ଅବସ୍ଥାରେ ଆଖି ଦୃଶିଆ ପରିବର୍ତ୍ତନ ହୋଇନାହିଁ କିମ୍ବା ଲୋକମାନଙ୍କୁ କାମ ଯୋଗାଇ ଦେବାପାଇଁ ସଫଳ ଉଦ୍ୟମ ହୋଇନାହିଁ । ଶିକ୍ଷାର ପ୍ରସାର ହୋଇଛି । କେତେ ଗାଁକୁ ରାସ୍ତା ମଧ୍ୟ ପଡ଼ିଛି । ଆମେ ସେଠାରେ ଥିଲାବେଳେ ଯେଉଁ ଅଫିସର୍‌ମାନେ ଉପକୂଳ ଅଞ୍ଚଳରୁ ଯାଇ ସେ ଅଞ୍ଚଳରେ କାର୍ଯ୍ୟ କରୁଥିଲେ । ସେମାନେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନଦେଇ ନିଜ ଅଞ୍ଚଳର ଲୋକମାନଙ୍କୁ ସରକାରୀ । କାର୍ଯ୍ୟରେ ନିଯୁକ୍ତି ଦେଉଥିବାରୁ ଅସନ୍ତୋଷ ବ୍ୟାପୁଥିଲା । ଏହି ଧାରା ଦୀର୍ଘଦିନ ରହିବା ଧରେ ଲୋକମାନଙ୍କ ମନରେ ବିଚ୍ଛିନ୍ନତାବୋଧ ଜାତ ହେବାର ମୁଁ ଅନୁମାନ କରେ । ଆମେ ଥିବା ସମୟରେ ଲୋକମାନଙ୍କୁ ଆପଣାର କରିବା ପାଇଁ ଓ ଯଥାସମ୍ଭବ ସେମାନଙ୍କୁ ନିଯୁକ୍ତି ଦେବାପାଇଁ କାର୍ଯ୍ୟ କରିଥିବାରୁ ଏବେ ମଧ୍ୟ ସେ ଅଞ୍ଚଳକୁ ଗଲେ ଲୋକମାନଙ୍କର ସ୍ଵେହ ଆଦର ପ୍ରଚୁର ଭାବରେ ମିଳିଥାଏ ।

Image

 

ଟିଟିଲାଗଡ଼ରେ ଅଢ଼େଇବର୍ଷ (୩)

 

ଟିଟିଲା ଗଡ଼ରେ ରହିବା ସମୟରେ ମୁଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳ ଦେଖିବାର ଓ ସେଠାକାର ଲୋକମାନଙ୍କ ସଂପର୍କରେ ଆସିବାର ସୁଯୋଗ ପାଇଥିଲି । କଳାହାଣ୍ଡି, ବଲାଙ୍ଗିର, କୋରାପୁଟ ଓ ସମ୍ବଲପୁର ଜିଲ୍ଲାର ବିସ୍ତୃତ ଅଞ୍ଚଳକୁ ମୁଁ ଯାଇଛି । କିନ୍ତୁ ଆୟତନରେ ଓଡ଼ିଶାର ପ୍ରାୟ ଅଧେ ଅଞ୍ଚଳ ପଶ୍ଚିମ ଓଡ଼ିଶା ମାଡ଼ି ବସିଥିଲେ ମଧ୍ୟ ଓଡ଼ିଶାର ଶାସନ ଓ ସମାଜରେ ଏହାର ବର୍ଣ୍ଣାଢ଼୍ୟ ସଂସ୍କୃତ, ଜୀବନ୍ତ କଥିତ ଭାଷାର ଶକ୍ତି ଓ ଜୀବନଚର୍ଯ୍ୟା ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ଯେପରି ପ୍ରଭାବ ପକାଇବା କଥା ତାହା ହୋଇନାହିଁ । ପଶ୍ଚିମାଞ୍ଚଳ ଏକଘରିଆ ହୋଇ ରହିଯାଇଛି ନା ଏହି ଅଞ୍ଚଳକୁ ଅଲଗା କରି ରଖାଯାଇଛି ତାହା ବଡ଼ ବଡ଼ ନେତା ଓ ପ୍ରଶାସକ, ବୁଦ୍ଧିଜୀବି ଓ ଲେଖକ ଅନୁଭବ କରୁଥିବା ଦେଖାନାହିଁ । ସରଳ, ନିରୀହ ଲୋକ । ବେଶଭୂଷା ଓ ଚଳଣିରୁ ବାରିହୋଇ ଯାଏ ଦାରିଦ୍ର୍ୟ । କିନ୍ତୁ ସେମାନେ ଅତିଶୀଘ୍ର ଓ ସହଜରେ ପରକୁ ଆପଣାର କରି ନିଅନ୍ତି ବହୁଦିନ ପରେ ହଜି ଯାଇଥିବା ଭାଇକୁ ଖୋଜି ପାଇବା ପରି ।

 

ଥରେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନ ଦେଖିବା ପାଇଁ ସୁଯୋଗ ହୋଇଥଲା । କୋରାପୁଟ ଅଞ୍ଚଳ ଦକ୍ଷିଣ ଓଡ଼ିଶା ସହିତ ସଂପୃକ୍ତ । ବୋଣ୍ଡା, ପରଦା ଓ ଅନ୍ୟାନ୍ୟ ଆଦିବାସୀମାନଙ୍କର ଲୀଳାଭୂମି କୋରାପୁଟ । କୋରାପୁଟ ଜିଲ୍ଲାର ମାଲକାନାଗିରୀ ଅଞ୍ଚଳରେ ଏବଂ ମଧ୍ୟପ୍ରଦେଶର ବସ୍ତରେ ଜିଲ୍ଲାରେ ପୂର୍ବବଙ୍ଗର ଶରଣାର୍ଥୀମାନଙ୍କୁ ଆଶ୍ରୟ ଦଆଯାଉଥାଏ । ନଦୀ ମାତୃକା ପୂର୍ବବଙ୍ଗର ପରିବେଶ କୋରାପୁଟ ବା ବସ୍ତରେ ନାହିଁ ସତ, କିନ୍ତୁ ବିସ୍ତୃତ ଅରଣ୍ୟ ଓ ପତିତ କମି ଥିବାରୁ ସେମାନଙ୍କୁ ଥଇଥାନ କରିବାର ଓ ସୁବଧା ଥିବା ଭାବି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହାୟତାରେ କେତେ ହଜାର ଶରଣାର୍ଥୀଙ୍କର ବସବାସ ପାଇଁ ସୁବଧା କରି ଦେଇଥିଲେ କୋରାପୁଟ ବା ବସ୍ତର ଜିଲ୍ଲାରେ । ଏହି ଇଲାକା ରାମାୟଣ ବର୍ଣ୍ଣିତ ଦଣ୍ଡକାରଣ୍ୟ ଥିବାରୁ ସେହି ନାମରେ ଯୋଜନାର ନାମକରଣ କରାଯାଇଥିଲା । ସେତେବେଳେ ରାୟଗଡ଼ା ଷ୍ଟେସନରୁ କୋରାପୁଟ ଯିବା ପାଇଁ ଭଲ ରାସ୍ତା ନଥିଲା । ତେଣୁ ଆନ୍ଧ୍ରର ବୋବିଲ ଦେଇ ସାଲୁର ଯାଇ ସେଠାରୁ ପଟାଙ୍ଗି ବାଟ ଦେଇ କୋରାପୁଟ ଗଲୁ ସଡ଼କ ପଥରେ । ବାଟରେ ମୁଁକି ପାହାଡ଼ । ଚୂନପଥର ଖଣି ପାଇଁ ପ୍ରସିଦ୍ଧ । କୋରାପୁଟର ରୂପ ଦେଖି ମୋହିତ ହେଲି । ବିସ୍ତୃତ ସବୁଜ ଅରଣ୍ୟ । ପାହଡ଼କୁ ଲାଗି ପାହାଡ଼ । କୋଳ ଘଷି ବସିଥିବା ପରି ଦିଶେ ଦୂରରୁ । ପାହାଡ଼ ଉପରେ ଧଳା ଧଳା ମେଘ । ଘାଟି ପରେ ଘାଟି ପାର ହେବାକୁ ହୁଏ । ବାଟରେ ଚା’ ଦୋକାନଟିଏ ବି ନଥାଏ । ଆମେ ସାଲୁରରୁ ବାହାରି ଆନ୍ଧ୍ରା ବାଟ ଦେଇ ପଟାଙ୍ଗୀରେ ପହଞ୍ଚି ସେଠାରୁ ଗଲୁ କୋରାପୁଟ ଏବଂ କୋରାପୁଟରୁ ଜୟପୁର । ଜୟପୁର ମହାରାଜାଙ୍କ ଅତିଥି ଭବନରେ ଆମର ରହିବା ବ୍ୟବସ୍ଥା କରଯାଇଥଲା । ସେତେବେଳେ କୋରାପୁଟ ଦେଇ ରେଳପଥ ନିର୍ମାଣ କରାଯାଇନଥିଲା । ଆନ୍ଧ୍ରାର ଓ୍ୱାଲ୍‌ଟିୟର ପାଖ ଷ୍ଟେସନ କୋଟ୍ଟାଭାଲ୍‌ସଠାରୁ ଆଗକୁ ଉପତ୍ୟକା ଦେଇ କୋରାପୁଟ, ଜୟପୁର ଦେଇ ମଧ୍ୟପ୍ରଦେଶର କରିଣ୍ଡୁଲ ଖଣି ଅଞ୍ଚଳ ପର୍ଯ୍ୟନ୍ତ ରେଳପଥ ୧୯୬୦-୬୪ ବେଳକୁ ନିର୍ମିତ ହେଲା । କୋରାପୁଟ ରାୟଗଡ଼ା ରେଳପଥର ନିର୍ମାଣ କାର୍ଯ୍ୟ ଶେଷ ହେଲା ୧୯୯୭ରେ । ରେଳପଥ ନଥିବା କୋରାପୁଟ ସହିତ ସାଲୁର ରେଳଷ୍ଟେସନର ସଡ଼କ ପଥଦେଇ ସଂଯୋଗ ଥିବାରୁ କୋରାପୁଟକୁ ଆସୁଥିବା ମାଲ୍‌ ସାଲୁରଠାରୁ ଟ୍ରକ୍‌ ଯୋଗେ କୋରାପୁଟ ଆଉଟ୍‌ ଏଜେନ୍ସିକୁ ନିଆଯାଉଥି‌ଲା । ଏହି କାମ କରିବା ପାଇଁ ପାଟନୀ ଟ୍ରାନ୍ସପୋର୍ଟ କମ୍ପାନୀ ନିଯୁକ୍ତ ହୋଇଥିଲା । ସେହିପରି କୋରାପୁଟ ସହିତ ସଡ଼କ ପଥରେ ସଂଯୁକ୍ତ ଥିବାରୁ ସେଠାକୁ ରେଳ ଦ୍ଵାରା ଆସୁଥିବା ମାଲ ସାଲୁର ଷ୍ଟେସନରୁ ସଡ଼କ ପଥରେ ଟ୍ରକ୍‌ ଯୋଗେ ଯାଉଥିଲା । କୋରାପୁଟ ଓ ଜଗଦଳପୁର ଆଉଟ୍‌ ଏଜେନ୍ସି ଅଫିସ୍‌ ସାତକଡ଼ି ବାବୁଙ୍କ ଅଧିନରେ କାର୍ଯ୍ୟ କରୁଥିବାରୁ ସେ ସରକାରୀ ଗସ୍ତରେ ଯାଇଥିଲେ ।

 

କୋରାପୂଟ ଆଉଟ୍‌ ଏଜେନ୍ସି ଦେଖିସାରି ଆମେ ଜୟପୁର ଠାରେ ପହଂଚିଲୁ । ଦିନ ଗୋଟେ ବେଳକୁ ଆମ ସହିତ ଥିଲେ ମୋ ଅଢ଼େଇବର୍ଷର ଝିଅ ସୌମ୍ୟା ଓ ଛଅମାସର ପୁଅ ସଂଜୀବ । ଟିଟିଲାଗଡ଼ର ମାଲବାବୁ ଜି.ଏସ୍‌.ରାଓ. ଷ୍ଟେନୋଗ୍ରାଫର ସଙ୍ଗମେଶ୍ଵର ରାଓ ଓ ଟ୍ରାଫିକ୍‌ ଇନିସ୍‌ପେକ୍ଟର ଥିଲେ । ଜୟପୁର ଅତିଥିଭବନରେ ରାଜକୀୟ ବ୍ୟବସ୍ଥା । ଆମେ ଆରାମରେ ରହିଲୁ ସେପଟେ । ପାଟନୀ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜର ପ୍ରସ୍ତାବ କଲେ ଡ଼ୁଡ଼ୁମା ଯାଇ ବୁଲି ଆସିବା ପାଇଁ । ସେତେବେଳକୁ ଡ଼ୁଡୁମା ଜଳପ୍ରପାତରୁ ପଡ଼ୁଥିବା ପାଣିରୁ ବିଜୁଳିଶକ୍ତି ବାହାର କରିବା ପାଇଁ ଜଳବିଦ୍ୟୁତ ଉତ୍ପାଦନ ସ୍ଥାପନ ହେଇଥାଏ । ଭୂପୃଷ୍ଠରୁ ବାରଶହ ଫୁଟ ତଳେ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର । ରେଳପଥ ଉପରଦେଇ ଭଇଁଚ ଚାଳିତ ଟ୍ରଲିରେ ବସି ତଳକୁ ଯିବାକୁ ହୁଏ । ଭଇଁଚ ସାହାଯ୍ୟରେ ତାହାର ଗତିସୁରକ୍ଷିତ କରାଯାଏ । ପ୍ରଥମେ ପୁଅ । ଝିଅକୁ ନେଇ ସେଥିରେ ବସିଯିବାକୁ ସାତକଡ଼ିବାବୁ ଭୟ କରୁଥିଲେ କିନ୍ତୁ ଏତେବାଟ ଆସି ଡ଼ୁଡ଼ୁମା ନଦେଖି ଫେରିଯିବା ପାଇ ଆଦୌ ଇଚ୍ଛା ନଥିଲା ମୋର । ବାଧ୍ୟକଲି ସମସ୍ତଙ୍କୁ ଆମକୁ ତଳକୁ ନେବା ପାଇଁ । ଟ୍ରଲିରେ ବସିଯିବା ବେଳେ ଓ ଉଠିବା ବେଳ ତଳକୁ ଚାହିଁ ମଥା ଘୂରିଯାଉଥାଏ, କିଛି ବାଡ଼ ଜାବୁଡ଼ି ଧରି ବସିଥାଉ । ତଳେ ପହଂଚିବା ପାଓ୍ୱାର ହାଉସ୍‌ ଇଂଜିନିଅର ଉପରୁ ପଡ଼ୁଥିବା ଜଳପ୍ରପାତକୁ ଚକ ଉପରେ ପକାଇ କିପରି ସେଥିରୁ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରାଯାଏ ତାହା ଦେଖାଇ ଦେଇଥିଲେ । ସାହସ କରି ବିପଦସଙ୍କୁଳ ପଥରେ ଆସିଥିବାର କଷ୍ଟ ମନରୁ ଲିଭିଗଲା କ୍ଷଣକେ ଏବଂ ଜଳବିଦ୍ୟୁତ କେନ୍ଦ୍ର ଦେଖି ମନ ଉଲ୍ଲସିତ ହୋଇ ଉଠିଲା ।

 

ଜୟପୁରରେ ଦିନେ ବିଶ୍ରାମକରି ମଧ୍ୟପ୍ରଦେଶ ବସ୍ତର ଜିଲ୍ଲା ସଦର ମହକୁମା ଜଗଦଲପୁର ଗଲୁ । ସେଠାକୁ ଯିବା ରାସ୍ତାରେ ଚିତ୍ରକୋଣ୍ଡାଠାରେ ଆହୁରି ଗୋଟିଏ ମନୋରମ ଜଳପ୍ରପାତ ଦେଖ୍‌ଲୁ । ଜଗଦଲପୁର କାଠ କାମ ପାଇ ପ୍ରସିଦ୍ଧ । ଏଠାରେ ବସ୍ତର ରାଜାଙ୍କର ଇଷ୍ଟଦେବୀ ଦନ୍ତେଶ୍ଵରୀଙ୍କ ମନ୍ଦିର । ମୟୂରଭଞ୍ଜ ରାଜବଂଶର ଶ୍ୱଶୁର ଜ୍ୱାଇଁ ସଂପର୍କ । ମୟୂରଭଞ୍ଜ ମହାରାଜାଙ୍କ କକାପୁଅ ଭାଇ ପ୍ରଫୁଲ୍ଲ ଭଞ୍ଜ ବସ୍ତର ରାଜକନ୍ୟାଙ୍କୁ ବିବାହ କରି ଦନ୍ତେଶ୍ଵରୀଙ୍କୁ ତନ୍ତ୍ରମତରେ ପୂଜାର୍ଚ୍ଚନା କରୁଥିଲେ ।

 

ଜଗଦଲପୁରକୁ ଯିବା ବାଟରେ ଘନ ଜଙ୍ଗଲ ଓ ମଧ୍ୟେ ମଧ୍ୟେ ସ୍ଥାନୀୟ ଆଦିବାସୀଙ୍କୁ ଦେଖି ମନ ପୁଲକିତ ହେଉଥାଏ । କୋରାପୁଟ ଜିଲ୍ଲା ଯୋଗାଯୋଗ ଅଭାବରୁ ଅନେକ କାଳ ଅଗମ୍ୟ ହୋଇ ରହିଥିଲା । ତେଣୁ ଶିଳ୍ପ ବା ସହର ଗଢ଼ି ଉଠି ନଥିଲା । ମ୍ୟାଲେରିଆର ପ୍ରକୋପକୁ ଭୟ କରି ସେଠାକୁ ଯିବାକୁ କେହି ଇଚ୍ଛା କରୁନଥିଲେ । ସ୍ଥାନୀୟ ଲୋକମାନେ ଆଧୁନିକ ସହରୀ ସଭ୍ୟତା ଓ ଚଳଣିଠାରୁ ଦୂରରେ ଥିଲେ । ନିଜର ଆବଶ୍ୟକତା ଥିଲା ଅତି ଅଳ୍ପ । ସେଥିପାଇଁ ଟିକେ ପାଇ ସନ୍ତୁଷ୍ଟ ହେଉଥିଲେ । କୋରାପୁଟର ଅରଣ୍ୟ, ପାହାଡ଼ ପର୍ବତ ଓ ଉପତ୍ୟକାର ମନୋରମ ରୂପ ଓ ଆଦିବାସୀମାନଙ୍କର ନଗ୍ନ ସରଳ ରୂପ ଦେଖୁବାର ସୁଯୋଗ ପାଇ ମୁଁ ମନେ ମନେ ସେମାନଙ୍କୁ ତୁଳନା କରୁଥିଲି ମୋ ଜିଲ୍ଲା ମୟୂରଭଞ୍ଜର ସାନ୍ତାଳ, କୋହ୍ଲ ଓ ଅନ୍ୟାନ୍ୟ ଆଦିବାସୀମାନଙ୍କ ସହିତ । ଭାରତ ଏତେ ବିରାଟ ଏବଂ ଲୋକମାନଙ୍କ ଚଳଣିରେ ଏତେ ବିଭିନ୍ନତା ସତ୍ତ୍ଵେ ହାତରେ, ଗୁନ୍ଥା ହୋଇଥିବା ବିଭିନ୍ନ ରଙ୍ଗର ଫୁଲପରି ଏକତ୍ୱର ବନ୍ଧନରେ ସମସ୍ତେ ବନ୍ଧା ଯୁଗ ଯୁଗ ଧରି । ଏଇତ ଭାରତ ଓ ଓଡ଼ିଶାର ବିଶେଷତ୍ଵ । ବିବିଧତା ମଧ୍ୟରେ ଏକତାର ସ୍ଵର ଶୁଣି ନ ପାରୁଥିବା ବ୍ୟକ୍ତି ଭାରତକୁ ବା ଓଡ଼ିଶାକୁ ଚିହ୍ନି ପାରିବ ନାହିଁ କି ସମସ୍ତଙ୍କୁ ଆଦର କରିପାରିବ ନାହିଁ ।

 

କିନ୍ତୁ ପଶ୍ଚିମାଞ୍ଚଳର ଚଳଣିରେ ଏଇ ବୈଚିତ୍ର୍ୟ ଓ ବିବିଧତା ସହିତ ଉପକୂଳ ଓଡ଼ିଶା ପରିଚିତ ହୋଇ ନଥିବାରୁ ସେମାନେ ଅଲଗା ହେବା ପରି ଗୋଟିଏ ପାଖରେ ରହିଯାଇଛନ୍ତି । ସେମାନଙ୍କର ଭାଷା, ଚଳଣି, ସଂଗୀତ, ନୃତ୍ୟ ଖାଦ୍ୟ ଓ ପରିଧାନର ବିଶେଷତ୍ଵ ଆପଣେଇ ନେଇଥିଲେ ଆଜି ଦେଖାଯାଉଥବା ବିଚ୍ଛିନ୍ନତା ବୋଧ ଆଦୌ ସଷ୍ଟି ହୋଇ ନଥାନ୍ତା । ଟିଟିଲାଗଡ଼ରେ ମୋର ମଝିଆ ପୁଅ ରାଜୀବର ଜନ୍ମ ତା ଜନ୍ମର ଠିକ୍‌ ଏଗାରଦିନ ପରେ ସାତକଡ଼ି ବାବୁଙ୍କ ବଦଳି ହୁଏ ଆସାମ । ତିନୋଟି ଛୋଟ ଶିଶୁ ଓ ଦଶ ବର୍ଷର ଭାଣିଜୀକୁ ନେଇ ମୁଁ ରହିଲି ବଙ୍ଗଳାରେ । ମଝିଆ ପୁଅକୁ ହେଲା ନିମୋନିଆ । ବଡ଼ପୁଅକୁ ହେଲା ରକ୍ତଝାଡ଼ା । କଥାରେ କହଁନ୍ତି ବିପଦ ଯେତେବେଳେ ଆସେ ସାଙ୍ଗ ସାଥୀ ନେଇ ଆସେ । ଅସଲ କଥା ଏହି ଯେ, ଆସାମର ଗୌହାଟୀ ସହରକୁ ବଦଳି ହୋଇଥିଲା ଆଉଜଣେ ଅଫିସର ଚକ୍ରବର୍ତ୍ତୀ ରାଜ ଗୋପାଳାଚାରୀଙ୍କର-। ସେ ତାମିଲ୍‌ । ବଡ଼ ବଡ଼ ଅଫିସର ଲାଗିପଡ଼ି ତାଙ୍କ ଵଦଳି ବାତିଲ କରି ତାଙ୍କ ସ୍ଥାନରେ ସାତକଡ଼ି ବାବୁଙ୍କୁ ବାଧ୍ୟ କଲେ ଗୌହାଟୀରେ ଜଏନ୍ କରିବା ପାଇଁ । ଛୁଟି ମଧ୍ୟ ମଞ୍ଜୁର ହେଲା ନାହିଁ । ସାହାଭରସ। ପାଇଁ କେବଳ ହରି ଭରସା । ମୁଁ ପିଲାମାନଙ୍କୁ ନେଇ ରହିଲି ଚିଟିଲାଗଡ଼ରେ । ଡାକ୍ତର ମୁଖାର୍ଜୀଙ୍କ ସ୍ଥାନରେ ସେତେବେଳକୁ ଆସିଥାନ୍ତି ଡାକ୍ତର ଏସ୍‌.ଏସ୍‌. ବାନାର୍ଜୀ । ଦକ୍ଷ ଡାକ୍ତର ତାଙ୍କ ଚେଷ୍ଟାରୁ ଏବଂ ସାତକଡ଼ି ବାବୁଙ୍କ ସ୍ଥାନରେ ଆସିଥବା ଅଫିସର ରାଜ ଗୋପାଳମ୍‌ ଓ ରଙ୍ଗାରାଓ ପ୍ୟାରିସ୍‌ ସାହେବଙ୍କ ସାହାଯ୍ୟରୁ ଦୁଇପୁଅ ଭଲ ହୋଇଗଲେ । ମୁଁ ବାପାଙ୍କୁ ଖବର ଦେଲି । ।

 

ସେ ଓ ମା ଆସି ମାସେ ପରେ ଆମ ସମସ୍ତଙ୍କୁ ନେଇଗଲେ ବାରିପଦା । ମୋ ଜୀବନରେ ମୁଁ ଏଇ ବିପଦ ଭୋଗିଛି ବୋଲି କେହି ପାରିବାରିକ କାରଣରୁ ଛୁଟି ମାଗିଲେ ମୁଁ କହେ ମଞ୍ଜୁର କରିଦିଅ । ସମସ୍ତେ ନିଶ୍ଚୟ ମିଛ କହନ୍ତି ନାହିଁ । କିନ୍ତୁ ଜଣେ ଅଧେ ମିଛ କହିଲେ ମଧ୍ୟ ସତ କହୁଥିବା ଲୋକ ତ ଭାଗ୍ୟକୁ ନିନ୍ଦି ଦୁଃଖ ଭୋଗ କରିବ ନାହିଁ ।

 

ଟିଟିଲାଗଡ଼ର ସ୍ମୃତି ଭୁଲି ନାହିଁ । ଅପାଶୋରା ହୋଇଯାଇଛି ଅନେକ ମୁହଁ, ଅନେକ ପରିଚୟ । ବେଳେବେଳେ ଭାବେ ପରିବାରର ଲୋକ ପରି ସେମାନଙ୍କ କଥା ଯଦି ଆମେ ଭାବି ଥାଆନ୍ତେ ତେବେ ଆଜି ଭାଷା ଓ ସଂସ୍କୃତିକୁ ଆଧାର କରି ସେମାନେ କୋଶଳ ପ୍ରଦେଶ ଦାବି କରୁନଥାନ୍ତେ । ତଥାପି ସମୟ ଅଛି ଭୁଲ ସଂଶୋଧନ କରିବା ପାଇଁ । ସେ ଅଞ୍ଚଳକୁ ପ୍ରାଧାନ୍ୟ ଦେଇ ଉନ୍ନୟନ କାମ କଲେ ଦାରିଦ୍ର୍ୟ ଦୂର ହେବ ଏବଂ ପଶ୍ଚିମାଞ୍ଚଳର ଲୋକଭାଷା ଓ ଲୋକ ସଂସ୍କୃତି ଓଡ଼ିଆ ସହିତ ମିଶାଇ ଦେବା ପାଇଁ ଶ୍ରଦ୍ଧାର ସହିତ ଉଦ୍ୟମ କଲେ ସମସ୍ତେ ଆପଣାର ହୋଇଯିବେ ।

Image

 

ଓଡ଼ିଶାରୁ ଆସାମ

 

ମୋର ମଝିଆଁ ପୁଅ ରାଜୀବ ଜନ୍ମିଥଲା ଟିଟିଲାଗଡ଼ରେ ଜୁଲାଇ ୧୦ ତାରିଖ ୧୯୫୮ମସିହାରେ । ବଡ଼ ପୁଅ ସଂଜୀବ ଜନ୍ମିଥିଲା ଫେବୃୟାରୀ ୨୫ ତାରିଖ ୧୯୫୭ ମସିହାରେ ହାଓଡା ସନ୍ନିକଟବର୍ତ୍ତୀ ସାଲିମାର୍‌ରେ । ବଡ଼ ଝିଅ ସୌମ୍ୟା ବାରିପଦାରେ ଫେବୃୟାରୀ ମାସ ୭ ତାରିଖ ୧୯୫୫ ମସିହାରେ ଜନ୍ମିଥଲା । କିନ୍ତୁ ମଝିଆ ପୁଅର ଜନ୍ମ ପରେ ସେ ଭୀଷଣ ଅସୁସ୍ଥ ଥିବା ସମୟରେ ହଠାତ୍‌ ସାତକଡ଼ି ବାବୁ ବଦଳି ହେଲେ ଗୌହାଟୀକୁ । ସେତେବେଳେ ନୂଆ କରି ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ ଜୋନ୍‌ ସ୍ଥାପନ କରାଯାଇଥାଏ ଏବଂ ଗୌହାଟୀ ସହର ଉପକଣ୍ଠରେ ବ୍ରହ୍ମପୁତ୍ର ନଦୀ ଅନତି ଦୂରରେ ମାଳିଗାଆଁ ଠାରେ ରେଳବାଇ ହେଡ଼୍‌କ୍ୱାର୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏହି ବଦଳି ଆଦେଶ ଅସମୟରେ ବଜ୍ରପାତ ସଦୃଶ ମନେହେଲା । କାରଣ ସେତେବେଳେ ମୋର ବୟସ ଅଳ୍ପ ଏବଂ ମୋ ପାଖରେ ମୋର ଜଣେ ଭାଣିଜୀ ବ୍ୟତୀତ ଆଉ କେହି ନଥଲେ । ସାତକଡ଼ି ବାବୁ ବଦଳି ଆଦେଶ ବାତିଲ୍‌ କରିବା ପାଇଁ ଆବେଦନ କଲେ କିନ୍ତୁ ତାହା ଗୃହୀତ ହେଲାନାହିଁ କିମ୍ବା ତାଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ସମୟ ମଧ୍ୟ ଦିଆଗଲା ନାହିଁ । ବରଂ ଗୌହାଟୀ ନ ଯାଇ ଗୋରଖ ପୁରରେ ଥିବା ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ଏକ ଶାଖା ଅଫିସରେ ଯୋଗ ଦେବାପାଇଁ କୁହାଗଲା । ତାଙ୍କଠାରୁ ଦାୟିତ୍ୱ ନେବାପାଇ ଶ୍ରୀ ରାଜଗୋପାଳନ୍ ଆସି ପହଁଚିଂଲେ । ଆଉ କୌଣସି ଉପାୟ ନ ଦେଖି ସାତକଡ଼ି ବାବୁ କାର୍ଯ୍ୟଭାର ହସ୍ତାନ୍ତର କଲେ । ଡାକ୍ତର ଏସ୍‌.ଏମ୍‌. ବାନାର୍ଜୀ ଓ ଅନ୍ୟାନ୍ୟ ଅଫିସରଙ୍କର ଉପରେ ନିର୍ଭର କରି ମୋତେ ଓ ପିଲାମାନଙ୍କୁ ଟିଟିଲାଗଡ଼ରେ ରଖି ସାତକଡ଼ି ବାବୁ ଗୋରଖପୁର ଚାଲିଗଲେ । ଖୁବ୍‌ ଶୀଘ୍ର ବଡ଼ପୁଅ ମଧ୍ୟ ଅସୁସ୍ଥ ହେଲା । ବାରିପଦାରୁ ବାପା ଆସି ପହଂଚିଲେ ଏବଂ ଟିଟିଲାଗଡ଼ ଛାଡ଼ି ଆମେ ବାରିପଦା ଚାଲିଆସିଲୁ । ପରେ ମୁଁ ଜାଣିଲି ଯେ, ସାତକଡ଼ି ବାବୁଙ୍କ ଗୌହାଟୀ ବା ଗୋରଖପୁର ବଦଳି ହୋଇ ନଥିଲା । ଶ୍ରୀ ଜେ. ରାଜଗୋପାଳଚାରୀଙ୍କ ବଦଳି ହୋଇଥିଲା । କିନ୍ତୁ ଉଚ୍ଚ ପଦରେ ଥିବା ଦୁଇଜଣ ତାମିଲ୍‌ ଅଫିସରଙ୍କୁ ଧରି ସେ ତାଙ୍କର ବଦଳି ଆଦେଶ ବାତିଲ୍‌ କରାଇଦେଲେ । ଆମର କେହି ଜଣାଶୁଣା ନଥିଲେ ବା ଉପର ମହଲରେ କୌଣସି ପ୍ରଭାବ ନଥିଲା । ସେତେବେଳେ ସାତକଡ଼ି ବାବୁ ରେଳବାଇରେ ଜଣେ ମାତ୍ର ଓଡ଼ିଆ ଅଫିସର । କର୍ମ ଆଦରି ଆଦେଶ ଗ୍ରହଣ କରିବା ବ୍ୟତୀତ ଅନ୍ୟ ଗତି ନଥିଲା ।

 

କେତେମାସ ପରେ ସାତକଡ଼ି ବାବୁଙ୍କର ପୁଣି ବଦଳି ହେଲା ଗୋରଖପୁରରୁ ଗୌହାଟୀ-। ଗୌହାଟୀସ୍ଥ ମାଳିଗାଆଁ ଠାରେ ଥିବା ରେଳବାଇ କଲୋନୀରେ ଅଫିସରମାନଙ୍କ ପାଇଁ ନିର୍ମାଣ ହୋଇଥବା ଅସ୍ଥାୟୀ ଘରରୁ ଗୋଟିଏ ବଖରା ଆମକୁ ମିଳିଗଲା । ସିମେଣ୍ଟ ଚଟାଣ ଓ ଉପରେ ଆଜ୍‌ବେଷ୍ଟ ଛାଉଣୀ ବାଉଁଶ ତାଟିର କାନ୍ଥ । ଆସାମରେ ମୁଁ ପହଞ୍ଚିଲି ମାର୍ଚ୍ଚ ମାସରେ । ପ୍ରାୟ ପ୍ରତି ଦିନ ଅପରାହ୍ନ ବା ସନ୍ଧ୍ୟାବେଳେ ବର୍ଷା ହେଉଥିଲା ଏବଂ ପାଗ ସନ୍ତସନ୍ତିଆ ରହୁଥିଲା । ବର୍ଷା ହେଲେ ଉପରୁ ପାଣି ଗଳୁଥିଲା ଏବଂ ତଳେ ବାଲ୍‌ତି ରଖି ବର୍ଷାରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଥିଲି । ଅଫିସରମାନଙ୍କର ସ୍ଥାୟୀ ଗୃହ ନିର୍ମାଣ କାମ ଚାଲିଥାଏ । ତେଣୁ ଏପରି ପ୍ରତିକୂଳ ପରିବେଶ ମଧ୍ୟରେ ରହିବାରୁ ପିଲାମାନଙ୍କର ଦେହ ଭଲ ରହୁନଥାଏ ।

 

ସେତେବେଳେ କଲିକତା ଦେଇ ଗୌହାଟୀ ଯିବା ବାଟ ଅତି ଦୁର୍ଗମ ଥିଲା । କଲିକତାରୁ ଗୌହାଟୀ ପର୍ଯ୍ୟନ୍ତ ସିଧା ବ୍ରଡଗେଜ୍‌ ଲାଇନ୍‌ ନଥିଲା । ପ୍ରଥମେ ସାହାଵଗଞ୍ଜ ନିକଟସ୍ଥ ସାକ୍ରିଗଳି ଘାଟଠାରେ ଗଙ୍ଗାନଦୀ ପାର ହେବାପାଇଁ ପଡ଼ୁଥିଲା । ଷ୍ଟିମର୍‌ ବା ନୌକାରେ ପାରି ହେବାପାଇଁ ଥିଲା ଏକମାତ୍ର ବାଟ । ସେ ପାଖର ଘାଟ ନାଁ ଥିଲା ମନିଆରି ଘାଟ, ତାହା ବିହାରରେ ଅବସ୍ଥିତ । ସେଠାରୁ ମିଟର୍‌ ଗେଜ୍‌ ରେଳପଥରେ ଆସାମର ବଙ୍ଗାଇଗାଓଁ ପର୍ଯ୍ୟନ୍ତ ଯିବାକୁ ପଡ଼ୁଥିଲା । ଗଙ୍ଗା ବା ବ୍ରହ୍ମପୁତ୍ର ନଦୀ ଉପରେ ସେତେବେଳେ ପୋଲ ନିର୍ମାଣ ହୋଇନଥଲା । ତେଣୁ ବଙ୍ଗାଇଗାଓଁରେ ପହଞ୍ଚିବା ପରେ ସେଠାରୁ ଷ୍ଟିମର୍‌ ଯୋଗେ ଆମେ ବ୍ରହ୍ମପୁତ୍ର ନଦୀ ପାର ହେଲୁ । ବ୍ରହ୍ମପୁତ୍ର ଭୟଙ୍କର ଉତ୍ତାଳ ରୂପ ମୋତେ କେତେବେଳେ ବିସ୍ମିତ କରୁଥିଲା ବା ଆଉ କେତେବେଳେ ପୁରାଣ ବର୍ଣ୍ଣିତ ବ୍ରହ୍ମପୁତ୍ର ନଦୀ ପାର ହୋଇଥିବାରୁ ମୋ ମନରେ ଆହ୍ଲାଦ ଭରି ଯାଉଥଲା । ଖରାଦିନେ ମଧ୍ୟ ବ୍ରହ୍ମପୁତ୍ର ନଦୀର ଗଭୀରତା ଗୌହାଟୀଠାରେ ସତୁରୀ ଫୁଟ । କନ୍ତୁ ଗୌହାଟୀର ଚତୁଃପାର୍ଶ୍ୱରେ ଦୃଶ୍ୟ ଅତ୍ୟନ୍ତ ମନୋରମ । ଗୌହାଟୀରେ ଥିଲା ବେଳେ ଆମେ ଆସାମର ବିଭିନ୍ନ ସ୍ଥାନକୁ ଯିବାପାଇଁ ସୁବିଧା ମିଳିଥିଲା । ଏବେ ସେ ସବୁ ସ୍ଥାନ ଉଗ୍ରବାଦୀମାନଙ୍କର ଉତ୍ପାତରୁ ନିଷିଦ୍ଧାଞ୍ଚଳ ହୋଇରହିଛି ।

 

ଗୌହାଟୀ ବ୍ରହ୍ମପୁତ୍ର ନଦୀ କୂଳରେ ଏକ ଛୋଟ ପାହାଡ ଉପରେ ମା’ କାମାକ୍ଷାଙ୍କର ମନ୍ଦିର । ଭାରତବର୍ଷର ଆଦ୍ୟାପୀଠ ମାନଙ୍କ ମଧ୍ୟରେ ପ୍ରସିଦ୍ଧ ତନ୍ତ୍ରପୀଠ କାମାକ୍ଷା ଦେବୀ ଅନ୍ୟତମ-। ଦିନେ ସକାଳୁ ଗୋଟିଏ ଗାଡ଼ି ଭଡ଼ା କରି ମା’ କାମାକ୍ଷାଙ୍କୁ ଦର୍ଶନ କରିବା ପାଇଁ ଗଲୁ । କିନ୍ତ ସେଠାରେ ପହଞ୍ଚିବା ପରେ ମନିପର୍ସ ଆଣିବା ପାଇଁ ଭୁଲି ଯାଇଥିଲୁ ବୋଲି ଜାଣିଲୁ । କଣ କରିବୁ ଏହି ସଂକଟରେ ପଡ଼ିଥିଲା ବେଳେ ମନ୍ଦିରର ଜଣେ ପଣ୍ଡା ଆମର ଠିକଣା ବୁଝିନେଲେ । କୌଣସି ଚିନ୍ତା ନ କରି ମା’ ଙ୍କ ଦର୍ଶନ କରିବା ସକାଶେ ଆମକୁ ବେଢ଼ା ଭିତରକୁ ନେଇଗଲେ । କାମାକ୍ଷା ମନ୍ଦିରରେ ଯୋନିପୂଜା ହୁଏ । ସେଠାରେ କୁମାରୀ ପୂଜା କରିବାର ପରମ୍ପରା ବହୁ କାଳରୁ ଚଳିଆସୁଛି । ଓଡ଼ିଶାରୁ କେତେଜଣ ପୁରୋହତ କାମାକ୍ଷା ପୀଠରେ ବସବାସ କରି ରହିଯାଇଥିବାର ଦେଖିଲୁ । ପଣ୍ଡାଙ୍କ ସହଯୋଗରୁ ପୂଜାର୍ଚ୍ଚନାରେ କୌଣସ ବାଧା ହେଲାନାହିଁ । ଆମ ପାଖରୁ ସଂଗେ ସଂଗେ ଦକ୍ଷିଣା ନ ପାଇବାର ଆଶା ନ ରଖି ମଧ୍ୟ ପଣ୍ତା ମହାଶୟ ଯେ ଆଦର ପୂର୍ବକ ଏହି ଐତିହାସିକ ପୀଠର ସବୁ ତତ୍ତ୍ୱ କହିଲେ । ପୂଜାର୍ଚ୍ଚନା ପରେ ଆମକୁ ପ୍ରସାଦ ମଧ୍ୟ ଦେଲେ । ମା’ଙ୍କ ଅସୀମ ଦୟାରୁ ଏହା ସମ୍ଭବ ହେଲା ବୋଲି ଆମେ ଅନୁଭବ କରୁଥିଲେ ମଧ୍ୟ ଆମ ରାଜ୍ୟର ପୁରୁଷୋତ୍ତମ କ୍ଷେତ୍ରର ପଣ୍ଡାମାନଙ୍କର ଦୌରାତ୍ମ୍ୟ ମନେ ପଡ଼ିଲା । କାମାକ୍ଷାପୀଠରୁ ଫେରି ଆସିବା ପରେ ପଣ୍ଡାଙ୍କ ପାଖକୁ ଆମେ ମନିଅର୍ଡ଼଼ର ଯୋଗେ ଦକ୍ଷିଣା ପଠାଇ ଦେଇଥିଲୁ । କାମାକ୍ଷା ଠାକୁରାଣୀଙ୍କର ପ୍ରସିଦ୍ଧି ଏପର୍ଯ୍ୟନ୍ତ କ୍ଷୁର୍ଣ୍ଣ ହୋଇନାହିଁ । ପୂର୍ବକାଳରେ କଥାଥିଲା ଯେ, କାଉଁରୀ କାଠି ଛୁଆଁଇ ଦେଇ ତନ୍ତ୍ରବଳରେ ପୁରୁଷଙ୍କୁ ମେଣ୍ଢା କରିଦିଆଯାଏ । ତାହା ପକୃତରେ ହେଉଥିଲା କି ନାହିଁ କହି ହେବ ନାହିଁ । କିନ୍ତୁ ଏପର୍ଯ୍ୟନ୍ତ କାମାକ୍ଷା କାମରୂପକୁ ଗଲେ କାଳେ ପୁରୁଷ ସେଠାରେ ସ୍ତ୍ରୀ ପାଖରେ ମେଣ୍ଢା ପରି ରହିଯିବ ବୋଲି ଆଶଙ୍କା ମନରୁ ଯାଇନାହିଁ । ଆସାମରେ ପାଞ୍ଚ ମାସ ରହିବାପରେ ସାତକଡ଼ି ବାବୁଙ୍କର ପୁଣି ବଦଳି ହେଲା କଲିକତାକୁ । କଲିକତାରେ କାର୍ଯ୍ୟରେ ଯୋଗଦେବାକ୍ଷଣି ଚିଫ୍‌ କମସିଆଲ୍‌ ସୁପରିଟେଣ୍ଡଣ୍ଟ ବି.ମଜୁମ୍‌ଦାର ତାଙ୍କୁ ପୁଣି ଟିଟିଲାଗଡ଼ ପଠାଇଦେଇଥିଲେ । ଆମେ ପୁଣି ଟିଟିଲାଗଡ଼ ଫେରି ଆସିଲୁ ପ୍ରାୟ ବର୍ଷକ ପରେ । କିନ୍ତୁ ଆସାମ ରହଣୀ ଓ ଏହାର ଅଭିଜ୍ଞତା ମୁଁ କେବେହେଲେ ଭୁଲି ପାରିବି ନାହିଁ । ଆସାମର ଜନଜୀବନ ସଂସ୍କୃତି ଓ ଇତିହାସ ସହିତ ବ୍ରହ୍ମପୁତ୍ର ନଦୀ ଏପରି ଜଡ଼ିତ ହୋଇ ରହିଛି ଯେ, ବ୍ରହ୍ମପୁତ୍ର ବିନା ଆସାମକୁ କଳ୍ପନା କରାଯାଇ ନ ପାରେ, ବର୍ଷାଦିନେ ବ୍ରହ୍ମପୁତ୍ରର ପ୍ରଳୟଙ୍କରୀ ରୂପ ମନରେ ତ୍ରାସ ସୃଷ୍ଟି କରେ । ଧୁବୂରୀଠାରେ ବନ୍ୟା ସମୟରେ ବ୍ରହ୍ମପୁତ୍ର ନଦୀର ଚଉଡ଼ା ପ୍ରାୟ ପାଞ୍ଚମାଇଲରୁ ଅଧିକ । ଆସାମରେ ଅଧିକ ବର୍ଷା ହୁଏ ଓ ତାହା ଘନ ଜଙ୍ଗଲରେ ପରିପୂର୍ଣ୍ଣ ବୋଲି ଏହାର ଜଳବାୟୁ ସନ୍ତସନ୍ତିଆ । ଏହାର ଜଳବାୟୁର ପ୍ରଭାବ ଲୋକଚରିତ୍ର ଉପରେ ପଡ଼ିଛି । ଆସାମୀମାନେ ଓଡ଼ିଆମାନଙ୍କ ପରି ଘରେ ରହିବାପାଇଁ ଭଲପାଆନ୍ତି ଏବଂ ସେମାନଙ୍କର ଉଦ୍ୟମଶୀଳତା କମ୍‌ । କିନ୍ତୁ ଓଡ଼ିଶାର ଲୋକମାନଙ୍କ ଅପେକ୍ଷା ରାଜନୈତିକ ଓ ସାମାଜିକ ସଚେତନତା ଅଧିକ । ଆସାମୀ, ବଙ୍ଗଳା ଏବଂ ଓଡ଼ିଆ ଭାଷାର ମୂଳତ୍ତ ଉତ୍ପପ୍ତି ଅର୍ଦ୍ଧମାଗଧୀଧରୁ ଜନ୍ମ । ତେଣୁ ଆସାମୀ, ଓଡ଼ିଆ, ବଙ୍ଗାଳୀ । ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଛି । କିନ୍ତୁ ଭୌଗଳିକ ପ୍ରଭାବରୁ ବିଭିନ୍ନ ଅଞ୍ଚଳରୁ ସ୍ଵତନ୍ତ୍ରତା ଓ ବିଶେଷତ୍ଵ ଭାଷା ଓ ସାହିତ୍ୟ ଉପରେ ମଧ୍ୟ ପଡ଼ିଛି । ଆସାମର ଭାଗବତ ଲେଖକ ଶ୍ରୀ ଶଂକର ଦେବ ଓଡ଼ିଶାରେ ଆସି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଓଡ଼ିଶାର ଭାଗବତକାର ଜଗନ୍ନାଥ ଦାସ ପରି ଶଂକର ଦେବ ଘରେ ଘରେ ପରିଚିତ ଏବଂ ନମସ୍ୟ । ଆସାମରେ ଆଉ କିଛି ଦିନ ରହିବାପାଇଁ ଇଚ୍ଛା ଥଲେ ମଧ୍ୟ ହଠାତ୍‌ ବଦଳି ଆଦେଶ ଆସି ଯିବାରୁ ଏହା ଭଗବାନଙ୍କର ଅସୀମ କରୁଣା ଭାବି ସେଠାରୁ କଲିକତା ଏବଂ ତା ପରେ ଟିଟିଲାଗଡ଼ ଫେରି ଆସିଲୁ ।

Image

 

ସୀମାନ୍ତର ପାଚିରୀ

 

ଚକ୍ରଧରପୁରରେ ରହିବାବେଳେ ରେଳବାଇର ମୂଳସ୍ରୋତ ଓ ପ୍ରାଧାନ୍ୟ ସମ୍ପର୍କରେ ମୋର ଅନୁଭବ ଆହୁରି ପ୍ରସାରିତ ହେଲା । ଚକ୍ରଧରପୁର ଡ଼ିଭିଜନର ଗୋଟିଏ ପାଖରେ ଟାଟା ଇସ୍ପାତ୍‌ କାରଖାନା ଓ ଆଉ ଗୋଟିଏ ପାଖରେ ରାଉରକେଲା ଇସ୍ପାତ କାରଖାନା । ଟାଟାନଗରକୁ ବାରମ୍ବାର ଯିବାଦ୍ଵାରା ସେଠାରେ କେବଳ ଓଡ଼ିଆ ଓ ଅଣଓଡ଼ିଆଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେଲାନାହିଁ, ଟାଟା କମ୍ପାନୀର ପରିଚାଳନା ଦକ୍ଷତା ଏବଂ କର୍ମଚାରୀମାନଙ୍କ ସହିତ ଉତ୍ତମ ସମ୍ପର୍କ ଦୃଷ୍ଟିରେ ପଡ଼ିଲା । ଏକଦା ସହସ୍ରାଧିକ ଓଡ଼ିଆ କର୍ମଚାରୀ ଟାଟା କମ୍ପାନୀ ଅଧୀନରେ କାରଖାନା ଓ ଖଣିମାନଙ୍କରେ କାର୍ଯ୍ୟ କରୁଥିଲେ । ସେହି ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ଯୋଗ୍ୟତାଭିତ୍ତିରେ ଯଦି କମ୍ପାନୀ ସବୁ ନିଯୁକ୍ତି ଦେଉଥାନ୍ତେ ତେବେ ଓଡ଼ିଆମାନଙ୍କର ସଂଖ୍ୟା କମିନଥାନ୍ତା । କିନ୍ତୁ ବିହାର ସରକାର ଭୂମିପୁତ୍ରମାନଙ୍କୁ ତଳଣ୍ରେଣୀର ନିଯୁକ୍ତିରେ ଅଧିକରେ ପ୍ରାଧାନ୍ୟ ଦେବାପାଇଁ ଜୋର ଦେଉଥିବାରୁ ଓଡ଼ିଆ ତଥା ଅନ୍ୟାନ୍ୟ ରାଜ୍ୟର ଲୋକମାନଙ୍କର ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ଟାଟାନଗରଠାରେ ଓଡ଼ିଆମାନଙ୍କର ବହୁ ସାଂସ୍କୃତିକ ଅନୁଷ୍ଠାନ ଅଛି । ସେଥିମଧ୍ୟରୁ ଉତ୍କଳ ଆସୋସିଏସନ୍‌ ଅଧିକ ପୁରୁଣା ଓ ପ୍ରତିଷ୍ଠିତ । ଜାମସେଦପୁରରେ ଏକାଧିକ ଓଡ଼ିଆ ସ୍କୁଲ ଅଛି ଏବଂ ସେଠାରେ ଓଡ଼ିଆ ମାଧ୍ୟମରେ ଶିକ୍ଷା ଦିଆଯାଏ । ଚକ୍ରଧରପୁରରେ ରହି ଜାମସେଦପୁର, ଷଢ଼େଇକଳା, ଖରସୁଆଁ ଓ ଚାଇଁବସା ପ୍ରଭୃତି ଅଞ୍ଚଳରେ ଓଡ଼ିଆ ଶିକ୍ଷା ଓ ସଂସ୍କୃତିର ପ୍ରସାର ପାଇଁ ଯେଉଁ ଆନୁଷ୍ଠାନିକ ଉଦ୍ୟମ ଚାଲିଥାଏ ମୁ ସେମାନଙ୍କ ସହିତ କାମ କରିବାର ସୁଯୋଗ ପାଇଲି ।

 

ଚକ୍ରଧରପୁର ଗୋଟିଏ ଜଙ୍କସନ ଷ୍ଟେସନ୍‌ । ଦୁଇଟି ଇସ୍ପାତ କାରଖାନା ଛଡ଼ା ଏହି ଡ଼ିଭିଜନରେ ଓଡ଼ିଶା ଓ ବିହାର ଅଞ୍ଚଳରେ ବିସ୍ତୃତ ଲୁହାଖଣି, ଚୁନପଥର ଖଣି, ମାଙ୍ଗାନିଜ୍‌ ଖଣି, ଡ଼ୋଲେମାଇଟ୍‌ ଖଣି ରହିଛି । ମୟୁରଭଞ୍ଜର ବାଦାମପାହାଡ଼, ଗୋରୁମୋହିଷାଣୀ ଏବଂ ସୁଲେଇପାଟ ଖଣି ଅଞ୍ଚଳରୁ ଟାଟା କମ୍ପାନୀ ସ୍ଥାପିତ ହେଲାଦିନୁଁ ଲୁହାପଥର ଆମଦାନୀ କରାଯାଉଥିଲା । ସେହିପରି ଓଡ଼ିଶାର ବଡ଼ବିଲ, ବରଷୁଆଁ, ଠାକୁରାଣୀ, ବଲାନୀ, କିରିବୁରୁ, ବୀରମିତ୍ରପୁର ଅଞ୍ଚଳରୁ ବିଭିନ୍ନ ଖଣିଜ ପଦାର୍ଥ ଟାଟା ଏବଂ ରାଉରକେଲାକୁ ଯାଇଥାଏ । ଖଣି ଅଞ୍ଚଳରେ ଅଧିକାଂଶ ଓଡ଼ିଆ ଆଦିବାସୀ ଶ୍ରମିକମାନଙ୍କ ସମ୍ପର୍କରେ ମୁଁ ଆସିଛି । ଖଣି ଅଞ୍ଚଳରେ ଅଧିକ ମଜୁରି ମିଳୁଥିବାରୁ ସେମାନଙ୍କର ଶିକ୍ଷା, ଚଳଣି ଓ ଜୀବନ ଶୈଳୀରେ ବହୁ ପରିବର୍ତ୍ତନ ହୋଇଛି । ସେମାନଙ୍କର ଶିକ୍ଷା, ଚଳଣିର ଓ ଜୀବନ ଶୈଳୀରେ ବହୁ ପରିବର୍ତ୍ତନ ହୋଇଛି । କଲିକତାରେ ଓଡ଼ିଆମାନେ ଦୁଇ ତିନି ବର୍ଷ ରହିବା ପରେ ଓଡ଼ିଆ ଭୁଲିଯାଇ ବଙ୍ଗଳାରେ କଥା କହିବା ମୁଁ ଦେଖିଛି । କିନ୍ତୁ ସିଂହଭୂମିରେ ଓଡ଼ିଆମାନେ ଶତାଧିକ ବର୍ଷ ରହି ମଧ୍ୟ ଓଡ଼ିଆ ଭୁଲିନାହାନ୍ତି ଏବଂ ଓଡ଼ିଆ ବୋଲି ସେମାନଙ୍କର ମନରେ ସ୍ଵାଭିମାନ ମଧ୍ୟ ଅଛି । ଏହ ସ୍ଵାଭିମାନକୁ ଉପଯୋଗ କରି ଚକ୍ରଧରପୁର ଡ଼ିଭିଜନରେ ଓଡ଼ିଆ ଶିକ୍ଷା ଓ ସଂସ୍କୃତିର ବିକାଶ ସହିତ ଓଡ଼ିଆମାନଙ୍କ ସାମାଜିକ ଜୀବନକୁ ସଂଗଠିତ କରିବା ପାଇଁ ମୁଁ କାର୍ଯ୍ୟ ଆରମ୍ଭ କରିଥିଲି । ଚକ୍ରଧରପୁରର ଓଡ଼ିଆ ସ୍କୁଲକୁ ଆହୁରି ବଢ଼ାଇ ଦିଆଯାଇଥିଲା, ଏବଂ ଜାମସେଦପୁର, ଚକ୍ରଧରପୁର ଓ ଅନ୍ୟତ୍ର ଓଡ଼ିଆ ନୃତ୍ୟଗୀତର ପ୍ରସାର କରାଯାଇଥିଲା । ଚକ୍ରଧରପୁର ଡ଼ିଭିଜନ ମଧ୍ୟରେ ଟାଟାନଗରଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରେଳପଥ ତଥା ବଡ଼ବିଲ, ଗୁଆ, ବରସୁଆଁ, କିରିବୁରୁ ଏବଂ ବୀରମିତ୍ରପୁର ଖଣି ଅଞ୍ଚଳ ରହିଛି । ତେଣୁ ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର ଖଣି ଅଞ୍ଚଳକୁ ମଧ୍ୟ ମୁଁ ବାରମ୍ବାର ଯିବାର ସୁଯୋଗ ପାଇଲି । ସମ୍ବଲପୁର, ଝାରସୁଗୁଡ଼ା ଏବଂ ରାଉରକେଲାରେ ମୁଁ ପ୍ରଥମ କରି ଅନୁଭବ କଲି ଯେ ସେଠାକାର ଓଡ଼ିଆ ଲୋକମାନେ ଓଡ଼ିଶାର ଓଡ଼ିଆ ଜୀବନ ସହିତ ବିଶେଷ ସମ୍ପୃକ୍ତ ନୁହନ୍ତି । ଓଡ଼ିଆ ପଢ଼ିବା ଅପେକ୍ଷା ହିନ୍ଦୀ ପଢ଼ିବାରେ ଅଧିକା ଆଗ୍ରହୀ । ଓଡ଼ିଆ ପତ୍ର ପତ୍ରିକା ଖୁବ୍‌ କମ୍‌ ବିକ୍ରି ହୁଏ ଏବଂ ହିନ୍ଦୀ ପତ୍ରପତ୍ରିକା ପ୍ରଚଳନ ବେଶି । ସେହିଠାରେ ଶୁଣିଲି ଯେ, ମାରଓ୍ୱାଡ଼ି ବ୍ୟବସାୟୀ ଗୋଷ୍ଠୀ ପଶ୍ଚିମ ଓଡ଼ିଶାର ଏହି ଅଞ୍ଚଳମାନଙ୍କରେ ଆଧିପତ୍ୟ ବିସ୍ତାର କରି ରହିଥିବାରୁ ସେମାନଙ୍କର ପ୍ରଭାବ ଓ ପ୍ରତିପତ୍ତି ଅକ୍ଷୁର୍ଣ୍ଣ ରଖିବା ପାଇଁ ଓଡ଼ିଶା ସହିତ ଭାବାତ୍ମକ ଏକତ୍ରୀକରଣ ବିରୋଧୀ ।

 

ସେତିକିବେଳେ ସମ୍ବଲପୁରଠାରୁ ଟିଟିଲାଗଡ଼ ପଯ୍ୟନ୍ତ ରେଳଲାଇନ୍‌ ନିର୍ମାଣ କରାଯାଉଥାଏ । ଏହା ପୂର୍ବରୁ ସେ ଅଞ୍ଚଳର ଲୋକମାନେ ରେଲଓ୍ୱେରେ ପ୍ରାୟ ନିଯୁକ୍ତି ପାଉନଥାନ୍ତି-। ତେଣୁ ସେମାନଙ୍କର ମନରେ ରେଳବାଇ ପ୍ରତ ଅସନ୍ତୋଷ ଲାଗି ରହିଥାଏ । ସେହିପରି ଡାକ ବିଭାଗ ଓ ଓଡ଼ିଶା ସରକାରୀ ଅଫିସମାନଙ୍କରେ ମଧ୍ୟ ସେ ଅଞ୍ଚଳର ଲୋକମାନଙ୍କର ଉପସ୍ଥିତି ଜଣାପଡୁ ନଥାଏ । ସବୁଲୋକ ପ୍ରାୟ ଉପକୂଳ ଅଞ୍ଚଳରେ । ତେଣୁ ଉପକୂଳ ଓଡ଼ିଆମାନଙ୍କ ବିରୁଦ୍ଧରେ ସେମାନଙ୍କର ଆକ୍ରୋଶ ଭାବ ରହିଥାଏ । ଓଡ଼ିଶା ସହିତ ଓଡ଼ିଆ ଭାଷୀ ଅଞ୍ଚଳର ମିଶ୍ରଣ ହେଲେ ସବୁ ଅଞ୍ଚଳର ଓଡ଼ିଆ ସମାନ ସୁବିଧା ସୁଯୋଗ ପାଇବେ ବୋଲି ଆଶା କରିଥିଲେ । କିନ୍ତୁ ତାହା ବାସ୍ତବରେ ହେଲା ନାହିଁ । ମୁଁ ଯେତେବେଳେ ଝାରସୁଗୁଡ଼ା ବା ସମ୍ବଲପୁର କିମ୍ବା ବରଗଡ଼ ବା ବଲାଙ୍ଗୀର ଯାଉଥିଲି, ଏଇ ଅଭିଯୋଗ ଶୁଣୁଥିଲି । ସାତକଡ଼ି ବାବୁଙ୍କୁ ଓ ଅନ୍ୟ ଅଫିସରମାନଙ୍କୁ ସବୁବେଳେ କହୁଥାଏ, ଓଡ଼ିଆବାସୀଙ୍କ ଦୁର୍ଦ୍ଦଶା କଥା । ତାମିଲ ହିନ୍ଦୁସ୍ଥାନୀ, ମରାଠୀ ଅଫିସରମାନଙ୍କ ଓଡ଼ିଶା ପ୍ରତି ସହାନୁଭୂତି ବେଶୀ । ସେମାନେ ସମ୍ବଲପୁର-ଟିଟିଲାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଓଡ଼ିଆଙ୍କୁ ଭର୍ତ୍ତି କରିବା ଦିଗରେ ଅନୁକୂଳ ବ୍ୟବସ୍ଥା କରିଥିଲେ । ସମ୍ବଲପୁରୀ ନୃତ୍ୟ ଓ ଗୀତର ସ୍ଵତନ୍ତ୍ର ଶୈଳୀ ଓ ଲୋକପ୍ରିୟତା ଥିବା ସତ୍ତ୍ୱେ ସେମାନଙ୍କୁ ଉପକୂଳ ଅଞ୍ଚଳକୁ ବେସରକାରୀ ବା ସରକାରୀ ଅନୁଷ୍ଠାନମାନେ ଡାକୁ ନଥିବାରୁ ସାଂସ୍କୃତିକ କ୍ଷେତ୍ରରେ ଭାବ ବିନିମୟ ଓ ସମନ୍ୱୟ ହୋଇପାରୁ ନଥିଲା ! ସମ୍ବଲପୁର ସହିତ ଉପକୂଳ ଓଡ଼ିଶାର ରେଳ ସଂଯୋଗ ବହୁ ବିଳମ୍ବରେ ଏବେ ସମ୍ପୂର୍ଣ୍ଣ ହୋଇଛି । ଏଥିପାଇଁ ଓଡ଼ିଶା ସରକାର ଓ ନେତୃବୃନ୍ଦ ଯେପରି ଉଦ୍ୟମ କରିବା କଥା ତାହା କରିନାହାନ୍ତି । ସେହି କାରଣରୁ ବିଚ୍ଛିନ୍ନତା ବୋଧ ବଢ଼ିଯାଉଛି-। ହୀରାକୁଦ ବନ୍ଧ ହେବାଦ୍ଵାରା ସମ୍ବଲପୁର ଅଞ୍ଚଳରେ କୃଷି ବିକାଶ ସହଜ ହେଲା । କିନ୍ତୁ ସ୍ଥାନୀୟ କୃଷକମାନଙ୍କୁ ପ୍ରରୋଚିତ ଓ ପ୍ରଭାବିତ କରି କେନାଲ ପାଣିର ସଦୁପଯୋଗ କରିବା ପାଇଁ ସ୍ଵତନ୍ତ୍ର ଉଦ୍ୟମ କରାଗଲା ନାହିଁ । ଫଳରେ ଆନ୍ଧ୍ରରୁ କୃଷକମାନଙ୍କୁ ଆସିବାକୁ ପଡ଼ିଲା । ପଶ୍ଚିମାଞ୍ଚଳର ନେତାମାନେ ମଧ୍ୟ ପଶ୍ଚିମାଞ୍ଚଳର ଉନ୍ନତି ପାଇଁ ସେପରି କ୍ରିୟାଶୀଳ ଭୂମିକା ନେଇ ନାହାନ୍ତି । ଯାହାହେଉ ଚକ୍ରଧରପୁରରେ ରହିବା ସମୟରେ ପଶ୍ଚିମାଞ୍ଚଳର ଲୋକମାନଙ୍କ ସହିତ ମୁଁ ପ୍ରତ୍ୟକ୍ଷ ସମ୍ପର୍କରେ ଆସିଲି । ଯେଉଁମାନଙ୍କ ଚାକିରି ପାଇବାରେ ସାହାଯ୍ୟ କରିଥିଲେ ସେମାନଙ୍କର ଆମପ୍ରତି ଏବେ ମଧ୍ୟ ସ୍ନେହଶ୍ରଦ୍ଧା ଅତୁଟ ଅଛି ।

 

ରେଳବାଇର ସ୍ଵତନ୍ତ୍ର କଲୋନୀ ଅଛି । ଚକ୍ରଧରପୁର ସେହିପରି ଗୋଟିଏ ରେଳବାଇ ସହର । ବିଜୁଳି ଆଲୁଅ, ପାଣି, ଯାନବାହାନ ସବୁ ରେଳବାଇ ନିୟନ୍ତ୍ରଣରେ । ଗୋଟିଏ ଡ଼ିଭିଜନର ପ୍ରଶାସନିକ ଅଫିସ୍‌ରେ ତିନି ଚାରି ହଜାର ଲୋକ କାମ କରନ୍ତି । ତେଣୁ ପ୍ରାୟ କୋଡ଼ିଏ ପଚିଶ ହଜାର ଲୋକଙ୍କୁ ନେଇ ବସତି ଗଢ଼ିଉଠେ । ବିଭିନ୍ନ ପ୍ରଦେଶର ଭିନ୍ନ ଭିନ୍ନ ଭାଷାଭାଷୀ ଓ ଧର୍ମାବଲମ୍ବୀ ଏକତ୍ର ରହନ୍ତି ବୋଲି ରେଳବାଇ କଲୋନୀର ସାମାଜିକ ଜୀବନରେ ଉଦାରତା ବେଶୀ । ପରସ୍ପରକୁ ସହ୍ୟ କରିବା ଏଠାରେ ଚଳଣିରେ ପଡ଼ି ଯାଇଥିବାରୁ ବିଭିନ୍ନତା ମଧ୍ୟରେ ସମନ୍ଵୟ ଓ ଏକତା ଅଧିକ ପରିସ୍ଫୁଟ ହୁଏ ।

 

ଚକ୍ରଧରପୁରଠାରେ ଥିବା ସମୟରେ ବାଙ୍ଗିୟା ନାମକ ଏକ ତେଲୁଗୁ ପିଲା ମୋ ପାଖରେ ଥିଲା । ସେ ଝିଅ ପୁଅଙ୍କ ଦେଖାଶୁଣା କରୁଥିଲା । ଦିନେ ମୋ ବଡ଼ଝିଅ ସୌମ୍ୟା ଖେଳୁଥିବା ବେଳେ ତା’ ବେକରୁ ହାର କେହି ଚୋରି କରି ନେଇଗଲା । ସାତକଡ଼ି ବାବୁ ପୋଲିସ୍‌ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କୁ କହି ଅଫିସ କାମରେ ଚାଲିଗଲେ । ପ୍ରାୟ ଦୁଇ ଘଣ୍ଟା ପରେ ଥାନାବାବୁ ଆସି ଘରେ ପହଞ୍ଚିଲେ ଏବଂ ଜେରା ଆରମ୍ଭ କରିଦେଲେ । ତାପରେ ବାଙ୍ଗିୟାକୁ ଅଧିକ ପଚରା ଉଚୁରା କରିବା ପାଇଁ ଥାନାକୁ ନେଇଗଲେ। ଥାନାରେ ତାକୁ ନିସ୍ତୁକ ମାଡ଼ ଦେବାପରେ ମଧ୍ୟ ସେ ଚୋରି କରିଥିବା ପ୍ରକାଶ କଲାନାହିଁ । ଏ ଖବର ପାଇ ମୁଁ ଅତି ବ୍ୟସ୍ତ ହୋଇପଡ଼ିଲି । ବାଙ୍ଗିୟା ଅତି ବିଶ୍ୱସ୍ତ ଏବଂ ସେ ଯେ ଚୋରି କରିନାହିଁ ଏହା ମୁଁ ଥାନାବାବୁଙ୍କୁ କହିଥଲି । କିନ୍ତୁ ପୋଲିସକୁ ଯେପରି କେହି ବିଶ୍ଵାସ କରନ୍ତି ନାହିଁ, ପୋଲିସ ମଧ୍ୟ ସେହିପରି କାହାକୁ ବିଶ୍ଵାସ କରେ ନାହିଁ । ବାଙ୍ଗିୟାକୁ ପୋଲିସ ହାଜତରୁ ଖଲାସ କରିବା ମୋର ନୈତିକ ଦାୟିତ୍ୱ ମନେକରି ମୁଁ ସାତକ଼ଡ଼ି ବାବୁଙ୍କୁ କହିଲି । ସେ ଡ଼ି.ଏସ୍‌.ପିଙ୍କୁ କହିଲେ । କିନ୍ତୁ ଡ଼ି.ଏସ୍‌.ପି. ତାଙ୍କୁ କହିଲେ ଯେ, ଥାନାବାବୁ ସେ ପିଲାକୁ ହାଜତରେ ଭଭି କରିଥିବାରୁ ଆଇନ ଅନୁସାରେ କାର୍ଯ୍ୟ ହେବ ଏବଂ ଆହୁରି ବିସ୍ମୟର କଥା ଯେ ସେ ସାତକଡ଼ି ବାବୁଙ୍କୁ କହିଲେ- ପୋଲିସ କଥାରେ କେବେ ବିଶ୍ଵାସ କରିବେ ନାହିଁ । ବାଙ୍ଗିୟାକୁ କୋର୍ଟ ଚାଲାଣ କରାଗଲା । ସାତକଡ଼ି ବାବୁ ଚାଇଁବସା ଯାଇ ସରକାରୀ ଓକିଲଙ୍କୁ ସମସ୍ତ ବିଷୟ କହିଲେ । ସେ ମାଜିଷ୍ଟ୍ରେଟ୍‌ଙ୍କୁ କହି କେସ୍‌ଟି କମ୍ପାଉଣ୍ଡ କରିବା ପାଇଁ ରାଜି ହେଲେ । କିନ୍ତୁ ସରକାରୀ ଓକିଲ କହିଲେ ଏଥିପାଇଁ ଦେଢ଼ଶହ ଦୁଇଶହ ଟଙ୍କା ଲାଗିବ-। ସାତକଡ଼ି ବାବୁ ଟଙ୍କା ଦେଲେ ଏବଂ ମାଜିଷ୍ଟେଟ୍‌ କେସ୍‌ ଫଏସଲା କରିଦେଲେ । ସବା ଶେଷରେ ଓକିଲ ସାତକଡ଼ି ବାବୁଙ୍କ ଖର୍ଚ୍ଚ ହିସାବ ଦେଇ କହିଲେ- ଲେଖୁଇ, ବେଞ୍ଚକ୍ଲର୍କ ପଚିଶ କରି ପଚାଶ ଟଙ୍କା ନେଲେ ଏବଂ ଥାନାବାବୁ ନେଲେ ଶହେଟଙ୍କା । ସୁନାହାର ଗଲା, ତା ପଛେ ପଛେ ଯିବା ଆସିବା ଖର୍ଚ୍ଚ ବାବଦରେ ଅଢ଼େଇଶହ ଟଙ୍କା ଗଲା । ସାତକଡ଼ି ବାବୁ ସରକାରୀ ଓକିଲ କବିବାବୁଙ୍କୁ କହିଲେ, କାଳେ ଆପଣ ଲାଞ୍ଚଦେବା ପାଇଁ ରାଜିହେବେ ନାହିଁ ସେଥିପାଇଁ ଆଗରୁ କହି ନଥିଲି । ସେହିଦିନ ମୁଁ ବହୁ ଚର୍ଚ୍ଚିତ ବିହାର ପୋଲିସର ଅସଲ ରୂପ ଦେଖିଲି । ସୁନାହାର ବା ଅର୍ଥଶ୍ରାଦ୍ଧ କଲି ବୋଲି ମୋର ସେପରି ଦୁଃଖ ନାହିଁ କିନ୍ତୁ ନିର୍ଦ୍ଦୋଷ ବାଙ୍ଗିୟା ପୁଲିସଠାରୁ ନିସ୍ତୁକ ମାଡ଼ ଖାଇବା ଘଟଣା ମୁଁ ଏବେ ବି ଭୁଲି ପାରି ନାହିଁ ଏବଂ ପୋଲିସ୍‌କୁ କାହିଁକି ଖବର ଦେଲି ବୋଲି ଏବେବି ମନସ୍ତାପ ହୁଏ ।

 

ସେଇ ବାଙ୍ଗିୟା ପାଇଁ ରେଳବାଇରେ ଚାକିରି ବ୍ୟବସ୍ଥା କଲି । ସେ ଚତୁର୍ଥ ଶ୍ରେଣୀରୁ ଉଠି ଉଠି ହେଡ଼୍‌ ଟିକେଟ୍‌ କଲେକ୍ଟର ହେଲା । ତା' ପଛେ ପଛେ ଆସିଥିବା ଆପୁଲ ସ୍ୱାମୀ, ଶାମ୍ବମୂର୍ତ୍ତି ମଧ୍ୟ ଚାକିରି ପାଇଲେ । ପ୍ରାୟ ଛଅମାସ କାଳ ସେମାନଙ୍କର ଖିଆ ପିଆ ଦାୟିତ୍ୱ ନେଇ ମୁଁ ନାକେଦମ୍ ହୋଇଥିଲି । କିନୁ ସେମାନେ ଚାକିରି ପାଇବା ପରଠାରୁ ଆମ ପରିବାର ପ୍ରତି ଆଜି ପର୍ଯ୍ୟନ୍ତ ଅନୁରକ୍ତ । କେବଳ ଓଡ଼ିଆ, ତେଲୁଗୁ, ବଙ୍ଗାଳୀ ପିଲା ନୁହନ୍ତି ସେତେବେଳେ ଯିଏ ଆସିଛି କାହାକୁ ନା କାହାକୁ କହି ଚାକିରି କରାଇ ଦେଇଥିଲି । ସମୟ ବଦଳି ଯାଇଚି । ଏବେ ତ ଗୋଟିଏ ଚାକିରି କରିଦେଦା ପାଇଁ ବଡ଼ ବଡ଼ ଅଫିସର ବା ମନ୍ତ୍ରୀ ପଚାଶ ଷାଠିଏ ହଜାର ନେଉଥିବା ଶୁଣାଯାଉଚି। ଚକ୍ରଧରପୁରରେ ରହିବା ସମୟରେ ମୋ ଭିତରେ ଯେଉଁ ଉନ୍ମୁଖ ଭାବର ଉନ୍ମେଷ ହୋଇଥିଲା, ତାହା, କ୍ରମଶଃ ପଲ୍ଲବୀତ ହୋଇଛି । ଆଜି ଓଡ଼ିଆ ଭାଵେ ମୋର ସ୍ଵାଭିମାନ ଅକ୍ଷୁର୍ଣ୍ଣ ଥିବାବେଳେ ଭାରତୀୟ ଭାବେ ମଧ୍ୟ ମୁଁ ଏଇ ଜାତିର ଅତୀତ ଓ ବର୍ତ୍ତମାନକୁ ଆପଣେଇ ନେଇଛି । ଏହା ସହିତ ପାଚେରି ଭାଙ୍ଗିବାର ଆବେଗ ଉଣାହୋଇ ନାହିଁ ବରଂ ପ୍ରବଳ ହୋଇଛି ।

Image

 

ଉପାନ୍ତରେ କୋଳାହଳ

 

ଚକ୍ରଧରପୁର ଓଡ଼ିଶାର ସୀମାନ୍ତର ସେପାଖରେ । ବିହାରର ସିଂହଭୂମି ଜିଲ୍ଲାର ଅନ୍ତର୍ଗତ । ଚାଇଁବସାରୁ ୨୦ କିଲୋମିଟର ଦୂରରେ । ୩୦/ ୪୦ କିଲୋମିଟର ମଧ୍ୟରେ ଷଢ଼େଇକଳା । ଓଡ଼ିଆଭାଷୀ ଅଞ୍ଚଳ । କିନ୍ତୁ ଦୁର୍ଭାଗ୍ୟରୁ ବିହାରରେ ରହି ଯାଇଛି । ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହୋଇ ନ ଥି‌ବା ବେଳେ ବିହାରର ଅଂଶଥିଲା । ସେତେବେଳେ ସିଂହଭୂମି ଜିଲ୍ଲା ସମେତ ଓଡ଼ିଆ ଭାଷୀ ଅଞ୍ଚଳ ସବୁକୁ ମିଶାଇ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ପାଇଁ ଦାବି ହେଉଥଲା-। ସିଂହଭୂମି ଜିଲ୍ଲାର ଆଦିବାସୀମାନେ ମଧ୍ୟ ଓଡ଼ିଆ ଭାଷା ଗ୍ରହଣ କରି ନେଇଥିଲେ । ରାଞ୍ଚି ସମେତ ଛୋଟନାଗପୁର ଓ ହଜାରିବାଗ ଅଞ୍ଚଳରେ ଓଡ଼ିଆ ସଂସ୍କୃତି ପ୍ରସାରଲାଭ କରିଥିଲା । ଜଗନ୍ନାଥ ଥିଲେ ଓଡ଼ିଆ ଧର୍ମଧାରା ଓ ସଂସ୍କୃତିର ପ୍ରତୀକ । ରାଞ୍ଚି, ଷଢ଼େଇକଳା, ଖରସୁଆଁ ପ୍ରଭୃତି ସ୍ଥାନରେ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଉଥିଲା । ସିଂହଭୂମି ଜିଲ୍ଲାରେ ଓଡ଼ିଆମାନଙ୍କୁ ହିନ୍ଦୀ ପଢ଼ିବା ପାଇଁ ବିହାର ସରକାର ବାଧ୍ୟ କରୁଥିବାରୁ ଉତ୍କଳମଣି ଗୋପବନ୍ଧୁଙ୍କ ନେତୃତ୍ଵରେ ଓଡ଼ିଆ ଜାତୀୟବାଦୀ ଆନ୍ଦୋଳନ ଗଢ଼ି ଉଠିଥିଲା । ମୋ ଅଜା ଈଶ୍ଵରଚନ୍ଦ୍ର ହୋତା (ପରବର୍ତ୍ତୀ କାଳରେ ଶଙ୍କର ମାଧବ ତୀର୍ଥସ୍ୱାମୀ) ବାହାଡାଗୋଡ଼ା ପାଖର ଖମାର ଗ୍ରାମର ଅଧିବାସୀ ଥିଲେ । ସେ ସ୍ୱଚ୍ଛଳ ପରିବାରରୁ ଆସିଥିଲେ ମଧ୍ୟ ଉତ୍କଳମଣିଙ୍କ ପ୍ରେରଣା ଓ ସାନ୍ନିଧ୍ୟ ପାଇ ଓଡ଼ିଆ ଆନ୍ଦୋଳନରେ ଝାସ ଦେଇଥିଲେ । ଗୋପବନ୍ଧୁ ଗାଁ ଗାଁ ବୁଲି ଓଡ଼ିଆ ଭାଷା ବଞ୍ଚାଇ ରଖିବା ପାଇଁ କହୁଥିଲେ ଏବଂ ଓଡ଼ିଆ ସ୍କୁଲ ସ୍ଥାପନା କରୁଥିଲେ । ତାଙ୍କ ଅନୁପସ୍ଥିତିରେ ସେହି କାର୍ଯ୍ୟ କରିବା ପାଇ ପଣ୍ଡିତ ଗୋଦାବରୀଶ ମିଶ୍ର, ଅନନ୍ତ ମିଶ୍ର ଓ ଈଶ୍ୱରଚନ୍ଦ୍ରଙ୍କୁ ଦାୟିତ୍ୱ ଦେଇଥିଲେ। ଗୋଦାବରୀଶ ଚକ୍ରଧରପୁରରେ ରହି ଓଡ଼ିଆ ମାଇନର ସ୍କୁଲରେ ପଢ଼ାଉଥିଲେ ଏବଂ ସିଂହଭୂମିର ବିଭିନ୍ନ ଅଞ୍ଚଳ ଗସ୍ତ କରି ଓଡ଼ିଆ ଭାଷା ଆନ୍ଦୋଳନକୁ ଲୋକପ୍ରିୟ କରିଥିଲେ । ଚକ୍ରଧରପୁରର ଓଡ଼ିଆ ନେତା କାହ୍ନୁ କିଶୋର ପାଣି । ପୂର୍ବତନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ବିଜୟ ପାଣିଙ୍କ ବାପା କାହ୍ନୁ କିଶୋର ରେଳବାଇରେ ଚାକିରି କରୁଥିଲେ ମଧ୍ୟ ସାହେବ ଓ ଅଣସାହେବ ଅଫିସରମାନଙ୍କ ମଧରେ ତାଙ୍କର ଖ୍ୟାତି ଥିଲା ଏବଂ ତାଙ୍କ କଥା ରହୁଥଲା । ଗୋଦାବରୀଶ ବାବୁ ଏମ୍‌.ଏ. ପାସ୍‌ କରବା ପରେ ଡେପୁଟି ମାଜିଷ୍ଟ୍ରେଟ ନହୋଇ ଦେଶ କାମ କରିବା ପାଇଁ ନିଷ୍ପତ୍ତି କରିଥିଲେ । ସେତେବେଳେ ରାଧାନାଥ ରଥ ଯୁବକ ଥଲେ ଏବଂ ବନ ବିଭାଗରେ କାର୍ଯ୍ୟ କରୁଥିଲେ । ଗୋପବନ୍ଧୁଙ୍କ ଆଦର୍ଶରେ ସେ ଚାକିରି ଛାଡ଼ି ତାଙ୍କ ସହକର୍ମୀ ଭାବେ ଯୋଗ ଦେଇଥିଲେ । ଚାଇଁବସାର ପ୍ରସିଦ୍ଧ ଓକିଲ ଯୋଗେନ୍ଦ୍ର ନାରାୟଣ ଆଚାର୍ଯ୍ୟ ମୋ ଅଜାଙ୍କ ବନ୍ଧୁ ଥିଲେ ଏବଂ ଓଡ଼ିଆମାନଙ୍କର ନେତୃତ୍ୱ ନେଉଥିଲେ ।

 

ଅଜାଙ୍କଠାରୁ ଶୁଣିଛି ଯେ ବହୁ କଷ୍ଟରେ ଚକ୍ରଧରପୁର ଓଡ଼ିଆ ସ୍କୁଲ ଲାଗୁଥାଏ । ଅର୍ଥାଭାବ ପ୍ରଥମ ସମସ୍ୟା । ଶିକ୍ଷକମାନଙ୍କୁ ମାସକୁ ପାଞ୍ଚ ସାତ ଟଙ୍କା ଦରମା ଦେବାପାଇଁ ଅର୍ଥ ନଥାଏ । ଅଜା ନିଜର ଜମିଜମା ଛାଡ଼ି ଗାଁ ଗାଁ ବୁଲି ଗୋପବନ୍ଧୁ ଓ ଗୋଦାବରୀଶଙ୍କ ସହିତ କାର୍ଯ୍ୟ କରୁଥିଲେ । ସେଥିପାଇଁ ଚକ୍ରଧରପୁରରେ ସାତକଡ଼ି ବାବୁଙ୍କ ପୋଷ୍ଟିଂ ହେବା ଶୁଣି ମୁଁ ଖୁସିହେଲି । ମାମୁଁଘର ପ୍ରତି ସମସ୍ତଙ୍କ ମନରେ ଆଦର ଓ ଆଗ୍ରହ ଥାଏ । ଚକ୍ରଧରପୁରରେ ରହିଲେ ମାମୁଁମାନଙ୍କ ଓ ଅଜା-ଆଇଙ୍କୁ ମାଉସୀ ଓ ଅନ୍ୟାନ୍ୟ ଆତ୍ମୀୟମାନଙ୍କୁ ଦେଖିବାର ସୁଯୋଗ ମିଳିବ ବୋଲି ଖୁସି ହେଲି । ଆହୁରି ଖୁସି ଲାଗିଲା ଯେ ଏଇ ଶତାବ୍ଦୀର ପ୍ରଥମ ୩୦/୪୦ ବର୍ଷ ଗୋପବନ୍ଧୁ, ଗୋଦାବରୀଶଙ୍କ ପରି ଉତ୍କଳ ଜନନୀର ମହାନ ସନ୍ତାନମାନେ ଯେଉଁ ସିଂହଭୂମିକୁ ନିଜର କର୍ମଭୂମି ଭାବେ ବାଛି ନେଇଥିଲେ ସେହି ସିଂହଭୂମି ଜିଲ୍ଲାରେ ଆମେ ରହିବୁ । ଚକ୍ରଧରପୁରରେ ରେଳବାଇ ଡ଼ିଭିଜନ ଅଫିସ୍‌ । ପାଖରେ ଶିଳ୍ପନଗରୀ ଟାଟାନଗର ୧୯୬୦ ମସିହା ମାର୍ଚ୍ଚ ମାସରେ ଆମେ ପହଞ୍ଚିଲୁ ଚକ୍ରଧରପୁରରେ । ସାତକଡ଼ିବାବୁ ଡ଼ିଭିଜନର କମର୍ସିଆଲ ସୁପରିଣ୍ଟେଣ୍ଡେଣ୍ଟ ପଦରେ ଅବସ୍ଥାପିତ ହେଲେ । ଭଲ ବଙ୍ଗଳାଟିଏ ମିଳିଲା । ରେଳବାଇର ସୁବିଧା ସୁଯୋଗ ମଧ୍ୟ ମିଳିଲା । ଦିନ କେଇଟାରେ ମୁଁ ଅନୁଭବ କଲି ଯେପରି ମୁଁ ନଜର ଗାଁରେ ରହିଛି । ମୋ ଅଜାଙ୍କ ବହୁ ସଂପର୍କୀୟ ଆସି ଆମକୁ ସଂଖୋଳି ଗଲେ । ସେମାନଙ୍କ କଥାଭାଷା, ଲୁଗାପିନ୍ଧା ଓ ଚଳଣିରୁ ଜାଣିଗଲି ଯେ ସେମାନେ ଅଜା, ଗୋଦାବରୀଶ ଓ ଗୋପବନ୍ଧୁ ଦେଇଥିବା କଥା ଭୁଲି ନାହାନ୍ତି । ଓଡ଼ିଆ ସେମାନଙ୍କର ପରିଚୟ। ମେଦିନୀପୁର ଜିଲ୍ଲାରେ ମଧ୍ୟ ମୋର ଅନେକ ସଂପର୍କୀୟ ଅଛନ୍ତି । କିନ୍ତୁ ସିଂହଭୂମି ଜିଲ୍ଲାର ଓଡ଼ିଆମାନେ ମାଡ଼ଗାଳି ଖାଇ ଅଭାବ, ଅସୁବିଧା ଭୋଗି ମାତୃଭାଷା ଛାଡ଼ିନଥିଲେ ମଧ୍ୟ ମେଦିନୀପୁର ଜିଲ୍ଳାର ଓଡ଼ିଆମାନେ ପ୍ରାୟ ସମସ୍ତେ ବଙ୍ଗାଳୀ ହେଇ ଯାଇଛନ୍ତି । ସରକାରୀ ନଥିପତ୍ରରେ ସେମାନଙ୍କ ମାତୃଭାଷା ଓଡ଼ିଆ ପରିବର୍ତ୍ତେ ବଙ୍ଗଳା ଲେଖାଯାଇଛି । ଏହାର କାରଣ ସିଂହଭୂମିର ଓଡ଼ିଆମାନେ ଉତ୍କଳମଣିଙ୍କ ଆଦର୍ଶରେ ପ୍ରଭାବିତ ହୋଇ ଜନନୀ ଜନ୍ମଭୂମିର ମହାନତା ରକ୍ଷା କରିବା ପାଇଁ ତାଙ୍କୁ ଦେଇଥିବା କଥା ରକ୍ଷା କରିଥଲେ। ନିଜର ଅନେକ ସ୍ଵାର୍ଥ ତ୍ୟାଗ କରି କବି ଲକ୍ଷ୍ମୀଧର ନାୟକ ତ ଆଜୀବନ ରହିଗଲେ ଟାଟାନଗରରେ ଓଡ଼ିଆ ଭାଷା, ସାହିତ୍ୟର ସମୃଦ୍ଧି ଓ ସୁରକ୍ଷା ପାଇଁ ।

 

ଚକ୍ରଧରପୁରରେ ରହିବା ଦିନଠାରୁ ସେଠାରେ ଓଡ଼ିଆମାନଙ୍କୁ ସଂଗଠିତ କରିବା ପାଇଁ କାଯ୍ୟ ଆରମ୍ଭ କଲି। ଓଡ଼ିଆ ସ୍କୁଲକୁ ହାଇସ୍କୁଲରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେଲା । ରେଳବାଇରେ ବହୁ ସଂଖ୍ୟକ ଓଡ଼ିଆ ଚତୁର୍ଥ ଶ୍ରେଣୀରେ କାର୍ଯ୍ୟ କରୁଥିବାରୁ ସେମାନଙ୍କର ସୁଖ ସୁବିଧା ପ୍ରତି ରେଳବାଇ ପ୍ରଶ୍ରାସନ ବିଶେଷ ଦୃଷ୍ଟି ଦେଉ ନଥିଲେ। ଚକ୍ରଧରପୁର ଓ ଅନ୍ୟାନ୍ୟ ସ୍ଥାନରେ କତିପୟ ବ୍ୟକ୍ତି ତୃତୀୟ ଶ୍ରେଣୀ କର୍ମଚାରୀ ଥିଲେ । ପ୍ରଥମ ଣ୍ରେଣୀର ଜଣେ ଅଫିସରଙ୍କୁ ପାଇ ସେମାନଙ୍କର ଖୁସି କହିଲେ ନ ସରେ । ଏଇ ସୁଯୋଗରେ ମୁଁ ଚେଷ୍ଟାକଲି ସେମାନଙ୍କୁ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପ୍ରତି ସଚେତନ କରି ସେମାନଙ୍କ ମନରୁ ହୀନମନ୍ୟତା ଦୂର କରିବା ପାଇଁ । ମାତୃଭାଷା ଓ ସଂସ୍କୃତ ପ୍ରତି ମନରେ ଅହଙ୍କାର ଥିବା ଯାଏ କେହି ଅନ୍ୟ ଦୃଷ୍ଟିରେ ଗୌଣ ହୋଇଯାଏ ନାହିଁ । ବଙ୍ଗାଳୀ, ତେଲୁଗୁ ଓ ବିହାରୀମାନଙ୍କର ଏକାଧିକ ଅନୁଷ୍ଠାନ ଓ ସ୍କୁଲଥିଲା । ଏପରିକି ଆଙ୍ଗଲୋ ଇଣ୍ଡିଆନମାନଙ୍କ ସଂଖ୍ୟା ଅତି କମ୍‌ ଥିଲେ ମଧ୍ୟ ସେମାନଙ୍କର ଅଲଗା କ୍ଳବ୍ ଓ ଇଂରାଜୀ ମିଡ଼ିୟମ ସ୍କୁଲ ଥିଲା । ରେଳବାଇ ଇନଷ୍ଟିଚ୍ୟୁଟରେ ବଙ୍ଗଳା ଓ ହିନ୍ଦୀ ନୃତ୍ୟଗୀତ ମଧ୍ୟ ଆୟୋଜନ କରାଯାଇଥିଲା । ସେମାନଙ୍କ ନୃତ୍ୟ ଗୀତ ଦେଖି ମୋତେ ଲାଗିଲା ଯେ ଆମ ଓଡ଼ିଶୀ ନୃତ୍ୟ, ଚମ୍ପୁ, ଭଜନ, ଜଣାଣ, ଛାନ୍ଦ, ଓଡ଼ିଶୀ ଗୀତ ସବୁଦିଗରୁ ଅଧିକ ଶାସ୍ତ୍ରୀୟ ଓ ସମୃଦ୍ଧ । ଆମ ବଙ୍ଗଳାରେ ନୃତ୍ୟ ଗୀତ ଶିକ୍ଷା ଆରମ୍ଭ ହେଲା । ଶିକ୍ଷକ ଆସିଲେ । ବଙ୍ଗାଳୀ ଶିଳ୍ପୀମାନଙ୍କୁ ପ୍ରବର୍ତ୍ତାଇଲି ସହଯୋଗ କରିବା ପାଇଁ। ସାତକଡ଼ି ବାବୁ ଜଣେ ଓଡ଼ିଆ ଅଫିସର, ତଥାପି ଓଡ଼ିଆମାନଙ୍କ ପ୍ରତି ଥିବା ସେମାନଙ୍କର ମନରେ ଧାରଣା ବଦଳିବାକୁ ଆରମ୍ଭ କରିଥାଏ । ଆହୁରି ଏହା ମଧ୍ୟ ମୁଁ ଅନୁଭବ କରୁଥାଏ ଯେ ଓଡ଼ିଆର ଟେକ ରଖିବା ପାଇଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବଂଚି ରହିବା ଦରକାର । ରେଳବାଇ ପକ୍ଷରୁ ସମସ୍ତ ଭାଷାଭାଷୀଙ୍କ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଉଥାଏ । ରେଳବାଇ ଇନଷ୍ଟିଚ୍ୟୁଟ୍‌ରେ ପ୍ରଥମଥର ପାଇଁ ଓଡ଼ିଆ ନାଟକ, ନୃତ୍ୟ ଓ ଗୀତର ଆୟୋଜନ କରାଗଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶାର ପ୍ରଖ୍ୟାତ ଦେଶସେବକ ଓ ସମାଜ ସଂପାଦକ ଶ୍ରୀ ରାଧାନାଥ ରଥ । କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା ଶୁଣାଗଲା ଅଣଓଡ଼ିଆମାନଙ୍କ ମୁହଁରୁ । ପଞ୍ଜାବୀ ଅଫିସର ମଙ୍ଗତରମ୍‌ ମଲହନ୍ ଓ ଆଙ୍ଗଲୋଇଣ୍ଡିଆନ ଅଫିସର ସି.ଏଚ୍.ବାଭଡ଼େନ, ଡିଭିଜନାଲ ମ୍ୟାନେଜର ଏମ୍‌. କେ. ମୁଖାର୍ଜୀ, ଇଂଜିନିୟର ନାରାୟଣ ସ୍ଵାମୀ ପ୍ରଭୃତି ଏହି ସଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପରେ ଆମ ଘରେ ମୁଖ୍ୟ ଅତିଥିଙ୍କ ସମ୍ମାନାର୍ଥେ ଆୟୋଜନ କରିଥିବା ରାତ୍ରି ଭୋଜନରେ ଯୋଗ ଦେଇଥିଲେ । ଏହି ଅନୁଷ୍ଠାନ ପରେ ଚକ୍ରଧରପୁର ସହର ଓ ରେଳବାଇ କଲୋନୀରେ ଓଡ଼ିଆମାନଙ୍କର ସ୍ଵରୂପ ବଦଳିଗଲା ଏବଂ ସେମାନେ ମଧ୍ୟ ସର୍ବଭାରତୀୟ ସାଂସ୍କୃତିକ ଚେତନା ପ୍ରବାହରେ ମିଶିଯିବାର ଗୌରବ ପାଇଲେ ।

 

ସିନୀ, ଖରସୂଆଁ, ଟାଟାନଗର, ଷଢ଼େଇକଳା, ବିଶ୍ରା, ଚାଇଁବସା, ରାଉରକେଲା, ବୀରମିତ୍ରପୁର, ଝାରସୁଗୁଡ଼ା, ପ୍ରଭୃତି ଉପାନ୍ତ ଅଂଚଳରେ ଓଡ଼ିଆ ଜାଗରଣ ଦେଖାଗଲା । ସବୁଠାରେ ଓଡ଼ିଆ ବିଦ୍ୟାଳୟ ଖୋଲିବା ପାଇଁ ଦାବି ହେଲା । ରେଳବାଇ କର୍ତ୍ତୃପକ୍ଷ ଓଡ଼ିଆମାନଙ୍କୁ ଆଉ ଅବହେଳା କରପାରିଲା ନାହିଁ । ଅଫିସରମାନଙ୍କ କ୍ଳବ୍‌ରେ ମଧ୍ୟ ପ୍ରଥମଥର ପାଇଁ ଓଡ଼ିଆ ସଂଗୀତ ଶୁଣାଗଲା । ଅଧିକ ଓଡ଼ିଆ ସ୍କୁଲ ଖୋଲିବା ପାଇଁ କର୍ତ୍ତୃପକ୍ଷ ରାଜି ହେଲେ ଏବଂ ଓଡ଼ିଆ ଭାଷା ଶିକ୍ଷା ପାଇଁ କମି କମି ଆସୁଥିବା ଆଗ୍ରହ ପୁନରୁଜ୍ଜୀବିତ ହେଲା । ଚକ୍ରଧରପୁରରେ ଗୋପବନ୍ଧୁ ଜୟନ୍ତୀ ସହିତ ଉପେନ୍ଦ୍ରଭଞ୍ଜ ଜୟନ୍ତୀ ଓ ଅନ୍ୟାନ୍ୟ ଉତ୍ସବ ସମାରୋହ ପାଳିତ ହେଲା । ଏହି ସମୟରେ ସମ୍ବଲପୁର-ଟିଟିଲାଗଡ଼ ରେଳପଥ ମଂଜୁର ହେଲା ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା, ସେହି ଏକ ସମୟରେ କୋରାପୁଟ-କୋଟ୍ଟାଭାଲସା ରେଳପଥର ନିର୍ମାଣ ମଧ୍ୟ ଆରମ୍ଭ ହେଲା, କିନ୍ତୁ ଏତେବଡ଼ ଅନୁଷ୍ଠାନରେ ଦ୍ଵିତୀୟ ଓଡ଼ିଆ ଅଫିସର ନଥିଲେ । ସାତକଡ଼ିବାବୁଙ୍କ ପରେ ସେ ପୁରୀ କଲେଜରେ ପଢ଼ୁଥିବା ବେଳେ ତାଙ୍କ ତଳ ବ୍ୟାଚ୍ ପୁରୀର ରାମଚନ୍ଦ୍ର ରଥ ରୋଳଵାଇ ଟ୍ରାଫିକ୍‌ ସର୍ଭିସରେ ଯୋଗ ଦେଇଥିଲେ ସତ; କିନ୍ତୁ ସିନୀଠାରେ ଟ୍ରେନିଂ ପାଉଥିବା ସମୟରେ ଜିପ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥଲେ । ସେତେବେଳେ ଏହା ଏକ ମର୍ମନ୍ତୁଦ ଘଟଣା ଥିଲା । ସମ୍ବଲପୁର- ଟିଟିଲାଗଡ଼ ରେଳପଥ ନିର୍ମାଣ ସମୟରେ ଜନ ସଂପର୍କ ରକ୍ଷା କରିବା ଦାୟିତ୍ଵ ଥିଲା ସାତକଡ଼ି ବାବୁଙ୍କର । ତେଣୁ ସେ ଇଂଜିନିୟରମାନଙ୍କ ସହିତ ମଧ୍ୟ ସେ ଅଞ୍ଚଳକୁ ଯାଉଥିଲେ । ରେଳବାଇର ନିଯୁକ୍ତି ସୁବିଧା ସୃଷ୍ଟି ହେଉଥିବା ଦେଖି ମୁଁ ସାତକଡ଼ି ବାବୁଙ୍କୁ ପ୍ରବର୍ତ୍ତାଇଲି ଓଡ଼ିଆମାନଙ୍କୁ ନ୍ୟାୟ ଦେବା ପାଇଁ । ସୌଭାଗ୍ୟକୁ ଯେଉଁ ଇଂଜିନିୟରମାନେ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ତାମିଲ ବା ହିନ୍ଦୁସ୍ଥାନୀ ଥିଲେ । ଓଡ଼ିଶୀ ପ୍ରତି ବିମୁଖ ନଥିଲେ ସେମାନେ । ବରଂ ରେଳବାଇରେ କାର୍ଯ୍ୟ କରୁଥିବା ଓଡ଼ିଆ କର୍ମଚାରୀମାନଙ୍କ ନିଷ୍ଠା ଓ ସାଧୁତା ସେମାନକୁ ମୁଗ୍ଧ କରିଥିଲା । ସେମାନଙ୍କୁ କହି ଦିନ ମଜୁରିଆ (ଏନ.ଏମ୍‌.ଆର) ଓ ଅନ୍ୟାନ୍ୟ ଚତୁର୍ଥ ଶ୍ରେଣୀ ଚାକିରିରେ ସ୍ଥାନୀୟ ଓଡ଼ିଆମାନଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହେଲା । ରେଳବାଇ ଏକ ସର୍ବ ଭାରତୀୟ ସଂସ୍ଥା । ଏଥିରେ ଧର୍ମ ଓ ଭାଷା ନିର୍ବିଶେଷରେ ସମସ୍ତ ପ୍ରଦେଶର ଲୋକ ସମାନ ସୁବିଧା ପାଇବା କଥା । କିନ୍ତୁ ପୂର୍ବରୁ କେହି ଓଡ଼ିଆ ଅଫିସର ନଥିବାରୁ ଅଣଓଡ଼ିଆ ଅଫିସରମାନେ ନିଜ ନିଜ ଅଞ୍ଚଳର ଲୋକଙ୍କୁ ଆଣି ନିଯୁକ୍ତି ଦେଉଥିଲେ । ଫଳରେ ଓଡ଼ିଶା ଅଞ୍ଚଳରେ ଥିବା ରେଳପଥରେ ଅଣ ଓଡ଼ିଆ କର୍ମଚାରୀ ଥିଲେ ଅନେକ । ଏହି ଅନ୍ୟାୟ ଦୂର କରିବା ପାଇଁ ଯୋଜନା ଅନୁସାରେ କାମ ହେଲା । ସମ୍ବଲପୁର-, ଝାରସୁଗୁଡ଼ା, ବଲାଙ୍ଗୀର, ଟିଟିଲାଗଡ଼ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କୁ ନଯୁକ୍ତି ମିଳିଲା । ସମ୍ବଲପୁରର ଏକ ଅନୌପଚାରିକ ସାମ୍ବାଦିକ ସମ୍ମିଳନୀରେ ନୃସିଂହ ଗୁରୁଙ୍କ ଏକ ପ୍ରଶ୍ନର ଉତ୍ତରରେ ସାତକଡ଼ିବାବୁ କହିଦେଲେ ଓଡ଼ିଆମାନେ ଆଗ୍ରଧିକାର ଭିତ୍ତିରେ ଚାକିରି ପାଇବା ବିଷୟ । ଏହାର ଦିନେ ପରେ ଓଡ଼ିଆ, ଇଂରାଜୀ, ହିନ୍ଦୀ, ବଙ୍ଗଳା, ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ବାହାରିଲା ଏ ବିଷୟ । ନିର୍ମାଣ କାର୍ଯ୍ୟର ଅଗ୍ରଗତି ଛଡ଼ା କେବଳ ଓଡ଼ିଆମାନଙ୍କ ନିଯୁକ୍ତି ଵିଷୟ ପ୍ରକାଶ ନକରିବା ପାଇଁ ସାତକଡ଼ିବାବୁ ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଲୋଭ ସମ୍ବରଣ କରିନପାରି କେହି କେହି ତାହା ପ୍ରକାଶ କରି ଦେବାରୁ ସାତକଡ଼ିବାବୁ ବିପଦରେ ପଡ଼ିଗଲେ । ଜେନେରାଲ ମ୍ୟାନେଜର ତାଙ୍କର କୈଫିୟତ ମାଗିଲେ । କିନ୍ତୁ କେବଳ ‘ସମାଜ’ ଓ ‘ଷ୍ଟେଟ୍‌ସମ୍ୟାନ’ କାଗଜରେ ଓଡ଼ିଆ ନିଯୁକ୍ତି ସମ୍ବାଦ ପ୍ରକାଶ ନପାଇ କେବଳ ଏଥିରେ ପ୍ରକାଶ ପାଇଥିଲା ଯେ, ସ୍ଥାନୀୟ ଓଡ଼ିଆମାନଙ୍କୁ ନୂତନ ରେଳପଥରେ ନିଯୁକ୍ତି ଦେବା ବିଷୟରେ ରେଳବାଇର ନୀତି ସାମ୍ବାଦିକମାନେ ଜାଣିବାକୁ ଚାହିଁବାରୁ ସ୍ଥାନୀୟ ଲୋକମାନଙ୍କ ଦାବି ନିୟମ ଅନୁସାରେ ବିଚାର କରାଯିବ ବୋଲି ବାହାରି ଥିଲା । କୈଫିୟତରେ ସାତକଡ଼ି ବାବୁ ଲେଖିଦେଲେ ଯେ, ଅନ୍ୟ କାଗଜ ଯାହା ଛାପିଛନ୍ତି ତାହା ସତ୍ୟ ନୁହେଁ, କେବଳ ଓଡ଼ିଆମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କୌଣସି ପ୍ରତିଶୃତି ଦେଇନାହାନ୍ତି । ଏହାର ପ୍ରମାଣ ସ୍ଵରୂପ ଷ୍ଟେଟ୍‌ସ୍‌ମ୍ୟାନ ଓ ସମାଜର କଟିଂ ସେ ଜି.ଏମ୍‌.ଙ୍କ ପାଖକୁ ପଠାଇଦେଲେ । କଥା ସେଇଠି ଶେଷ ହେଲା ।

 

କିନ୍ତୁ ଏ ସବୁ ଶୁଣି ସେତେବେଳେ ରେଳବାଇ ସର୍ଭିସ୍‌ କମିଶନର ଚେୟାରମ୍ୟାନ ଓଡ଼ିଶାର ପୂର୍ବତନ ପୋଲିସ୍‌ ଆଇ.ଜି ମୋ ଆଗରେ ସାତକଡ଼ିବାବୁଙ୍କୁ ସତର୍କ କରିଦେଇ କହିଲେ- ତମ ସୀମାବଦ୍ଧତା ଜାଣିଥିବ । ଓଡ଼ିଆଙ୍କୁ ସାହାଯ୍ୟ କରିବା ଭଲ କଥା, କିନ୍ତୁ ଏହା ବାହାରେ କାହା ଆଗରେ ପ୍ରକାଶ ନକର ଯେପରି । ନଚେତ୍‌ ବିପଦରେ ପଡ଼ିବାର ସମ୍ଭାବନା ଅଛି । କିନ୍ତୁ ତଥାପି ସାତକଡ଼ିବାବୁଙ୍କୁ ମୁଁ ସଦାବେଳେ ପ୍ରବତ୍ତାଉ ଥାଏ ଓଡ଼ିଆମାନଙ୍କୁ ସାହାଯ୍ୟ କରିବା ପାଇଁ । ଏହାର ପରିଣତି ଯେ ସଦାବେଳେ ଭଲ ହୋଇନାହିଁ ତାହା ଅଙ୍ଗେନିଭା କାହାଣୀ । ଚକ୍ରଧରପୁରରେ ପ୍ରାୟ ଦୁଇବର୍ଷ ରହିଥିଲୁ ଆମେ, ଏଇ ଦୁଇବର୍ଷ ଏଇଥିପାଇଁ ସ୍ମରଣୀୟ ଯେ, ଏଠାରେ ମୋ ସାନଝିଅ ସୁଚେତା ଜନ୍ମିଥିଲା, ଏବଂ ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ ଏବଂ ସୁରକ୍ଷା ପାଇଁ କିଛି କରିବାର ସୁବିଧା ମୁଁ ପାଇଥିଲି ।

Image

 

ଅନେକ ଦୂର ନଇନପୁର

 

ଚକ୍ରଧରପୁରରୁ ବଦଳି ହୋଇ ମଧ୍ୟପ୍ରଦେଶ ମାଣ୍ଡଲା ଜିଲ୍ଲାର ନଇନପୁର ରେଳବାଇ ଜିଲ୍ଲା ହେଡ଼କ୍ୱାଟର୍ସକୁ ଯିବାକୁ ପଡ଼ିଲା । ନଇନପୁର ରେଳବାଇ ଜିଲ୍ଲା ଅଧିନରେ ଏଗାର ଶହ କିଲୋମିଟର ଛୋଟ ରେଳପଥ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ମାଣ୍ଡଲା, ବାଲାଘାଟ, ସିଓନି ଓ ଛିନ୍ଦୱାଢ଼ା ଜିଲ୍ଲା ଏବଂ ମହାରାଷ୍ଟ୍ରର ଗୋଣ୍ଡିଆ, ନାଗପୁର ଓ ଚାନ୍ଦା ଜିଲ୍ଲା ପରିବ୍ୟାପ୍ତ ହୋଇରହିଛି । ମାଣ୍ଡଲା ସହର ସହିତ ଓଡ଼ିଶାର ଐତିହାସିକ ସଂପର୍କ ସେଠାରେ ପହଂଚି ଜାଣିବାକୁ ପାଇଲି । ଗୋଣ୍ଡିଆ ପର୍ଯ୍ୟନ୍ତ ହାଓଡ଼ା, ବମ୍ବେଇ ମେଲ୍‌ ଟ୍ରେନ୍‌ରେ ଆସି ସେଠାରୁ ଛୋଟ ଗାଡ଼ିରେ ଆସିଲୁ । ଏହି ଛୋଟ ଗାଡ଼ି ଆମ ଓଡ଼ିଶାର ରୁପ୍‌ସା, ବାଙ୍ଗିରିପୋଷୀ ବା ନରପଡ଼ା ଗୁଣପୁରର ଛୋଟଗାଡ଼ି ପରି । ଗୋଣ୍ଡିଆରେ ଆମକୁ ସାକ୍ଷାତ କଲେ ବାଲାଘାଟରେ ଅବସ୍ଥାପିତ ମାଲବାବୁ ପୁରୀର ଗଙ୍ଗାଧର ମିଶ୍ର । ତାଙ୍କଠାରୁ ଶୁଣିଲି ଯେ, ମାଣ୍ଡଲା ଦୁର୍ଗ ଭିତରେ ଓଡ଼ିଶାର ବିଦ୍ରୋହୀ ବୀର ସୁରେନ୍ଦ୍ର ସାଏଙ୍କୁ ବ୍ରିଟିଶ୍‌ ସରକାର ବନ୍ଦୀ କରି ରଖିଥିଲା । ସେତେବେଳେ ଶ୍ରୀ ଏସ୍‌.ସି.ମାଥୁର ସେଠାରେ କଲେକ୍ଟର ଥାଆନ୍ତି । ତାଙ୍କର ସୌଜନ୍ୟରୁ ଆମେ ମାଣ୍ଡଲା ବୁଲି ଆସିଲୁ ଏବଂ ସୁରେନ୍ଦ୍ର ସାଏଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରିଦ୍ଧାଞ୍ଜଳି ଦେଲୁ । ସୁରେନ୍ଦ୍ର ସାଏ ଆଜୀବନ ବ୍ରିଟିଶ୍‌ ଶାସନ ବିରୋଧରେ ଲଢ଼େଇ କରି ଆସିଥିଲେ । ସ୍ଵାଧୀନତା ପରେ ତାଙ୍କ ସ୍ମୃତିରକ୍ଷା କରିବା ସକାଶେ ଓଡ଼ିଶାର କେତେ ଅନୁଷ୍ଠାନ ତାଙ୍କ ନାମ ଅନୁସାରେ ନାମିତ କରାଯାଇଛି । କିନ୍ତୁ ଦୁଃଖର ବିଷୟ ଯେ, ଭାରତରେ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଓଡ଼ିଶାର କୌଣସି ସ୍ୱାଧୀନତା ସଂଗ୍ରାମୀଙ୍କର ଚିହ୍ନବର୍ଣ୍ଣ ମଧ୍ୟ ନାହିଁ । ଓଡ଼ିଆମାନେ ନିଜ ଇତିହାସ ଜାଣନ୍ତି ନାହିଁ କି ତାହା ଲେଖିବାର ସାମର୍ଥ୍ୟ ନାହିଁ । ଅଣଓଡ଼ିଆ ଐତିହାସିକମାନଙ୍କ ଦ୍ଵାରା ଲେଖାହୋଇଛି ଓଡ଼ିଶାର ଇତିହାସ । ଜଣେ ଅଧେ ଓଡ଼ିଶାର ଠିକ୍‌ ପ୍ରତ୍ନତାତ୍ତ୍ୱିକ ବିବରଣୀ ଦେଇଥିଲେ ମଧ୍ୟ ଅନେକ ପ୍ରାଚୀନ ଓଡ଼ିଶାର ପ୍ରକୃତ ଚିତ୍ର ଦେଇନାହାନ୍ତି ବା ତାକୁ ବିକୃତ କରିବାକୁ ଚେଷ୍ଟା କରିଛନ୍ତି । ଓଡ଼ିଆମାନେ ଯେ ସର୍ବଭାରତୀୟ ସ୍ତରରେ ଅବହେଳିତ ହୁଅନ୍ତି ଏହା ତାହାର ପ୍ରମାଣ । ନିକଟରେ ରେଳବାଇ ପକ୍ଷରୁ ସ୍ୱାଧୀନତା ସଂଗ୍ରାମ ପ୍ରଦର୍ଶନୀ ଟ୍ରେନ୍‌ ଭୂବନେଶ୍ଵର ଆସିଥିଲା ଏବଂ ମୁଖ୍ୟମନ୍ତ୍ରୀ ଏହି ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ । ସମଗ୍ର ଟ୍ରେନଟିରେ ସ୍ଵାଧୀନତା ସଂଗ୍ରାମର ବିଭିନ୍ନ ଚିତ୍ର ରଖାଯାଇଥିଲେ ସୁଦ୍ଧା ଓଡ଼ିଶାର କୌଣସି ଚିତ୍ର ସେଥିରେ ସ୍ଥାନ ପାଇନଥିଲେ । ଏପରିକି ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ହରେକୃଷ୍ଣ ମହତାବଙ୍କ ଚିତ୍ର ମଧ୍ୟ ନଥିଲା । ଏଥିରୁ ଓଡ଼ିଆମାନଙ୍କୁ ଭାରତରେ ସରକାରୀ ସ୍ତରରେ କେତେ ଗୁରୁତ୍ଵ ଦିଆଯାଏ ତାହା ଅନୁମାନ କରିହୁଏ । ନଇନପୁର ରେଳବାଇ ଜିଲ୍ଲାରେ ଦଶହଜାର ଲୋକ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ମାତ୍ର ଚାରିପାଞ୍ଚ ଜଣ ଓଡ଼ିଆ ଥିଲେ-। ସେହି ତୁଳନାରେ ତେଲୁଗୁ, ବଙ୍ଗାଳୀ ମରାଠୀ ଓ ହିନ୍ଦୁସ୍ଥାନୀର ସଂଖ୍ୟା ଅନେକ ବେଶୀ ।

 

ନଇପୁରରେ ଏଇ ମୁଷ୍ଟିମେୟ ଓଡ଼ିଆ ରେଳକର୍ମଚାରୀ ଥିଲେ ମଧ୍ୟ ସେମାନଙ୍କୁ ଏକତ୍ରିତ କରି କିଛି ଗୋଟେ କରିବା ପାଇଁ ଚେଷ୍ଟା କଲି । ନାଗପୁରରେ ଓଡ଼ିଆମାନଙ୍କ ସଂଖ୍ୟା ନହାତି ନଗଣ୍ୟ ନୁହେଁ । ସାତକଡ଼ି ବାବୁ ଜିଲ୍ଲା ଟ୍ରାଫିକ୍‌ ସୁପରିଣ୍ଟେଣ୍ଡଣ୍ଟ ପଦରେ ଯୋଗଦେବା ପରେ ତାଙ୍କୁ ଏବଂ ତାଙ୍କର ସହକର୍ମୀମାନଙ୍କୁ ଅନୁରୋଧ କରି କେତେଜଣ ଓଡ଼ିଆମାନଙ୍କୁ ଚତୁର୍ଥ ଶ୍ରେଣୀରେ ନିଯୁକ୍ତି ଦେବାର ବ୍ୟବସ୍ଥା କରିଥିଲି । ନଇନପୁର ସହରଟି ଛୋଟ ହେଲେ ମଧ୍ୟ ସେଠାରେ ଅଧିକ ସଂଖ୍ୟକ ହିନ୍ଦୀଲୋକ ଥିଲେ । କିନ୍ତୁ ସଂସ୍କୃତ କ୍ଷେତ୍ରରେ ବଙ୍ଗାଳୀମାନଙ୍କର ପ୍ରଭାବ ଥିଲା ବେଶୀ । ସେମାନଙ୍କ ଉଦ୍ୟମରେ ଦୁର୍ଗାପୂଜା, କାଳୀପୂଜା, ବଙ୍ଗାଳୀ ନବବର୍ଷ, ରବୀନ୍ଦ୍ର ଜୟନ୍ତୀ ଇତ୍ୟାଦି ଧୁମଧାମରେ ପାଳିତ ହେଉଥିଲା । କଲିକତାର ଶ୍ରୀ ତିନିକଡ଼ି ଚନ୍ଦ୍ର ଘୋଷ ଜିଲ୍ଲା ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ପରିବାର ବଙ୍ଗାଳୀମାନଙ୍କୁ ଏକତ୍ରିତ କରିବାରେ ବିଶେଷ ତତ୍ପରତା ଦେଖାଉଥିଲେ । ପ୍ରତିବର୍ଷ ନୃତ୍ୟଗୀତ ପ୍ରତିଯୋଗିତା କରାଯାଇଥିଲା । ସେତେବେଳକୁ ମୋ ବଡ଼ ଝିଅ ସୌମ୍ୟାର ବୟସ ପାଞ୍ଚ । ସେ ଚକ୍ରଧରପୁରରେ ଥିଲାବେଳେ ଓଡ଼ିଶୀ ନୃତ୍ୟ ଶିଖିଥିଲା ଏବଂ ନଇନପୁରକୁ ଆସିବା ପରେ ମଧ୍ୟ ଓଡ଼ିଶାରୁ ନୃତ୍ୟ ଶିକ୍ଷକ ଆଣି ଗ୍ରୀଷ୍ମଛୁଟିରେ ତାକୁ ନୃତ୍ୟ ଶିକ୍ଷା ଦେଉଥିଲି । ସେଇ ବର୍ଷ ନୃତ୍ୟ ପ୍ରତିଯୋଗିତାରେ ତିନିକଡ଼ି ଘୋଷଙ୍କର କନ୍ୟା ସୁମିତାକୁ ପରାସ୍ତ କରି ମୋ ବଡ଼ଝିଅ ସୌମ୍ୟା ନୃତ୍ୟରେ ପ୍ରଥମ ହେଲା ଏବଂ କପ୍‌ ପାଇଲା । ବିଚାରକ ଥିଲେ ବି. ରଙ୍ଗରାଜନ୍ ଓ ନରେଶ ମିତ୍ର । ନଇନପୁରରେ ସେଇ ହେଉଛି ପ୍ରଥମ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ । ନୃତ୍ୟଗୁରୁ ଦୟାନିଧି ସାହୁଙ୍କ ନିର୍ଦ୍ଦେଶନାରେ ‘ମଲ୍ଲୀମାଳ ଶ୍ୟାମକୁ ଦେବି...’ ଗୀତ ସହିତ ସେ ନୃତ୍ୟ କରିଥିଲା । ଏହାପରେ ଓଡ଼ିଶୀ ନୃତ୍ୟର ପ୍ରସିଦ୍ଧି ମାଣ୍ଡଲା, ଗୋଣ୍ଡିଆ, ଜବଲପୁର ଓ ନାଗପୁର ଅଞ୍ଚଳକୁ ବ୍ୟାପିଯାଇଥିଲା ।

 

ବଙ୍ଗାଳୀ ଓ ତେଳୁଗୁମାନେ ପ୍ରତିବର୍ଷ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଉତ୍ସବ ପାଳନ କରୁଥିଲେ । ଆମେ ମଧ୍ୟ ନିମନ୍ତ୍ରଣ ପାଇ ସେଥିରେ ଯୋଗ ଦେଉଥିଲୁ । ସେମାନଙ୍କ ସହିତ ତାଳଦେବା ପାଇଁ ମୁଁ କତିପୟ ଓଡ଼ିଆଙ୍କୁ ଏକତ୍ରିତ କରି ନୃତ୍ୟଶିକ୍ଷା ଦେବାର ବ୍ୟବସ୍ଥା କଲି ଏଵଂ ତା’ ପରବର୍ଷ ଶ୍ରୀ ଜଗନ୍ନାଥ ନାଟକ ମଞ୍ଚସ୍ଥ କରାଗଲା । ଜଗନ୍ନାଥଙ୍କର ଆକର୍ଷଣ ସାରା ଭାରତରେ ପ୍ରସିଦ୍ଧ । ତେଣୁ ଏହି ନାଟକ ଦେଖିବା ପାଇଁ ନଇନପୁର ବାହାରୁ ଗୋଣ୍ଡିଆ, ବାଲଘାଟ, ଜବଲପୁର ଓ ନାଗପୁର ପ୍ରଭୃତି ସ୍ଥାନରୁ ଓଡ଼ିଆ, ଅଣଓଡ଼ିଆ କର୍ମଚାରୀମାନେ ଆସିଥିଲେ ।

 

ବିଭିନ୍ନ ନିଯୁକ୍ତି ମାଧ୍ୟମରେ ଓଡ଼ିଆମାନଙ୍କର ସଂଖ୍ୟା କ୍ରମଶଃ ବଢ଼ିଲା । ଏଣୁ ସେମାନଙ୍କର ସ୍ଵାସ୍ଥ୍ୟରକ୍ଷା କରିବା ପାଇଁ ମୁଁ ଯତ୍‌ପରୋନାସ୍ତି ଚେଷ୍ଟା କରୁଥଲି । କୌଣସି ଓଡ଼ିଆ ପର୍ବପର୍ବାଣି ହେଲେ ଅଫିସରମାନଙ୍କୁ କହି ସେମାନଙ୍କୁ ନଇନପୁର ଆସିବାର ବ୍ୟବସ୍ଥା କରାଯାଉଥିଲା । ଏହାଦ୍ଵାରା ଓଡ଼ିଆମାନଙ୍କ ମଧ୍ୟରେ ଏକତ୍ର ହେବାର ସୁବିଧା ମିଳୁଥିଲା ଏବଂ ସେଥରୁ ସାଂସ୍କୃତିକ ଚେତନା ଦୃଢ଼ ହେଉଥଲା । ଗଙ୍ଗାଧର ମିଶ୍ର, ଏସ୍‌.ଆର.ପଟ୍ଟନାୟକ ପଭୃତି ଓଡ଼ିଆମାନଙ୍କୁ ଏକତ୍ର କରିବାରେ ସାହାଯ୍ୟ କରୁଥିଲେ । ସେଲ ଅଞ୍ଚଳର ଏମ୍‌.ପି, ଉଇକେ ସାହେବ ଓ ତାଙ୍କ ପୁଅ ମଧ୍ୟପ୍ରଦେଶ ମନ୍ତ୍ରୀ ବସନ୍ତ ଉଇକେ ବେଳେବେଳେ ଆମ ଘରକୁ ଆସୁଥିଲେ। ମଧ୍ୟପ୍ରଦେଶର ନେତା ଓ ମନ୍ତ୍ରୀମାନଙ୍କର ମମତ୍ୱ ଓ ଆନ୍ତରିକତା ମନେରଖିବା ଭଳି । କିନ୍ତୁ ମାଣ୍ଡଲା ଅଞ୍ଚଳର ଦାରିଦ୍ର୍ୟ ଠିକ୍‌ ଓଡ଼ିଶା ପରି ।

 

ନଇନପୁର ଅବସ୍ଥାନ ସମୟ ସବୁ ଦୃଷ୍ଟିରୁ ବେଶ୍‌ ଉପଭୋଗ୍ୟ ହୋଇଥଲା । କର୍ମଚାରୀମାନଙ୍କ ମଧ୍ୟରେ ପରିବାର ନିୟୋଜନ ଯୋଜନା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୁଁ ମହିଳାମାନଙ୍କୁ ସଂଗଠିତ କରିଥିଲି । ଏଥିପାଇଁ ମୋତେ ଜବଲପୁର, ଛିନ୍ଦୱାଡ଼ା ସିଓନି, ବାଲାଘାଟ ଏବଂ ନାଗପୁର ପ୍ରଭୃତି ସ୍ଥାନକୁ ବାରମ୍ବାର ଯିବାକୁ ପଡ଼ିଥିଲା । ନଇନପୁରରେ ମହିଳାମାନଙ୍କ ମଧ୍ୟରେ କାମ କରିବା ସୁଯୋଗ ଅଧିକ ଥିଲା । ମହିଳା ସମିତି ଏବଂ ସ୍କାଉଟ୍‌ ଓ ଗାଇଡ଼୍‌ ମାଧ୍ୟମରେ ମୁଁ ମହିଳା ଓ ଛାତ୍ରଛାତ୍ରୀମାନଙ୍କୁ ଏକତ୍ରିତ କରିବାର ସୁବିଧା ପାଇଥିଲି ।

 

ମୁଁ ଗାଇଡ଼୍‌ସମାନଙ୍କର ଜିଲ୍ଲା କମିଶନର ଥିଲି ଏବଂ ସ୍କାଉଟ୍‌ ଶିକ୍ଷକ ଶ୍ରୀ ଉପାଧ୍ୟାୟଙ୍କ ସହାୟତାରେ ନଇନପୁର ଜିଲ୍ଲାର ସମସ୍ତ ରେଳବାଇ ସ୍କୁଲର ସ୍କାଉଟ୍‌ ଗାଇଡ଼୍‌ ଛାତ୍ରଛାତ୍ରୀମାନଙ୍କୁ ନେଇ ଛିନ୍ଦୱାଢ଼ା ଠାରେ ଏକ ଜିଲ୍ଲା ର‍୍ୟାଲି ଆୟୋଜନ କରାଯାଇଥିଲା । ଏହି ଶିବିର ପରିଚାଳନା କରିବାର ଦାୟିତ୍ୱ ମୋ ଉପରେ ଥିଲା ଏବଂ ସ୍ଥାନୀୟ ଡ଼େପୁଟି କମିଶନର ଆର.ଏସ୍‌. ଭଟ୍ଟାଚାର୍ଯ୍ୟଙ୍କୁ ଶିବିର ଉଦ୍‌ଘାଟନ କରିବା ପାଇଁ ମୁଁ ଆମନ୍ତ୍ରଣ କରିଥିଲି । ପ୍ରାୟ ପାଞ୍ଚଶହ ସ୍କାଉଟ ଛାତ୍ରଛାତ୍ରୀ ତିନିଦିନ କାଳ ଶିବିରରେ ରହି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍କାଉଟ୍‌ ଏବଂ ଗାଇଡ଼୍‌ସମାନଙ୍କର କର୍ତ୍ତବ୍ୟ ସଂପର୍କରେ ପ୍ରଶିକ୍ଷଣ ପାଇଥିଲେ । ଏହି ଶିବିରରେ ଶ୍ରେଶୀ ନିର୍ବିଶେଷରେ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ସହିତ ଆସିଥିବେ ଅଭିଭାବକମାନଙ୍କ ମଧ୍ୟରେ ସମାନ ଭାବରେ ଚଳିବାର ଯେଉଁ ସୁବିଧା ମୋତେ ମିଳିଥିଲା ତାହା ମୋର ମାନସିକ ଚିନ୍ତାକୁ ପ୍ରସାରିତ କରିବାରେ ବହୁତ ସାହାଯ୍ୟ କରିଥିଲା । ଏବେ ପ୍ରାୟ ପଞ୍ଚତିରିଶ ବର୍ଷ ପରେ ମଧ୍ୟ କ୍ୟାମ୍ପ୍‌ ଫାୟାର ସମୟର ଦୃଶ୍ୟ ମନେପଡ଼ିଲେ ମୁଁ ଭାବବିହ୍ଵଳ ହୋଇଯାଏ । ମୋ ମତରେ ପ୍ରତ୍ୟେକ ବାପା, ମା’ ନିଜର ପୁଅଝିଅମାନଙ୍କୁ ସ୍କାଉଟ୍‌, ଗାଇଡ଼୍‌ ଟ୍ରେନିଂ ଦେବା ଉଚିତ । ଏହାଦ୍ଵାରା ପିଲାମାନଙ୍କ ମଧ୍ୟରେ ଶୃଙ୍ଖଳା ଜ୍ଞାନ, କର୍ତ୍ତବ୍ୟନିଷ୍ଠା । ଆତ୍ମବିଶ୍ଵାସ, ସମବେତ ଜୀବନଯାପନ ଓ ସେବା କରିବାର ମନୋଭାବ ଦୃଢ଼ ହୋଇଥାଏ। ସ୍କାଉଟ୍‌ର ଉଦ୍ଦେଶ୍ୟ ହେଉଛି (ନିଜ କଥା ଅପେକ୍ଷା ଅନ୍ୟର ସେବା କର) । ଏହି କ୍ୟାମ୍ପରୁ ଅର୍ଜିତ ଅନୁଭୁତି ପରେ ସ୍କାଉଟ୍‌ ଗାଇଡ଼୍‌ ସଂଗଠନରେ କାର୍ଯ୍ୟ କରିବା ପାଇଁ ମୋତେ ବିଶେଷ ସାହାଯ୍ୟ କରିଥଲା ।

 

ନଇନପୁରରେ ଥିବାବେଳେ ଓଡ଼ିଶାର ପୂର୍ବତନ ପୋଲିସ୍‌ ଆଇ.ଜି. ରାମଚନ୍ଦ୍ର ଦାସ ଚାକିରିରୁ ଅବସର ଗ୍ରହଣ କରିବା ପରେ ରେଳବାଇ ସର୍ଭିସ୍‌ କମିଶନର ଚେୟାରମ୍ୟାନ ହୋଇଥାନ୍ତି । ସେ ନାଗପୁରକୁ ଗସ୍ତରେ ଆସିଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଏବଂ ତାଙ୍କୁ ନାଗପୁର ମେଡ଼ିକାଲ କଲେଜ୍‌ରେ ଭର୍ତ୍ତି କରାଗଲା । ଛାତ୍ରାବସ୍ଥାରୁ ସେ ସାତକଡ଼ିବାବୁଙ୍କୁ ବିଭିନ୍ନ ଭାବରେ ସାହାଯ୍ୟ କରିଥିଲେ । ତାଙ୍କର ଅସୁସ୍ଥତା ଖବର ପାଇ ଆମେ ନାଗପୁର ଗଲୁ, କିନ୍ତୁ ଦୁଇଦିନ ପରେ ସେ ଶେଷନିଃଶ୍ଵାସ ତ୍ୟାଗ କଲେ । ସେହି ନାଗପୁରରେ ତାଙ୍କ ଶବସତ୍କାର କରି ଆମେ ଫେରିଆସିଲୁ ନଇନପୁର । ନଇନପୁରରେ ଥିବାବେଳେ ବହୁ ସ୍ଥାନ ଦେଖିବାର ସୁଯୋଗ ପାଇଛି ସେଥିମଧ୍ୟରୁ ଜବଲପୁର ନିକଟସ୍ଥ ନର୍ମଦା ନଦୀ ଏବଂ ମାର୍ବଲ ପାହାଡ଼ ଶ୍ରେଷ୍ଠ । ଦୁଇପାଖରେ ଉଚ୍ଚ ମାର୍ବଲ ପାହାଡ଼। ପଥର କାଟି ମଝିରେ ବହି ଆସିଛି ପୁଣ୍ୟତୋୟା ନଦୀ । ମାଣ୍ଡଲା ଠାରେ ଏହି ଦୃଶ୍ୟ ଭିନ୍ନ ପ୍ରକାର । ନଦୀକୂଳରୁ ନୌକାରେ ବସି ଆମେ ଅପ୍ରଶସ୍ତ କିନ୍ତୁ ଗଭୀର ନଦୀ ସ୍ରୋତରେ ଘଣ୍ଟାଏ କାଳ ବୁଲିଲୁ। ମାର୍ବଲ ପାହାଡ଼ ଓ ନର୍ମଦା ନଦୀର ଅପୂର୍ବ ଅନିର୍ବଚନୀୟ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ହଜାର ହଜାର ପର୍ଯ୍ୟଟକ ଆସନ୍ତି ଦେଶ ବିଦେଶରୁ । ମାଣ୍ଡଲା ନିକଟ ଅଭୟାରଣ୍ୟରେ ନାନାଦି ପଶୁପକ୍ଷୀ ଓ ସରୀସୃପ ଦେଖିବାକୁ ମିଳନ୍ତି । ମହାବଳ ବାଘଠାରୁ ମୟୂର ଓ ଅଜଗର ପର୍ଯ୍ୟନ୍ତ ନାନାଦି ଜୀବଜନ୍ତୁରେ ପୂର୍ଣ୍ଣ ଅରୟାରଣ୍ୟ । ଦେଖିବା ପାଇଁ ମଞ୍ଚା ଏବଂ ରହିବା ପାଇ ବଙ୍ଗଳା ଅଛି । ଆହୁରି ଛୋଟ ରେଳପଥର ଆଠଚକିଆ ସେଲୁନ ଭିତରେ ରହି ବାହାରର ଦୃଶ୍ୟ ଉପଭୋଗ କରିହୁଏ । ଛୋଟ ରେଳଗାଡ଼ି ଘାଟି ଅତିକ୍ରମ କଲାବେଳେ ସେଲୁନ୍ ଝରକା ଦେଇ ପଛର ଓ ଦୁଇପାଖର ଶୋଭା ଦେଖୁ ମୁଗ୍ଧ ହୋଇଥିଲି । ସାତକଡ଼ିବାବୁଙ୍କ ଚାକିରି ଜୀବନର ସବୁଠାରୁ ଶାନ୍ତିପୂର୍ଣ୍ଣ ଓ ଉପଭୋଗ୍ୟ ସମୟ ଥିଲା ନଇନପୁର । ଇଂରେଜ ଅମଳରେ ତଆରି ମାର୍ବଲ ଖଚିତ ବଡ଼ ବଡ଼ ବଙ୍ଗଳାର ସୁବିଧା କରିଦେଇଥିଲେ ଭଗବାନ ।

Image

 

ଅତି ଆପଣାର ଖଡ଼୍‍ଗପୁର

 

ଖଡ଼ଗପୁରର ଅପଭ୍ରଂସ ଖଡ଼୍‌ଗପୁର । ଦିନେ ଏହି ଅଞ୍ଚଳର ଲୋକମାନେ ଖଡ଼୍ଗଚାଳନା ଓ ଯୁଦ୍ଧରେ ପାରଙ୍ଗମ ଥିଲେ । ବ୍ରିଟିଶ୍‌ ଶାସନାଧୀନ ହେବା ପୂର୍ବରୁ ଓ ତା’ପରେ ମଧ୍ୟ ଖଡ଼୍‌ଗପୁର, ମେଦିନୀପୁର, ବାଙ୍କୁଡ଼ା ଇତ୍ୟାଦି ଓଡ଼ିଶାର ଅଂଶ ଥିଲା । ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ବଙ୍ଗୀୟ ଚେତନାର ପ୍ରସାର ହେବା ଫଳରେ ଏବଂ ବଙ୍ଗଭ୍‌ଙ୍ଗ ଆାନ୍ଦୋଳନ ପରେ ଓଡ଼ିଆଭାଷା ସ୍ଥାନରେ ବଙ୍ଗ ଭାଷାର ପ୍ରଚଳନ ପ୍ରାଧାନ୍ୟ ପାଇଲା । ତା’ଫଳରେ ଊନବିଂଶ ଶତାବ୍ଦୀ ଆରମ୍ଭ ବେଳକୁ ଥିବା ଓଡ଼ିଆମାନଙ୍କ ସଂଖ୍ୟା ଜନସଂଖ୍ୟା ବୃଦ୍ଧି ଅନୁପାତରେ ଵୃଦ୍ଧି ନପାଇ କମିବାକୁ ଲାଗିଲା । ଓଡ଼ିଆ ଭାଷା ଲୋକ ମୁହଁରେ ପ୍ରଚଳିତ ଥିଲେ ସୁଦ୍ଧା ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ ହୋଇ ନପାରିବାରୁ ଏବଂ ସରକାର ବଙ୍ଗଭାଷା ପ୍ରତି ଅଧିକ ଗୁରୁତ୍ୱ ଦେବାରୁ ଓଡ଼ିଆ ଭାଷା ସଂସ୍କୃତି ଘର ମଧ୍ୟରେ ଆବଦ୍ଧ ହୋଇ ରହିଲା ସିନା ସାର୍ବଜନୀନ କ୍ଷେତ୍ରରୁ ବିଦାୟ ନେଲା । ଫଳରେ ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ବହୁଳ ମେଦିନୀପୁର ଓ ବାଙ୍କୁଡ଼ା ଜିଲ୍ଲାରୁ ଓଡ଼ିଆମାନେ ନଗଣ୍ୟ ହୋଇଗଲେ । ତଥାପି ଏବେ ବି ଲକ୍ଷାଧିକ ଓଡ଼ିଆ ସେ ଅଞ୍ଚଳର ଅଧିବାସୀ । ଓଡ଼ିଆ ମାତୃଭାଷା ଏବଂ ପୂଜାପାର୍ବଣ, ବିବାହବ୍ରତ ଓଡ଼ିଆ ନୀତି ଅନୁସାରେ ହେଉଥିଲେ ମଧ୍ୟ ଏବେ ସେମାନେ ଜୀବିକାର୍ଜନ ଓ ଚାକିରିର ସୁବିଧା ଦୃଷ୍ଟିରୁ ମାତୃଭାଷା ବଙ୍ଗଳା ଲେଖୁଛନ୍ତି । ମହାନ୍ତିମାନେ ମାଇତି, ପଣ୍ଡା ମାନେ ପାଣ୍ଡା, ସାହୁମାନେ ସାଉରେ ପରିଣତ ହୋଇଛନ୍ତି । ଗୋଟିଏ ସ୍ଵତନ୍ତ୍ର ଭାଷା ଓ ସଂସ୍କୃତିର ଏପରି ଦୟନୀୟ ଅପମୃତ୍ୟୁ ବିରଳ ହେଲେ ମଧ୍ୟ ସତ୍ୟ ।

 

ଖଡ୍‌ଗପୁର ପଶ୍ଚିମବଙ୍ଗ ଶିଳ୍ପାଞ୍ଚଳ ଓ ଭାରତର ଗୋଟିଏ ବଡ଼ ରେଳବାଇ ଜଙ୍କସନ୍ ଓ କଲୋନୀ ଭାବେ ପ୍ରସିଦ୍ଧ । ହାଓଡ଼ା ବମ୍ବେ ଏବଂ ହାଓଡ଼ା ମାନ୍ଦ୍ରାଜ ରେଳପଥ ଖଡ଼ଗପୁରଠାରେ ଅଲଗା ହୋଇ ପୂର୍ବ ଓ ପଶ୍ଚିମକୁ ଯାଇଛି । ଏହିଠାରୁ ମେଦିନୀପୁର ବାଙ୍କୁଡ଼ା ଦେଇ ଶାଖା ପଥ ବିହାର ଆଡ଼କୁ ଯାଇଛି । ଖଡ଼୍‌ଗପୁରରେ ଭାରତର ଅନ୍ୟତମ ବଡ଼ ଓ୍ୱର୍କସପ୍‌ ରହିଛି ଯାତ୍ରୀବାହୀ ଓ ମାଲ୍‌ବାହୀ ଡବା ଏବଂ ଇଞ୍ଜିନ୍ ମରାମତି ପାଇଁ । ଖଡ଼ଗପୁରରେ ପଚିଶ ହଜାର ରେଳକର୍ମଚାରୀ ପରିବାର ସହିତ ବାସ କରନ୍ତି । ଖଡ଼ଗପୁର ରେଳବାଇ କଳେନୀର ଲୋକସଂଖ୍ୟା ଲକ୍ଷେରୁ ଅଧିକ-। ଏହା ପାଖକୁ ଲାଗି ବାୟୁସେନାର ଯୁଦ୍ଧବିମାନ ଆଡ୍ଡା କଲାଇକୁଣ୍ଡା ଏବଂ ଭାରତର ବିଖ୍ୟାତ ଇଣ୍ତିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି । ଏହି ଅନୁଷ୍ଠାନ ଡ଼ଃ ବିଧାନ ରାୟ ମୁଖ୍ୟମନ୍ତ୍ରୀ ଥିବାବେଳେ ସ୍ଥାପିତ ହୋଇଥିଲା ଏବଂ ପରେ ପରେ କାନପୁର, ଦିଲ୍ଲୀ ଓ ଅନ୍ୟତ୍ର ସେହିପରି ଅନୁଷ୍ଠାନ ସ୍ଥାପନ କରାଯାଇଥିଲା । ଇଞ୍ଜିନିୟରିଂ ଓ ପ୍ରଯୁକ୍ତିବଦ୍ୟା ଜ୍ଞାନ କୌଶଳର ପ୍ରଧାନ ପୀଢ଼ ଭାବେ ଖଡ଼୍‌ଗପୁର ଆଇ.ଆଇ.ଟି ବିଖ୍ୟାତ ।

 

ଖଡ଼୍‌ଗପୁରର ସମସ୍ତ ଅନୁଷ୍ଠାନ ଓ କଲୋନୀର ଲୋକସଂଖ୍ୟା ଦୁଇଲକ୍ଷ ପାଖାପାଖି । ସେଥିମଧ୍ୟରୁ ପ୍ରାୟ କୋଡ଼ିଏ ହଜାର ଥିଲେ ଓଡ଼ିଆ, ଆମେ ୧୯୬୩ ମସିହା ଏପ୍ରିଲ୍‌ ମାସ ପ୍ରାରମ୍ଭରେ ସେଠାକୁ ଆସିଲାବେଳେ । ଏତେ ସଂଖ୍ୟକ ଓଡ଼ିଆଙ୍କ ମଧ୍ୟରେ ଅଧିକାଂଶ ଥିଲେ ଚଚୁର୍ଥ ଶ୍ରେଣୀର କର୍ମଚାରୀ ଓ କାରିଗର, ଓଡ଼ିଆ ବ୍ୟବସାୟୀ ଏବଂ ଅଳ୍ପସଂଖ୍ୟକ ଓଡ଼ିଆ ଅଧ୍ୟାପକ ଓ ଅଫିସର । ଓଡ଼ିଶାର ଅତି ନିକଟରେ ଅବସ୍ଥିତ ଓ ଦିନେ ଓଡ଼ିଆ ଭାଷା ଓ ସଂସ୍କୃତିର ଏକ ପ୍ରଧାନ ପୀଠ ଥିଲେ ମଧ୍ୟ ଓଡ଼ିଆମାନଙ୍କର ଅବସ୍ଥା ଦେଖି ଦୁଃଖ ହେଲା ମନରେ । ସେତେବେଳୁ ଓଡ଼ିଆ ମାଧ୍ୟମରେ ଉଚ୍ଚଶିକ୍ଷା ଦେବା ସକାଶେ କୈଳାସ ରାଉତ ଓ ଜୟକୃଷ୍ଣ ପାଣିଗ୍ରାହୀ ପ୍ରଭୃତିଙ୍କ ଉଦ୍ୟମରେ ହାଇସ୍କୁଲ ସ୍ଥାପନ ହୋଇଥାଏ। ହାଇସ୍କୁଲକୁ ମାଧ୍ୟମ କରି ଆମେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ କଲୁ । ସେଠାରେ ୧୯୬୩ରେ ପ୍ରଥମ ଭଞ୍ଜ ଜୟନ୍ତୀ ପାଳିତ ହେଲା । ପ୍ରତିବର୍ଷ ମହାସମାରୋହରେ ଦୁଇ ତିନିଦିନ ଧରି ଏହି ଉତ୍ସବ ସେହିଦିନୁ ପାଳିତ ହୋଇଆସୁଛି । ପ୍ରଥମବର୍ଷ ପ୍ରାଣନାଥ ମହାନ୍ତି, ପୀତାମ୍ବର ସ୍ଵାଇଁ ପ୍ରମୁଖ ଭଞ୍ଜ ଜୟନ୍ତୀରେ ଯୋଗଦେଇ ଭଞ୍ଜ ସାହିତ୍ୟ ସହିତ ଓଡ଼ିଆ ଭାଷାର ଗୌରବ ସମ୍ବନ୍ଧରେ ବୁଝାଇଥିଲେ । ସେହିବର୍ଷ ଏପ୍ରିଲ୍‌ ମାସରେ ଷ୍ଟାଡ଼ିଅମ୍‌ରେ ଅନୁଷ୍ଠିତ ରେଳବାଇ ସପ୍ତାହରେ ଓଡ଼ିଆ ନୃତ୍ୟଗୀତ ପ୍ରଦର୍ଶିତ ହେଲା ପ୍ରଥମ ଥର ପାଇଁ ଏବଂ ମୋ ବଡ଼ଝିଅ ସୌମ୍ୟା ଓଡ଼ିଶୀ ନୃତ୍ୟ ପରିବେଷଣ କରି ପୁରସ୍କାର ପାଇଥିଲା ।

 

ଓଡ଼ିଆ ସଂଗୀତଜ୍ଞ କୈଳାସ ଚନ୍ଦ୍ର ମହାନ୍ତିଙ୍କ ଉଦ୍ୟମରେ ଓଡ଼ିଶୀ, ଭଜନ, ଜଣାଣ, ଚମ୍ପୁ ଇତ୍ୟାଦି ଶିକ୍ଷା ଦେବା ପାଇଁ ଦୁଇଟି ସଂଗୀତ ବିଦ୍ୟାଳୟ ଆରମ୍ଭ କରାଗଲା । ଆଇ.ଆଇ.ଟି,ର ଓଡ଼ିଆ ଅଧ୍ୟାପକ ଡ଼କ୍ଟର ଗୋଲକ ବିହାରୀ ମିଶ୍ରଙ୍କ ସହଧର୍ମିଣୀ ଶିଳ୍ପୀ ଶ୍ରୀମତୀ ଆରତି ମିଶ୍ର ଓଡ଼ିଶୀ ଓ ଅନ୍ୟାନ୍ୟ ସଂଗୀତ ପରିବେଷଣ କରି ଖ୍ୟାତି ଅର୍ଜନ କରିଥାନ୍ତି। ଆମ ଘରେ ଓଡ଼ିଶୀ ନୃତ୍ୟ ଶିକ୍ଷାକେନ୍ଦ୍ର ଆରମ୍ଭ କଲି ଏବଂ ଗୁରୁ ଦୟାନିଧି ବାବୁ ମୋ ଝିଅ ଓ ଅନ୍ୟାନ୍ୟ ଶିଶୁ କଳାକାରମାନଙ୍କୁ ନୃତ୍ୟଶିକ୍ଷା ଦେଲେ । ରେଳବାଇ କଲୋନୀ ଗୁଡ଼ିକରେ ବହୁ ଭାଷାଭାଷୀ, ସଂସ୍କୃତି ଓ ବିଶ୍ଵାସର ଲୋକ ବାସ କରନ୍ତି । ସେହି ଦୃଷ୍ଟିରୁ ଖଡ଼ଗପୁର ଗୋଟିଏ ମିନି ଭାରତ କହଲେ ଅତ୍ୟୁକ୍ତି ହେବ ନାହିଁ । ଏଠାରେ ବଙ୍ଗଳା, ଓଡ଼ିଆ ତେଲୁଗୁ, ତାମିଲ୍, କେରଳୀ, ଗୁଜରାଟୀ, ମରାଠୀ, ବିହାରୀ, ହିନ୍ଦୀ ପ୍ରଭୃତି ବିଭିନ୍ନ ଭାଷାଭାଷୀ ଓ ହିନ୍ଦୁ ମୁସଲମାନ, ଶିଖ୍‌ ଖ୍ରୀଷ୍ଟିଆନ୍‌ ବିଭିନ୍ନ ଧର୍ମର ଲୋକ ରହୁଥିବାରୁ ଓଡ଼ିଆ ସାହିତ୍ୟ ସହିତ ଓଡ଼ିଆ ସଂଗୀତ, ନୃତ୍ୟ ଓ ଚଳଣିର ବୈଶିଷ୍ଟ୍ୟ ପ୍ରଦର୍ଶନ କରିବାର ପ୍ରକୃତ କ୍ଷେତ୍ର ଭାବି ସେଠାରେ ଓଡ଼ିଆ ସାଂସ୍କୃତିକ ଆନ୍ଦୋଳନ ଆରମ୍ଭ କରିବା ପାଇଁ ଉଦ୍ୟମ କଲି । ମୋର ସୌଭାଗ୍ୟ ଯେ, ଏହି ଉଦ୍ୟମ ଅଳ୍ପଦିନ ମଧ୍ୟରେ କେବଳ ସଫଳ ହେଲା ନାହିଁ, ସମସ୍ତଙ୍କ ମଧ୍ୟରେ ଆଦୃତ ମଧ୍ୟ ହେଲା । ବଙ୍ଗଳା ନୃତ୍ୟର ତାଳ, ଲୟ, ନୃତ୍ୟକଳା ଠାରୁ ଯେ ଓଡ଼ିଶୀ ନୃତ୍ୟ ଅନେକ ପ୍ରାଚୀନ ଏବଂ ଏହାର କଳୀନୈପୁଣ୍ୟ ଅନେକ ରୁଚିକର ତାହା ଅତିଶୀଘ୍ର ପ୍ରମାଣିତ ହେଲା-। ବଙ୍ଗାଳୀ, ତେଲୁଗୁ ଓ ହିନ୍ଦୁସ୍ଥାନୀ ଝିଅମାନେ ମଧ୍ୟ ଓଡ଼ିଶୀ ଶିକ୍ଷା କରିବାକୁ ଆସିଲେ ଏଵଂ ଛଅମାସ ପରେ ‘ନୃତ୍ୟନାଟିକା’ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସା ଲାଭ କଲା । ଓଡ଼ିଆମାନେ ଅନୁରୋଧ କଲେ ଓଡ଼ିଆ ଥିଏଟର କରିବା ପାଇଁ । ମହେଶ୍ୱର ପ୍ରଧାନ, କୈଳାସ ମହାନ୍ତି, ଭୀମସେନ ନାଏକ, ବୁଧିରାମ ବିନ୍ଧାଣୀ, ପ୍ରମୁଖଙ୍କ ଉସାହ ଓ ସାହଯ୍ୟରୁ ମୁଁ ସମସ୍ତଙ୍କ ସହିତ ପରାମର୍ଶ କରି ‘ଖଇ କଉଡ଼ି’ ନାଟକ ମଞ୍ଚସ୍ଥ କରିବା ପାଇଁ ଠିକ୍‌ କଲି । ସାତକଡ଼ିବାବୁ ସେତେବେଳେ ଖଡ଼ଗପୁର ଡିଭିଜନର ପର୍ସୋନେଲ୍‌ ଅଫିସର ଭାବେ କାର୍ଯ୍ୟ କରୁଥାନ୍ତି ଏବଂ ଡ଼ିଭିଜନାଲ ସୁପରିଣ୍ଟେଣ୍ଡେଣ୍ଟ ଥାନ୍ତି ବ୍ରଜ୍‌ମୋହନ କାଉଲ୍‌ । ଦୁହିଁଙ୍କ ଠାରୁ ଏଥିପାଇଁ ଉତ୍ସାହ ଓ ସାହାଯ୍ୟ ମିଳିଲା । ରେଳବାଇ ଇନଷ୍ଟିଚ୍ୟୁଟ୍‌ରେ ‘ଖଇ କଉଡ଼ି’ ନାଟକ ମଞ୍ଚସ୍ଥ କରିବା ପାଇଁ ନିଷ୍ଣତ୍ତି ହେଲା ଏବଂ ଆମ ବଙ୍ଗଳାରେ ରିହଲସାଲ ଆରମ୍ଭ ହେଲା । ମଞ୍ଚ ଉପରେ ଅଭିନୟ କରିବା ପାଇଁ କେହି ରାଜି ହେଉନଥିବା ଦେଖି ମୁଁ ପ୍ରଧାନ ନାୟିକା ଭୂମିକାରେ ଅଭିନୟ କରିବା ପାଇଁ ରାଜି ହେବା ପରେ ନାୟକ ଭୂମିକାରେ ସାତକଡ଼ି ବାବୁଙ୍କୁ ଅଭିନୟ କରିବା ପାଇଁ ରାଜି କରାଇଲି । ମୋ ପଥ ଅନୁସରଣ କରି ଓଡ଼ିଆ ସ୍କୁଲର ଦୁଇଜଣ ଶିକ୍ଷୟିତ୍ରୀ ପାଶ୍ଵନାୟିକା ଭୂମିକାରେ ଅବତୀର୍ଣ୍ଣ ହେଲେ ଏବଂ କୌଣସି ପେସାଦାର ଶିଳ୍ପୀଙ୍କୁ ନନେଇ ‘ଖଇକଉଡ଼ି’ ମଞ୍ଚସ୍ଥ ହେଲା । ଆମେ ସ୍ଵାମୀ ସ୍ତ୍ରୀ ଓ ମୋ ମଝିଆ ପୁଅ ରାଜୀବ ସ୍ଵାମୀ, ସ୍ତ୍ରୀ ଓ ପୁଅ ଭୂମିକାରେ ଅଭିନୟ କରୁଥିବାରୁ ଏବଂ ଏହା ପୂର୍ବରୁ ଡ଼ିଭିଜନର ଜଣେ ବରିଷ୍ଠ ପ୍ରଶାସକ କେବେ ମଞ୍ଚ ଉପରେ ଅଭିନୟ କରିନଥିବାରୁ ସମସ୍ତ ଅଫିସର ସେମାନଙ୍କର ପରିବାର ସହ ଆସିଥିଲେ ନାଟକ ଦେଖିବା ପାଇଁ । ଓଡ଼ିଆ ଓ ଅଣଓଡ଼ିଆଙ୍କ ଦ୍ୱାରା ହଲ୍‌ ଭର୍ଲି ହୋଇ ଯାଇଥିଲା । ଆମର ସୌଭାଗ୍ୟ ଯେ ନାଟକ ବେଶ୍‌ ସଫଳ ହୋଇଥଲା । ଏବଂ ଏହାହିଁ ଥିଲା ଖଡ଼ଗପୁରରେ ଓଡ଼ିଆ ସଂସ୍କୃତିକୁ ଜୀବନ୍ୟାସ ଦେବାର ପ୍ରଥମ ସଂଘବଦ୍ଧ ଉଦ୍ୟମ । ନାଟକକୁ ମାଧ୍ୟମ କରି ଆମେ ଓଡ଼ିଆମାନଙ୍କୁ ଏକତ୍ରିତ କରି ପାରିଥିଲୁ । ଏହାପରେ ମୁଁ ଆଉ ଗୋଟିଏ ହିନ୍ଦୀ ନାଟକରେ ମଧ୍ୟ ଅଭିନେତ୍ରୀ ଭୂମକାରେ ଅଭିନୟ କରି ପ୍ରଶଂସା ପାଇଥିଲି । ନାଟକ ପରେ ପେ ଓଡ଼ିଶୀ ନୃତ୍ୟ ସଂଗୀତ ବିଦ୍ୟାଳୟ ଭଲଭାବେ ଚାଲିଲା ଏବଂ ଅନେକ ଛାତ୍ରଛାତ୍ରୀ ନୃତ୍ୟଗୀତ ଶିକ୍ଷା କରିବା ପାଇଁ ନାମ ଲେଖାଇଲେ । କେବଳ ଭଞ୍ଜ ଜୟନ୍ତୀ ନୁହେଁ ଉତ୍କଳମଣିଙ୍କ ଜନ୍ମଦିନ, ବିଷୁବ ମିଳନ ଇତ୍ୟାଦି ମହାସମାରୋହରେ ପାଳିତ ହେଲା ଏବଂ କେବଳ ରେଳ କର୍ମଚାରୀ ନୁହନ୍ତି କଲେଇକୁଣ୍ଡାର ବାୟୁସେନା ଓ ଆଇ. ଟି. ର ଅଫିସର ମାନେ ସପରିବାର ଓଡ଼ିଆ ମଞ୍ଚର ଉତ୍ସାହୀ ସଭ୍ୟ ହେଲେ । ସେତେବେଳେ ସାତକଦଡ଼ିବାବୁଙ୍କୁ ଛାଡ଼ି ଆଉ ଦୁଇଜଣ କନିଷ୍ଠ ଓଡ଼ିଆ ଅଫିସର ଥିଲେ ରେଳବାଇରେ । ସେମାନେ ହେଲେ ଅର୍ଥ ବିଭାଗର ଗୋପାଳ ଚନ୍ଦ୍ର ରଥ ଏବଂ ପର୍ସୋନେଲ୍‌ ବିଭାଗର ସେମାନାଥ ତ୍ରିପାଠୀ । ସେତେବେଳକୁ ଜାତିବାଦ ପ୍ରଥା ଭାଙ୍ଗିନଥଲେ ମଧ୍ୟ ଶିଥିଳ ହୋଇ ଆସୁଥିଲା । ଶିକ୍ଷା ଓ ସଚେତନତା ପ୍ରସାରିତ ହେଉଥିବାରୁ ଗଞ୍ଜାମ ଜିଲ୍ଲାର ଅନେକ ହରିଜନ ଖଡ଼୍‌ଗପୁର ଓ୍ୱାର୍କସପ୍‌ ଓ ଅନ୍ୟତ୍ର ସଫେଇବାଲା କାମରେ ନିଯୁକ୍ତ ଥିଲେ । ସେମାନେ ଗୋଟିଏ ସ୍ଥାନରେ ଦଳବଦ୍ଧ ଭାଵେ ରହୁଥିଲେ । ଓଡ଼ିଶାର ଗାନ୍ଧିବାଦୀ ନେତା ମୋହନ ନାୟକଙ୍କ ଉଦ୍ୟମରେ ସେମାନେ ହରିଜନ ସେବାସଂଘ ଗଢ଼ିଥିଲେ ଏବଂ ଚାନ୍ଦାଭେଦା କରି ଗୋଟିଏ ପକ୍କାଘର ମଧ୍ୟ ନିର୍ମାଣ କରିଥିଲେ । ମୋହନ ବାବୁ ସମାଜ ସଂସ୍କାର କାର୍ଯ୍ୟରେ ବ୍ରତୀ ଥିଲେ । ସେତେବେଳେ ସଫେଇକାର୍ଯ୍ୟ କରୁଥିବା ହରିଜନ କର୍ମଚାରୀମାନଙ୍କୁ ଅନ୍ୟମାନେ ଟିକେ ନ୍ୟୁନ ଦୃଷ୍ଟିରେ ଦେଖୁଥିଲେ । ତେଣୁ ସାମାଜିକ ବା ଧର୍ମୀୟ ଉତ୍ସବରେ ସେମାନେ ସମସ୍ତଙ୍କ ସହିତ ସ୍ଵତଃପ୍ରବୃତ୍ତ ଭାଵେ ମିଳିମିଶି ପାରୁନଥିଲେ । ସେମାନେ ସମାଜ ସଂସ୍କାର କରିବା ପାଇଁ ଅଦାଲତରେ ସତ୍ୟପାଠ କରି ନାୟକ ଓ ବେହେରା ସାଙ୍ଗିଆ ତ୍ୟାଗ କରି ଆଚାର୍ଯ୍ୟ ସାଂଗିଆ ଗ୍ରହଣ କରିଥିଲେ ମଧ୍ୟ ପଙ୍‌କ୍ତିଭୋଜନ ଇତ୍ୟାଦିରେ ସେମାନଙ୍କୁ ବସିବା ପାଇଁ ସୁଯୋଗ ମିଳୁନଥିଲା । ଆମେ ଜାତିଗୋତ୍ରରେ ବିଶ୍ଵାସୀ ନୋହୁଁ । ତେଣୁ ହରିଜନ କର୍ମରୀମାନଙ୍କ ପ୍ରତି ଥିବା ସାମାଜିକ କୁଣ୍ଠା ଦୂର କରିବା ପାଇଁ ଉପାୟ ଚିନ୍ତା କଲୁ । ଆମ ବଙ୍ଗଳାରେ ସତ୍ୟନାରାୟଣ ପୂଜା ଆୟୋଜନ କଲି ଏବଂ ଓଡ଼ିଆମାନଙ୍କ ମଧ୍ୟରେ କେତେଜଣ ହରିଜନ କର୍ମଚାରୀଙ୍କୁ ମଧ୍ୟ ଆମନ୍ତ୍ରଣ କଲି । କିନ୍ତୁ ଅସୁବିଧା ଉପୁଜିଲା ଖାଇବା ବେଳେ । ପତ୍ର ପଡ଼ିଥିଲେ ମଧ୍ୟ ଉପର ଜାତିର ଲୋକେ ହରିଜନ ଭାଇମାନଙ୍କ ସହିତ ବସିବାକୁ କୁଣ୍ଠା କରୁଥିବା ଦେଖି ଆମେ ପ୍ରଥମେ ସେମାନଙ୍କ ସହିତ ବସିଗଲୁ । ଏହା ଦେଖି ଧୀରେ ଧୀରେ ଅନ୍ୟମାନେ ମଧ୍ୟ ବସିଲେ । ଖାଇବା ବେଳେ, ମୁଁ କହିଲି ଯୋଗେନ୍ଦ୍ର ଆଚର୍ଯ୍ୟ, ଭୀମସେନ ନାଏକ ଶିଳ୍ପୀ ଭାବେ ପ୍ରତିଷ୍ଠିତ ଏବଂ ସମସ୍ତଙ୍କ ସହିତ ସମାନ । ଏହାପରେ ହରିଜନ କର୍ମରୀମାନଙ୍କୁ ଧୀରେ ଧୀରେ ଅନ୍ୟମାନେ ଗ୍ରହଣ କରିନେଲେ ଏବଂ ଉଚ୍ଚ ଓ ନିମ୍ନ ଜାତି ମଧ୍ୟରେ ଥିବା ବହୁ କାଳର ପାଚେରି ଭୂଷୁଡ଼ି ପଡ଼ିଲା ।

Image

 

ଛତିଶଗଡ଼ର ଓଡ଼ିଆ

 

ଛଚିଶଗଡ଼ର ଭାଷା ଓ ସଂସ୍କୃତି, ଚଳଣି ଓ ଜୀବନଶୈଳୀ ସହିତ ପଶ୍ଚିମାଞ୍ଚଳ ଓଡ଼ିଶାର ବହୁ ସାମଞ୍ଜସ୍ୟ ଅଛି । ଦିନେ ଏହି ବିରାଟ ଭୂଖଣ୍ଡ କୋଶଳ ନାମରେ ପରିଚିତ ଥିବା ଇତିହାସରୁ ଜଣାଯାଏ । ଛତିଶଗଡ଼ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ । ତେଣୁ ଏଠାରେ ଆଦିବାସୀ ଓ ଅଣଆଦିବାସୀ ମାନଙ୍କର ସଂସ୍କୃତି ଓ ଭାଷାର ସମନ୍ଵୟ ଘଟିଛି । ଛତିଶଗଡ଼ର ଲୋକସାହିତ୍ୟ ଓ ସଂସ୍କୃତି ଓଡ଼ିଶାର ପଶ୍ଚିମାଞ୍ଚଳର ସଂସ୍କୃତି ଓ ସାହିତ୍ୟ ପରି ଅତି ପ୍ରାଣବନ୍ତ । ରାମାୟଣର ବିସ୍ତୃତ ପ୍ରଭାବ ଛତିଶଗଡ଼ରେ ଦେଖାଯାଏ । ଛତିଶଗଡ଼ର ବସ୍ତିର ରାଜବଂଶ ସହିତ ଓଡ଼ିଶାର ମୟୂରଭଞ୍ଜ ରାଜବଂଶର ନିବିଡ଼ ସମ୍ପର୍କ । ସେହିପରି ରାୟଗଡ଼, ସୁରଗୁଜା ଓ ବସ୍ତିର ପ୍ରଭୃତି ପୂର୍ବତନ ଦେଶୀୟ ରାଜ୍ୟ ସହିତ ଓଡ଼ିଶା ଗଡ଼ଜାତର ରାଜା ମହାରାଜାମାନଙ୍କର ସମ୍ପର୍କ ବହୁ କାଳର । ଛତିଶଗଡ଼ର ଲୋକମାନେ ସରଳ ଓ ନିଷ୍କପଟ । ହିନ୍ଦୀର ପ୍ରସାର ସତ୍ତ୍ଵେ ସେମାନେ ନିଜର କଥିତ ଭାଷା ଓ ଚଳନ୍ତି ସଂସ୍କୃତି ଛାଡ଼ି ନାହାନ୍ତି । ଛତିଶଗଡ଼ ଅଞ୍ଚଳ ପ୍ରାକୃତିକ ସମ୍ପଦରେ ପୂର୍ଣ୍ଣ । ବିସ୍ତୃତ ଘନଅରଣ୍ୟ ଓ ଖଣି ଅଞ୍ଚଳ । ସ୍ଵାଧୀନତା ପରେ ଇସ୍ପାତ କାରଖାନା, ସିମେଣ୍ଟ ଓ ସାର କାରଖାନା ଇତ୍ୟାଦି ବଡ଼ ବଡ଼ ଶିଳ୍ପ ଗଢ଼ି ଉଠିଛି । ଛତିଶଗଡ଼ ଅଞ୍ଚଳରେ ବିସ୍ତୃତ ଲୁହାପଥର, ମାଙ୍ଗାନିଜ, ଚୂନପଥର ଇତ୍ୟାଦି ମିଳେ ।

 

ଆମେ ବଦଳି ହୋଇ ବିଳାସପୁରରେ ପହଞ୍ଚିବା ପରେ ପୁରୁଣା ଜାଗାକୁ ଫେରି ଆସିଥିବାରୁ ଖୁସି ହେଲି । ବିଳାସପୁର ଛତିଶଗଡ଼ ଅଞ୍ଚଳର ଅନ୍ୟତମ ପ୍ରଧାନ ସହର ଏବଂ ରାୟପୁର ଆଉ ଏକ ପ୍ରଧାନ ସହର । ସାତକଡ଼ିବାବୁ ଟ୍ରେନିଂରେ ଥିବାବେଳେ ୧୯୫୬ରେ ଆମେ ବିଳାସପୁରରେ କେତେମାସ ରହିବାର ସୁଯୋଗ ମିଳିଥିଲା । ସେଠାରେ ଥିବା ଅନେକ ଓଡ଼ିଆ ଲୋକଙ୍କ ସହିତ ପରିଚୟ ମଧ୍ୟ ହୋଇଥଲା । ବିଳାସପୁର ରେଳବାଇର ବଡ଼ ଜଙ୍କସନ୍ । ଏଠାରେ ରେଳବାଇ ଡ଼ିଭିଜନ୍ ଅଫିସ୍‌ । ବଙ୍ଗାଳୀ କର୍ମଚାରୀ ଓ ଅଫିସରଙ୍କ ପରେ ତେଲୁଗୁ ଓ ଅଫିସରଙ୍କ ସ୍ଥାନ । ଚତୁର୍ଥ ଓ ତୃତୀୟ ଶ୍ରେଣୀର ଓଡ଼ିଆ କର୍ମଚାରୀଙ୍କ ସଂଖ୍ୟା ନଗଣ୍ୟ ନହେଲେ ମଧ୍ୟ ସନ୍ତୋଷଜନକ ନୁହେଁ । ସେମାନଙ୍କ ମଧ୍ୟରେ ଏକାଧିକ ଗୋଷ୍ଠୀ । ତେଣୁ ସଂଘବଦ୍ଧ ଭାବେ କୌଣସି କାର୍ଯ୍ୟ କରିବା ସମ୍ଭବ ହେଉ ନଥାଏ । ଓଡ଼ିଶାର ଏତେ ନିକଟରେ ଥାଇ ମଧ୍ୟ ଓଡ଼ିଆ ପଢ଼ିବାର ସୁଯୋଗ ନଥିଲା ।

 

ଆମେ ବିଳାସପୁରକୁ ଦ୍ୱିତୀୟଥର ପାଇଁ ଆସିଲୁ ୧୯୬୬ ମସିହା ଏପ୍ରିଲ୍ ମାସରେ । ସଙ୍ଗେ ସଙ୍ଗେ ଅଫିସ୍‌ର ଅନତି ଦୂରରେ ବଙ୍ଗଳା ମିଳିଗଲା ଏବଂ ସପ୍ତାହକ ମଧ୍ୟରେ ଆମେ ସବୁ ସଜାଡ଼ି ନେଲୁ । ସେତେବେଳେ ଆମ ପୂର୍ବରୁ ଜଣେ ଓଡ଼ିଆ ଅଫିସର ନୟାଗଡ଼ର ଗୋପାଳ ଚନ୍ଦ୍ର ରଥ ଓ ନିମାଇଁ ଚରଣ ମହାପାତ୍ର ସେଠାରେ ଅର୍ଥ ବିଭାଗରେ ଅବସ୍ଥାପିତ ହୋଇଥିଲେ ଏବଂ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି କମର୍ସିଆଲ ବିଭାଗରେ ଥିଲେ । ଆମେ ପହଞ୍ଚବାର ଅଳ୍ପ ସମୟ ପରେ ନିମାଇଁବାବୁ ତାଙ୍କ ପରିବାରକୁ ପଣ୍ଡିଚେରୀ ପଠାଇ ଦେଲେ । ତାଙ୍କ ପିଲାମାନଙ୍କୁ ପଣ୍ଡିଚେରୀରେ ରହି ପାଠ ପଢ଼ିବା ପାଇଁ ମା’ ଅନୁମତି ଦେଇଥିଲେ । ନିମାଇଁ ବାବୁ ପଣ୍ଡିତ ଓ ଅମାୟିକ ବ୍ୟକ୍ତି । ଗୋପାଳ ବାବୁ ମଧ୍ୟ ସରଳ ଓ ନିଷ୍ପପଟ । ସେତେବେଳକୁ ଓଡ଼ିଆମାନେ ଗଣେଶ ପୃଜା କରୁଥାଆନ୍ତି, କିନ୍ତୁ ସାଙ୍ଗଠନିକ ଶକ୍ତି ଅଭାବରୁ ତାହା ଛୋଟ ଆକାରରେ ହେଉଥାଏ । ମୁଁ ସଂଗଠନ କାର୍ଯ୍ୟରେ ଲାଗିପଡ଼ିଲି । ସାଚକଡ଼ିବାବୁ ଓ ତାଙ୍କ ସାଙ୍ଗ ରବି ଡ଼ାଙ୍ଗ ପରିବହନ ବିଭାଗ ଦାୟିତ୍ଵରେ ଥିଲେ ଏବଂ ଇଞ୍ଜନିୟର ବନ୍ଧୁମାନଙ୍କ ସାହାଯ୍ୟରୁ ସମ୍ବଳ ସଂଗ୍ରହ କରିବା ଅସୁବିଧା ହେଲାନାହିଁ । ସେଇବର୍ଷ ଅଗଷ୍ଟ ମାସରେ ଜାକଜମକରେ ଗଣେଶ ପୂଜା ପାଳନ କରାଗଲା ଏବଂ ଓଡ଼ିଆମାନଙ୍କ ମଧ୍ୟରେ କର୍ମ ପ୍ରବଣତା ଫେରି ଆସିଲା । ଓଡ଼ିଶାରୁ ନୃତ୍ୟଗୀତ ଆଣି ମନୋରଞ୍ଜନ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହେଲା ।

 

ରେଳବାଇ ଗୋଟିଏ ବିରାଟ ଅନୁଷ୍ଠାନ । ବହୁ ସୁବିଧା ସୁଯୋଗ ଥିଲେ ମଧ୍ୟ ରେଳବାଇରେ ଓଡ଼ିଆମାନଙ୍କର ସ୍ଥାନ ନଗଣ୍ୟ ଥିବାରୁ କୌଣସି ପ୍ରାଶାସନିକ ସାହାଯ୍ୟ ମିଳିନଥିଲା-। ବିଳାସପୁରରେ ଚତୁର୍ଥ ଓ ତୃତୀୟ ଶ୍ରେଣୀର କର୍ମଚାରୀମାନଙ୍କ ପୁଅ- ଝିଅମାନଙ୍କୁ ଓଡ଼ିଆ ମାଧ୍ୟମରେ ଶିକ୍ଷା ଦେବାର ବ୍ୟବସ୍ଥା ନଥିବାରୁ ସେମାନେ ପୁଅ ଝିଅଙ୍କୁ ଓଡ଼ିଶାରେ ରଖୁଥିଲେ ବା ନିଜ ଘରେ ପଢ଼ିବାର ବ୍ୟବସ୍ଥା କରୁଥିଲେ । ଏଇ ଅବହେଳିତ ଦିଗଟି ସଜାଡ଼ିବା ପାଇଁ ମୁଁ ଧ୍ୟାନ ଦେଲି । ଓଡ଼ିଆମାନେ ଏକତ୍ର ହେଲେ ଏବଂ ସେମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ମଧ୍ୟ ବଢ଼ିଲା । ଓଡ଼ିଆ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଆୟାଜନ କରାଗଲା ଏବଂ ଆଉ କାଳ ବିଳମ୍ବ ନକରି ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା । ଦୁଇଜଣ ଶିକ୍ଷକ ମଧ୍ୟ ନିଯୁକ୍ତ ହେଲେ । ଚାନ୍ଦାଭେଦା କରି ସେମାନଙ୍କୁ ଦରମା ଓ ବିଦ୍ୟାଳୟ ଖର୍ଚ୍ଚ ଦିଆ ଯାଉଥିଲା । କିନ୍ତୁ ସ୍ଥାୟୀ ବ୍ୟବସ୍ଥା ନକଲେ କାଳେ ଭବିଷ୍ୟତରେ ଅସୁବିଧା ହେବ, ସେଇ ଆଶଙ୍କା ରହିଥିଲା । ତେଣୁ କରାଗଲା ଏବଂ କେତେମାସ ପରେ ତାହା ମଞ୍ଜୁର ମଧ୍ୟ ହେଲା । ଗଣେଶ ପୂଜା କମିଟି ପକ୍ଷରୁ ସେହ ସ୍ଥାନରେ ପୂଜା କରିବା ଓ ଆସୋସିଏସନ୍ ପକ୍ଷରୁ ଓଡ଼ିଆ ବିଦ୍ୟାଳୟ ପରିଚାଳନା କରିବା ପାଇଁ ନିଷ୍ପତ୍ତି ହେଲା । ଆମେ ଦୁଇବର୍ଷ ମଧ୍ୟରେ ସେଠାରୁ ବଦଳି ହୋଇ ନାଗପୁର ଯ଼ବା ପୂର୍ବରୁ ଓଡ଼ିଆମାନଙ୍କ ମଧ୍ୟରେ ନିଜ ଭାଷା ଓ ସଂସ୍କୃତି ପ୍ରତି ସ୍ଵାଭିମାନ ଫେରି ଆସଥିଲା ।

 

ସେଇ ବିଳାସପୁରରେ ଥିବାବେଳେ ରାୟଗଡ଼ା ଓ ରାୟପୁରକୁ ବାରମ୍ବାର ଯିବାର ସୁଯୋଗ ମଳିଥିଲା । ରାୟପୁରରେ ନୂଆକରି ରେଡ଼ିଓ ଷ୍ଟେସନ୍ ସ୍ଥାପିତ ହୋଇଥାଏ । ଷ୍ଟେସନ୍ ଡ଼ାଇରେକ୍ଟରଙ୍କ ସହିତ ପରିଚୟ ହେବା ପରେ ସେ ଛତିଶଗଡ଼ର ଲୋକନୃତ୍ୟ ଓ ଗୀତ ଏବଂ ରାମାୟଣର ପରମ୍ପରାର ସେହି ଅଞ୍ଚଳର ଲୋକମାନଙ୍କ ଉପରେ ପ୍ରଭାଵ ସମ୍ବନ୍ଧରେ କହିଲେ । ରାୟପୁର, ଭିଲାଇ ଓ ସଂଲଗ୍ନ ଶିଳ୍ପାଞ୍ଚଳରେ ବହୁ ଓଡ଼ିଆ କାର୍ଯ କରୁଥିଲେ ଏବଂ ସେମାନଙ୍କ ମଧ୍ୟରୁ କେତେକ ବସବାସ କରି ସ୍ଥାୟୀବାସିନ୍ଦା ହୋଇଥିଲେ । ସେମାନଙ୍କ ମଧ୍ୟରେ ଭାଷା ଓ ସଂସ୍କୃତି ପ୍ରତି ଆଦର ଓ ଅଭିମାନ ସୃଷ୍ଟି କରିବା ଥିଲା ମୋର କାମ । ରାୟପୁରରେ ସହସ୍ରାଧିକ ଓଡ଼ିଆ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସଂଗଠନ ନଥିଲା କି ଏକତା ନଥିଲା । ସାମୟିକ ଦେଖାସାକ୍ଷାତ ଦ୍ଵାରା ଅନୁଷ୍ଠାନ ଗଠନ କରିବା ସମ୍ଭବ ନଥିଲା, ତେଣୁ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରସାର ପାଇଁ ସେଠାରେ କିଛି କରିପାରି ନଥିବାରୁ ମନରେ ଅବଶୋଷ ରହିଗଲା ।

 

ବିଳାସପୁର ସହରର ଲୋକସଂଖ୍ୟା ସେତେବେଳେ ପ୍ରାୟ ପଚାଶ ହଜାର ମଧ୍ୟରେ ଥିଲା । ଭଲ ଶିକ୍ଷାନୁଷ୍ଠାନ ନଥିଲା । କିନ୍ତୁ ଇତିମଧ୍ୟରେ ଇଞ୍ଜନିୟରିଂ କଲେଜ ସମେତ ବିଶ୍ଵବିଦ୍ୟାଳୟ ସ୍ଥାପିତ ହୋଇଛି । ପଶ୍ଚିମ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ସେଠାରେ ଅଧ୍ୟୟନ କରିବାର ସୁଯୋଗ ପାଉଛନ୍ତି । କିନ୍ତୁ ଓଡ଼ିଆ ଭାଷା ଓ ସଂସ୍କତି ସହିତ ଛତିଶଗଡ ଅଞ୍ଚଳର ବହୁ ମେଳ ଥିଲେ ମଧ୍ୟ ଏସବୁ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇ ନାହିଁ । ବରଂ ପଶ୍ଚିମାଞ୍ଚଳର କଥିତ ଭାଷା ଓ ଚଳଣି ପ୍ରତି ଅନାଦର ପ୍ରଦର୍ଶନ କରାଯାଇଛି । ଏହି କାରଣରୁ ସ୍ଵାଧୀନତା ପରେ ମଧ୍ୟ ପଶ୍ଚିମାଞ୍ଚଳର ଲୋକନୃତ୍ୟ ଓ ଲୋକଗୀତର ପ୍ରସାର ପାଇଁ ବିଶେଷ କିଛି କରାଯାଇ ନାହିଁ କି ସେମାନଙ୍କର କଥିତ ଭାଷାର ଓଡ଼ିଆ ଭାଷା ସହିତ ଘନିଷ୍ଠ ସମ୍ପର୍କ ଥଲେ ମଧ୍ୟ ସେ ଅଞ୍ଚଳର ଶହ ଶହ ଓଡ଼ିଆ ଶବ୍ଦ ଅଭିଧାନର ଅନ୍ତର୍ଭୁକ୍ତ ନୁହେଁ । ସେମାନଙ୍କର ସ୍ଵତନ୍ତ୍ର ଶୈଳୀକୁ ସମ୍ମାନ ଜଣାଇ ସେମାନଙ୍କୁ ମୂଳସ୍ରୋତକୁ ଆଣିବାର ଚେଷ୍ଟା ନିଷ୍ଠାର ସହିତ କରିଥିଲେ ଆଜି ସେ ଅଞ୍ଚଳରେ ବିଚ୍ଛିନ୍ନତାବୋଧର ଉନ୍ମେଷ ହୋଇନଥାନ୍ତା । ଦୀର୍ଘକାଳ ପଶ୍ଚିମାଞ୍ଚଳର କେତେକାଂଶ ମଧ୍ୟପ୍ରଦେଶ ସହିତ ଥିଲା । ଓଡ଼ିଶା ସହିତ ମିଶିବା ପାଇ ପଶ୍ଚିମାଞ୍ଚଳରେ ଆନ୍ଦୋଳନ ହୋଇଥିଲା । କିନ୍ତୁ ସମ୍ବଲପୁର ଅଞ୍ଚଳ ମିଶିଲା ସିନା ରାୟଗଡ଼, ସୁରଗୁଜା, ବସ୍ତିର ଓ ଛତିଶଗଡ଼ ଅଞ୍ଚଳର ଆଉ କେତେକ ଓଡ଼ିଆ ଭାଷୀ ଅଞ୍ଚଳ ସବୁଦିନ ପାଇଁ ମଧ୍ୟପ୍ରଦେଶରେ ରହିଗଲା ।

 

ଭାରତ ଗୋଟିଏ ଦେଶ ଯେଉଁଠାରେ ବହୁ ଧର୍ମ, ସଂସ୍କୃତି ଓ ଭାଷାର ଲୋକ ଯୁଗ ଯୁଗ ଧରି ଶାନ୍ତିରେ ବସବାସ କରୁଛନ୍ତି । ତେଣୁ ଓଡିଆମାନେ ଯଦି ମଧ୍ୟପ୍ରଦେଶରେ ରହିଗଲେ ତେବେ ସେଥରେ କ୍ଷତି ହୁଅନ୍ତା ନାହିଁ ଯଦି ସେମାନଙ୍କ ମଧ୍ୟରେ ଭାଷା ଓ ସଂସ୍କତିକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଲାଗି ରହିଥାନ୍ତା । ତାହା ହେଉନାହିଁ । ଏପରି ଅବସ୍ଥାରେ ସେମାନଙ୍କ ମଧ୍ୟରେ ତଥା ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କତିକୁ ବଞ୍ଚାଇ ରଖିବା ପାଇଁ ଓଡ଼ିଶା ପକ୍ଷରୁ ନିଷ୍ଠାର ସହିତ କିଛି କରାଯାଇ ନାହିଁ। ଫଳରେ ଛତିଶଗଡ଼ ଅଞ୍ଚଳର ଓଡ଼ିଆମାନେ ନିଜ ରାଜ୍ୟରୁ ବା ଓଡ଼ିଶାରୁ କିଛି ସାହାଯ୍ୟ ନପାଇ ଯେପରି ନିଜର ବିଶେଷତ୍ଵ ଓ ସ୍ୱାଭିମାନ ଭୁଲି ଗଲେଣି, ସେହିପରି ଓଡ଼ିଶାର ସୀମା ଏପାଖରେ ଥିବା ଉପାନ୍ତ ଅଞ୍ଚଳରେ ମଧ୍ୟ ଓଡ଼ିଆ ସଂସ୍କତି ଓ ଭାଷା ସୁରକ୍ଷିତ ନୁହେଁ । ହିନ୍ଦୀ ଭାଷା ଓ ଏହାର ସଂସ୍କୃତି ଓଡ଼ିଆ ଭାଷା ଓ ସଂସ୍କୃତିକୁ ଗ୍ରାସ କରୁଛି । ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ଏଥିପ୍ରତି ଓଡ଼ିଶା ସରକାର, ରାଜନୈତିକ ଦଳ ବା ଜନସଂଗଠନ କାହାରି ଚିନ୍ତା ନାହିଁ । ବିଳାସପୁରରେ ଓଡ଼ିଆ ସ୍କୁଲ ଖୋଲି ଓ ଓଡ଼ିଆ ନୃତ୍ୟଗୀତ କରି ଯଦି ଓଡ଼ିଆମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରାଯାଇ ପାରିଲା, ତେବେ ବର୍ଷର ବିଭିନ୍ନ ସମୟରେ ଉପାନ୍ତ ଅଞ୍ଚଳରେ ପାଲା, ଯାତ୍ରା ଦାସକାଠିଆ, ଓଡ଼ିଶୀ ନୃତ୍ୟ ଓ ଗୀତର ଆୟୋଜନ କରି ଏବଂ ଓଡ଼ିଆ ବିଦ୍ୟାଳୟ ଖୋଲି ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବା କଷ୍ଟକର ହୁଅନ୍ତା ନାହିଁ । କିନ୍ତୁ ସବୁ ବିଷୟରେ ଚୁପ୍‌ ରହୁଥିବା ଓଡ଼ିଆଙ୍କ ନିଦ ଭାଙ୍ଗିବା ପରି ଦିଶୁନାହିଁ ।

Image

 

କଟକ ନଗର ଧବଳ ଟଗର

 

ଆଇନ ପଢ଼ିବା ବେଳେ ସାତକଡ଼ି ବାବୁ ଓ ଏ. ଏସ୍‌. ପରୀକ୍ଷା ଦେଇଥିଲେ । ଆଇନ ପରୀକ୍ଷା ପାସ୍‌ କରିବା ପରେ ପରେ ସେ ଓଡ଼ିଶା ଫାଇନାନ୍ସ ସର୍ଭିସ୍‌ରେ ନିଯୁକ୍ତି ପାଇ କଟକରେ ବାଣିଜ୍ୟକର ଅଫିସର ରୂପେ ଯୋଗ ଦେଲେ । ତେଣୁ ବାରିପଦା ଛାଡ଼ି ମୁଁ କଟକ ଆସିଲି ୧୯୫୩ ପ୍ରାରମ୍ଭରେ ।

 

ପୂର୍ବରୁ ବହିରେ ପଢ଼ିଥିବା ‘କଟକ ନଗର ଧବଳ ଟଗର’ ଦେଖିବା ପାଇ ମନ ହାଇଁପାଇଁ ହେଉଥିଲା । ସେତେବେଳେ ବାରିପଦାରୁ କଟକ ଆସିବା ପାଇଁ ବର୍ତ୍ତମାନ ପରି ଡିଲକ୍ସ ବସ୍‌ ନଥିଲା । ବାରିପଦାରୁ ବାଲେଶ୍ଵର ବସ୍‌ରେ ଆସି ସେଠାରୁ ଟ୍ରେନରେ ଆସିବାକୁ ପଡୁଥିଲା । ମୁଁ ସେୟା କଲି । ପ୍ରଥମ କରି କଟକ ଆସୁଥିବାରୁ ପାଖରେ କିଛି ଜିନିଷପତ୍ର ଥିଲା ଏବଂ ଅଜା ମୋ ସହିତ ଆସିଥିଲେ । କଟକ ଷ୍ଟେସନରେ ଓହ୍ଲାଇବା ପରେ ଷ୍ଟେସନର ପରିଷ୍କାର ପରିଚ୍ଛନ୍ନତା ଓ ଜନଗହଳି ଦେଖି ମୁଁ ଖୁସି ହେଲି ଏବଂ ରାସ୍ତା ଉପରକୁ ଆସିବା କ୍ଷଣି ଜାଣିଗଲି ଯେ କଟକ ଓଡ଼ିଶାର ବଡ଼ ସହର । ସେତେବେଳେ ସେକ୍ରେଟାରିଏଟ୍‌ ଥାଏ କଟକରେ । କିଲ୍ଲା ପଡ଼ିଆରେ ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ତିଆରି ଘରଗୁଡ଼ିକରେ ସେକ୍ରେଟେରୀଏଟ୍‌ ଚାଲିଥାଏ ।

 

କଲେଜ ଛକ ବରଫ କଳ ପାଖ ସମାଧିପାଟଣାରେ ଗୋଟିଏ ଛୋଟ ଦୁଇବଖୁରିଆ ଘର ଭଡ଼ା ନେଇଥାଆନ୍ତି ସାତକଡ଼ି ବାବୁ । ସେତେବେଳେ ଓଡ଼ିଆ ବଜାରରେ କର୍ମସିଆଲ୍‌ ଟାକ୍ସ ଅଫିସ ଭଡ଼ାଘରେ ଚାଲୁଥିଲା । ସାତକଡ଼ି ବାବୁଙ୍କୁ ଯିବାଆସିବା କରିବା ପାଇଁ ଓଡ଼ିଆ ବଜାର ପାଖାପାଖି ଗୋଟିଏ ଘର ମିଳିଲେ ସୁବିଧା ହେବୁ ବୋଲି ଭାବି ଅନେକ ଚେଷ୍ଟା କରି ମଧ୍ୟ ଅଳ୍ପ ଭଡ଼ାରେ ଚଳି ପାରିବା ଭଳି ଭଲ ଘରଟିଏ ମିଳିଲା ନାହିଁ । କଟକରେ କିଛିଦିନ ରହିବା ପରେ ସେଇ ପୁଅର ବାପା ପାଖକୁ ଲେଖୁଥିବା ଚିଠିର, ଧାଡ଼ିଏ ମନେ ପଡ଼ିଲା- ବାପା, ‘କଟକ ନଗର ବଡ଼ ମହରଗ ଟଙ୍କା ପଠାଇବ’ । ଟଙ୍କା ନ ଥିଲେ ଯେ କଟକ କାହିଁକି କୌଣସି ସହରରେ ଚଳିବା କଷ୍ଟକର ଏହା ମୁଁ ଜାଣିଥିଲି, କିନ୍ତୁ କଟକ ଆସବା ପରେ ମୋର ଧାରଣା ଥିଲା ଯେ ଏହା ବାରିପଦା ଠାରୁ ଅନେକ ବେଶୀ ମହରଗ । ଘରୁ ଚାଉଳ ଓ ମୁଢ଼ି ଚୂଡ଼ା ଆସୁଥିଲେ ମଧ୍ୟ କଟକରେ ସ୍ୱଚ୍ଛଳ ଭାବେ ଚଳାଚଳ କରିବା ପାଇଁ ଯେ ଦରମା ଟଙ୍କା ଯଥେଷ୍ଟ ନୁହେଁ ଏଥିରେ ସଂଦେହ ରହିଲା ନାହିଁ । କମର୍ସିଆଲ୍‌ ଟାକ୍ସ ଅଫିସ୍‌ରେ ମିଳୁଥିବା ମାସକୁ ଦୁଇଶହ ଯେ ସବୁ ଖର୍ଚ୍ଚ ତୁଲାଇବା ପାଇଁ ଓ ଘରକୁ କିଛି ପଠାଇବା ପାଇଁ ଯଥେଷ୍ଟ ନୁହେଁ, ଏହା ଅନୁଭବ କରି ଯେତିକି ଖଳିକୁ ସେତିକି ପିଠା ନୀତି ଅବଲମ୍ବନ କରି ଚଳିବାକୁ ଚେଷ୍ଟା କଲି । ଗୃହିଣୀ ହେବାର ଏହି ଥିଲା ଅଭିଜ୍ଞତା । କାଳେ ଅସୁବିଧା ହେବ ବୋଲି ବାପା ମା’ ମୋ ହାତରେ ଆସିବା ବେଳେ କିଛି ଟଙ୍କା ଦେଇଥିଲେ ଏବଂ ଦରକାର ବେଳେ ମୁଁ ସେଥିରୁ କିଛି ଖର୍ଚ୍ଚ କରିବା ପାଇଁ କୁଣ୍ଠା କରୁନଥିଲି ।

 

କଟକ ଏକ ଐତିହାସିକ ସହର । ଏହାର ପ୍ରାଚୀନତା ପ୍ରାୟ ହଜାରେ ବର୍ଷର, ଇତିହାସ ପ୍ରତ୍ୟକ୍ଷ କରିଛି ବହୁ ଉତ୍‌ଥାନ ପତନ । ବାରବାଟୀ ଦୁର୍ଗ, କାଠଯୋଡ଼ି ପଥର ବନ୍ଧ ଯୋବ୍ରା ଆନିକଟ, ମା କଟକ ଚଣ୍ଡୀଙ୍କ ମନ୍ଦିର ବଜାରର ଆଖି ଝଲସା ରୂପ, ତାରକସି ଓ ସିଂଘ କାମ ଦେଖିବା ପରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ସମ୍ବନ୍ଧରେ । ମୋର ପ୍ରତ୍ୟକ୍ଷ ଅନୁଭୂତି ହେଲା । ସଂଧ୍ୟାବେଳେ ଯୋବ୍ରା ଆନିକଟ ଓ ଖରାଦିନ ରାସ୍ତାରେ ବୁଲୁ । ସେତେବେଳେ ମହାନଦୀ ଉପରେ କେବଳ ରେଳପୋଲ ଥିଲା ଏବଂ ସଡକ ପୋଲ ନିର୍ମାଣ ହୋଇନଥିଲା । ତେଣୁ କେନ୍ଦ୍ରାପଡ଼ା, ଆଳି, ପଟାମୁଣ୍ଡାଇ ଗସ୍ତରେ ଯିବାବେଳେ ଖରାଦିନିଆ ରାସ୍ତାରେ ରେଳ ଯୋଗେ ମହାନଦୀ ପାରି ହେଉଥିଲେ ଏବଂ କେନ୍ଦ୍ରାପଡ଼ା ରୋଡ଼ ଷ୍ଟେସନରୁ ବସ୍‌ ଯୋଗେ ଯାଉଥିଲେ । ଆନିକଟକୁ ଲାଗି ତିଆରି ହୋଇଥିବା ଖରାଦିନିଆ ରାସ୍ତାରେ ବୁଲିବା ବେଳେ, ଆନିକଟରୁ ଡିଆଁମାରି ନଦୀଗର୍ଭରେ ପଡୁଥିବା ଜଳଧାରର ଦୃଶ୍ୟ ଦେଖିବା ପାଇଁ ଭଲ ଲାଗୁଥିଲା ଏବଂ ବେଳେ ବେଳେ ପାଣି ସୁଅରେ ଉପରକୁ ଉଠୁଥିବା ପୋହଳା ମାଛ ଧରିବା ସହଜ ହେଉଥିଲା । ମୁଣ୍ଡଳି ପାହାଡ଼ ଓ ଧବେଳଶ୍ଵର ଉପରେ ସୂର୍ଯ୍ୟାସ୍ତର ଦୃଶ୍ୟ ଥିଲା ମନୋରମ । ସେତେବେଳେ ଶେଷ ସୂର୍ଯ୍ୟର ସୁନେଲି କିରଣ ନଦୀର ପାଣି ଉପରେ ପଡ଼ି ଇନ୍ଦ୍ରଜାଲ ସୃଷ୍ଟି କରୁଥିଲା ।

 

ନଅଙ୍କ ଦୁର୍ଭିକ୍ଷରେ ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଅନାବୃଷ୍ଟି ଯୋଗୁ ଫସଲ ହାନି ହୋଇଥିଲା । ଭାରତର ଅନ୍ୟାନ୍ୟ ରାଜ୍ୟରୁ ଖାଦ୍ୟଶସ୍ୟ ଆଣି ଲୋକମାନଙ୍କୁ ଦୁର୍ଭିକ୍ଷରୁ ରକ୍ଷା କରିବା ପାଇଁ ବ୍ରିଟିଶ ସରକାର କୌଣସି ଚେଷ୍ଟା କରି ନଥିଲେ । କିନ୍ତୁ ନଅଙ୍କ ଦୁର୍ଭିକ୍ଷ ପରେ ବ୍ରିଟିଶ ସରକାରଙ୍କୁ ଚେତା ପଶିଲା । ଏବଂ ମହାନଦୀର ବଳକା ପାଣିକୁ ଆନିକଟରେ ବାନ୍ଧି ରଖି ଜଳସେଚନର ସୁବିଧା କରିବା ସକାଶେ ଯୋଜନା କରାଗଲା । ଫଳରେ ଖ୍ଲୀ:ଅ ୧୮୮୦ରୁ ୧୮୯୦ ମଧ୍ୟରେ ଆନିକଟ, ତାଳଦଣ୍ଡା ହାଇଲେବ୍ରୁଲ୍‌ ଓ ଶାଖା କେନାଲ ନିର୍ମାଣ କରାଯାଇଥିଲା । ଆନିକଟ ତଳେ ବର୍ଷାଦନ ପରେ ଡ଼ିସେମ୍ବର ମାସ ବେଳକୁ ଜଳାଧାର ଉପରେ କାଠପୋଲ ନିର୍ମାଣ କରି ରାସ୍ତା ତିଆରି କରାଯାଉଥିଲା । ଏବଂ ସେହି ରାସ୍ତା ଜୁନ୍‌ ମାସର ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରାଯାଉଥିଲା । ଫଳରେ ଲୋକମାନେ ପାଦରେ, ରିକ୍ସାରେ, ମଟରଗାଡ଼ି ବା ସାଇକେଲ୍‌ରେ ଯୋବ୍ରାଠାରୁ ଜଗତ୍‌ପୁର ଯାଉଥିଲେ । ଦେଶ ସ୍ଵାଧୀନ ହେଲା ପରେ ମହାନଦୀ, କାଠଯୋଡ଼ି, କୁଆଖାଇ ପ୍ରଭୃତି ନଦୀ ଉପରେ ସଡ଼କ ଓ ପୋଲ ନିର୍ମାଣ କରାଗଲା । ଏହା ଦ୍ଵାରା କଟକ ସହିତ ଜିଲ୍ଲାର ଅନ୍ୟାନ୍ୟ ଅଂଶ ସହତ ଗମନାଗମନର ସୁବିଧା ବଢିଲା । ଏବେ ମହାନଦୀ ଉପରେ ବିଭିନ୍ନ ସ୍ଥାନ ଉପରେ ପୋଲ ହୋଇଛି ।

 

କଟକ ସହରର ପ୍ରାଚୀନତା ହଜାର ବର୍ଷ ବୋଲି କୁହାଯାଉଛି କିନ୍ତୁ ଇତିହାସରୁ ଜଣାପଡେ ଯେ, ସୋମବଂଶୀ ରାଜାମାନେ ଏହି ସହର ୯୮୯ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠା କରିଥିଲେ । ଏହି ସହର ତିନିପଟେ ମହାନଦୀ ଓ କାଠଯୋଡ଼ି ନଦୀ ଘେରି ରହିଥିବାରୁ, ବନ୍ୟାଦାଉରୁ ଲୋକମାନଙ୍କୁ ରକ୍ଷା କରିବା ନିମନ୍ତେ ୧୧୦୦ ଖ୍ରୀଷ୍ଟାବ୍ଦରେ ମର୍କତ କେଶରୀ ପଥରବନ୍ଧ ନିର୍ମାଣ କରିଥିଲେ । ୧୨୧୧ ଖ୍ରୀଷ୍ଟାବ୍ଦରୁ ୧୨୩୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିବା ଗଙ୍ଗବଂଶର ରାଜା ତୃତୀୟ ଅନଙ୍ଗଭୀମ ଦେବ ବାରବାଟୀ ଦୁର୍ଗ ନିର୍ମାଣ କରିଥିଲେ ।

 

କଟକ ସହରର ପ୍ରାକୃତିକ ଦୃଶ୍ୟ ମନୋରମ । କିନ୍ତୁ ଦୀର୍ଘକାଳ ଧରି ବିଭିନ୍ନ ରାଜବଂଶ ଏହି ସହର ନିର୍ମାଣ କରିଥିବାରୁ ଏବଂ ଆପେ ଆପେ ଲୋକ ବସତି ଗଢ଼ି ଉଠିଥିବାରୁ ଏହା ସଂକୀର୍ଣ୍ଣ ଗଳି ଉପଗଳିରେ ପୂର୍ଣ୍ଣ । କଟକ ସହର କାଳକ୍ରମେ ଏହିପରି ଗଢ଼ି ଉଠିଛି ଯେ, ଏହାର ପୁନଃନିର୍ମାଣ କରିବା ଅପେକ୍ଷା କଟକରୁ ଭୁବନେଶ୍ୱରକୁ ରାଜଧାନୀକୁ ଉଠାଇ ନେବାପାଇଁ ସ୍ଵାଧୀନ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବ ନିଷ୍ପତ୍ତି କରିଥିଲେ । ଦୀର୍ଘ ସମୟ ଧରି ମୋଗଲ୍‌ ସୁବେଦାରମାନେ ଏଠାରେ ରହିଥିଲେ, ସେହିମାନଙ୍କର ପ୍ରଭାବରୁ ଏଠାରେ କାଳକ୍ରମେ ଏକ ମିଶ୍ରିତ ସଂସ୍କୃତି ଓ ଭାଷା ଗଢ଼ିଉଠିଛି । କଟକ ନଗରର ପ୍ରଚଳିତ ଭାଷାରେ ବହୁ ଉର୍ଦ୍ଦୁ, ଫାର୍ସୀ, ହିନ୍ଦୀ ଶବ୍ଦ ମିଶି ରହିଛି ।

 

ସାତକଡ଼ି ବାବୁ ମଝିରେ ମଝିରେ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଆଳି ଅଂଚଳକୁ ଗସ୍ତରେ ଯାଉଥିଲେ, ସେତେବେଳେ ମୁଁ ଘରେ ଏକାକି ରହୁଥଲି । ମୋ ପାଖରେ ନଅବର୍ଷର ଗୋଟିଏ ବାଳକ ସତୀଶ ରହୁଥିଲେ ବୋଲହାକ କରିବା ପାଇଁ । କଟକ ସହର ବଡ଼ ମହରଗ ବୋଲି କୁହାଯାଉଥିଲେ ମଧ୍ୟ ସେତେବେଳେ ୧୯୫୩- ୫୪ ମସିହାରେ ମାଛ କିଲୋ ଟଙ୍କେ ଚାରିଅଣା ଓ ମାଂସ କିଲୋ ଅଢ଼େଇ ଟଙ୍କା ଥିଲା । କଟକ ଓଡିଶାର ବାଣିଜ୍ୟ ପେଣ୍ଠ ଭାବରେ ଗଢ଼ି ଉଠିଛି । ମାଲଗୋଦାମ ସହିତ ଜଳପଥରେ କଟକ ଜିଲ୍ଲା ଅଭ୍ୟନ୍ତର ସହିତ ବ୍ୟବସାୟିକ ସଂପର୍କ ଥିଲା । ବର୍ତ୍ତମାନର କଟକ ସହର ସେତେବେଳର କଟକ ସହର ଠାରୁ ଆୟତନ ଓ ଲୋକସଂଖ୍ୟାରେ ଅଧିକ ଥିଲେ ମଧ୍ୟ କଟକର ସାଂସ୍କତିକ ଓ ବାଣିଜ୍ୟିକ ପରିବେଶ ଏବେବି ପ୍ରାଧାନ୍ୟ ବିସ୍ତାର କରୁଛି-

 

କଟକରେ ମୁଁ ପ୍ରାୟ ଦୁଇବର୍ଷ ଥିଲି ଏବଂ ସେହି ସମୟରେ ସାତକଡ଼ି ବାବୁ ଆଇ.ଏ.ଏସ୍‌ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିଲେ । ମୁଁ ଜାଣେ ଯେ ଅର୍ଥାଭାଵରୁ ସେ ଦରକାରୀ ବହିପତ୍ର କିଣି ପାରୁ ନଥିଲେ । କିନ୍ତୁ ପରୀକ୍ଷା ପାଇଁ ସେ ନିଷ୍ଠାର ସହିତ ପ୍ରସ୍ତୁତ ହେଉଥିଲେ । ୧୯୫୩ ମସିହାରେ ସେ ଲିଖିତ ପରୀକ୍ଷା ଦେଇଥିଲେ ଏବଂ ସେଥିରେ ଉତ୍ତୀର୍ଣ୍ଣ ହେବାପରେ ୧୯୫୪ ମସିହା ଫେବୃୟାରୀ ୨୭ତାରିଖ ଦିନ ଇଣ୍ଟରଭ୍ୟୁ ଦେବାପାଇଁ ଦିଲ୍ଲୀ ଯାଇଥିଲେ । ତାଙ୍କର ସଫଳତା ପାଇଁ ମୁଁ କେବଳ ଭଗବାନଙ୍କୁ ପ୍ରାର୍ଥନା କରୁଥିଲି । ଭାଗବତରେ କୁହାଯାଇଛି ଯେ, ‘ଏମନ ଭାବୁଥାଇ ଯାହା, କାଳେ ପ୍ରାପତ ହୁଏ ତାହା’’ । ଯେତେବେଳେ ମାର୍ଚ୍ଚ ମାସ ପ୍ରଥମ ଭାଗରେ ପରୀକ୍ଷା ଫଳ ପ୍ରକାଶିତ ହେଲା, ସେତେବେଳେ ସାତକଡ଼ି ବାବୁ ଆଲାଏଡ଼୍ ଓ ଆଇ.ପି, ଏସ୍‌ ଉଭୟରେ ଉଚ୍ଚ ସାନ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଉତ୍ତୀର୍ଣ୍ଣ ଛାତ୍ରମାନଙ୍କ ମଧ୍ୟରେ ତାଙ୍କର ସ୍ଥାନ ଥିଲା ୫୩ରେ । ପ୍ରଥମେ ୫୧ଜଣ ଆଇ.ଏ.ଏସ୍‌ରେ ଯୋଗ ଦେଇଥିଲେ। ଆଉ ଦୁଇଜଣ ଯଦ ନିଆ ହୋଇଥାନ୍ତେ, ତାହାହେଲେ ସେ ଆଇ.ଏ.ଏସ୍‌ରେ ଯାଇଥାନ୍ତେ । କିନ୍ତୁ ସେ ରେଳବାଇରେ ଯାଉଥିବାରୁ ଦେଶର ବିଭିନ୍ନ ସ୍ଥାନ ବୁଲିବାର ସୁବିଧା ଅଛି ଜାଣି ମୁଁ ଉତ୍ଵଫୁଲ୍ଲିତ ହୋଇଥିଲି । ଡିସେମ୍ବର ମାସରେ କଲିକତା ପୂର୍ବ ରେଳବାଇ ହେଡ୍‌କ୍ୱାଟର୍ସରେ ଯୋଗ ଦେବାପାଇଁ ସେ ନିଯୁକ୍ତି ପତ୍ର ପାଇଲେ ଏବଂ ତାପରେ କଟକ ଛାଡ଼ି ଆମେ କଲିକତା ଚାଲିଗଲୁ । ବାପା, ମାଆ ଶାଶୁ, ଶ୍ଵଶୁର ପ୍ରଭୃତି ଆତ୍ମୀୟଙ୍କ ଠାରୁ ଦୂରରେ ମୁଁ ପ୍ରଥମେ କଟକରେ ହିଁ ରହିଥିଲି । ଏବଂ ବହୁ ପରିବାର ସହିତ ମୋର ପରିଚୟ ହୋଇଥିଲା । ଏମାନଙ୍କ ମଧ୍ୟରୁ ଶ୍ରୀ ରମେଶ ପଟ୍ଟନାୟକ ଏବଂ ଶ୍ରୀ ରାଜକିଶୋର ମିଶ୍ରଙ୍କ ପରିବାର ସହିତ ଏବେ ମଧ୍ୟ ଆତ୍ମୀୟତା ରହିଛି । ବାହାରର ସାମାଜିକ ଚଳଣି ଓ ସାଂସ୍କୃତିକ ପରିପାଟୀ ମଧ୍ୟ ମୋ ଉପରେ କିଛି ପ୍ରଭାବ ପକାଇଥିଲା ।

Image

 

କଲିକତା କେତେ କଥା ଓଡ଼ିଆ ସ୍ୱାଭିମାନ

 

କଲିକତାରେ ପହଞ୍ଚିବା ପରେ ସେଠାରେ ଜୀବିକାର୍ଜନ କରିବା ଉଦ୍ଦେଶ୍ୟରେ ରହୁଥିବା ଓଡ଼ିଆମାନଙ୍କ ସମ୍ବନ୍ଧରେ ମୋର ମୋହଭଙ୍ଗ ହେଲା । ୧୯୫୫- ୫୭ ମସିହା । ସେତେବେଳେ କଲିକତା ମହାନଗରୀ ଏବଂ ଏହାର ସହରତଳି ଶିଳ୍ପାଞ୍ଚଳରେ ପାଞ୍ଚ ଛଅ ଲକ୍ଷ ଓଡ଼ିଆ ବସବାସ କରୁଥାନ୍ତି । ବଙ୍ଗାଳୀମାନଙ୍କ ତଳକୁ ସବୁଠାରୁ ବେଶି ସଂଖ୍ୟା ଓଡ଼ିଆମାନଙ୍କର । କେହି କେହି ବ୍ୟଙ୍ଗ କରି କହୁଥିବାର ଶୁଣିଛି ଯେ ଓଡ଼ିଆମାନଙ୍କର ସବୁଠାରୁ ବଡ଼ ସହର କଲିକତା । ମୋ ପିଲାବେଳେ କଲିକତା ବିଷୟରେ ବହୁ ଅଜବ କଥା ଶୁଣିଥିଲି । ଖରାଛୁଟିରେ ବାଇସ୍‌କୋପ୍‌ ଦେଖାଇ ଗ୍ରାମଞ୍ଚଳରୁ କିଛି ଉର୍ପାଜନ କରିବା ପାଇଁ ଆସୁଥିବା ଲୋକଟି ଦୂରବିକ୍ଷଣ ସାହାଯ୍ୟରେ କଲିକତାର ଦୃଶ୍ୟ ଦେଖାଇବା ବେଳେ କହୁଥାଏ- ହାଉଡ଼ା ପୋଲ ଦେଖୋ, ଚିଡ଼ିଆଖାନା ଦେଖୋ, କଲିକତା ବାଲୀ କାଳୀ ଦେଖୋ, ଭିକ୍ଟୋରିଆ ମେମୋରିଆଲ ଦେଖୋ । ସେତେବେଳେ ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇ ଦୁଇ ପଇସା ଦେଇ ଏସବୁ ଦୁଶ୍ୟ ଦେଖିଛି । ତେଣୁ ବଡ଼ ହେବା ପରେ କଲିକତା ଦେଖିବା ପାଇଁ ମନ ହାଇଁପାଇଁ ହେଉଥାଏ । ଯେଉଁମାନେ କଲିକତାର ଶିଳ୍ପାଞ୍ଚଳରେ କୁଲିକାମ କରି ପେଟ ପୋଷୁଥିଲେ ସେମାନେ ଛୁଟିରେ ଗାଁକୁ ଆସିଲେ । ସେମାନଙ୍କୁ ଗାଁ ଲୋକ ଘେରିଯାଇ କଲିକତା ସହରର ଅଜବ କାହାଣୀ ଶୁଣୁଥିଲେ । କେହି କେହି କହିବାର ଶୁଣିଛି- ଏଇ କଥାକୁ, ନାଆଁ ପେଲି ଦେଲି କଲିକତାକୁ । ପୂର୍ବ କାଳରେ କଲିକତା ସହିତ ଓଡ଼ିଶାର ସଂଯୋଗ ପାଇଁ ରେଳପଥ ପଡ଼ିନଥିଲା ଲୋକମାନେ ନୌକା ବା ଜାହାଜରେ ବସି ନଦୀ ଓ ସମୁଦ୍ର ପଥରେ କଲିକତା ଯାଉଥିଲେ । ପାଦରେ ଚାଲି ଚାଲି ଦୁର୍ଗମ ପଥ ଅତିକ୍ରମ କରି ମେଦିନୀପୁର ଓ କଲିକତା ଯିବାର କାହାଣୀ ଫକୀରମୋହନଙ୍କ ଆତ୍ମଜୀବନୀରେ ଲେଖାଅଛି।

 

ସୁତରାଂ କଲିକତାରେ ପହଞ୍ଚିବା ପରେ ଓଡ଼ିଆମାନଙ୍କୁ ଵାବୁ ବେଶରେ ଦେଖିବି ବୋଲି ଆଶା କରିଥିଲି । କିନ୍ତୁ ସେତେବେଳେ ବର୍ତ୍ତମାନ ପରି ଏତେ ସଂଖ୍ୟାରେ ଓଡ଼ିଆ ବାବୁ ଅଫିସର କଲିକତାରେ ନ ଥିଲେ । ବେଶୀଥିଲେ କୁଲି, ଚାକର, ମ୍ୟୁନିସିପାଲିଟି ଵା କମ୍ପାନୀ ଅଫିସ୍‌ କର୍ମଚାରୀ । ଘରେ ଘରେ ଓଡ଼ିଆ ଚାକର । ସେମାନଙ୍କର ଆଦବ କାଏଦା ଓ କଥା କହିବାର ଢ଼ଙ୍ଗ ଯେ ଏତେ ଶୀଘ୍ର ଓଡ଼ିଆରୁ ବଙ୍ଗଳାକୁ ବଦଳିଯିବ ଏହା ମୁଁ ଆଦୌ କଳ୍ପନା କରିନଥିଲି । ଆଇଡ଼ିଏଲ୍‌ ହୋମ୍‌ ହୋଟେଲ୍‌ ଓ ତା ପାଖ ଆଖରେ ଥିବା ବେଙ୍ଗଲ ବୋର୍ଡ଼ିଂ, ଏସିଆନ୍‌ ହୋଟେଲ୍‌ ଇତ୍ୟାଦିରେ ଯେଉଁମାନେ ରନ୍ଧାବଢ଼ା ଓ ପରିଚର୍ଯ୍ୟା କରୁଥିଲେ ସେମାନଙ୍କ ମଧ୍ୟରୁ କିଛି ବିହାରୀ ଓ ପୂର୍ବବଙ୍ଗର ଉଦ୍‌ବାସ୍ତୁ ବଙ୍ଗାଳିକୁ ବାଦ ଦେଇ ଅଧିକାଂଶ ଥିଲେ ଓଡ଼ିଆ । ଓଡ଼ିଆମାନଙ୍କର ବାହାଦୁରୀ ଯେ ସେମାନେ ପ୍ରତିବେଶୀର ରାତିନୀତି ଓ ଚାଳିଚଳଣ ଖୁବ୍‌ଶୀଘ୍ର ଅନୁକରଣ କରିପାରନ୍ତି । ସେଥିପାଇଁ ଆମକୁ ଓଡ଼ିଆ ଜାଣି ମଧ୍ୟ ସେମାନଙ୍କ ମୁହଁରୁ ବଙ୍ଗଳାରେ ବାହାରି ଆସେ.ବୌଦି, ଆଜି ମାଛେର ଝୋଲ, କାଲ ଦେବ ଇଲିସ୍‌ ମାଛେର ଝୋଳ । ମୁଁ ମେଦିନୀପୁର ଜିଲ୍ଲାର ଗୋପୀବଲ୍ଲଭପୁରରେ ବାଲ୍ୟ ଓ କୈଶୋର କଟାଇଥିଲି ଏବଂ ସେଠାରେ ବଙ୍ଗଳା ମାଧ୍ୟମରେ ପଢ଼ିଥିଲି । ସେତେବେଳେ ଓଡ଼ିଆରେ ମୁଁ ଭଲ ଭାବେ କଥାବାର୍ତ୍ତା କରି ପାରୁଥିଲେ କିନ୍ତୁ ଓଡ଼ିଆରେ ଭଲଭାବେ ଲେଖିପଢ଼ି ଜାଣିନଥିଲି । ଶୀଘ୍ର ଶୀଘ୍ର ତାହା ଶିଖି ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ଓଡ଼ିଆ ଲୋକ ମାତୃଭାଷା ଛାଡ଼ି ବଙ୍ଗାଳି ଭାଷାରେ କଥା କହୁଥିବା ଦେଖି ଆଶ୍ଚର୍ଯ୍ୟ ହେଉଥିଲି ଦୁଃଖିତ ବି ହେଉଥିଲି । ସ୍ଵାଭିମାନ ନଥିଲେ କୌଣସି ଜାତି ପ୍ରତିଷ୍ଠା ଲାଭ କରେ ନାହିଁ । ଓଡ଼ିଆମାନଙ୍କର ସ୍ଵାଭିମାନ ନଥିବାରୁ ସେମାନେ ବହୁ ଅପମାନ ଓ କଷ୍ଟ ସହ୍ୟ କରିଛନ୍ତି ।

 

ଏହି ସମୟରେ ଓଡ଼ିଶାର ଦଳଇେ ଘାଇ ଭାଙ୍କିଯିବାରୁ ପ୍ରଳୟଙ୍କରି ବନ୍ୟା ହେଲା ଏବଂ ହଜାର ହଜାର ଲୋକ ଗୃହଶୂନ୍ୟ ଓ ସର୍ବସ୍ୱାନ୍ତ ହେଲେ । ସେସବୁର କରୁଣ କାହାଣୀ ବଙ୍ଗଳା ଓ ଇଂରାଜୀ ଖବର କାଗଜରେ ବାହାରୁଥାଏ । କଲିକତାକୁ ଆସୁଥିବା ‘ସମାଜ’ କାଗଜରୁ ମଧ୍ୟ ବନ୍ୟାବିଧ୍ଵସ୍ତ ଅଞ୍ଚଳର କରୁଣ କାହାଣୀ ପଢ଼ୁଥାଏ । ବନ୍ୟା ପ୍ରପୀଡ଼ିତ । ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥ ଆଦାୟ ଉଦ୍ଦେଶ୍ୟରେ ୟୁନିଭରସିଟ୍‌ ଇନଷ୍ଟିଚ୍ୟୁଟ୍‌ରେ ଶ୍ୟାମସୁନ୍ଦର ମହାପାତ୍ର, ସାତକଡ଼ି ବାବୁ ପ୍ରଭୃତି ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କଲେ । କଟକର କଳାବିକାଶ କେନ୍ଦ୍ରର ବାବୁଲାଲ୍‌ ଯୋଶୀ ନୃତ୍ୟନାଟିକା ଓ ସଂଗୀତ ପରିବେଷଣ କରିବା ପାଇଁ ଦଳବଳ ନେଇ ପହଞ୍ଚିଲେ । କଲିକତାର କେନ୍ଦ୍ରସ୍ଥଳରେ ଓଡ଼ିଆ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ବୋଲି ଓଡ଼ିଆମାନଙ୍କ ମଧ୍ୟରେ ଉତ୍ସାହ ଉନ୍ମାଦନା ଖେଳିଗଲା । ବହୁ ଟିକେଟ ବିକ୍ରି ହେଲା। କଲିକତା ବିଶ୍ୱବିଦ୍ୟାଳୟର ସୁନାମଧନ୍ୟ ଐତିହାସିକ ଡ଼କ୍ଟର କାଳୀଦାସ୍‌ ନାଗ ଏବଂ କଲ୍ଲିକତା କରପୋରେନସ୍‌ର ଡ଼େପୁଟି ମେୟର । ନରେଶ ମିତ୍ର ଆସିଥିଲେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ । ହଲ ଭର୍ତ୍ତି ହୋଇଗଲା ଅଳ୍ପ ସମୟ ମଧ୍ୟରେ । କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭ ହେବାବେଳକୁ ବାହାର ଫାଟକୁ ଭାଙ୍ଗି ଟିକେଟ କରିନଥିବା ଓଡ଼ିଆମାନେ ଜୋର କରି ହଲ୍‌ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କଲେ । ହଇଚଇ ସୃଷ୍ଟି ହେଲା । ପରେ ଅବସ୍ଥା ଅସମ୍ଭାଳ ହେବାରୁ ଦରଜା ଖୋଲି ଦିଆଗଲା ଏବଂ ବହୁଲୋକ ଭିତରକୁ ପଶି ଆସିଲେ । ନୃତ୍ୟଗୀତ ବେଶ୍‌ ଚିତ୍ତାକର୍ଷକ ହୋଇଥିଲା ଏବଂ ବାଳକୃଷ୍ଣ ଦାସଙ୍କର ଓଡ଼ିଶୀ ଓ ଭଜନ ବେଶ୍‌ ଆଦୃତ ହୋଇଥିଲା । କିନ୍ତୁ କଲିକତା ଭଳି ସହରରେ ଓଡ଼ିଆ ମାନଙ୍କ ମଧ୍ୟରେ ସାଂସ୍କୃତିକ ସଚେତନାର ଘୋର ଅଭାବ। ସେମାନଙ୍କୁ ସଂଗଠିତ କରିବା ପାଇଁ ଅନେକ ଅନୁଷ୍ଠାନ କାର୍ଯ୍ୟ କରୁଥିଲେ ମଧ୍ୟ ବାସ୍ତବରେ ଗୋଟିଏ ହେଲେ ଭଲ ଅନୁଷ୍ଠାନ ନଥିଲା । ବରଂ କଲିକତାର ଓଡ଼ିଆମାନେ କଳକାରଖାନରେ କାମ କରି ଭଲ ଉପାର୍ଜନ କରୁଥିଲେ ବୋଲି ସେମାନଙ୍କ ଠାରୁ ଚାନ୍ଦା ସଂଗ୍ରହ କରି ନେତାମାନେ ନିଜନିଜର ପ୍ରୟୋଜନ ମେଣ୍ଟାଉଥିଲେ । କିନ୍ତୁ ତା’ସତ୍ତ୍ଵେ କେତେକ ନେତା ଭଲ କାର୍ଯ୍ୟ କରିଥିବାର ମଧ୍ୟ ନଜିର ରହିଛି । ସେତେବେଳକୁ ବହୁ ଅନୁଷ୍ଠାନ ମଧ୍ୟରେ ଗାରଷ୍ଟିନ୍‌ ଷ୍ଟ୍ରୀଟ୍‌ର ବ୍ରଜବନ୍ଧୁ ନୈଶ ବିଦ୍ୟାଳୟ ଓଡ଼ିଆମାନଙ୍କ ମଧ୍ୟରେ ଶିକ୍ଷାବିସ୍ତାର କରିବା କାର୍ଯ୍ୟରେ ସଫଳତା ଅର୍ଜନ କରିଥିଲା । ସେହିପରି ଶ୍ୟାମସୁନ୍ଦର ବେହେରାଙ୍କ ନେତୃତ୍ଵରେ ଖିଦିରପୁର ଓଡ଼ିଆସମାଜ ମଧ୍ୟ ଭଲ କାର୍ଯ୍ୟ କରୁଥିଲା। ପ୍ରେମଚାନ୍ଦ ବରାଳ ଷ୍ଟ୍ରୀଟ୍‌ରେ ଆସନ୍ତାକାଲି ପେସ୍‌ ଏବଂ ବହୁବଜାରରେ ଆକୁଳି ମିଶ୍ରଙ୍କ ଆଙ୍ଗ୍ଳୋଇଣ୍ତିଆନ ପ୍ରେସ୍‌ରେ ଓଡ଼ିଆ ପତ୍ରିକା ଓ ବହି ଇତ୍ୟାଦି ଛପା ଯାଉଥିଲା ।

 

କିନ୍ତୁ ସାଧାରଣ ଓଡ଼ିଆମାନଙ୍କର ସାମାଜିକ ଅବସ୍ଥା ଦୟନୀୟ ଥିଲା । ସେମାନେ ସଙ୍ଗଠିତ ହୋଇ ନିଜର ଅଧିକାର ଆଦାୟ କରିପାରୁନଥିଲେ ବା ନିଜର ସାଂସ୍କୃତିକ ବୈଶିଷ୍ଟ୍ୟ ପ୍ରତିପାଦନ କରିପାରୁନଥିଲେ । ଫଳରେ ହୀନମନ୍ୟତା ଗ୍ରାସ କରିଥିଲା ସମସ୍ତଙ୍କୁ । ସେମାନେ ଯେ ବଙ୍ଗାଳୀମାନଙ୍କ ଠାରୁ ବୁଦ୍ଧି, ବିଦ୍ୟା, ବିଚ଼କ୍ଷଣତା ଓ ମର୍ଯ୍ୟାଦାରେ ଛୋଟ ଏହି ଭାବନା ସେମାନଙ୍କୁ ଗ୍ରାସ୍‌ କରିଥିଲା । ସାତକଡ଼ି ବାବୁଙ୍କ ଟ୍ରେନିଂ ପରେ ତାଙ୍କୁ ହାଉଡ଼ା ସନ୍ନିକଟସ୍ଥ ଗଙ୍ଗାନଦୀ (ଭାଗରଥୀ)ର ଅପରପାର୍ଶ୍ଵରେ ସାଲିମାର ମାଲ୍‌ପରିବହନ କେନ୍ଦ୍ରରେ ସହକାରୀ ସୁପରିନଟେଣ୍ତେଣ୍ଟ ପଦରେ ଅବସ୍ଥାପିତ କରାଗଲା । ସେତେବେଳେ ସାଲିମାର୍‌ରେ ପ୍ରାୟ ଶତାଧିକ ଓଡ଼ିଆ କର୍ମଚାରୀ କାର୍ଯ୍ୟ କରୁଥିଲେ । ସେମାନଙ୍କ ମଧ୍ୟରେ ରାଧାକୃଷ ମହାପାତ୍ର, ପ୍ରଫୁଲ୍ଲ ଦେ ପ୍ରଭୃତି ଅନ୍ୟତମ । ସେତେବେଳେ ବିଶିଷ୍ଟ କବି ସଚ୍ଚି ରାଉତରାୟ କେଶୋରାମ କଟ୍‌ନ ମିଲ୍‌ରେ ଶ୍ରମ ମଙ୍ଗଳ ଅଫିସର୍‌ ଭାବେ କାର୍ଯ୍ୟ କରୁଥିଲେ । ଓଡିଶାରୁ ଯାତ୍ରା ଓ ପାଲାଗାୟକ ଦଳ ମଧ୍ୟେ ମଧ୍ୟେ କଲିକତା ଆସୁଥିଲେ । ପାଲାଗାୟକ ହରିନାଥଙ୍କ ଆଗମନ ସୁଯୋଗ ନେଇ ସାଲିମାର ରେଳବାଇ ବଙ୍ଗଳାରେ ଥିବାବେଳେ ପାଲା ଶୁଣିବା ପାଇଁ ବହୁ ଓଚିଆ ଆସିଥିଲେ ସେମାନଙ୍କ ମଧ୍ୟରେ ଥିଲେ ବିଶିଷ୍ଟ କବି ସଚ୍ଚି ରାଉତରାୟ, ରେଳବାଇ ସର୍ଭିସ କମିଶନର ପୂର୍ବତନ ଚେୟାରମ୍ୟାନ ମହେଷ ଚନ୍ଦ୍ର ପ୍ରଧାନ, ଆୟକର ଅଫିସର କୁଳମଣି ରଥ ପ୍ରମୁଖ ଭାଷଣ ପ୍ରସଙ୍ଗରେ ପାଲା ମାଧ୍ୟମରେ କିପରି ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡିଆ ସାହିତ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ବଞ୍ଚି ରହିଛି ତାହା ବର୍ଣ୍ଣନା କରି ଓଡିଆମାନେ ପ୍ରବାସରେ ସଂସ୍କୃତି ଓ ସାହିତ୍ୟର,ପ୍ରସାର କରିବା ଦିଗରେ ଅଧିକ ଯତ୍ନବାନ ହେବାଲାଗି ପରାମର୍ଶ ଦେଇଥିଲେ । ଏହି ଆୟୋଜନ କରିବା ପରେ କଲିକତାର ଓଡ଼ିଆମାନଙ୍କ ସହିତ ମୋର ସଂପର୍କ ପ୍ରସାରିତ ହେଲା।

 

ସେହି ସାଲିମାରରେ ଥ୍‌ଵାବେଳେ ରେଳବାଇ କର୍ମଚାରୀମାନଙ୍କ ଦ୍ୱାରା ନିମନ୍ତ୍ରିତ ହେଇ ବଙ୍ଗାଳୀ ଯାତ୍ରା ଦଳ ‘ନଟ ଅପେରା’ କଳାପାହାଡ଼ ନାଟକ ଅଭିନୟ କରିବାକୁ ଆସିଥିଲେ । ସେଥିରେ ମୁଖ୍ୟ ଅତିଥିଭାବେ ଯୋଗଦେବା ପାଇଁ ସାତକଡି ବାବୁଙ୍କୁ ଆମନ୍ତ୍ରଣ କରିଥିଲେ । ଆମେ ଯାତ୍ରା ହେଉଥିବା ସ୍ଥାନରେ ପହଞ୍ଚିବା ବେଳକୁ ଖୋଲାମଞ୍ଚ ଚାରିପାଖରେ ପ୍ରାୟ ତିନି ଚାରି ହଜାର ଦର୍ଶକ ଅପେକ୍ଷା କରିଥିଲେ । ନଟ ଅପେରା ପଶ୍ଚିମବଙ୍ଗ ବିଖ୍ୟାତ ଯାତ୍ରାଦଳ । ନଟ ଅପେରାର ସୁଖ୍ୟାତି ଟାଣି ଆଣିଥାଏ ଅନେକଙ୍କୁ ଯାତ୍ରା ଦେଖିବା ପାଇଁ । ‘କଳାପାହାଡ଼’ ନାଟକ ଆରମ୍ଭ ହେଲା । ସେଇ ଯାତ୍ରା ଚାଲିଥିବା ବେଳେ ଗୋଟିଏ ସ୍ଥାନରେ ଓଡ଼ିଶୀ ନୃତ୍ୟର ବିକୃତ ପରିବେଶଣ ଦେଖି ଏବଂ ଆଉ ଗୋଟିଏ ଦୃଶ୍ୟରେ କଳାପାହାଡ଼ଙ୍କୁ ଆଶ୍ରୟ ଦେଇଥିବା ମେଦିନୀପୁରର ଓଡ଼ିଆ ପଣ୍ଡିତ ମୁହଁରେ ବିକୃତ ଓଡ଼ିଆ ଶବ୍ଦ ଓ ବାଘ ଗର୍ଜ୍ଜନ ଶୁଣି ତାଙ୍କ କଚ୍ଛା ଖୋଲିଯିବା ଦୃଶ୍ୟ ଦେଖି ମୁଁ ଆଉ ଧୈର୍ଯ୍ୟ ଧରି ରହିପାରିଲି ନାହିଁ । ଉଠ ପଡ଼ି ପ୍ରତିବାଦ କରି କହିଲି ଯେ ଯଦି ଓଡ଼ିଶୀ ନୃତ୍ୟ ନଆସେ ତେବେ ତାହା ବିକୃତ ଭାବେ ପରିବେଷଣ କରିବା ଅନ୍ୟାୟ । ସେହିପରି କଳାପାହାଡ଼କୁ ଆଶ୍ରୟ ଦେଇଥିବା ବ୍ରାହ୍ମଣ ସାହାସୀ ହୋଇନଥିଲେ ଆଶ୍ରୟ ଦେଇନଥାନ୍ତା । କିନ୍ତୁ ବାଘଗର୍ଜନ ଶୁଣି କଚ୍ଛା ଖୋଲିଯିବା ଓ ବିକୃତ ଓଡ଼ିଆ କହିବା ଅକ୍ଷମଣୀୟ ତ୍ରୁଟି । କ୍ଷମା ପ୍ରାର୍ଥନା ନକଲେ ଏବଂ ଏହି ଦୃଶ୍ୟ ପରିବର୍ତ୍ତନ କରିବା ପାଇଁ ପ୍ରତିଶ୍ରୁତି ନମିଳିଲେ ଆମେ ଯାତ୍ରା ଛାଡ଼ି ଚାଲିଯିବୁ ବୋଲି କହିବାରୁ ସଙ୍ଗେ ସଙ୍ଗେ କର୍ମଚାରୀ ସଂଘର ସଭାପତି ଏବଂ ଯାତ୍ରା ବଳର ମ୍ୟାନେଜର ଉଠିପଡ଼ି ସେହି ଦୃଶ୍ୟ ଆମ ମନରେ ଆଘାତ ଦେଇଥିବାରୁ ଦୁଃଖ ପ୍ରକାଶ କଲେ, ଏବଂ ଆଉ ସେହିପରି ଭାବେ ତାହା ପ୍ରଦର୍ଶନ କରାଯିବ ନାହିଁ ବୋଲି ପ୍ରତିଶ୍ରୃତି ଦେଲେ । ଓଡ଼ିଆମାନେ ଯେ ନୀରବରେ ଅପମାନ ହଜମ କରନ୍ତି ନାହିଁ, ତାହା ଦର୍ଶନମାନେ ଜାଣିଲେ ଏବଂ ଓଡ଼ିଆ ଦର୍ଶକମାନେ ମନୋବଳ ଅନେକ ବଢ଼ିଗଲା ।

Image

 

କଲିକତା କେତେକଥା (୨)

 

କଲିକତା ଓଡ଼ିଶା ବାହାରେ ଅବସ୍ଥିତ । କିନ୍ତୁ ତା’ ସତ୍ତ୍ୱେ ଏଇ ସହର ସହିତ ଓଡ଼ିଆମାନେ ଯେତେ ସଂପୃକ୍ତ ଏବଂ ଏଇ ସହରକୁ ଯେତେ ଆପଣାର ମନେକରନ୍ତି ତାହା ଅନ୍ୟତ୍ର ଦେଖାଯାଏ ନାହିଁ । ସେହିପରି ଓଡ଼ିଶା ମଧ୍ୟ ବଙ୍ଗାଳୀମାନଙ୍କ ଅତି ନିକଟରେ । ସାତକଡିବାବୁ ପୁରୀ କଲେଜର ଛାତ୍ର ଥ୍‌ବାବେଳେ ପାଥରପୁରୀ ହଷ୍ଟେଲରେ ରହୁଥିଲେ । ସେଇ ପାଥରପୁରୀରେ ତା ବହୁ ପୂର୍ବରୁ ବିଶ୍ଵକଵି ରବିନ୍ଦ୍ରନାଥ ଠାକୁର ରହିଥିଲେ । ସେହି କୋଠାରେ ଥିବାବେଳେ ସେ କେତେକ କବିତା ମଧ୍ୟ ରଚନା କରିଥିବାର ପ୍ରମାଣ ରହିଛି । ସେହିପରି ଗୋପାଳ ଦାସ (ଗୋପାଳ ଭଡ଼େ) ଏବଂ ପାକସୀ ଓଡ଼ିଶାର ଲୋକ ହେଲେ ମଧ୍ୟ ବଙ୍ଗ ସାହିତ୍ୟକୁ ସେମାନଙ୍କର ଅବଦାନ ବଙ୍ଗଳା ସାହିତ୍ୟର ଇତିହାସରେ ଲିପିବଦ୍ଧ ହୋଇଛି । ବଙ୍ଗଳା ଭାଷାର ପ୍ରଥମ ବ୍ୟାକରଣ ମାଇକେଲ ମଧୁସୂଦନ ଦତ୍ତ ରଚନା କରିବା ପୂର୍ବରୁ ମେଦିନପୁରର ଜଣେ ଓଡ଼ିଆ ସଂସ୍କୃତ ପଣ୍ଡିତ ମୃତ୍ୟୁଞୟ ବିଦ୍ୟାଳଙ୍କାର ପ୍ରଥମ ବଙ୍ଗଳା ବ୍ୟାକରଣ ରଚନା କରିଥିବାର ପ୍ରମାଣ ଲଣ୍ଡନସ୍ଥିତ ଭାରତ ପୁସ୍ତକାଗାରରୁ ଜଣେ ବଙ୍ଗୀୟ ଗବେଷକଙ୍କ ଦ୍ୱାରା ଆବିଷ୍କୃତ ହେବା ପରେ ଏବଂ ତାହା ଦେଶ ପତ୍ରିକାରେ ପ୍ରକାଶ ପାଇବା ପରେ ତର୍କବିତର୍କର ବିଷୟ ହୋଇଥିଲା । ମୟୁରଭଞ୍ଜ ସହିତ କଲିକତା ଓ ବଙ୍ଗଦେଶର ନିବିତ଼ ସମ୍ପର୍କ ଥିଲା । ମୟୁରଭଞ୍ଜ ର ଜନପ୍ରିୟ ମହାରାଜା ସ୍ଵର୍ଗତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଏଇ ଶତାଦ୍ଧୀର ପ୍ରଥମ ଦଶକରେ କଲିକତାର ବ୍ରହ୍ମଉପାସକ ଆଚାର୍ଯ୍ୟ କେଶବ ସେନଙ୍କ କନ୍ୟା ସୁଚାରୁ ଦେବୀଙ୍କୁ ବିବାହ କରିଥିଲେ । ମେଦୀନପୁର ଜିଲ୍ଲାର ନୂଆବସାଣ ଗୋପୀବଲଭପୁର ଜମିଦାରୀ ମୟୁରଭଞ୍ଜ ମହାରଜାଙ୍କ ଅଧୀନରେ ୧୯୪୮ ପର୍ପ୍ୟନ୍ତ ରହିଥିଲା । କଲିକତା ମହାନଗରୀରେ ଜୀବିକାର୍ଜନ କରିବା ଉଦ୍ଦେଶ୍ୟରେ ବହୁସଂଖକ ଓଡ଼ିଶା ବସବାସ କରନ୍ତି। ଏହା ସତ୍ତ୍ଵେ ସେତେଵେଳେ ବାଙ୍ଗାଳୀମାନଙ୍କ ମନରେ ଗୋଟିଏ ଧାରଣା ରହିଥିଲା ଯେ, ଓଡ଼ିଆମାନେ ସେମାନଙ୍କ ସମକକ୍ଷ ସମକକ୍ଷ ନୁହଁନ୍ତି । ସେମାନେ ଅନ୍ୟାନ୍ୟ ଭାଷାଭାଷୀମାନଙ୍କ ଠାରୁ ମଧ୍ୟ ଆଗୁଆ ମନେ କରୁଥିଲେ । ସେଥିପାଇଁ ବରାବର କୁହାଯାଉଥିଲା ଯେ, ଆଜି ବଙ୍ଗଦେଶ ଯାହା ଚିନ୍ତା କରେ କଲିକତାରେ ସ୍ଥାପିତ ହୋଇଥିଲା ଏବଂ ବର୍ହିବାଣିଜ୍ୟ କଲିକତା ସହର ଦେଇ ଅଧିକ ହେଉଥିଲା । ଏହି ସୁବିଧା ପାଇ ବଙ୍ଗାଳୀମାନେ ଅନ୍ୟମାନଙ୍କ ଠାରୁ ଆଗୁଆ ଥିଲେ ଏବଂ ଇଷ୍ଟଇଣ୍ଡିଆ କମ୍ପାନୀ ସମୟରେ ସୂର୍ଯ୍ୟାସ୍ତ ଆଇନ ପ୍ରୟୋଗ କରି ଓଡ଼ିଶାର ସମୂଦ୍ର କୂଳବର୍ତ୍ତୀ କଟକ ଓ ପୁରୀ ଜିଲ୍ଲାରେ ଥିବା ବହୁ ଜମିଦାରୀ ନିଲାମରେ କିଣି ନେଇଥିଲେ । ଶ୍ରୀ ସୁନୀଲ ଗଙ୍ଗୋପାଧ୍ୟାୟଙ୍କ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଉପନ୍ୟାସ ‘ସେଇ ସମୟ’ ର ପ୍ରଥମ ଦୃଶ୍ୟ ମହାନଦୀରେ ନୌକା ବିହାରରୁ ଆରମ୍ଭ ।

 

କଲିକତାରୁ ବଦଳି ହୋଇଯିବାର ଦଶବର୍ଷ ପରେ ପୁଣି ଆମେ କଲିକତା ଫେରି ଆସିଲୁ । ୧୯୬୭-୬୮ ମସିହା । ସେତେବେଳେ ପଶ୍ଚିମ ବଙ୍ଗରେ ଘୋର ଅଶାନ୍ତି । ନକ୍ସଲମାନଙ୍କ ଉତ୍ପାତ ଲାଗି ରହିଥାଏ । ସେମାନଙ୍କର ନେତା ଚାରୁ ମଜୁମଦାର ଓ କାନୁ ସାନ୍ୟାଲ ମାଓବାଦୀ । ସିଲ୍ଲିଗୁଡ଼ି, ଜଲାପାଇଗୁଡ଼ି, ଗ୍ରାମାଞ୍ଚଳ ତଥା କଲିକତା, ମେଦିନୀପୁର ଏବଂ ଅନ୍ୟାନ୍ୟ କେତେକ ଅଞ୍ଚଳରେ ସେମାନଙ୍କର ଥାଏ ଅଖଣ୍ଡ ପ୍ରତାପ । ନକ୍ସଲବାଦ ଆକର୍ଷଣ କରୁଥାଏ ବୁଦ୍ଧିମାନ ଓ ତରୁଣମାନଙ୍କୁ । ସଶସ୍ତ୍ର ବିପ୍ଳବ ବ୍ୟତୀତ ସର୍ବହରାମାନଙ୍କ ସ୍ଵର୍ଗରାଜ୍ୟ ସ୍ଥାପିତ ହେବ ନାହିଁ ବୋଲି ବିଶ୍ଵାସ ଥାଏ ସେମାନଙ୍କର । ମାଓଙ୍କ ଅମରବାଣୀ ଗୋଟିଏ ବନ୍ଧୁକ ନଳୀ ହିଁ କ୍ଷମତାର ଉତ୍ସ ଏହି ବିଶ୍ଵାସ ପ୍ରସାରିତ ହେଉଥାଏ ଛାତ୍ର ଓ ଯୁବକମାନଙ୍କ ମଧ୍ୟରେ । ଘୋର ସାମାଜିକ ଅସମାନତା, ଜାତିବାଦ ଓ ଅର୍ଥନୈତିକ ବୈଷମ୍ୟ ଦ୍ଵାରା ପୁଞ୍ଜିବାଦୀ ସମାଜରେ ଯେ ସାଧାରଣ ଲୋକନ୍ୟାୟ ପାଇବେ ନାହିଁ ଏହି ବିଶ୍ଵାସ ଥିଲା ସେମାନଙ୍କର ।

 

ଆମ ବଙ୍ଗଳା ଶିବପୁରର ବେତାଇତାଲା ବଜାର ସନ୍ନିକଟରେ । ବଙ୍ଗଳା ଚାରିପାଖରେ ଏକ ବିସ୍ତୃତ ପଡ଼ିଆ ଏବଂ ତା’ ଚାରିପାଖରେ ଉଚ୍ଚ ପାଚେରି । ଶିବପୁର ଇଞ୍ଜିନିୟରିଂ କଲେଜର ବହୁ ବୁଦ୍ଧିମାନ ଛାତ୍ର ନକ୍ସଲବାଦରେ ବିଶ୍ଵାସ କରୁଥିଲେ, ତେଣୁ ସେଇ ଅଞ୍ଚଳରେ କିଛି ନା କିଛି ଦୁର୍ଘଟଣା ଲାଗି ରହିଥାଏ । ସେତେବେଳେ ପଶ୍ଚିମବଙ୍ଗରେ ମିଳିତ ସାମ୍ମୁଖ୍ୟ ସରକାର କ୍ଷମତାରେ ଥାଆନ୍ତି ଏବଂ ଜ୍ୟୋତିବସୁ ଥାଆନ୍ତି ଘରୋଇ ମନ୍ତ୍ରୀ। ବଙ୍ଗଳା କଂଗ୍ରେସର ଅଜୟ ମୁଖାର୍ଜୀ ଥାଆନ୍ତି ମୁଖ୍ୟମନ୍ତ୍ରୀ । ମାଓବାଦକୁ ନକ୍ସଲମାନେ ନିଜର ଆଦର୍ଶ ଭାବେ ଗ୍ରହଣ କରୁଥିଲେ ମଧ୍ୟ ସିଲିଗୁଡ଼ି ନିକଟସ୍ଥ ଏକ ଅପନ୍ତରା ଗ୍ରାମ ନକ୍ସଲବାଡ଼ିର ସୁନାମଧନ୍ୟ ନେତା ଚାରୁ ମୁଜୁଦାର ଏହି ଗ୍ରାମରୁ ନକ୍ସଲବାଦ ପଚାର କରୁଥିଲେ ବୋଲି ସେମାନଙ୍କୁ ନକ୍ସଲବାଦୀ କୁହାଯାଏ । ଆମ ପାଚେରୀ କାନ୍ଥରେ ନାନା ପ୍ରକାର ନକ୍ସଲାବାଦୀ ସ୍ଳୋଗାନ ଲେଖା ତ ଥାଏ । କିପରି ଦୁର୍ଜୁଆ ଓ ଅତ୍ୟାଚାରୀ ଧନୀ ଏବଂ ଶାସକମାନଙ୍କୁ ହତ୍ୟା କରାଯିବ ସେହିପରି ଚିତ୍ର ଓ ସ୍ଳୋଗାନ କାନ୍ଥରେ ଲେଖା ଯାଇଥିଲା । ତାହା ପଢ଼ିଲେ ମନରେ ଭୟ ହେଉଥିଲା । ଆମେ ସନ୍ଧ୍ୟାପରେ ବାହାରକୁ ଯାଉନଥିଲୁ-। ଦିନେ କଲିକତା ସହର କାମସାରି ଫେରିବା ବେଳକୁ ରାତି ହୋଇଯାଇଥିଲା ଏବଂ ଆମେ ସନ୍ତର୍ପଣ ଡ଼ରି ଡ଼ରି ଫେରୁଥିବା ବେଳେ ବେତାଇତାଲା ବଜାର ରାସ୍ତାରେ ଦଳେ ପିଲା ଆମକୁ ଆଗେଇ ଦେଲେ ଏବଂ କହିଲେ—‘ମାସୀମା, ଆମରା ଅଛି, ଆପନାର କୋନୋଭୟ ନେଇଁ-। ହୋତା ସାହେବ ତ ଭାଲୋ ଲୋକ, ଅନ୍ୟାୟ କରେନ୍ତି ନେଇଁ, ବରଂ ଆମୋଦର ଭାଲୋ ବାସେନା ।’ ସେମାନଙ୍କଠାରୁ ଏଇକଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି ଏବଂ ସେମାନଙ୍କ ସହିତ ଗଳ୍ପ କରି କରି ଫେରିଲି । ଆମ ବଙ୍ଗଳାକୁ ଲାଗି ଗୋଟେ ରେଳ ସାଇଡ଼ିଂ ଥାଏ । ସେଠାରେ ରେଳଡବାରୁ ଲୁହା ସରଞ୍ଜାମ ଖଲାସ କରାଯାଏ । ଦିନେ ରାତିରେ ଡ଼ବା ଭାଙ୍ଗି ଲୁହା ସରଞ୍ଜାମ ଚୋରି ହେଉଥିବା ଦେଖି ମଧ୍ୟ ନୀରବ ରହିବାକୁ ପଡ଼ିଲା । କିନ୍ତୁ ନକ୍ସଲବାଦୀ ମାନେ ଯେ ଚୋରି କରନ୍ତି ନାହିଁ ତା’ର ପ୍ରମାଣ ପରେ ପାଇଲି । ଵରଂ ସେମାନେ ଚୋରାକାରବାର, ଘୁଷଖୋର ଓ ଅସମାଜିକ ବ୍ୟକ୍ତିମାନଙ୍କ ବିରୋଧରେ । ଜଣେ ସ୍ଥାନୀୟ ବ୍ୟବସାୟୀ ଟଙ୍କା ରଣ ଦେଇ ଗରିବ ଖଟିଖିଆମାନଙ୍କୁ ନିର୍ଯ୍ୟାତନା ଦେଉଥିଲା ବୋଲି ତାକୁ କିଏ ହତ୍ୟାକରି ଆମ ପାଚୋରି ‘ପାଖରେ ପକାଇ ଦେଇଥିଲା । କିନ୍ତୁ ପରେ ସେଇ ପିଲାମାନଙ୍କ ଠାରୁ ଶୁଣିଲି ଯେ ଲୋକଟା ଅତ୍ୟାଚାରୀ... ବଂଚିବାର ଅଧିକାର ତାର ନେଇଁ ।

 

ସେମାନଙ୍କର ଆଶ୍ଵାସନା ସତ୍ତ୍ଵେ ମନରୁ ଭୟ ଯାଉନଥାଏ । ସାତକଡ଼ି ବାବୁ ପ୍ରତିଦିନ ସଶସ୍ତ୍ର ପୋଲିସ୍‌ ପହରା ମଧ୍ୟରେ ଅଫିସ୍‌ ଯାଉଥିଲେ ଏବଂ ଫେରୁଥିଲେ । ତାଙ୍କ ସହିତ ପଶ୍ଚିମବଙ୍ଗ ପୋଲିସ୍‌ର ଡ଼ି.ଏସ୍‌.ପି ମୁଖାର୍ଜୀ ଯିବା ଆସିବା କରୁଥିଲେ । ସାତକଡ଼ି ବାବୁଙ୍କ ଜଣେ ବନ୍ଧୁ ସତ୍ୟେନ୍ଦ୍ର ନାଥ କର (ବଙ୍ଗାଳୀ ଅଫିସର)ଙ୍କ ବଡ଼ପୁଅ ଶିବପୁର ଇଂଜିନିୟରିଂ କଲେଜରେ ପଢ଼ୁଥିଲା। ସେ ପ୍ରଥମ ଶ୍ରେଣୀରେ ପ୍ରଥମ ହେଉଥାଏ ପରୀକ୍ଷାରେ । ସେଇ ପିଲା ନକ୍ସଲ ହୋଇଯିବାର ଖବର ମୁଖାର୍ଜୀଙ୍କ ଠାରୁ ଶୁଣିଲି । ତା’ପରେ ତା ବାପା ମଧ୍ୟ କହିଲେ । ସାଲିମାରରେ ଦୁଇବର୍ଷ ରହିବା ମଧ୍ୟରେ ନକ୍ସଲମାନଙ୍କ ସହିତ ସାମାଜିକ ସଂପର୍କ ଥିଲେ ମଧ୍ୟ ସେତେ ବେଳେ କ’ଣ ଘଟିବ ତାହା ଭାବି ହେଉନଥିଲା । କାଳେ ଆମେ କେତେବେଳେ ବିପଦରେ ପଡ଼ିଯିବୁ, ଏଥିପାଇଁ ଭୟ ଥିଲା ମନରେ । ଦିନେ ନଣନ୍ଦ ଆସି ଗାଁରୁ ପହଞ୍ଚିଲେ । ତାଙ୍କୁ କାଳିଘାଟ ନେଇଗଲି କାଳୀ ଦର୍ଶନ କରିବା ପାଇଁ । ବାଟରେ ଫେରିବା ବେଳେ ଧରମତାଲା ପାଖରେ ଟ୍ରାମ୍‌ ଚକତଳେ ବୋମା ଫୁଟିବାରୁ ସର୍ବତ୍ର ଧୂଆଁ ଛାଇଗଲା ଓ ଟ୍ରାମ ଚଳାଚଳ ଵନ୍ଦ ହୋଇଗଲା । ନାନୀ ସେତେବେଳକୁ ଭୟରେ ଥରୁଥାଆନ୍ତି ଏବଂ କାନ୍ଦୁଥାଆନ୍ତି । ଆମକୁ ଟ୍ରାମ ଭିତରୁ ବାହାରକୁ ନେଇ କେହିଜଣେ ଅନ୍ୟ ଗୋଟିଏ ବସ୍‌ରେ ବସାଇଦେଲେ କହିଲା-ଆପନା ଦେଇ ଭୟଁ ନାଇଁ । ଆମରା ସାଧରନ ମାନୁଷ କେ ମାରିନା.... । ପରେ ଜାଣିଲି ସେ ଜଣେ ନକ୍ସଲବାଦୀ । ସାଧାରଣ ଦଳିତ ଜନତାର ବନ୍ଧୁ । ଆମେ ଘରକୁ ଫେରିବା ପରେ ପିଣ୍ଡରେ ପ୍ରାଣ ପଶିଲା।

 

ନକ୍ସଲବାଦ ଚାରିପାଞ୍ଚବର୍ଷ ଧରି ପ୍ରବଳ ବେଗରେ ପ୍ରସାରିତ ହେଲା । ଅତ୍ୟାଚାରୀ ଜମିଦାର, ଶୋଷକ ବ୍ୟବସାୟୀ ଏବଂ ଦୁର୍ନୀତିଗ୍ରସ୍ତ ଅଫସରମାନେ ଥିଲେ ସେମାନଙ୍କର ଶତ୍ରୁ ଏବଂ ନିର୍ବିକାର ଚିତ୍ତରେ ସୁଯୋଗ ପାଇଲେ ସେମାନଙ୍କୁ ନିହତ କରୁଥିଲେ । ମାର୍କସବାଦୀ କମ୍ୟୁନିଷ୍ଟମାନଙ୍କୁ ସେମାନେ କ୍ଷମା ନକରି କହୁଥିଲେ- ବୁର୍ଜୁଆ ଶୋଷକର ଦଳ । ନହେଲେ ଶାସନଗାଦି ମାଡ଼ି ବସିନଥାନ୍ତେ । ଏହାପରେ କଂଗ୍ରେସ ନିର୍ବାଚନରେ ବିଜୟୀ ହେବାରୁ ସିଦ୍ଧାର୍ଥଶଙ୍କର ରାୟ ମୁଖ୍ୟମନ୍ତ୍ରୀ ହେଲେ ଏବଂ ନକ୍ସଲବାଦୀ ଦମନ କରିବା ପାଇଁ ଶହ ଶହ ତରୁଣଙ୍କୁ ଗିରଫ କରି ଜେଲଖାନା ଭିତରେ ବନ୍ଦୀ କଲେ । ଆଉ କେତେବର୍ଷ ପରେ ନକ୍ସଲବାଦୀ ଆନ୍ଦୋଳନର ଅବସାନ ଘଟିଲା । କିନ୍ତୁ ମୋର ଏବେ ବି ମନେହୁଏ ଯେ, ହୁଏତ ନକ୍ସଲବାଦର ମୁତ୍ୟୁ ହୋଇନାହିଁ । ସମାଜରେ ଶୋଷଣ, ନିର୍ଯ୍ୟାତନା ଓ ନିପୀଡ଼ନ ଥିବାଯାଏ ଏବଂ ଅନ୍ୟାୟ ହେଉଥିବା ପର୍ଯ୍ୟନ୍ତ ନକ୍ସଲବାଦର ମୃତ୍ୟୁ ହେବ ନାହିଁ । ସେଥିପାଇଁ ତ ଏବେ ବିହାର, ଆନ୍ଧ୍ରା, ମହାରାଷ୍ଟ୍ର ଏବଂ ଓଡ଼ିଶାର ଗୁଣପୁର ଓ କୋରାପୁଟ ଅଞ୍ଚଳରେ ଭିନ୍ନ ରୂପରେ ନକ୍ସଲବାଦୀ ଆନ୍ଦୋଳନ ଚାଲୁ ରହିଛି ।

 

ସେଇ ସମୟରେ କଲିକତାରେ ଥିବାବେଳେ ଦିନେ ଗୋଟିଏ କବି ସମ୍ମିଳନୀକୁ ଗଲୁ । ମହାଜାତି ସଦନରେ କବି ସମ୍ମିଳନୀ ହେଉଥାଏ । ସାତକଡ଼ି ବାବୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥାନ୍ତି । ଦୁଇ ତିନୋଟି କବିତା ପଢ଼ା ହେବା ପରେ ଉପସ୍ଥିତ ଥିବା କେତେଜଣ ତରୁଣ କବି ଚିତ୍କାର କଲେ- ଏସବୁ ବୁର୍ଜୁଆ ଶୋଷକ ଦେର କବିତା... ଆମର ନୂତନ କବିତା ପାଠ କରବେ । ଝରକା ଆଡ଼କୁ ଚାହିଁଦେଇ ମୋ ହାଲୁକ ଶୁଖିଗଲା । ସବୁ ଝରକା ଦଖଲ କରି ବସିଥାନ୍ତି ନୂତନ ନକ୍ସଲବାଦୀ କବିମାନେ । ସାତକଡ଼ିବାବୁ ପରାମର୍ଶ ଦେଲେ ସେମାନଙ୍କୁ କବିତା ପଢ଼ିବା ପାଇଁ ସୁଯୋଗ ଦେବାଲାଗି । ପ୍ରଥମ ନକ୍ସଲବାଦୀ କବିତାର ଧାଡ଼ିଏ ମନେଅଛି-ରକ୍ତ ରକ୍ତ....ଭିଏତ୍‌ନାମର ରକ୍ତ.... ନିରୀହ କୃଷକ ଶ୍ରମିକେର ରକ୍ତ...... ଯେ ନିଏଛେ ତାକେ ଶାସ୍ତି ନିଶ୍ଚେ ହବେ... ସାମ୍ରାଜ୍ୟବାଦ ନିପାଦ ଯାବେ... ନିପାତ ଯାବେ ।

Image

 

Unknown

କଲିକତା କେତେ କଥା (୩)

 

କଲିକତାରେ ବହୁ ଓଡ଼ିଆ ଅନୁଷ୍ଠାନ ରହିଛି । ସେଥିମଧ୍ୟରୁ କେତେକ ଭଲ କାର୍ଯ୍ୟମଧ୍ୟ କରନ୍ତି । କିନ୍ତୁ ଓଡ଼ିଆ ସାମାଜିକ ଜୀବନ ଅସଂଗଠିତ ହୋଇ ରହିଥିବାରୁ ସଂଘବଦ୍ଧ ପ୍ରଚେଷ୍ଟା ହୋଇପାରୁ ନାହିଁ କି ଓଡ଼ିଶାର ସାଂସ୍କୃତିକ ବୈଶିଷ୍ଟ୍ୟ ପ୍ରତିବେଶୀମାନଙ୍କ ଉପରେ ପ୍ରଭାବ ପକାଉ ନାହିଁ । କଲିକତାରେ ଲକ୍ଷାଧିକ ଓଡ଼ିଆ ଥିବାବେଳେ ସେମାନଙ୍କ ପୁଅ ଝିଅମାନଙ୍କ ପଢ଼ାପଢ଼ି ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ । ଅଫିସର ଓ ପଦସ୍ଥ ଲୋକମାନଙ୍କ ପୁଅଝିଅ ଇଂରାଜୀ ବା ହିନ୍ଦୀ ମାଧ୍ୟମରେ ପଢ଼ନ୍ତି । କିନ୍ତୁ ଶ୍ରମଜୀବୀମାନଙ୍କର ପୁଅଝିଅ ବାଧ୍ୟ ହୋଇ ବଙ୍ଗଳା ବା ଅନ୍ୟ ଭାଷାରେ ପଢ଼ନ୍ତି । ତେଣୁ ଓଡ଼ିଆ ମାଧ୍ୟମରେ ଶିକ୍ଷାର ସୁବିଧା କରିବା ଦ୍ଵାରା ସମସ୍ୟା କିଛି ପରିମାଣରେ ସମାଧାନ କରାଯାଇ ପାରିବ ଏଇ ଆଶା ରଖି ସାଲିମାର ଓ ସାନ୍ତରାଗାଛିଠାରେ ଓଡ଼ିଆ ବିଦ୍ୟାଳୟ ଖୋଲିବା ପାଇଁ ଚେଷ୍ଟା କଲି । ଓଡ଼ିଆ କର୍ମଚାରୀ ଓ ସେମାନଙ୍କ ନେତାମାନଙ୍କ ସହ ଆଲୋଚନା କରିବା ପରେ ସାଲିମାର ଓ ସାନ୍ତରାଗାଛିଠାରେ ଓଡ଼ିଆ ରେଳବାଇ କର୍ମଚାରୀମାନଙ୍କ ପୁଅଝିଅଙ୍କ ଶିକ୍ଷା ସକାଶେ ଦୁଇଟି ବିଦ୍ୟାଳୟ ଖୋଲିବା ପାଇଁ ରେଳବାଇ ପ୍ରଶାସନ ସମ୍ମତ ହେଲେ । ସାନ୍ତରାଗାଛିଠାରେ ଓ ସାଲିମାର ଅଂଚଳରେ ଚତୁର୍ଥ ଶ୍ରେଣୀର ରେଳବାଇ କର୍ମଚାରୀ ଓ ନିକଟବର୍ତ୍ତୀ କଳକାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ମଧ୍ୟରୁ ଅନେକ ଓଡ଼ିଶାର ଲୋକ । ଓଡ଼ିଆ ବିଦ୍ୟାଳୟ ଖୋଲିବାରୁ ସେମାନେ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବାପାଇଁ ରାଜି ହେଲେ । ସେତେବେଳେ କଲିକତା ବନ୍ଦରର ଏକ ଉଚ୍ଚ ପଦବୀରେ ସତ୍ୟଶେଖର ପଟ୍ଟନାୟକ କାର୍ଯ୍ୟ କରୁଥାନ୍ତି । ସେ ଓ ତାଙ୍କ ସ୍ତ୍ରୀ ଉଭୟ ଓଡ଼ିଆ ଶିକ୍ଷାର ପ୍ରସାର ପାଇଁ ଖିଦିରପୁର ଠାରେ ଓଡ଼ିଆ ବିଦ୍ୟାଳୟ ଖୋଲିଥିଲେ ଏବଂ ଇଣ୍ଡିଆନ ଅଏଲର ମ୍ୟାନେଜର ଶ୍ରୀ ଉଦୟ ନାରାୟଣ ରଥଙ୍କ ସ୍ତ୍ରୀ ଖିଦିରପୁରରେ ପ୍ରଧାନ ଶିକ୍ଷୟତ୍ରୀ ଥିଲେ । ସେମାନଙ୍କର ସହଯୋଗ ପାଇବା ଫଳରେ ମୋ କାମ ଆହୁରି ସହଜ ହେଲା ଏବଂ ଖିଦିରପୁର ଓଡ଼ିଆ ବିଦ୍ୟାଳୟ ହାଇସ୍କୁଲରେ ପରିଣତ କରାଗଲା ସେହି ବିଦ୍ୟାଳୟକୁ କେନ୍ଦ୍ରକରି କଲିକତାର ଓଡ଼ିଆମାନଙ୍କର ସାମାଜିକ ଓ ସାଂସ୍କୃତିକ ଦିଗ ସଂଗଠିତ କରିବା ପାଇଁ ଆମେ ସମବେତ ଉଦ୍ୟମ ଆରମ୍ଭ କଲୁ । ସାଳିମାର ରେଳବାଇ ଇନ୍‌ଷ୍ଟିଚ୍ୟୁଟ୍‌ରେ ପ୍ରତିବର୍ଷ ପୂଜାପରେ ବଙ୍ଗଳା ନାଟକ ଓ ନୃତ୍ୟଗୀତ ଆୟୋଜନ କରାଯାଏ । ଓଡ଼ିଆ ନୃତ୍ୟଗୀତ ସମ୍ବନ୍ଧରେ ବଙ୍ଗାଳୀମାନଙ୍କର ଯଥେଷ୍ଟ ଜ୍ଞାନ ନାହିଁ ବା ଓଡ଼ିଆ ନୃତ୍ୟଗୀତର ବୈଶିଷ୍ଟ ସମ୍ପର୍କରେ ସେମାନେ ଅବହିତ ନୁହଁନ୍ତି । ଫଳରେ ଓଡ଼ିଆମାନଙ୍କ ସହିତ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ସେମାନଙ୍କର ଭଲ ସଂପର୍କ ନଥିଲା । ମୋ ବଡ଼ଝିଅ ସୌମ୍ୟା ସେତେବେଳେ ଓଡ଼ିଶୀ ନୃତ୍ୟରେ ସୁନାମ ଅର୍ଜନ କରିଥାଏ । ରେଳବାଇ ଇନ୍‌ଷ୍ଟିଚ୍ୟୁଟ୍‌ରେ ଆମେ ଓଡ଼ିଶୀ ନୃତ୍ୟରେ ଓ ଗୀତର ଆୟୋଜନ କଲୁ ଏବଂ ସେଥିରେ ସୌମ୍ୟାର ଓଡ଼ିଶୀ ନୃତ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲା । ଓଡ଼ିଆ ନୃତ୍ୟ ଯେ ଏତେ ଚିତ୍ତାକର୍ଷକ ଓ ଶାସ୍ତ୍ରୀୟ ଏହା ପ୍ରଥମେ ଜାଣିଲେ ସେମାନେ । ଧୀରେ ଧୀରେ ଓଡ଼ିଆମାନଙ୍କ ସମ୍ବନ୍ଧରେ ବଙ୍ଗାଳୀ ଓ ପ୍ରତିବେଶୀମାନଙ୍କ ମନର ନ୍ୟୁନ ଧାରଣାର ମଧ୍ୟ ଅନ୍ତ ହେଲା ।

 

କଲିକତାରେ ଥିବାବେଳେ ଉଚ୍ଚପଦସ୍ଥ ବୁଦ୍ଧିଜୀବୀ ଓଡ଼ିଆମାନଙ୍କ ଦ୍ଵାରା ‘ଉତ୍କଳିକା’ ନାମରେ ଏକ ସାଂସ୍କୃତିକ ଅନୁଷ୍ଠାନର ୧୯୭୨ ମସିହାରେ ଗଠିତ ହୋଇଥିଲା । ସେହି ଅନୁଷ୍ଠାନର ପ୍ରଥମ ସଭାପତି ଥିଲେ ବିଶିଷ୍ଟ ସାହିତ୍ୟିକ ଶ୍ରୀ କିଶୋରୀ ଚରଣ ଦାସ । ଅନୁଷ୍ଠାନ ଆରମ୍ଭ ହେବାର ପ୍ରଥମ ବର୍ଷ ସ୍ଥିର ହେଲା କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ ଉତ୍ସବ ପାଳନ କରିବା ପାଇଁ । ଖିଦିରପୁର ଡକ୍‌ରେ ସେତେବେଳେ ସହକାରୀ ସୁପରିଣ୍ଟେଣ୍ଡେଣ୍ଟ ଥାଆନ୍ତି ସ୍ୱର୍ଗତ ସତ୍ୟ ଶେଖର ପଟ୍ଟନାୟକ । ତାଙ୍କ ସହୟତାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ ଉତ୍ସବ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିଲା । ଓଡ଼ିଆ ରୀତିରେ ସାଧବ ପୁଅମାନଙ୍କୁ ବିଦେଶକୁ ବୋଇତରେ ଯିବା ବେଳେ ବନ୍ଦାପନା କରି ବିଦାୟ ଦିଆଯାଇଥିଲା । ଏହାଛଡ଼ା ମାର୍ଗଶିର ମାସ ମାଣବସା ଗୁରୁବାର ଦିନ ଲକ୍ଷ୍ମୀପୂଜା ପାଳନ କରିବା ପାଇ ସମସ୍ତେ ଅକୁଣ୍ଠ ଚିତ୍ତରେ ଯୋଗ ଦେଇଥିଲେ । କ୍ରିୟାଶୀଳତା ହେଉଛି ବଙ୍ଗୀୟ ସଂସ୍କୃତିର ଆଧାର । ଓଡ଼ିଆ ସଂସ୍କୃତି ଘର ଭିତରେ ବିଷୟ ହୋଇଥିବା ବେଳେ ବଙ୍ଗୀୟ ସଂସ୍କୃତି ସାଧାରଣ ଜୀବନକୁ ପ୍ଲାବିତ କରି ରଖିଥାଏ । ଫଳରେ ଘରେ ଓ ବାହାରେ ବଙ୍ଗଳା ସଂସ୍କୃତିର ନିଦର୍ଶନ ଦେଖିବାକୁ ମିଳେ ! କଲିକତାର ଦୁର୍ଗାପୂଜା ବା ବିବାହ ଉତ୍ସବ ନଦେଖ୍‌ଲେ ବଙ୍ଗଳା ସଂସ୍କୃତିର ସ୍ପୂର୍ତ୍ତି ଓ ସର୍ଜନାତ୍ମକତା ଅନୁମାନ କରିହେବ ନାହିଁ । ଶାଢ଼ୀ ପିନ୍ଧିବାର ବୈଶିଷ୍ଟ୍ୟ ପରି ଘର ସଜାଇବାର ବୈଶିଷ୍ଟ୍ୟ, ପୂଜାମଣ୍ଡପର ରୂଚିପୂର୍ଣ୍ଣ । ସାଜସଜ୍ଜା ସହିତ ସେଥିରେ ପରିବେଷଣ କରାଯାଉଥିବା ନୃତ୍ୟ ଗୀତ ଓ ସାମୂହିକ ଜୀବନର ଉତ୍‌ଫୁଲ୍ଲତା ଏବଂ ଆଦାନ ପ୍ରଦାନ ମନେ ରଖିବା ଭଳି । ବଙ୍କିମଚନ୍ଦ୍ର ଓ ରବୀନ୍ଦ୍ର ନାଥ ବଙ୍ଗଳା ସଂସ୍କୃତିକୁ କେବଳ ଜୀବନ୍ୟାସ ଦେଇନଥିଲେ ଜୀବନକୁ ସରସ,ସୁନ୍ଦର ଓ ସର୍ଜନାତ୍ମକ କରିବା ପାଇଁ ସଂସ୍କୃତିର ଅବଦାନ ଯେ ଅଦ୍ୱତୀୟ ତାହା ପ୍ରମାଣ କରିଥିଲେ । ତେଣୁ ଗୃହାଙ୍ଗନରେ ଯେପରି ସର୍ବସାଧାରଣରେ ମଧ୍ୟ ସେହିପରି ସଂସ୍କୃତିକୁ ଆଧାର କରି ଜୀବନର ଆଡ଼ମ୍ବର । ଓଡ଼ିଆ ସଂସ୍କୃତି ବଙ୍ଗୀୟ ସଂସ୍କୃତି ଠାରୁ ଆହୁରି ପ୍ରାଚୀନ, କିନ୍ତୁ ଧୀରେ ଧୀରେ ତାହା ଜନ ଜୀବନଠାରୁ ବିଚ୍ଛିନ୍ନ ହେବାରେ ଲାଗିଛି । ଓଡିଆ ସଂସ୍କୃତିର ଅଭ୍ୟୁତ୍‌ଥାନ ସହିତ ଓଡ଼ିଆ ଜୀବନର ଜାଗରଣ ଜଡ଼ିତ । ଓଡ଼ିଆ ସଂସ୍କତି ଯେଉଁଦିନ ଆଚରଣରେ ପ୍ରତିଫଳିତ ହେବ ସେହିଦିନ ଓଡ଼ିଶାର ଅଗ୍ରଗତି ନିଶ୍ଚିତ ହୋଇଯିବ । ମଧୁବାବୁ ବା ଉତ୍କଳମଣିଙ୍କ ପରି ଯୁଗପୁରୁଷ ଥିବାରୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ସୃଷ୍ଟି ହେଲା । ସେମାନଙ୍କୁ ସମୟ ହୋଇନଥିଲା ଭାଷା ସାହିତ୍ୟ ସହିତ ସଂସ୍କୃତିକୁ ସାର୍ବଜନୀନ କରିବା ପାଇଁ । ମୋର ମନେହୁଏ ଓଡ଼ିଆ ସଂସ୍କୃତିକୁ ଓଡ଼ିଆ ଜ଼ୀବନର ଆଧାର କରିବା ପାଇଁ ସମୟ ଆସିଛି ଏବଂ ଓଡ଼ିଆ ସଂସ୍କୃତି ଆଚରଣରେ ଓ ସମସ୍ତଙ୍କ ଠାରେ ପ୍ରତିଫଳିତ ନହୋଇ ବୈଠକଖାନାରେ ବିଷୟ ହୋଇ ରହିଥିବା ଯାଏ ‘ଉତ୍କଳିକା’ର ପ୍ରଥମ ଉଦ୍ୟମ ପ୍ରସାରିତ ହେବାଲାଗି ସୁଯୋଗ ରହିଥିବ ।

 

‘ଉତ୍କଳିକା’ର ଆଉ ଗୋଟିଏ ଲକ୍ଷ୍ୟଥିଲା ଓଡ଼ିଆ ଶିକ୍ଷା ଓ ସାହିତ୍ୟର ପ୍ରସାର । ସେଥିପାଇଁ ଆଉ ତିନି ଚାରିବର୍ଷ ପରେ ଉତ୍କଳ ଶିକ୍ଷା ସଂସଦ ଗଠିତ ହେଲା ଏବଂ ଉତ୍କଳିକାର ସଭ୍ୟସଭ୍ୟା ମାନେ ଉତ୍କଳ ଶିକ୍ଷା ସଂସଦର ସଭ୍ୟସଂଖ୍ୟା ଓ କର୍ମକର୍ତ୍ତା ହୋଇଗଲେ । ଉତ୍କଳ ଶିକ୍ଷା ସଂସଦର ଅଭିବୁଦ୍ଧି ଓ ବିକାଶରେ ଧୀରେନ୍ଦ୍ର ନାଥ ରାୟ, ସାତକଡ଼ି ହୋତା, ଅକ୍ଷୟ ଦାସ, ଦୁର୍ଗାମାଧବ ମିଶ୍ର, ଦ୍ଵିଜବର ଦାସ ପ୍ରଭୁତିଙ୍କ ଅବଦାନ ଭୁଲିବାର ନୁହେଁ । ଉତ୍କଳ ଶିକ୍ଷା ସଂସଦ ପକ୍ଷରୁ ଥରେ ଗୋଟିଏ ପିକ୍‌ନିକ୍‌ର ଆୟୋଜନ କରାଗଲା । ଆମେ ସମସ୍ତେ ମୋଟରବୋଟରେ ବସି ବଟାନିକାଲ ଗାର୍ଡ଼େନ୍‌ ଯାଇଥିଲୁ । ବାଟରେ ଚା’ କଫି, ପକୋଡ଼ି, ସଂଦେଶର ବ୍ୟବସ୍ଥା କରାଯାଇଥିଲା । ଭାଗୀରଥ (ଗଙ୍ଗା) ନଦୀରେ ବୋଟ ଯାତ୍ରା ଅତି ରୋମାଞ୍ଚକର । ବଟାନିକାଲ ଗାର୍ଡ଼େନର ବଟବୃକ୍ଷ ପରି ଏତେ ବିରାଟ ବନସ୍ପତି ଓ ସେଠାରେ ଫୁଟୁଥିବା ପଦ୍ମପରି ଏତେ ବଡ଼ ଫୁଲ ମୁଁ ଆଉ କାହି ଦେଖି ନାହିଁ ।

 

କଲିକତାର ଆଉ ଏକ ସ୍ମରଣୀୟ ଘଟଣା ଏବେ ବି ମନେପଡୁଛି । କଂଗ୍ରେସ ଅଧିବେଶନରେ ଯୋଗଦେବା ପାଇଁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସହିତ ତାଙ୍କ କନ୍ୟା ଇନ୍ଦିରା ଗାନ୍ଧି ମଧ୍ୟ ଆସିଥିଲେ । ବାପ ଝିଅଙ୍କୁ ମଂଚ ଉପରେ ଓ ଅନ୍ୟତ୍ର ଦେଖିବା ପାଇଁ ପ୍ରବଳ ଭିଡ଼ ହେଉଥାଏ । ସେତେବେଳେ ନେତା ଓ ମନ୍ତ୍ରୀମାନଙ୍କ ନିରାପତ୍ତା ନିଶ୍ଟୟ କରିବା ପାଇଁ ଏତେ ସଂଖ୍ୟାରେ ବ୍ଲାକ୍‌ କ୍ୟାଟ୍‌ ବା କମାଣ୍ଡୋ ମୁତୟନ ହେଉ ନଥିଲେ । ଭିଡ଼ ଭିତରେ ଆଗକୁ ଯାଇ ମୁଁ ଇନ୍ଦିରା ଗାନ୍ଧିଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥିଲି । କିନ୍ତୁ ତାଙ୍କ ପ୍ରତ୍ୟେକ୍ଷ ସାନିଧ୍ୟ ପାଇଲି ଏହାର ପ୍ରାୟ ପନ୍ଦରବର୍ଷ ପରେ ଗୌହାଟୀ କଂଗ୍ରେସରେ । ସେତେବେଳେ ଅନୁଭବ କରିଥିଲେ ସାଧାରଣ କର୍ମୀଙ୍କ ପ୍ରତି ଇନ୍ଦିରାଙ୍କ ଆଗ୍ରହ ।

 

କଲିକତା ସହରର ଐତିହାସିକ ଗୁରୁତ୍ୱ ଅଛି । ଏହିଠାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବ୍ୟବସାୟ ଆରମ୍ଭ କରି କଳ ବଳ କୌଶଳ ପ୍ରୟୋଗ କରି ଭାରତର ଶାସନ ଗାଦି ଅଧିକାର କଲେ । ଜବ୍‌ ଚାରନକ଼୍‌ କଲିକତା ନଗରୀ ସ୍ଥାପନ କରିବାରେ ନେତୃତ୍ୱ ନେଇଥିଲେ । କିନ୍ତୁ କ୍ଳାଇବ୍‌ଙ୍କ ପାଇଁ ଭାରତର ରାଜଧାନୀ ହେଲା କଲିକତା । ଫୋର୍ଟ ଉଇଲିଅମରେ ସ୍ଵାଧୀନ ଭାରତର ପୂର୍ବାଞ୍ଚଳ ସେନାଧ୍ୟକ୍ଷଙ୍କ ମୁଖ୍ୟ ଦପ୍ତର ଅବସ୍ଥିତ । କିନ୍ତୁ ଦିନେ ବ୍ରିଟିଶ ସୈନ୍ୟମାନେ ଏହି ଦୁର୍ଗର ଅଧିକାରୀ ଥିଲେ ଏବଂ ଭାରତବର୍ଷକୁ ପରାଧୀନ କରି ରଖିବାରେ ଫୋର୍ଟ ଉଇଲିଅମ ଦୁର୍ଗର ବିଶେଷ ଭୂମିକା ଥିଲା । ଦୀର୍ଘକାଳ ବ୍ରିଟିଶ ଶାସନାଧୀନ ରହି ମଧ୍ୟ କଲିକତା ସହର ନିଜସ୍ୱ ହରାଇ ନଥିଲା । ପରାଧୀନ କରି ସମସ୍ତ ପ୍ରଲୋଭନ ପ୍ରତ୍ୟାଖ୍ୟାନ କରି ଏହିଠାରୁ ସ୍ଵାଧୀନତାର ବାର୍ତ୍ତା ପ୍ରସାରିତ ହୋଇଥିଲା ଚାରିଦିଗକୁ । ବଡ଼ଲାଟଙ୍କ ବାସଭବନ ଏବେ ଜାତୀୟ ପାଠାଗାର । ଏହି କଲିକତାକୁ କେନ୍ଦ୍ରସ୍ଥଳ କରି ପୂର୍ବଭାରତରେ ଖ୍ରୀଷ୍ଟଧର୍ମ ଓ ସାହିତ୍ୟ ପ୍ରସାର କରିଥିଲେ ମିସନାରୀମାନେ । କିନ୍ତୁ ତଥାପି ଭାରତୀୟ ସଂସ୍କୃତି ଓ ଧର୍ମଚେତନାର ଗଭୀରତା ଏତେ ବେଶୀ ଥିଲା ଯେ ଅଧିକାଂଶ ଲୋକ ହିନ୍ଦୁ ଓ ମୁସଲମାନ ହୋଇ ରହିବାକୁ ପସନ୍ଦ କରୁଥିଲେ, କିନ୍ତୁ ଏକଥା ନକହିଲେ ଭୁଲ ହେବ ଯେ ବ୍ରିଟିଶ ରାଜତ୍ଵର ସ୍ଵାଦ ଚାଖି ମଧ୍ୟ ପାଠପଢୁଆ ଲୋକ ସାହେବ ହୋଇନପାରି ବାବୁ ହୋଇ ରହିଗଲେ । ସେଇ ପାଠପଢ଼ୁଆ ସଂସ୍କୃତି ସଚେତନ ମଧ୍ୟବିତ୍ତଙ୍କ ସହର କଲିକତା । ଏହି ସହରରୁ ପ୍ରସାରିତ ହୋଇଥିଲା ଶ୍ରୀ ରାମକୃଷ୍ଣ ପରମହଂସଙ୍କ ବାଣୀ, ସ୍ଵାମୀ ବିବେକାନନ୍ଦଙ୍କ ଉଦ୍‌ବୋଧନ, ଦ୍ୱାରକାନାଥ ଠାକୁର ଓ କେଶବ ସେନଙ୍କ ବ୍ରାହ୍ମଧର୍ମ, ରାମମୋହନ ରାୟ ଓ ଇଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ସମାଜ ସଂସ୍କାରର ଆହ୍ଵାନ ଏବଂ ବଙ୍କିମଚନ୍ଦ୍ର, ରବୀନ୍ଦ୍ରନାଥ, ନଜରୁଲ୍‌ ଇସଲାମ ପ୍ରଭୃତିଙ୍କ ଚେତନାଦୀପ୍ତ ସର୍ଜନାତ୍ମକ ଓ ବୈପ୍ଳବିକ ସାହିତ୍ୟ । କଲିକତାର ଜୀବନ ଯାତ୍ରାର ବୈଶିଷ୍ଟ୍ୟ ବାରିହୁଏ ଏହାର ରାସ୍ତାଘାଟରେ, ଦୁର୍ଗାପୂଜାର ଉଲ୍ଲାସରେ, ସାହିତ୍ୟ ଓ ସଂସ୍କୃତି ପ୍ରୀତିରେ, ଥିଏଟର ଓ ଯାତ୍ରାରେ, ରାସ୍ତାକଡ଼ର, କବିତା ପାଠରେ ଏବଂ ସମସ୍ତ ଭାରତ ଆସନ୍ତାକାଲି ଯାହା କହିବ ଆଜି ତାହା କହିବାରେ । ସବୁ ଅସୁବିଧା ସତ୍ତ୍ୱେ ମଧବିତ୍ତ ଶ୍ରେଣୀର ସଂସ୍କୃତି ସଚେତନତା ଭରି ରହିଛି କଲିକତାର ପ୍ରାଣ ସ୍ପନ୍ଦନରେ।

 

ବଡ଼ ବଡ଼ ଅଟ୍ଟାଳିକା ଓ ବ୍ୟବସାୟ ପ୍ରତିଷ୍ଠାନ ଥିବା ସତ୍ତ୍ଵେ କଲିକତା ମଧ୍ୟବିତ୍ତ ବାବୁମାନଙ୍କ ସହର ଏବଂ ଏହାର ତିନିଶହ ବର୍ଷର ଇତିହାସ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଶିକ୍ଷିତ ଓ ନିରକ୍ଷର ଓଡ଼ିଆମାନଙ୍କର ସଂଗ୍ରାମ, ସାଧନା, ସିଦ୍ଧି ଓ ଦୁଃଖସୁଖ ।

Image

 

ସତ ଓ ମିଛର ଜଗତ (୧)

 

ମୁଁ ବାରିପଦାରେ ପଢୁଥିବା ବେଳେ ମୋ ଅଜା ସ୍ଵାଧୀନତା ସଂଗ୍ରାମୀ ଈଶ୍ୱର ଚନ୍ଦ୍ର ହୋତା ଦିନେ ହଠାତ୍ ସ୍ଥିରକଲେ ସନ୍ନ୍ୟାସ ନେଇ ଘରୁ ବାହାରିଯିବା ପାଇଁ । ଏଯାଏ ଦେଶକାମ କରୁଥିବା ଅଜାଙ୍କ ମନରେ କାହିଁକି ସଂସାର ପ୍ରତି ବୈରାଗ୍ୟ ଜାତହେଲା ତାହା ମୁ ବୁଝି ପାରୁନଥାଏ-। ସେ ଗୋପବନ୍ଧୁଙ୍କ ଶିଷ୍ୟ, ତାଙ୍କରି ଆଦେଶରେ ସିଂହଭୂମି ଜିଲ୍ଲାରେ ଓଡ଼ିଆଭାଷା ବଂଚାଇ ରଖିବା ପାଇଁ ଏବଂ ତା’ ସହିତ ଭାରତକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ କେତେ ତ୍ୟାଗ ଓ ସାଧନା କରିଥିଲେ, କଷ୍ଟ ସହିଥିଲେ, ଲାଠି ମାଡ଼ ଖାଇଥିଲେ । ଜମିବାଡ଼ି ଓ ପରିବାରର ଦେଖାଶୁଣା ଦାୟିତ୍ୱ ସାନଭାଇ ହାତରେ ନ୍ୟସ୍ତ କରି ସେ ସିଂହଭୂମି ଓ ମୟୂରଭଞ୍ଜ ଅଞ୍ଚଳକୁ କରିଥିଲେ ତାଙ୍କ କର୍ମକ୍ଷେତ୍ର । ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶକାମ କରି ଥକି ପଡ଼ି ନଥିବା ବା ସଂସାର ପ୍ରତି ବିମୁଖ ହୋଇ ନଥିବା ଲୋକ ସ୍ଵାଧୀନତା ପରେ ଯେ ଘରସଂସାର ଛାଡ଼ି ସନ୍ନ୍ୟାସୀ ହେବେ ତାହା ବୁଝି ନପାରି ଦୁଃଖ ହେଲା ମନରେ । ସନ୍ୟାସୀ ନେବା ପରେ କେହି ଆଉ ଘରେ ରହେ ନାହିଁ, ନିଜର ସଂସାର ଓ ସଂପର୍କ ସବୁକୁ ପେଡ଼ିଭିତରେ ବନ୍ଦକରି ଜଉମୁଦ ଦେଇ ଭସାଇଦିଏ ନଦୀରେ । ସେଇ ପେଡ଼ିର କାହାଣୀ ହୋଇଯାଏ ପୂର୍ବାଶ୍ରମର କଥା । ତାହା କହିବା ମନା, ଭାବିବା ମନା । ସମସ୍ତ ଆତ୍ମୀୟ ସ୍ଵଜନ ଠୁଳ ହେଲେ । ଯଜ୍ଞ ହେଲା । ବେଦମନ୍ତ୍ର ପାଠ କରାଗଲା । ସତକୁ ସତ ସମସ୍ତଙ୍କ ମାୟା ମମତା ଛାଡ଼ି କେବଳ ସାମାନ୍ୟ ଲୁଗାପଟା ସାଙ୍ଗରେ ଧରି ଗେରୁଆ ଳୁଗାପିନ୍ଧି ଘରୁ ବାହାରିଗଲେ ଅଜା । ପଛରେ ପଡ଼ି ରହିଲା କ୍ଷୁଦ୍ର ସଂସାର-। ସମଗ୍ର ଜଗତକୁ ବାଛିନେଲେ ସେ । ନିଜଲୋକଙ୍କୁ ଛାଡ଼ି ପରମାତ୍ମାଙ୍କ ପାଦତଳେ ସମର୍ପଣ କଲେ ନିଜକୁ । ‘ବସୁଧୈବ କୁଟୁମ୍ୱକମ୍‌’ । ସମଗ୍ର ବସୁଧା ହେଲା ତାଙ୍କର କୁଟୁମ୍ବ । ସେ ପୁରୀ ଯାଇ ସେଠାରେ ଗୋବର୍ଦ୍ଧନ ମଠରେ କିଛିଦିନ ରହିଲେ ଏବଂ ତା’ପରେ ସନ୍ୟାସୀ ଜୀବନର ନୂଆ ଚିନ୍ତା, ନୂଆ ଚେତନା । ଈଶ୍ଵରଚନ୍ଦ୍ର ନାମ ପଡ଼ି ରହିଲା ପୂର୍ବାଶ୍ରମରେ । ସେ ହୋଇଗଲେ ଶଙ୍କର ମାଧବ ତୀର୍ଥସ୍ୱାମୀ ।

 

ସେଇ ଅଜାଙ୍କ ଘରେ ଥିବାବେଳେ କେତେ ଅଜବ କଥା ଶୁଣିଥିଲି । ତନ୍ତ୍ରମନ୍ତ୍ର, ଡ଼ାଆଣୀ ଚିରୁଗୁଣୀମାନଙ୍କ କାହାଣୀ । ଏସବୁ ଅଲୌକିକ ଜଗତର କଥା ଶୁଣି ମୁଁ ଭୟରେ ଥରି ଉଠୁଥାଏ । ଅଜାଙ୍କର ଇଷ୍ଟଦେବୀ ପତରଶୁଣି ଠାକୁରାଣୀ । କେଉଁ ଅମଳରୁ ସ୍ଥାପନା ହୋଇଥିଲା ତାଙ୍କର । ଅଜାଙ୍କ ମୁହଁରୁ ଶୁଣିବା କଥା । ସେତେବେଳେ ମୁଁ ଜନ୍ମ ହୋଇ ନଥାଏ । ମୋ ମା’ ଯାଇଥାଏ ବାପ ଘରକୁ । ଖମାର ଗାଁରେ ସେତେବେଳେ ତନ୍ତ୍ରମନ୍ତ୍ର ହେଉଥିଲା । ଅଜା ପତରଶୁଣି ଠାକୁରାଣୀଙ୍କ ତନ୍ତ୍ର ଅନୁସାରେ ପୂଜା ଆରମ୍ଭ କରିବା ସ୍ଥିର କଲେ । ସାତଦିନ ଚାଲିବ ପୂଜା । ପୂଜା ଆରମ୍ଭ କରିବା ପରେ ଘରୁ ଆଉ କେହି ବାହାରକୁ କୁଣିଆ ମୈତ୍ର ଚର୍ଚ୍ଚା କରି ଯାଇପାରିବେ ନାହିଁ । ତେଣୁ ମା’କୁ ସେ ଶାଶୁ ଘରକୁ ପଠାଇ ଦେଲେ । ତାଙ୍କ ଗାଁରେ ସେତେବେଳେ ବସନ୍ତ ଲାଗିଥାଏ । ତେଣୁ ଘରୁ ନୁଆ ଲୁଗା ଓ ନୂଆ ଅଳଙ୍କାର ପିନ୍ଧି ନ ଯିବା ପାଇଁ ପରାମର୍ଶ ଦେଇ, ମା’ କୁ ଦେଇଥିବା ସୁନା ଅଳଙ୍କାର ଓ ହଳଦି ରଙ୍ଗ ଲୁଗା ଥାଳିରେ ଭର୍ତ୍ତି କରି ଗୋରୁଗାଡ଼ିରେ ବିଦାୟ କରିଦେଲେ ଅଜାଆଈ-। ଶାଶୁ ଘରକୁ ଫେରି ମା ଜ୍ଵରରେ ପଡ଼ିଲା । ତା’ ପରେ ହେଲା ବସନ୍ତ । ମରିବା ମରିବା ଅବସ୍ଥା-। ବାପାଙ୍କ ସେବାଯତ୍ନ ଓ ତନ୍ତ୍ରମନ୍ତ୍ର ବଳରେ ସେ ବଂଚିଗଲା । ତେଣେ ସାତଦିନ ପୂଜା ସରିବା ପୂର୍ବରୁ ଅଜା ସ୍ଵପ୍ନ ଦେଖ୍‌ଲେ । ପତରଶୁଣି ଠାକୁରାଣୀ ତାଙ୍କୁ କହିଲା - ତୋ’ ଝିଅକୁ ନୂଆଲୁଗା, ନୂଆ ଗହଣା ଦେଲୁ, ମୋତେ କିଛି ଦେଲୁ ନାହିଁ । ଏହାର ଫଳ ପାଇବୁ ।’ ଏହାପରେ ଅଜାଙ୍କ ଦେହ ଅସୁସ୍ଥ ହେଲା । ସେ ପୂଜା ଶେଷ କରି ଘଟ ପୋତି ଦେଲେ ଅଗଣାରେ । ତା ପରେ ଆରମ୍ଭ ହେଲା ଅଲୌକିକ କାଣ୍ଡ । ଅଜାଙ୍କୁ ହେଲା ବସନ୍ତ । ଠାକୁରାଣୀ ମନ୍ଦିର ଆଗରେ ରକ୍ତ ପଡ଼ିଥିବାର ଦେଖାଗଲା । ଦିନେ ଗୋଟିଏ ବୋଦାର କଟାମୁଣ୍ତ ଅଜାଙ୍କ ଘର ଚାଳରୁ ଝୁଲୁଥିବାର ଦେଖାଗଲା । ଅଜା ରୋଗ ଶଯ୍ୟାରେ ମଧ୍ୟ ମନ୍ତ୍ର ଛାଡ଼ି ନଥିଲେ । ପତରଶୁଣି ଠାକୁରାଣୀ ତାକୁ ପୁଣି ସପନେଇଲେ । ‘ତୁ ଘଟ ବିସର୍ଜନ ନ କରି ଭୂଇଁ ତଳେ ପୋତିଛୁ । ଶୀଘ୍ର ବାହାର କରି ବିସର୍ଜନ ନ କଲେ ବଂଶ ନିପାତ ହେବ । ତା’ପରେ ଅଜାଙ୍କ ଆଦେଶରେ ଘଟ ବିସର୍ଜନ କରାଗଲା-। ପୁଣି ବିଧି ଅନୁସାରେ ଠାକୁରାଣୀଙ୍କ ପୂଜାର୍ଚ୍ଚନା ହେଲା । ନୂଆ ଲୁଗା, ଗହଣା ପିନ୍ଧି ଠାକୁରାଣୀ କ୍ଷମା କରିଦେଲେ ଅଜାଙ୍କୁ । ଅଜା ବଂଚିଗଲେ । ମାଆ ବଂଚିଗଲା । ଅଜା ସନ୍ୟାସୀ ହେବା ପରେ ମଧ୍ୟ ସାଧନା ଛାଡ଼ି ନଥିଲେ । କେତେଥର ତନ୍ତ୍ର ପ୍ରୟୋଗ ଫଳରେ ଘଟୁନଥିବା କଥା ଘଟିଥିବାର ଦେଖିଛି । ଜଣେ ଅଫିସର ବିଭାଗୀୟ ପରୀକ୍ଷାରେ ତିନିଥର ଫେଲ ହେଲେ । ପାସ୍‌ ନକେଲେ ଦରମା ବଢ଼ିବ ନାହିଁ । କି ପ୍ରମୋସନ ମିଳିବ ନାହିଁ । ଆମେ ସେତେବେଳେ ଖଡ଼ଗପୁରରେ ଥାଉ-। ଅଜାଙ୍କୁ ଧରିଲେ ସେ । ନୀଳ ସରସ୍ୱତୀଙ୍କୁ ପୁଜାର୍ଚ୍ଚନା କରି ଗୋଟିଏ କବଚ ଅଜା ତାଙ୍କର ହାତରେ ବାନ୍ଧି ଦେଲେ । ଏହାପରେ ସେ ପରୀକ୍ଷାକୁ ଗଲେ ଏବଂ ସହଜରେ କାର୍ଯ୍ୟସିଦ୍ଧି ହେଲା ।

 

ଆମ ଗାଁରେ ତନ୍ତ୍ରମନ୍ତ୍ର ଗୁଣି ଗାରେଡ଼ି ହେବାର ମୁଁ ଦେଖିଛି । ସେତେବେଳେ ଚାରିପାଖରେ ବହୁତ ଗଛ । ପାଖରେ ଜଙ୍ଗଲ । ଜେଠେଇ ଓ ଖୁଡ଼ିଙ୍କ ଠାରୁ ଡ଼ାଆଣୀ- ଚିରୁଗୁଣୀ ବ୍ରହ୍ମରାକ୍ଷସର ବହୁତ କାହାଣୀ ଶୁଣିଥାଏ । ଅନ୍ଧାର ହେବାକ୍ଷଣି ମୋ ଛାତି ଦୁଳୁକି ଉଠେ । ଆମ ଗାଁର ଦୁଇ ତିନି ଜଣ ଝିଅଙ୍କୁ ବରାବର ଡ଼ାଆଣୀ ଲାଗୁଥାଏ । ଡ଼ାଆଣୀ ଲାଗିଥିବା ଖବର ପାଇ ଆମେ ଗଲୁ ଆଶା ମାଉସୀ ଘରକୁ । ତାଙ୍କୁ ସେତେବେଳେ ଉଣିଶି କି କୋଡ଼ିଏ ବର୍ଷ । ବେଶ୍‌ ସୁନ୍ଦର ଚେହେରା । ତାକୁ ଜାକି ଧରିଥାନ୍ତି ତିନିଜଣ । ଦେହରେ ହାତୀର ବଳ । ସେ ପ୍ରଗଲ୍‌ଭ ଭାବେ କେତେ କଥା କହୁଥାନ୍ତି। ବେଳେ ବେଳେ ହୋ ହୋ ହସ ଉଠୁଥାଆନ୍ତି । ଗୁଣିଆକୁ ଡ଼ାକିବା ପାଇଁ ଲୋକ ଗଲେ । ଆମ ଗାଁର ରଘୁ ପାଣି ଗୁଣିଗାରେଡ଼ି ଜାଣନ୍ତି । ସେ ଆସିଲେ। ଦ୍ଵାର ମୁହଁରେ ପହଞ୍ଚିବା ବେଳକୁ ତାକୁ ନ ଦେଖି ମଧ୍ୟ ଆଶା ମାଉସୀ କହୁଥାଆନ୍ତି- ଏଇ ଥାସିଲା, ଏଇ ଆସିଲା ଏଥର ମୁଁ ଯିବି, ଛାଡ଼୍‌ ଛାଡ଼୍‌.... ।’ ରଘୁପାଣି ପହଂଚିଯାଇ କହିଲେ- ‘ତୁ ପୁଣି ଏଠାକୁ ଆସିଛୁ ? ଲୋକ ପାଇଲୁ ନାହିଁ । ରକତ ଶୋଷିବା ପାଇଁ ଏତେ ମନ ।’ ତା’ପରେ ଶୋରିଷ ମୁଠାଏ ମନ୍ତୁରିବାକୁ ଲାଗିଲେ ଏବଂ ସେଥିରୁ ଯେମିତି କିଛି ମୁହଁ ଉପରକୁ ଛାଟିଦେଲେ ଧଡ଼୍‌କିନା ଆଶା ମାଉସୀ ଉଠିବସିଲେ । ତାଙ୍କୁ ମାଡ଼ି ବସିଥିବା ତିନିଜଣ ଲୋକଙ୍କୁ ଠେଲିଦେଇ ସେ ଖଟ ଉପରୁ ଡ଼ିଆଁମାରି ଦ୍ୱାର ଆଡ଼କୁ ଝପଟିଲେ । ରଘୁ ପାଣି ତାଙ୍କର ପିଛା ଦୌଡ଼ିଲେ । ଆଶା ମାଉସୀ ଶୂନ୍ୟେ ଶୂନ୍ୟେ ଦୁଇଟା ବାଡ଼ ଡ଼େଇଁ ବିଲ ଭିତର ଯାଇ ପଡ଼ିଲେ । ତାଙ୍କ ପାଖକୁ ରଘୁ ପାଣି ପହଂଚିବା ବେଳେକୁ ଡ଼ାଆଣୀ ଛାଢ଼ି ଯାଇଥାଏ । ଏମିତି ଥରେ ନୁହେଁ କେତେଥର ଦେଖିଛି । ମୋତେ ବି ଥରେ ଏମିତି ହୋଇଥିଲା । ଖଡ଼ିଆଶୋଳର ନେତି ଡ଼ାଆଣୀ ମୋତେ ଯେଉଦିନ ଦେଖିଲା ତା ପରଦିନ ମୋତେ କେମିତି କେମିତି ଲାଗିଲା ଏବଂ ତାପରେ ଆଶା ମାଉସୀଙ୍କୁ ଯେପରି ହୋଇଥିଲା ସେହିପରି ହେଲା । ଏସବୁ ଶୁଣାଥିଲା ବୋଲି ମୁଁ ବିଶ୍ଵାସ କରୁନଥିଲି କିଛି ବାରମ୍ୱାର ଏପରି ଦେଖି ବିଶ୍ୱାସ ବଦ୍ଧମୂଳ ହେଲା । ଜଣେ ଝିଅକୁ ତିନିଜଣ ସମର୍ଥ ଲୋକ ଅଟକାଇ ନ ପାରିବା ଦୃଶ୍ୟ ଦେଖି ମୁଁ ଭାବେ ଏତେବଳ କେଉଁଠୁ ଆସେ । ରଘୁ ପାଣି କହନ୍ତି ଏଇଟା ଡାଆଣୀର ବଳ । ଏବେ ଗଣେଶ ପରିଜା ମଧ୍ୟ ସେଇ କଥା କହନ୍ତି । ଡ଼ାଆଣୀ ମିଛ ନୁହେଁ ସତରେ ଅଛି ବୋଲି ଏ କହନ୍ତି । ଇଏ ତନ୍ତ୍ର ମନ୍ତ୍ରର ଗୋଟିଏ ନିକୃଷ୍ଟ ସାଧନା । ସାତକଡ଼ି ବାବୁଙ୍କ ଜଣେ ସାଙ୍ଗ ଏବେବି ରେଳବାଇରେ ଅଛନ୍ତି । ହାଉଡ଼ାର ଡ଼ିଭିଜିନାଲ୍‌ ମ୍ୟାନେଜର । ନାମ ଶ୍ରୀ ଜୟନ୍ତ ରାୟ । ତାଙ୍କ ସ୍ତ୍ରୀ ଡ଼ାଆଣୀ ବିଦ୍ୟା ଜାଣନ୍ତି । ତାଙ୍କ ବାପା ଅଷ୍ଟ୍ରେଲିଆର କ୍ୟାନ୍‌ବାର ସହରର ଥିବାବେଳେ ସେ ଡ଼ାଆଣୀ ବିଦ୍ୟା ଶିକ୍ଷା କରିଥିଲେ । ଏବେ ସେ ଇଉରୋପ ଓ ଏସିଆ ଡ଼ାଆଣୀ ସୋସାଇଟିର ଉପସତ୍ତାପତି । ଜର୍ମାନୀରେ ଡ଼ାଆଣୀ ବିଦ୍ୟାର ପ୍ରଚଳନ ବେଶୀ । ଏ ବିଷୟରେ ବହୁତଥ୍ୟ କେତେବର୍ଷ ପୂର୍ବେ ଇଲେଷ୍ଟ୍ରେଟେଡ଼୍‌ ଉଇକ୍ଳିରେ ବାହାରିଥିଲା । ମିସେସ୍‌ ରାୟ କିନ୍ତୁ କହନ୍ତି ଯେ, ଆମ ଅଞ୍ଚଳରେ ଡ଼ାଆଣୀ ବିଦ୍ୟା ସମ୍ବନ୍ଧରେ ଯେପରି ଧାରଣା ପଶ୍ଚିମରେ ସେପରି ଧାରଣା ନାହିଁ । ଏହା ସମ୍ନୋହନ ବିଦ୍ୟାପରି । ଦୂରରେ ଥାଇ ମଧ୍ୟ ଏକାଗ୍ରତା ଓ ସାଧନା ବଳରେ ଆଉ କାହାକୁ ନିମନ୍ତ୍ରଣ କରଯାଇପାରେ । ଶ୍ରୀମତୀ ରାୟ ଏଇ ଵିଦ୍ୟା ପ୍ରୟୋଗ କରି ସୁନାମ ଅର୍ଜନ କରିଛନ୍ତି କଲିକତାରେ । ଏଇ ଡ଼ାଆଣୀ ବିଦ୍ୟା ବା ଉଇଚକ୍ରଫ୍ଟ ଵଳରେ ରୋଗର ଉପଶମ ଓ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନାନ୍ତର ଦୂର ଇତ୍ୟାଦି କାର୍ଯ୍ୟ କରାଯାଇ ପାରେ । ଗଞ୍ଜାମ, କେନ୍ଦୁଝର ଓ ମୟୂରଭଞ୍ଜ ଅଞ୍ଚଳରେ ଲୋକଙ୍କର ଧାରଣା ଯେ, ଡ଼ାଆଣୀମାନେ ମଧ୍ୟରାତିରେ ମୁଣ୍ଡ ତଳକୁ କରି ଗୋଡ଼ ଉପରକୁ କରି ବୁଲନ୍ତି ପଦାରେ । ପାଶ୍ଚାତ୍ୟ ବିଦ୍ୟା ଏହାକୁ ଅସ୍ୱୀକାର କରେ ।

 

ପୁରୀ ସଂସ୍କୃତ ମହାବିଦ୍ୟାଳୟରେ ପଢ଼ିବାଦିନୁ ବାପା ତନ୍ତ୍ରମନ୍ତ୍ର ପ୍ରତି ଆକୃଷ୍ଟ ହୋଇଥିଲେ । ସେତିକିବେଳୁ ସେ ତନ୍ତ୍ର ସାଧନା ଆରମ୍ଭ କରିଥିଲେ । କିନ୍ତୁ ତାଙ୍କ ମତରେ ଭକ୍ତି ହିଁ ତନ୍ତ୍ରର ମୂଳ । ଭକ୍ତି ଓ ସମର୍ପଣ ଏକ ମୁଦ୍ରାର ଦୁଇ ପାଖ । ଶ୍ରୀ ଶ୍ରୀ ଚଣ୍ଡୀ କେବଳ ସ୍ତବ ସ୍ତୁତିରେ ତ ପୂର୍ଣ୍ଣ । ଜଗତଜନନୀର ବିଶ୍ଵରୂପ ବିଶ୍ଵାସ ଉଦ୍ରେକ କରିବା ପାଇଁ ଯଥେଷ୍ଟ । ବାପା ବାରିପଦାରେ ଅବସ୍ଥାପିତ ହେବା ପରେ ତନ୍ତ୍ରସାଧନା ବଢ଼ିଗଲା । ୧୯୪୮/୪୯ ମସିହା । ସେତେବେଳେ ଜଣେ ବିଖ୍ୟାତ ତନ୍ତ୍ର ସାଧକ ଆସିଥାଆନ୍ତି ବାରିପଦା । ସେ କାଳୀମନ୍ଦିରରେ ପୂଜାର୍ଚ୍ଚନା କରନ୍ତି, ପ୍ରତିଦିନ ହୋମ କରନ୍ତି । ତାଙ୍କ ନାମ ପଣ୍ଡିତ ଜଗନ୍ନାଥ ମିଶ୍ର । ଘର ବିହାରର ଲହରିଆ ସରାଇ ସନ୍ନିକଟ ଖଗରିଆ ଗ୍ରାମରେ । ସେ ଶ୍ମଶାନକୁ ନିୟମିତ ଯାଆନ୍ତି । ବାପାଙ୍କ ସହିତ ତାଙ୍କର ପରିଚୟ ହେଲା ଏବଂ ପରେ ତାହା । ଘନିଷ୍ଠ ବନ୍ଧୁତାରେ ପରିଣତ ହେଲା ଏବଂ ସେ ବାରିପଦା ଆସିଲେ ଆମ ଘରେ ରହିଲେ । ତାଙ୍କ ସହିତ ରାତି ଏଗାର ପରେ ବାପା ଶ୍ମଶାନକୁ ଯାଉଥିଲେ ଗୁରୁଜୀ ଶବସାଧନା କରୁଥିଲେ ଏବଂ ବେଳେବେଳେ ଅଦ୍ଭୁତ କାର୍ଯ୍ୟ କରୁଥିଲେ । ମୋ ବାପା ମଧ୍ୟ ଶ୍ମଶାନକୁ ଯାଇ ଶବସାଧନା କରୁଥିଲେ । ତା ପୂର୍ବରୁ ମୟୂରଭଞ୍ଜ ରାଜବଂଶର ପ୍ରଫୁଲ ଭଞ୍ଜ ତନ୍ତ୍ରସାଧନା କରି ସେଥିରେ ବିଚ୍ୟୁତି ଘଟାଇ ପ୍ରାଣ ହାରାଇଥାନ୍ତି । ତେଣୁ ଆମକୁ ଭୟ ଲାଗୁଥାଏ । କିନ୍ତୁ ବାପା କହନ୍ତି ସାଧାରଣ ମଣିଷ ପକ୍ଷରେ ଯେତିକି କରଣୀୟ ସେତିକି କରିବା ଉଚିତ୍‌ । ଯେଉଁମାନେ ପଞ୍ଚମକାର ସାଧନା କରନ୍ତି ସେମାନେ ପଥଚ୍ୟୁତ ହେବାର ଆଶଙ୍କା ବେଶି । ସେତେବେଳେ ବିଜୟ କୁମାର ଆଇଚ ନାମରେ ଜଣେ ଵଂଗାଳୀ ଭଦ୍ରଲୋକ ସପରିବାର ବାରିପଦାରେ ବାସ କରୁଥିଲେ । ଏବେ ତାଙ୍କ ପିଲାମାନେ ଅଛନ୍ତି । ଆଇଚ ବାବୁଙ୍କ ସ୍ତ୍ରୀଙ୍କର ଦେହରେ ଅପଶକ୍ତି ପ୍ରବେଶ କରି ନାନାଦି ଉତ୍ପାତ କରୁଥାଏ । ସେ ଶାନ୍ତିରେ ଶୋଇ ବସି ପାରୁ ନ ଥାନ୍ତି । ସେ ଗର୍ଭବତୀ ହେବା ପରେ ସେଇ ଅପଶକ୍ତି ଦ୍ଵାରା ଥରେ ନୁହେଁ ତିନିଥର ଗର୍ଭନଷ୍ଟ ହେଲା-। ରାତିରେ ଶୋଇଥିବା ବେଳ ଜଣେ କେହି ତାଙ୍କ ଦେହ ଭିତରେ ପ୍ରବେଶ କରି ବିଦାରି ପକାଇବା ପରି ସେ ଅନୁଭବ କରନ୍ତି । ସେଇ ଅପଶକ୍ତି ଭୟଙ୍କର । ଖଟ ପାଖକୁ ଆସିବା କ୍ଷଣି ଭୟରେ ଜଡ଼ସଡ଼ ହୋଇ ଯାଆନ୍ତି ଆଇଚ ବାବୁଙ୍କ ସ୍ତ୍ରୀ । ଏପରି ବିପଦରୁ ଉଦ୍ଧାର ପାଇବା ଆଶାକରି ଦିନେ ସେ ସସ୍ତ୍ରୀକ ଆସିଲେ ବାପାଙ୍କ ପାଖକୁ । ବାପା ସବୁ ଶୁଣି ଠିକ୍‌ କଲେ ଏହାର ପ୍ରତିକାର କରିବା ପାଇଁ । ଦିନେ ରାତିରେ ଶ୍ମଶାନକୁ ଯାଇ ଯନ୍ତ୍ରମନ୍ତ୍ର କଲେ । ତା’ପରେ ଗୋଟେ ଯନ୍ତ୍ର ତିଆରି କରି ଆଇଚଙ୍କ ପତ୍ନୀଙ୍କ ହାତରେ ବାନ୍ଧିଦେଲେ । କେତେମାସ ପରେ ସେ ପୁଣି ଗର୍ଭବତୀ ହେଲେ ଏବଂ ପୁଅଟିଏ ଜନ୍ମ କଲେ । ଯନ୍ତ୍ରପିନ୍ଧିବା ଦିନଠାରୁ ଆଉ ସ୍ଵପ୍ନ ବା ଜାଗରଣରେ କୌଣସ ଶକ୍ତି ତାଙ୍କୁ ଭୟଭୀତ କରିନାହିଁ କି ତାଙ୍କର କିଛି ଅନିଷ୍ଟ କରିନାହିଁ । ଆମେ ବାରିପଦାରେ ଥିବାବେଳେ ସେଠାରେ ବ୍ୟାଙ୍କ ମ୍ୟାନେଜର ଥାଆନ୍ତି ସୁରେଶ ମିଶ୍ର । ତାଙ୍କର ଜଣେ ଆତ୍ମୀୟ ଥିଲେ । ସେ ଦିଲ୍ଲୀରେ ପଢ଼ିବା ବେଳେ ଜଣେ ମୁସଲମାନ ଝିଅ ସହିତ ପ୍ରେମ ହେଲା । କିନ୍ତୁ ତାଙ୍କ ପରିବାରର ଆପତ୍ତି ଯୋଗୁଁ ସେ ଯୁବକଙ୍କର ଝିଅ ସହିତ ବିବାହ ହୋଇ ପାରିଲା ନାହି । ସେ ପଢ଼ାସାରି ଫେରିବା ପରେ ଆଉ ବାହା ହେବାର ସମ୍ଭାବନା ନଦେଖି ଝିଅଟି ଆତ୍ମହତ୍ୟା କରିଦେଲା । ରାତିରେ ପୁଅ ସହିତ ସେ କଥା କହେ । ଘରଲୋକ ଜଣେ ଝିଅର ସ୍ଵର ଶୁଣନ୍ତି । ଏହାଦେଖି ସେମାନେ ପୁଅର ବିବାହ କରିଦେଲେ । ପୁଅ ବୋହୂ ବିଦାୟ ନେଇ ଘରୁ ବାହାରିବା ବେଳେ ଦ୍ଵାରବନ୍ଧ ପାଖ କାନ୍ଥରୁ କିଛି ଅଂଶ ଭୁଶୁଡ଼ି ପଡ଼ିଲା । ଏଇ ଅଶୁଭ ଲକ୍ଷଣ ଦେଖି କାଳେ ଆଉକିଛି ବିପଦ ଘଟିପାରେ ଏହା ଆଶଙ୍କା କରି ତା ମା’ ଆମ ଘରକୁ ଆସି ବାପାଙ୍କୁ ସବୁ କହିଲେ ଶ୍ମଶାନକୁ ଯାଇ ପୁଣି ବାପା ଯନ୍ତ୍ରମନ୍ତ୍ର କଲେ ଏବଂ ସେଇ କ୍ରିୟା ଫଳରେ ତା’ପରେ ଆଉ କିଛି ବିଘ୍ନ ହେଲା ନାହିଁ କି ରାତିରେ ଆସି ପୁଅ ସହିତ କଥା ହେବାର ଶୁଣାଗଲା ନାହିଁ । ଏସବୁ ଆମ ଉପସ୍ଥିତିରେ ଘଟୁଥାଏ । ଅବାକ୍‌ ଲାଗୁଥାଏ । ସ୍ଵପ୍ନ ଓ ସତ୍ୟ ମଧ୍ୟରେ ଫରକ ଜଣାପଡୁ ନଥାଏ । ଏବେବି ଭୌତିକ କ୍ରିୟା ସମ୍ବନ୍ଧରେ ନାନାଦି କଥା ଶୁଣାଯାଏ । ଘଟଣା ଦୁର୍ଘଟଣା ହୁଏ । ସତ ମିଛର ସଂସାରରେ ସବୁ ଅଙ୍ଗେ ନିଭାଇବା କଥା ଯଦି ସତ ତେବେ ଏଇ ଯନ୍ତ୍ରମନ୍ତ୍ର, ଗୁଣିଗାରେଡ଼ି ଓ ଭୂତପ୍ରେତ ଡ଼ାଆଣୀ ଚିରୁଗୁଣୀକୁ ମିଛ କହିବ କିପରି ? ଶୂନ୍ୟଚାରୀମାନଙ୍କର ସ୍ଥିତି ଶୂନ୍ୟରେ । ସେମାନଙ୍କୁ ଦେଖି ହୁଏନା, କିନ୍ତୁ ସେମାନଙ୍କ ଉପସ୍ଥିତି ଅନୁଭବ କରିହୁଏ । ଏହାପରେ ଆଉକିଛି ଅଘଟଣ ଏବେ ବି କିପରି ଘଟେ ତାହା ଲେଖିବି ପରବର୍ତ୍ତୀ ଅଧାୟରେ ।

Image

 

ସତ ମିଛର ଜଗତ (୨)

 

ତନ୍ତ୍ରମନ୍ତର ସତମିଛର ଜଗତ ସମ୍ବନ୍ଧରେ ପୂର୍ବଥର ଲେଖିଥିଲି, କଥା ସରିନାହିଁ । ଏ ଭିତରେ କେତେଜଣ ପାଠକ ଚିଠି ଲେଖୁଛନ୍ତି ସେ ବିଷୟରେ ଲେଖିବା ପାଇଁ । ମୁଁ ଯଦି କେବଳ କାହାଣୀ କହନ୍ତି ତାହା ଶେଷ ହୁଅନ୍ତା ନାହିଁ; କିଛି ମୁଁ ଲେଖିଛି ବାପାଙ୍କ ଅଙ୍ଗେ ନିଭାଇବା କାହାଣୀ । ସେ ପଞ୍ଚାନବେ ପାର ହୋଇ ଛୟାନବେ ବର୍ଷରେ ପାଦ ରଖୁଛନ୍ତି । ମଝିରେ ମଝିରେ ଭୁଲି ଯାଇଥିବା କଥା ସବୁ ମନେ ପଡ଼ିଯାଏ ।ଟି କେ ଉଖାରି ଦେଲେ ପାଉଁଶ ତଳର ନିଆଁ ଯେପରି ଚମକି ଭଠେ ସେହିପରି ସ୍ମୃତି ଉପରୁ ପରଦା ହଟିଗଲେ ମନେ ପଡ଼ିଯାଏ ଅନେକ କଥା ।

 

ଗୁରୂଜୀ ଆସିଥାନ୍ତି ବାରିପଦା । ଦିନେ ବଡ଼ ସମୁଦି ବ୍ରଜବନ୍ଧୁ ରଥ ଆସି ନେହୁରା ହେଲେ । ତାଙ୍କ ସାଙ୍ଗରେ ଆସିଥାନ୍ତି ସ୍ଵଗତ ହରିଶବାବୁ । ବାରିପଦାର ଗଣ୍ୟମାନ୍ୟ ଲୋକ । ହରିଶବାବୁଙ୍କ ବଡ଼ ଭାଇ ଥିଲେ ଓଡ଼ିଶାର ପୋଲିସ୍‌ ଆଇ.ଜି. । ହରିଶବାବୁ ମୟୂରଭଞ୍ଜର ଲୋକପ୍ରତିନିଧିତ୍ୱ କରୁଥିଲେ ଓଡ଼ିଶା ବିଧାନ ସଭାରେ । ରାଜନୀତି କରୁଥିଲେ । କଂଗ୍ରେସର ଆଦର୍ଶ ପ୍ରତି ଶ୍ରଦ୍ଧା ଥିଲା ତାଙ୍କର । ରାଜନୀତି କରି ସଂଚିତ ଯାହା କିଛି ଥିଲା ସବୁ ଖର୍ଚ୍ଚ କରିଦେଲେ-। ବଡ଼ ଘର ପୁଅ । ଯିଏ ଯାହା ମାଗେ କୁଣ୍ଠା ନକରି ଦେଇ ଦିଅନ୍ତି । ବର୍ଷ କେତେଟାରେ ହାତ ଖାଲି ହୋଇଗଲା । ଜମିବାଡ଼ି ବିକ୍ରି କରି ରାଜନୀତି କେତେଦିନ ଚାଲନ୍ତା ! ଶେଷରେ ଚଳିବା କଷ୍ଟକର ହେଲା । ବ୍ୟବସାୟ ହୋଇପାରିବ ନାହିଁ ବୋଲି ତୀର୍ଥଯାତ୍ରୀ ‘ସ୍ପେଶାଲ ଟ୍ରେନ’ ବ୍ୟବସ୍ଥା କରି କିଛି ଆୟ ଉପାୟ କଲେ । ତୀର୍ଥ ବୁଲିବା ସହିତ ଆଉ ଦଶଜଣଙ୍କୁ ମଧ୍ୟ ତୀର୍ଥ ବୁଲାଇ ଆଣିଲେ । ସେଥିରେ ମଧ୍ୟ କ୍ଷତି ହେଲା ବେପରବାୟ ଖର୍ଚ୍ଚ ଯୋଗୁଁ । ତାଙ୍କ ସରଳତା ଦେଖି କେହି କେହି ଟଙ୍କା ନ ଦେଇ ଚାଲିଗଲେ । ଶେଷରେ ସରକାରୀ ୠଣ ଆଉ ପରିଶୋଧ କରିନପାରି ବ୍ୟବସାୟ ଛାଡ଼ିଦେଲେ । ତୀର୍ଥ ଗାଡ଼ି ଆଉ ନେଲେ ନାହିଁ । କିନ୍ତୁ ସରକାରଙ୍କଠାରୁ, ବ୍ୟାଙ୍କଠାରୁ ନେଇଥିବା ୠଣ କେତେବର୍ଷ ଧରି ପରିଶୋଧ ନହେବାରୁ ମାମଲା ହେଲା । ହରିଶବାବୁଙ୍କ ଉପର ମହଲରେ ବେଶ୍‌ ଜଣାଶୁଣା ଥିଲା । ସେତେବେଳେ ୰ ରାମପ୍ରସାଦ ମିଶ୍ର ଥାଆନ୍ତି ଅର୍ଥମନ୍ତ୍ରୀ ଏବଂ ୰ ବିଶ୍ୱନାଥ ଦାଶ ମୁଖ୍ୟମନ୍ତ୍ରୀ । ହରିଶବାବୁ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ସଭାପତି ଥିବାବେଳେ ଵିଶ୍ୱନାଥ ଦାଶ ଉତ୍କଳ କଂଗ୍ରେସ କମିଟିର ସଭାପତି । ହରିଶବାବୁ ସରକାରଙ୍କୁ ଦରଖାସ୍ତ କଲେ । କିନ୍ତୁ ସବୁ ଚିହ୍ନା ପରିଚୟ ସତ୍ତ୍ୱେ କିଛି ଫଳ ହେଲା ନାହିଁ । ସରକାର ଅର୍ଥ ନଦେଲେ ସ୍ଥାବର ସଂପର୍ତ୍ତି ଯାହା ଥିବ ନିଲାମ କରି ସରକାରୀ ରଣ ଆଦାୟ କରବା ପାଇଁ ନିଷ୍ପତ୍ତି ନେଲେ । ଘର ନିଲାମ କରିବା ପାଇଁ ତାରିଖ ଧାର୍ଯ୍ୟ ହେଲା ଏବଂ ଏଥର ପୈତୃକ ସଂପତ୍ତିଟି ମଧ୍ୟ ହାତଛଡ଼ା ହୋଇଯିବ ଏହି ଆଶଙ୍କାରେ ହରିଶବାବୁ ବ୍ରଜବାବୁଙ୍କୁ ନେଇ ଗୁରୁଜୀଙ୍କୁ ଦେଖାକରିବା ପାଇଁ ଆମ ଘରେ ପହଞ୍ଚିଲେ । ହରିଶବାବୁକୁ ପଛରେ ରଖି ବ୍ରଜବାବୁ ଗୁରୁଜୀଙ୍କୁ କହିଲେ ସବୁ କଥା ! କିନ୍ତୁ ଗୁରୁଜୀ ସେଥିରେ ତରଳି ନଯାଇ ରାଗିଯାଇ କହିଲେ- ‘ମୈ ଉସ୍‌କେ ଲିୟେ କୁଛ୍‌ ନାହିଁ କରୁଂଗା; ବହୁତ ପାପ କିୟା ହୈ । ପ୍ରାରବ୍ଧ ଭୋଗନା ପଡ଼େଗା ।’ ବ୍ରଜବାବୁ କାକୁତି ମିନତି କଲେ । ବାପା ମଧ ଅନୁରୋଧ କଲେ । ବଡ଼ଘର ଇଜ୍ଜତ୍‌ ମାଟିରେ ମିଶିଯିବ, ଘର ନିଲାମ ହେଲେ ରହିବେ କୋଉଠି ? ଶେଷରେ ବହୁ କୁହାବୋଲୋ ପରେ ଗୁରୁଜୀ ନରମିଲେ ଏବଂ ବାପାଙ୍କୁ କହିଲେ- ‘କଲ୍‌ ନିଲାମ୍‌ ତାରିଖ ହୈ....ତୁମ୍‌ ଯାଅ ଉସକେ ସାଥି...ସବ୍‌ ଠିକ୍‌ ହୋ ଯାଏଗା । କଲ୍‌ ନିଲାମ୍‌ ନାହିଁ ହୋଗା । ପିଛେ ଫିର୍‌ ଦେଖାଯାଏଗା ।’ ସମସ୍ତେ ଆଶ୍ଚର୍ଯ୍ୟ ହେଲେ, କ’ଣ ହେବ । କାଲି ଦିନକ ଗଲେ ତ ପୁଣି ତାରିଖ ହୋଇପାରେ । କିନ୍ତୁ ଗୁରୁଜୀଙ୍କ ସହିତ କିଏ ଯୁକ୍ତି କରିବ ? ବାପା କିନ୍ତୁ ପ୍ରସନ୍ନ ଚିତ୍ତରେ ହରିଶବାବୁଙ୍କୁ ବିଦାୟ ଦେଇ କହିଲେ ‘ଗୁରୁଜୀ ମିଛ କହନ୍ତି ନାହିଁ, ଯାହା କହନ୍ତି ତାହା କରନ୍ତି । କାଲି କିଛି ଅଘଟଣ ଘଟିବ ନିଶ୍ଚୟ ।’ ସେଇ ରାତିରେ ଗୁରୁଜୀ ଶ୍ମଶାନକୁ ଗଲେ । ବାପା ଥିଲେ ତାଙ୍କ ସହିତ । ଶ୍ମଶାନ ସର୍ବାପେକ୍ଷା ପବିତ୍ର ତୀର୍ଥ ତାନ୍ତ୍ରିକମାନଙ୍କ ମତରେ । ସେଠାରୁ ଭୋରରୁ ଫେରି ଆସିଲେ ଦୁହେଁ । ଦିନ ଦଶଟା ବେଳେ ନିଲାମ ସମୟ ନିର୍ଦ୍ଧିଷ୍ଟ ହୋଇଥାଏ । ବାପା ନିଲାମ ସ୍ଥାନରେ ପହଞ୍ଚି ନିଲାମ ଡାକ ବେଳକୁ ଆରମ୍ଭ ହୋଇ ସାରିଥାଏ । ଜଣେ କେବଳ କୋଡିଏ ହଜାର ଡ଼ାକି ଦେଇଥାନ୍ତି । ମାଜିଷ୍ଟ୍ରେଟ୍‌ କହିଲେ ସର୍ବନିମ୍ନ ଡାକ ସେତିକି ଥିବାରୁ ନିଲାମ ଧରିଥିବା ଲୋକ ଘର ପାଇବ...କିନ୍ତୁ ଏକ- ତୃତୀୟାଂଶ ଅର୍ଥ ସଂଗେ ସଂଗେ ଦେବାକୁ ହେବ । ତା’ପରେ ଆଉ କେହି ନିଲାମ ଡ଼ାକିବେ କି ନାହିଁ ପଚାରିଲେ ଏବଂ ନିଲାମ ଶେଷ କରିବା ସକାଶେ କହିଲେ ଏକ..ଦୁଇ... । ବାପା ଠିକ୍‌ ଏତିକି ବେଳେ ପହଞ୍ଚିଲେ । ମାଜିଷ୍ଟ୍ରେଟ୍‌ ଙ୍କ ଦୃଷ୍ଟି ପଡ଼ିଲା ବାପାଙ୍କ ମୁହଁ ଉପରେ । ସେ ଚାହିଁ ଦେଇ ବାପାଙ୍କୁ ନମସ୍କାର କରି କହିଲେ ପଣ୍ଡିତ ମହାଶୟ, ଆପଣ କ’ଣ ନିଲାମ ଧରିବେ ।’ ବାପା ମୁରୁକି ହସି କହିଲେ-ଅଦା ବେପାରି ମୁଁ ଜାହାଜର ମୂଲ କରିବାକୁ ଆସିନି । ଦେଖିବାକୁ ଆସିଥିଲି ।’ ମାଜିଷ୍ଟ୍ରେଟ୍‌ ପୁଣି ଦୋହରାଇଲେ-ଏକ...ଦୁଇ...କେହି ଜବାବ ଦେଲେନି । ଯିଏ କୋଡ଼ିଏ ହଜାର ଡ଼ାକିଥିଲା ତା ଡ଼ାକରେ ଛିଣ୍ଡାଇବା ପାଇଁ ତାକୁ ଖୋଜା ଗଲା । କିନ୍ତୁ ସେଠାରେ ଟିକେ ପୂର୍ବରୁ ଥିବା ସେଇ ଲୋକ ଶେଷ ମୁହୂର୍ତ୍ତରେ କୁଆଡ଼ ଗଲା କେହି କହିପାରିଲେ ନାହିଁ । ସେଇଠି ସେଥର ପାଇଁ ନିଲାମ ବନ୍ଦ ଦେଲା । ଗୁରୁଜୀ ସବୁ ଶୁଣି କହିଲେ ଅବ୍‌ ତୁମ୍‌ ଔର ଏକ୍‌ ଅପୀଲ୍‌ ବନାଓ । ଭୁବନେଶ୍ଵର ମେଁ ମନ୍ତ୍ରୀ ସେ ମିଲୋ.... ।’ ପୂର୍ବରୁ ଅର୍ଥମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭଭୟ ମନା କରିଦେଇଛନ୍ତି । ଅପିଲ୍‌ ନାକଚ ହୋଇଯାଇଛି । ଆଉ ଥରେ ଗଲେ ସରକାରୀ ଆଦେଶ ବଦଳିବାର ଆଶା ନାହିଁ, ତଥାପି ହରିଶବାବୁ ଗଲେ ଭୁବନେଶ୍ଵର । ଭେଟିଲେ ଅଥମନ୍ତ୍ରୀ ସ୍ଵର୍ଗତ ରାମପ୍ରସାଦ ମିଶ୍ରଙ୍କୁ। ଏବଂ ଆଶ୍ଚର୍ଯ୍ୟର କଥା ଫାଇଲ ମଗାଇ ଅର୍ଥମନ୍ତ୍ରୀ ଲେଖିଦେଲେ । ‘ହରିଶ୍ଚନ୍ଦ୍ର ଦାଶ ଟଙ୍କା କିସ୍ତିରେ ପରିଶୋଧ କରିବାକୁ ରାଜି । ସୁଧମୂଳ ଷୋହଳ କିସ୍ତିରେ ଦେବେ । ପୂର୍ବ ଆଦେଶ ବାତିଲ ହେଲା-।’ ସରକାର ପୂର୍ବ ଆଦେଶ ବାତିଲ କଲେ ଏବଂ ହରିଶ ବାବୁ ମନ ଖୁସିରେ ପେରିଆସି ଲୋଟି ଗଲେ ଗୁରୁଜୀଙ୍କ ପାଦତଳେ ।

 

ଆଉ ଗୋଟିଏ ଘଟଣା ଶ୍ରୀ ଏ.ଏନ୍‌.ତିଓ୍ୱାରୀ ସେତେବେଳେ ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ସଚିବ ଥାଆନ୍ତି । ଦିନେ ସେ ଆସିଲେ ଆମ ଘରକୁ ଗୋଟେ ଜରୁରୀ ବିଷୟ ନେଇ । ମୋ ବାପା ତନ୍ତ୍ରମନ୍ତ୍ର ଜାଣନ୍ତି ଏଥିପାଇଁ । ତିୱାରୀ ସାହେବଙ୍କ ସାନଭାଇ ଆଇ.ଏ.ଏସ୍‌. । ଆନ୍ଧ୍ର କ୍ୟାଡ଼ର, କଲେକ୍ଟର ଥାଆନ୍ତି ସେତେବେଳେ । ତାଙ୍କ ବଙ୍ଗଳାରେ ଅଜବ କାଣ୍ଡ ଘଟୁଥାଏ । ଭୌତିକ କ୍ରିୟା ଚାଲିଥାଏ ବଙ୍ଗଳାରେ । ତାଙ୍କ ଭାଇ ଅଫିସ୍‌ କାମରେ ଚାଲିଗ୍‌ଲେ ତାଙ୍କ ସ୍ତ୍ରୀ ଏକା ରହନ୍ତି ଘରେ । ଚତୁର୍ଦ୍ଦିଗରେ ସଶସ୍ତ୍ର ପୋଲିସ୍‌ ପ୍ରହରା ସତ୍ତ୍ୱେ କେହି ଘରଭିତରେ ପ୍ରବେଶ କରି କେଉଁଦିନ ପିନ୍ଧାଶାଢ଼ୀ ତ ଆଉ କେଉଁଦିନ ଆଉ କିଛି ନେଇ ଯାଉଥାଏ । ବହୁ ଚେଷ୍ଟା କରି ମଧ୍ୟ କୌଣସି ସଂଧାନ ମିଳୁନଥାଏ । ବହୁ ଖୋଜାଖୋଜି ପରେ ତାଙ୍କ ଭାଇଙ୍କ ସ୍ତ୍ରୀ ଗୋଟେ ସିଲ୍କ ଶାଢ଼ୀ ଘରର ୱିଣ୍ଡ ସ୍କ୍ରିନ୍‌ରେ ଲାଗିଥିବାର ଦେଖାଗଲା । ହୁଏତ ମୂଷା ଟାଣି ନେଇଥିବ ଭାବି ସମସ୍ତେ ଚୁପ୍‌ ରହିଲେ । କିନ୍ତୁ ତା ପରଦିନ କଲେକ୍ଟର ଓ ତାଙ୍କ ସ୍ତ୍ରୀ ସିନେମା ଦେଖିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ଡ଼ିନର ଖାଇବା କଥା।

 

ତାଙ୍କ ସ୍ତ୍ରୀ ଶାଢ଼ିଟା ଶୋଇବା ଘରେ ରଖି ଆଉ ଗୋଟେ ଲୁଗା ନେଇ ବାଥରୁମ୍‌ ଭିତରକୁ ପଶିବାକ୍ଷଣି ଜଣେ କେହି ବାହାରିଯିବା ପରି ଲାଗିଲା । ସେ ଡରିଗଲେ ଚୋର ତସ୍କର ହୋଇଥିବ ଭାବି । ଖୋଜାଖୋଜି ଚାଲିଲା । ପୋଲିସ୍‌ କାହାକୁ ପାଇଲେ ନାହିଁ । କଲେକ୍ଟରଙ୍କ ସ୍ତ୍ରୀ ବାଥରୁମ୍‌ରୁ ଧୁଆଧୋଇ ହୋଇ ଶୋଇବାଘରକୁ ଆସି ଆହୁରି ଆଶ୍ଚର୍ଯ୍ୟ ହେଲେ- ବିଛଣା ଉପରେ ଛାଡ଼ିଯାଇଥିବା ତାଙ୍କ ଶାଢ଼ି ସେଠାରେ ନଥିଲା ଏବଂ କେହି ଜଣେ ସେପରି ଗୋଟିଏ ଶାଢ଼ୀ ପିନ୍ଧି ଘରୁ ବାହାରି ଯାଉଥିବାର ଦେଖି ସେ ଭୟରେ ଚିତ୍କାର କରି ଭଠିଲେ । ଏସବୁ ବିଷୟ ଶୁଣିବା ପରେ ବାପା କହିଲେ ଗୋଟିଏ ଅତୃପ୍ତ ଅଶରୀରୀ ଆତ୍ମା ରହିଯାଇଛି । ଭୋଗମେଣ୍ଟିନି ।’ ହାଇଦ୍ରାବାଦ ଯିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । କିନ୍ତୁ ପ୍ରତିକାରର ଉପାୟ କହିଦେଲେ । ଜଣେ ତନ୍ତ୍ରମନ୍ତ୍ର ବାଲା ଆସି କିଛି କାର୍ଯ୍ୟ କରିବା ପରେ ସବୁ ଶାନ୍ତ ହେଲା ।

 

କଲେକ୍ଟରଙ୍କ ବଙ୍ଗଳା ହତା ମଧ୍ୟରେ ଚାରିକୋଣରୁ ଅନେକ ହାଡ଼ ଓ ଖପୁରି ମିଳିଲା ଭୂଇଁ ତଳୁ । ସେଠାରେ ବହୁ ବର୍ଷ ପୂର୍ବେ କୌଣସି ମୁସଲମାନ ଅଫିସର ରହୁଥିଲେ ନିଜାମଙ୍କ ରାଜତ୍ୱ କାଳରେ । ସେତେବେଳେ ସେ ଘରର ବୋହୂ କୌଣସି ଆତ୍ମହତ୍ୟା ବା ନିହତ ହୋଇଥିବା କଥା ଶୁଣାଯାଏ । କିନ୍ତୁ ସେଇ ପ୍ରେତ କେବେ କାହାରି ଅନିଷ୍ଟ କରିନାହିଁ କେବଳ ଭଲ ଶାଢ଼ି, ଗହଣା, ଆସବାବ ପତ୍ର ତାର ଲୋଭ ।

 

ଏତିକିରେ ବହୁ କଥା ଅଛି ପେଡ଼ି ଖୋଲିଲେ ଭାନୁମତୀର ଖେଳ । ମୋ ଦେଖିବା କଥା । ନହେବା କାମ ହୁଏ । କିନ୍ତୁ ଏହା ପ୍ରମାଣ କରି ଦେଖାଇ ହେବନାହିଁ କି ସମସ୍ତ କାର୍ଯ୍ୟର କାରଣ କହିଦେଇ ହେବନାହିଁ । କଟକ ବଡ଼ ଡାକ୍ତରଖାନାରେ ଥିବାବେଳେ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ବା ଡକ୍ଟର ପ୍ରତିଭା ରାୟ କିପରି ମାତୃ କଙ୍କାଳର କୋମଳ ପରଶ ପାଇ ଶିହରି ଉଠିଥିଲେ ଏବଂ ପରେ ସେଇ କୋଠରୀ ଛାଡ଼ି ଅନ୍ୟତ୍ର ଚାଲିଗଲେ ତାହା ତ ସେଦିନର ଘଟଣା । ମୋ ସମୁଦିଙ୍କ ଖୁଡ଼ୀ ତ ଏବେ ବି ଜୀବିତ । ପୁରୀ ଜିଲ୍ଲା ତରବୋଇ ପାଖ ବଙ୍ଗଳା ଗ୍ରାମରେ ଘର ।

 

ପିପିଲି ଠାରୁ କେତେମାଇଲ ଦୂରରେ । ସାତଦିନ ଧରି ପିତାଶୁଣି ଲାଗିଲା ଯେ ପାଣି ମୁନ୍ଦିଏ ପିଇପାରିଲେ ନାହିଁ । ପଖାଳ କଂସୀ ମୁହଁ ପାଖକୁ ଗଲା, କିନ୍ତୁ ତୋରାଣି ଟିକେ ତୁଣ୍ଡ ଭିତରକୁ ଗଲାନାହିଁ । ଶେଷରେ ଗୁଣିଆ ଆସିଲା । ସୋରିଷ ମନ୍ତ୍ରି ଫିଙ୍ଗିଦେଲା ଚାରି ଆଡ଼କୁ ।

 

ସେଇ ଅଶରୀର ଆତ୍ମା ବିକଳ ହୋଇ ଦେହ ଛାଡ଼ି ଚାଲିଗଲା । ଆଉ ଦାଉ ସାଧି ପାରିଲା ନାହିଁ କି ଇଟାପଥର ଫୋପାଡ଼ି ଗାଁ ଲୋକଙ୍କୁ ଭୟଭୀତ କରିପାରିଲା ନାହିଁ । କ’ଣ ସତ, କ’ଣ ମିଛ କିଏ କହିବ ? ଆଖି ଆଗରେ ଦେଖୁଥିବା ଜିନିଷ ବି ବେଳେ ବେଳେ ମିଛ ହୁଏ ଏବଂ ମିଛ ହୁଏ ସତ । ସତ ମିଛର ଏ ଜଗତରେ ମଣିଷ କେବଳ ଏମିତି ଏକ ସତ୍ତା ଯିଏ ପାଣିରେ ପହଁରିପାରେ, ଆକାଶରେ ଉଡ଼ିପାରେ, ମହାକାଶକୁ ଯାଇପାରେ ଏବଂ ଭୂଇଁ ତଳକୁ ଯାଇ ମୁକ୍ତା ଗୋଟେଇ ନେଇ ଆସେ । ସେଇ ମଣିଷ ବାସ୍ତବ ମଣିଷ ।

 

ତାକୁ ଶ୍ରଦ୍ଧା କରାଯାଉ । ଯାହାର ଶରୀର ନାହିଁ ସିଏ କାହିଁକି ଅତୃପ୍ତ ତାହା ଅତୃପ୍ତ ତାହା ରହସ୍ୟ ହୋଇ ରହିଥାଉ ।

Image

 

ସମାଜ କଲ୍ୟାଣ କାର୍ଯ୍ୟ - ପରୋପକାରାୟଧର୍ମାୟ

 

ଆମେ ଜଟଣୀରୁ ବଦଳି ହୋଇ ଆସିଲୁ ଅକ୍ଟୋବର ୧୩ ତାରିଖ ୧୯୭୩ ମସିହାରେ-। ଖୋର୍ଦ୍ଧା ରେଳବାଇ ବୋର୍ଡ଼ରେ ସାତକଡ଼ି ବାବୁ ବୋର୍ଡ଼ର ଦାୟିତ୍ୱ ନେଲେ । ଖୋର୍ଦ୍ଧା ଡ଼ିଭିଜନ ଭଦ୍ରକଠାରୁ ପଲାସା ପର୍ଯ୍ୟନ୍ତ ତାଳଚେରଠାରୁ କଟକ ଏବଂ କଟକଠାରୁ ପାରାଦ୍ଵୀପ ଓ ଖୋର୍ଦ୍ଧାରୋଡ଼ଠାରୁ ପୁରୀ ଶାଖା ରେଳପଥକୁ ନେଇ ଗଠିତ । ସାତକଡ଼ି ବାବୁ ଓଡ଼ିଶାରେ ସେଇ ପ୍ରଥମ ଅବସ୍ଥାପିତ ହେଲେ । ସେ ଡ଼ିଭିଜନରେ ସେତେବେଳେ ଷୋହଳ ହଜାର କର୍ମଚାରୀ କାର୍ଯ୍ୟ କରୁଥିଲେ ଏବଂ ଟ୍ରେଡ଼ ୟୁନିଅନ ଆନ୍ଦୋଳନ ଅତ୍ୟନ୍ତ ଶକ୍ତିଶାଳୀ ଥିଲା । ସାମାନ୍ୟ କାରଣରୁ ଚକାବନ୍ଦ ଆନ୍ଦୋଳନ ହେଉଥିଲା ଏବଂ ରେଳଗାଡ଼ି ଚଳାଚଳ କର୍ମଚାରୀମାନେ ସଂପୂର୍ଣ୍ଣ ବନ୍ଦ କରିଦେଉଥିଲେ । ବାମପନ୍ଥୀ ଟ୍ରେଡ଼ ୟୁନିୟନ ଆନ୍ଦୋଳନ ଯୋଗୁଁ ବାରମ୍ବାର ରେଳ ଚଳାଚଳ ବ୍ୟାହତ ହେବାରୁ ଏହାର ସମାଧାନ କରିବା ସକାଶେ ରେଳବାଇ କର୍ତ୍ତୁପକ୍ଷ ଉପାୟ ଖୋଜିଥିଲେ । ଆନ୍ଦୋଳନ କ୍ରମଶଃ ହିଂସାତ୍ମକ ରୂପ ନେଲା ଏବଂ ଦୁଇବର୍ଷ ମଧ୍ୟରେ ପ୍ରାୟ ୫ ଜଣ ଡ଼ିଭିଜ୍‌ନାଲ୍‌ ସୁପରିଣ୍ଟେଣ୍ଡେଣ୍ଟ କମଚାରୀମାନଙ୍କ ଦ୍ଵାରା ଅପଦସ୍ଥ ହୋଇ ବିଦାୟ ନେଲେ । ଶ୍ରୀ ପି.ଭି. ନାରାୟଣ ସ୍ୱାମୀଙ୍କୁ ତାଙ୍କ ରେଳବାଇ ବଙ୍ଗଳା ସାମନାରେ ମାଡ଼ଦେବା ଫଳରେ ସେ ଛୁଟିରେ ଚାଲିଯିବାରୁ ତାଙ୍କ ଜାଗାରେ ପି.ଏନ.ଏସ୍‌. ବେଦୀ ସାହେବ ଆସିଲେ । ସେ ମଧ୍ୟ ଉଗ୍ରବାଦୀ କର୍ମଚାରୀମାନଙ୍କ ସାମନା କରିନପାରି ବିଦାୟ ନେଲେ । ଏହା ପରେ ଆସିଲେ ପି.ଏ. ପାଇ । ସେ ସପରିବାର ସେଲୁନ୍‌ ଭିତରେ ଥିବାବେଳେ ସେଲୁନୁକୁ ଲାଇନ୍‌ଚ୍ୟୁତ କରିଦିଆଗଲା ଏବଂ ଅଳ୍ପକେ ସେ ବର୍ତ୍ତିଗଲେ । ତାଙ୍କ ପରେ ଆସିଲେ ଶ୍ରୀ ସନ୍ତୋଷ କୁମାର ଖାନ୍ନା, ସେ ମଧ୍ୟ ଅଳ୍ପଦିନ ରହି ଚାଲିଗଲେ, ମଝିରେ ପ୍ରେମନାଥ ଲୁଥର ପ୍ରାୟ ଛଅ ଆଠ ମାସ ଭେଦ ନୀତି ପ୍ରୟୋଗ କରି କର୍ମଚାରୀମାନଙ୍କୁ ଶାସନ କରିଥିଲେ ।

କିନ୍ତୁ ଏସବୁ ଉଦ୍ୟମ ସଫଳ ହୋଇ ନଥିଲା । ରାଜ୍ୟ ସରକାର ମଧ୍ୟ ଘନ ଘନ ରେଳ ଚଳାଚକ ବନ୍ଦ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରୁଥିଲେ । ଏହି ସମୟରେ ଜଣେ ସ୍ଥାନୀୟ ଅଫିସରଙ୍କୁ ଡ଼ିଭିଜନାଲ ସୁପରିଣ୍ଟେଣ୍ଡେଣ୍ଟ ପଦରେ ନିଯୁକ୍ତି ଦେଲେ ବଦଳି ପାରେ ବୋଲି ମନେକରି ସାତକଡ଼ି ବାବୁଙ୍କୁ ଖୋର୍ଦ୍ଧା ରୋଡ଼କୁ ପଠାଇଲେ । ସେ ନୂତନ ଦାୟିତ୍ୱ ନେବା ପରେ ପରେ କର୍ମଚାରୀମାନଙ୍କ ମଧ୍ୟରେ ଶୃଙ୍ଖଳାବୋଧ ଫେରାଇ ଆଣିବା ପାଇଁ ଏବଂ ସେମାନଙ୍କ ନ୍ୟାଯ୍ୟ ଅଭାବ ଅସୁବିଧା ଦୂର କରିବା ପାଇଁ ଲାଗି ପଡ଼ିଲେ । ଏହି ଅବସରରେ କର୍ମଚାରୀ ଓ ସେମାନଙ୍କ କର୍ମଚାରୀ ପରିବାରମାନଙ୍କ ମଧରେ କିଛି ଭଲ କାର୍ଯ୍ୟ କରିବା ସକାଶେ ପ୍ରଚୁର ସୁଯୋଗ ଥିବା ଅନୁଭବ କରି ମୁଁ କାର୍ଯ୍ୟ ଆରମ୍ଭ କଲି । ରେଳବାଇ କଲୋନୀରେ ପ୍ରାୟ ପଚିଶ ହଜାର ଲୋକ ରହୁଥିଲେ । ସେମାନଙ୍କର ଆମୋଦ ପ୍ରମୋଦ ପାଇଁ ଦୁଇଟି ଇନିଷ୍ଟିଚ୍ୟୁଉଟ୍‌ କ୍ଲବ, ଖେଳପଡ଼ିଆ ଇତ୍ୟାଦ ରହିଥିଲା । ମହିଳାମାନଙ୍କୁ ସଂଗଠିତ କରିବା ପାଇଁ ମହିଳା ସମିତି କାର୍ଯ୍ୟ କରୁଥିଲା । ସାଂସ୍କୃତିକ ଏବଂ ସମାଜ କଲ୍ୟାଣ କାର୍ଯ୍ୟରେ କର୍ମଚାରୀ ତାଙ୍କର ପରିବାରର ଲୋକମାନଙ୍କର ଶକ୍ତି ବିନିଯୋଗ କରିବା ସକାଶେ ମୁଁ ଉଦ୍ୟମ ଆରମ୍ଭ କଲି । ଇଣ୍ଡିଆନ୍‌ ଇନିଷ୍ଟିଚ୍ୟୁଟ୍‌ ଓ ଆଂଗ୍ଲୋ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ୍‌ ମାଧ୍ୟମରେ ନୃତ୍ୟ, ଗୀତ, ନାଟକ ପ୍ରତିଯୋଗିତା ଓ ଖେଳ କସରତ ଆୟୋଜନ କରାଗଲା । ପ୍ରଥମ କରି ରେଳବାଇ ପ୍ରଶାସନର ସହଯୋଗରେ ଗୋଟିଏ ପ୍ରଦର୍ଶନୀ ଓ ଆମୋଦ ପ୍ରମୋଦର ଆୟୋଜନ ୧୯୭୪ ମସିହା ଜାନୁୟାରୀ ମାସର ପ୍ରାରମ୍ଭରେ ଆରମ୍ଭ କରାଯାଇଥିଲା ।

ଶ୍ରୀ ବାଙ୍କବିହାରୀ ଦାସ ସେତେବେଳର ରାଜସ୍ୱମନ୍ତ୍ରୀ ମୁଖ୍ୟଅତିଥି ହୋଇ ଆସିଥିଲେ । ଏହି ପ୍ରଦର୍ଶନୀରୁ ମିଳିଥିବା ଅର୍ଥ ମହିଳା ସମତି ମାଧ୍ୟମରେ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ କରିବା ପାଇଁ ବ୍ୟୟ କରାଯାଇଥିଲା ।

 

କେବଳ ଶାସନ କରି ଲୋକଙ୍କୁ ନିୟନ୍ତ୍ରଣ କରିହୁଏନାହିଁ । ପ୍ରଶାସକମାନେ ଯଦି କର୍ମଚାରୀମାନଙ୍କର ଭଲମନ୍ଦ ନ ବୁଝି କେବଳ ଶାସନ ଚଳାନ୍ତି ତେବେ ପ୍ରଶାସନ ପ୍ରତି କର୍ମଚାରୀମାନଙ୍କ ଅନୁରାଗ ରହେ ନାହିଁ । ଏହି କାରଣରୁ ପ୍ରଶାସନର ବିଶ୍ଵାସନୀୟତା ହ୍ରାସ ପାଇଥିଲା । ମୁଁ ଏହି ଅବସରରେ ଅନୁଭବ କଲି ଯେ, ଅଫିସରମାନେ କର୍ମଚାରୀଙ୍କ ନ୍ୟାୟ ଦାବି ସ୍ଵୀକାର କରିନେବା ବେଳେ ସେମାନଙ୍କର ପାରିବାରିକ ବ୍ୟକ୍ତିଗତ ଅଭାବ ଅସୁବିଧା ଯଦି ଦୂର କରାଯାଇପାରେ ତେବେ ସେମାନଙ୍କର ସ୍ନେହ ଶ୍ରଦ୍ଧା ମିଳିବ ଏବଂ ଧୀରେ ଧୀରେ ହଜି ଯାଇଥିବା ଆନୁଗତ୍ୟ ଫେରି ଆସିପାରିବ । ଏହି କାରଣରୁ ପ୍ରଶାସନ ଓ କର୍ମଚାରୀମାନଙ୍କ ମଧ୍ୟରେ ସେତୁ ଭାବରେ କାର୍ଯ୍ୟ କରିବା ପାଇଁ ମୁଁ ମହିଳା ସମିତିକୁ ବ୍ୟବହାର କଲି । ପ୍ରଥମେ ସାହି ସାହି ଘର ଘର ବୁଲି ସେମାନଙ୍କ ସହିତ ପରିଚିତ ହେଲାବେଳେ ମୁଁ ସେମାନଙ୍କ ଆଶ୍ଵାସନା ଦେଇ କହିଲି ଯେ ବଡ଼ ଅଫିସରଙ୍କ ବଡ଼ ବଙ୍ଗଳାରେ ସୁଖରେ ରହିବା ପାଇଁ ମୁଁ ଆସିନାହିଁ । ସେମାନଙ୍କ ପାଇଁ କିଛି କାମ କରିବା ପାଇଁ ଆସିଛି । ଏହା ପରେ ପରେ ନିର୍ଜୀବ ମହିଳା ସମିତି ସକ୍ରିୟ ହୋଇ ଉଠିଲା । ଏବଂ ପ୍ରାୟ ୬ମାସ ମଧ୍ୟରେ ମହିଳା ସମିତି ସଭ୍ୟ ସଂଖ୍ୟା ଷାଠିଏରୁ ୬ଶହ ହୋଇଗଲା । ସାତକଡ଼ିବାବୁଙ୍କ କହିବାରୁ ଗୋଟିଏ ବଡ ଘର ମହିଳା ସମିତି ପାଇଁ ମିଳିଲା । ଅଧିକାଂଶ କର୍ମଚାରୀଙ୍କ ପାରିବାରିକ ଅବସ୍ଥା ବିଶେଷ ସ୍ୱଚ୍ଛଳ ନଥିଲା । ତେଣୁ ସେମାନଙ୍କ ସ୍ତ୍ରୀ ମାନେ ପରିବାରକୁ ସାହାଯ୍ୟ କରିବା ପାଇଁ କିଛି କାମଧନ୍ଦା କରିବାକୁ ଚାହୁଁଥିଲେ । ସେମାନଙ୍କୁ ସିଲେଇ, ଖେଳନା ତିଆରି ଏବଂ ବାଉଁଶ କାମ ଇତ୍ୟାଦି ଶିକ୍ଷା ଦେବାର ବ୍ୟବସ୍ଥା କଲି । ରେଳବାଇ ପ୍ରଶାସନ ମହିଳା ସମିତି କାର୍ଯ୍ୟରେ ସନ୍ତୁଷ୍ଟ ହୋଇ କର୍ମଚାରୀମାନଙ୍କର ପୋଷାକ ସିଲେଇ କରିବା ପାଇଁ ମହିଳା ସମିତିକୁ ଦାୟିତ୍ୱ ଦେଲେ । ଜଣେ ଭଲ ସିଲେଇ ଶିକ୍ଷକ ନିଯୁକ୍ତ ହେଲେ । କେତୋଟି ନୁଆ ସିଲେଇ ମେସିନ ମଧ୍ୟ କିଣାହେଲା । ଯେଉଁମାନଙ୍କ ଘରେ ସିଲେଇ ମେସିନ ନଥିଲା ସେମାନେ ମହିଳା ସମିତିରେ ସିଲେଇ କାମ କଲେ ଏବଂ ଅନ୍ୟମାନେ କପଡ଼ା ନେଇ ଘରେ ସିଲେଇ କଲେ । ପ୍ରତି ମହିଳା ଯୋଗ୍ୟତା ଅନୁସାରେ ମାସକୁ ୫୦/୬୦ ଟଙ୍କାରୁ ଆରମ୍ଭ କରି ୩୦୦/୪୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରୁଥିଲେ । ଏହା ଫଳରେ ସେମାନଙ୍କର ବଳକା ସମୟ କେବଳ ସଦୁପଯୋଗ ହେଲା ନାହିଁ ସେମାନଙ୍କ ପରିବାର ପ୍ରତିପୋଷଣରେ ମଧ୍ୟ କିଛି ସାହାଯ୍ୟ ହେଲା ।

 

ମହିଳା ସମିତି କାର୍ଯ୍ୟ ପ୍ରତି ଏତେ ଉତ୍ସାହ ବଢ଼ିଲା ଯେ, ମହିଳାମାନଙ୍କର ସୁବିଧା ସକାଶେ ରେରଙ୍ଗ କଲୋନୀ ଠାରେ ଆଉ ଗୋଟିଏ ଶାଖା ସମିତି ଖୋଲାଗଲା । ରେଳବାଇ ପ୍ରଶାସନ ଏଥିପାଇଁ ଗୋଟିଏ ଘର ଯୋଗାଇ ଦେଇଥଲେ । ଏହି ଶାଖା ମହିଳା ସମିତି ଉଦ୍‌ଘାଟନ କରିଥିଲେ ଓଡ଼ିଶାର ରାଜ୍ୟପାଳ ଆକବର ଅଲ୍ଲୀ ଖାଁ । ସେ ମୋତେ ଏବଂ ମୋର ବାନ୍ଧବୀମାନଙ୍କୁ ଉତ୍ସାହ ଦେଇ କହିଲେ ଏହିପରି ଗଠନମୂଳକ କାମରେ ମହିଳାମାନେ ମନଦେଲେ ନାରୀଶକ୍ତି ଜାଗ୍ରତ ହେବ । ତାଙ୍କରି ପ୍ରେରଣାରୁ ପରେ ପଲାସା, ବ୍ରହ୍ମପୁର, ପୁରୀ, ତାଳଚେର, କଟକ ଓ ଭଦ୍ରକ ଠାରେ ମହିଳା ସମିତି ସ୍ଥାପନ କରାଗଲା । ଏହିସବୁ ମହିଳା ସମିତିର ସହସ୍ରାଧିକ ମହିଳା ସଭ୍ୟାଙ୍କୁ ସିଲାଇ ଓ ଅନ୍ୟାନ୍ୟ କାମ ବାବଦରେ ବର୍ଷକୁ ପ୍ରାୟ ତିନି ଚାରି ଲକ୍ଷ ଟଙ୍କା ଦିଆଯାଉଥିଲା । ସବୁ ସମିତିଗୁଡ଼ିକର ଅଲଗା ଅଲଗା ହିସାବ ରଖାଯାଉଥିଲା ଏବଂ ଜଣେ ରେଳବାଇ ଇନିସ୍‌ପେକ୍ଟରଙ୍କ ଦ୍ୱାରା ସେସବୁ ହିସାବ ନିୟମିତ ଯାଞ୍ଚ କରାଯାଉଥଲା । ମହିଳାମାନେ ଯେଉଁ ସଭ୍ୟ ଚାନ୍ଦା ଦେଉଥିଲେ ଏବଂ ପ୍ରଦର୍ଶନୀ ଓ ଆମୋଦ ପ୍ରମୋଦରୁ ଯେଉଁ ଅର୍ଥ ମିଳୁଥିଲା ସେସବୁ ମହିଳା ସମିତି ପାଣ୍ଠିରେ ଜମା କରାଯାଉଥିଲା । ୧୯୭୪ ମସିହାରେ ଓଡ଼ିଶାରେ ପ୍ରଳୟଙ୍କର ବନ୍ୟା ହୋଇଥିଲା ଏବଂ ମୁଁ ଓ ମହିଳା ସମିତିର ଅନ୍ୟାନ୍ୟ କର୍ମକର୍ତ୍ତା ଆସି ମୁଖ୍ୟମନ୍ତ୍ରୀ ଶ୍ରମତୀ ନନ୍ଦିନୀ ଶତପଥୀଙ୍କ ହାତରେ ବନ୍ୟା ଦ୍ଵାରା କ୍ଷତିଗ୍ରସ୍ତ ଲୋକଙ୍କ ସାହାଯ୍ୟ ସକାଶେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦଶ ହଜାର ଟଙ୍କାର ଏକ ଚେକ୍‌ ଦେଇଥିଲା ଓ ବିପନ୍ନ ଲୋକଙ୍କ ପାଇଁ ସଂଗ୍ରହ କରିଥିବା ଲୁଗା ଓ ପୋଷାକ ପତ୍ର ବିତରଣ କରିଥିଲୁ । ସେହିପରି ଆନ୍ଧ୍ରରେ ପ୍ରବଳ ବନ୍ୟା ହେବା ଫଳରେ ରେଳବାଇମନ୍ତ୍ରୀଙ୍କ ସାହାର୍ଯ୍ୟ ପାଣ୍ଠିକୁ ମଧ୍ୟ ପଚିଶ ହଜାର ଟଙ୍କା ଦେଇଥିଲି ।

 

ଓଡ଼ିଶାର ପ୍ରାୟ ସର୍ବତ୍ର ସେତେବେଳେ ଜନ୍ମ ନିୟନ୍ତ୍ରଣ ଯୋଜନା ସଂପକର୍କରେ ବିଶେଷ ସଚେତନତା ନଥିଲା । ଡ଼ାକ୍ତର ଓ ନର୍ସମାନଙ୍କର ସାହାଯ୍ୟରେ ଘର ଘର ବୁଲି ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥାକୁ ଲୋକପ୍ରିୟ କରିବା ପାଇଁ ଆମେ ଚେଷ୍ଟା କରିଥିଲୁ । ବହୁ ପୁରୁଷ ଓ ସ୍ତ୍ରୀଙ୍କୁ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବା ପାଇଁ ପ୍ରବର୍ତ୍ତାଇଥିଲୁ । ଥରେ ଓଡ଼ିଶାର ମନ୍ତ୍ରୀ ଗାନ୍ଧିବାଦୀ ମୋହନ ନାଏକ ଜଟଣୀକୁ ଆସିଥିଲେ । ସେ ରେଳବାଇ ମହିଳା ସମିତିର କାର୍ଯ୍ୟ ଦେଖି ଖୁସିହୋଇ କହିଥିଲେ ଯେ, ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ମହିଳା ସମିତିମାନେ ଯଦି ଏହିପରି ସମାଜ କଲ୍ୟାଣ କାର୍ଯ୍ୟ କରନ୍ତେ ତେବେ ଦେଶର ରୂପ ବଦଳି ଯାଆନ୍ତା ।

Image

 

ଜନମଙ୍ଗଳ କାର୍ଯ୍ୟରେ ମହିଳା

 

କ୍ରମଶଃ ମହିଳା ସମିତି ସେବା କରିବା ଏକ ମାଧ୍ୟମ ହୋଇଗଲା । ଜଟଣୀର ରେଲ୍‌ୱେ କଲୋନୀ ମହିଳାମାନଙ୍କର ଜନକଲ୍ୟାଣ କାର୍ଯ୍ୟ ପ୍ରତି ଆଗ୍ରହ ଦେଖି ମୁଁ ଚକିତ ହୋଇଗଲି । ମୋ ମନରେ କ୍ରମଶଃ ଧାରଣା ହୋଇଗଲା ଯେ, ମହିଳାମାନଙ୍କୁ ସୁଯୋଗ ଦେଲେ ସେମାନେ ସବୁ କାର୍ଯ୍ୟ କରିପାରିବେ । ବିଶେଷକରି ସମାଜ ମଙ୍ଗଳ କାର୍ଯ୍ୟରେ ସେମାନଙ୍କର ସହାୟତା ସ୍ଵତଃପ୍ରବୃତ୍ତ ହୋଇ ମିଳିଥାଏ । ଆମ ଦେଶରେ କୋଟି କୋଟି ମା’ ଭଉଣୀ ରହିଥିଲେ ମଧ୍ୟ ସେମାନଙ୍କୁ ସୁବିଧା ସୁଯୋଗ ମିଳୁନଥିବାରୁ ସେମାନଙ୍କର ଶକ୍ତି କାର୍ଯ୍ୟରେ ଲାଗିପାରେ ନାହିଁ । କେବଳ ମହିଳାମାନଙ୍କୁ ଦୁର୍ଗା, ସୀତା, ସାବିତ୍ରୀ କହି ଦେବାର ଆସନ ଦେବୀ ସକାଶେ ପୁରୁଷମାନଙ୍କର ଚେଷ୍ଟା ସେମାନଙ୍କର ସ୍ୱାର୍ଥପର ଦୃଷ୍ଟିକୋଣର ପରିଚୟ ଦିଏ ବୋଲି ମୁଁ ଭାବେ । ପ୍ରତ୍ୟେକ ମହିଳା ନିଜର ପରିବାର ପ୍ରତି ପ୍ରାଥମିକ କର୍ତ୍ତବ୍ୟ କରିସାରିବା ପରେ ହାତରେ ଯେଉଁ ବଳକା ସମୟ ରୁହେ ହେ ସମାଜ ସଂସ୍କାର ଓ ସମାଜ ମଙ୍ଗଳ କାର୍ଯ୍ୟପାଇଁ ତାହା ଯଥେଷ୍ଟ । ଏଣୁ ସେହି ନାରୀଶକ୍ତିକୁ ଭଲ କାର୍ଯ୍ୟରେ ଲଗାଇବା ପାଇଁ ହିଁ ସଙ୍କଳ୍ପ କଲି । ସେମାନଙ୍କ ସହିତ ଏକ ହୋଇ ନଗଲେ ସେମାନଙ୍କର ମନ ଜିଣି ହେବନାହିଁ । ଆମର ବଡ଼ ବଡ଼ ଶିକ୍ଷିତା ନାରୀ ନେତ୍ରୀ ଓ ମହିଳା ସମାଜ ସେବିକାମାନେ ସାଧାରଣ ପରିବାରର ମହିଳାମାନଙ୍କୁ ମମତା ଦେଇ ଆପଣେଇ ନେଇପାରୁ ନଥିବାରୁ ଗୋଟିଏ ପାଖରେ ଶିକ୍ଷିତ ଓ ସମ୍ଭ୍ରାନ୍ତ ଏବଂ ଅନ୍ୟ ପାଖରେ ସାମାନ୍ୟ ଓ ସାଧାରଣମାନେ ରହିଯାଉଥିବାରୁ ସାମାଜିକ ସମତାର ସ୍ଥାପନ ହୋଇ ପାରୁନାହିଁ ।

 

ପ୍ରଥମେ ମୁଁ ଆମ ସରକାରୀ ବଙ୍ଗଳାର ବଡ଼ ଫାଟକ ଖୋଲିଦେଲି ସମସ୍ତଙ୍କ ପାଇଁ । ମୋ ସହିତ ଯିଏ ଦେଖା କରିବା ପାଇଁ ଆସୁଥିଲେ ବଙ୍ଗଳାରେ ସେମାନଙ୍କର ପ୍ରବେଶ ନିଷେଧ ନଥିଲା । ସେହିପରି ମହିଳାମାନେ ସଂଗଠିତ କରିବା ସକାଶେ ମୁଁ ସାହି ସାହି ବୁଲିଲି । ସେଥିରେ ମୋର ପ୍ରଧାନ ସହାୟିକା ଥିଲେ ଭାନୁମତୀ, ଦୁର୍ଗା, ଲକ୍ଷ୍ମୀ, ହର୍ଷମଣୀ ଇତ୍ୟାଦି ।

 

ମୁଁ ମହିଳା ସମିତିର ସଭାନେତ୍ରୀ ଥିବାବେଳେ ଶ୍ରୀମତୀ ଦାସ ଥିଲେ ସମ୍ପାଦିକା । ଆମ ଦୁହିଁଙ୍କ ମଧ୍ୟରେ ବଡ଼ଭଉଣୀ, ସାନଭଭଣୀ ପରି ସୌହାର୍ଦ୍ଦ୍ୟ ଥିଲା, ମୁଁ ଜଟଣୀ ଆସିବା ପୂର୍ବରୁ ସଫେଇ କାମ କରୁଥିବା ହରିଜନ ମହିଳାମାନଙ୍କୁ କେବେହେଲେ ସମିତିକୁ ଡକାଯାଇ ନଥିଲା । ଜାତି, ଗୋତ୍ର, ବଡ଼ପଣ ସଂପର୍କରେ ଅହେତୁକ ସଚେତନତା ଏଥିରେ ବାଧା ସୃଷ୍ଟି କରୁଥିଲା । ସେମାନଙ୍କୁ ଡାକି ଦେବାରୁ ଯେଉଁ ଉଲ୍ଲସିତ ଆଗ୍ରହ ମିଳିଲା ତାହା ମୁଁ ଭୁଲି ପାରିବି ନାହିଁ ।

 

ମହିଳା ସମିତି ଜରିଆରେ ସେତେବେଳେ ପ୍ରଧାନତଃ ଦୁଇପ୍ରକାର କାର୍ଯ୍ୟ ହେଉଥାଏ । (୧) ସିଲେଇ, ହାତ କାମ ଇତ୍ୟାଦି ଶିକ୍ଷା ଦେବା ଓ ପୋଷାକ ଖେଳଣା ଏବଂ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରିବା । ଏହାଦ୍ଵାରା ଯେଉଁମାନେ ଏହି କାମ କରୁଥିଲେ ସେମାନେ କିଛି ଅର୍ଥ ଉପାର୍ଜନ କରିପାରୁଥିଲେ । ଦ୍ୱିତୀୟରେ ପରିବାର ନିୟନ୍ତ୍ରଣ ଯୋଜନା । ଛୋଟ ପରିବାର ଯେ ସୁଖୀ ପରିବାର ସେହି କଥାଟି ସେମାନଙ୍କୁ ବୁଝାଇଦେବା ପରେ ପୁରୁଷମାନଙ୍କ ଅପେକ୍ଷା ନାରୀମାନେ ପରିବାର ନିୟନ୍ତ୍ରଣ ପାଇଁ ଅଧିକ ଆଗ୍ରହ ଦେଖାଇଲେ । ଯେଉଁମାନଙ୍କର ଦୁଇଟିରୁ ଅଧିକ ପୁଅ ଝିଅ ଥିଲେ ସେମାନଙ୍କୁ ଠାବ କରି ଆମେ ହସ୍‌ପିଟାଲ୍‌କୁ ନେଇଯାଉଥିଲୁ ଏବଂ ଗର୍ଭନିରୋଧକ ଲୁପ୍‌ ବା ଅସ୍ତ୍ରୋପଚାର କରାଯାଉଥଲା । ଏହି କାର୍ଯ୍ୟ ଚାଲିଥିବାବେଳେ ରେତଙ୍ଗ କଲୋନୀରେ ମହିଳା ସମିତି ଉଦ୍‌ଘାଟନ କରିବା ପାଇଁ ରାଜ୍ୟପାଳ ଅଲ୍ଲୀ ଆକବର ଖାଁଙ୍କୁ ମୁଁ ନିମନ୍ତ୍ରଣ କରିଥିଲି । ସେ ଆମ ସହିତ ବିଭିନ୍ନ ଗଠନମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଦିନେ ସାତକଡ଼ି ବାବୁଙ୍କୁ ଖବର ଦେଲେ ସସ୍ତ୍ରୀକ ତାଙ୍କ ସହ ରାଜଭବନରେ ଦେଖାକରିବା ପାଇଁ । ଆମେ ତାଙ୍କୁ ସାକ୍ଷାତ କଲାରୁ ସେ କହିଲେ, “ସେ ଦିନ ତୁମ ଦୁହିଁଙ୍କୁ କହିଥିବା କଥା ମନେଥିବ । ଆଜି ସେଥିପାଇଁ ଡାକିଛି । ଖୋର୍ଦ୍ଧା ଅଞ୍ଚଳରେ କୁଷ୍ଠରୋଗୀଙ୍କର ସଂଖ୍ୟା ଅନେକ ବେଶୀ । ଅଜ୍ଞତା ଯୋଗୁଁ କୃଷ୍ଣରୋଗର ଚିକିତ୍ସା ନକରି ଲୋକମାନେ ଭୟକରି ଏହି ରୋଗକୁ ବଢ଼ାଇ ଦେଇଥାନ୍ତି । ଏହା ସହିତ ସମାଜ ସଂସ୍କାର କାର୍ଯ୍ୟ ମଧ୍ୟ ଜଡ଼ିତ । କୁଷ୍ଠରୋଗ ଚିକିତ୍ସା ଦ୍ଵାରା ଆରୋଗ୍ୟ ହୋଇପାରେ । ତୁମେ ଦୁହେଁ କୃଷ୍ଠରୋଗୀମାନଙ୍କ ପାଇଁ ସେଠାରେ କିଛି କର । ମୋର ଆର୍ଶୀବାଦ ତୁମ ପ୍ରତି ସଦାବେଳେ ରହିଥିବ ।”

 

ରାଜଭବନରୁ ଫେରିବା ବେଳେ କ’ଣ କରାଯାଇପାରେ, ସେ ବିଷୟରେ ଆମେ ଭାବୁଥିଲୁ । ସେତେବେଳେ ନିଖିଳ ଭାରତ ଦିବ୍ୟଜୀବନ ସଂଘର ସଭାପତି ମହାନ ସାଧକ ସ୍ଵାମୀ ଚିଦାନନ୍ଦଜୀ ମହାରାଜ ମଝିରେ ମଝିରେ ଜଟଣୀ ଆସୁଥାନ୍ତି । ତାଙ୍କର ସାନ୍ନଧ୍ୟ ପାଇଁ ଆମେ ନିଜକୁ ଧନ୍ୟ ମନେ କରୁଥିଲୁ । ଦିବ୍ୟଜୀବନ ସଂଘ, ଜଟଣୀ ଶାଖାର ସଂପାଦକ ଥିଲେ ରମଣ ମୂର୍ତ୍ତି । ଭାରି ସରଳ ଏବଂ ନିଷ୍ଠାପର । ତାଙ୍କରି ଉଦ୍ୟମରୁ ଜଟଣୀ ଠାରେ ନିଖିଳ ଓଡ଼ିଶା ଦିବ୍ୟଜୀବନ ସଂଘର ବାର୍ଷିକ ଉତ୍ସବ ହେଉଥାଏ । ଦିନେ ଆଲୋଚନା ପ୍ରସଙ୍ଗରେ ମହାମାନ୍ୟ ସ୍ୱାମୀ ଚିଦାନନ୍ଦ ମହାରାଜଙ୍କୁ ରାଜ୍ୟପାଳଙ୍କ ଅନୁରୋଧ ବିଷୟ କହିବାରୁ ସେ ଖୁସିହୋଇ କହିଲେ, ‘‘କୁଷ୍ଠରୋଗୀମାନଙ୍କର ସେବା କରିବା ମଧ୍ୟ ଦିବ୍ୟଜୀବନ ସଂଘର ଗୋଟିଏ କାର୍ଯ୍ୟକ୍ରମ । ଯଦି ତୁମେମାନେ ଏଠାରେ କୁଷ୍ଠରୋଗୀମାନଙ୍କ ପାଇଁ ଦାତବ୍ୟ ଚିକିତ୍ସାଳୟଟିଏ ଖୋଲ, ସେଥିରେ ଦିବ୍ୟଜୀବନ ସଂଘ ମଧ୍ୟ ସାହାଯ୍ୟ କରିବ ।” ସ୍ଵାମୀଜୀଙ୍କ ସହିତ ସବିଶେଷ ଆଲୋଚନା ପରେ ପ୍ରଥମେ ଦାତବ୍ୟ ଚିକିତ୍ସାଳୟଟିଏ ଖୋଲିବା ପାଇଁ ସ୍ଥିର ହେଲା ଏବଂ ସେହି କାର୍ଯ୍ୟ ମହିଳା ସମିତି ମାଧ୍ୟମରେ କରିବା ପାଇଁ ମୁଁ ଦେଇଥିବା ପ୍ରସ୍ତାବ ସମସ୍ତେ ଗ୍ରହଣ କରିନେଲେ । କହିଦେଲେ ତ କାମଟିଏ ହୋଇଯାଏ ନାହିଁ, ତେଣୁ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ମୁଁ ଏବଂ ମୋର ମହିଳା ସମିତିର ସଭ୍ୟମାନେ ନିଷ୍ଠାର ସହିତ ଲାଗିପଡ଼ିଲୁ । ଦିବ୍ୟଜୀବନ ସଂଘର ଭକ୍ତମାନେ ଆମକୁ ସାହାଯ୍ୟ କଲେ । ଆମେ ଘର ଘର ବୁଲି ଚାନ୍ଦା ସଂଗ୍ରହ କଲୁ । ରେଳବାଇ ପ୍ରଶାସନକୁ ଅନୁରୋଧ ଜଣାଇଲୁ ଗୋଟିଏ ଜାଗା ଦେବାପାଇଁ । ସାତକଡ଼ି ବାବୁଙ୍କ ଚେଷ୍ଟାରୁ ଡ଼ିଭିଜନ ଅଫିସ୍‌ ପାଖରେ ସଡ଼କ କଡରେ ଗୋଟିଏ ପ୍ଲଟ୍‌ ଆମକୁ ରେଳବାଇ ପ୍ରଶାସନ ଯୋଗାଇ ଦେଲେ । ପ୍ରାୟ ପଚାଶ ହଜାର ଟଙ୍କା ବ୍ୟୟ କରି ଆମେ ଗୋଟିଏ ଘର ତୋଳିଲୁ । ସେହି ଘର ହେଲା ପ୍ରଧାନ ଚିକିତ୍ସାକେନ୍ଦ୍ର ।

 

କୁଷ୍ଠ ରୋଗୀମାନଙ୍କର ଚିକିତ୍ସା କରିବା ଯେତେ ସହଜ ବୋଲି ଭାବୁଥିଲୁ ତାହା ସେତେ ସହଜ ହେଲାନାହିଁ । କୃଷ୍ଠରୋଗୀ ମାନଙ୍କ ଘା’ ସଫାକରିବା, ବ୍ୟାଣ୍ଡେଜ୍‌ ବାନ୍ଧିବା କାଯ୍ୟ କରିବା ପାଇଁ କେହି ସାହସ କଲେନାହିଁ । ଆମେ ଦୁହେଁ ଜଟଣୀ କ୍ୟାଥୋଲିକ୍‌ ଚର୍ଚ୍ଚକୁ ଯାଇ ମଦରଙ୍କୁ ଏସବୁ କଥା କହିଲୁ । ସେ ଅତି ଆଦରର ସହିତ ସାହାଯ୍ୟ କରିବା ପାଇଁ ରାଜି ହେଲେ । ସପ୍ତାହରେ ଦୁଇଦିନ ଚର୍ଚ୍ଚର ଭଉଣୀମାନେ ଆସି କୁଷ୍ଠରୋଗୀମାନଙ୍କ ସେବା କରିବା ପାଇଁ ବ୍ୟବସ୍ଥା କରାଗଲା । ବ୍ୟାଣ୍ଡେଜ୍‌ କନା ଓ ଆବଶ୍ୟକ ଔଷଧ ମଧ୍ୟ ସେମାନଙ୍କଠାରୁ ମିଲିଲା । ବହୁ ଚେଷ୍ଟା କରି ମଧ୍ୟ ଖୋର୍ଦ୍ଧା ଲେପ୍ରୋସି ଅଫିସରଙ୍କ ସାହାଯ୍ୟ ମିଳିଲା ନାହିଁ । ଏହା ସହିତ ଆଉ ଗୋଟିଏ ସମସ୍ୟା ଦେଖାଗଲା । କୁଷ୍ଠରୋଗୀମାନଙ୍କ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ଥିବାରୁ ସମସ୍ତେ ପ୍ରାୟ ଭିକ୍ଷା କରି ଚଳୁଥିଲେ । ସେମାନଙ୍କୁ ଲୁଗାଜାମା ଓ କିଛି କିଛି ଆର୍ଥିକ ସାହାଯ୍ୟ ମଧ୍ୟ ସମତି ତରଫରୁ ଦିଆଗଲା । କିନ୍ତୁ ରୋଗମୁକ୍ତ କୁଷ୍ଠରୋଗୀମାନଙ୍କୁ ସମାଜ ସ୍ଵାଗତ କରୁନଥିବାରୁ ସେମାନଙ୍କ ପାଇଁ ପୁନର୍ବାସନ କେନ୍ଦ୍ର ଖୋଲିବା ଅପରିହାର୍ଯ୍ୟ ମନେହେଲେ ମଧ୍ୟ ଆମେ ତାହା କରିପାରି ନଥିଲୁ । ଜଟଣୀରୁ କୃଷ୍ଠରୋଗ ଚିକିତ୍ସା କେନ୍ଦ୍ରଟି ସ୍ୱାମୀ ଚିଦାନନ୍ଦଜୀ ମହାରାଜଙ୍କ ଉପସ୍ଥିତିରେ ରାଜ୍ୟପାଳ ଶିବଶଙ୍କର ଉଦ୍‌ଘାଟନ କରିଥିଲେ । କିନ୍ତୁ ସେତେବେଳକୁ ଅଲ୍ଲୀ ଆକବର ଖାଁ ଆଉ ରାଜ୍ୟପାଳ ନଥିଲେ ମଧ୍ୟ ଶୁଭକାମନା ଏବଂ ଆଶୀର୍ବାଦ ଜଣାଇଥିଲେ ।

 

ଧୀରେ ଧୀରେ ଜଟଣୀ ମହିଳା ସମିତିର କାର୍ଯ୍ୟ ବଢ଼ିବାକୁ ଲାଗିଲା ଏବଂ ୧୯୭୪ ମସିହା ସୁଦ୍ଧା ଆମେ ପଲାସା, ବ୍ରହ୍ମପୁର, ପୁରୀ, ତାଳଚେର, ଭଦ୍ରକ, କଟକ ପ୍ରଭୃତି ସ୍ଥାନରେ ମହିଳା ସମିତିର ଶାଖା ସମିତିମାନ ଖୋଲିଥିଲୁ । ସବୁ ସମିତି ବର୍ଷକୁ ଥରେ ଗୋଟିଏ ବଡ଼ ସମ୍ମିଳନୀ କରୁଥିଲେ, ସେଥିରେ ହାତକାମ ପ୍ରଦର୍ଶନୀ କରାଯାଉଥିଲା ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ସ୍ଥାନ ପାଉଥିଲା । ମହିଳା ସମିତି କାମ ମାଧ୍ୟମରେ ପଲାସାରୁ ଭଦ୍ରକ ପର୍ଯ୍ୟନ୍ତ ଏବଂ ତାଳଚେରରୁ ପୁରୀ ପର୍ଯ୍ୟନ୍ତ ରେଳବାଇ ଇଲାକାରେ ମହିଳା ଜାଗରଣ ଦେଖାଦେଇଥିଲା । ଭୁବନେଶ୍ୱର କଂଗ୍ରେସ ମହାସମାବେଶରେ ଯୋଗ ଦେବାପାଇଁ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଆମକୁ ଆମନ୍ତ୍ରଣ କରିବାରୁ ପ୍ରାୟ ହଜାରେ ମହିଳାଙ୍କ ନେତୃତ୍ୱ ନେଇ ମୁଁ ଶୋଭାଯାତ୍ରାରେ ସଭାସ୍ଥଳକୁ ଯାଇଥିଲି । କିନ୍ତୁ ସେତେବେଳେ ମଧ୍ୟ ଜାଣିନଥିଲି ଯେ, ମହିଳା ସମିତି ସଂଗଠନର ସଫଳତା ମୋତେ ରାଜନୀତି ଭିତରକୁ ନେଇଯିବ । ଦିନେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋତେ ଓଡ଼ିଶା କଂଗ୍ରେସ ପ୍ରଚାର କମିଟିର ଆବାହିକା ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଦେବା ପରେ ରାଜନୀତିରେ ପଶିବା ପାଇଁ ବିଶେଷ ଇଚ୍ଛା ନଥିବା ସତ୍ତ୍ୱେ ମୁଁ ପରିସ୍ଥିତିର ଆହ୍ଵାନକୁ ଏଡାଇ ଦେଇନପାରି ମହିଳା କଂଗ୍ରେସ ଆବାହିକା ପଦରେ ଯୋଗଦେଲି । ଏହି ପଦରେ ଥିବାବେଳେ ମୋର ଦୃଷ୍ଟିକୋଣ ଆହୁରି ପ୍ରସାରିତ ହେଲା ଏବଂ ମୁଁ ଭାବିଲି ଯେ, ସୁବିଧା ସୁଯୋଗ ମିଳିଲେ ପ୍ରତ୍ୟେକ ନାରୀ ଭିତରେ ଥିବା ଲୁକ୍‌କାୟିତ ଶକ୍ତିକୁ ଲୋକ ସଂଗ୍ରହ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ ।

Image

 

ରାଜନୀତିର ଆକର୍ଷଣ ମହୁଫେଣା ପରି

 

ରାଜନୀତି ପ୍ରତି ଉଣା ଅଧିକ ଅଧିକାଂଶ ଲୋକ ଆକୃଷ୍ଟ । କାରଣ ରାଜନୀତି ସହିତ ରାଜ୍ୟ ଶାସନର ନୀତି ସଂପର୍କିତ । ରାଜା ମହାରାଜାମାନେ ଶହ ଶହ ବର୍ଷ ଧରି ପ୍ରଜାମାନଙ୍କୁ ଶାସନ କରୁଥଲେ । ସେମାନଙ୍କ ମଧ୍ୟରୁ ଅଳ୍ପକେତେକ ନିଜର ବୁଦ୍ଧି ଓ ବିଚକ୍ଷଣତା ଦ୍ଵାରା ରାଜାଙ୍କ ଅନୁଗ୍ରହ ଲାଭ କରି ଶାସନ ସହିତ ସଂପୃକ୍ତ ହେଉଥି‌ଲେ । ତେଣୁ ଯେଉଁମାନେ ଶାସନ ସହିତ ସଂପୃକ୍ତ ଓ ରାଜଦଣ୍ଡ ବ୍ୟବହାର କରନ୍ତି ସେମାନଙ୍କର ଗୋଟିଏ ଅଲଗା ଗୋଷ୍ଠୀ । ସେମାନଙ୍କୁ ପ୍ରଶାସକ କୁହାଯାଏ । ପ୍ରଶାସନରେ ଅମଲାମାନେ ରହନ୍ତି ବୋଲି ଏବଂ ସେହିମାନଙ୍କ ମାଧ୍ୟମରେ ଶାସନ କାର୍ଯ୍ୟ ହୁଏ ବୋଲି ଏହା ଅମଲାତନ୍ତ୍ର ନାମରେ ପରିଚିତ ।

 

ଧର୍ମ ହିଁ ଦଣ୍ତର ରୂପାନ୍ତର ମାତ୍ର । ମନୁ ଲେଖିଛନ୍ତି :

 

‘‘ଦଣ୍ଡଃ ଶାସ୍ତି ପ୍ରଜାଃ ସର୍ବା,

ଦଣ୍ଡ ଏବାତ୍ତିରକ୍ଷତି ।

ଦଣ୍ଡଃ ସୁପ୍ତେଷୁ ଜାଗତି,

ଦଣ୍ଡଂ ଧର୍ମଂ ବିଦୁର୍ବୁଧାଃ ।’’

 

ଦଣ୍ଡ ସଦାବେଳେ ଧର୍ମ ଦ୍ଵାରା ପରିଚାଳିତ ହେବା ଉଚିତ । ରାଜା ଯଦି ଅଧର୍ମ କରେ ତେବେ ବହିଷ୍କାର ବା ହତ୍ୟା କରିବାର ଅଧିକାର ପ୍ରଜାର ଅଛି । ମହାଭାରତରେ ଏ ସଂପର୍କରେ ବହୁକଥା କୁହାଯାଇଛି । ଗଣତନ୍ତ୍ର ଶାସନ ଦେଶରେ ପ୍ରତିଷ୍ଠିତ ହେବା ପରେ ରାଜାମାନଙ୍କ ସ୍ଥାନରେ ମନ୍ତ୍ରୀମାନଙ୍କ ହାତରେ ରାଜଦଣ୍ଡ ରହିଲା । ସେମାନେ କ୍ଷମତାର ଅଧିକାରୀ ହେଲେ । ଜନସାଧାରଣଙ୍କୁ ଆୟତ୍ତ କରିବା ପାଇଁ ଆଉ କ୍ଷମତା ବ୍ୟବହାର ନ କରି ସେମାନଙ୍କର ସର୍ବବିଧ କଲ୍ୟାଣ ସକାଶେ ମଧ୍ୟ ତାହା ବ୍ୟବହାର କରାଗଲା । ତେଣୁ ଗଣତନ୍ତ୍ରରେ ପ୍ରଜାମାନେ ଶାସନ ମାଧ୍ୟମରେ କ୍ଷମତା ବ୍ୟବହାର କରିବାର ସୁଯୋଗ ପାଇଲେ । ପୂବକାଳରୁ ମହିଳାମାନେ ଶାସନ ସହିତ ସଂପୃକ୍ତ ଥିବା କିଛି କିଛି ପ୍ରମାଣ ମିଳିଥିଲେ ମଧ୍ୟ ସେମାନେ ରାଜନୀତି ସହିତ ବିଶେଷ ସଂପୃକ୍ତ ନ ଥିଲେ । ମହାତ୍ମା ଗାନ୍ଧି କଂଗ୍ରେସର ନେତୃତ୍ୱ ନେବାପରେ ମହିଳାମାନଙ୍କୁ ବହୁ ସଂଖ୍ୟାରେ ରାଜନୀତିରେ ପ୍ରବେଶ କରିବା ପାଇଁ ସୁବିଧା ମିଳିଲା । ମହିଳା ନେତ୍ରୀମାନେ କଂଗ୍ରେସର କର୍ମକର୍ତ୍ତା ମଧ୍ୟ ହୋଇଥିଲେ ! ଆନିବେଶାନ୍ତ ଓ ସରୋଜିନୀ ନାଇଡ଼ୁ କଂଗ୍ରେସ ସଭାପତି ହେବାର ଗୌରବ ପାଇଥିଲେ । ସ୍ଵାଧୀନତା ପରେ ମଧ୍ୟ ବହୁ ଶିକ୍ଷିତା ମହିଳା ରାଜନୀତିରେ ଯୋଗଦେବାର ସୁଯୋଗ ଆସିଲା । ମହିଳାମାନଙ୍କ ସ୍ଵାର୍ଥ ସଂରକ୍ଷଣ କଟିବା ପାଇ ସେମାନଙ୍କୁ ସଂଗଠିତ କରିବା ଆବଶ୍ୟକ ହେଲା । ଏହି କାରଣରୁ ଛାତ୍ର କଂଗ୍ରେସ ଓ ଶ୍ରମିକ କଂଗ୍ରେସ ପରି ମହିଳା କଂଗ୍ରେସ ଓ ଯୁବ କଂଗ୍ରେସ ସୃଷ୍ଟି କରାଗଲା । ଏହାଦ୍ଵାରା ମହିଳାମାନେ ଅଧିକ ସଂଖ୍ୟାରେ ରାଜନୀତିରେ ପ୍ରବେଶ କରିବା ସୁଯୋଗ ପାଇଲେ । ଯେଉଁମାନେ ସମାଜସେବା ସହିତ ସଂପୃକ୍ତ ଥିଲେ ବା ଲୋକ ସଂଗଠନ କାର୍ଯ୍ୟ କରୁଥିଲେ ସେମାନଙ୍କୁ ରାଜନୀତିରେ ପ୍ରବେଶ କରିବା ପାଇଁ ଉତ୍ସାହ ଦିଆଯାଉଥିଲା । ସମାଜ କଲ୍ୟାଣ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ନିଜର ନିଷ୍ଠା ଓ ଅନୁରକ୍ତି ଦ୍ଵାରା ଅନ୍ୟମାନଙ୍କର ଶ୍ରଦ୍ଧା ଅର୍ଜନ କରୁଥିଲେ। ଏଣୁ ମହିଳା ସମିତି ମାଧ୍ୟମରେ ମୁଁ ଜଟଣୀ ଓ ଅନ୍ୟାନ୍ୟ ଅଞ୍ଚଳର ମହିଳାମାନଙ୍କୁ ସଂଗଠିତ କରୁଥିବା ସୂଚନା ପାଇ ପ୍ରଦେଶ କଂଗ୍ରେସ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ମୋତେ ଆମନ୍ତ୍ରଣ ମିଳିଲା । ପ୍ରଦେଶ କଂଗ୍ରେସ ଅଫିସକୁ ଆସି ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହିତ ମିଶିବାର ସୁଯୋଗ ପାଇଥିଲି । ସେତିକିବେଳେ ବିଭିନ୍ନ କଂଗ୍ରେସ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁବିଧା ମୋତେ ମିଳିଥଲା । ଜୁଲାଇ କି ଅଗଷ୍ଟମାସରେ ଥରେ ଭୁବନେଶ୍ୱର ଠାରେ ଗୋଟିଏ ବଡ଼ ର‍୍ୟାଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜନ କରା ହେଉଥାଏ । ଏ ମହିଳାମାନଙ୍କ ନେତୃତ୍ଵ ନେବା ପାଇଁ ଶ୍ରୀମତୀ ନନ୍ଦନୀ ଶତପଥୀ ମୋତେ ଉତ୍ସାହିତ କରୁଥାନ୍ତି । ସେହି ର‍୍ୟାଲିରେ ଜଟଣୀ ଅଞ୍ଚଳର ପ୍ରାୟ ହଜାରେ ମହିଳା ଯୋଗ ଦେଇଥିଲେ । ଶୋଭାଯାତ୍ରାର ଅଗ୍ରଭାଗରେ ମହିଳା କଂଗ୍ରେସର ପତ।କା ଧରି ଆମେ ଆଗେ ଆଗେ ଚାଲିଥାଉ । ମହିଳାମାନଙ୍କର ଶୃଙ୍ଖଳା ଆଦର୍ଶ ସ୍ଥାନରେ ଥିଲା । ବିରାଟ ର‍୍ୟାଲିରେ ମହିଳାମାନେ ବାରି ହୋଇପଡ଼ୁଥଲେ । ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଓ ଅନ୍ୟ ନେତାମାନେ ଉଦ୍‌ବୋଧନ ଦେଇଥିଲେ । ଏହା ପରେ ମୁଁ ସକ୍ରିୟ ରାଜନୀତି ସହିତ ସଂପୃକ୍ତ ହୋଇଗଲି ଏବଂ ଅଗଷ୍ଟ.ମାସରେ କଂଗ୍ରେସର ପୁନର୍ଗଠନ ସମୟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ମୋତେ କଂଗ୍ରେସ ପ୍ରଚାର କମିଟିର ଆବାହିକା ନିଯୁକ୍ତ କରାଗଲା । ପରେ ଶୁଣିଲି ଯେ, ନନ୍ଦିନୀ ଦେବୀ ଓ ଅନ୍ୟାନ୍ୟ ନେତାଙ୍କ ଇଚ୍ଛାରୁ ହିଁ ଏହା ସମ୍ଭବ ହୋଇଥିଲା । ମହିଳାମାନଙ୍କୁ କଂଗ୍ରେସ ଅନୁଷ୍ଠାନ ପ୍ରତି ଆକୃଷ୍ଟ କରିବା ଲାଗି ମୋତେ ଏହି ସୁଯୋଗ ମିଳିଯିବାରୁ ପ୍ରତି ସପ୍ତାହରେ ମୋତେ ପ୍ରାୟ ଦୁଇ ତିନିଥର ଜଟଣୀରୁ ଭୁବନେଶ୍ୱରକୁ ଆସିବାକୁ ପଡୁଥିଲା ସଂଗଠନ କାମ ବୁଝାବୁଝି କରିବା ପାଇଁ । ତା’ ଛଡ଼ା ଓଡ଼ିଶାର ବିଭିନ୍ନ ସ୍ଥାନକୁ ଗ୍ରସ୍ତରେ ଯିବାକୁ ପଡ଼ୁଥିଲା । ସେତେବେଳେ ସମ୍ବଲପୁରର କଂଗ୍ରେସ ବିଧାୟିକା ସୈରିନ୍ଧ୍ରୀ ନାୟକ ଏବଂ ଭୁବନେଶ୍ଵରର ଚନ୍ଦ୍ରିକା ମହାପାତ୍ର ମୋତେ ଏହ କାର୍ଯ୍ୟରେ ଅନେକ ସାହାଯ୍ୟ କରୁଥିଲେ । ଆମେ ସାଙ୍ଗ ହେଇ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବହୁ ଅଞ୍ଚଳ ଗସ୍ତରେ ଯାଇଛୁ । ସେତିକିବେଳେ ଗ୍ରାମାଞ୍ଚଳର ପ୍ରକୃତ ଅବସ୍ଥା ମୁଁ ପ୍ରତ୍ୟକ୍ଷ ଦେଖିଲି । ଶିକ୍ଷା ଓ ସଚେତନତା ଅଭାବରୁ ଗାଁର ମହିଳାମାନେ କେବଳ ଘରକୋଣରେ ବନ୍ଦୀ ହୋଇ ରହୁଥିଲେ । ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଉଥିଲେ । ଉଚ୍ଚଶିକ୍ଷା ପାଇଥିବା ମହିଳାମାନେ ମଧ୍ୟ ବାହା ହୋଇଯିବା ପରେ ସାମାଜିକ ଚଳଣିକୁ ମାନ୍ୟତା ଦେଇ ଘରର ବୋହୂ ଭାବରେ ଚଳୁଥିଲେ । ସେମାନଙ୍କୁ ସଂଗଠିତ କରିବା ସହଜ କାମ ନଥିଲା । କିନ୍ତୁ ଏହା ମଧ୍ୟ ଅନୁଭବ କରୁଥିଲେ ଯେ, ମୂକ, ନିରୀହ ଓ ସରଳ ମହିଳାମାନଙ୍କୁ ସଂଗଠିତ ନ କଲେ ସେମାନଙ୍କର ଲୁକ୍କାୟିତ ଶକ୍ତି ସମାଜ କଲ୍ୟାଣ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ବା ସମାଜ କଲ୍ୟାଣ କାର୍ଯ୍ୟରେ ସେମାନେ ଅଂଶଗ୍ରହଣ କରିପାରିବେ ନାହିଁ । ସାମାଜିକ କାର୍ଯ୍ୟରୁ ମହିଳାମାନେ ବିଚ୍ଛିନ୍ନ ହୋଇ ରହୁଥିବାରୁ ପୁରୁଷମାନଙ୍କର ସୁବିଧା ପାଇଁ ସବୁ ହୁଏ ଏବଂ ରାସ୍ତାକଡ଼ର ଦର୍ଶକ ପରି ମହିଳାମାନେ ନୀରବରେ ସବୁ ସହ୍ୟ କରିଯାନ୍ତି ।

 

ପ୍ରକୃତରେ କହିବାକୁ ଗଲେ ନାରୀ ଜାଗରଣ ସକାଶେ ମହାତ୍ମା ଗାନ୍ଧି ଯାହା କରିଛନ୍ତି ତାହା ଅନ୍ୟ କେହି କରିନାହାନ୍ତି । ନାରୀମାନେ ଦୁର୍ଗା, ସୀତା ଓ ସାବିତ୍ରୀଙ୍କ ଅଂଶ ବୋଲି କୁହାଯାଇଛି । ସେମାନଙ୍କୁ ଦେବୀ ରୂପେ ସ୍ତୁତି କରାଯାଇଛି । କିନ୍ତୁ ପୁରୁଷ ସେମାନଙ୍କୁ ସମଧର୍ମାର ଆସନ ଦେଇନାହିଁ । ମହାତ୍ମା ଗାନ୍ଧି ଲେଖଛନ୍ତି ଯେ, ‘ପୁରୁଷ ଓ ନାରୀ ମଧ୍ୟରେ ନାରୀ ହି ମହତ୍ତର, କାରଣ ସେ ଆଜି ମଧ୍ୟ ତ୍ୟାଗ, ନୀରବରେ କଷ୍ଟ ସହିବା, ନମ୍ରତା, ବିଶ୍ଵାସ ତଥା ଜ୍ଞାନର ମୂର୍ତ୍ତ ରୂପ ହୋଇ ରହିଛି । ନାରୀ ଆପଣାକୁ ଆଉ ପୁରୁଷର କାମନା ଚରିତାର୍ଥ କରିବାର ଏକ ମାଧ୍ୟମ ବୋଲି ଆଦୌ ବିଚାର କରିବ ନାହିଁ । ଏହାର ପ୍ରତିକାର ପୁରୁଷ ଅପେକ୍ଷା ତା ନିଜ ହାତରେ ଅଧିକ ଅଛି ।’ ଗାନ୍ଧିଜୀ ଆଉ ଗୋଟିଏ ଜାଗାରେ କହିଛନ୍ତି “ନାରୀକୁ ଦୁର୍ବଳତର ବା ନିମ୍ନ ବୋଲି କହିବା ଅପମାନଜନକ କଥା । ଏହାଦ୍ୱାରା ପୁରୁଷ ନାରୀ ପ୍ରତି ଅନ୍ୟାୟ କରୁଛି ।’ ପୁଣି ଆଉ ଗୋଟିଏ ସ୍ଥାନରେ ସେ କହିଛନ୍ତି ‘ନାରୀ ହେଉଛି ପୁରୁଷର ସହକାରିଣୀ, ପୁରୁଷ ପରି ତା’ର ମଧ୍ୟ ସମାନ ମାନସିକ ସାମର୍ଥ୍ୟ ମଧ୍ୟ ରହିଛି । ପୁରୁଷର ଟିକିନିଖି ସକଳ କାର୍ଯ୍ୟରେ ସାଥୀରୂପେ ଅଂଶଗ୍ରହଣ କରିବାକୁ ନାରୀର ଅବଶ୍ୟ ଅଧିକାର ରହିଛି ଏବଂ ପୁରୁଷ ସହିତ ତା’ର ମଧ୍ୟ ସ୍ୱାଧୀନତା ଏବଂ ମୁକ୍ତିଲାଗି ସମାନ ଅଧିକାର ରହିଛି ।

 

ନାରୀ ଅନ୍ଧତା ଭିତରେ ରହିଥିବାରୁ ନିଜର ଅଧିକାର ସଂପର୍କରେ ଜାଣିନାହିଁ । ଶିକ୍ଷା ଏବଂ ସଚେତନତାର ପ୍ରସାର ଦ୍ଵାରା ତାହା ଦୂର କରାଯାଇପାରିବ ବୋଲି ମୁଁ ବଶ୍ୱାସ କରେ । ତେଣୁ କଂଗ୍ରେସ ପରି ଗୋଟିଏ ଜାତୀୟ ଅନୁଷ୍ଠାନର ପ୍ରାଦେଶିକ ଶାଖା ମାଧ୍ୟମରେ ମହିଳାମାନଙ୍କର ଭଲମନ୍ଦ ବୁଝିବା ଏବଂ ସେମାନଙ୍କୁ ସଂଗଠିତ କରିବାର ଦାୟିତ୍ୱ ନେଇ ମୁଁ ଖୁସିହେଲି ସତ କିନ୍ତୁ ହଠାତ୍‌ ମୋର ପାରିବାରିକ ଜୀବନ ରାଜନୈତିକ ହୋଇ ଉଠିବାରୁ ମୋତେ ସଂଗଠନ ସକାଶେ ବହୁସମୟ ଦେବାକୁ ପଡ଼ଲା । ଜଟଣୀରେ ଥିଲାବେଳେ ଆମେ ମୁଣ୍ତିଆ ଉପରେ ଥିବା ବଡ଼ ସରକାରୀ ବଙ୍ଗଳାରେ ରହୁଥିଲୁ । ଆମେ ଆସିବା ପର୍ଯ୍ୟନ୍ତ ସେହି ଫାଟକ ସାଧାରଣଙ୍କ ପାଇଁ ଖୋଲା ନ ଥିଲା । କିନ୍ତୁ ମୁଁ ମହିଳା କଂଗ୍ରେସର ଦାୟିତ୍ଵ ନେବାପରେ ପ୍ରତିଦିନ ସରକାରୀ ବଙ୍ଗଳାରେ ମହିଳାମାନଙ୍କର ଭିଡ଼ ଜମିଲା । ସାତକଡ଼ି ବାବୁ ରେଳବାଇ ଡିଭିଜନର କର୍ତ୍ତା ଥିବାରୁ ତାଙ୍କୁ ଅବଶ୍ୟ ଅଡୁଆ ଅଡ଼ୁଆ ଲାଗୁଥାଏ । କିନ୍ତୁ କ୍ରମଶଃ ଆମ ମଧ୍ୟରେ ଗୋଟିଏ ବୁଝାମଣା ହୋଇଗଲା । ପାଞ୍ଚଟି ପୁଅ ଝିଅର ଦାୟିତ୍ଵରେ ରହି ମଧ୍ୟ ସେମାନଙ୍କର ତତ୍ତ୍ୱ ନେବାପାଇଁ ମୁଁ ଭୁଲିନଥିଲି । ଏବଂ ସେମାନଙ୍କର ଖାଇବା ପିଇବା, ପୋଷାକ, ପରିଧାନ ଓ ପାଠ ପଢ଼ିବାରେ ଯେପରି ବିଘ୍ନ ବା ଅବହେଳା ନହୁଏ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖୁଥିଲି, କିନ୍ତୁ ବେଳେ ବେଳେ ଜଟଣୀ ଓ ଭୁବନେଶ୍ଵର ବାହାରକୁ ଗସ୍ତରେ ଯିବାକୁ ପଡ଼ୁଥିବାରୁ ଦୁଇ ତିନିଦିନ ବାହାରେ ରହିଯିବାରୁ ପଡ଼ୁଥିଲା । ମୋ ପୁଅଝିଅମାନେ ମୋ ପ୍ରତି ଏତେ ଅନୁରକ୍ତ.ଥିଲେ ଯେ, ମୋ କାର୍ଯ୍ୟରେ କେବେହେଲେ ବାଧା ସୃଷ୍ଟି ନ କରି ବରଂ ସେମାନେ ମୋର ସହାୟକ ହେଉଥିଲେ।

 

କିନ୍ତୁ ଜଣେ ଉଚ୍ଚ ସରକାରୀ ଅଫିସରଙ୍କ ସ୍ତ୍ରୀ ଯେ ଏଭଳି ସକ୍ରିୟ ରାଜନୀତିରେ ଯୋଗଦେବେ ତାହା ଅନେକ ସହ୍ୟ କରିପାରିଲେ ନାହିଁ । ସେତେବେଳେ ଓଡ଼ିଶା କଂଗ୍ରେସ ଦଳ ଦୁଇଭାଗରେ ଵିଭକ୍ତ ହୋଇଯାଇଥିଲା ଏବଂ ନନ୍ଦିନୀ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀତ୍ୱରୁ ହଟାଇ ଦେବାପାଇଁ ଅସନ୍ତୁଷ୍ଟ ଗୋଷ୍ଠୀ ଚିନ୍ତା କରୁଥାନ୍ତି । ନନ୍ଦିନୀ ଶ୍ରତ୍‌ପଥୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଇଚ୍ଛାରୁ ଓଡିଶାରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ତାଙ୍କର ଗୋଟିଏ ସ୍ଵତନ୍ତ୍ର ବ୍ୟକ୍ତିତ୍ଵ ଥଲା । ସେତେବେଳେର ସଞ୍ଜୟ ଗାନ୍ଧିଙ୍କ ସହିତ ତାଙ୍କର ସେଭଳି ସୌହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ନଥିଲା । ଅସନ୍ତୁଷ୍ଟ ଗୋଷ୍ଠୀ ସଞ୍ଜୟ ଗାନ୍ଧିଙ୍କୁ ଆଢୁଆଳରେ ରଖି ନନ୍ଦିନୀ ଶତପଥୀଙ୍କୁ କ୍ଷମତାଚ୍ୟୁତ କରିବା ସକାଶେ ପ୍ରତ୍ୟକ୍ଷ ଭାବେ ଆନ୍ଦୋଳନ କରୁଥିଲେ । କେମ୍ପେନ୍‌ କମିଟିର କଂଗ୍ରେସ ଆବାହିକା ଥିବାରୁ ମହିଳା କଂଗ୍ରେସ ଓ ମୋର ସମର୍ଥନ ନନ୍ଦିନୀ ଦେବୀଙ୍କ ପତି ଥିଲା । କିନ୍ତୁ ଅନ୍ୟ ନେତାମାନଙ୍କ ସହିତ ମଧ୍ୟ ମୋର ସୁ- ସମ୍ପର୍କ ଥିଲା । ରେଳବାଇରେ ଦୁଇଟି ଟ୍ରେଡ ୟୁନିୟନ କାର୍ଯ୍ୟ କରୁଥିଲେ । ଗୋଟିଏ କଂଗ୍ରେସ ଦ୍ୱାରା ପରିଚାଳିତ ଏବଂ ଅନ୍ୟଟି ବାମପନ୍ଥୀମାନଙ୍କ ଦ୍ୱାରା ପରିଚାଳିତ । ଏହି ଦୁଇ ଟ୍ରେଡ଼୍‌ ୟୁନିୟନ୍ନ ପ୍ରତ୍ୟକ୍ଷ ରାଜନୀତି ସହିତ ମଧ୍ୟ ସଂପୃକ୍ତ ଥିଲେ ।

 

୧୯୭୪ ମସିହାର ରେଳବାଇ ଧର୍ମଘଟ ଖୋର୍ଦ୍ଧାରୋଡ଼ ଡ଼ିଭିଜନରେ ବିଫଳ ଦେବା ପରେ ଏବଂ ଧର୍ମଘଟ ସପକ୍ଷରେ ଥିବା କର୍ମଚାରୀମାନଙ୍କ ମଧ୍ୟରେ ଶୃଙ୍ଖଳା ଫେରାଇ ଆଣିବା ପାଇଁ ଦୃଢ଼ ପଦକ୍ଷେପ ନିଆଯାଇଥିଲା । ଏଥିପାଇଁ କେତେକ ରେଳବାଇ କର୍ମଚାରୀ ସାତକଡ଼ି ବାବୁଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଏହି କାରଣରୁ ମୋର ରାଜନୀତିରେ ଯୋଗଦାନ ସେମାନଙ୍କର ଚକ୍ଷୁଶୂଳ ହୋଇଥିଲା । ମଝିରେ ମଝିରେ ସେମାନେ ବିଭିନ୍ନ ପ୍ରଚାରପତ୍ର ବାଣ୍ଟୁଥିଲେ ଏବଂ ସରକାରୀ ବଙ୍ଗଳାରୁ ମହିଳା କଂଗ୍ରେସ କାମ କରୁଥିବା ଅଭିଯୋଗ କରୁଥିଲେ । କିନ୍ତୁ ତା ସତ୍ତ୍ଵେ ଜଣେ ସରକାରୀ ଅଫିସର ଭାବେ ରାଜନୀତିରେ ଯୋଗଦେବା ସାତକଡ଼ିବାବୁଙ୍କ ପକ୍ଷେ ସମ୍ଭବ ନଥିଲା । ସେ ମୋତେ ସାହାଯ୍ୟ କରୁନଥିଲେ ବା ବାଧା ମଧ୍ୟ ଦେଉନଥିଲେ । ତଥାପି ମଝିରେ ମଝିରେ ବିଭିନ୍ନ ସୂତ୍ରରୁ ରେଳ ମନ୍ତ୍ରାଳୟ ଏବଂ ହେଡ଼ କ୍ଵାର୍ଟସକୁ ତାଙ୍କ ବିରୋଧରେ ବେନାମୀ ଚିଠି ପଠାଯାଉଥାଏ । ସେହିସବୁ ଚିଠି ଉପରେ ମନ୍ତବ୍ୟ ଦେବା ସକାଶେ ପୁଣି ତାହା ସାତକଡ଼ିବାବୁଙ୍କ ପାଖରୁ ଆସୁଥାଏ । ସେଇଥିରୁ ମୁଁ ଜାଣିଗଲି ଯେ, ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ମୁଁ ଆବାହିକା ଦାୟିତ୍ଵ ନେବାଦ୍ଵାରା ସମସ୍ତେ ସନ୍ତୁଷ୍ଠ ହୋଇନାହାନ୍ତି । ରାଜନୀତି କଲେ ଯେ ବିନା ଶ୍ରମ ଓ ତ୍ୟାଗରେ କିଛି କରିହୁଏ ନାହିଁ ମୁଁ ସେହିଦିନ ଏହା ବୁଝିଗଲି ଏବଂ ମୋର ସକ୍ରିୟତା ଆହୁରି ବଢ଼ିଗଲା । ନେତାମାନଙ୍କ ସଂପର୍କରେ ଆସି ମୁଁ ଆହୁରି ବି ଜାଣିଗଲି ଯେ, ରାଜନୀତି କେବଳ ଶାସନ ନୀତି ସହ ସଂପୃକ୍ତ ନୁହେଁ କ୍ଷମତାର ଅଧିକାରୀ ହେବା ନିମନ୍ତେ ଅଦୃଶ୍ୟରେ ବା ପ୍ରକାଶରେ ନିରନ୍ତର ଯେଉଁ ଟଣାଭିଡ଼ା ଚାଲିଥାଏ ଏଥିରେ ତାହା ରୂପାନ୍ତରିତ ହୁଏ ।

Image

 

ଆଦର୍ଶ ନ ଥିଲେ ଅସନ୍ତୁଷ୍ଟ

 

ଗଣତନ୍ତ୍ରରେ ପ୍ରତ୍ୟେକ ଦଳର ସ୍ଵତନ୍ତ୍ର ଆଦର୍ଶ, ଲକ୍ଷ୍ୟ ଓ ନୀତି ଥାଏ । କଂଗ୍ରେସ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱ ଗ୍ରହଣ କରି ଶୋଷଣବିହୀନ ସମାଜ ପ୍ରତିଷ୍ଠା କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିଲା ! ଇଂରେଜମାନେ ଏ ଦେଶକୁ ଶୋଷଣ କରୁଥିଲେ । ତେଣୁ ସେମାନଙ୍କୁ ଏ ଦେଶରୁ ବାହର କରିବା ପାଇଁ ସ୍ଵାଧୀନତା ସଂଗ୍ରାମ ହେଲା । ପୁଣି କଂଗ୍ରେସ ଧର୍ମନିରପେକ୍ଷତା ଓ ସାମାଜିକ ନ୍ୟାୟରେ ବିଶ୍ୱାସ କରୁଥିବାରୁ ଜାତି, ଧର୍ମ, ବନ୍ଦ ନିର୍ବିଶେଷରେ ସବୁ ଶ୍ରେଣୀର ଲୋକ କଂଗ୍ରେସ ଅନୁଷ୍ଠାନ ଭିତରେ ଥଲେ । ଗାନ୍ଧିଜୀଙ୍କ ମତରେ ଧର୍ମକୁ ଛାଡ଼ି ରାଜନୀତି ତିଷ୍ଠି ରହିପାରିବ ନାହିଁ । ସେ ଧର୍ମକଥା କହିଲାବେଳେ କୌଣସି ନିଦ୍ଦିଷ୍ଟ ଧର୍ମ ବିଷୟ ନକହି ସବୁ ଧର୍ମର ମହାନ୍‌ ନୀତି ଓ ଶୃଙ୍ଖଳା କଥା କହୁଥିଲେ ! ଧର୍ମ ସହିତ ନୀତିବୋଧ, ନିଷ୍ଠା, କର୍ତ୍ତବ୍ୟ ପରାୟଣତା, ସଞ୍ଜାମ ଓ ଶୃଙ୍ଖଳା ଉଚିତ ହୋଇ ରହିଥାଏ । ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତ ସ୍ଵାଧୀନ ହେଲା ସତ କିନ୍ତୁ ପରବର୍ତ୍ତୀ କାଳରେ ତାଙ୍କ ଆଦର୍ଶ, ଶୃଙ୍ଖଳା, ନିଷା ଓ ନୀତିବୋଧ ମାନିନେଇ ପାରିଲା ନାହିଁ। ସତ୍ୟ ଅହିଂସା ପ୍ରତି ମଧ୍ୟ ନେତାମାନଙ୍କର ବିଶ୍ୱାସ ନଥିଲା । ତେଣୁ ଆଦର୍ଶ । ଅପେକ୍ଷା ତାତ୍‌କାଳିକ ସ୍ଵାର୍ଥ ସାଧନ କରିବା ଓ ଦଳକୁ ସେହି କାର୍ଯ୍ୟରେ ନିୟୋଜିତ କରିବା ପାଇଁ ନେତାମାନେ ଅଧିକ ତତ୍ପରତା ପ୍ରକାଶ କରୁଥିଲେ । ସେଥିପାଇଁ କେତେକଙ୍କ ଉଚ୍ଚାଭିଳାଷ ପୂର୍ଣ୍ଣ କରିବା ପାଇଁ ଦଳୀୟ ସଂଗଠନ ଓ ଶକ୍ତି ବ୍ୟବହାର କରାଯାଉଥିଲା । ସେହି କାରଣରୁ ନିଜର ଉଦ୍ଦେଶ୍ୟ ସିଦ୍ଧି ଉଦ୍ଦେଶ୍ୟରେ କେତେକ ନେତା ଭିନ୍ନ ଗୋଷ୍ଠୀ ଗଠନ କରି ଶାସନ ଓ ଦଳରେ ନିଜର କର୍ତ୍ତ୍ୱତ୍ଵ ଜାହିର କରିବା ପାଇଁ ଉଦ୍ୟମ କରୁଥିଲେ । ୧୯୭୬ ମସିହାରେ ଭାରତୀୟ ରାଜନୀତିରେ ଇନ୍ଦିରା ଗାନ୍ଧିଙ୍କ ସାନପୁଅ ସଞ୍ଜୟ ଗାନ୍ଧିଙ୍କର ଆବିର୍ଭାବ ହୁଏ । ଜରୁରିକାଳୀନ ଅବସ୍ଥା ଜାରି ହେବା ବେଳକୁ ତାଙ୍କର ପ୍ରଭାବ ଆହୁରି ବଢ଼ିଯାଏ । ସଞ୍ଜୟ ଗାନ୍ଧି ନୂଆ କିଛି କରିବା ପାଇଁ ଉଦ୍ୟମ କରୁଥିଲେ । ସେ ଜନ୍ମ ନିୟନ୍ତ୍ରଣ ପରିବେଶର ସୁରକ୍ଷା ଓ ବୃକ୍ଷରୋପଣ ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ । ସେତେବେଳେ ସେହି କାମ ପ୍ରତି ଯଦି ଲୋକମାନେ ଆକୃଷ୍ଟ ହୋଇଥାନ୍ତେ ତେବେ ଆଜି ଦେଶର ଅବସ୍ଥା ଭିନ୍ନ ପ୍ରକାର ହୋଇଥାନ୍ତା । କିନ୍ତୁ ଭାରତରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଚଳୁଥିବାରୁ ଉଦ୍ଦେଶ୍ୟ ଯେତେ ମହତ୍‌ ହେଲେ ମଧ୍ୟ ତାହା ଗଣତାନ୍ତ୍ରିକ ରୀତିରେ କରାଯାଉ ବୋଲି ଲୋକମାନେ ଆଶା କରୁଥିଲେ । କିନ୍ତୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ କାଯ୍ୟକରିବା ସମୟ ସାପେକ୍ଷ, କାରଣ ସବୁ ଲୋକମାନଙ୍କୁ ବୁଝାଇ ସୁଝାଇ ସେମାନଙ୍କ ସହମତ ଆଦାୟ କରିବା ଗଣତାନ୍ତ୍ରିକ ରୀତି, ତାହା ନକଲେ ସେମାନଙ୍କର ପୂର୍ଣ୍ଣ ସହଯୋଗ ମିଳେନାହିଁ ଏବଂ ମହତ୍‌ ଭଉଦ୍ଦେଶ୍ୟଟି ବିଫଳ ହୋଇଯାଏ । କିନ୍ତୁ ସଞ୍ଜୟ ଗାନ୍ଧିଙ୍କର ଉଦ୍ଦେଶ୍ୟ ମହତ୍‌ ଥିଲେ ମଧ୍ୟ ଏବଂ ସବୁ ଦିଗରେ ଦେଶର ଦ୍ରୁତ ଉନ୍ନତି ଆଶା କରୁଥିଲେ ସୁଦ୍ଧା ଗଣତାନ୍ତ୍ରିକ ରୀତିରେ ସେ ତାହା ନକରି ପ୍ରଧାନମନ୍ତ୍ରୀଙ୍କ ପୁଅ ବୋଲି ଉପରୁ ତାଙ୍କ ମତ ଚାପି ଦିଆଯିବା ପାଇଁ ଚେଷ୍ଟା କରାଯିବାରୁ ଅଶାନ୍ତି ସୃଷ୍ଟି ହୋଇଥଲା । ଗୋଟିଏ ପକ୍ଷରେ ତାଙ୍କୁ ତୁଷ୍ଟ କରିବା ପାଇଁ କେତେକ ନେତା କାର୍ଯ୍ୟ କରୁଥିଲେ ଓ ଆଉ ଗୋଟିଏ ପଟେ ତାଙ୍କର ଉଚ୍ଚାଭିଳାଷ ଏବଂ ଏକନାୟକତ୍ୱ ରୀତି ବିରୋଧରେ ଆଉଁ କେତେକ ସଂଗଠିତ ହେଉଥିଲେ । କଥା ଏତେଦୂର ଯାଇଥିଲା ଯେ, ଥରେ ସଞ୍ଚୟ ଗାନ୍ଧି ଲକ୍ଷ୍ମୌ ଗସ୍ତରେ ଯାଇଥିବାବେଳେ ବିମାନରୁ ଓହ୍ଲାଇବା ସମୟରେ ତାଙ୍କ ପାଦରୁ ଚପଲ ଖସିଯିବାରୁ ତାଙ୍କ ସ୍ଵାଗତ କରିବା ପାଇଁ ବିମାନ ବନ୍ଦରକୁ ଆସିଥିବା ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀ ଦୂରରେ ପଡ଼ିଥିବା ଚପଲ ଉଠାଇ ଆଣି ପାଖରେ ରଖି ଦେଇଥିଲେ ।

 

ସେତେବେଳେ ଦୋହା ଦିଆଯାଉଥିଲା : ‘‘ମେଁ ନାରାୟଣ ଦତ୍ତ ତ୍ୱିଓ୍ୱାରୀ ସଞ୍ଜୟ ଗାନ୍ଧିକା ସଓ୍ୱାରୀ ହୁଁ, ନାରାୟଣ ଦତ୍ତ ତିୱାରୀ ହୁଁ ।’’

 

ମୁଖ୍ୟମନ୍ତ୍ରୀମାନେ ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ସକାଶେ ଧାଡ଼ି ବାନ୍ଧୁଥିଲେ । ସେ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ଓଡ଼ିଶା ଗ୍ରସ୍ତ କରିବାବେଳେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମପର୍ଯ୍ୟାୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଉଥିଲା । ଜରୁରୀ କାଳୀନ ସମୟରେ ସେ ବହୁ ଜନମଙ୍ଗଳ କାର୍ଯ୍ୟ ପ୍ରଶାସନ ଦ୍ଵାରା କରାଇନେବା ପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ଓଡ଼ିଶା କଂଗ୍ରେସରେ ଦଳେ ତାଙ୍କୁ ସମର୍ଥନ କରୁଥିଲାବେଳେ ଆଉ ଦଳେ ତାଙ୍କ ସପକ୍ଷରେ ନଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କ ସୁଦୃଷ୍ଟିରେ ନଥିଲେ । ତେଣୁ ତାଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଅସନ୍ତୁଷ୍ଟ ଗୋଷ୍ଠୀ ଚେଷ୍ଟା କରୁଥିଲେ । ଏପରି ଅବସ୍ଥାରେ ମହିଳା କଂଗ୍ରେସରେ କାର୍ଯ୍ୟ କରିବା କଷ୍ଟକର ହେଉଥିଲା । ମୁଁ ଯେତେବେଳେ ଯାହା ଉଚିତ୍‌ ମନେ କରୁଥିଲି ସେହି କାର୍ଯ୍ୟ କରୁଥିଲି ଏବଂ ଉଭୟ ଗୋଷ୍ଠୀ ସହିତ ମୋର ସମ୍ପର୍କ ଭଲ ଥଲା ।

 

ଗୌହାଟିରେ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ଅଧିବେଶନ ହେଉଥାଏ । ମହିଳା ଓ ଯୁବ ପ୍ରତିନିଧିମାନଙ୍କ ସହିତ ଗୌହାଟି କଂଗ୍ରେସରେ ଯୋଗ ଦେବାପାଇଁ ମୁଁ ଯାଇଥିଲି । ସେତେବେଳେ ଦେବକାନ୍ତ ବରୁଆ କଂଗ୍ରେସର ସଭାପତି ଥିଲେ ଏବଂ ‘ଇନ୍ଦିରା ଇଜି ଇଣ୍ଡିଆ’ ବୋଲି କହୁଥିଲେ । ଗୌହାଟି କଂଗ୍ରେସ ସଫଳ ହୋଇଥିଲା ଏବଂ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଅନେକଙ୍କ ସହିତ ପରିଚୟ ଓ ବନ୍ଧୁତା ମଧ୍ୟ ହୋଇଥିଲା । ଏମାନଙ୍କ ମଧ୍ୟରୁ ଶ୍ରୀମତୀ ଶିଲା କାଭଲ୍‌ (ପରବର୍ତ୍ତୀ କାଳରେ କେନ୍ଦ୍ରମନ୍ତ୍ରୀ ଓ ହିମାଚଳ ପ୍ରଦେଶର ରାଜ୍ୟପାଳ ହୋଇଥିଲେ), ଓ କଂଗ୍ରେସ ଅଫିସ୍‌ର ସମ୍ପାଦିକା ଶ୍ରୀମତୀ ମୁକୁଲ ବାନାର୍ଜି ପ୍ରଭୃତି ଅନ୍ୟତମ । ଗୌହାଟିରେ ଶ୍ରୀମତୀ ଇନ୍ଦିରା ଗାନ୍ଧି ରହୁଥିବା ବେଳେ ମୁଁ ଡକ୍ଟର ବେଲା ଦତ୍ତ ଓ ଆଉ କେତେଜଣ ତାଙ୍କୁ ଦେଖା କରିବାକୁ ଯାଇଥିଲୁ ଏବଂ ଆଶ୍ଚର୍ଯ୍ୟଜନକ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧିଙ୍କ ସହିତ ସାକ୍ଷାତ୍‌ ପାଇଁ ଅନୁମତି ମିଳିଯାଇଥିଲା । ସେ ଆମକୁ କଂଗ୍ରେସର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପଚାରିଥିଲେ ଏବଂ ଆମର ଭଲ ମନ୍ଦ ପଚାରି ବୁଝିଥିଲେ । ଇନ୍ଦିରା ଗାନ୍ଧିଙ୍କର ଅନ୍ୟକୁ ମୁଗ୍‌ଧ କଲାଭଳି ବ୍ୟକ୍ତିତ୍ୱ ଥିଲା ଏବଂ ଦେଶ ପ୍ରତି ତାଙ୍କର ଆନୁଗତ୍ୟ ସବୁ ସ୍ଵାର୍ଥର ଉପରେ ଥିଲା । ଏଭଳି ଜଣେ ମହାନ୍‌ ନେତ୍ରୀଙ୍କର ପ୍ରଭାବରେ ଆସିବା ଗୌରବର କାରଣ ବୋଲି ଆମେ ମନେ କରୁଥିଲୁ-। ଗୌହାଟି କଂଗ୍ରେସରେ ଯୋଗ ଦେଇସାରି ମେଘାଳୟର ରାଜଧାନୀ ସିଲଂ ଯିବାର ସୁଯୋଗ ମିଳିଥିଲା ଏବଂ ସେଠାରେ ପୁରୁଷ ମାନଙ୍କ ଅପେକ୍ଷା ମହିଳାମାନଙ୍କୁ ବାହାର କାମ କରିବାରେ ଆଗୁଆ ଦେଖି ମୁଁ ଖୁସି ହୋଇଥିଲି ।

 

ମୋର ବ୍ୟକ୍ତିଗତ ମତରେ ଜରୁରିକାଳୀନ ଅବସ୍ଥା ଜାରି ନ କରିଥିଲେ ମଧ୍ୟ ଚଳିଥାନ୍ତା । କିନ୍ତୁ ନେତୃତ୍ୱର ପରିବର୍ତ୍ତନ କରିବାକୁ ପଡ଼ିଥାନ୍ତା । ସେତେବେଳେ କଂଗ୍ରେସ ଦଳରେ ଇନ୍ଦିରା ଗାନ୍ଧିଙ୍କ ସମକକ୍ଷ ପ୍ରଭାବଶାଳୀ ନେତା ଆଉ କେହି ନଥିଲେ। ଜରୁରିକାଳୀନ ପରିସ୍ଥିତି ଜାରି ହେବା ଫଳରେ ଅନେକ ଭଲ ଫଳ ଦେଖାଗଲା । ଅଫିସ୍‌ରେ ଉପସ୍ଥାନ ସହିତ ସମୟାନୁବର୍ତ୍ତିତା ବଢ଼ିଲା, ମାସ ମାସ ଧରି ପଡ଼ି ରହିଥିବା ଫାଇଲ ଏକା ଦିନ୍‌କେ ଫଇସଲା କରିବା ପାଇଁ ପ୍ରତିଯୋଗିତା ଲାଗିଲା, ବିଭାଗୀୟ ଦୁର୍ନୀତି କମିଲା ଏବଂ କଳକାରଖାନାରେ ଉତ୍ପାଦନ ବଢ଼ିଲା । ଲାଭଖୋର ବ୍ୟବସାୟୀମାନେ ସତର୍କ ହେଲେ କିନ୍ତୁ କ୍ଷମତା ଓ କର୍ତ୍ତୃତ୍ୱ ଅଗଣତାନ୍ତ୍ରିକ ରୀତିରେ ପରିଚାଳିତ ହେବାରୁ ସମ୍ବିଧାନ ବାହାରେ କ୍ଷମତାର ବିକଳ୍ପ କେନ୍ଦ୍ର ସୃଷ୍ଟି ହେଲା । ଏହାର ସୁବିଧା ନେଇ ଭଲ କାମ କରିବା ନାମରେ କେତେକ ଅଫିସର ଓ ନେତା ନିୟମ ବହିର୍ଭୁତ କାର୍ଯ୍ୟ କରିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଲା । ଆମେ ସାଧାରଣ ଲୋକମାନଙ୍କ ସହିତ କାର୍ଯ୍ୟ କଲାବେଳେ ଅନୁଭବ କରୁଥାଉଁ ଯେ, ଜରୁରିକାଳୀନ ଅବସ୍ଥା ଦୀର୍ଘ ସମୟ ଏ ଦେଶରେ ଚାଲିପାରିବ ନାହିଁ ଏବଂ କଂଗ୍ରେସ ଦଳ ଏହାର ସୁଫଳ ପରିବର୍ତ୍ତେ କୁଫଳ ପାଇଁ ହିଁ ଦାୟୀ ହେବ ।

 

ସତକୁ ସତ ତାହାହିଁ ହେଲା । ଶ୍ରୀମତୀ ଇନ୍ଦିରା ଗାନ୍ଧି ୧୯ ମାସ ପରେ ଜରୁରିକାଳୀନ ଅବସ୍ଥା ଉଠାଇ ଦେଲେ ଏବଂ ଗଣତାନ୍ତ୍ରିକ ପଦ୍ଧତି ଅନୁସରଣ କରି ସାଧାରଣ ନିର୍ବାଚନ ଘୋଷଣା କଲେ । କେତେକ ନେତାଙ୍କ ଆଶା ଥିଲା ଯେ, ଜରୁରିକାଳୀନ ପରିସ୍ଥିତିରେ ସାଧାରଣ ଲୋକ ଉପକୃତ ହୋଇଥବାରୁ ନିର୍ବାଚନରେ କଂଗ୍ରେସ ଦଳ ଜିତିଯିବ କିନ୍ତୁ ଫଳ ବିପରୀତ ହେଲା । ଅମଲାତାନ୍ତ୍ରିକ ଅତ୍ୟାଚାର ଓ ସଞ୍ଜୟ ଗାନ୍ଧିଙ୍କ ପରି କେତେକ କ୍ଷମତା ବହିର୍ଭୂତ ବିକଳ୍ପ କେନ୍ଦ୍ର ଭାବରେ କାର୍ଯ୍ୟ କରିବାରୁ ଲୋକମାନେ ଏହା ଗ୍ରହଣ କରି ନେଇ ପାରିଲେ ନାହିଁ । ତେଣୁ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହେଲା । କଣ୍ଣାଟକର ଚିକ୍‌ମାଙ୍ଗଲୁର ନିର୍ବାଚନମଣ୍ଡଳୀରୁ ପରେ ଇନ୍ଦିରା ଗାନ୍ଧି ଲୋକସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ସ୍ଵତନ୍ତ୍ର ଆଇନ୍‌ ବଳରେ ତାଙ୍କୁ ପାର୍ଲିଆମେଣ୍ଟରୁ ବହିଷ୍କାର କରାଗଲା ଏବଂ ଜରୁରି କାଳରେ ସମ୍ବିଧାନ ବହିର୍ଭୁତ କାର୍ଯ୍ୟ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରି ଜେଲ୍‌ ପଠାଇ ଦିଆଗଲା । ଜନତା ସରକାର ଇନ୍ଦିରା ଗାନ୍ଧିଙ୍କ ଶକ୍ତି ଓ ଲୋକପ୍ରିୟତା କଳନା କରିପାରି ନଥିଲେ । ଉତ୍ତରପ୍ରଦେଶର ରାୟବରେଲିରୁ ସେ ପରାସ୍ତ ହୋଇଥିଲେ ସିନା କିନ୍ତୁ ଦକ୍ଷିଣ ସମତେ ଭାରତର ବିଭିନ୍ନ ସ୍ଥାନରେ ତାଙ୍କର ଲୋକପ୍ରିୟତା କମି ନଥିଲା । ସଞ୍ଚୟ ଗାନ୍ଧି ତାଙ୍କର ଅତ୍ୟନ୍ତ ଅନୁଗତ ଓ ପ୍ରିୟ ଥିଲେ । ତାଙ୍କର ବିଚକ୍ଷଣ ବୁଦ୍ଧି ଓ କୌଶଳ ଦ୍ଵାରା ଜନତା ସରକାରର ପତନ ହେଲା ଏବଂ କଂଗ୍ରେସ ସମର୍ଥନରେ ଚରଣ ସିଂ ନୂତନ ସରକାର ଗଢ଼ିଲେ ।

 

ଜରୁରିକାଳୀନ ପରିସ୍ଥିତି ଶେଷ ହେବା ପରେ ଆମେ ପ୍ରାୟ ପାଞ୍ଚ ଛଅ ମାସ ଜଟଣୀରେ ଥିଲୁ । ଜରୁରିକାଳୀନ ଅବସ୍ଥା ସମୟରେ ସଞ୍ଜୟ ଗାନ୍ଧିଙ୍କୁ ଆଧାର କରି ଅସନ୍ତୁଷ୍ଟ ଗୋଷ୍ଠୀ ନନ୍ଦିନୀ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଅପସାରିତ କରି ବିନାୟକ ଆଚାର୍ଯ୍ୟଙ୍କୁ ନେତା ନିର୍ବାଚିତ କଲେ । ସେ ମୁଖ୍ୟମନ୍ତ୍ରୀ ହେବାର କେତେମାସ ମଧ୍ୟରେ ନିର୍ବାଚନ ହେଲା କଂଗ୍ରେସ ହାରିଲା ଏବଂ ଜନତା ଦଳ ନିର୍ବାଚନରେ ଜିତିବାରୁ ଶ୍ରୀ ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ହେଲେ । ସାତକଡ଼ି ବାବୁଙ୍କ ପଦୋନ୍ନତିର ସମୟ ହୋଇସାରିଥାଏ କିନ୍ତୁ ମୁଁ ସକ୍ରିୟ ରାଜନୀତିରେ ଥିଲି ବୋଲି କେତେକ ନେତାଙ୍କ ଅଭିଯୋଗକ୍ରମେ ତାଙ୍କର ପଦୋନ୍ନତି କେତେମାସ ବିଳମ୍ବ ହେଇଯାଇଥିଲା । ନିୟମ ଅନୁସାରେ ସ୍ତ୍ରୀ ରାଜନୀତି କରିବାର କୌଣସି ବାଧା ନାହିଁ ତଥାପି ଈର୍ଷାପରାୟଣ ହୋଇ କେତେ ତାଙ୍କ ବିରୋଧରେ ଲାଗିବାରୁ ଏହା ହୋଇଥଲା । ଅକ୍ଟୋବର ମାସରେ କଲିକତାକୁ ବଦଳି ହୋଇଗଲା ଏବଂ ତାଙ୍କର ପଦୋନ୍ନତିରେ ଆଉ କୌଣସି ବାଧା ରହିଲା ନାହିଁ ।

Image

 

ଇଚ୍ଛାଶକ୍ତି ହିଁ ସଫଳତାର ଜନନୀ

 

ରାଜନୀତି ଲୋକସେବା କରିବାର ଏକ ମାଧ୍ୟମ । ସେଥିପାଇଁ ମୁଁ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପରେ ଏ ଦିଗରେ ବେଶୀ କିଛି କରିବା ପାଇଁ ତତ୍ପର ହେଲି । ମୁଁ ପିଲାବେଳେ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲାର ନୂଆବଶାଣଠାରେ ଶିକ୍ଷା ନେଉଥିଲାବେଳେ ହେଡମାଷ୍ଟର ଶାନ୍ତିବାବୁ କହିବାର ଶୁଣିଛି ଯେ, ଲୋକସେବା କରିବା ଏକ ମହତ କାମ ଏବଂ ତାହା ରାଜନୀତି ମାଧ୍ୟମରେ ଅଧିକ ଫଳପ୍ରଦ ଭାବେ କରାଯାଇପାରେ । ଲୋକଙ୍କୁ ସଚେତନ କରିବା, ନ୍ୟାୟ ପାଇବାରେ ସେମାନଙ୍କୁ ସାହାଯ୍ୟ କରିବା, ଅନ୍ୟାୟ ଅବିଚାର ବିରୋଧରେ ଲଢ଼ିବା ପାଇଁ ସେମାନଙ୍କୁ ସଂଗଠିତ କରିବା କାମ ରାଜନୀତି ମାଧ୍ୟମରେ ସହଜରେ କରାଯାଇ ପାରିବ ବୋଲି ବିଶ୍ୱାସ କରାଯାଉଥିଲା । ପରାଧୀନ ଭାରତକୁ ସ୍ୱାଧୀନ କରିବା ଏବଂ ଜନସେବା କରିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସବୁଠାରୁ ଉତ୍ତମ କାର୍ଯ୍ୟ ଥିଲା ବୋଲି ସେତେବେଳେ ମହାତ୍ମା ଗାନ୍ଧି, ଜବାହରଲାଲ ନେହେରୁ, ଅବୁଲ କାଲାମ ଆଜାଦ୍‌, ସର୍ଦ୍ଦାର ପଟେଲ୍‌, ନେତାଜୀ ସୁଭାଷ ବୋଷ, ଗୋପବନ୍ଧୁ ଦାସ, ବାରିଷ୍ଟର ମଧୁସୂଦନ ଦାସ ପ୍ରଭୃତି ପାଠୁଆ ଓ ପଣ୍ଡିତମାନେ ରାଜନୀତିରେ ଯୋଗ ଦେଇଥିଲେ । ସେମାନଙ୍କ ପଦାଙ୍କ ଅନୁସରଣ କରୁଥିଲେ ଲକ୍ଷ ଲକ୍ଷ ଲୋକ-। ସେହି ଛାତ୍ରବସ୍ଥାରୁ କିଛି ଦେଶ ହିତକର କାମ କରିବା ପାଇଁ ମୋର ଅଭିଳାଷ ରହିଥିଲା । କିନ୍ତୁ ସେଥିପାଇଁ ସୁଯୋଗ ପାଇନଥିଲି । ପାଠ ପଢ଼ିସାରିବା ପୂର୍ବରୁ ମୋର ବିବାହ ହୋଇ ଯାଇଥଲା । କିନ୍ତୁ ତଥାପି କିଛି ଭଲ କାମ କରିବାର ଇଚ୍ଛା ମୋ ମନରୁ ଲିଭି ନଥିଲା । ସେଥିପାଇଁ ରାଜନୀତିରେ ପ୍ରବେଶ କରିବାପରେ ମୋର କାର୍ଯ୍ୟ କରିବାର ପରିସର ଆହୁରି ବିସ୍ତୃତ ହେଲା । ଜଟଣୀକୁ ଆସିବା ପରେ କେବଳ ରେଳବାଇ ଇଲାକାରେ ରେଳବାଇ କର୍ମଚାରୀମାନଙ୍କ ମଧ୍ୟରେ ମୋର ସମାଜସେବା କାର୍ଯ୍ୟ ଆଉ ସୀମିତ ନରହି ବିସ୍ତୃତ ହେଲା । ଜଟଣୀରେ କୌଣସି ଜଲେଜ ନ ଥିଲା-। ତେଣୁ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଖୋର୍ଦ୍ଧା ବା ଭୁବନେଶ୍ୱର ବା ନିରାକାରପୁର ଯାଉଥିଲେ। ଗୋଟିଏ କଲେଜ ସ୍ଥାପନ କରିବା ପାଇଁ ପୂର୍ବେ ଖୋର୍ଦ୍ଧାର ଏସ୍‌.ଡ଼ି.ଓ. ରବୀନ୍ଦ୍ର ମୋହନ ସେନାପତି ଚେଷ୍ଟା କରିଥିଲେ । କିନ୍ତୁ ସଫଳ ହୋଇ ନଥିଲେ । ସେହି କାମ ଆଉଥରେ ହାତକୁ ନିଆଗଲା । ଶ୍ରୀ ଚିନ୍ତାମଣି । ପାଣିଗ୍ରାହୀ, ବଙ୍କିମ ମିଶ୍ର, ରାମ ଅବତାର ଅଗ୍ରୱାଲ, ସୋମନାଥ ତ୍ରୀପାଠୀ, ଯୋଶୀବାବୁ ଏବଂ ବନମାଳୀ ଶତପଥୀବାବୁ ପ୍ରଭୃତିଙ୍କ ସହଯୋଗରୁ ଗୋଟିଏ କଲେଜ ସ୍ଥାପନ କମିଟି ଗଠନ କରାଗଲା । ଛୁଟି ଦିନରେ ଆମେ ଚାନ୍ଦା ସଂଗ୍ରହ କରିବା ପାଇଁ ଦ୍ୱାର ଦ୍ଵାର ବୁଲୁଥିଲୁ । ସଂଯୁକ୍ତା ପାଣିଗ୍ରାହୀ, ରଘୁନାଥ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଶିଳ୍ପୀମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ନୃତ୍ୟଗୀତ ପରିବେଷଣ କରି ପ୍ରାୟ ଲକ୍ଷେ ଟଙ୍କା ସଂଗ୍ରହ କରିଥିଲୁ । ସେହି ଟଙ୍କା ଜମା ଦେବା ପରେ କଲେଜ ଖୋଲିବାର ଅନୁମତି ମିଳିଗଲା । ସେହିପରି ସାତକଡଢି ବାବୁଙ୍କ ଉଦ୍ୟମରୁ ଜଟଣୀଠାରେ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟ ସ୍ଥାପିତ ହେଲା । ମୋ କାର୍ଯ୍ୟ ସହିତ ମହିଳାମାନେ ବହୁ ସଂଖ୍ୟାରେ ସଂପୃକ୍ତ ଥିଲେ ଏଵଂ ଏସବୁ କାର୍ଯ୍ୟରେ ସେମାନେ ସହଯୋଗ କରୁଥିଲେ । ଜଟଣୀରେ ସିନା କଲେଜ ହେଲା ଏବଂ ରେଳ କର୍ମଚାରୀମାନଙ୍କ ପୁଅଝିଅ ଓ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଜଟଣୀ ବାହାରକୁ ଯିବାକୁ ପଡ଼ିଲା ନାହିଁ, କିନ୍ତୁ ବିଳାସପୁର, ନାଗପୁର, ରାଉରକେଲା, ଚକ୍ରଧରପୁର, ଝାରସୁଗୁଡ଼ା ଓ ଅନ୍ୟାନ୍ୟ ସ୍ଥାନରେ କାମ କରୁଥିବା ରେଳ କର୍ମଚାରୀମାନଙ୍କର ସମସ୍ତଙ୍କର ସୁବିଧା ନ ଥିଲା ନିଜ ଝିଅମାନଙ୍କୁ ଉଚ୍ଚଶିକ୍ଷା ଦେବାପାଇଁ । ପରିବାର ସହିତ ରହିବା ପାଇଁ ସବୁସ୍ଥାନରେ ଉଚ୍ଚଶିକ୍ଷା ପାଇଁ ବ୍ୟବସ୍ଥା ମଧ୍ୟ ନଥିଲା । ତେଣୁ ସେହି ରେଳ କର୍ମଚାରୀମାନଙ୍କ ସ୍ତ୍ରୀମାନେ ସେମାନଙ୍କ ଝିଅମାନଙ୍କ ପଢ଼ିବା ପାଇଁ ଛାତ୍ରୀନିବାସ ଅଭାବ ଥିବା କଥା କହିଲେ ଏବଂ ଏହାର ପ୍ରତିକାର ନ କଲେ ଝିଅମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ବୋଲି ଜଣାଇଲେ । ଝିଅମାନଙ୍କ ପାଇଁ ସବୁଠାରେ ହଷ୍ଟେଲ୍‌ରେ ରହିବା ସୁବିଧା ନ ଥିଲା । କଟକରେ ଛାତ୍ରମାନଙ୍କ ପାଇଁ ଗୋଟିଏ ରେଳବାଇ ଛାତ୍ରାବାସ ଅଛି । ତାହା ରେଳବାଇ ପରିଚାଳନା କରନ୍ତି । ଉଚ୍ଚଶିକ୍ଷା ପାଇଁ କଟକ ଆସୁଥିବା ଛାତ୍ରମାନଙ୍କୁ ସେଥିରେ ରହି ପଢ଼ିବାର ସୁଯୋଗ ଦିଆଯାଏ । ସେହିପରି ଯଦି ଝିଅମାନଙ୍କ ପାଇଁ ଗୋଟିଏ ଛାତ୍ରୀନିବାସ ଖୋଲାଯାଏ ତେବେ ଏହି ସମସ୍ୟା କିଛି ପରିମାଣରେ ସମାଧାନ କରାଯାଇ ପାରିବ ଏହି ଆଶା ରଖି ମୁଁ ତାହା କରିବା ପାଇଁ ନିଷ୍ପତ୍ତି କଲି । କଟକରେ ରେଳ ଷ୍ଟେସନ ପାଖରେ ଥିବା ଇଞ୍ଚନିୟରିଂ ବିଭାଗର ଅଫିସ୍‌ ସଂଲଗ୍ନ କେତୋଟି କୋଠରୀ ଷ୍ଟୋର ଭାବରେ ବ୍ୟବହାର କରାଯାଉଥିଲା । ଷ୍ଟୋରକୁ ଅନ୍ୟତ୍ର ଉଠାଇ ଦେଇ ସେଥିରେ ଥିବା ସମସ୍ତ କୋଠରୀଗୁଡ଼ିକୁ ଛାତ୍ରୀନିବାସ ପାଇଁ ଛାଡ଼ିଦେବା ସକାଶେ ମୁଁ ଜେନେରାଲ ମ୍ୟାନେଜର ଜଗନ୍ନାଥ କୋହଲିଙ୍କୁ ଅନୁରୋଧ କଲି । ଏହା ବିନା ଭଡ଼ାରେ ମହିଳା ସମିତିକୁ ଛାତ୍ରୀନିବାସ କରିବା ପାଇଁ ଦିଆଯାଇପାରେ ବୋଲି ଡ଼ିଭିଜ୍‌ନାଲ୍‌ ସୁପରିଣ୍ଟେଣ୍ଡଣ୍ଟ ସାତକଡ଼ି ବାବୁ ମଧ୍ୟ ସୁପାରିଶ କରିଦେଲେ । ଅନୁମତି ମଧ୍ୟ ମିଳିଗଲା, କିନ୍ତୁ ସେହି ଘରକୁ ଛାତ୍ରୀନିବାସ କରିବା ପାଇଁ ଆନୁଷଙ୍ଗିକ ମରାମତି କାର୍ଯ୍ୟ କରାଗଲା । ମୋ ଅଧ୍ୟକ୍ଷତାରେ ଅଫିସରମାନଙ୍କ ସ୍ତ୍ରୀମାନଙ୍କୁ ନେଇ ଗଠିତ ମହିଳା ସଂଗଠନ ଖଟ ଓ ଆସବାବପତ୍ର ଯୋଗାଇ ଦେବା ପାଇଁ ଆବଶ୍ୟକ ଟଙ୍କା ମଞ୍ଜୁର କରାଗଲା । ପ୍ରଥମ ଦଫାରେ ପଚିଶ ଜଣ ଛାତ୍ରୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଗଲା । ସଂଗଠନ ପକ୍ଷରୁ ଜଣେ ୱାଡେନ୍‌ ନିଯୁକ୍ତ ହେଲେ ଏବଂ ରନ୍ଧାବଢା କରିବା ପାଇଁ ପାଚିକା ଓ ସହାୟିକା ରହିଲେ । ଏହାଦ୍ଵାରା ଦୂରଦୂରାନ୍ତ ସ୍ଥାନରେ ରହି ଚାକିରି କରୁଥିବା ରେଳବାଇ କର୍ମଚାରୀମାନଙ୍କର ଝିଅମାନଙ୍କ ଉଚ୍ଚଶିକ୍ଷା ପାଇଁ କିଛି ବ୍ୟବସ୍ଥା ହେଲା । ‘ସମାଜ’ର ସମ୍ପାଦକ ପଦ୍ମଭୂଷଣ ରାଧାନାଥ ରଥ ସେହି ଛାତ୍ରୀନିବାସ ଉଦ୍‌ଘାଟନ କରିଥିଲେ ଏବଂ ଜେନେରାଲ୍‌ ମ୍ୟାନେଜର ଓ ଅନ୍ୟାନ୍ୟ ପଦସ୍ଥ ଅଫିସର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇଥିଲେ । କଟକ ପରି ଭୁବନେଶ୍ୱର ଓ ସମ୍ବଲପୁରଠାରେ ମଧ୍ୟ ଆଉ ଦୁଇଟି ଛାତ୍ରୀନିବାସ ଖୋଲିବା ପାଇଁ ମୁଁ ମନସ୍ଥ କଲି । ସମ୍ବଲପୁରରେ ସେତେବେଳେ କୌଣସି ରେଳବାଇ ଅଫିସ ନଥିଲା । ତେଣୁ ଏହି କାର୍ଯ୍ୟ ଆଗେଇ ପାରିଲା ନାହିଁ । କିନ୍ତୁ ଭୁବନେଶ୍ୱରଠାରେ ମଞ୍ଚେଶ୍ଵରରେ ଥିବା ଗୋଟଏ କୋଠା ଛାତ୍ରୀନିବାସ କରିବା ପାଇଁ ପ୍ରସ୍ତାବ ହେଲା । ଏହି ସମୟରେ ଆମେ ବଦଳି ହୋଇ କଲିକତା ଚାଲିଯିବାରୁ ଭୁବନେଶ୍ୱରଠାରେ ଗୋଟିଏ ଛାତ୍ରୀ ନବାସୀ ଖୋଲିବା ପାଇଁ ମୋର ଯେଉଁ ଆଗ୍ରହ ଥିଲା ତାହା ଆଉ କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ ।

 

ମହିଳା କଂଗ୍ରେସ କାର୍ଯ୍ୟ କଲାବେଳେ ମୁଁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଉଥିଲି ଏବଂ ମହିଳାମାନଙ୍କ ସମ୍ପର୍କରେ ଆସିଥିଲି । ସେମାନଙ୍କର ସମସ୍ୟା ବୁଝିବାକୁ ଚେଷ୍ଟା କରିଥିଲି। ଶିକ୍ଷା ଓ ସଚେତନତା ଅଭାବରୁ ମହିଳାମାନେ ସଂଗଠିତ ହୋଇପାରୁ ନଥିଲେ ବା ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ବହୁ ସଂଖ୍ୟାରେ ଯୋଗ ଦେଉନଥିଲେ । ଅବଶ୍ୟ ଏହି ଅବସ୍ଥା ଇତିମଧ୍ୟରେ ଅନେକ ବଦଳି ଗଲାଣି ଏବଂ ଓଡ଼ିଶାର ମହିଳାମାନେ ଇତିମଧ୍ୟରେ ଶିକ୍ଷା କ୍ଷେତ୍ରରେ କିଛି ବାଟ ଆଗେଇ ଗଲେଣି । କିନ୍ତୁ ସମବେତ ପ୍ରଚେଷ୍ଟା, ସଂଗଠନ ଓ ଉପଯୁକ୍ତ ନେତୃତ୍ଵ ଅଭାବରୁ ମହଳାମାନଙ୍କର ଅନଗ୍ରସରତା ଦୂର ହୋଇପାରି ନାହିଁ ବା ସେମାନଙ୍କର ସମସ୍ୟାଗୁଡ଼ିକର ସମାଧାନ ସହଜ ହେଉନାହିଁ । ଭୁବନେଶ୍ୱର ରାଜଧାନୀ ହେବା ପରେ ଏଠାରେ ରେଳବାଇ କାର୍ଯ୍ୟ ବଢ଼ିଲା ଏବଂ ଅଧିକ କର୍ମଚାରୀ ଅବସ୍ଥାପିତ ହେଲେ । ସେମାନଙ୍କର ସଂଖ୍ୟା ବଢିଲେ ମଧ୍ୟ ମହିଳା ଓ ପିଲାମାନଙ୍କ ପାଇଁ ଆମୋଦ ପ୍ରମୋଦର କୌଣସି ବ୍ୟବସ୍ଥା ନଥିଲା । ରାଜଧାନୀରେ ଉଚ୍ଚବର୍ଗଙ୍କ ପାଇଁ ସବୁପ୍ରକାର ସୁବିଧା ଥିବାବେଳେ ତୃତୀୟ, ଚତୁର୍ଥ ଶ୍ରେଣୀର କର୍ମଚାରୀମାନଙ୍କ ପାଇଁ ସେପରି ସୁବିଧା ନାହିଁ । ତେଣୁ ପୁରୁଷମାନେ ବାହାରେ ମିଳୁଥିବା ସୁବିଧା ସୁଯୋଗ କିଛି ପରିମାଣରେ ଉପଭୋଗ କରୁଥିଲେ ମଧ୍ୟ ସେମାନଙ୍କର ପରିବାର ମୂଳସ୍ରୋତ ଠାରୁ ଅଲଗା ହୋଇ ରହୁଥିଲେ । କେବଳ ଯେ ରେଳବାଇ କଲୋନୀରେ ଏହି ଅବସ୍ଥା ଅଛି ତାହା ନୁହେଁ ଅନ୍ୟତ୍ର ମଧ୍ୟ ଏହିପରି ଅପ୍ରୀତିକର ଅବସ୍ଥା । ଏମାନଙ୍କ ପାଇଁ କିଛି କରିବା ପାଇଁ ମନେ ମନେ ସ୍ଥିର କଲି ଏବଂ କାର୍ଯ୍ୟରେ ଝାସ ଦେଲି । ରେଳବାଇ ପ୍ରଶାସନର ଅନୁକମ୍ପାରୁ ପୁରୁଣା ଷ୍ଟେସନରେ ଗୋଟିଏ ଘର ମିଳିଗଲା । ସେହି ଘରଟିକୁ ସଜାଡ଼ି ଦିଆଗଲା । ଏବଂ ତା ଆଗରେ ଥିବା ସ୍ଥାନଟିକୁ ଶିଶୁ ଉଦ୍ୟାନରେ ପରିଣତ କରାଗଲା । ସେଠାରେ ଶିଶୁମାନଙ୍କ ଖେଳିବା ପାଇଁ କେତେକ ଉପକରଣ ଯୋଗାଇ ଦିଆଗଲା ଏବଂ ଦିନେ ସମସ୍ତଙ୍କର ଆନନ୍ଦ କୋଳାହଳ ମଧ୍ୟରେ ଭୁବନେଶ୍ଵର ମହିଳା କମିଟି ଓ ଶିଶୁ ଉଦ୍ୟାନ ଉଦ୍‌ଘାଟିତ ହେଲା। ମୁ ଏହାର ସଭାପତି ଓ ପ୍ରେମଲତା ସାହାଣୀ ଓ ଅନ୍ୟାନ୍ୟ ଭଉଣୀ ମାନଙ୍କ ସାହାଯ୍ୟରୁ ଏହି କେନ୍ଦ୍ର ମଧ୍ୟ ସୁନାମ ଅର୍ଜନ କରିଥିଲା । ମୁଁ ଅନେକ ଥର ତାଳଚେର ଯାଇଛି । ସେଠାରେ କୋଇଲା ଖଣି ଅଞ୍ଚଳରେ ମହିଳା ଓ ଶିଶୁମାନଙ୍କର ଆମୋଦ ପ୍ରମୋଦ ଓ ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ାପାଇଁ କିଛି ବିଶେଷ ବ୍ୟବସ୍ଥା ରହିଛି । ରେଳବାଇ ଇଲାକା ପାଖରେ ସେଇଭଳି କୌଣସି ସୁବିଧା ନଥିବାରୁ ସେଠାରେ ମଧ୍ୟ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହିଳା ସମିତି ଓ ଆମୋଦ ପ୍ରମୋଦ କେନ୍ଦ୍ର କରିଛି । ପୂର୍ବରୁ ପଲାସା, ବ୍ରହ୍ମପୁର, ପୁରୀ ଓ ଭଦ୍ରକଠାରେ ଏହି ବ୍ୟବସ୍ଥା କରିଥିଲି । ବାରିପଦାଠାରେ ଗୋଟିଏ ଶିକ୍ଷାୟତନ ଖୋଲିବା ପାଇଁ କଳ୍ପନା କରି ମୁଁ ରେଳବାଇକୁ ଜମି ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲି । ଏହି ଜମି ମିଳିଥିଲେ ବାରିପଦାର ଭଞ୍ଜପୁରଠାରେ ଆଶ୍ରମ ବିଦ୍ୟାଳୟ ଢ଼ାଞ୍ଚାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଆଶ୍ରମ ସ୍କୁଲ ଓ ଛାତ୍ରାବାସ ଖୋଲାଯାଇ ପାରିଥାନ୍ତା । କିନ୍ତୁ ପ୍ରଶାସନଠାରୁ ଭଲକାମ କରିବା ପାଇଁ ମଧ୍ୟ ସବୁବେଳେ ଯ଼େ ସାହାଯ୍ୟ ମିଳେନାହିଁ ଏହା ତାହାର ଗୋଟିଏ ଉଜ୍ଜ୍ଵଳ ଉଦାହରଣ । ତଥାପି ମୁଁ କେବେ ହତାଶ ହୋଇନାହିଁ ଏବଂ ଅଫିସରମାନଙ୍କ ସହିତ ଲଢ଼ିଛି ଏବଂ ମହିଳା ଓ ଅନଗ୍ରସର ବର୍ଗଙ୍କୁ ସାମାଜିକ ନ୍ୟାୟ ସକାଶେ ଦାବି କରି ଆସିଛି ।

Image

 

ଆବେଗ ଓ ଅନୁରାଗରୁ ଜନ୍ମ- ‘ଅମୃତାୟନ’

 

ଭୁବନେଶ୍ୱରକୁ ସାତକଡ଼ି ବାବୁ ବଦଳି ହୋଇ ଆସିବା ପରେ ୧୯୭୯ ଡିସେମ୍ବର ଶେଷରେ ପ୍ରଥମେ ଆମେ ଛଅ ନମ୍ବର ହସ୍‌ପିଟାଲ ପାଖ କ୍ୱାର୍ଟରରେ ରହିଲୁ । କିନ୍ତୁ କେତେ ସପ୍ତାହ ପରେ ଫରେଷ୍ଟ ପାର୍କର ସାତ ନମ୍ବର ବଙ୍ଗଳାକୁ ଉଠି ଆସିଲୁ। ହସ୍‌ପିଟାଲ ପାଖ କ୍ୱାର୍ଟରଟି ଜଳାତଙ୍କ ରୋଗୀଙ୍କ ୱାଡ଼ଁ ସାମ୍ନାରେ । ମଝିରେ ମଝିରେ ଜଳାତଙ୍କ ରୋଗୀ ବା ସେହିପରି ଆଉ କେହି ଆସିଲେ ଭିଡ଼ ଜମେ, ରୋଗୀର କରୁଣ ଚିତ୍କାର ପାଖଆଖର ପରିବେଶକୁ ଆହୁରି କରୁଣ କରିଦିଏ । ଆମେ ସେଇ କ୍ଵାର୍ଟରକୁ ଆସିଲୁ ଡ଼ିସେମ୍ବର ଶେଷରେ । ଅଳ୍ପଦିନ ରହିବା ପରେ ଘର ଆଗରେ ଓ ଚାରିପଟେ ଥିବା କୃଷ୍ଣଚୂଡ଼ା ଗଛରେ ଫୁଲ ଫୁଟିବାରୁ ଚାରିଦିଗ ଚହଟି ଉଠିଲା । କୃଷ୍ଣଚୂଡ଼ାର ଲାଲ ଫୁଲ ଦେଖି ମଣିଷର ସେଇ ଗଛ ସହିତ ଏକାତ୍ମତା ଅନୁଭବ କରେ । କାରଣ ତା’ ଦେହରେ ମଧ୍ୟ ଲାଲ ରକ୍ତ ପ୍ରବାହିତ ହୁଏ । ମାର୍କସବାଦୀ କମ୍ୟୁନିଷ୍ଟମାନଙ୍କର ରକ୍ତ ପରି ଲାଲ ପତାକା । ଏକ ଲାଲ ପତାକା ଦୁନିଆର ସର୍ବତ୍ର ସର୍ବହରାମାନଙ୍କର ପତାକା । ଦକ୍ଷିଣ ଆଫ୍ରିକା, ଏସିଆ, ୟୁରୋପ, ଦକ୍ଷିଣ ଆମେରିକା ସର୍ବତ୍ର ଶ୍ରମିକ ଓ ଖଟିଖିଆମାନେ ସଲାମ କରନ୍ତି ଏଇ ଲାଲ ପତାକାକୁ ।

 

ଲାଲରଙ୍ଗ ଦେଖି ପୂର୍ବ କଥା ମନେ ପଡ଼ିଗଲା । ସେତେବେଳେ ମୁଁ ମେଦିନପୁର ଜିଲ୍ଲାର ନୟାବସାଣ ଉଚ୍ଚ ଇଂରାଜୀ ବିଦ୍ୟାଳୟର ଛାତ୍ର । ବନ୍ଦେ ମାତରମ୍‌ ଦଳ ପକ୍ଷରୁ ସଶସ୍ତ୍ର ବିପ୍ଲବ କରିବା ପାଇଁ ଡ଼ାକରା ଦେଇଥାନ୍ତି ଦେଶଭକ୍ତମାନେ । ସେମାନେ ବିଶ୍ଵାସ କରୁଥିଲେ ଯେ, ଇଂରେଜମାନେ ଆପେ ଆପେ ଗାନ୍ଧିଜୀଙ୍କ ଅହିଂସା ସତ୍ୟାଗ୍ରହ ଆଗରେ ମୁଣ୍ତ ନୁଆଁଇ ଦେଶ ଛାଡ଼ି ଚାଲିଯିବେନି । ସେମାନଙ୍କୁ ସଶସ୍ତ୍ର ସଂଗ୍ରାମ ଦ୍ଵାରା ତଡ଼ିଦେବାକୁ ପଡ଼ିବ । ମୁଁ ସେତେବେଳେ ପ୍ରାଥମିକ ଶ୍ରେଣୀର ଛାତ୍ରୀ । ସେମାନେ ଆମକୁ ଶିଖାଇଥିବା ବିପ୍ଲ‌ବ ସଂଗୀତ ବୋଲି ବେଳେ ବେଳେ ଦାଣ୍ଡରେ ମାର୍ଚ୍ଚ କରିବା ଥିଲା ଆମ କାମ । ସେଇ ସବୁ ବିପ୍ଲବୀ ସଂଗୀତ ଗୁଣୁ ଗୁଣୁ କରି ଗାଇ ଗାଇ ମୋର ବି ଅଭିଳାଷ ହୋଇଥିଲା ଗୀତ ଲେଖିବା ପାଇଁ । ଉପର ଶ୍ରେଣୀକୁ ଯିବା ପରେ ଗୀତ ବୋଲୁ ବୋଲୁ କବିତା ପଦେ ଅଧେ ଲେଖି ପକାଉଥିଲି । ଆହୁରି ବୟସ ବଢ଼ିବାରୁ କବିତା ଲେଖି‌ବାର ଅନୁରାଗ ଆହୁରି ପ୍ରବଳ ହେଲା । ନୟାବସାଣରେ ଥିବା ବେଳେ ବାପା ଥିଲେ ହେଡ଼ ପଣ୍ତିତ । ସଂସ୍କୃତ ପଢ଼ାଉଥିଲେ । ବିପ୍ଲବୀମାନେ ଲୁଚିଛପି ବେଳେବେଳେ ଆମ ଘରେ ଦିନେ ଦି’ଦିନ ରହି ଯାଉଥିଲେ । ସେତିକିବେଳୁ ଲାଲରଙ୍ଗ ଦେଖିଲେ ମୋ ମନର ଚାରିଦିଗ ଖୋଲିଯାଏ, କିଛି ଗୋଟେ ଭାବନା ଛଟପଟ ହୁଏ ମନ ଭତରେ ବାହାରକୁ ଆସିବା ପାଇଁ । କବିତା ଗୋଟେ ଲେଖିଦେଲେ କିମ୍ବା ବିପ୍ଲବୀମାନଙ୍କ ଠାରୁ ଶିଖିଥିବା ଗୀତ କେଇପଦ ଗାଇଦେଲେ ମୁଁ ଉଶ୍ଵାସ ଅନୁଭବ କରୁଥିଲି । ଶରତ ରତୁରେ ପୋଖରୀରେ କଇଁଫୁଲ ଫୁଟିବା ପରି ମୋ ମନରେ ଶହ ଶହ କଇଁଫୁଲ ଫୁଟୁଥିଲା ।

 

ସେଇଦିନୁ ସାହିତ୍ୟ ପ୍ରତି ମୋର ଅନୁରାଗ । ସାତକଡ଼ି ବାବୁଙ୍କ ଘରକୁ ଆସିବା ପରେ ମୋର ସାହିତ୍ୟ ପ୍ରୀତି କମିନଥିଲା । ମୁଁ ଏକା ଏକା ବସିଥିବା ବେଳେ ଯଦି କେତେବେଳେ କିଛି ଭାବ ଅଥୟ କରୁଥିଲା ମନକୁ ତାହା ଲେଖି ପକାଉଥିଲି କାଗଜରେ । କଲିକତାରେ ଆମେ ଥିବାବେଳେ ମୋତେ ଏକୋଇଶ ବାଇଶ ହୋଇଥିବ । ମୋ ବଡ଼ଝିଅ, ସେତେବେଳକୁ ଜନ୍ମ ହେଇ ସାରିଥାଏ । ସେତେବେଳେ କିଛି କବିତା ଓ ଗଳ୍ପ ଲେଖିଥିଲି । କିନ୍ତୁ ପରବର୍ତ୍ତୀ ସମୟରେ ସଂସାର ଜଞ୍ଜାଳରେ ପେଷି ହୋଇଗଲି କି କଅଣ ପଥର ତଳେ ଦୁବଘାସ ଚାପି ହୋଇଯିବା ପରି ମୋ ମନର ଉନ୍ମେଷଶୀଳତା ଚାପି ହୋଇଯାଇଥିଲା । କିନ୍ତୁ ନୂଆ କିଛି କରିବା ଓ ଲେଖିବାର ଆବେଗ ମରିନଥିଲା ମନରୁ । ସେଇ କାରଣରୁ ଶିଳ୍ପୀର ତୂଳୀ ଧରି କେତେବେଳେ ମନେ ମନେ ଛବି ଆଙ୍କୁଥିଲି ତ କେତେ ସାଙ୍ଗସାଥୀମାନଙ୍କୁ ନେଇ ନାଟକ ବା ନୃତ୍ୟ ଆୟୋଜନ କରୁଥିଲି । ଯେଉଁଠି ରହିଛି ସେଠାରେ ମୋ ଭିତରେ ଲୁଚି ରହିଥିବା କବି ବା ଶିଳ୍ପୀର ମନ ଅଥୟ କରିଛି ମୋତେ ନୂଆ କିଛି କରିବା ପାଇଁ, ବାଧାବନ୍ଧନଗୁଡ଼ାକୁ ମାଡ଼ି ଦଳି ଆଗେଇ ଯିବା ପାଇଁ ।

 

ହଁ, ଭୁବନେଶ୍ୱରକୁ ଆସିବା ପରେ ମନରେ ସେଇ ଭାବନା ପ୍ରବଳ ଦେଲା ପୁଣି ଚତୁର୍ଦ୍ଦିଗରେ କୃଷ୍ଣଚୂଡ଼ାର ଟହଟହ ଲାଲଫୁଲ ଦେଖି । ଏଇ ଶୋଭା ଦେଖି ରବିନ୍ଦ୍ର ଠାକୁର ଲେଖିଥିଲେ, ‘ଆଗୁନ ଲେଗେଛେ ଡ଼ାଲେ ଡ଼ାଲେ’ ଅର୍ଥାତ୍‌ ଅଗ୍ନି ଲାଗିଛି ଶାଖା ପ୍ରଶାଖାରେ । ଦିନେ ଝରକା ପାଖରେ ବସି ଫୁଲମାନଙ୍କୁ ଦେଖୁଥିବା ବେଳେ କେତେଜଣ ପିଲା ପଶି ଆସିଲେ ମାଉସୀ ମାଉସୀ ଡ଼ାକି । ପୂର୍ଣ୍ଣେନ୍ଦୁ, ପ୍ରଦୀପ୍ତ, କୁମୁଦ ଓ ସୁଦୀପ ମୋ ପାଖକୁ ଆସିଥିଲେ ଗୋଟେ ନୂଆ ପ୍ରସ୍ତାବ ନେଇ । ପାଖ କ୍ଵାର୍ଟରରେ ରହୁଥିବା ଅଫିସରମାନଙ୍କର ପୁଅ ସେମାନେ । କଲେଜର ଛାତ୍ର-। କିଛି ଗୋଟେ ନୂଆ କାମ କରିବା ପାଇଁ ସେମାନଙ୍କର ଆଗ୍ରହ ଦେଖି ମୁଁ କହିଲି ଗୋଟେ ପତ୍ରିକା ବାହାର କଲେ ଭଲ ହୁଅନ୍ତା । ସେମାନେ ଡ଼େଇଁ ପଡ଼ିଲେ ମୋ କଥା ଶୁଣି । ସାହିତ୍ୟ ପତ୍ରିକା ବାହାର କରିବା ପାଇଁ ସମସ୍ତଙ୍କର ଉତ୍ସାହ ଏତେ ବଢ଼ିଗଲା ଯେ, ଶେଷରେ ଗୋଟିଏ ପତ୍ରିକା ବାହାର କରିବା ପାଇଁ ନିଷ୍ପତ୍ତି ହେଲା ।

 

କିଛିଦିନ ପରେ ଆମେ ହସ୍ପିଟାଲ ପାଖ କ୍ଵାର୍ଟର ଛାଡ଼ି ଫରେଷ୍ଟ ପାର୍କ ବଙ୍ଗଳାକୁ ଉଠିଗଲୁ । ସେଠାରେ ମଧ୍ୟ ସେଇ ସମାନ ଦୃଶ୍ୟ ରାସ୍ତାର ଦୁଇ ଧାରରେ ସାରି ସାରି କୃଷ୍ଣଚୂଡ଼ା । ମୋ କଥା କିନ୍ତୁ ଭୁଲି ନଥିଲେ ପୁଅମାନେ ଆସି ପହଞ୍ଚିଲେ ଏ ବିଷୟରେ ଶେଷ ନିଷ୍ପତି କରିବା ପାଇଁ । ସ୍ଥିର ହେଲା ତ୍ରୈମାସିକ ସାହିତ୍ୟ ପତ୍ରିକାଟିଏ ବାହାର କରିବା ପାଇଁ । ସାତକଡ଼ି ବାବୁଙ୍କ ସହିତ ଆଲୋଚନା ହେଲା । ସେ ମଧ୍ୟ ଉତ୍ସାହ ଦେଲେ । କିନ୍ତୁ ଭଲ ନାମ ଗୋଟେ ମନେ ପଡ଼ୁନଥାଏ । ଏଇ ସଙ୍କଟ ଲାଗି ରହିଥିଲା ବେଳେ ମନେ ପଡ଼ିଗଲେ ମହାପ୍ରଭୁ ଚକାଡ଼ୋଳା । ଚାରିଦିଗରେ ତାଙ୍କର ଝରିପଡ଼ୁଥିବା ଅମୃତାୟନ ଦୃଷ୍ଟି । ସମାଧାନ ହୋଇଗଲା । ପତ୍ରିକାର ନାମ ରହିଲା ‘ଅମୃତାୟନ’ । କିନ୍ତୁ ପତ୍ରିକା ବାହାର କରିବି କହିଲେ ତ ବାହାର କରିହୁଏ ନାହିଁ । ସେଥିପାଇଁ ଆୟୋଜକ ଦରକାର । ନାମ ରେଜେଷ୍ଚ୍ରି ହେଲା ଏ.ଡି.ଏମ୍‌. ଅଫିସରେ । ଜନସଂପର୍କ ବିଭାଗକୁ ଜଣାଇ ଦିଆଗଲା । ଚାନ୍ଦା ଆଦାୟ ହେଲା । ଲେଖା ସଂଗ୍ରହ କରାଗଲା । କାଗଜ କିଣି ପ୍ରେସକୁ ଦେଲୁ ଛାପିବା ପାଇଁ ଏବଂ ପ୍ରଥମ ସଂଖ୍ୟା ଜାନୁୟାରୀ ଛବିଶ ୧୯୮୧ ମସିହା ପବିତ୍ର ଗଣତନ୍ତ୍ର ଦିବସରେ ଉନ୍ମୋଚନ କରିବା ସକାଶେ କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତ ହେଲା । କଟକ ଯାଇ ବାବୁଜୀ ‘ସମାଜ’ର ସଂପାଦକ ରାଧାନାଥ ରଥଙ୍କୁ ଅନୁରୋଧ କରି ଆସିଲି ପ୍ରଥମ ସଂଖ୍ୟା ଉନ୍ମୋଚନ କରିବା ପାଇଁ । ସେ ରାଜିହେଲେ । କବି ସୀତାକାନ୍ତ ମହାପାତ୍ର ଆମ ଅନୁରୋଧ ରକ୍ଷାକରି ରାଜି ହେଲେ ସମ୍ମାନିତ ଅତିଥି ଭାବେ ଯୋଗଦେବା ପାଇଁ । ନେହୁରୁ ଯୁବ ସଂଘର ଅଫିସ ପ୍ରକୋଷ୍ଠରେ ଆୟୋଜନ କରାଗଲା ଉନ୍ମୋଚନ ଉତ୍ସବ । ଉଦ୍ୟୋକ୍ତାମାନଙ୍କୁ ଉତ୍ସାହିତ କରବା ପାଇଁ ଆସିଥିଲେ ଅନେକ ତରୁଣ ଲେଖକ ଲେଖିକା ଓ ଶୁଭାକାଂକ୍ଷୀ । ବାବୁଜୀ ‘ଅମୃତାୟନ’ର ପ୍ରଥମ ସଂଖ୍ୟା ଉନ୍ମୋଚନ କରି ସମର୍ପଣ କଲେ ପାଠକମାନଙ୍କୁ । ସାହିତ୍ୟ ମାଧ୍ୟମରେ ମଣିଷ କିପରି ଉତ୍ତମ ମାର୍ଗରେ ଚାଲିବା ପାଇଁ ଉତ୍ସାହ ପାଇଛି, ମଣିଷର ଜୀବନଦର୍ଶନକୁ ସାହିତ୍ୟ କିପରି ରଂଜିତ ଓ ପ୍ରଭାବିତ କରିଛି ତାହା କହିଥିଲେ ବାବୁଜୀ ଏବଂ ‘ଅମୃତାୟନ’କୁ ଆଶୀର୍ବାଦ କରି ବଳିୟାରଭୁଜଙ୍କ ଅମୃତ ଦୃଷ୍ଟି ସବୁ ସମୟରେ ଏହା ଉପରେ ପଡ଼ୁଥାଉ ବୋଲି ପ୍ରାର୍ଥନା କରି ପାଞ୍ଚଶହ ଟଙ୍କା ଦାନ କରିଥିଲେ ଏଥିପାଇଁ । ସୀତାକାନ୍ତବାବୁ ତ କବି । ସେ ଓଡ଼ିଆ ସାହିତ୍ୟର ବିଭବ ସାର୍ବଜନୀନତା ଓ ସର୍ବକାଳୀନତା ସମ୍ବନ୍ଧରେ କେଇପଦ ମନଛୁଆଁ କଥାକହି ମୋହିତ କରିଥିଲେ ସମସ୍ତଙ୍କୁ ଅପରାହ୍ନରେ ସୂର୍ଯ୍ୟ ସେତେବେଳେ ରାଜଧାନୀ ଉପରେ ଢାଳିଦେଇଥାଏ ଆଲୋକର ସହସ୍ରାଧାର । ରାଜପଥ, ଜନପଥ, ଉଦ୍ୟାନ ମାର୍ଗ ସର୍ବତ୍ର ଚହଟୁ ଥାଏ କୃଷ୍ଣଚୂଡ଼ା ଫୁଲ, ସଂସାରର ସମସ୍ତ ମଣିଷଙ୍କ ମଧ୍ୟରେ ଥିବା ସମତା ଘୋଷଣା କରି ।

 

ମୁଁ ମା’ ହୋଇ ସାରିଥଲି ଏହା ପୂର୍ବରୁ । କିନ୍ତୁ ଦଶମାସର ଗର୍ଭବେଦନା ପରେ ଆଉ ଥରେ ମା ହେବା ପରି ଲାଗିଲା ମୋତେ । ମୋ କୋଳରେ ନବଜାତ ଶିଶୁ ‘ଅମୃତାୟନ’କୁ ଦେଖିବା ଓ ସଂଖୋଳିବା ପାଇଁ ଭିଡ଼ ଲାଗିଲା ପରେଷ୍ଟପାର୍କ ବଙ୍ଗଳାରେ । ଓଡ଼ିଆ ଭାଷାରେ ପ୍ରକାଶ ପାଉଥିବା ମାସିକ ବା ତ୍ରୈମାସକ ପତ୍ରିକାର ସଂଖ୍ୟା ସେତେବେଳେ ହାତରେ ଗଣି ହେଉଥଲା । ଅଠରବର୍ଷ ପରେ ସେଇ ସଂଖ୍ୟା ଯେ ବିଶେଷ ବଢ଼ିନାହିଁ ଏହା ମଧ୍ୟ କୁହାଯାଇପାରେ-। କିନ୍ତୁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ, ସାହିତ୍ୟ ପ୍ରତି ମୋର ଅନୁରାଗ ମୋତେ ସଂପାଦନା କରିବାପାଇଁ ସୁଯୋଗ ଆଣିଦେଲା । ଏପର୍ଯ୍ୟନ୍ତ ମୁଁ କେବଳ ବିଭିନ୍ନ ଲେଖକ ଓ ଲେଖିକାଙ୍କ ରଚନା ପଢ଼ି ଆସୁଥଲି । କିନ୍ତୁ ‘ଅମୃତାୟନ’ର ସଂପାଦକ ଦାୟିତ୍ଵ ନେବା ପରେ ଅନେକ ଲେଖା ହାତକୁ ଆସିଲା । ଲେଖା ବାଛିବା ପୂର୍ବରୁ ଥରେ ଦୁଇଥର ପଢ଼ୁଥିଲି, ଏବଂ ମୋ ବିଚାରରେ ପ୍ରକାଶଯୋଗ୍ୟ ବିବେଚିତ ହେଉଥିବା ରଚନାଗୁଡ଼ିକୁ ପ୍ରକାଶ କରିବା ପାଇଁ ଦେଉଥଲି ।

 

ପତ୍ରିକା ସଂପାଦନା ଗୋଟିଏ ଦାୟିତ୍ଵପୂର୍ଣ୍ଣ କାମ । ମୁଁ ଚେଷ୍ଟା କରିଛି ସେଇ ଦାୟିତ୍ଵ ସଂପାଦନ କରିବାପାଇଁ । ଅନେକ ନୂଆ ନୂଆ ଲେଖକ ଓ ଲେଖିକା ହାତରେ ଗଳ୍ପ ବା କବିତା ଧରି ଆସି ପହଞ୍ଚୁଥିଲେ ବଙ୍ଗଳାରେ, ସେମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା ହେଉଥିଲା କିନ୍ତୁ ଯିବାବେଳେ ପ୍ରାୟ ପ୍ରତ୍ୟେକ କହିଯାଉଥିଲେ ସେଇ ଗୋଟିଏ କଥା- ମାଉସୀ, ଆସନ୍ତା ସଂଖ୍ୟାରେ ମୋ ଲେଖା ଛାପିବ.. । ସେମାନେ କେତେ ଆଶା ନେଇ ଆସିଥାଆନ୍ତି ସଙ୍ଗେ ସଙ୍ଗେ ହଁ କି ନା କରିବା ସମ୍ଭବ ନୁହେଁ, ତଥାପି ମୁଁ ଯଥାସାଧ୍ୟ ଚେଷ୍ଟା କରୁଥିଲି ପୋଖତ ହାତର ଲେଖା ସହିତ ନୂତନ ହାତର ଲେଖାକୁ ମଧ୍ୟ ସ୍ଥାନ ଦେବା ପାଇଁ କୁମ୍ଭାର ଯେପରି କଞ୍ଚା ମାଟିରୁ ନାନା ପ୍ରକାର ପାତ୍ର ତିଆରି କରେ ଠିକ୍‌ ସେହିପରି । ଯେତେବେଳେ ଲେଖା ପଡ଼ୁଥାଏ ସେତିକି ଭାବନାର ବର୍ଣ୍ଣାଢ଼୍ୟ ଜଗତରେ ବିଚରଣ କରିବା ପରି ଲାଗୁଥାଏ । ସମସ୍ତ ପ୍ରକାଶିତ, ଲେଖା ସମାନ ନୁହେଁ, କିମ୍ବା ସମସ୍ତଙ୍କର ସୃଜନୀଶକ୍ତି ମଧ୍ୟ ସମାନ ନୁହେଁ । ନୂଆ ନୂଆ ଲେଖିଥିବା ପୁଅ ଓ ଝିଅମାନଙ୍କୁ ଉତ୍ସାହ ଦେବା ଥିଲା ମୋର କାମ । ଟିକେ ସଜାଡ଼ି ଦେଲେ ଯଦି ଲେଖାଟି ପ୍ରକାଶଯୋଗ୍ୟ ହୋଇଯାଏ ତେବେ ତାହା କରିବା ପାଇଁ ମୁଁ ଦ୍ୱିଧାବୋଧ କରୁନଥଲି । କିନ୍ତୁ ତଥାପି ସମସ୍ତଙ୍କୁ ସବୁବେଳେ ସନ୍ତୁଷ୍ଟ କରିପାରୁ ନଥିଲି । ଯେଉଁମାନେ ପତ୍ରିକା ପ୍ରକାଶନ ଓ ଏହାର ପରିଚାଳନା ସହିତ ସଂପୃକ୍ତ ଥିଲେ ବା ବିଭିନ୍ନ ଭାବେ ଏହାର ପୃଷ୍ଠପୋଷକତା କରୁଥିଲେ ସେମାନଙ୍କୁ ଛାଡ଼ି ଏକା ଏକା ପତ୍ରିକା ଚଳାଇବା ସମ୍ଭବ ନୁହେଁ । ପତ୍ରିକା ପ୍ରକାଶ କରିବା ସହଜ ହୁଏ ନିଜର ଛାପାଖାନ ଥିଲେ ବା ବହି ଓ ପତ୍ରପତ୍ରିକା ବିକ୍ରି କରିବା ସଂସ୍ଥା ଥିଲେ । ମୋ ପାଖରେ କିଛି ନଥିଲା-। କେବଳ ଚାରିଜଣ ପୁତ୍ରୋପମ ଅଳ୍ପ ବୟସର ତରୁଣଙ୍କ ଉତ୍ସାହ ଓ ମୋର ସାହସକୁ ସମ୍ଭଳ କରି ‘ଅମୃତାୟନ’ ପ୍ରକାଶ କରିବା ଦୁଃସାହସ ନିଶ୍ଚୟ । ‘ସ୍ମରଣୀକା’ ପ୍ରକାଶ କରିବା ସହଜ, କିନ୍ତୁ ତିନିମାସରେ ଥରେ, ହେଲେ ମଧ୍ୟ ‘ଢ଼ାଲ ନାହିଁ ତରଓ୍‌ବାଲ ନାହିଁ, ନଧିରାମ ସର୍ଦ୍ଦାର’ ପରି ପ୍ରେସ ନଥାଇ ପୁସ୍ତକ ବିକ୍ରି ସଂସ୍ଥା ବା ବ୍ୟବସାୟ ନଥାଇ କେବଳ କେତେଜଣଙ୍କର ସାହସ ଓ ଉତ୍ସାହକୁ ପୁଞ୍ଜି କରି ନିୟମିତ ପତ୍ରିକା ଚଳାଇବା କଷ୍ଟକର । ତଥାପି ପ୍ରଥମ ସଂଖ୍ୟା ପ୍ରକାଶ ପାଇବା ପରେ ଅନେକଙ୍କର ସାଧୁବାଦ ଶୁଣିବାର ସୌଭାଗ୍ୟ ହୋଇଥିଲା ମୋର । ଥରେ ପଦାକୁ ବାହାରି ପଡ଼ିଲେ ଆଉ ଯେ ପଛଘୁଞ୍ଚା ଦେଇହୁଏ ନାହିଁ ତାହା ବାରମ୍ବାର ମୋତେ ଚେତାଇ ଦେଇଥିଲା ସବୁ ବାଧାବିଘ୍ନ ଅତିକ୍ରମ କରି ଆଗକୁ ଯିବା ପାଇଁ । ଗୋଟିଏ ପୁରୁଣା ପ୍ରତିଷ୍ଠିତ ପତ୍ରିକା ମଧ୍ୟ ଯଥେଷ୍ଟ ବିଜ୍ଞାପନ ନଥିଲେ କ୍ଷତିହୁଏ । ପତ୍ରିକା ବିକ୍ରୟରୁ ଖର୍ଚ୍ଚର ପଚିଶ ଭାଗ ଆଦାୟ ହୁଏ ମାତ୍ର । ବିକ୍ରି କରୁଥିବା ଏଜେଣ୍ଟମାନେ ପଚିଶିରୁ ପଇଁତିରିଶ ପ୍ରତିଶତ କମିସନ ନିଅନ୍ତି । ବନ୍ଧାବନ୍ଧି, ଡ଼ାକଖର୍ଚ୍ଚ ଇତ୍ୟାଦି ମଧ୍ୟ ଅଛି । ପ୍ରଥମ କେତୋଟି ସଂଖ୍ୟା ପ୍ରକାଶ କରିବା ପାଇଁ ବେଶ୍‌ ନାକେଦମ ହେବାକୁ ପଡ଼ିଥିଲା । ସାତକଡ଼ି ବାବୁ ଓ ତାଙ୍କ ବନ୍ଧୁମାନଙ୍କୁ ବେଳେବେଳେ ବିଜ୍ଞାପନ ପାଇଁ ଅନୁରୋଧ କରିବାକୁ ବାଧ୍ୟ ହେଉଥିଲି । ସହସଂପାଦକମାନଙ୍କୁ ସାଙ୍ଗରେ ଧରି କମ୍ପାନୀ ଓ କରପୋରେସନ ଅଫିସକୁ ଯାଉଥିଲି । ବିଜ୍ଞାପନ ସଂଗ୍ରହ କରିବା ପାଇଁ । ଛାପିବା କଷ୍ଟ ନୁହେଁ, ଲେଖା ଯୋଗାଡ଼ କରିବା ମଧ୍ୟ ସହଜ । କିନ୍ତୁ ପତ୍ରିକା ଚଳାଇବାରେ ସବୁଠାରୁ କଷ୍ଟସାଧ୍ୟ କାର୍ଯ୍ୟ ବିଜ୍ଞାପନ ସଂଗ୍ରହ କରିବା ଏଥିପାଇଁ ଚାରିପାଞ୍ଚଥର ଦୌଡ଼ିବାକୁ ହୁଏ, ସେହିପରି ଟଙ୍କା ଆଦାୟ କରିବା ପାଇଁ ଓ ଟଙ୍କା ଆଦାୟ କରିବା । ଗୋଟିଏ ବିଜ୍ଞାପନ ପାଇବା ପାଇଁ ଆଉ ତିନି ଚାରିଥର ଯିବାକୁ ହୁଏ । ବେଳେବେଳେ ବିଜ୍ଞାପନ ଦାତା ମାନଙ୍କର ବା ଏଜେଣ୍ଟମାନଙ୍କର ଦେଖା ନପାଇ ମୁଣ୍ଡର ଝାଳ ତୁଣ୍ଡରେ ମାରି ଫେରିବାକୁ ହୁଏ । ମୁଁ ସନ୍ଧ୍ୟାବେଳେ ହାଲିଆ ହୋଇ ଘରକୁ ଫେରିଲାବେଳେ ଲନ୍‌ ଉପରେ ବା ବାରଣ୍ଡାରେ ବସି ନୀଳ ଆକାଶକୁ ଚାହିଁ ଜଗନ୍ନାଥଙ୍କର ‘ଅମୃତାୟନ’ କୃପାଦୃଷ୍ଟି ପଡ଼ୁ ଏବଂ ସମସ୍ତ ପ୍ରତିକୂଳତା ଦୂର ହୋଇଯାଉ ବୋଲି ପ୍ରାର୍ଥନା କରେ । ସେ ଶୁଣନ୍ତି ନିଶ୍ଚୟ । ନଚେତ୍‌ ମୋ ପରି ଜଣେ ଗୃହବଧୁ ଆଗରେ ଥିବା ଅନେକ ଅନ୍ତରାୟ ଏପରି ଅପ୍ରତ୍ୟାଶିତ ଭାବରେ ଦୂର ହୋଇଯାଇ ନଥାନ୍ତା ।

Image

 

ଶୁଭ ସଙ୍କଳ୍ପରୁ ସଫଳତା ଆସେ

 

‘ଅୃମତାୟନ’ର ପ୍ରଥମ ସଂଖ୍ୟା ପ୍ରକାଶ ପାଇବା ପରେ ଦାୟିତ୍ଵ ବଢ଼ିଗଲା ପରି ଲାଗିଲା-। ପ୍ରଥମ ସଂଖ୍ୟାରେ ପ୍ରତି ତିନିମାସରେ ପତ୍ରିକା ପ୍ରକାଶ ହେବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ କହିବା ଓ କରିବା ମଧ୍ୟରେ ଯେ ଏତେ ତଫାତ୍‌ ତାହା ଧୀରେ ଧୀରେ ବୁଝିଲି-। ପୂର୍ଣ୍ଣେନ୍ଦୁ, ପ୍ରଦୀପ୍ତ ସୁଦୀପ୍ତ। ଗିରୀଶ ଓ ଅନ୍ୟାନ୍ୟ ଉତ୍ସାହୀ ପିଲାମାନେ ମୋ ଉପରେ ସମସ୍ତ ଦାୟିତ୍ଵ ଲଦି ଦେଇ କହିଲେ- ମାଉସୀ, ଆପଣ ନ ଲାଗିଲେ ହେବ ନାହିଁ । ଆମେ ସିନା କିଛି ଚାନ୍ଦାଭେଦା ଆଣିବୁ, କିନ୍ତୁ ସେଥିରେ ତ ପତ୍ରିକା ଚାଲିବ ନାହିଁ ।’ ସଂପାଦିକା ହେବାର ଦାୟିତ୍ଵ ନେବାବେଳେ ମୁଁ ବିଭିନ୍ନ ଅସୁବିଧା କଥା ଭାବିନଥିଲି, ଭରସା ଥିଲା ସମସ୍ତଙ୍କ ସହଯୋଗରୁ ଭଲ କାମ ଯେପରି ହୋଇଯାଏ ଏ କାମ ବି ସେହିପରି ହୋଇଯିବ । କିନ୍ତୁ ଗୋଟିଏ ସଂଖ୍ୟା ବାହାର କରିବା ପାଇଁ କାଗଜ, ଖର୍ଚ୍ଚ, ଛାପା ଖର୍ଚ୍ଚ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ କେଉଁଠୁ ଆସିବ ତାହା ହିଁ ହେଲା ମୁଖ୍ୟ ସମସ୍ୟା । କିଛି ଚାନ୍ଦା ସେମାନେ ଆଣିଲେ ପ୍ରଥମ ସଂଖ୍ୟା ବିକ୍ରି କରି ଓ ବିଜ୍ଞାପନରୁ କିଛି ମିଳିଲା, ମୁଁ କିଛି ଦେଲି, ତଥାପି ଅକୁଳାଣ ହେଲା । ନଈ ଭିତରକୁ ପାଦ ପେଲିଦେବା ପରେ ଆଉ ଚାରା ନଥାଏ ପାରି ନହେବା ଯାଏ । ପିଲାମାନଙ୍କ ଉତ୍ସାହରେ କ୍ରମଶଃ ଭଟ୍ଟା ପଡ଼ିଆସିଲା । କିନ୍ତୁ ମୋ ଉତ୍ସାହ ଜିଦ୍‌ରେ ପରିଣତ ହେଲା । ବଡ଼ ବଡ଼ ଲୋକଙ୍କ ବାଣୀମନେ ପଡ଼ିଲା । ନେପୋଲିଅନ୍‌ କହିଥିଲେ ଯେ, ଅସମ୍ଭବ ବୋଲି କୌଣସି ଶବ୍ଦ ମୋ ଅଭିଧାନରେ ନାହିଁ । ସେହିପରି ଓଡ଼ିଆ କବିଙ୍କ କବିତା ମନେ ପଡ଼ିଯାଇଛି–

 

‘‘ଜୀବନେ ଯେବେ ବାବୁ ଲଭିବ ଯଶ

କରମେ ଲାଗିପଡ଼ ତେଜି ଅଳସ ।

 

ନିଶ୍ଚେ ଜିଣିବ କଲେ ଥରକୁ ଥର

ଧୀର ପାଣି ଯେସନେ କାଟେ ପଥର ।

 

ଏକା ଦିନକେ କେହି ହୁଏ କି ବଡ଼

ଏକା ହୋଇକି କିଏ ଜିଣିଛି ଗଡ଼ ।

 

କଥାରେ ଅଛି ‘‘ବୁଦ୍ଧି ଥିଲେ ବାଟ ଦିଶେ’’ । ଗୋଟିଏ ଭଲ କାମ ଅର୍ଥାଭାବରୁ ଅଟକିଯାଏ ନାହଁ । ମୁଁ ସଂକଳ୍ପ କଲି ସବୁ ବାଧାବିଘ୍ନ ଅତିକ୍ରମ କରି ‘ଅମୃତାୟନ’ର ପଞ୍ଚିକରଣ କରିବା ପାଇଁ । ଏ.ଡ଼ି.ଏମ୍‌. ଭୁବନେଶ୍ୱରଙ୍କ ଠାରେ ଦରଖାସ୍ତ କଲି । ପୂର୍ବରୁ ସମାଜସେବା କରିବା ଉଦ୍ଦେଶ୍ୟରେ ଅମୃତାୟନ ସୋସାଇଟି ଗଠିତ ହୋଇଥିଲା । ସେହି ସୋସାଇଟି ପକ୍ଷରୁ ଅମୃତାୟନ ପ୍ରକାଶନ ବିଧିବଦ୍ଧ ଭାବରେ କରିବାପାଇଁ ନିଷ୍ପତ୍ତି ନେଲି । ପିଲାମାନେ ହତାଶ ହେଇ ଥକି ପଡ଼ୁଥିଲା ବେଳେ ଅମୃତାୟ ନିୟମିତ ଭାବେ ପ୍ରକାଶ କରିବା ପାଇଁ ମୁଁ ଲମ୍ଫ ଦେଲି । ଶ୍ରୀମା’ କହିଛନ୍ତି ଯେ, ‘‘ସେହିମାନେ ହିଁ ଧନ୍ୟ ଯେଉଁମାନେ ଆଗକୁ ଲମ୍ଫ ଦିଅନ୍ତି ।’’ ଶୁଭ ମୁହୂର୍ତ୍ତ ସବୁବେଳେ ଆସେ ନାହିଁ । ଯେତେବେଳେ ଆସେ ସେତେବେଳେ ତାର ଉପଯୋଗ କରିବା ଦ୍ଵାରା ସଫଳତା ମିଳେ । ଏ.ଡ଼ି.ଏମ୍‌. ଅମୃତାୟନକୁ ପଞ୍ଜିକୃତ କଲେ ଏବଂ ତା’ପରେ ଏହାକୁ ସ୍ଵୀକୃତି ଦେବା ପାଇଁ ନିୟମ ଅନୁସାରେ ଭାରତ ସରାକରଙ୍କ ସମ୍ବାଦପତ୍ରର ରେଜିଷ୍ଟାର୍‌ଙ୍କ ନିକଟକୁ ଦରଖାସ୍ତ କଲି । ମୁଁ ସଂପାଦିକା ଥିବାବେଳେ ପରିଚାଳନା ସଂପାଦକ ଭାବେ ଗିରୀଶ ଚନ୍ଦ୍ର ଦାସ, ଉପଦେଷ୍ଟା ଭାବରେ ସାତକଡ଼ି ହୋତା ରହିଲେ । କିନ୍ତୁ ଯେତେ ଶୀଘ୍ର ଆର.ଏନ୍‌.ଆଇ ଅଫିସର ସ୍ୱୀକୃତି ମିଳିବା କଥା ସେତେ ଶୀଘ୍ର ମିଳିଲା ନାହିଁ । ଭାଗ୍ୟକୁ ଏହି ନାମରେ ପୂର୍ବରୁ ଆଉ କେବେ କୌଣସିଠାରେ ‘ଅମୃତାୟନ’ ନାମରେ ପତ୍ରିକା ପଞ୍ଜକୃତ ହୋଇନଥିଲା । ଏଣୁ ଦିଲ୍ଲୀକୁ ବାରମ୍ବାର ଦଉଡ଼ା ଦଉଡ଼ି କରି ସଂପୃକ୍ତ ଅଫିସର୍‌ମାନଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ଶେଷରେ ୧୯୮୨ ମସିହାରେ ଆର.ଏନ୍‌.ଆଇ ନମ୍ୱର ମିଳିଲା । କିନ୍ତୁ ଏଥି ମଧ୍ୟରେ ପତ୍ରିକା ପ୍ରକାଶନ ନିୟମିତ ଭାବେ ହେଉଥାଏ । ପ୍ରଥମେ ଭୁବନେଶ୍ଵରର ‘ଶାନ୍ତା’ ପ୍ରେସ୍‌ରେ ଏହା ଛପା ଯାଉଥିଲା । କିନ୍ତୁ ପରେ କଟକ ରାଧାନାଥ କୋ- ଅପରେଟିଭ୍‌ ପ୍ରେସ୍‌ରେ ଛାପା ହେଲା । ଅମୃତାୟନ ଅତି ଅଳ୍ପ ସମୟ ମଧ୍ୟରେ ଲେଖକମାନଙ୍କର ଯେପରି ସହଯୋଗ ଓ ସ୍ନେହ ଶ୍ରଦ୍ଧା ପାଇଲା, ସେହିପରି ପାଠକମାନେ ମଧ୍ୟ ପତ୍ରିକା ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କଲେ । ଏଣୁ କେବଳ କଟକ, ଭୂବନେଶ୍ୱର ଓ ପୁରୀ ମଧ୍ୟରେ ସୀମାବଦ୍ଧ ନ ରହି ପତ୍ରିକା ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ଏବଂ ଓଡ଼ିଶା ବାହାରେ ପ୍ରସାରିତ ହେଲା । ଗ୍ରାହକ ସଂଖ୍ୟା ମଧ୍ୟ ବଢ଼ିଲା । ପତ୍ରିକାର ପ୍ରସାର ଓ ଲୋକପ୍ରିୟତା ବଢ଼ୁ ଥିବା ବେଳେ ସାତକଡ଼ି ବାବୁ ବଦଳି ହୋଇ କେନ୍ଦ୍ର ସରକାରଙ୍କ ଅଧୀନକୁ ଚାଲିଗଲେ ।

 

ସେ କଲିକତାରେ ମୁଖ୍ୟ ବାଣିଜ୍ୟ ଅଧ୍ୟକ୍ଷ ଭାବେ ୧୯୮୫ ଏପ୍ରିଲ୍‌ ମାସ ୧୯ ତାରିଖ ଦିନ ଯୋଗଦେଲେ । ଅଳ୍ପଦିନ ପରେ ତାଙ୍କୁ ସେଠାରେ ଗୋଟିଏ ସରକାରୀ ବଙ୍ଗଳା ମିଳିଗଲା । କିନ୍ତୁ ମୁଁ ଅମୃତାୟନକୁ ବଞ୍ଚାଇ ରଖିବାପାଇଁ ଭୁବନେଶ୍ୱରରେ ରହିଗଲି । ୪ମାସ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ କ୍ଵାର୍ଟର୍ସରେ ରହିବା ପରେ ବି.ଜେ.ବି କଲେଜ ହଷ୍ଟେଲ୍‌ ପାଖରେ ଛୋଟଘର ଭଡ଼ାନେଇ ଅମୃତାୟନ କାଯ୍ୟାଳୟ ସେଠାକୁ ସ୍ଥାନାନ୍ତର କଲି । ସେହିଠାରେ ମୁଁ ମଧ୍ୟ ରହିଲି । ଛୋଟ ଘର, ଟେଲିଫୋନ୍‌ ନ ଥାଏ । ଚାକର ବାକର ନ ଥାଏ କିନ୍ତୁ ମୁଁ ଅମୃତାୟନ ପତ୍ରିକା ଚଳାଇବା ପାଇଁ ସେଠାରେ ବସା ବାନ୍ଧିଲି । ଗିରୀଶ ସଦାବେଳେ ମୋ ପାଖେ ପାଖେ ଥାଏ ଏବଂ ଆମେ ମାଉସୀ ପୁତୁରା ଝାଳନାଳ ହୋଇ କଟକ ଯାଇ ଅମୃତାୟନ ଛାପିବା କାର୍ଯ୍ୟ ତଦାରଖ କରୁ-। ଏମିତି ବେଳ ଯାଇଛି ଯେତେବେଳେ କି କପେ ଚା’ ବା ଗିଲାସେ ପାଣି ପିଇ କଟକରେ ରାଧାନାଥ କୋ- ଅପେରିଟିଭ୍‌ ପ୍ରେସ୍‌ରେ ସମୟ କଟାଇବାକୁ ହୋଇଛି । ବିଜ୍ଞାପନଟିଏ ପାଇବା ପାଇଁ ବିଭିନ୍ନ ଅଫିସ୍‌ ବୁଲିଛି । କିନ୍ତୁ ଏଠାରେ ଉଲ୍ଲେଖ କରିବା ଉଚିତ୍‌ ମନେ କରୁନି ଯେ କେତେବେଳେ ହେଲେ ଭାଙ୍ଗିପଡ଼ି ନାହିଁ । ଯେତେବେଳେ ସବୁ ଦ୍ଵାର ବନ୍ଦ ହୋଇଯାଇଛି ସେତିକି ବେଳେ ଅଜଣା ଦିଗରୁ ସାହାଯ୍ୟ ଆସିଛି । ଏହା ଯେ ସେହି ମହାପ୍ରଭୁ ବଳିଆର ଭୁଜ ଜଗନ୍ନାଥଙ୍କର ଅପାର କରୁଣାର ଫଳ ସେତେବେଳେ ମୁଁ ଏହା ଅନୁଭବ କରି ପୁଲକିତ ହୋଇଚି । ଗିରୀଶ ଘର କାମ ଛାଡ଼ି ମୋ ସହିତ ଅମୃତାୟନ ପାଇଁ ନିଃସ୍ଵାର୍ଥପର ଭାବେ କାମ କରିଛି । ଏବଂ ଏହାରି ଉପାର୍ଜନରୁ ମୁଁ ମାସକୁ ହଜାରେ ଟଙ୍କା ଘରଭଡ଼ା ଦେଇ ବିଜେବି ନଗରରେ ଦୁଇବର୍ଷ ଧରି ଭଡ଼ା ଘରଟିଏ ରଖି ପାରିଥିଲି। କିନ୍ତୁ ଯେପରି ଲେଖକମାନଙ୍କୁ କୌଣସି ପାରିଶ୍ରମିକ ଦେଇପାରି ନାହିଁ, ସେହିପରି ମୁଁ ବା ପରିଚଳାନା ସଂପାଦକ ଗିରୀଶ ଦାସ ଘରୁ ଖାଇ ଅମୃତାୟନ କାମ କରୁ ସିନା ଏଥିରୁ ପାରିଶ୍ରମିକ ନେଇନାହୁଁ । ସେହି ସମୟର ଦୁଃଖକଷ୍ଟ ମନେ ପଡ଼ିଲେ, ଆଖିରେ ଲୁହ ଜକେଇ ଆସେ । କିନ୍ତୁ ତା ସହିତ ତାଙ୍କର ଅମୃତାୟନ ଦୃଷ୍ଟିର ପ୍ରଲେପ ପାଇ ଶାନ୍ତି ଓ ସାହସରେ ଅନ୍ତର ମଧ୍ୟ ଭରିଯାଏ ।

 

ସାତକଡ଼ିବାବୁ ଏକା କଲିକତାରେ ରହିବା ଯୋଗୁଁ ନାନାଦି ଅସୁବିଧା ହେବାରୁ ମୁଁ ମଝିରେ ମଝିରେ ଯାଇ ସେଠାରେ ରହିଲି। କିନ୍ତୁ ଏହି କାଳରୁ ଅମୃତାୟନ ପ୍ରକାଶନରେ ବାଧା ସୃଷ୍ଟି ହେବାରୁ ଅସ୍ଥାୟୀ ଭାବରେ ଏହାର ଛାପା କାର୍ଯ୍ୟ କଲିକତାକୁ ସ୍ଥାନାନ୍ତରିତ କଲି। କଲିକତା ପ୍ରେମଚାନ୍ଦ ବରାଳ ଷ୍ଟ୍ରିଟ୍‌ରେ ଥିବା ଶାସ୍ଵତୀ ମୁଦ୍ରଣୀ ପ୍ରେସ୍‌ରେ ଏହା ଛାପା ହେଲା । ପ୍ରେସ୍‌ର ମାଲିକ ନୃସିଂହବାବୁ ନିଜେ ଜଣେ ଦକ୍ଷ ଲୋକ ଏବଂ ଅତି ଆଗ୍ରହ ସହିତ ପ୍ରୁଫ ଦେଖନ୍ତି ଏବଂ ବନାନ୍‌ ଭୁଲ୍‌ ସଂଶୋଧନ କରନ୍ତି । ଅମୃତାୟନ କଲିକତାରୁ ପ୍ରକାଶ ପାଇଲା ବେଳେ ‘ପ୍ରତିବେଶୀ’ ସାହିତ୍ୟ ପତ୍ରିକା ମଧ୍ୟ ଉତ୍କଳ ଶିକ୍ଷା ସଂସଦ ପକ୍ଷରୁ ପ୍ରକାଶିତ ହେଉଥାଏ । ସେତେବେଳେ ସାତକଡ଼ିବାବୁ ଥିଲେ..‘ପ୍ରତିବେଶୀ’ର ସଂପାଦକ । କଲିକତାରେ ଅମୃତାୟନର ପ୍ରସାର ବଢ଼ିଲା ଏବଂ ୧୯୮୬ ମସିହା ବେଳକୁ ଓଡ଼ିଶାର ପ୍ରାୟ ସବୁ ସହର ଓ ଓଡ଼ିଶା ବାହାରର ଉପାନ୍ତ ଅଞ୍ଚଳରେ ଥିବା ଖଡ଼ଗ୍‌ପୁର, ଜାମ୍‌ସେଦପୁର, ରାୟପୁର, ବିଶାଖପାଟଣା, ଭିଲାଇ ରାଞ୍ଚି, ଶାନ୍ତନିକେତନ ପ୍ରଭୃତି ସହରରେ ଅମୃତାୟନର ଯଥେଷ୍ଟ ପ୍ରସାର ହୋଇଥିଲା, ଏପରିକି ୧୯୮୬-୮୬ ମସିହା ବେଳକୁ ଏହାର ପ୍ରସାର ସଂଖ୍ୟା ଦୁଇ ହଜାରରୁ ଅଧିକ ହୋଇ ଚାର ପାଞ୍ଚ ହଜାର ହୋଇଥିଲା । ସେହି କଲିକତାରେ ଥି‌ଲାବେଳେ ମୋର ଧାରଣା ହେଲା, ଯେ, ଓଡ଼ିଆ ପତ୍ରପତ୍ରିକାର ପଢ଼ିବା ଆଗ୍ରହ କ୍ରମଶଃ ବଢ଼ୁଛି । କିନ୍ତୁ ଏଥିପାଇଁ ପ୍ରକାଶକ ଓ ବହି ବିକ୍ରେତାମାନେ ବହି ଓ ପତ୍ରପତ୍ରିକା ବଣ୍ଟନରେ ଯଦି ସୁବ୍ୟବସ୍ଥା କରନ୍ତି, ତେବେ ପାଠକମାନେ ସହଜରେ ତାହା ପାଇପାରିବେ । ଓଡ଼ିଶାରେ ପତ୍ରପତ୍ରିକା ବଣ୍ଟନ କରିବା ପାଇଁ କୌଣସି ପ୍ରତିଷ୍ଠିତ ଏଜେନ୍ସି କାର୍ଯ୍ୟ କରେ ନାହିଁ । ତେଣୁ ପତ୍ରିକାଟି ପ୍ରେସ୍‌ରୁ ବାହାରିବା କ୍ଷଣି ସଂପାଦକଙ୍କୁ ତାହା ପ୍ୟାକିଂ କରି ଏଜେଣ୍ଟମାନଙ୍କୁ ପାଖକୁ ବିଭିନ୍ନ ସ୍ଥାନକୁ ପଠାଇବାକୁ ହୋଇଥାଏ । ଭାରତବର୍ଷରେ ଓଡ଼ିଶା କେବଳ ଗୋଟିଏ ରାଜ୍ୟ ଯେଉଁଠାରେ ସଂପାଦକଙ୍କୁ ଲେଖା ସଂଗ୍ରହ କରିବା, ବିଜ୍ଞାପନ ଆଣିବା, ପ୍ରେସ୍‌ରେ ମୁଦ୍ରଣ କରିବା, ବିଭିନ୍ନ ସ୍ଥାନରେ ଏଜେଣ୍ଟମାନଙ୍କ ପାଖକୁ ପଠାଇବା, ଟଙ୍କା ଆଦାୟ କରିବା, କାଗଜ କିଣିବା ପ୍ରାୟ ସବୁ କାର୍ଯ୍ୟ କରିବାକୁ ହୋଇଥାଏ ଏବଂ ଏଥପାଇଁ ତାଙ୍କୁ କୌଣସି ପାରିଶ୍ରମିକ ମିଳେ ନାହିଁ। କେବଳ ଆତ୍ମସନ୍ତୋଷ ଏବଂ ଲେଖକ ଓ ପାଠକମାନଙ୍କ ଶୁଭେଚ୍ଛା ହିଁ ପ୍ରଧାନ ସମ୍ବଳ ।

Image

 

ମା ଫଳେଷୁ କଦାଚନ

 

କର୍ମ କରିବାର ଅଧିକାର ମଣିଷର, କିନ୍ତୁ ଫଳରେ ନୁହେଁ । ନିଷ୍କାମ କର୍ମ କରିବା ମଧ୍ୟ ସହଜ ନୁହେଁ । କିନ୍ତୁ ଅନାସକ୍ତ କର୍ମ ହିଁ ଶ୍ରେଷ୍ଠ ମାର୍ଗ । କର୍ମ କରିବାର ଅଧିକାର ସାବ୍ୟସ୍ତ କରି ମୁଁ ଦଶବର୍ଷ ଧରି ତ୍ରୈମାସିକ ପତ୍ରିକା ରୂପେ ପ୍ରକାଶ ପାଉଥିବା ‘ଅମୃତାୟନ’ ପତ୍ରିକାକୁ ମାସିକ କରିବା ପାଇଁ ନିଷ୍ପତ୍ତି ନେବା, ଏହାର ପାଠକମାନଙ୍କ ପାଇଁ ଗୋଟିଏ ଶୁଭ ଖବର ହୋଇପାରେ, କିନ୍ତୁ ଗୋଟିଏ ମାସିକ ପତ୍ରିକାର ପରିଚାଳନା, ସଂପାଦନା ପ୍ରକାଶନ ଯେ ସହଜ ନୁହେଁ ଏହା ପତ୍ରିକା ପ୍ରକାଶନ ସହିତ ସଂପୃକ୍ତ ସମସ୍ତେ ଜାଣନ୍ତି । ସେଇ କାରଣରୁ ଭାଷାଭିତ୍ତିରେ ଓଡ଼ିଶା ଗୋଟିଏ ସ୍ଵତନ୍ତ୍ର ପ୍ରଦେଶଭାବେ ୧୯୩୬ ଏପ୍ରିଲ ପହିଲା ଦିନ ଜନ୍ମ ହୋଇ ମଧ୍ୟ ଏଇ ତେଷଠି ବର୍ଷରେ ଓଡ଼ିଆ ଲେଖି ପଢ଼ି ଜାଣୁଥିବା ସାକ୍ଷରଙ୍କ ସଂଖ୍ୟା ୫୦ ପ୍ରତିଶତ ମଧ୍ୟରେ ରହିଛି । ସାମାଜିକ ଗତିଶୀଳତା ଓ ଶିକ୍ଷା ବିସ୍ତାରରେ ମନ୍ଥରତା, ରକ୍ଷଣଶୀଳତାରୁ ମୁକୁଳିବା ପାଇଁ ଉଦ୍ୟମର ଅଭାବ ଓ ଅର୍ଥନୈତିକ ଅସ୍ଵଚ୍ଛଳତାରୁ ପଢ଼ିବାର ଆଗ୍ରହ ଓଡ଼ିଶାରେ କମ୍‌ । ଏବେ ମଧ୍ୟ ନିୟମିତ ଭାବେ ପାଞ୍ଚଟି ମାସିକ ସାହିତ୍ୟ ପତ୍ରିକା ଓଡ଼ିଶାରେ ପ୍ରକାଶ ପାଉନାହିଁ । ୧୯୯୦ରେ ତାର ସଂଖ୍ୟା ଥିଲା ତିନି । ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ପ୍ରତିଷ୍ଠିତ ସବୁଠାରୁ ପୁରୁଣା ସାହିତ୍ୟ ପତ୍ରିକା ‘ଝଙ୍କାର’ ଯଦି ବଞ୍ଚିରହିଥାଏ ତା’ର ଏକମାତ୍ର କାରଣ ଏହି ଯେ, ଏହା ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ଵାରା ପ୍ରକାଶ ପାଏ ଏବଂ କ୍ରମାଗତ ପଚାଶ ବର୍ଷ ଧରି କ୍ଷତିରେ ଚାଲୁଥିଲେ ମଧ୍ୟ ଏହା ଚଳାଇବାର ଶକ୍ତି ଅନୁଷ୍ଠାନର ଅଛି । ଗୋଟିଏ ପତ୍ରିକା ବା ସମ୍ବାଦପତ୍ର ବିକ୍ରୟଲବ୍ଧ ଅର୍ଥରୁ ଚଳିପାରେ ନାହିଁ । ବରଂ ଏହା ସମସ୍ତେ ଜାଣିବା ଉଚିତ ଯେ, ମାତ୍ର ପଚିଶ ପ୍ରତିଶତ ଖର୍ଚ୍ଚ ପତ୍ରିକା ବିକ୍ରୟରୁ ମିଳିଥାଏ । ତେଣୁ ମାସିକ ପତ୍ରିକା ପ୍ରକାଶ କରିବା ମୋ ପରି ଜଣେ ସାଧାରଣ ବ୍ୟକ୍ତି ପକ୍ଷରେ ଯେ ଏକ ଦୁଃସାହାସିକ ନିଷ୍ପତ୍ତି ଏହା ଉଲ୍ଲେଖ କରିବାରେ ଦ୍ୱିଧା ନାହିଁ । ପ୍ରସଙ୍ଗ ଆଲୋଚନା ହେବାବେଳେ ସାତକଡ଼ି ବାବୁ ଦିନେ କହିଲେ, ‘ଏପରି ନିଷ୍ପତ୍ତି ଦୁଃସାହସିକ ନିଶ୍ଚୟ, କିନ୍ତୁ ପ୍ରଥମ ଏଭରେଷ୍ଟ ଶୃଙ୍କ ଆରୋହଣ କରିବା ପାଇଁ ଯେଉଁମାନେ ଯାଇଥିଲେ । ସେମାନଙ୍କର ନିଷ୍ପତ୍ତି ମଧ୍ୟ ଥିଲା ଦୁଃସାହସିକ-। ଦୁଃସାହସ ନ ଥାଇ କୌଣସି ବଡ଼ ଭଲ କାଯ୍ୟ କରିହୁଏ ନାହିଁ । ଆମର ପାଞ୍ଚ ସନ୍ତାନକୁ ମଣିଷ କରିବା ପାଇଁ ଆମେ ଯେପରି ଯତ୍ନ ଓ ତ୍ୟାଗ କରିଛୁ ‘ଅମୃତାୟନ’ ପାଇଁ ମଧ୍ୟ ସେହିପରି କରିବାକୁ ହେବ ଏବଂ ଯଦି ଦୁର୍ଭାଗ୍ୟକୁ କାହାରି ସନ୍ତାନ ଅମଣିଷ ହୋଇଯାଏ, ତେବେ ସେଇ ବାପା ମା’ଙ୍କ ଅବସ୍ଥା ଯେପରି ହୁଏ ‘ଅମୃତାୟନ’ ଯଦି ନିଜ ପାଦରେ ଛିଡ଼ା ହୋଇନପାରେ ଆମର ତାଦୃଶ ଅବସ୍ଥା ହେବ ।’ ଥରେ ମନ ସ୍ଥିର କଲେ ମୁଁ ଆଉ ପଛକୁ ଚାହେଁ ନାହିଁ । ଯେଉଁ ଚକାଆଖିର କରୁଣାରୁ ମୁଁ ଏଯାଏ ଆଗେଇ ଆସିଛି ତାଙ୍କରି କୃପାରୁ ଏଇ ଦୁଃସାହସିକ କାର୍ଯ୍ୟ ସଫଳ ହେବ ବୋଲି ମୋର ହୃଦବୋଧ ହେବାରୁ ‘ଅମୃତାୟନ’ ନୂତନ କଳେବର ନେଇ ୧୯୯୦-ଜାନୁୟାରୀ ସଂଖ୍ୟାରୁ ମାସକ ପତ୍ରିକା ରୂପେ ଆତ୍ମପ୍ରକାଶ କଲା ।

 

ମାସିକ ଅମୃତାୟନର ପ୍ରଥମ ସମ୍ପାଦକୀୟରେ ମୁଁ ଲେଖିଥିଲି: କାଗଜର ମୂଲ, ଛାପା ଓ ଆନୁଷଙ୍ଗିକ ଖର୍ଚ୍ଚ ବଢୁଥିବା ବେଳେ ଏବଂ ନିୟମିତ ଭାବରେ ଯଥେଷ୍ଟ ବିଜ୍ଞାପନ ପାଇବା ସମ୍ଭବ ହେଉ ନ ଥିବା ଓ ପତ୍ରିକାର ପ୍ରସାର ସତ୍ତ୍ୱେ ଆମର ଯଥାର୍ଥ ପ୍ରାପ୍ୟ ଆମ ପାଖରେ ପହଞ୍ଚୁ ନଥିବା ସମୟରେ ଏକ ତ୍ରୈମାସିକ ପତ୍ରିକାକୁ ମାସିକରେ ପରିଣତ କରବାର ସଂକଳ୍ପ ଉଚ୍ଚାକାଂକ୍ଷା ଓ ଦୁଃସାହସିକ ନିଶ୍ଚୟ । କିନ୍ତୁ ଏଇ ଉଚ୍ଚାକାଂକ୍ଷା ଓ ଦୁଃସାହସରୁ ଜନ୍ମନିଏ ନୂତନ ଓ ଅଭିନବ; ଏଇଥିରୁ ସୃଷ୍ଟି ହୁଏ ଅପ୍ରତିହତ ପ୍ରତ୍ୟୟ ସହିତ କର୍ମପ୍ରବଣତା ଓ ଅବିଚଳିତ ବିଶ୍ୱାସ । ଏହା ହିଁ ଆଗାମୀ ସିଦ୍ଧିର ଭିଭିଭୂମି । ‘ଅମୃତାୟନ’ ମୋ ଜୀବିକାର୍ଜନର ମାଧ୍ୟମ ନୁହେଁ । କିନ୍ତୁ ମୋର ଉତ୍ତରଣ ଓ ସାରସ୍ଵତ ସାଧନାର ମାର୍ଗ । ଆରମ୍ଭରେ ମୋ ସହିତ ଥିବା ପିଲାମାନଙ୍କ ମଧ୍ୟରୁ ପୂର୍ଣେନ୍ଦୁ ମିଶ୍ର ଅସମୟରେ ଚାଲିଗଲା ଅନ୍ୟପୁରକୁ । ଆରମ୍ଭର ଟିକେ ପରେ ଅନ୍ୟମାନେ ଯେ ଯାହାର ବାଟରେ ଚାଲିଗଲେ, କିନ୍ତୁ ଗିରୀଶ ଦାସ ଏବେ ବି ଅଛି ମୋ ପାଖେ । ସେ ଏବେ ପରିଚାଳନା ସଂପାଦକ । ପ୍ରବୀର ଓ ନିରଞ୍ଜନ ଏବେ ବି ନିଷ୍ଠାର ସହିତ କାର୍ଯ୍ୟ କରନ୍ତି, ସହସଂପାଦକ ଭାବେ ଦେବ, ସମୀର, ଶରତ ଓ ଅଭୟ ଅନ୍ୟ ମାର୍ଗ ବାଛି ନେଇଛନ୍ତି । ଏ ସମସ୍ତେ କୁମ୍ଭାର ଚକରେ ଗଢ଼ା ମାଟିର ପାତ୍ର ପରି ମୋ ହାତରେ ଗଢ଼ା ଗୋଟିଏ ଗୋଟିଏ ସାଧନାର ଆଧାର । ମଝିରେ କନିଷ୍କ ଓ କବିତା ଆସିଥିଲେ, ଏବେ ସେମାନେ ସ୍ଵତନ୍ତ୍ର ।

 

ଶ୍ରୀଅରବିନ୍ଦ କହିଥିଲେ ଯେ ଆମେ ଅତୀତର ଉଷାର ନୋହୁଁ, ଆମେ ଆଗାମୀ ମଧ୍ୟାହ୍ନର । ସେଇ ମଧ୍ୟାହ୍ନ ଆଡ଼କୁ ଅଗ୍ରଗତି କରିବା ପାଇଁ ନିଷ୍ପତ୍ତି ନେବା ହିଁ ସାହସିକତା । ଓଡ଼ିଆ ପତ୍ରିକା ବିକ୍ରି ହେଲେ ମଧ୍ୟ ଏଜେଣ୍ଟମାନଙ୍କଠାରୁ ପ୍ରାପ୍ୟ ମଳେନାହିଁ ନିୟମିତ ଭାବେ ଏବଂ ବେଳେବେଳେ କେହି କେହି ତାହା ମଧ୍ୟ ଆତ୍ମସାତ୍‌ କରନ୍ତି । ବିଜ୍ଞାପନ ହିଁ ମାସିକ ପତ୍ରିକାର ପ୍ରଧାନ ସମ୍ବଳ । କିନ୍ତୁ ବିଜ୍ଞାପନ କେଉଁଠୁ ଆସିବ, କିଏ ଦେବ ? ଓଡ଼ିଶାରେ ବ୍ୟବସାୟ ବାଣିଜ୍ୟ ନାହିଁ କିମ୍ବା ଶିଳ୍ପ ବିକାଶ ଘଟିନାହିଁ । ତେଣୁ ଘରୋଇ ଅନୁଷ୍ଠାନରୁ ବିଜ୍ଞାପନ ଆଶା କରିବା ନିରର୍ଥକ । ସରକାରୀ ସଂସ୍ଥାମାନଙ୍କରୁ ବିଜ୍ଞାପନ ମଧ୍ୟେ ମଧ୍ୟେ ଯଦିବା ମିଳେ ତାହା ଏତେ ଶ୍ରମସାଧ୍ୟ ଯେ, କହିଲେ ନସରେ । ବିଜ୍ଞାପନ ଦେବା କର୍ତ୍ତୃପକ୍ଷଙ୍କ ମର୍ଜି ଉପରେ ନିର୍ଭର କରେ, ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ନୀତିନିୟମ ଅନୁସୃତ ହୁଏ ନାହିଁ । ଏବେ ବି ସେଇ ଅବସ୍ଥା । ଦୈନିକ ସମ୍ବାଦପତ୍ରକୁ ସରକାର ଭୟକରି ବିଜ୍ଞାପନ ଦିଅନ୍ତି, କିନ୍ତୁ ସାହିତ୍ୟ ପତ୍ରିକା କଥା ପଚାରେ କିଏ । ବରଂ ମନ୍ତ୍ରୀ, ପ୍ରଶାସକ ଓ ବଡ଼ ବଡ଼ ଲୋକ ମାଗଣାରେ ପ୍ରତିକାଟିଏ ପାଇବା ସକାଶେ ଆଶା କରନ୍ତି । ଦୁର୍ଭାଗ୍ୟର ବିଷୟ ଏହି ଯେ, ସରକାରଙ୍କ ବାହାରେ ଯେଉଁ ଶିକ୍ଷିତ ସମ୍ପ୍ରଦାୟ ଅଛନ୍ତି ସେମାନଙ୍କର ରୁଚିବୋଧ ଓ ସାଂସ୍କୃତିକ ଚେତନା ମଧ୍ୟ ଏତେ କମ୍‌ ଯେ ସେମାନେ ପତ୍ରିକା କିଣିବା ଦୂରେ ଥାଉ, ସେମାନେ ମଧ୍ୟ ମାଗଣାରେ ପତ୍ରିକା ମିଳୁ ବୋଲି ଆଶା କରନ୍ତି । କେବଳ ନିମ୍ନ ମଧ୍ୟବିତ୍ତ ପାଠକମାନଙ୍କ ଉପରେ ଭରସା କରି କୌଣସି ପତ୍ରିକା ଚାଲିପାରେ ନାହିଁ । ଗୋଟିଏ ବିଜ୍ଞାପନ ଆଣିବା ପାଇଁ ଅତିକମ୍‌ରେ ଚାରି ପାଞ୍ଚଥର ଦୌଡ଼ିବାକୁ ହୁଏ ଏବଂ ବିଜ୍ଞାପନ ମୂଲ୍ୟ ପାଇଁ ଆଉ ଦୁଇତିନି ଥର । ଫଳରେ ହଜାରେ ଟଙ୍କାର ବିଜ୍ଞାପନ ସାତଶହ ହୋଇଯାଏ । ବୋଝ ଉପରେ ନଳିତା ବିଡ଼ା ପରି ଏହା ଉପରେ କେବେ କେମିତି କାର୍ଯ୍ୟ ସହିତ ସଂପୃକ୍ତ ଲୋକଙ୍କୁ ମଧ୍ୟ ବିଭନ୍ନ ପ୍ରକାରେ ସନ୍ତୁଷ୍ଟ କରିବାକୁ ହୁଏ । ସବୁଠାରୁ ବଡ଼ କଥା ହେଲା ଜାତୀୟ ସ୍ତରରେ ବିଜ୍ଞାପନ ବ୍ୟବସାୟ ସମ୍ମାନିତ କିନ୍ତୁ ଓଡ଼ିଶାରେ ତାହା ଅବଶିଷ୍ଠ ସମ୍ମାନ ବୋଧକୁ ମଧ୍ୟ ନଷ୍ଠ କରିଦିଏ ।

 

‘ଅମୃତାୟନ’ ମାସିକ ହେବାର ବରଷେ ପୂରିବା ଆଗରୁ ଆମର ଗଣନା ଯେଠିକ୍‌ ନୁହେଁ ତାହା ପ୍ରମାଣ ହୋଇଗଲା । ଆଉ ପଛଘୁଞ୍ଚା ଦେବା ସମ୍ଭବ ନୁହେଁ କି ଅନ୍ୟକିଛି କହିବା ସୁବିଧା ବା ସମ୍ମାନଜନକ ନୁହେଁ, ମନେକରି ଆୟ ବୁଦ୍ଧି କରିବା ପାଇଁ ବିକଳ୍ପ ଉପାୟ ଖୋଜୁଥିଲା ବେଳେ ଜଣେ ବନ୍ଧୁ କହିଲେ କମର୍ସିଆଲ ବିଜ୍ଞାପନ ପାଇଁ ଚେଷ୍ଟା କରନ୍ତୁ । କିନ୍ତୁ କମର୍ସିଆଲ ବିଜ୍ଞାପନ ପାଇବା ଉପାୟ ଜାଣିନଥିଲି । କଲିକତାରେ ଦୀର୍ଙ୍ଘ ସମୟ ରହି ମଧ୍ୟ ସାତକଡ଼ି ବାବୁ ଏ ବିଷୟ ଚିନ୍ତା କରିନଥିଲେ କି ମୁଁ ମଧ୍ୟ ଭାବି ପାରିନଥିଲି । ବିଜ୍ଞାପନ ଦେବା ପାଇଁ ପେଷାଦାର ଅନୁଷ୍ଠାନ ଅଛି । ଏ କ୍ଷେତ୍ରରେ ପ୍ରବଳ ପ୍ରତିଯୋଗିତା । ଟିଭି ଓ ଗଣମାଧ୍ୟମର ପ୍ରସାର ସହିତ ପେଷାଦାର ବିଜ୍ଞାପନଦାତା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଗୁରୁତ୍ଵ ବଢ଼ିବାରେ ଲାଗିଛି । ଖାଉଟି ସାମଗ୍ରୀ ପାଇଁ ବଜାର ସୃଷ୍ଟି କରିବା ଓ ଉତ୍ପାଦନ ସାମଗ୍ରୀର ଗୁଣାତ୍ମକ ମାନ ସଂପର୍କରେ ଖାଉଟିମାନଙ୍କୁ ଅବହିତି କରିବା ଓ ପ୍ରତିଯୋଗିତାରେ ଅନ୍ୟମାନଙ୍କଠାର ଆଗେଇଯିବା ଲକ୍ଷ୍ୟ ନେଇ ବିଜ୍ଞାପନ ଦିଅନ୍ତି । ଏଇ ବିଜ୍ଞାପନ ପେଷାଦାର ଏଜେନ୍ସି ଯଥା କ୍ଲାରିଏନ୍ସ, ମୁଦ୍ରା, ରିଡ଼ିଫ୍ୟୁଜନ, କଣ୍ଟାକ୍ଟ ପ୍ରଭୃତି ମାଧ୍ୟମରେ ଦିଆଯାଏ । ସେମାନେ ବିଜ୍ଞାପନ ମୂଲ୍ୟରେ ପନ୍ଦର ପ୍ରତିଶତ କାଟି ରଖନ୍ତି ଏବଂ ବିଜ୍ଞପନ ଯୋଗାଡ଼ କରୁଥିବା ଏଜେଣ୍ଟମାନେ ଆଉ ଦଶ ପ୍ରତିଶତ ନିଅନ୍ତି । ଫଳରେ ପଚିଶ ପ୍ରତିଶତ ଓ ଆନୁଷଙ୍ଗିକ ଖର୍ଚ୍ଚ ଆଉ ପାଞ୍ଚରୁ ଦଶ ପ୍ରତିଶତ ବାଦ ଯିବାରେ ପଞ୍ଚଷଠି ପ୍ରତିଶତ ବା ତାଠାରୁ କମ୍‌ ପତ୍ରିକା ବା ସମ୍ୱାଦପତ୍ର ପାଆନ୍ତି । ପେଷାଦାର ବିଜ୍ଞାପନ କମ୍ପାନୀଗୁଡ଼ିକ ବମ୍ୱେ, ଦିଲ୍ଲୀ, କଲିକତା ପ୍ରଭୃତି ବଡ଼ବଡ଼ ସହରରେ ଅଫିସ ଖୋଲି ବସିଛନ୍ତି । ହାଇଦ୍ରାବାଦ, ବାଙ୍ଗାଲୋର, ମାନ୍ଦ୍ରାଜ, ଅହମଦାବାଦ ପ୍ରଭୃତିରେ ମଧ୍ୟ ସେମାନଙ୍କର ଅଫିସ ଅଛି । ଓଡ଼ିଶାର ବଜାର କଲିକତା ବମ୍ୱେ ଓ ଦିଲ୍ଲୀ ଉପରେ ନିର୍ଭର କରୁଥିବାରୁ ଅତି କମ୍‌ରେ ଏଇ ତିନୋଟି ସହରରେ ପ୍ରତିକାର ପ୍ରତିନିଧି ରହିବା ଆବଶ୍ୟକ । ଏହା କେବଳ ବ୍ୟୟବହୁଳ ନୁହେଁ । ଏଇ ପକ୍ରିୟାରେ ସାମିଲ ହେବା ପାଇଁ ବେଶ୍‌ କେତେଲକ୍ଷ୍ୟ ମୂଳଧନ ବିନିଯୋଗ କରିବାକୁ ହୁଏ, ଯଦିବା ହେବା ପାଇଁ ବେଶ୍‌ କେତେଲକ୍ଷ ମୂଳଧନ ବିନିଯୋଗ କରିବାକୁ ହୁଏ, ଯଦିବା ବିଜ୍ଞାପନରୁ କେତେ ଆୟ ହେବ ତାହା ଦୁଇ ତିନିବର୍ଷରେ ମଧ୍ୟ ସ୍ଥିର ହୋଇପାରେ ନାହିଁ । ମାସିକ ଅମୃତୟାନର ବ୍ୟବସାୟ ପ୍ରତିନିଧି ତିନୋଟି ସହରରେ ଏବଂ ତା’ଛଡ଼ା ବାଙ୍ଗାଲୋରରେ ରଖିବା ଦ୍ୱାରା ପ୍ରଥମେ ପ୍ରୋତ୍ସାହନମୂଳକ ପ୍ରଚାର ପାଇଁ ଏବଂ ତା ପରେ ସେ ଦିଗରେ କ୍ରମାଗତ ଉଦ୍ୟମ କରିବା ପାଇଁ ପ୍ରାୟ ପାଞ୍ଚଲକ୍ଷ ଟଙ୍କା ବିନିଯୋଗ କରିବା ଆବଶ୍ୟକ । ମୋର ସାମାନ୍ୟ ସଞ୍ଚୟତ ପାଇଁ ବ୍ୟୟ କରିବାକୁ ପଡ଼ିଲା, ତା ଛଡ଼ା ସାତକଡି ବାବୁଙ୍କ ଅବସର ପରେ ପାଇଥିବା କଷ୍ଟୋପାର୍ଜିତ ସଞ୍ଚୟରୁ ଅତିକମ୍‌ରେ ଚାରିଲକ୍ଷ ଟଙ୍କା ବ୍ୟୟ ହୋଇଥିଲା । ଏହା ବାଦ୍‌ ବାଣିଜ୍ୟିକ ବିଜ୍ଞାପନ ପାଇବା ପାଇଁ ପତ୍ରିକାର ଚାକଚକ୍ୟ ବୁଦ୍ଧି କରିବା ଓ ବିଭିନ୍ନ ବିଭାଗ ଖୋଲିବା ଆବଶ୍ୟକ ହେଲା । କେବଳ ସାହିତ୍ୟ ପତ୍ରିକା ଭାବେ ଅମୃତାୟନ ପ୍ରକାଶ ପାଇଁ ଆସୁଥିଲା । ତେଣୁ ଏହିଠାରୁ ପତ୍ରିକା ଉପରେ ଜଣେ ମହିଳାଙ୍କ ଛବି ଓ ପତ୍ରିକାରେ ବିଭିନ୍ନ ବିଷୟ ଅନ୍ତର୍ଭୂକ୍ତ କରିବାକୁ ନିଷ୍ପତ୍ତି ନେବାକୁ ମଧ୍ୟ ହେଲି । କିନ୍ତୁ ଓଡ଼ିଶାର ମହିଳାମାନଙ୍କ ମଧ୍ୟରୁ ଫଟୋଦେବା ପାଇଁ ଆଗ୍ରହ ନଦେଖି ବମ୍ବେ ଓ କଲିକତାରୁ ଆଣିଲି । ତା ପରେ ମୋ କଥା ଶୁଣି ବିଖ୍ୟାତ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ ପ୍ରଥମେ ତାଙ୍କ ଫଟୋ ଦେଲେ ଏବଂ ତାପରେ ଆଉ ଜଣେ ବିଖ୍ୟାତ ନୃତ୍ୟଶିଳ୍ପୀ କୁଙ୍କୁମ ମହାନ୍ତି ଫଟୋ ଦେଲେ । ଏହା ପରେ ଆଉ ବାଧା ରହିଲା ନାହିଁ, ଫଟୋ ଦେବା ପାଇଁ ପ୍ରଯୋଗତା ଲାଗିଲା । ବରଂ ଅମୃତାୟନ ପ୍ରଚ୍ଛଦ ଉପରେ ସୁନ୍ଦର ମୁହଁଟିଏ ଦେଖିବା ପାଇଁ ଅପେକ୍ଷା କରନ୍ତି ଅନେକ ।

Image

 

ଯାହା ଦେଖା ଯାଏ ସବୁ ସତ ନୁହେଁ

 

ଆମ ଦେଶରେ ସାଧୁ ସନ୍ଥ, ବାବା ଓ ମାତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିନ୍ତୁ ସେମାନଙ୍କ ମଧ୍ୟରୁ କିଏ ଅସଲ କିଏ ନକଲ ନଜାଣି ଲୋକମାନେ ଠକି ଶଖିବା ବେଳକୁ ବହୁ କ୍ଷତି ହୋଇଯାଇଥାଏ । କିନ୍ତୁ ସମସ୍ତେ ନକଲି ନୁହନ୍ତି, ଜଣେ ଜଣେ ପ୍ରକୃତରେ ମନ୍ତ୍ରଶକ୍ତି ବଳରେ ଅଲୌକିକ କାମ ଯେ କରିପାରନ୍ତି ତାହା ଏଠାରେ ଲେଖୁଛି ।

 

ଆମେ ଜଟଣୀରେ ଥିଲାବେଳେ ଜଣେ ବାବା ମଝିରେ ମଝିରେ ଆସି କୃଷ୍ଣବଲ୍ଲଭୀ ରଥଙ୍କ ଘରେ ରହୁଥିଲେ । କୃଷ୍ଣବଲ୍ଲଭୀ ତାଙ୍କ ଠାରୁ ମନ୍ତ୍ର ନେଇଥିଲେ ଏବଂ ବାବାଙ୍କ ଅଦ୍ଭୁତ ଶକ୍ତି ସମ୍ବନ୍ଧରେ ମଧ୍ୟେ ମଧ୍ୟେ କହୁଥିଲେ । ବାବାଙ୍କୁ ସମସ୍ତେ ବୀରୁବାବା ବୋଲି ଜାଣନ୍ତି । ତନ୍ତ୍ରମନ୍ତ୍ର ବଳରେ ତାଙ୍କ ଛାତି ଉପରୁ କିପରି ଦିବ୍ୟଜ୍ୟୋତି ପ୍ରକାଶନ ହେଉଥିଲା, ତାହା ବର୍ଣ୍ଣନା କରୁଥିଲେ । ଦିନେ ସକାଳୁ ଟେଲିଫୋନ କଲେ କୃଷ୍ଣବଲ୍ଲଭୀ । ଗୁରୁକୃପା ଦୁର୍ଲଭ । ଯଦି ମୁଁ ଓ ସାତକଢ଼ି ବାବୁ ସେଇ ଦୁଲର୍ଭ କୃପାର ଅଧିକାରୀ ହେବାକୁ ଚାହୁଁ, ତେବେ ଆମ ଦୁହିଁଙ୍କୁ ଘରକୁ ଆସିବା ପାଇଁ କହିଲେ । ଭାଗ୍ୟରେ ଥିଲେ ଏପରି ଗୁରୁଙ୍କ ଠାରୁ ଦୀକ୍ଷା ମିଳେ । ସେ ଆମ ବିଷୟରେ ବାବାଙ୍କୁ ସୂଚନା ଦେଇଥିଲେ ଏବଂ ବାପା ଆମକୁ ଆସିବା ପାଇଁ ଅନୁମତି ଦେଇଥିବା ବିଷୟ ମଧ୍ୟ କହିଲେ-। ମୁଁ ସାତକଡ଼ି ବାବୁଙ୍କୁ ଏ ବିଷୟ କହିଲି ଏବଂ ଦୀକ୍ଷା ନେବା ପାଇଁ କୃଷ୍ଣବଲ୍ଲଭୀ ଦେଇଥିବା ପ୍ରସ୍ତାବ ସଂପର୍କରେ ସୂଚନା ମଧ୍ୟ ଦେଲି । ସାତକଡ଼ି ବାବୁ କୌଣସି ଉତ୍ସାହ ପ୍ରକାଶ ନକରି କହିଲେ, ଆମେ ତ ଦୀକ୍ଷା ନେଇସାରିଛୁ, ଆଉଥରେ ଦୀକ୍ଷା ନେବାର ପ୍ରୟୋଜନ ନାହିଁ । ବୀରବାବାଙ୍କ ସମ୍ବନ୍ଧରେ ସେ ଶୁଣିଥିବା କଥା କହିଲେ । ତାଙ୍କର ଅବିଶ୍ୱାସ ଭାବ ଦେଖି ମୁଁ ଟିକେ ଦବିଗଲି । କିଂତୁ ବାବା କରାମତି ସମ୍ୱନ୍ଧରେ ସେ ସଠିକ୍‌ ତଥ୍ୟ ଶୀଘ୍ର ପାଇବା ସକାଶେ ଉଦ୍ୟମ କରୁଥିବା ବିଷୟ ମଧ୍ୟ କହିଲେ । ସଂଗେ ସଂଗେ ସେ ଇଣ୍ଟେଲିଜେନ୍‌ସ ପୋଲିସ୍‌ ଇନିସ୍‌ପେକ୍ଟର ମିଶ୍ରବାବୁଙ୍କୁ ଏ ପ୍ରସଙ୍ଗରେ ଅନୁସନ୍ଧାନ କରି ପ୍ରକୃତ ତଥ୍ୟ ଜଣାଇବା ପାଇଁ କହିଲେ ।

 

ମୁଁ ଆଉ କୃଷ୍ଣବଲ୍ଲଭୀ ରଥଙ୍କ ଘରକୁ ଗଲିନାହିଁ ଏବଂ ପରେ ଯିବି କହି ଟାଳି ଦେଲି । ତାପର ଦିନେ ସନ୍ଧ୍ୟାବେଳକୁ ମିଶ୍ରବାବୁ ଆସି ଯାହା ବର୍ଣ୍ଣନା କଲେ ସେଥିରୁ ଜଣାଗଲା, ଯେ ମିଶ୍ରବାବୁ କୃଷ୍ଣବଲ୍ଲଭୀଙ୍କ ବାସଭବନରେ ପହଞ୍ଚିବା କ୍ଷଣି ବୀରୁବାବା ସବୁ ଜାଣିବା ପରି କହିଲେ- ଏଇ ଯେ ପୋଲିସ୍‌ ଇନିସ୍‌ପେକ୍‌ଟର ବାବୁ ଆସିଲେ । ତାପରେ ମିଶ୍ରବାବୁଙ୍କୁ ଜଳଖିଆ ଦେବାକୁ କହିଲେ । ଟିକେ ପରେ ଭକ୍ତମାନେ କୋଠରୀ ଭିତରେ ଠୁଳ ହେଲେ ଏବଂ ବାବା ସମସ୍ତଙ୍କୁ ଲକ୍ଷ୍ୟ କରି କହିଲେ ଯେ ‘ମା’ ଙ୍କ ଆବିର୍ଭାବ ଦୁର୍ଲଭ ଘଟଣା । ତଥାପି ଦର୍ଶନ ଦେଇପାରନ୍ତି । ଏହାପରେ ସେ ନିଜର ଥଳି ଭିତରୁ ଗୋଟିଏ କଙ୍କଣ ବାହାର କରି ଟେଲିଫୋନ ରିସିଭର୍‌ରେ ଯେପରି କଥା କୁହାଯାଏ, ସେହିପରି କଙ୍କଣ ମୁହଁ ପାଖରେ ରଖି କହିଲେ, ମା...ମାଗୋ ବହୁତ ଭକ୍ତ ଠୁଳ ହୋଇଛନ୍ତି ତୁମକୁ ଦର୍ଶନ କରିବା ପାଇ । ତୁ ସେମାନଙ୍କୁ ଦର୍ଶନ ଦେବୁ ତ ? ...କଣ ...କଣ କହିଲୁ ଆଜି ନୁହେଁ....ଆଉ ଦିନେ....ନା ନା....ସେମାନେ ମନକଷ୍ଠ କରିବେ, ତୁ ଟିକେ ଦର୍ଶନ ଦେ... । ଏହିପରି କେତେଥର କଥାଭାଷା ହେବା ପରେ ବାବା କହିଲେ...ଆଜି ଶୁଭବେଳ ଉତ୍ତୀର୍ଣ୍ଣ ହୋଇଯାଇଛି । ମା’ ଆଉ ଦିନେ ଦେଖାଦେବେ । ଏ ପ୍ରସଙ୍ଗ କହିସାରି ବିଭିନ୍ନ ଲୋକଙ୍କ ଠାରୁ ସଂଗ୍ରହ କରିଥିବା ତଥ୍ୟ ଶୁଣାଇ ମିଶ୍ରବାବୁ କହିଲେ- ମାଆ'ଙ୍କ ନାମରେ ବହୁ କଥା ଶୁଣାଯାଉଛି । ଭଣ୍ଡବାବା ବୋଲି ମଧ୍ୟ କେହି କେହି କହୁଛନ୍ତି । କିନ୍ତୁ ମୋତେ ପୂର୍ବରୁ କେବେ ଦେଖି ନଥିଲେ ମଧ୍ୟ ଘର ଭିତରକୁ ପ୍ରବେଶ କଲାବେଳେ ସେ କିପରି ଜାଣିଲେ ତାହା ମୋତେ ଟିକେ ଆଶ୍ଚର୍ଯ୍ୟ କରିଚି । ହୁଏତ ବେତାଳ ସାଧନା କରିଥିବେ । କଥା ସେତିକିରେ ରହିଲା । ଆଉ ଆମେ ବାବାଙ୍କୁ ଦର୍ଶନ କରିବା ପାଇଁ ଗଲୁନାହିଁ ।

 

କେତେଦିନ ପରେ ମୋ ବଡ଼ପୁଅ ସଞ୍ଜୀବ ସନ୍ଧ୍ୟାବେଳକୁ ନ ଫେରିବାରୁ ମୁଁ ଉଦ୍‌ବିଗ୍ନ ହେଲି । ରାତିହେଲା, ତଥାପି ସେ ନ ଫେରିବାରୁ ମନରେ ନାନା ସଂଶୟ ହେଲା । ରାତି ସାରା ସେ ଫେରିଲା ନାହିଁ କି କୌଣସି ଖବର ମିଳିନା ନାହିଁ ତା’ପରଦିନ ସକାଳୁ ସେ ଫେରି କହିଲା ଯେ, ନୀହାରବାବାଙ୍କ ସହିତ ସେ ବୀରୁ ବାବାଙ୍କ ପାଖକୁ ଚାଲିଯାଇଥିଲା । ସନ୍ଧ୍ୟାବେଳେ ଦେବୀ ଦର୍ଶନ କରବା ପାଇଁ ସେମାନେ ରହିଯାଇଥିଲେ ବିରୁବାବାଙ୍କ ଆଶ୍ରମରେ । ରାତି ପ୍ରାୟ ନଅଟା ବେଳକୁ ବାବା ଘୋଷଣା କଲେ ଯେ, ମା ଅଳ୍ପ ସମୟ ପରେ ଆର୍ବିଭାବ ହେବେ । ଏମାନେ ଉତ୍କଣ୍ଠାର ସହିତ ଅନାଇ ରହିଲେ । କବାଟ କେଁ କେଁ କରି ଧୀରେ ଧୀରେ ଖୋଲୁଥିବା ଲକ୍ଷ୍ୟ କରି ସେମାନେ ସେ ଆଡ଼କୁ ଅନାଇ ରହିଲେ ଏବଂ କେତେ ମୁହୂର୍ତ୍ତ ପରେ ଜଣେ ଆଠ ନଅବର୍ଷର ରକ୍ତବସ୍ତ୍ର ପରିହିତା କିଶୋରୀ ଆବିର୍ଭାବ ହେଲେ । ମଥାରେ ମୁକୁଟ ଚକ୍‌ ଚକ୍‌ କରୁଥିଲା । କିନ୍ତୁ କେଇ ପିଛୁଳା ପରେ ସେ ପୁଣି ଅନ୍ତର୍ଦ୍ଧାନ ହେଲେ । ବାବା କହିଲେ - ତୁମ୍ଭେମାନେ ଭାଗ୍ୟବାନ, ଦେବୀ ଦର୍ଶନ କଲ ।

 

ଏହି କଥା ଶୁଣିବା ପରେ ତାନ୍ତ୍ରିକ ଗଣେଶ ପରିଜା ଦିନେ ବୀରୁବାବାଙ୍କ ଆଶ୍ରମକୁ ଗଲେ ଦେବୀ ଦର୍ଶନ କରିବା ପାଇଁ । ସେ ପ୍ରକୃତ ସତ୍ୟ କଣ ତାହା ଜାଣିବା ପାଇଁ ଯାଇଥିଲେ । କିନ୍ତୁ ବାବାଙ୍କ ସହିତ କଥାଭାଷା ହେବା ପରେ ଦେଵୀ ଆର୍ବିଭାବ ନହେବାରୁ ସେ ମନରେ ସନ୍ଦେହ ନେଇ ଫେରି ଆସି କହିଲେ ଯଦି ସେଇ ଝିଅ ବାହାରିଥାନ୍ତା ତେବେ ତାକୁ ମୁଁ ନିଶ୍ଚେ ଧରି ପକାଇ ପଚାରିଥାନ୍ତି ସେ କିଏ ?’ କିନ୍ତୁ ଗଣେଶବାବୁ ଯାହା ଚାହୁଁଥିଲେ, କେତେଦିନ ପରେ ତାହା ଜଣାପଡ଼ିଲା । ପ୍ରକୃତ ସତ୍ୟ ଉଦ୍‌ଘାଟିତ ହେଲା । ସେଇ ବାଳିକା ଦେବୀ ଦୁର୍ଗା ନୁହନ୍ତି, ବାବାଙ୍କ ଝିଆରୀ । ତଥାପି ବାବାଙ୍କ ଅଲୌକିକ ଶକ୍ତି ସଂପର୍କରେ ମୋହଭଙ୍ଗ ହେଲା ନାହିଁ । ଅନେକ ତାଙ୍କ ଶିଷ୍ୟ ହେଲେ ଏବଂ ଛାତି ଉପରୁ ବ୍ରହ୍ମଜ୍ୟୋତି ପ୍ରକାଶିତ ହେଉଥିବା ସ୍ଵଚକ୍ଷୁରେ ଦେଖିଥିବା କହୁଥିଲେ । ଗୋଟିଏ ଦୈନିକ ସମ୍ବାଦପତ୍ରରେ ବ୍ରହ୍ମଜ୍ୟୋତି ଦର୍ଶନ କରିଥିବା ବିଷୟ ସ୍ଵୟ ସଂପାଦକ ନିଜେ ବର୍ଣ୍ଣନା କରିଥିଲେ। ସାତକଡ଼ିବାବୁଙ୍କ ସାନଭାଇ ଅକ୍ଷୟ ସେତେବେଳେ ରେଭେନ୍‌ସାରେ ଅଧ୍ୟାପକ ଥିଲେ । ତାଙ୍କ ସାନପୁଅ ବାବୁଲୁର ଦୃଷ୍ଟିଶକ୍ତି କ୍ଷୀଣ ଥିବାରୁ ଏହାର ପ୍ରତିକାର କରିବା ପାଇଁ ସେ ଚିନ୍ତା କରୁଥିବା ବେଳେ ଦିନେ ଜଣେ ଅଧ୍ୟାପକ ବନ୍ଧୁ ବାବାଙ୍କ ଆଶ୍ରୟ ନେଲେ ସେ ଅଲୌକିକ ଶକ୍ତି ବଳରେ ତାହା ଭଲ କରିଦେବେ କହିବାରୁ ବିଶ୍ଵାସ କରି ଅକ୍ଷୟ ପୁଅକୁ ନେଇ ଅଧ୍ୟାପକ ବନ୍ଧୁ ଘରକୁ ଗଲେ । କୋଠରୀ ଭିତରେ ଭକ୍ତମାନଙ୍କ ମେଳରେ ବାବା ବସିଥିଲେ ଏବଂ ସମସ୍ତେ ଆସିବା ପରେ କହିଲେ ଯେ, ଟିକେ ପରେ ବ୍ରହ୍ମଜ୍ୟୋତି ଦର୍ଶନ କରିବା ପାଇଁ ସୁବିଧା ମିଳିବ । ଭକ୍ତମାନେ ଦେବୀଙ୍କ ଜ୍ୟୋତିକୁ ଆବାହନ କରିବା ସକାଶେ ପ୍ରଥମେ ଆଖି ବନ୍ଦ କରି ଧ୍ୟାନସ୍ଥ ହେବା ଉଚିତ । ସମସ୍ତେ ଧ୍ୟାନସ୍ଥ ହେଲେ ଏବଂ ପରବର୍ତ୍ତୀ ସୂଚନା ପାଇଁ ଅପେକ୍ଷା କଲେ । ଟିକେ ପରେ ବାବାଦେବୀଙ୍କ ଦିବ୍ୟଜ୍ୟୋତି ଦର୍ଶନ କରିବା ପାଇଁ ସୂଚନା ଦେଲେ । ଏତକ ବର୍ଣ୍ଣନା କରି ସାରି ବାବୁଲୁ କହିଲା ସବୁ ମିଛ ଜେଠେଇ । ସମସ୍ତେ ଆଖି ବନ୍ଦ କରି ଧ୍ୟାନସ୍ଥ ହୋଇଥିବା ବେଳେ ମୁଁ ଚାହିଁ ଚାହିଁ ଦେଖୁଥିଲି, ବାବା ପିଠି ଉପରେ କ'ଣ ବାନ୍ଧୁଥିବା ପରି ଲାଗିଲା-। ସେଇଠି ବୋଧହୁଏ ବ୍ୟାଟେରୀ ସଂଯୋଗ କରାଯାଇଥିଲା ଏବଂ ସେଥିରୁ ଆଲୁଅ ଜଳୁଥିଲା । ବାବୁଲୁର ଆଖି ଭଲ କରିଦେବା ପାଇଁ ବାବା ହଳଦୀ ପାଣି ଦେଲେ। କିନ୍ତୁ ସାତକଡ଼ି ବାବୁ ଏହାର ପ୍ରଭାବ କ'ଣ ହେଲା ପଚାରିବାରୁ ବାବୁଲୁ କହିଲା କିଛି ଫଳ ମିଳିନି, ବରଂ ମୋତେ ଟିକେ ଖରାପ ଲାଗିଲା ।

 

ଏଇ ବାବାଙ୍କ ସମ୍ବନ୍ଧରେ ଆହୁରି ଅନେକ କଥା ଶୁଣିଛି । ଲୋକମାନେ ଥରେ ବିଶ୍ଵାସ କଲେ ଆଉ ଅନୁସନ୍ଧାନ କରନ୍ତି ନାହିଁ କି ସତ୍ୟାସତ୍ୟ ପରୀକ୍ଷା କରନ୍ତି ନାହିଁ । ବିଶ୍ଵାସ ସେତେବେଳେ ରୂପାନ୍ତରିତ ହୁଏ ଅନ୍ଧବିଶ୍ଵାସରେ । ଆମ ଦେଶରେ ଅନେକ ବାବାଜୀ ଓ ମାତାଜୀ ସେମାନଙ୍କର ଅଲୌକିକ ଶକ୍ତି ସମ୍ବନ୍ଧରେ ପ୍ରଥମେ ମନଗଢ଼ା କାହାଣୀ ପ୍ରଚାର କରିଦିଅନ୍ତି ଏବଂ ତା’ପରେ ଭକ୍ତଙ୍କ ସୁଅ ଛୁଟେ ଦୁଃଖ ସଙ୍କଟରୁ ତ୍ରାହି ପାଇବା ପାଇଁ । ଦୁଃଖ ସଙ୍କଟରୁ ଅନେଶତ ତ୍ରାହି ପାଉ ନଥିଲେ ମଧ୍ୟ କୌଣସି କାରଣରୁ ସେଥିରୁ ଉଦ୍ଧାର ପାଇଥିବା ଜଣଙ୍କର ଉପଲବ୍ଧିକୁ ସତ ମାନି ବିଶ୍ଵାସ କରି ଯାଆନ୍ତି । ସେଇ କାରଣରୁ ବାବା ଓ ମାତାମାନଙ୍କର ଅଲୌକିକ ଶକ୍ତି ସଂପର୍କରେ ଅନେକ ମନଗଢ଼ା କାହାଣୀ ପ୍ରଚାରିତ ହୁଏ ଏବଂ ବିଶ୍ଵାସ ନାମରେ ଅନ୍ଧବିଶ୍ଵାସ ପ୍ରତିଷ୍ଠିତ ହୋଇଯାଏ । ରନ୍ତଲେଇର ନେପାଳୀ ବାବା ଠାରୁ ସାକ୍ଷୀଗୋପାଳର ପାର୍ବତୀ ମା’ ପର୍ଯ୍ୟନ୍ତ ସବୁ ଏହିପରି କାହାଣୀ ।

 

ଭାରତ ସାଧୁସନ୍ଥ, ବାବା, ମାତାଙ୍କ ଦେଶ । କେହି କେହି ବାବା ଅଲୌକିକ ଶକ୍ତି ପ୍ରଦର୍ଶନ କରିଥିବା କଥା ମଧ୍ୟ ଶୁଣିଛି, କିଛୁ ସବୁ ମିଛ ଓ ମନଗଢ଼ା କହି ଉଡ଼ାଇ ଦେଇପାରି ନାହିଁ । ନୀହାରବାବାଙ୍କ ଅଲୌକିକ ଶକ୍ତି ଦେଖି ମୁଁ ଅଭିଭୂତ ହୋଇଛି, କିନ୍ତୁ ଅନୁସନ୍ଧାନ କରି ମଧ୍ୟ ସତ୍ୟ ଉଦ୍‌ଘାଟନ କରିପାରିନାହିଁ । ମୋ ମନର ସନ୍ଦେହ ଦୂର କରିବା ପାଇଁ ବରଂ ସେ କହିଛନ୍ତି ଯେ, ମନ୍ତ୍ରଶକ୍ତି ବଳରେ ଘଟ ଚାଲିପାରେ ବା ମନ୍ଦାର ଫୁଲ ଚଳପ୍ରଚଳ କରେ । ହୋମ ଅଗ୍ନି ହୁତ଼୍‌ ହୁତ୍‌ ଜଳି ଉଠିଲେ ମନ୍ତ୍ରଦ୍ୱାରା ପ୍ରଶମିତ କରିହୁଏ । ମୋ ମା ଶଯ୍ୟାଶାୟୀ ଥିବା ଜାଣି ସେ ଦିନେ ଆମ ଭୁବନେଶ୍ଵର ବାସଭବନକୁ ଆସିଲେ । ଯନ୍ତ୍ରଣାରେ କାତର ଏବଂ ଚଳତ୍‌ ଶକ୍ତିହୀନା ମା’ର ବିଛଣା ପାଖରେ ଦଣ୍ଡେ ବସି ସବୁ ବିଷୟ ବୁଝି ଧ୍ୟାନସ୍ଥ ହୋଇ କ’ଣ ମନ୍ତ୍ରକଲେ ଏବଂ ସେଠାରୁ ଉଠି ଆସିଲେ ଖାଇବା ପାଇଁ । ସେ ଖାଇବା ପାଇଁ ବସିଥିବା ବେଳେ ମା’ ତା କୋଠରୀରୁ ବୈଠକଖାନା ପାରି ହୋଇ ଖାଇବା ଘର ପ୍ରବେଶ କରିବା ଦେଖି ମୁଁ, ସାତକଡ଼ି ବାବୁ ଆଶ୍ଚର୍ଯ୍ୟ ହେଲୁ । ମା’ କହିଲା ଯେ ସେ ସୁସ୍ଥ ଅନୁଭବ କରୁଛି । ବାବାଙ୍କ ମୁହଁରେ ପ୍ରସନ୍ନତା । ପରେ ଅବଶ୍ୟ ବାବା ସାତକଡ଼ି ବାବୁଙ୍କୁ ନିଜେ କହିଲେ ଯେ, ମା’ଙ୍କ ରୋଗ ଭଲ ହୋଇନି, ମନ୍ତ୍ରଶକ୍ତି ବଳରେ କିଛି ସମୟ ପାଇଁ ପ୍ରଶମିତ ହୋଇଚି । ଅଡ଼ଚାଳିଶ ଘଣ୍ଟା ପରେ ପୁଣି ପୂର୍ବାବସ୍ଥା ଫେରିପାରେ । ସେୟା ହେଲା ।

 

ଆଉ ଦିନେ ବାବାଙ୍କ ସହିତ ସାତକଡ଼ିବାବୁ, ମୁଁ ଓ ଅଧ୍ୟାପିକା ଅର୍ଚ୍ଚନା ନାୟକ ଜଟଣୀରୁ ଫେରୁଥିଲୁ । ଗାଡ଼ି ଜାତୀୟ ରାଜପଥକୁ ଆସିବା ପରେ ହଠାତ୍‌ ବାବା ଶୂନ୍ୟରେ ହାତ ସଞ୍ଚାଳନ କରି ଗୋଟିଏ ଆପେଲ ଆଣି ମୋତେ ଦେଲେ । ଅର୍ଚ୍ଚନା କହିଲେ- ବାବା ମୋତେ କିଛି ଦେବେନି-? ସେ ଘୋଢ଼ାଇ ହୋଇଥିବା ସାଲ୍‌ର ଅକାଂଶ ବାବା ଛୁଇଁ ଦେବାକ୍ଷଣି କାର୍‌ ଭିତର ମହକି ଉଠିଲା-। କିନ୍ତୁ ଏହା କିପରି ସମ୍ଭବ ହେଲା ପଚାରିବାରୁ ବାବା କହିଲେ ମନ୍ତ୍ରଶକ୍ତି ଓ ଏକାଗ୍ରତା ବଳରେ ଏପରି କରାଯାଇପାରେ । ସତକୁ ସତ ଦିନେ ଆମ ବଗିଚାରୁ ଆଣିଥିବା ପାଚିଲା କଦଳୀ କାନ୍ଧିରୁ ଦୁଇଫେଣା ତାଙ୍କୁ ଦେବା ପାଇଁ ମୁଁ କହିଥିଲି । କିନ୍ତୁ ସେ ଯିବା ବେଳକୁ କଦଳୀ ଦେବା ପାଇଁ ମୁଁ ଭୁଲିଗଲି । ସେ ତା ପରଦିନ ପୁଣି ଆସିବାରୁ ମୁଁ ତାଙ୍କୁ ମନେ ପକାଇ ଦେଇ କହିଲି - ବାବା କଦଳୀ ଦେବାକୁ ଭୁଲିଗଲି, ଆଜି ନେଇଯିବେ । ବାବା ମୁରୁକି ହସି କହିଲେ ମୋ କଦଳୀ ମୁଁ ନେଇଯାଇଛି । କଦଳୀ ନେଇଯାଇଥିବା ଦେଖି ମୁଁ ଅଭିଭୁତ ହୋଇପଡ଼ିଲି । କିନ୍ତୁ କାର୍‌ ଭିତରୁ କେଉଁଠୁ ଆପେଲ ବାହାର କଲେ ପଚାରିବାରୁ କହିଲେ ତୁମ ଘରେ ଝରକା ପାଖରେ ଥିବା ଆପେଲ୍‌ଟା ମନ୍ତ୍ରବଳରେ ଉଠାଇ ମନ୍ତ୍ରବଳରେ ଆଣିଲି, ଘରକୁ ଫେରି ଦେଖିବ ଆପେଲ ସେଠାରେ ନଥିବ ।

 

ଏପରି ଚମତ୍କାରିତା ମୁଁ ସ୍ଵଚକ୍ଷୁରେ ଦେଖିଛି, କିନ୍ତୁ ମନ୍ତ୍ରଶକ୍ତିର କରାମତିକୁ ଅବିଶ୍ୱାସ କରିପାରି ନାହିଁ । ଆଉ ଦିନକର ଘଟଣା । ଡ଼ାକ୍ତର ବରଦା ପ୍ରସନ୍ନ କର ବାବାଙ୍କୁ ଦେଖା କଲାବେଳେ ନୀହାରବାବା ପଚାରିଲେ ପକେଟ୍‌ରେ କେତେ ଅଛି ଦିଅ । ଡ଼ାକ୍ତର ଦଶଟଙ୍କା ଅଛି କହିଲେ, ବାବା କହିଲେ- ମିଛ, ପଚାଶ ଟଙ୍କା ଅଛି ବାହାର କର । ଏପରି ବାବା କହୁଥାନ୍ତି ଡ଼ାକ୍ତର ଗୋଟି ଗୋଟି କରି ଦଶଟି ପଚାଶ ଟଙ୍କିଆ ନୋଟ୍‌ ବାହାର କରି ବିସ୍ମୟ ବିମୁଢ଼ ହୋଇଗଲେ । ପ୍ରକୃତରେ ତାଙ୍କ ପକେଟ୍‌ରେ ଦଶଟଙ୍କା ମାତ୍ର ଥିଲା । ସମସ୍ତେ ବିସ୍ମୟ ବିମୂଢ଼ ହୋଇ ବସିଥିବା ବେଳେ ଆମକୁ ବାବା କହିଲେ ମୋ ପାଖରେ ପାଞ୍ଚଶତ ଟଙ୍କାର ଦଶଟି ପଚାଶ ଟଙ୍କିଆ ନୋଟ୍‌ ଥିଲା । ମନ୍ତ୍ରଶକ୍ତି ବଳରେ ମୁଁ ତାହା ତୁମ ପକେଟ୍‌କୁ ନେଇଗଲି । ଦିନ ଦଶଟା ବେଳେ ଚାରିଜଣଙ୍କ ଆଖି ଆଗରେ ଏପରି ଆଉ ତ କାଣ୍ଡ ହେବା ବିସ୍ମୟକର ଓ ଅଲୌକିକ ନିଶ୍ଚୟ ।

 

ଏପରି କେତେ ମିଛ ଓ ସତର ପ୍ରତ୍ୟକ୍ଷ କରିଛି । ସାତକଡ଼ି ବାବୁଙ୍କୁ ତ ଅନେକ ବାବା ମନ୍ତ୍ରମୁଗ୍ଧ କରି ଏମିତି ଠକିଛନ୍ତି ଯେ, ତାହା ଭାବିଲେ ହସଲାଗେ । କିନ୍ତୁ ତା’ ସତ୍ତ୍ଵେ ସମସ୍ତେ ଯେ ଠକ ଏହା ମୁଁ କହିପାରିବି ନାହିଁ । ମନ୍ତ୍ରଶକ୍ତି, ଦୈବୀଶକ୍ତିର ଆଲୌକିକତା ସମ୍ବନ୍ଧରେ ବହୁ ବଡ଼ ବଡ଼ ସାଧକ କହିଛନ୍ତି । ଶ୍ରୀମା’ ମଧ୍ୟ ଏପରି ଶକ୍ତିଥିବା ବିଷୟ କହିଛନ୍ତି । ଦିନେ ଶ୍ରୀରାମକୃଷ୍ଣ ପରମହଂସଙ୍କୁ ଜଣେ ଭକ୍ତ କହିଲେ ଠାକୁର, ଜଣେ ସାଧୁ ଗଙ୍ଗାନଦୀ ଉପରେ ଯୋଗ ବଳରେ ଚାଲିଯାଉଛନ୍ତି । ଶ୍ରୀରାମକୃଷ୍ଣ କହିଲେ, ହଁ ମୁଁ ବି ଶୁଣିଛି । କିନ୍ତୁ ଦୁଇ ପଇସା ଦେଲେ ନାଉରୀ ନୌକାରେ ଗଙ୍ଗାନଦୀ ପାର କରିଦିଏ । ଏଇ ଦୁଇପଇସା ଖର୍ଚ୍ଚ ନକରିବା ପାଇଁ ଏତେବଡ଼ ସାଧନାର ଅପଚୟ କରିବା କ'ଣ ଉଚିତ ?

 

ସାଧନା ବଳରେ ଅସାଧ୍ୟ ସାଧନ କରାଯାଏ । ଏହା ବିରଳ ହେଲେ ମଧ୍ୟ ସତ । କିନ୍ତୁ ଏପରି ଅନେକ ବାବା ଅଛନ୍ତି, ଯେଉଁମାନେ ମନ୍ତ୍ରଶକ୍ତି ଓ ତନ୍ତ୍ରଶକ୍ତିର ଅପପ୍ରୟୋଗ କରନ୍ତି ସ୍ଵାର୍ଥ ବା ପ୍ରସିଦ୍ଧି ଅର୍ଜନ କରିବା ପାଇଁ । ସେଇ ଶକ୍ତି ବେଶୀଦିନ ରହେ ନାହିଁ । ତାହା ଦୈବୀଶକ୍ତି ନୁହେଁ-ଏହାକୁ ବରଂ ମ୍ୟାଜିକ୍‌ କୁହାଯାଇପାରେ ।

Image

 

Unknown

ମହିଳାମାନଙ୍କ ସାମାଜିକ ଜୀବନ

 

ଓଡ଼ିଆ ମହିଳାମାନେ ସାମାଜିକ କ୍ଷେତ୍ରରେ କାହିଁକି ଅନ୍ୟମାନଙ୍କଠାରୁ ପଛୁଆ ମୁଁ ଏଇ ପ୍ରଶ୍ନ ଅନେକଙ୍କୁ ପଚାରିଛି । କିନ୍ତୁ ଅପ୍ରିୟ ସତ କଥାଟି ନକହି ପ୍ରସଙ୍ଗଟି ଏଡ଼ାଇ ଯାଆନ୍ତି ସେମାନେ-। ଓଡ଼ିଶାରେ ନାରୀଶିକ୍ଷା ଏବେ ବି ପଇଁତିରିଶ ପ୍ରତିଶତ ମଧ୍ୟରେ । ନାରୀଶିକ୍ଷା ବିଳମ୍ବରେ ଆରମ୍ଭ ହେଲା ଓଡ଼ିଶାରେ । ସୁତରାଂ ନାରୀମାନେ ଶିକ୍ଷା କ୍ଷେତ୍ରରେ ପଛରେ ରହିଗଲେ-। ଶିକ୍ଷା ସହିତ ସଂସ୍କାରର ସଂପର୍କ ଆରମ୍ଭରୁ । ଶିକ୍ଷାର ପ୍ରସାର ନକରି ସମାଜ଼ ସଂସ୍କାର କାର୍ଯ୍ୟ ସହଜରେ କରିହୁଏ ନାହିଁ । ଅଜ୍ଞତା ସହିତ କୁସଂସ୍କାର ଲାଗି ରହିଥାଏ । ଫକୀରମୋହନ ରେବତୀ ଗଳ୍ପ ଶହେ ବର୍ଷ ପୂର୍ବେ ଲେଖିଥିଲେ । ସେଥିରେ ନାରୀର ଅସହାୟତା ଯେତିକି ବାସ୍ତବ ଭାବେ ପ୍ରକାଶ ପାଇଛି, ତାହା କେବଳ ସେତେବେଳର ଚିତ୍ର ନୁହେଁ । ଏବେ ମଧ୍ୟ ଗ୍ରାମାଞ୍ଚଳରେ ନାରୀର ଚିତ୍ର ଉଣାଅଧିକେ ସେହିପରି । ଶହେ ବର୍ଷ ମଧ୍ୟରେ ବେଶି କିଛି ପରିବର୍ତ୍ତନ ହୋଇନାହିଁ । ମୂଳ କାରଣ ହେଉଛି ଯେ ନାରୀଶିକ୍ଷା ପୁରୁଷ ମାନଙ୍କ ଶିକ୍ଷାର ପ୍ରସାର ସହିତ ତାଳଦେଇ ଚାଲିନଥିବାରୁ ନାରୀମାନେ ପଛରେ ପଡ଼ିଯାଇଛନ୍ତି। ମୁଁ ସାତ ଆଠବର୍ଷର ହୋଇଥିବାବେଳେ ଆମ ଗାଁରେ ମହିଳାମାନଙ୍କ ମଧ୍ୟରେ ସ୍ଵାକ୍ଷର ସଂଖ୍ୟା ପ୍ରତିଶତ ଦୁଇରୁ ବେଶି ନଥିଲା । ଏବେ ଅବଶ୍ୟ ତାହା ତିରିଶ ପ୍ରତିଶତରୁ କମ୍‌ ହେବ ନାହିଁ । କିନ୍ତୁ ଶିକ୍ଷା ପ୍ରସାର ସହିତ ଶାଶୁଘରେ ବୋହୂକୁ ଯେ ଲେଖିବା ପଢ଼ିବା ପାଇଁ ଆବଶ୍ୟକ ସୁବିଧା ସୁଯୋଗ ମିଳେ ନାହିଁ, ତାହା ପ୍ରତି ପରିବାରର କାହାଣୀ-। ବୋହୂ ବି.ଏ. ପାସ କରି ସ୍ଵାମୀ ସହିତ ସଂସାର କରିବା ପାଇଁ ଆସିବା ପରେ ଘରର ଚୌହଦି ମଧ୍ୟରେ ବନ୍ଦୀ ହୋଇ ରହେ, ବାହାର ଜଗତ ସହିତ ତାର ସଂପର୍କ ଛିଣ୍ଡିଯାଏ । ବାପା, ମା’ଙ୍କ ପାଖରେ.ଥିବାବେଳେ ସେ ଯେପରି ମୁକ୍ତ ଆଲୁଅ ଓ ପବନ ପାଏ, ଶାଶୁଘରେ ତାହା ପାଏ ନାହିଁ । ଫଳରେ ଆଲୁଅ ପବନ ନପାଇ ଚାରା ଗଛଟି ଯେମିତି ଶ୍ଵେତା ପଡ଼ିଯାଏ ଓ ନିର୍ଜୀବ ଦିଶେ, ସେହିପରି ମୁକ୍ତ ଜୀବନର ସ୍ୱାଦ ନପାଇ ନାରୀର ସଂସାର ଓ ସମାଜ ସଙ୍କୁଚିତ ହୁଏ । ସେ ପଲ୍ଲବୀତ ଓ ପ୍ରସାରିତ ହେବା ପାଇଁ ସୁଯୋଗ ନପାଇ ମଉଳିଯାଏ । ସକାଳୁ ସଞ୍ଜ ଧରାବନ୍ଧା ଜୀବନର ରୁଟିନ୍‌ ଭିତରେ କେତେବେଳେ ତା’ର ଉନ୍ମେଷଶୀଳ ସୂଷ୍ମ ଚେତନା ଓ ସୁକୁମାର୍ଯ୍ୟ ଲାଜକୁଳି ଲତା ପରି ଝାଉଁଳି ପଡ଼େ ତାହା ନଦେଖିଲେ ବିଶ୍ଵାସ କରିହେବ ନାହିଁ ।

 

ନାରୀ ହେଉ ବା ପୁରୁଷ ହେଉ ପ୍ରତ୍ୟେକ ସାମାଜିକ ପ୍ରାଣୀ ପ୍ରସାରିତ ହେବାକୁ ଚାହେଁ । ନିଜେ ନିଜେ ପ୍ରସାରିତ ହେବା ସମ୍ଭବ ନୁହେଁ । ଏଥିପାଇଁ ଅନୁକୁଳ ପରିବେଶ ଲୋଡା । ଦଶଜଣଙ୍କ ସହିତ ପରିଚୟ, ବନ୍ଧୁତ୍ୱ ଓ ଭାବ ବିନିମୟ ନକଲେ ବ୍ୟକ୍ତିତ୍ୱ ଶାଣିତ ବା ସରସ ହୁଏ ନାହିଁ । ଓଡ଼ିଶାର ପୁରୁଷ ମାନସିକତା ଏତେ ସଙ୍କୁଚିତ ଯେ, ସ୍ତ୍ରୀମାନଙ୍କୁ ଗୁହାଳ ଭିତରେ ଗୋରୁଗାଈ ପରି ସଦାବେଳେ ଯତ୍ନ କରି ରଖିବା ହିଁ ଅଭ୍ୟାସ । ଝିଅ, ବୋହୂ ବା ମା'ମାନଙ୍କୁ ଘରର ସୀମା ଡ଼େଇଁ ବାହାରକୁ ଯିବାରେ ଅଙ୍କୁଶ ଲାଗିଥିବାରୁ ଚଳପ୍ରଚଳରେ ସ୍ଵାଧୀନତା ନଥାଏ । ଆଜିକାଲି ଗାଁମାନଙ୍କର ଚିତ୍ର ବଦଳି ଗଲାଣି । ଗାଁମାନଙ୍କୁ ରାସ୍ତା ପଡ଼ିଛି, ବିଦ୍ୟୁତ ଶକ୍ତି ଯୋଗାଇ ଦିଆଯାଉଛି-। ବିଦ୍ୟାଳୟ ଆଉ ବେଶି ଦୂର ନୁହେଁ, ସମସ୍ତଙ୍କୁ ନିତ୍ୟକର୍ମ ପାଇଁ ନଦୀ ବା ପୋଖରୀ ଯିବାକୁ ପଡ଼େ ନାହିଁ । କିନ୍ତୁ ପାଖ ଆଖରେ ଯାତ୍ରା, ସିନେମା ବା ମେଳା ମହୋତ୍ସବ ହେଲେ ସେଠାକୁ ପୁରୁଷମାନେ ଯେପରି ଅବାଧରେ ଯାଆନ୍ତି ସ୍ତ୍ରୀମାନଙ୍କୁ ସେପରି ସୁବିଧା ମିଳେ ନାହିଁ । କଦବା କ୍ଵଚିତ ଯଦି ବି ସେମାନେ ଯାଆନ୍ତି ସେମାନଙ୍କୁ ଗୋଡ଼େ ଗୋଡ଼େ କେହି ନା କେହି ଜଗିଥାନ୍ତି, କଥାଭାଷା ବା ଭାବ ବିନିମୟ କରିବା ପାଇଁ ସୁଯୋଗ ନଥାଏ । ସହରର ଚିତ୍ର ମଧ୍ୟ ସ୍ଵାଭାବିକ ନୁହେଁ । ଜଣେ ଶିକ୍ଷକ, କିରାଣି, ବା ଇଞ୍ଜିନିୟରଙ୍କ ଘରକୁ ବୁଲିବା ପାଇଁ କେହି ବନ୍ଧୁ ଆସିଲେ ସାମାଜିକତା ରକ୍ଷା କରିବା ଦାୟିତ୍ଵ କେବଳ ତାଙ୍କର । ପାନ ବା ଚା' ସେ ଯାଇ ଘର ଭିତରୁ ନେଇ ଆସନ୍ତି । ନିଜ ସ୍ତ୍ରୀଙ୍କ ସହିତ ବନ୍ଧୁଙ୍କୁ ପରିଚୟ କରିଦେବା ପାଇଁ ଆଗେଇ ଆସନ୍ତି ନାହିଁ । ପର୍ଦ୍ଦା ଅନ୍ତରାଳରୁ ବା କବାଟ ଉହାଡ଼ରୁ ସ୍ତ୍ରୀ ବଢ଼ାଇ ଦିଏ ଚା’ ଜଳଖିଆ ସାମାଜିକତା ରକ୍ଷା କରିବା ପାଇ-। ଆତ୍ମୀୟତା ଅତି ଘନିଷ୍ଠ ନଥିଲେ ସ୍ତ୍ରୀର ସୌଭାଗ୍ୟ ହୁଏନା ସାଙ୍ଗ ସହିତ ମିଶିବା ପାଇଁ । ମନ୍ଦିର, ପାର୍କ, ସିନେମା ହଲ୍‌, ବଜାରରେ ଯଦି ହଠାତ୍‌ ଦେଖାହୋଇଯାଏ ସ୍ତ୍ରୀକୁ ଦୂରରେ ଛିଡ଼ା କରି ବା ମୂକପରି ରଖି ନିଜେ କେବଳ କଥାଭାଷା କରନ୍ତି । ଏଇ କାରଣରୁ ସ୍ତ୍ରୀମାନଙ୍କର ଜଗତ କ୍ରମଶଃ ସଙ୍କୁଚିତ ହୋଇଯାଏ । ସେମାନଙ୍କର ଶିକ୍ଷା ବ୍ୟବହାରରେ ନଲାଗି ଦାଢୁଆ ହୁଏ । ଏବଂ ପନ୍ଦର ବର୍ଷ ସ୍ଵାମୀ ଘରେ ରହିବା ପରେ ସ୍ତ୍ରୀମାନଙ୍କର ସାମାଜିକ ବ୍ୟକ୍ତିତ୍ୱ ଶାଣିତ ଓ ମାର୍ଜିତ ହେବା ପରିବର୍ତ୍ତେ ପରିବାରର ଦାୟଦାୟିତ୍ଵର ବୋଝ ବୋହି ନଇଁପଢ଼େ । ଓଢ଼ଣା ଉଠିଯାଇନି, କିନ୍ତୁ ଖସିବି ଯାଇନି । ଓଢ଼ଣା ଭିତରେ ସନ୍ତର୍ପଣରେ ଚଳୁଥିବା ସ୍ତ୍ରୀଟିର ସ୍ୱାଧୀନତା କାହିଁ ସାଙ୍ଗସାଥୀଙ୍କ ସହିତ ଖୋଲା ମନରେ ଘଣ୍ଟାଏ ବିତାଇବା ପାଇଁ ? ଶାଶୁମାନଙ୍କର ଗଞ୍ଜଣାକୁ ଭୟ କରି ଧୀରେ ଧୀରେ ଉନ୍ମୁଖ ଚେତନା ଚିନ୍ତାରେ ପରିଣତ ହୁଏ ।

 

ଉଚ୍ଚଶିକ୍ଷିତ ଓ ସମ୍ଭ୍ରାନ୍ତ ଘରର ଚିତ୍ର କିଛିଟା ଅଲଗା । ଶିକ୍ଷିତ ଓ ସମ୍ଭ୍ରାନ୍ତ ପରିବାରର ଝିଅବୋହୂମାନେ ମୁକ୍ତ ବିହଙ୍ଗମ ପରି ଉଡ଼ିବାର ସୁଯୋଗ ନାହିଁ ସତ । କିନ୍ତୁ ସେମାନଙ୍କ ପାଦରେ ଗ୍ରାମାଞ୍ଚଳର ଶୃଙ୍ଖଳ ଲାଗି ନାହିଁ ସତ । କିନ୍ତୁ ସେମାନଙ୍କ ପାଦରେ ଗ୍ରାମାଞ୍ଚଳର ଶୃଙ୍ଖଳ ଲାଗି ନାହିଁ-। ସେମାନେ କିଛିଟା ମୁକ୍ତ । କିନ୍ତୁ ମୋତେ ଦେଖି ଅବାକ୍‌ ଲାଗେ ଯେ, ଏଇ ରାଜଧାନୀ ବା ଅନ୍ୟ କୌଣସି ସହରର ନାରୀଟି ଇଚ୍ଛାକରି ମଧ୍ୟ ଅନକୂଳ ପରିବେଶରେ ସହଜରେ ପ୍ରଗଲ୍ଭା ହୋଇପାରେ ନାହିଁ । କାଳେ କିଏ କ’ଣ ଭାବିବ ବୋଲି ପୁରୁଷମାନେ କ୍ଳବ୍‌, ଥିଏଟର, ସାହିତ୍ୟସଭା, ନୃତ୍ୟଗୀତ ବା ବଜାର ବୁଲି ଯାଉଥିବା ବେଳେ ସମୟ ଓ ସୁଯୋଗ ଅଭାବରୁ ସ୍ତ୍ରୀମାନେ ଘର ଭିତରେ ସମୟ କଟାନ୍ତି । ଆମ ରାଜ୍ୟରେ ପ୍ରାୟ ପାଞ୍ଚ ହଜାର ଲେଖକ ଅଛନ୍ତି । ସେମାନେ ଅଧିକ ସଚେତନ ବୋଲି ଲୋକଙ୍କର ଧାରଣା । କିନ୍ତୁ ବାସ୍ତବରେ ତାହା ତ ନୁହେଁ । ଲେଖିବା ସେମାନଙ୍କର ପ୍ରବୃତ୍ତି । ଗୋଟିଏ କବିତା ବା ଗଳ୍ପ ଲେଖି ଲେଖକ ନିଜେ ପଢ଼ି ଯେତେ ସନ୍ତୋଷ ପାଆନ୍ତି ବା ଆଉ କେତେଜଣ ବନ୍ଧୁଙ୍କ ଆଗରେ ତାହା ପାଠକରି ଯେତେ ଖୁସି ହୁଅନ୍ତି, ନିଜ ସ୍ତ୍ରୀ, ବା ମା,ଭଉଣୀ ଆଗରେ ତାହା ପଡ଼ି ସେତିକି ଖୁସି ହେବା ଦେଖାଯାଏ ନାହଁ । ବରଂ ସ୍ଵାମୀ କ’ଣ ଲେଖନ୍ତି ସେ ସମ୍ବନ୍ଧରେ ଅନେକ ସ୍ତ୍ରୀ ଅଜ୍ଞ । ଅଥଚ ଲେଖକ ସ୍ତ୍ରୀଙ୍କୁ କହନ୍ତି ସେ ସହଧର୍ମିଣୀ । ସ୍ତ୍ରୀଙ୍କୁ ସମଧର୍ମୀ କରିବା ପାଇଁ ପୁରୁଷର ମନ ଉଦ୍‌ବେଳ ହୁଏ ନାହିଁ । ବାରିପଦାରେ ଜଣେ ସବ୍‌ ଜଜ୍‌ଙ୍କ ସ୍ତ୍ରୀ ଲେଖିକା ଭାବେ ସୁନାମ ଅର୍ଜିଥିଲେ । ଦିନେ କଥା ପ୍ରସଙ୍ଗରେ କହିଲେ କ’ଣ କହିବି କହନ୍ତି, ନାରୀ ଜନ୍ମର ମୁକ୍ତି ନାହିଁ । ମୁଁ ସିନା ଏତେ କବିତା ଲେଖୁଛି, କିନ୍ତୁ ମୋ ସ୍ଵାମୀ ତାହା ଶୁଣିନାହାନ୍ତି କି ପଢ଼ି ନାହାନ୍ତି । ତାଙ୍କର ସମୟ ନାହିଁ ସେଥିପାଇଁ । ଦିନେ ପଚାରନ୍ତିନି ମୁଁ କ’ଣ ଲେଖେ । ବାହାରେ କବିତା ପଢ଼ିବାର ଆନନ୍ଦଠାରୁ ଯେ ସ୍ୱାମୀ ଆଗରେ କବିତା ପଢ଼ିବାର ସୁଖ ଆହୁରି ବେଶି ତାହା ଯଦି ସେ ବୁଝନ୍ତେ ।

 

ନାରୀ କ’ଣ କେବଳ ପୁରୁଷର ସେବା ତା'ର ସୁଖ ସ୍ଵାଚ୍ଛନ୍ଦ୍ୟ ଦେଖିବା ପାଇଁ ଜନ୍ମ ହୋଇଛି ବା ଠିକା ନେଇଛି ? କାହିଁକି ପୁରୁଷର ସ୍ୱାଧୀନତାରୁ ସେ ଭାଗ ନେଇପାରିବ ନାହିଁ ? ନିଜ ସାଙ୍ଗସାଥୀଙ୍କୁ ଖାଇବା ପାଇଁ ଆମନ୍ତ୍ରଣ କରିବାର ସ୍ଵାଧୀନତା ସ୍ଵାମୀମାନଙ୍କର ଅଛି । ରାନ୍ଧିବା ଦାୟିତ୍ଵ, ବାସନ ଧୋଇବା ଦାୟିତ୍ଵ କିନ୍ତୁ ସ୍ତ୍ରୀମାନଙ୍କର । ଅତିଥିମାନଙ୍କୁ ନିଜେ ପରଶିବା ଓ ସେମାନଙ୍କ ସହିତ ଖୁସି ଗପରେ ଯୋଗଦେବା ପାଇଁ କେତେଜଣ ମହିଳାଙ୍କୁ ସୁଯୋଗ ମିଳେ ? ସ୍ତ୍ରୀମାନଙ୍କର ବି ବନ୍ଧୁ ଅଛନ୍ତି । ସ୍ଵାମୀଙ୍କ ବିନା ଓ ଅନୁମତିରେ ସେମାନେ କିନ୍ତୁ ବନ୍ଧୁମାନଙ୍କୁ ଡ଼ାକିପାରିବେ ନାହିଁ । ଶିକ୍ଷିତ ପୁରୁଷମାନେ କିପରି ସ୍ତ୍ରୀମାନଙ୍କ ପାଦରେ ଶିକୁଳି ଲଗାଇ ଦିଅନ୍ତି, ତାହା ତ ପ୍ରତି ସାହି ଓ ବସ୍ତିର ଚିତ୍ର । ସାତକଡ଼ିବାବୁଙ୍କ ଜଣେ ବନ୍ଧୁ ଅର୍ଥ ବିଭାଗର ଅଫିସର୍‌ । ତାଙ୍କ ସ୍ତ୍ରୀ ସାତକଡ଼ିବାବୁଙ୍କ ସହିତ ଗୋଟିଏ କଲେଜରେ ଆଗପଛ କ୍ଳାସ୍‌ରେ ପଢ଼ୁଥିଲେ । ଦିନେ ହଠାତ୍‌ ସାକ୍ଷାତ ହେଲା । ଆମ ଘରକୁ ସେ ଏକା ଆସିଲେ ସ୍ତ୍ରୀଙ୍କୁ ଆଣିଲେ ନାହିଁ । ପରେ ତାଙ୍କ ସ୍ତ୍ରୀଙ୍କ ସହିତ ଯେତେବେଳେ ଦେଖାହେଲା ଦୁଃଖ କରି କହିଲେ ଯେ, ସ୍ଵାମୀ ତାଙ୍କୁ ସାଙ୍ଗରେ ନେଲେ ନାହିଁ । କାହିଁକି ସ୍ଵାମୀ ଭୟ କଲେ ସ୍ତ୍ରୀଙ୍କୁ ତାଙ୍କ ସହିତ ନେବା ପାଇଁ ? ଏହା ଗୋଟିଏ ବିଚ୍ଛିନ୍ନ ଘଟଣା ନୁହେଁ । ଏମିତି ବହୁ ଘଟଣା ମୁଁ ଦେଖିଛି ।

 

ସାତକଡ଼ିବାବୁ ଓଡ଼ିଶା ବାହାରେ ଦୀର୍ଘକାଳ ବିତାଇଛନ୍ତି ଓ ସମ୍ଭ୍ରାନ୍ତମାନଙ୍କ ସହିତ ମିଶିବାର ଅନେକ ସୁଯୋଗ ପାଇଛି । ଓଡ଼ିଶା ପରି ଏତେ ସଙ୍କୁଚିତ ଅଵସ୍ଥା ଅନ୍ୟତ୍ର ଦେଖିନାହିଁ । ସ୍ଵାମୀ ଓ ସ୍ତ୍ରୀ ଏକତ୍ର ଆସନ୍ତି ସାମାଜିକତା ରକ୍ଷା କରିବା ପାଇଁ । କ୍ଳବ୍‌, ମନ୍ଦିର, ଯାତ୍ରା. ଥିଏଟର ଏକତ୍ର ଯାଆନ୍ତି। ଆମେ ଯେତେବେଳେ ପଞ୍ଚାନବେ ମସିହାରେ କଲିକତାରେ ପହଞ୍ଚିଲୁ, ସେତେବେଳେ ରେଳବାଇ କ୍ଳବ୍‌ରେ ବିଭିନ୍ନ ଅଞ୍ଚଳର ଓ ବିଭିନ୍ନ ଭାଷାଭାଷୀ ଓ ଧର୍ମର ବହୁ ଅଫିସର୍‌ ଓ ବୁଦ୍ଧିଜୀବୀଙ୍କ ସହିତ ବନ୍ଧୁତ୍ୱ ହେଲା । ସେତେବେଳେ ମଧ୍ୟ ସେମାନଙ୍କର ସ୍ତ୍ରୀମାନେ ଘରର ଚୁତଃସୀମା ମଧ୍ୟରେ ଆବଦ୍ଧ ନଥିଲେ । କେବଳ ଏତିକି ଫରକ ଦେଖିଛି ଯେ, କ୍ଳବ୍‌ରେ ସେତେବେଳେ ଏବଂ ବର୍ତ୍ତମାନ ଯେତେ ପୁରୁଷ ମଦ ପିଉଥିଲେ, ସେମାନଙ୍କ ତୁଳନାରେ ମଦ୍ୟପାନ କରୁଥିବା ସ୍ତ୍ରୀମାନଙ୍କର ସଂଖ୍ୟା ଅତି କମ୍‌ । କଲିକତାର ପ୍ରସିଦ୍ଧ କ୍ଳବ୍‌ରେ ଚାଳିଶ ବର୍ଷ ପୂର୍ବେ ମଦ୍ୟପାନ କରୁଥିବା ସ୍ତ୍ରୀମାନଙ୍କ ସଂଖ୍ୟା ଦୁଇ ତିନି ପ୍ରତିଶହ ଥିବାବେଳେ ଏବେ ତାହା କୋଡ଼ିଏ ପଚିଶ ପ୍ରତିଶତକୁ ବଢ଼ିଛି । କ୍ଳବ୍‌ରେ ସ୍ତ୍ରୀ ପୁରୁଷ ହାତ ଧରାଧରି ହୋଇ ନାଚିବା ଓ ଖେଳିବା ଦେଖୁଛି । କେହି ଆପତ୍ତି କରନ୍ତି ନାହିଁ । କିନ୍ତୁ ରାଜଧାନୀର ସମ୍ଭ୍ରାନ୍ତ ଭୁବନେଶ୍ଵର କ୍ଳବ୍‌ରେ ଏପରି ଦୃଶ୍ୟ କ୍ଵଚିତ୍‌ ଦେଖାଯାଏ । ଅଧିକାଂଶ ନିଜ ନିଜର ସ୍ତ୍ରୀମାନଙ୍କୁ ଘରେ ଛାଡ଼ି ଏକା ଏକା ଆସନ୍ତି ଏବଂ ବ୍ରିଜ୍‌ ଖେଳନ୍ତି ଓ ମଦ ପିଇ ଅଧରାତିରେ ଘରକୁ ଫେରନ୍ତି । ମଦନପିଇ ବା ପବିତ୍ରତା ନହରାଇ ଯେ ନାରୀମାନେ ବି କ୍ଳବ୍‌ ଜୀବନ ଉପଭୋଗ କରିପାରନ୍ତି ସେଇ ଖବର ଓଡ଼ିଶାର ଉଚ୍ଚଶିକ୍ଷିତ ଓ ସମ୍ଭ୍ରାନ୍ତଙ୍କ କାନରେ ଏଯାଏ ପହଞ୍ଚି ନାହିଁ ।

 

ନବବର୍ଷ ଦିନ ଓ ତା’ ପୂର୍ବରୁ ରାଜଧାନୀର କ୍ଳବ୍‌ ଓ ହୋଟେଲ୍‌ମାନଙ୍କରେ ନୃତ୍ୟଗୀତ ପାନ ଭୋଜନର ଆୟୋଜନରେ ଭାଗ ନେଇଥିଲେ ବେଶୀ ସଂଖ୍ୟକ ପୁରୁଷ । ଏପରିକି ଲେଖକମାନଙ୍କ ଦ୍ଵାରା ଆୟୋଜିତ କବିତା ପାଠୋତ୍ସବ, ଆଲୋଚନାସଭା ଓ ଭୋଜିରେ ଶତକଡ଼ା ପଞ୍ଚାନବେ ଭାଗ ଥିଲେ ପୁରୁଷ । କୌଣସି ଆଲୋଚନା ସଭା ବା ପ୍ରତିଯୋଗିତାରେ ମଧ୍ୟ ସେଇ ଗୋଟିଏ ପ୍ରକାର ଦୃଶ୍ୟ । ଏପର୍ଯ୍ୟନ୍ତ ଆମେ ଜାତିଗୋତ୍ର ନାମରେ ରହିଥିବା ସାମାଜିକ ଶ୍ରେଣୀବଦ୍ଧତା ସମ୍ବନ୍ଧରେ କହି ଆସିଛୁ, ତାହା କିପରି ଦୂର ହେବ ସେଥିପାଇଁ ମଣ୍ଡଳ କମିଶନ ଠାରୁ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଉଦ୍‌ବେଗ ପ୍ରକାଶ କରିଛନ୍ତି । କିନ୍ତୁ ଦେଶର ପ୍ରାୟ ପଚାଶ କୋଟି ମହିଳା ଯେ ସାମାଜିକ ଶ୍ରେଣୀବଦ୍ଧତା ଦ୍ୱାରା ସମାଜର ମୁଖ୍ୟ ପ୍ରବାହଠାରୁ ଅଲଗା ହୋଇ ଯାଇଛନ୍ତି ଏ ବିଷୟରେ ତଥାକଥିତ ବୁଦ୍ଧିଜୀବୀ ଓ ରାଜନୀତିଜ୍ଞମାନେ ତର୍କ କରୁନାହାନ୍ତି କାହିଁକି ? ନାରୀମାନଙ୍କୁ ବୈଠକଖାନାର ସୁସଜ୍ଜିତ ସାମଗ୍ରୀ ପରି ଘର ଭିତରେ ରଖି ଗୋଟିଏ ବଳିଷ୍ଠ ଓ ଚଳନ୍ତି ସମାଜ ଯେ ସୃଷ୍ଟି କରିହେବ ନାହିଁ ଏହା କେହି ବୁଝୁଥିବା ପରି ଦେଖାଯାଉ ନାହିଁ । ଦିଲ୍ଲୀ, ବମ୍ବେ, କଲିକତା, ବାଙ୍ଗାଲୋର, ଜୟପୁର, ଲକ୍ଷ୍ନୌ, ନାଗପୁରର ଚିତ୍ର ବଦଳୁଥିବା ବେଳେ କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁରର ଚିତ୍ର ବଦଳୁ ନାହିଁ କାହିଁକି ? ସମାଳ କ'ଣ ସବୁଦିନ ପୁରୁଷମାନଙ୍କ କବ୍‌ଜା ଭିତରେ ରହିଥିବ ଏବଂ ନାରୀମାନେ କେବଳ ସେମାନଙ୍କର ସୁଖ ସୁବିଧା ଜଗି ଚଳୁଥିବେ ? ବଡ଼ ଦୁଃଖର ବିଷୟ ଏହି ଯେ, ଆମେ ଯେଉଁ ଆଦିବାସୀମାନଙ୍କୁ ଅନଗ୍ରସର କହୁ ସେମାନଙ୍କ ସମାଜରେ ନାରୀ ଓ ପୁରୁଷ ମଧ୍ୟରେ ଏପରି ଶ୍ରେଣୀବଦ୍ଧତା ନାହିଁ । ସାମାଜିକ ଉତ୍ସବରେ ନାରୀ ଓ ପୁରୁଷ ସମାନ ଅଂଶୀଦାର । ସେମାନଙ୍କୁ ଅନଗ୍ରସର, ଅଶିକ୍ଷିତ କହି ଆଉ କେତେଦିନ ଆତ୍ମ ପ୍ରତାରଣା କରୁଥିବା ?

 

ସମୟ ସହିତ ତାଳଦେଇ ଯଦି ଓଡ଼ିଶାର ନାରୀମାନଙ୍କୁ ପୁରୁଷ ମାନଙ୍କ ସମକକ୍ଷ ହେବା ସକାଶେ ଅନୁକୂଳ ପରିବେଶ ସୃଷ୍ଟି କରାନଯାଏ, ତେବେ ସେମାନଙ୍କୁ ପଞ୍ଚାୟତ ଠାରୁ ପାର୍ଲିଆମେଣ୍ଟ ସର୍ବତ୍ର ତେତିଶ ପ୍ରତିଶତ ସ୍ଥାନ ସଂରକ୍ଷଣ ବା ସେମାନଙ୍କ ସଂଖ୍ୟାନୁପାତରେ ନିଯୁକ୍ତି ଦେବା ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା ଦ୍ଵାରା ନାରୀର ପାଦରେ ଲାଗିଥିବା ଶିକୁଳି ଖୋଲିଯିବ ନାହିଁ । ସମାଜରୁ ଲିଙ୍ଗଭେଦ ଦୂର କରି ସମସ୍ତଙ୍କୁ ମାନ ସୁଯୋଗ ନମିଳିବା ପର୍ଯ୍ୟନ୍ତ ଓଡ଼ିଶାର ନାରୀ ସମାଜର ସ୍ଵର ଶୁଣାଯିବ ନାହିଁ, ସେମାନେ କେବଳ ମୂକ ହୋଇ ରହିଯିବେ । ମହିଳାମାନଙ୍କୁ ଶ୍ରେଣୀବଦ୍ଧତା ମଧ୍ୟରୁ ମୁକ୍ତି ଦେବାପାଇଁ ଆବଶ୍ୟକ ସାମାଜିକ ସଂସ୍କାର ଓ ମାନସିକ ପରିବର୍ତ୍ତନ ।

Image

 

ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଆନ୍ଦୋଳନର ଏକ ଅଜ୍ଞାତ ଅଧ୍ୟାୟ

 

ଶହେ ବର୍ଷ ଧରି ଓଡ଼ିଆଭାଷୀ ଅଞ୍ଚଳ ସବୁ ତିନୋଟି ପ୍ରଦେଶରେ ବାଣ୍ଟି ହୋଇ ରହିବା ପରେ ସେ ସବୁକୁ ଏକତ୍ର କରି ସ୍ଵତନ୍ତ୍ର ପ୍ରଦେଶ ଗଠନ କରିବା ସକାଶେ ଆନ୍ଦୋଳନ କରିବା ପାଇଁ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା । ଏହାର ୩୩ ବର୍ଷ ପରେ ୧୯୩୬ ଏପ୍ରିଲ୍‌ ପହିଲା ତାରିଖରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଲା । ଏଇ ଦୀର୍ଘ ୩୩ ବର୍ଷ ଧରି ଆନ୍ଦୋଳନ କରିବା ସତ୍ତ୍ୱେ ମାନ୍ଦ୍ରାଜ୍‌, କେନ୍ଦ୍ରପ୍ରଦେଶ ଓ ବିହାର ଓ ବଙ୍ଗଳାରେ, ଥିବା ସମସ୍ତ ଓଡ଼ିଆଭାଷୀ ଅଂଚଳକୁ ନେଇ ଓଡ଼ିଶା ଗଠନ ନ ହେବାରୁ ଏବେ ମଧ୍ୟ ଅନେକ ଓଡ଼ିଆଭାଷୀ ଅଂଚଳ ସହିତ ଲକ୍ଷ ଲକ୍ଷ ଓଡ଼ିଆ ପଶ୍ଚିବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ରହିଛନ୍ତି । ସେମାନେ ସେହି ପ୍ରଦେଶମାନଙ୍କର ନାଗରିକମାନଙ୍କ ପରି ସମାନ ସୁବିଧା ସୁଯୋଗ ପାଉନାହାନ୍ତି-। ସ୍ଵାଧୀନ ଭାରତ ବର୍ଷରେ ସମ୍ବିଧାନ ଅନୁସାରେ ସମସ୍ତ ନାଗରିକ ସମାନ ଅଧିକାର ପାଇବେ ବୋଲି ଲିପିବଦ୍ଧ କରାଯାଇଛି । ସଂଖ୍ୟାଲଘୁ ଭାଷାଭାଷୀଙ୍କର ସ୍ଵାର୍ଥର ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାର ସଂଖ୍ୟାଲଘୁ ଭାଷୀଙ୍କ ପାଇଁ ଗୋଟିଏ କମିଶନ ଗଢ଼ିଛନ୍ତି । କିନ୍ତୁ ତାହା ସତ୍ତ୍ଵେ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗର ସଂଖ୍ୟାଲଘୁ ଓଡ଼ିଆମାନେ ନିଜ ମାତୃଭାଷାରେ ପାଠ ପଢ଼ିବା ଓ ଜୀବନ ଯାପନ କରିବା ପାଇଁ ସମାନ ସୁବିଧା ପାଉନାହାନ୍ତି । ସ୍ଵାଧୀନତା ପରେ ଯଦି ଦେଶର ଅବସ୍ଥା ଏହିପରି ତେବେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହେବା ପୂର୍ବରୁ ଓ ଦେଶ ସ୍ଵାଧୀନ ହେବା ପୂର୍ବରୁ ଅନ୍ୟ ପ୍ରଦେଶରେ ରହିଯାଇଥିବା ଓଡ଼ିଆମାନଙ୍କ ଅବସ୍ଥା କିପରି ହୋଇଥିବ, ତାହା ସହଜରେ ଅନୁମାନ କରାଯାଇପାରେ । ଯେଉଁମାନେ ସେତେବେଳେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ କାର୍ଯ୍ୟ କରିଥିଲେ, ସେମାନେ ଆମର ନମସ୍ୟ । ମଧୁବାବୁ, ଭତ୍କଳମଣି ଗୋପବନ୍ଧୁ, ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜର ମହରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ, ଶଶିଭୂଷଣ ରଥ, ଗୋଦାବରୀଶ ମିଶ୍ର ପ୍ରଭୃତିଙ୍କ ନାମ ଦେଶ ମିଶ୍ରଣ ଆନ୍ଦୋଳନର ଇତିହାସରେ ଲିପିବଦ୍ଧ ହୋଇଥିବା ବେଳେ ଅନ୍ୟାନ୍ୟ ଅନେକ କର୍ମୀ ଓ ନେତାଙ୍କର ନାମ ସାଧାରଣ ଲୋକେ ଜାଣନ୍ତି ନାହିଁ । ସେହିଭଳି ସିଂହଭୂମିର ଜଣେ ଓଡ଼ିଆ ନେତା ଓ ଉତ୍କଳମଣିଙ୍କ ସହକର୍ମୀଙ୍କ ବିଷୟ ମୁଁ ଏଠାରେ ଲେଖିବି ।

 

ସିଂହଭୂମିରେ ଯେଉଁ କେତେଜଣ ଓଡ଼ିଆ ନେତା ୧୯୧୯ ଠାରୁ ଭାରତ ସ୍ଵାଧୀନ ହେବା ପର୍ଯ୍ୟନ୍ତ ଓ ତା’ ପରେ ମଧ୍ୟ କାର୍ଯ୍ୟ କରିଥିଲେ ସେମାନେ ହେଲେ ଖମାର ଗ୍ରାମର ସ୍ଵର୍ଗୀୟ ଈଶ୍ଵରଚନ୍ଦ୍ର ହୋତା ଏବଂ ସ୍ଵର୍ଗୀୟ ତାରାପଦ ଷଡଙ୍ଗୀ, ଅନ୍ତଧରପୁରର କାହ୍ନୁ କିଶୋର ପାଣି । ଜାମସେଦପୁରର ଲକ୍ଷ୍ମୀଧର ନାୟକ ଓ ମୁକୁନ୍ଦ ରାଓ ତନ୍ତ୍ରୀ ପ୍ରଭୃତି । ଈଶ୍ୱରଚନ୍ଦ୍ର ହୋତା ଥିଲେ ମୋର ଅଜା ଏବଂ ଗୁରୁଦେବ । ତାଙ୍କର ଗୋଟିଏ ଅପ୍ରକାଶିତ ପାଣ୍ଡୁଲିପିରୁ ମୁଁ କେତେକ ତଥ୍ୟ ପାଇଛି । ଏହା ପୂର୍ବରୁ ତାଙ୍କଠାରୁ ଓ ମୋ ମାଆ ବାପାଙ୍କ ଠାରୁ ଏ ସଂପର୍କରେ ଯାହା ଶୁଣିଥିଲି, ସେହିସବୁ ବିଷୟକୁ ନେଇ ଏଠାରେ କିଛି ଲେଖିବା ଉଚିତ୍‌ ମନେ କରୁଛି । ଏହାଦ୍ୱାରା ସେତେବେଳେ ସିଂହଭୂମିରେ ଓଡ଼ିଆ ଭାଷାର ସୁରକ୍ଷା ସକାଶେ କିଭଳି ନିଃସ୍ଵାର୍ଥପର ଭାବେ କାର୍ଯ୍ୟ କରାଯାଉଥିଲା, ତାର ସୂଚନା ମିଳିବ ।

 

ବଙ୍ଗଳା ଠାରୁ ବିହାର, ଓଡ଼ିଶା ଅଲଗା ହୋଇଯିବା ପରେ ଓଡ଼ିଶା ବିହାରର ଏକ ଅଂଶ ହୋଇ ରହିଲା । ପଶ୍ଚିମବଙ୍ଗର ମେଦିନୀପୁର, ବାଙ୍କୁଡ଼ା ଓ ବୀରଭୂମି ଅଂଚଳରେ ଥିବା ଓଡ଼ିଆମାନେ ଦୀର୍ଘକାଳ ଧରି ଓଡ଼ିଆ ଭାଷା ଓ ସଂସ୍କୃତି ବଂଚାଇ ରଖିଥିଲେ । କିନ୍ତୁ ଓଡ଼ିଆ ଭାଷା ଶିଖିବା ପାଇଁ ବିଦ୍ୟାଳୟ ନଥିବାରୁ ଏବଂ ଓଡ଼ିଆଭାଷୀ ଲୋକମାନଙ୍କୁ ବଙ୍ଗଳାଭାଷୀମାନେ ସେତେବେଳେ ନ୍ୟୂନଦୃଷ୍ଟିରେ ଦେଖୁଥିବାରୁ ଓ ସରକାରୀ ଚାକିରି ବାକିରିରେ ଓଡ଼ିଆମାନଙ୍କୁ ସୁବିଧା ସୁଯୋଗ ମିଳୁ ନଥିବାରୁ ଧୀରେ ଧୀରେ ଓଡ଼ିଆମାନେ ବଙ୍ଗଳା ପଢ଼ିବାକୁ ଆରମ୍ଭ କଲେ ମଧ୍ୟ ଘରେ ଓଡ଼ିଆରେ କଥାଭାଷା ଓ ଚଳଣି ଚଳୁଥିଲା । ଏହା କିନ୍ତୁ ଧୀରେ ଧୀରେ ଲୋପ ପାଇ ଆସୁଛି । ମୋର ଅନେକ ଆତ୍ମୀୟ ଏବଂ ସଂପର୍କୀୟ ମେଦିନୀପୁର ଜିଲ୍ଲାରେ ଅଛନ୍ତି । ସେମାନେ ଘରେ ଓଡ଼ିଆ କହୁଥିଲେ ମଧ୍ୟ ସେମାନଙ୍କର ପୁଅ ଝିଅ ଆଉ ଓଡ଼ିଆ ନ କହି ବଙ୍ଗଳା କହୁଛନ୍ତି । ସିଂହଭୂମି ଜିଲ୍ଲା, ମେଦିନୀପୁର ଜିଲ୍ଲାକୁ ଲାଗି ରହିଥିବାରୁ ଏହା ବିହାର, ଓଡ଼ିଶା, ବଙ୍ଗଳାରୁ ଅଲଗା ହେବା ପର୍ଯ୍ୟନ୍ତ ବଙ୍ଗଳାରେ ଥିଲା । ତେଣୁ ସେହି ସମୟରେ ଓଡ଼ିଆ ଭାଷାରେ ଶିକ୍ଷା ନ ଦେଇ, ମେଦିନୀପୁର, ବାଙ୍କୁଡ଼ା ଓ ବୀରଭୂମି ପରି ସିଂହଭୂମି ଜିଲ୍ଲାରେ ମଧ୍ୟ ବଙ୍ଗଳା ମାଧ୍ୟମରେ ଶିକ୍ଷା ଦିଆଯାଉଥିଲା । ସିଂହଭୂମିରେ କେତେକ ହିନ୍ଦୀ ସ୍କୁଲ ମଧ୍ୟ ଥିଲା । କିନ୍ତୁ ମୂଳ ପ୍ରତିଯୋଗିତା ହେଉଥିଲା ଓଡ଼ିଆ ଓ ବଙ୍ଗଳା ମଧ୍ୟରେ । ସରକାରଙ୍କ ପକ୍ଷରୁ ଓଡ଼ିଆରେ ପାଠ ପଢ଼ିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ମୋ ଅଜା ପିଲାଦିନେ ବଙ୍ଗଳା ମାଧ୍ୟମରେ ପାଠ ପଢ଼ିଥିଲେ ଏବଂ ପରେ ଓଡ଼ିଆ ଶିଖିଥିଲେ । ଏହିପରି ଭାବେ ହଜାର ହଜାର ଓଡ଼ିଆ ବାଧ୍ୟ ହୋଇ ନିଜ ମାତୃଭାଷା ନ ଶିଖି ବଙ୍ଗଳା ବା ହିନ୍ଦୀ ଶିଖିଲେ ଏବଂ ଓଡ଼ିଆରେ ଲେଖାପଢ଼ା କରିବା ସୁଯୋଗ ନ ପାଇଁ ଅନ୍ୟ ଭାଷା ଆଦରି ନେଲେ ।

 

ପଶ୍ଚିମବଙ୍ଗରେ ଯେଉଁ ଓଡ଼ିଆଭାଷୀ ଅଂଚଳ ସବୁ ରହିଗଲା, ସେଠାରେ ଶହ ଶହ ବର୍ଷ ଧରି ଯେଉଁ ଓଡ଼ିଆ ଭାଷା ଚଳୁଥିଲା ୧୯୨୦-୨୧ ବେଳକୁ ତାହା ଧୀରେ ଧୀରେ କମି ଆସିଲା ଏବଂ ବର୍ତ୍ତମାନ ପ୍ରାୟ ନିଶ୍ଚିହ୍ନ ହୋଇଯାଇଛି କହିଲେ ଚଳେ । ଉତ୍କଳମଣି ଗୋପବନ୍ଧୁ ଓ ପଣ୍ଡିତ ଗୋଦାବରୀଶଙ୍କ ପରି ମହାନ୍‌ ନେତା ମଧ୍ୟ ମେଦିନୀପୁର, ବାଙ୍କୁଡ଼ା ଅଂଚଳରେ କାମ କରିବା ପାଇଁ ସୁବିଧା ପାଇ ନଥିଲେ । କିନ୍ତୁ ସିଂହଭୂମିର ଓଡ଼ିଆ ରକ୍ତରେ କଣ ଥିଲା କେଜାଣି ସେମାନେ ପଶ୍ଚିମବଙ୍ଗର ଓଡ଼ିଆଙ୍କ ପରି ମାତୃଭାଷା ବର୍ଜନ ନକରି ବହୁ ଦୁଃଖକଷ୍ଟ ସହି ମଧ୍ୟ ଓଡ଼ିଆତ୍ଵ ବଜାୟ ରଖିଛନ୍ତି । କଟକ ଜିଲ୍ଲାରୁ ମାଟିବଂଶ ଅବଧାନମାନେ ସେତେବେଳେ ସିଂହଭୂମି ଜିଲ୍ଲାରେ ଓଡ଼ିଆ ଶିକ୍ଷା ଦେଉଥିଲେ । ସେମାନଙ୍କ ମଧ୍ୟରୁ ପ୍ରଧାନ ଥିଲେ ରାଘବ ଚୌଧୁରୀ । ସେ ରାମାୟଣର ବିଭିନ୍ନ ଉପାଖ୍ୟାନକୁ ଗୀତିନାଟ୍ୟରେ ପରିଣତ କରିଥିଲେ ଏବଂ ତାହା ଗାଁ ଗାଁରେ ଅଭିନୀତ ହେଉଥିଲା । ସାହିତ୍ୟ, ଗୀତିନାଟ୍ୟ ଓ ପାଲା ମାଧ୍ୟମରେ କିପରି କ୍ଷୟ ପାଇଯାଉଥିବା ଗୋଟିଏ ଭାଷାକୁ ରକ୍ଷା କରାଯାଇପାରେ ତାହା, ସେ ପ୍ରମାଣ କରିଥିଲେ ।

 

ତାଙ୍କ ପରେ ସେହି ଧାରା କେତେକାଂଶରେ ଦୁର୍ବଳ ହୋଇଯାଇଥିଲା । କିନ୍ତୁ ସ୍ଵର୍ଗୀୟ ଈଶ୍ଵର ଚନ୍ଦ୍ର ହୋତା, ଭତ୍କଳମଣିଙ୍କ ସଂପର୍କରେ ଆସି କିପରି ଓଡ଼ିଆତ୍ୱ ଫେରିପାଇଲେ ଏବଂ ଓଡ଼ିଆରେ ଗୀତ ଲେଖିଲେ, ନାଟକ ରଚନା କଲେ ଓ ଗାଁ ଗାଁରେ ହାର୍‌ମୋନିୟମ୍‌ ଧରି ଅଭିନୟ କଲେ, ତାହା ଏକ ରୋମାଞ୍ଚକର କାହାଣୀ ।

 

ଈଶ୍ଵରଚନ୍ଦ୍ରଙ୍କ ପାଣ୍ଡୁଲିପିରୁ ଜଣାପଡ଼ୁଛି ଯେ, ୧୯୨୨ ମସିହାରେ ଗୋପବନ୍ଧୁ ସିଂହଭୂମି ଗସ୍ତରେ ଯାଇଥିଲେ ଏବଂ ପାଞ୍ଚରୋଳିଆ ଠାରେ ଗୋଟିଏ ଓଡ଼ିଆ ବିଦ୍ୟାଳୟ ସ୍ଥାପନ କରିଥିଲେ । ସେହି ଅବସରରେ ଈଶ୍ଵରଚନ୍ଦ୍ର ଯେଉଁ ଗୀତ ରଚନା କରିଥିଲେ, ତାହା ମୁଁ ଏଠାରେ ଉଦ୍ଧାର କରୁଛି-

 

ଓଡ଼ିଆ ଆମ୍ଭର ମାତୃଭାଷା

ଓଡ଼ିଆ ଆମ୍ଭର ପ୍ରାଣ ।

ଓଡ଼ିଆ ଦେଶରେ ଜନମ ଆମ୍ଭ

ଓଡ଼ିଆର କରୁ ଟାଣ ॥

 

ଆସ ଆସ ଭାଇ ମନକୁ ମିଳାଇ

ରଖିବା ଓଡ଼ିଆ ମାନ ।

କହିବା ଓଡ଼ିଆ ପଢ଼ିବା ଓଡିଆ

ଶିଖିବା ଓଡ଼ିଆ ଗାନ ।।

 

ଓଡ଼ିଆର ରାଣୀ ଆମ୍ଭର ଜନନୀ

ତା’ ପାଦେ ରଖିବା ଧ୍ୟାନ,

ଓଡ଼ିଆର ଯଶ, ରଖିବାରେ ଆସ

ଓଡ଼ିଆରେ ଦେବା ପ୍ରାଣ ।

 

ଓଡ଼ିଆ ମାଆଙ୍କୁ କହିବା ଆମ୍ଭର

ଦିଅ ମା’ ଓଡ଼ିଆ ଜ୍ଞାନ ।

ଦୁଇ କରଯୋଡ଼ି ମା’ ପଦେ ପଡି

କରିବା ଏହି ଜଣାଣ ।

 

ଗୋପବନ୍ଧୁଙ୍କୁ ଆଗରୁ ଈଶ୍ଵରଚନ୍ଦ୍ର ଜାଣି ନଥିଲେ । ସେ ଜମିଦାର ନଥିଲେ ମଧ୍ୟ ବେଶ୍‌ ସ୍ୱଚ୍ଛଳ ଜୀବନଯାପନ କରୁଥିଲେ । ଧୋତି ଓ ପଞ୍ଜାବି ସହିତ ଗଳାରେ ମଲ୍ଲିମାଳ ପିନ୍ଧୁଥିଲେ । ଗୋପବନ୍ଧୁଙ୍କ ସହିତ ତାଙ୍କର ପରିଚୟ ହେବା କ୍ଷଣି ଦାସେ ଆପଣେ ତାଙ୍କୁ କୁଣ୍ଢାଇ ପକାଇ କହିଲେ, ତୁମେ ଓଡ଼ିଆଙ୍କ ପାଇଁ କାମ କର, ଓଡ଼ିଆ ଭାଷା ରକ୍ଷା କର । ସେତିକି ବେଳେ ଈଶ୍ଵରଚନ୍ଦ୍ର ସମ୍ଭ୍ରାନ୍ତ ଜୀବନ ଛାଡ଼ି ସାଧାରଣ କର୍ମୀ ଭାବେ ଓଡ଼ିଆ ଭାଷା ରକ୍ଷାକରିବା ପାଇଁ ଶପଥ ନେଲେ । ଗୋପବନ୍ଧୁଙ୍କ ଠାରୁ ସେ ବୟସରେ ସାନ ଥିଲେ ଏବଂ ତାଙ୍କୁ ଗୁରୁପରି ମାନୁଥିଲେ । ତାଙ୍କରି କଥାମାନି ସେ ନିଜେ ଓଡ଼ିଆ ଶିଖିଲେ, ପଢ଼ିଲେ ଓ ଓଡ଼ିଆ ଭାଷାର ପ୍ରଚାର ପାଇଁ ମନପ୍ରାଣ ଢାଳିଦେଲେ । ଅଳ୍ପଦିନ ମଧ୍ୟରେ ସେ ଓଡ଼ିଆରେ ଆହୁରି ସୁନ୍ଦର କବିତା ଲେଖି ଗୋପବନ୍ଧୁଙ୍କୁ ଉପହାର ଦେଲେ । ଗୋପବନ୍ଧୁ ଜେଲ୍‌ରେ ଥିଲାବେଳେ ଈଶ୍ଵରଚନ୍ଦ୍ର ଯେଉଁ କବିତା ରଚନା କରିଥିଲେ, ସେଥିରୁ କେତେକାଂଶ ଏଠାରେ ଉଦ୍ଧାର କଲି ।

 

‘‘ଆମ୍ଭ ସୁଖେ ସୁଖୀ ଆମ୍ଭ ଦୁଃଖେ ଦୁଃଖୀ

କାନ୍ଦିଅଛ କେତେ ଭାଇ ଭାଇ ଡାକି,

ନଖାଇ ନଶୋଇ ସଦାବେଳେ ଧାଇଁ

କରିଅଛ ଯେତେ ମନୁ ଯିବ କି ?

 

ପାପ ରାଜନୀତି ହୋଇଛି ଏ ଯୁଗେ

ଋଷି ସନ୍ନ୍ୟାସୀ କି ଦଣ୍ଡୁଚନ୍ତି ରାଗେ

 

ଏ ତୁମ ବିୟୋଗ ତୁମ୍ଭେ କାରାଭୋଗ ସତେ ଏ ଧରଣୀ ସହିନେବ କି ?'’

 

ଗୋପବନ୍ଧୁ କେଡ଼େ ମହାନ୍‌ ଏଇ ଗୀତରୁ ତାହାର ପ୍ରମାଣ ମିଳେ । ସେ ନେତା ହୋଇ ମଧ୍ୟ କର୍ମୀଙ୍କ ପରି ସେମାନଙ୍କ ସହିତ ଏକତ୍ର ଚଳୁଥିଲେ । ସାଧାରଣ ଲୋକର ଦୁଃଖ ଦେଖି କାନ୍ଦି ପକାଉଥିଲେ । ତାଙ୍କର ନେତୃତ୍ୱ ଏଇ କାରଣରୁ ସମସ୍ତେ ସ୍ଵେଚ୍ଛାରେ ଗ୍ରହଣ କରି ନେଉଥିଲେ ଏବଂ ବାଧ୍ୟବାଧକତା ନ ଥିଲା ।

Image

 

ଓଡ଼ିଅ। ଭାଷା, ସଂସ୍କୃତି ଓ ଆଦିବାସୀ

 

ସମୟ ଓ ସୁବିଧା ହେଲେ ମୁଁ ଗ୍ରାମାଞ୍ଚଳକୁ ଯାଇଥାଏ । ଗାଁରେ ମୋର ଜନ୍ମ, ତେଣୁ ଜନ୍ମମାଟିର ଟାଣ ମୋ ଶିରା ପ୍ରଶିରାରେ ରହିଛି । ମୋ ପୁତୁରା ପ୍ରବୀରର ବାହାଘର ଉପଲକ୍ଷେ ମୁଁ କରଞ୍ଜିଆ ଯାଇଥିଲି । ବାଟରେ ବାଙ୍ଗିରିପୋଷି, ବିଶୋଇ, ଯଶିପୁର ପ୍ରଭୃତି ସ୍ଥାନରେ କିଛି ସମୟ ରହିଥିଲି । ସିମିଳିପାଳ ଅରଣ୍ୟର ପ୍ରବେଶ ପଥଭାବେ ଏଇ ତିନୋଟି ସ୍ଥାନ ଜଣାଶୁଣା । ପର୍ଯ୍ୟଟକମାନେ ଏସବୁ ସ୍ଥାନ ଓ ସଂଲଗ୍ନ ଅଞ୍ଚଳର ମହିମା ଜାଣନ୍ତି । ସିମିଳିପାଳର ପାଦଦେଶ ଦେଇ ଯିବାବେଳେ ଅରଣ୍ୟ କିପରି ଘୁଞ୍ଚି ଘୁଞ୍ଚି ଯାଉଛି, ସେଇ ଦୃଶ୍ୟ ଆଖିରେ ପଡ଼େ । ଅରଣ୍ୟ ଘୁଞ୍ଚିଯାଉଛି ଯେପରି ଏକ ବାସ୍ତବତା । ସେହିପରି ଅରଣ୍ୟକୁ ଆଶ୍ରୟ କରି ବଞ୍ଚୁଥିବା ଆଦିବାସୀମାନଙ୍କର ଚଳଣିରେ ଯେଉଁସବୁ ପରିବର୍ତ୍ତନ ଗତ କେତେ ବର୍ଷ ମଧ୍ୟରେ ଘଟିଛି ସେସବୁ ମଧ୍ୟ ନିରାଟ ବାସ୍ତବତା । ମାଣବସା ଗୁରୁବାର ଦିନର ଉତ୍ସବ ସହିତ ପୂର୍ବେ ଆଦିବାସୀମାନଙ୍କର କୌଣସି ଭାବଗତ ସଂପର୍କ ନଥିଲା । କିନ୍ତୁ ଏବେ ଅନଗ୍ରସର ଜାତିର ସ୍ତ୍ରୀ ଲୋକମାନଙ୍କର ମାଣବସା ଲକ୍ଷ୍ମୀପୂଜା କରିବା ପାଇଁ ପ୍ରବଳ ଆଗ୍ରହ । ଅପରାହ୍ନ ବେଳକୁ ଦଳ ଦଳ ଶିଶୁ ଓ ସ୍ତ୍ରୀ ଲୋକ ଭୂମିଜ ସାହିରୁ ଗୁରୁବାର ପୂଜା ଭୋଗ ନେବା ପାଇଁ ଘର ଘର ବୁଲୁଥିବା ଦେଖିଲି । ଆହୁରି ଆନନ୍ଦର ବିଷୟ ଏହି ଯେ ପ୍ରତି ପରିବାରର ଗୃହଲକ୍ଷ୍ମୀମାନେ ପ୍ରସ୍ତୁତ କରିଥିବା ପିଠା ଖିରିରୁ କିଛି କିଛି ଖୁସିରେ ଦେଉଥାନ୍ତି ସେମାନଙ୍କୁ । ସମାଜୀକରଣର ଏହାହିଁ ଯେ ପ୍ରଥମ ପର୍ବ ଏୟା ମନେହେଲା ମୋର । ସେଇଦିନ ପାଖେଇ ଆସୁଛି ଯେଉଁଦିନ ସମାଜର ସମସ୍ତ ବର୍ଗ ଓ ଶ୍ରେଣୀର ଲୋକ ନିଜ ମଧ୍ୟରେ ସୁଖଦୁଃଖ ବାଣ୍ଟିନେବା ପାଇଁ ଆଗେଇ ଆସିବେ ।

 

ସମାଜୀକରଣ ପ୍ରକ୍ରିୟା ଯେ ଗ୍ରାମାଞ୍ଚଳରେ ମଧ୍ୟ ଆରମ୍ଭ ହୋଇଯାଇଛି ଏବଂ ଜାତିଗୋତ୍ରବାଦ ଧୀରେ ଧୀରେ ଅପସରି ଯାଉଛି ଏହାର ଚିହ୍ନ ସର୍ବତ୍ର ଦେଖିଛି । ସାମାଜିକ ସମ୍ବଳ ଆଉ କେତେଜଣଙ୍କ ପାଖରେ ଠୁଳ ହେଉନାହିଁ । ଦିନକୁ ଦିନ ଅଧିକରୁ ଅଧିକ ଲୋକ ସମାନ ଭାବେ ନହେଲେ ମଧ୍ୟ ସାମାଜିକ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି । ଗ୍ରାମ୍ୟ ଜୀବନ ଓ ଚଳଣିର ଜାତିଆଣ ଓ ସମ୍ପ୍ରଦାୟିକ ଭାବର ପ୍ରଭାବ ଦ୍ରୁତ ଗତିରେ କମୁଛି । ମୁଁ ଛାତ୍ରୀ ଥିଲାବେଳେ ଗାଁର ବ୍ରାହ୍ମଣ, ଚଷା, ଆଦିବାସୀମାନଙ୍କୁ ଏକତ୍ର ପଂକ୍ତି ଭୋଜନ କରିବା କେବେ ଦେଖିନାହିଁ । ଉଚ୍ଚଜାତିର ଲୋକମାନଙ୍କ ମଧ୍ୟରେ ଏକାଧିକ ଗୋଷ୍ଠୀ ଥିଲା ଏବଂ ସେମାନେ ସାମାଜିକ କ୍ଷେତ୍ରରେ ଏକତ୍ର ହେଉ ନଥିଲେ । କିନ୍ତୁ ଚାଳିଶ ବର୍ଷ ମଧ୍ୟରେ ଏ ବିଷୟରେ ଆଖି ଦୃଶିଆ ପରିବର୍ତ୍ତନ ହୋଇଛି । ମୋ ପୁତୁରା ପ୍ରବୀରର ବାହାଘର ଭୋଜିରେ ଜାତିଗୋତ୍ର ନିର୍ବିଶେଷରେ ଆମନ୍ତ୍ରିତ ଅତଥିମାନେ ପଂକ୍ତି ଭୋଜନ କରୁଥିବା ଦେଖି ମନ ଭରିଯାଇଥିଲା ଆନନ୍ଦରେ । ସେହିପରି ବରଯାତ୍ରୀମାନଙ୍କ ମଧ୍ୟରେ କେବଳ ଉଚ୍ଚଜାତିର ଲୋକ ନଥିଲେ, ଆମ ଗାଁ ଓ ଆଖପାଖର ଭିନ୍ନ ଭିନ୍ନ ଜାତିର ଲୋକ ଥିଲେ ଏବଂ ସେମାନଙ୍କ ମଧ୍ୟରେ ଜାତିଗତ ପାର୍ଥକ୍ୟ ଓ ଉଚ୍ଚନୀଚ ଭାବର ଲେଶ୍‌ମାତ୍ର ଜଣା ପଡ଼ୁନଥିଲା ।

 

ମୁଁ ଅନେକ ଦିନର ବ୍ୟବଧାନ ପରେ ଆଦିବାସୀବହୁଳ ଅଞ୍ଚଳରେ କିଛି ସମୟ କଟାଇବା ପାଇଁ ସୁଯୋଗ ପାଇ ଖୁସି ହେଲି । ଜଗନ୍ନାଥ ଖୁଣ୍ଟା ଠାରୁ ବାଙ୍ଗିରିପୋଷି, ଯଶିପୁର ଓ କରଞ୍ଜିଆ ସବୁଠାରେ ଆଉ ଗୋଟିଏ ପରିବର୍ତ୍ତନ ଆଖିରେ ପଢ଼ିଲା- ତାହା, ହେଉଛି ଆଦିବାସୀମାନଙ୍କ ଚଳଣି, ପୋଷାକ ପରିଧାନ ଓ ରୁଚି । ସେମାନଙ୍କ ମଧ୍ୟରେ ପାଠ ପଢ଼ିବାର ଆଗ୍ରହ ବଢ଼ୁଛି । କିନ୍ତୁ ଦାରିଦ୍ର୍ୟ ହେଉଛି ପ୍ରଧାନ ଅନ୍ତରାୟ । ପାଠ ପଢ଼ା ଆରମ୍ଭ କରି ଅନେକ ଝିଅପୁଅ ଗୋରୁ ଜଗିବା, ଛୋଟ ଛୋଟ କାମ କରିବା ପାଇଁ ଚାକିରି କରୁଥିବା ଦେଖାଯାଉଛି । ମାଗଣାରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଯେ ଏଇ ସମସ୍ୟାର ଏକମାତ୍ର ସମାଧାନ ନୁହେଁ, ତାହା ମଧ୍ୟ ପ୍ରମାଣିତ ହେଉଛି । କିନ୍ତୁ ଆଦିବାସୀମାନଙ୍କ ଆର୍ଥିକ ଉନ୍ନୟନ ସକାଶେ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଚାଷ କରିବା ଓ ଧନ୍ଦା କରିବା ପାଇଁ ଋଣ ଦିଆଯାଉଛି । ଇନ୍ଦିରା ଆବାସ ଯୋଜନା ଜରିଆରେ ବାସଗୃହ, ଜବାହର ରୋଜଗାର ଯୋଜନା ଓ ନିଶ୍ଚିତ କର୍ମଯୋଗାଣ ଯୋଜନା ଅନୁସାରେ ଉପାର୍ଜନ କରିବା ପାଇଁ କାମ ଦେବାର ବ୍ୟବସ୍ଥା ହେଉଛି । କିନ୍ତୁ ସେମାନଙ୍କ ସହିତ କଥାବାର୍ତ୍ତା ପରେ ଏ ବିଷୟରେ ମୋର ମୋହଭଙ୍ଗ ହେଲା । ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ବଡ଼ ଅଂଶ ଯେ ଅମଲା, ଦଲାଲ୍‌, ରାଜନୀତି କରୁଥିବା କର୍ମକର୍ତ୍ତା ଓ ପ୍ରତିନିଧିମାନେ ଆତ୍ମସାତ୍‌ କରୁଛନ୍ତି ଏଇ କଥା ବାରମ୍ବାର ଶୁଣିଲି । ସେମାନଙ୍କ ମଧ୍ୟରେ ଶିକ୍ଷା ଓ ସଚେତନତା ସହିତ ଅନ୍ୟାୟ ବିରୋଧରେ ଲଢ଼ିବା ପାଇଁ ଆଗ୍ରହ ନ ଜନ୍ମିଲେ ଦୁର୍ନୀତି କମିବ ନାହିଁ କି ସେମାନଙ୍କୁ ଦୁର୍ଭୋଗରୁ ରକ୍ଷା କରାଯାଇପାରିବ ନାହିଁ । କିନ୍ତୁ ଗ୍ରାମାଞ୍ଚଳରେ ହେଉଥିବା ଉନ୍ନୟନ କାର୍ଯ୍ୟ ସହିତ ସେମାନଙ୍କୁ ସଂପୃକ୍ତ କରିବା ପାଇଁ ବହୁ ସୁଯୋଗ ରହିଛି । ସେମାନେ ଉନ୍ନୟନ କାମ ସହିତ ସଂପୃକ୍ତ ହେଲେ ଉଦାସୀନ ପରି ତାହା ଦୂରରୁ ନ ଦେଖି ପାଖରେ ରହିକାମ ହେଉଛି କି ନାହିଁ ଦେଖିବେ ଏବଂ କାମ ଯେପରି ଭଲହୁଏ ସେଥିପାଇଁ ସହଯୋଗ କରିବେ । ଯୋଜନା ଉପରୁ ନ କରି ସେମାନଙ୍କର ଆବଶ୍ୟକତା ପଞ୍ଚାୟତ ସ୍ତରରୁ ଉପରକୁ ପଠାଇବା ଲାଗି ବ୍ୟବସ୍ଥା କରାଯାଉ ଏବଂ ଯୋଜନା କାର୍ଯ୍ୟକାରୀ ହେବାବେଳେ ତାହା ସହିତ ସେମାନଙ୍କୁ ସଂପୃକ୍ତ କରାଯାଉ ।

Image

 

ସିଂହଭୂମି ଓଡ଼ିଆ ଓ ଝାଡ଼ଖଣ୍ଡ ସମସ୍ୟା

 

ମୁଁ ସ୍କୁଲରେ ପଢ଼ିବା ବେଳୁ ବିହାରରେ ଝାଡ଼ଖଣ୍ଡ ରାଜ୍ୟ ସ୍ଥାପନ ପାଇଁ ଦାବି ହେଉଥିଲା-। ବିହାରରେ ଆମର ବହୁ ନିକଟ ସଂପର୍କୀୟ ଥିବାରୁ ଏବଂ ବିହାର ସୀମା ଆମ ଗାଁଠାରୁ ମାତ୍ର ସାତ ଆଠ ମାଇଲ ବ୍ୟବଧାନରେ ଥିବାରୁ ସିଂହଭୂମିର ଆଦିବାସୀମାନଙ୍କ ସହିତ ପରିଚୟ ଅଛି । ମୟୂରଭଞ୍ଜ ଓ କେନ୍ଦୁଝରର ଆଦିବାସୀମାନଙ୍କ ଉପରେ ଝାଡ଼ଖଣ୍ଡ ଆନ୍ଦୋଳନର ବିଶେଷ ପ୍ରଭାବ ଏଯାଏ ପଡ଼ିନାହିଁ । କିନ୍ତୁ ସମଗୋତ୍ରୀମାନଙ୍କର କ୍ରମାଗତ ଆନ୍ଦୋଳନ ଓ ପ୍ରଚାର ଫଲରେ ଝାଡ଼ଖଣ୍ଡ ଗଠିତ ନହେଲେ ଆଦିବାସୀମାନଙ୍କର ସମସ୍ୟା ସମାଧାନ ହେବ ନାହିଁ, ଏଇ ଭାବନା ଦୃଢ଼ ହେବାରେ ଲାଗିଛି । ସେମାନେ ଭାବୁଛନ୍ତି ଯେ ହାଟୁଆ ଜାତିର ଲୋକମାନେ ଶହ ଶହ ବର୍ଷ ଧରି ସେମାନଙ୍କୁ ଗୋଲାମ କରି ସାହେବ ହେବାର ସୁଖ ଭୋଗ କରୁଛନ୍ତି । ସେମାନେ ନିଜ ରାଜ୍ୟ ଗଠନ କଲେ ନିଜେ ସାହେବ ହେବେ ଏବଂ ଆଉ ଗୋଲାମି କରି ସଲାମ କରିବେ ନାହିଁ । ଓଡ଼ିଶା ଓ ବିହାର ଛୋଟନାଗପୁର ଅଞ୍ଚଳର ଆଦିବାସୀମାନଙ୍କ ମଧ୍ୟରେ ଗୋଟିଏ ଵଡ଼ ପାର୍ଥକ୍ୟ ଏହି ଯେ, ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାର ସାନ୍ତାଳ, ଭୂମିଜ ଓ କନ୍ଧ କୋହ୍ଲ ଇଦ୍ୟାଦି ସଂପ୍ରଦାୟର ଆଦିବାସୀମାନଙ୍କ ମଧ୍ୟରେ ଓଡ଼ିଆ ହେବାର ଭାବ ପ୍ରସାରିତ ହେଉଛି, ଫଳରେ ବାହାର କାମ ପାଇଁ ସେମାନେ ଓଡ଼ିଆ ଭାଷା କେବଳ ଗ୍ରହଣ କରି ନାହାନ୍ତି ସେଇ ଭାଷାରେ କଥାଭାଷା ହୁଅନ୍ତି ଓ ପାଠ ପଢ଼ନ୍ତି । ନିଜ ନିଜ ମଧ୍ୟରେ ସେମାନେ ନିଜ ଭାଷାରେ କଥା କହନ୍ତି ସତ, କିନ୍ତୁ ଅନ୍ୟ ଜାତିର ଲୋକମାନଙ୍କ ଉପସ୍ଥିତିରେ ସେମାନେ କେବଳ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ସେହିପରି ଓଡ଼ିଆ ପର୍ବପର୍ବାଣି, ପୂଜାପାର୍ବଣ ଓ ଚଳଣି ସହିତ ସେମାନେ ନିଜକୁ ଅଧିକ ସଂପୃକ୍ତ କରିବା ଫଳରେ ସେମାନେ ଯେ ଓଡ଼ିଆ ଜୀବନଧାରାର ଅଂଶ ହୋଇ ଗଲେଣି, ତା’ ସେମାନଙ୍କ ସହିତ କିଛି ସମୟ ରହିବା ପରେ ବାରି ହୋଇପଡ଼େ ।

 

କିନ୍ତୁ ସିଂହଭୂମିର ଆଦିବାସୀମାନେ ଭିନ୍ନ ପ୍ରକୃତିର । ସେମାନଙ୍କ ମଧ୍ୟରେ ବିହାରୀ ଅଣଆଦିବାସୀମାନଙ୍କର ଚଳଣି ଓ ଭାଷା ଏତେ ଆଗ୍ରହର ସହିତ ପ୍ରସାରିତ ହୋଇନାହିଁ, ବରଂ ସେମାନେ ଯେ ଅନ୍ୟମାନଙ୍କଠାରୁ ଭିନ୍ନ ଏହି ଭାବ ଏବେ ବି ଦୃଢ଼ ରହିଛି । ମୋର ହେତୁ ହେଲା ଦିନୁ ଜୟପାଳ ସିଂଙ୍କ ନାମ ଶୁଣି ଆସିଛି । ସେ ଛୋଟନାଗପୁରର ସବୁଠାରୁ ବଡ଼ ଆଦିବାସୀ ନେତା ଥିଲେ ଏବଂ ତାଙ୍କରି ନେତୃତ୍ୱରେ ବିହାରର ଆଦିବାସୀମାନେ ଲଢ଼ି ଆସୁଥିଲେ ଲଢ଼ି ଆସୁଥିଲେ ଝାଡ଼ଖଣ୍ଡ ସ୍ଥାପନ କରିବା ପାଇଁ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ବିହାର ରାଜ୍ୟର ସିଂହଭୂମି ଅଞ୍ଚଳର ଓଡ଼ିଆମାନଙ୍କର ଆଦିବାସୀମାନଙ୍କ ସହିତ ଭଲ ସଂପର୍କ ଅଛି ଏବଂ ଓଡ଼ିଆ ସିଂହଭୂମିର ମିଶ୍ରଣ ପାଇଁ ଗତ ପଚାଶ ବର୍ଷ ବା ତା’ ପୂର୍ବରୁ ଯେଉଁ ଆନ୍ଦୋଳନ ହୋଇଆସୁଛି, ସେଥିରେ ଓଡ଼ିଆମାନଙ୍କ ସହିତ ଆଦିବାସୀମାନେ ମଧ୍ୟ ଯୋଗ ଦେଇଛନ୍ତି । ଓଡ଼ିଶା ସହିତ ସଢ଼େଇକଳା ଓ ଖରସୁଆଁର ମିଶ୍ରଣ ଓ ସିଂହଭୂମି ଜିଲ୍ଲାର ମିଶ୍ରଣକୁ ଆଦିବାସୀମାନେ ପୂର୍ବରୁ ବିରୋଧ କରୁ ନଥିଲେ ଏଇଥିପାଇଁ ଯେ ସେମାନେ ଭାବୁଥିଲେ ଯେ ଓଡ଼ିଶାରେ ସେମାନଙ୍କର ସ୍ୱାର୍ଥ ସୁରକ୍ଷିତ ରହିବ । ଛୋଟନାଗପୁର ଅଞ୍ଚଳରେ ଜଗନ୍ନାଥଙ୍କ ପୂଜା ଦିନେ ଵହୁଳ ଭାବେ ଚଳୁଥିଲେ, ଏବେ ମଧ୍ୟ ଅନେକ ସ୍ଥାନରେ ଅଛି । ଓଡ଼ିଆ ଚଳଣି ସହିତ ଛୋଟନାଗପୁର ଆଦିବାସୀମାନଙ୍କର ଏକାତ୍ମତା ଅଧିକ । ତଥାପି ସିଂହଭୂମି ଆଉ ଓଡ଼ିଶାରେ ମିଶିବାର ସମ୍ଭାବନା ନ ଦେଖି ସେମାନେ ଝାଡ଼ଖଣ୍ଡ ଗଠନ ପାଇଁ ଆନ୍ଦୋଳନ କରିବା ବେଳେ ସିଂହଭୂମିର ଓଡ଼ିଆମାନେ ସେମାନଙ୍କ ସହିତ ସହଯୋଗ କରିବା ଆଉ ଏକ ବିଶେଷତ୍ଵ । ସିଂହଭୂମିର ଓଡ଼ିଆମାନେ ବିହାରରେ ନରହି ଝାଡ଼ଖଣ୍ଡର ଅଂଶହେବା ପାଇଁ ପସନ୍ଦ କରନ୍ତି । ଏହାର କାରଣ ଦର୍ଶାଇବାକୁ ଯାଇ ଗୁହ୍ୟାପାଳର ଓଡ଼ିଆ ନେତା ରାମଚନ୍ଦ୍ର ପଣ୍ଡା କହନ୍ତି ଯେ ସିଂହଭୂମିରେ ଦୀର୍ଘକାଳ ଉତ୍କଳମଣି ଗୋପବନ୍ଧୁ, ପଣ୍ଡିତ ଗୋଦାବରୀଶ ମିଶ୍ର, ଅନନ୍ତ ମିଶ୍ର ରହି ଓଡ଼ିଆ ଭାଷା ଓ ସଂସ୍କୃତିକୁ ଜୀବନ୍ତ ରଖିବା ପାଇଁ କେବଳ ସାହାଯ୍ୟ କରି ନଥିଲେ ସିଂହଭୂମିର ଓଡ଼ିଆ ଓ ଆଦିବାସୀମାନଙ୍କ ମଧ୍ୟରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ବ୍ୟବସ୍ଥା ପ୍ରଚଳନ କରିଥିଲେ । ସେମାନଙ୍କ ପରେ ସିଂହଭୂମିରେ ଓଡ଼ିଆ ଆନ୍ଦୋଳନ ବଞ୍ଚାଇ ରଖିଥିଲେ ସ୍ଵର୍ଗତ ଈଶ୍ଵର ଚନ୍ଦ୍ର ହୋତା, ତାରାପଦ ଷଡ଼ଙ୍ଗୀ, ମୁକୁନ୍ଦରାମ ତନ୍ତ୍ରୀ ପ୍ରଭୃତି ନେତାମାନେ । ସେମାନଙ୍କ ପରେ ଓଡ଼ିଆ ଭାଷା ମରିଯାଇ ନାହିଁ, ବରଂ ଏହା ପ୍ରସାରିତ ହେବାରେ ଲାଗିଛି । ରାମଚନ୍ଦ୍ରବାବୁ ଆହୁରି କହନ୍ତି ଯେ, ଓଡ଼ିଆମାନଙ୍କର ବୁଦ୍ଧି ଓ କୌଶଳ ଅଛି । ସେମାନେ ଝାଡ଼ଖଣ୍ଡ ରାଜ୍ୟରେ ସଂଖ୍ୟାନ୍ୟୂନ ହୋଇ ରହିବେ ସତ , କିନ୍ତୁ ବିଦ୍ୟା, ବୁଦ୍ଧି ଓ କୌଶଳ ବଳରେ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଯେ ଦୀର୍ଘକାଳ ପ୍ରାଧାନ୍ୟ ବଜାୟ ରଖିବେ, ଏହା ନିଶ୍ଚିତ । ଓଡ଼ିଶାରେ ମିଶିବା ଯଦି ନହେଲା, ତେବେ ଝାଡ଼ଖଣ୍ଡ ରହିବା ଅନ୍ତତଃ ନିଶ୍ଚିତ ହେଉ ।

 

ପଶ୍ଚିମବଙ୍ଗର ମେଦିନୀପୁର ପରି ବିହାରର ସିଂହଭୂମିରେ ମଧ୍ୟ ଓଡ଼ିଆ ଭାଷା ଲୋପ ପାଇଥାନ୍ତା, କିନ୍ତୁ ଏହାକୁ ବଞ୍ଚାଇ ରଖିବା ପାଇଁ ଉତ୍କଳମଣି ଗୋପବନ୍ଧୁଙ୍କ ଠାରୁ ଆରମ୍ଭ କରି ଗୋଦାବରୀଶ ମିଶ୍ର, ଅନନ୍ତ ମିଶ୍ର, ଈଶ୍ଵର ଚନ୍ଦ୍ର ହୋତା, ତାରାପଦ ଷଡଙ୍ଗୀ ଏବଂ ଏମାନଙ୍କ ପୂର୍ବରୁ ଶିକ୍ଷକ ଓ କବି ରାଘବ ଚୌଧୁରୀଙ୍କ ଅବଦାନ ଆଜି ପର୍ଯ୍ୟନ୍ତ ଶ୍ରଦ୍ଧାର ସହିତ ସ୍ମରଣ କରାଯାଏ ।

Image

 

କବି ରାଘବ ଚୌଧୁରୀ

 

ଓଡ଼ିଶାରେ କବି ରାଘବ ଚୌଧୁରୀଙ୍କ ନାମ କେହି ଜାଣନ୍ତି ନାହିଁ କିମ୍ବା ଓଡ଼ିଆ ସାହିତ୍ୟର ଇତିହାସ ଲେଖିକମାନେ ତାଙ୍କ ନାମ ଲିପିବଦ୍ଧ କରି ନାହାନ୍ତି । ରାଘବ ଚୌଧୁରୀଙ୍କ ଜନ୍ମ ଯାଜପୁର ଅଞ୍ଚଳରେ । ସେତେବେଳେ ମାଟିବଂଶ ଅବଧାନମାନେ ପାଠଶାଳା ଖୋଲିବା ପାଇଁ ଦୂରଦୂରାନ୍ତ ସ୍ଥାନକୁ ଯାଉଥିଲେ । ଊନବିଂଶ ଶତାବ୍ଦୀର ମଧ୍ୟଭାଗ ବା ନଅଙ୍କ ଦୁର୍ଭିକ୍ଷ ପରେ ରାଘବ ଚୌଧୁରୀ ସିଂହଭୂମି ଆସିଥିବା ଅନୁମାନ କରାଯାଏ । ସେ ବାହାଡ଼ାଗୋଡ଼ା, ଖଣ୍ଡାମୌଦା, ବୀରଭୂମି ଓ ଅନ୍ୟାନ୍ୟ ସ୍ଥାନରେ ବେଶ୍‌ ପରିଚିତ ଥିଲେ ନାଟ୍ୟକାର ଓ କବି ଭାବେ । ସେ ଶିକ୍ଷକତା କରୁଥିଲେ ଏବଂ ଓଡ଼ିଆ ଭାଷାଶିକ୍ଷା ମଧ୍ୟ ଦେଉଥିଲେ ।

 

ରାମାୟଣର ବିଷୟବସ୍ତୁ ଉପରେ ସେ ଗୀତିନାଟ୍ୟ ରଚନା କରିଥିଲେ ଏବଂ ତାହା ଏତେ ଜନପ୍ରିୟ ଥିଲା ଯେ ଗାଁ ଗାଁରେ ଗୀତିନାଟ୍ୟ ଅଭିନୟ କରାଯାଉଥିଲା । ସେତେବେଳେ ସିଂହଭୂମିରୁ ଓଡ଼ିଆ ଭାଷା ଲୋପ କରିବା ପାଇଁ ଉଭୟ ବଙ୍ଗାଳୀ ଓ ହିନ୍ଦୁସ୍ଥାନୀମାନେ ଉଦ୍ୟମ କରୁଥିଲେ । କିନ୍ତୁ ରାଘବ ଚୌଧୁରୀଙ୍କ ଲିଖିତ ରାମାୟଣ ଗୀତିନାଟ୍ୟ ବଙ୍ଗାଳୀ ଓ ହିନ୍ଦୁସ୍ଥାନୀମାନଙ୍କର ଏହି ଉଦ୍ୟମକୁ କେବଳ ପ୍ରତିହତ କରି ନଥିଲା, ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ସାହାଯ୍ୟ କରିଥିଲା । ରାମାୟଣ ଗୀତିନାଟ୍ୟର ସଂପୂର୍ଣ ପାଣ୍ଡୁଲିପି ମିଳୁନାହିଁ ବୋଲି ରାମଚନ୍ଦ୍ରବାବୁ କହିଲେ । କେବଳ ଅରଣ୍ୟ କାଣ୍ଡ ଓ ସୁନ୍ଦରାକାଣ୍ଡ ଉପରେ ଲିଖିତ ଗୀତିନାଟ୍ୟର ପାଣ୍ଡୁଲିପି ମିଳିଥିବା ପ୍ରକାଶ କରିଥିଲେ । ସେଥିରେ ଉଲ୍ଲେଖ ରହିଛି ଯେ- 'ଜୟତୁ ବାକ୍ୟଦେବୀ ! ଆଜି ବିଜେ କର କଣ୍ଠେ ଡାକଇ ରାଘବ କବି ।’ ରାମଙ୍କୁ ଦେଖି ସୂର୍ପଣଖାର ମାନସିକ ଅବସ୍ଥା କିପରି ହେଲା ତାହା କବି କିପରି ବର୍ଣ୍ଣନା କରିଛନ୍ତି ଏଠାରେ ଚାରିପଦ ଉଦ୍ଧାର କଲି–

 

‘ଏ ଯେବେ ହୋନ୍ତା ଦେବତା ନେତ୍ରେ ପଲକ ନ ଥାନ୍ତା

ଡାକି ଦେଲେ ଯକ୍ଷି ଏଇ କାନ୍ତିଙ୍କ କୋଳେ ବସନ୍ତା । (୦)

ଏ ଯେବେ ନର ନୃପତି ଅଙ୍ଗେ ମାଖିଣ ବିଭୂତି

ସଙ୍ଗେ ଘେନିଣ ଯୁବତୀ ଯୁବା କାଳେ କିପାଁ ଥାନ୍ତା । (୧)

ତା’ ନୁହେଁ ମୋ ପୂର୍ବ ତପ ଫଳ କରି ରୂପବନ୍ତ

ପୁରୁଷ ମୋ କାନ୍ତ ତେବେ ନିର୍ମାଣିଛି ଧାତା । (୨)

ହେ ହର ପ୍ରସନ୍ନ ହୁଅ ଏ ବରକୁ ମୋତେ ଦିଅ

ରାଘବ କହେ ପୂଜିବି ହର ମୋ ମନରୁ ଚିନ୍ତା । (୩)

 

ଏହି ଗୀତିନାଟ୍ୟ ଏତେ ଶ୍ରୁତିମଧୁ ର ଭାବେ ଗାନ କରାଯାଉଥିଲା ଯେ ଶହ ଶହ ସ୍ତ୍ରୀ ପୁରୁଷ ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲେ । ଏବେ ମଧ୍ୟ ଏହା ପ୍ରଚଳିତ ଅଛି । ନାଟକ, ପାଲା. ଗୀତିନାଟ୍ୟ ମାଧ୍ୟମରେ ଭାଷା କିପରି ରକ୍ଷା କରାଯାଇପାରେ ରାଘବ ଚୌଧୁରୀ ତା'ର ଉଦାହରଣ । ତାଙ୍କ ପରେ ଈଶ୍ୱରଚନ୍ଦ୍ର ହୋତା ମଧ୍ୟ ନାଟକ, ଗୀତ ଓ ପାଲା ରଚନା କରି ନିଜେ ହାର୍‌ମୋନିଅମ୍‌ରେ ଗୀତ ଗାଇ ଗାଁ ଗାଁ ବୁଲୁଥିଲେ । ସେମାନେ ଓଡ଼ିଆ ଜାତିର ଚିର ନମସ୍ୟ । କିନ୍ତୁ ଦୁଃଖ ଏତିକି ଯେ ଓଡ଼ିଆ ଗବେଷକ ଓ ସାହିତ୍ୟିକମାନେ ସିଂହଭୂମି, ମେଦିନୀପୁର, ବାଙ୍କୁଡାର ଓଡ଼ିଆମାନଙ୍କ ସମ୍ବନ୍ଧରେ ବା ସେଠାରେ ଓଡିଆଭାଷାର ସ୍ଥିତି ସମ୍ବନ୍ଧରେ ଗବେଷଣା କରି ନାହାନ୍ତି କିମ୍ବା ଲେଖି ନାହାନ୍ତି । ମେଦିନୀପୁର ଜିଲ୍ଲାରେ ଓଡ଼ିଆ ଭାଗବତର ପ୍ରଚଳନ ବହୁକାଳ ପ୍ରଚଳିତ ଥିଲା । ଏବେ ତାହା ଲୋପ ପାଇଆସିଛି ।

Image

 

ଅନ୍ଧବିଶ୍ୱାସ, ଅଜ୍ଞତା ଓ ଧର୍ମୀୟ ରୀତି

 

ଯେତେବେଳେ ଶିକ୍ଷାର ପ୍ରସାର ହୋଇନଥିଲା ବା ସମ୍ବାଦପତ୍ର, ରେଡ଼ିଓ, ଟି.ଭି ପ୍ରଭୃତି ଗ୍ରାମାଞ୍ଚଳରେ ଏବଂ ଏପରିକି ସହରାଞ୍ଚଳର ସମସ୍ତଙ୍କ ଘରେ ପହଞ୍ଚି ନଥିଲା ସେତେବେଳେ ଲୋକମାନଙ୍କ ମଧ୍ୟରେ ସଚେତନତା କମ୍‌ ଥିଲା । ସେମାନେ ଯାହା ଶୁଣୁଥିଲେ ବିଶ୍ୱାସ କରୁଥିଲେ-। ପ୍ରତି ବିଷୟ ଯାଞ୍ଚ କରିବାର ସୁବିଧା ନଥିଲା । ତେଣୁ ଧର୍ମ ନାମରେ ବା ଅଜ୍ଞତା ଯୋଗୁଁ ଅନେକ କଥା ଲୋକ ବିଶ୍ଵାସ କରୁଥିଲେ । ତାହା ନ ମାନିଲେ ବା ବିଶ୍ଵାସ ନ କଲେ ଖରାପ ହେବ ଏହି ଆଶଙ୍କା ରହୁଥିଲା । ସେଥିପାଇଁ କେହି ଜଣେ ସଙ୍କଟରୁ ପାର ହେବା ପାଇଁ ବା ରୋଗରୁ ମୁକ୍ତି ପାଇବା ପାଇଁ ପଦକ୍ଷେପ ନେବା ବା ଚିକିତ୍ସା କରିବା ପରିବର୍ତ୍ତେ ଜ୍ୟୋତିଷ, ପୁରୋହିତ ବା ତନ୍ତ୍ର ମନ୍ତ୍ର ଲୋକଙ୍କ ଶରଣ ପଶୁଥିଲା । ଅନେକ ସମୟରେ କାକତାଳୀୟ ନ୍ୟାୟରେ ଜଣେ ଅଧେ ରୋଗମୁକ୍ତ ହେଉଥିଲେ ବା ସଂକଟରୁ ରକ୍ଷା ପାଉଥିଲେ । ତୁଣ୍ଡରୁ ତୁଣ୍ଡକୁ ଏହି କଥା ସବୁଆଡ଼େ ପ୍ରଚାର ହୋଇଯାଉଥିଲା ଏବଂ ତାହା ଶୁଣୁଥିବା ଲୋକମାନେ ମଧ୍ୟ ସେହି କଥା ବିଶ୍ଵାସ କରିଯାଉଥିଲେ । ଅନ୍ଧବିଶ୍ୱାସ ଏହିପରି ଗଢ଼ିଉଠେ । ସତ୍ୟାସତ୍ୟ ଜାଣିବା ପାଇଁ ବା ପ୍ରଶ୍ନ ପଚାରିବା ଲାଗି ମନରେ ସାହସ ହୁଏନାହିଁ । ପ୍ରଶ୍ନ କଲେ ଅବିଶ୍ୱାସ କରୁଛି ବୋଲି କାଳେ ଦେବତା ବା ଗୁରୁ ଅସନ୍ତୁଷ୍ଟ ହେବେ ଏବଂ ଅଭିଶାପ ଦେବେ ବୋଲି ମନରେ ଶଙ୍କା ରହିଥାଏ । ଏହିଭଳି ଭାବେ ଅନ୍ଧବିଶ୍ଵାସ ଗଢ଼ିଉଠେ ବନ୍ଧା ହୋଇଥିବା ବଳଦ ଖୁଣ୍ଟି ଚାରିପାଖରେ ବୁଲିବା ପରି ଅନ୍ଧବିଶ୍ଵାସୀ ଲୋକଟି ନିଜ ଚାରିପାଖରେ ଘୂରୁଥାଏ । ତାକୁ ଦେଖି ଅନ୍ୟମାନେ ମଧ୍ୟ ସେହିପରି କରନ୍ତି ଏବଂ ତାହା ପ୍ରଥା ପରମ୍ପରାରେ ପଡ଼ିଯାଏ । ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରେ ଗୁଣିଗାରେଡ଼ି ଉପରେ ଲୋକମାନେ ବେଶୀ ବିଶ୍ଵାସ କରନ୍ତି । ରୋଗ ହେଲେ ଡାକ୍ତର ପାଖକୁ ନ ଯାଇ ଗୁଣିଆ ପାଖକୁ ଯାଆନ୍ତି । ବେଳେବେଳେ କୌଣସି କାରଣରୁ ରୋଗର ଉପଶମ ହେଲେ ବିଶ୍ଵାସ ହୋଇଯାଏ ଯେ ଗୁଣି ଫୁଙ୍କିଦେବା ଦ୍ଵାରା ରୋଗ ଭଲ ହୋଇଯାଇଛି । ମୋ ପାଖରେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପାଖର ବାଘଲିଙ୍ଗି ଗାଁର ପ୍ରସନ୍ନ ଗଉଡ଼ ଥିଲା । ସେ ଏବେ ମଧ୍ୟ ସଚିବାଳୟରେ ଚାକିରି କରୁଛି । ତା ସାନପୁଅକୁ ଜ୍ଵର ଲାଗି ରହିଲା । କେହି ଜଣେ ଗୁଣିଗାରେଡ଼ି କରି ଏପରି କରୁଛି ବୋଲି ଅନ୍ୟମାନେ କହିବାରୁ ସେ ସେଥିରେ ବିଶ୍ଵାସ କରି ପୁଅର ଡାକ୍ତରୀ ଚିକିତ୍ସା ବନ୍ଦ କରି ଗାଆଁକୁ ଗଲା ଗୁଣିଆ ପାଖକୁ । ଗୁଣିଆ ଫୁଙ୍କାଝଡ଼ା କଲା, କିନ୍ତୁ ସେଥିରେ ରୋଗ ଭଲ ହେଲାନାହିଁ, ବରଂ ବଢ଼ିଲା । ଶେଷରେ ପୁଅର ଜୀବନ ଗଲା । ସେ ଫେରିଆସି ଯେତେବେଳ ଏହି କଥା କହିଲା ମୁ ଓ ସାତକଡ଼ି ବାବୁ ତାକୁ ସାନ୍ତ୍ଵନା ଦେଲୁ ସତ, କିନ୍ତୁ ତାହାର ଅଜ୍ଞତା ପାଇ ଯେ ପୁଅର ପ୍ରାଣ ଗଲା ଏକଥା କହିବାକୁ ଭୁଲିନଥିଲୁ ।

 

ଗଣେଶ୍ୱର ବାବୁ ପାଠ ପଢୁଆ ଲୋକ । ନିଜେ ଅନେକ ସୁଗୁଣର ଅଧିକାରୀ । ତନ୍ତ୍ରବିଦ୍ୟାରେ ମଧ୍ୟ ଦଖଲ ଅଛି । ଜ୍ୟୋତିଷ ବିଦ୍ୟା ମଧ୍ୟ ଜାଣନ୍ତି । ତାଙ୍କ ସ୍ତ୍ରୀ ବେମାର ପଡ଼ିଲେ । ଚିକିତ୍ସା ଆରମ୍ଭ ହେଲା, କିନ୍ତୁ ମଝିରେ ଚିକିତ୍ସା ବନ୍ଦ କରି ଫୁଙ୍କାଝଡ଼ା କରାଇଲେ । କିଛିଦିନ ପରେ ରୋଗ ଆହୁରି ବଢ଼ିଲା ଏବଂ ଡାକ୍ତରମାନଙ୍କର ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ଆଉ ରକ୍ଷା କରାଯାଇ ପାରିଲା ନାହିଁ ।

 

ମୋ ନିଜ ମା’ କଥା କହୁଛି। ତା ମେରୁଦଣ୍ଡରେ ଯନ୍ତ୍ରଣା ହେବାରୁ ସେ ଉଠାବସା କରିପାରୁ ନଥାଏ । ଡାକ୍ତରଙ୍କ ଔଷଧ କାଟୁ କରୁନଥାଏ । ଦିନେ ସେ କଷ୍ଟ ସହି ନ ପାରି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ନୀହାର ବାବା ଆସି ପହଞ୍ଚିଲେ ଆମ ଘରେ । ମା’ଙ୍କୁ ନ ଦେଖି ସେ କେଉଁଠାରେ ଅଛି ପଚାରିଲେ । ତା’ ପରେ ସେ ଅସୁସ୍ଥ ଥିବା ଖବର ଶୁଣି ମୋ ସହିତ କୋଠରି ଭିତରକୁ ଗଲେ ଏବଂ ମା’ ପାଖରେ ବସି ପାଞ୍ଚ ମିନିଟ୍‌ ଫୁଙ୍କା ଝଡ଼ା କଲେ। ତା’ପରେ ସବୁ ଠିକ୍‌ ହୋଇଯିବ କହି ଚାଲିଆସିଲେ ଖାଇବା ପାଇଁ । ଏହା ପୂର୍ବରୁ ନୀହାର ବାବାଙ୍କ ମନ୍ତ୍ରଶକ୍ତରି କରାମତି ସମ୍ବନ୍ଧରେ ମୁଁ ଶୁଣିଥିଲୁ କିନ୍ତୁ ସ୍ୱଚକ୍ଷୁରେ ଦେଖି ନଥି‌ଲି । ସେ ଖାଉଥିବା ବେଳେ ମା’ ଚାଲି ଚାଲି ଖାଇବା ଘରକୁ ଆସି ଠିଆ ହେଲା । ବିଛଣାରୁ ଉଠିପାରୁ ନଥିବା ମା’ କିପରି ଉଠିଆସିଲା ତାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା । ନୀହାରବାବା ତା ମୁହଁକୁ ଚାହିଁ ହସିଦେଇ କହିଲେ ଆଗ ଅପେକ୍ଷା ଭଲ ଲାଗୁଥି‌ବ । ଆମ ଘରୁ ବିଦାୟ ନେଇ ଯିବାବେଳେ ସାତ କଡ଼ିବାବୁଙ୍କୁ କହିଲେ ମା ’ଆରୋଗ୍ୟ ହୋଇନାହିଁ, କିନ୍ତୁ ମନ୍ତ୍ରଶକ୍ତି ବଳରେ ତାଙ୍କୁ ଭଲ ଲାଗୁଛି, ରୋଗ ଭଲ ହୋଇନାହିଁ । ଏଇ ଶକ୍ତି ଚବିଶ ଘଣ୍ଟାରୁ ଅଠଚାଳିଶ ଘଣ୍ଟା କାର୍ଯ୍ୟ କରିବ। ମା’ଦୁଇଦିନ ଭଲ ରହିବା ପରେ ପୁଣି ତାହା ପୂର୍ବାବସ୍ଥାକୁ ଫେରିଆସିଲା । ମନ୍ତ୍ରଶକ୍ତି ପୂରାପୂରି’ ଅସତ୍ୟ ବା ଅମୂଳକ ନୁହେଁ ତାହା ଅଙ୍ଗେ ନିଭା କଥା । କିନ୍ତୁ ଏହା ପୂରାପୂରି ସବୁଠାରେ ପ୍ରଯୁଜ୍ୟ ମଧ୍ୟ ନୁହେଁ ।

 

ଏହିପରି ଗୋଟିଏ ଗୋଟିଏ ଘଟଣା ଘର ଭିତରେ ଘଟୁଥିଲେ ମଧ୍ୟ ଚାରିକାନ୍ଥ ମଧ୍ୟରେ ରହିଯାଏ ନାହିଁ, ଧୀରେ ଧୀରେ ପ୍ରଘଟ ହୁଏ । କଥାରେ ପର ଲାଗିଲେ ତୁଣ୍ଡରୁ ତୁଣ୍ଡକୁ ଏବଂ ଦାଣ୍ଡରୁ ଦାଣ୍ଡକୁ ତାହା ଚାଲିଯାଏ ଅଳ୍ପ ସମୟ ଭିତରେ । ପ୍ରତି ତୁଣ୍ଡରେ ବଦଳି ଯାଏ ମୂଳ କଥା ଏବଂ ତା’ ପରେ ଏହାର ଶେଷ ରୂପ ମୂଳ ରୂପ ସହିତ ଆଦୌ ମିଶେ ନାହିଁ । ସେଇ ଅତି କଥନ ବା ପ୍ରକ୍ଷେପମାନ ଦୁର୍ବଳ ମନ ଗ୍ରହଣ କରିନିଏ ଏବଂ କ୍ରମଶଃ ତାହା ଅନ୍ଧବିଶ୍ଵାସରେ ପରିଣତ ହୁଏ-। ଆମ ଦେଶରେ ବୈଦିକ ଯୁଗରେ ପ୍ରଶ୍ନ ପଚାରିବାର ଓ ପରୀକ୍ଷା କରି ସତ୍ୟ ଓ ମିଥ୍ୟା ଜାଣିବାର ଅଭ୍ୟାସ । ମୁନି ରଷିମାନେ ସତ୍ୟନିଷ୍ଠ ଥିଲେ ଏବଂ ଆଜୀବନ ସତ୍ୟର ଅନ୍ୱେଷଣ କରୁଥିଲେ । ଗାନ୍ଧିଜୀ ନିଜ ଜୀବନରେ ସତ୍ୟର ପରୀକ୍ଷା କରି ଚାଲିଥିଲେ ଏକନିଷ୍ଠ ସାଧକ ଭାବରେ । ସେ କହୁଥିଲେ ସତ୍ୟ ହିଁ ଈଶ୍ଵର । ସତ୍ୟ କହିଲେ ଗାନ୍ଧିଜୀ କ’ଣ କହୁଥିଲେ ଏଠାରେ ତାହା ଉଦ୍ଧାର କରୁଛି- “ସତ୍ୟ କ'ଣ ? ...ମୋ ଲାଗି ସତ୍ୟ ହେଉଛି ସର୍ବୋତ୍ତମ ଓ ସର୍ବୋଚ୍ଚ ନିୟମ ଏବଂ ତାହାର ମଧ୍ୟରେ ଅନେକ ନିୟମ ଅନ୍ତର୍ଭୁକ୍ତ ହୋଇରହିଛି । ଏହା କେବଳ କଥାରେ ହିଁ ସତ୍ୟର ଅବଲମ୍ବନ କରିବାକୁ ବୁଝାଏ ନାହିଁ ମାତ୍ର ଭାବନାରେ ସତ୍ୟର ଅବଲମ୍ବନ କରିବାକୁ ବୁଝାଏ । ଏହି ସତ୍ୟ କହିଲେ କେବଳ ଆମ ନିଜ ବିଚାରରେ ଆପେକ୍ଷିକ ସତ୍ୟଟିକୁ ବୁଝାଏ ନାହିଁ, ମାତ୍ର ପରମ ଯଥାର୍ଥ ସତ୍ୟକୁ ବୁଝାଏ, ସେହି ଚିରନ୍ତନ ପରମ ବିଧାନଟିକୁ ବୁଝାଏ । ତାହା ହିଁ ଭଗବାନ । ଭଗବାନଙ୍କର ଅଗଣିତ ସଂଜ୍ଞାମାନ ରହିଛି, କାରଣ ସେ ଅଗଣିତ ରୂପରେ ଆପଣାକୁ ପ୍ରକାଶ କରୁଛନ୍ତି । ସେହି ପ୍ରକାଶ ଗୁଡ଼ିକର କଥା ଭାବିଲେ ମୁଁ ବିସ୍ମୟରେ ଅଭିଭୂତ ହୋଇଯାଏ ଏବଂ ସେଇ ମୁହୂର୍ତ୍ତକ ନିମନ୍ତେ ସ୍ତବ୍ଧ ହୋଇଯାଏ । ମାତ୍ର ମୁଁ ଈଶ୍ଵରଙ୍କୁ କେବଳ ସତ୍ୟରୂପେ ଉପାସନା କରେ । ମୁଁ ଏପର୍ଯ୍ୟନ୍ତ ତାଙ୍କୁ ପ୍ରତ୍ୟକ୍ଷଭାବେ ଦେଖି ନାହିଁ ସତ, ମାତ୍ର ତାଙ୍କୁ ପାଇବି ବୋଲି ଖୋଜିବାରେ ଲାଗିଛି ।” (ଗାନ୍ଧିମାନସ- ସତ୍ୟ-୪୭ ପୃଷ୍ଠା)

 

ଈଶ୍ଵର ସତ୍ୟ ଏବଂ ଆଉ ସବୁ ମିଥ୍ୟା ବୋଲି ଗାନ୍ଧିଜୀ କହିଛନ୍ତି । କିନ୍ତୁ ସାଧାରଣ ଲୋକ ସତ୍ୟର ଅନ୍ଵେଷଣ ନକରି ଦୃଷ୍ଟିର ଅନ୍ତରାଳରେ କ’ଣ ଘଟୁଛି ତାହା ପରୀକ୍ଷା ନକରି କେବଳ ଦେଖୁଥିବା ଓ ଶୁଣୁଥିବା ଅସତ୍ୟ ବା ଅର୍ଦ୍ଧସତ୍ୟକୁ ସତ୍ୟ ବୋଲି ବିଶ୍ଵାସ କରିନିଅନ୍ତି । ଏଇ ସହଜିଆ ଭାବଟି ହେଲା ଅନ୍ଧବିଶ୍ଵାସ ।

 

ଆମର ମନ ଏତେ ଦୁର୍ବଳ ଯେ ସତ୍ୟର ମୁହାମୁହିଁ ହେବା ପାଇଁ ଆମର ଭୟ ହୁଏ । କାଳେ ଅବିଶ୍ୱାସ କରି ସାଧୁସନ୍ଥ ବା ଗୁରୁଜନମାନଙ୍କୁ ପ୍ରଶ୍ନ କଲେ ସେମାନେ ଅସନ୍ତୁଷ୍ଠ ହେବେ ବା ଅଭିଶାପ ଦେବେ ଏଇ ଆଶଙ୍କାରେ ସେମାନଙ୍କୁ ପ୍ରଶ୍ନ ନ ପଚାରି ସେମାନେ ଯାହା କହନ୍ତି ତାହା ସତ୍ୟ ବୋଲି ଗ୍ରହଣ କରିନେଉ । ଏଇ ମାନସିକ ଦୁର୍ବଳତାରୁ ଅନ୍ଧବିଶ୍ଵାସର ଜନ୍ମ ।

 

କେତେବର୍ଷ ପୂର୍ବେ ଖଡ଼ଗପୁରରେ ଥିବାବେଳେ ସାତକଡ଼ି ବାବୁଙ୍କୁ ପାଣି ବସନ୍ତ ବା ଚିକେନ ପକ୍ସ ହେଲା । ତାହା ଭୟଙ୍କର ରୂପ ନେଲା । ରୋଗର ଉପଶମ ପାଇଁ ଆଵଶ୍ୟକ ଔଷଓ ସେଠାରେ ନ ମିଳିବାରୁ ବମ୍ବେରୁ ଉଡ଼ାଜାହାଜରେ ଆଣିବା ବ୍ୟବସ୍ଥା ହେଲା । ଡାକ୍ତରମାନେ ଜଗି ରହିଲେ । ସାତକଡ଼ି ବାବୁଙ୍କର ଚେତା ନଥାଏ । ପୂଜା ପ୍ରାର୍ଥନା ଚାଲିଥାଏ । ମା’ ଶ୍ରୀତଳାଙ୍କୁ କୋପରୁ ଏପରି ହେଲା ବୋଲି କେତେକ କହିଲେ ଏବଂ ମା’ ଶୀତଳାଙ୍କୁ ଶାନ୍ତ କରିବା ପାଇଁ ପୂଜା ଓ ପାଲା କରିବା ପାଇଁ ପ୍ରବର୍ତ୍ତାଇଲେ । ଚିକିତ୍ସା ଚାଲିଥାଏ । ସେ ‘ଭଲ ହୋଇଗଲେ ଏବଂ ଆମ ବଙ୍ଗଳାରେ ଶୀତଳା ପୂଜା ଓ ପାଲା ହେଲା । ଆମ ଗାରେ ବସନ୍ତ ହେଲେ ମା'ଙ୍କ ପ୍ରକୋପରୁ ଏହା ହୋଇଛି ଭାବି ଚିକିତ୍ସା ନକରି କେବଳ ଝୁଣାଧୂପ, ପୂଜା ପ୍ରାର୍ଥନା କରିବା ମୁଁ ଦେଖୁଛି । ଚିକିତ୍ସା କଲେ ମା’ଙ୍କ କୋପ ବଢ଼ିବ । ମୋ ମା’କୁ ଥରେ ବସନ୍ତ ହେଲା । ଭୟଙ୍କର ଅବସ୍ଥା । ବାପା ତାନ୍ତ୍ରିକ ଥିଲେ ଏବଂ ସେ ପ୍ରତିଦିନ ତନ୍ତ୍ରୋକ୍ତ ମତେ ଏହାର ପ୍ରତିକାର କରୁଥିଲେ । ଯାହା ହେଉ, ସେଥିର ବାପାଙ୍କ ତନ୍ତ୍ରରୁ ମା ବର୍ତ୍ତିଗଲା । ସେତେବେଳେ ଗ୍ରାମାଞ୍ଚଳରେ ଚିକିତ୍ସା କରିବାର ସୁବିଧା ନଥିଲା କି ଡାକ୍ତର ନଥିଲେ । ଟୀକା ନେଲେ ମା’ ଅସନ୍ତୁଷ୍ଟ ହେବେ ବୋଲି ଟୀକା ନେବା ପାଇଁ ଲୋକମାନେ ଆଗଭର ହେଉନଥିଲେ । ବସନ୍ତ ମହାମାରୀ ରୂପରେ ବହୁ ଲୋକଙ୍କ ପ୍ରାଣ ନେଉଥିଲା । ଏବେ ଅବସ୍ଥା ବଦଳି ଗଲାଣି । ତଥାପି ଗ୍ରାମାଞ୍ଚଳରେ ଏଇ ବିଶ୍ଵାସ ରହିଛି ଯେ, ମା’ ଠାକୁରାଣୀଙ୍କ କୋପରୁ ବସନ୍ତ ହୁଏ । ସେଥିପାଇଁ ଚିକିତ୍ସା ଅପେକ୍ଷା ମା’ ଶୀତଳାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଧିକ ଚେଷ୍ଟା କରାଯାଏ ।

 

ପୂଜା ପ୍ରାର୍ଥନା ମନକୁ ଶାନ୍ତ, ନିର୍ମଳ ଓ ପବିତ୍ର କରିବାରେ ସାହାଯ୍ୟ କରେ । କିନ୍ତୁ ଔପଚାରିକତା ଯେ ଆଧ୍ୟାତ୍ମିକତା ବା ଧର୍ମ ନୁହେଁ ଏହା ସମସ୍ତେ ବୁଝନ୍ତି ନାହିଁ । ଫଳରେ ଈଶ୍ଵର ଅନେକ ସମ୍ପ୍ରଦାୟ ମଧ୍ୟରେ ବାଣ୍ଟି ହୋଇ ରହିଛନ୍ତି । ସମସ୍ତ ସତ୍ୟର ପରମ ଦେବତା ଯେ ଈଶ୍ଵର ଏବଂ ସେ ଏକ ଓ ଅଦ୍ୱିତୀୟ ଏହା ଜାଣି ମଧ୍ୟ ତାଙ୍କରି ନାମ ଧରି ଧର୍ମ ଓ ସମ୍ପ୍ରଦାୟକୁ ଆଧାର କରି ବାଣ୍ଟି ହୋଇଯାଆନ୍ତି ଲୋକମାନେ । ବିଶ୍ଵାସ କ୍ରମଶଃ ଅନ୍ଧବିଶ୍ଵାସକୁ ବାଟ ଛାଡ଼ିଦିଏ । ସତ୍ୟ ବାଟ ଛାଡ଼ିଦିଏ ଅସତ୍ୟ, ଅର୍ଦ୍ଧସତ୍ୟ ବା ଅଜ୍ଞତାକୁ ।

 

ମନସ୍କାମନା ପୂର୍ଣ୍ଣ କରିବାପାଇଁ ମହାଦେବ ମନ୍ଦିରରେ ଅଧିଆ ପଡ଼ନ୍ତି ଆର୍ତ୍ତିମାନେ । ରୋଗ ଓ ଯନ୍ତ୍ରଣାର ଉପଶମ ପାଇଁ, ପୁଅର ପରୀକ୍ଷାରେ ସଫଳତା ବା ମୋକଦ୍ଦମାରେ ବିଜୟ ପାଇଁ ସ୍ତ୍ରୀ ଓ ପୁରୁଷ ଅଧିଆ ପଡ଼ିବାର ପ୍ରଥା ଚଳିଆସିଛି । ଅଖ୍ଆ ଅପିଆ ମନ୍ଦିର ବେଢ଼ା ଭିତରେ ଠାକୁରଙ୍କୁ ଡାକି ଡାକି ବସି ରହନ୍ତି । କେହି କେମିତି ଯେ ଫଳ ନପାଏ ଏମିତି ନୁହେଁ କିନ୍ତୁ ତାହା ଈଶ୍ଵରଙ୍କ କରୁଣା ବା କାକତାଳୀୟ ନ୍ୟାୟରେ ‘‘ଆପେ ଆପେ କିଛି ହୋଇଯାଏ ତାହା ଜାଣିବା ମୁସ୍କିଲ୍‌ । ଆମର ଅବବୋଧରେ କିନ୍ତୁ ଗୋଟିଏ ବିଶ୍ଵାସ ରହିଯାଇଛି ଯେ ଦେବତାଙ୍କ ଦୟାରୁ ଫଳ ଫଳିଛି । କିନ୍ତୁ ଏକ ସମୟରେ ଜଣେ ଦେବତାଙ୍କୁ ମୋକଦ୍ଦମାରେ ବିଜୟୀ ହେବା ପାଇଁ ଭୋଗ ଦେଉଥିଲା ବେଳେ ପ୍ରତିପକ୍ଷ ଦେବତାଙ୍କୁ ଭୋଗ ଦେଉଥାଏ ଜିତିବା ପାଇଁ । ଜଣେ ଜିତିଲେ ଆଉ ଜଣେ ହାରିବ । ସତ୍ୟ ଓ ନ୍ୟାୟର ବିଜୟ ହେବ ନା ଅସତ୍ୟ ଓ ଅନ୍ୟାୟର । ଠାକୁର କ’ଣ ଭାଗ ଭାଗ ହୋଇ ରହିଥାନ୍ତି ? ଭାବନାରେ ଓ ମନରେ ଠାକୁରଙ୍କୁ ନିଜ ନିଜ ମଧ୍ୟରେ ପକ୍ଷଭୁକ୍ତ କରୁଥାଏ ଯାଏ ଦୈବୀ ଶକ୍ତି ମଧ୍ୟ ନିରପେକ୍ଷ ନରହି ପକ୍ଷଭୁକ୍ତ ହେଉଥିବା ଏବଂ ଭଗବାନ ନିସ୍ପକ୍ଷ ନ୍ୟାୟବନ୍ତ ଓ ସତ୍ୟର ପ୍ରତୀକ ହୋଇ ରହିବା ସମ୍ଭବ ହେବନାହିଁ । ଦୈବୀକୃପା ଅଲୌକିକ ଘଟଣା । ସେଥିପାଇଁ ଏହା ତର୍କ ଓ ବିଶ୍ଳେଷଣର ବାହାରେ । ଏହା ଅସାଧାରଣ ହୋଇଥିବାରୁ ସାଧାରଣ ବିଷୟ ଓ ବ୍ୟକ୍ତି ପ୍ରତି ପ୍ରଯୁଜ୍ୟ ନୁହେଁ । ଯେଉଁ ଦୃଢ଼ ବିଶ୍ଵାସ ବଳରେ ଦୈବୀକୃପା ମିଳେ ତାହା ଅନ୍ଧବିଶ୍ଵାସ ନୁହେଁ ।

 

ପ୍ରଶ୍ନ ପଚାରିବା ଓ ପରୀକ୍ଷା କରିବା ପାଇଁ ମନରେ ସାହସ ନଥାଏ ବୋଲି ଆତ୍ମବିଶ୍ଵାସ ରହେନାହିଁ । ଏବଂ ନିଜ ଶକ୍ତି ଉପରେ ବିଶ୍ଵାସ ନରଖି ପରାଶକ୍ତି ଉପରେ ନିର୍ଭର କରିବା ଅଭ୍ୟାସରେ ପଡ଼ିଥାଏ । ପରାଶକ୍ତିର ମଧ୍ୟ ପରାକ୍ରମ ଅଛି । ତାହା ଅଦୃଶ୍ୟରେ ଘଟେ ଏବଂ ଆହୁରି ଏହା ମଧ୍ୟ ସତ୍ୟ ଯେ ଯେଉଁ ପକ୍ଷରେ ସତ୍ୟ ଓ ନ୍ୟାୟ ସେହି ପକ୍ଷରେ ବିଜୟ । ଗୀତାରେ ତ ଏହି କାରଣରୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ସତ୍ୟ ଓ ନ୍ୟାୟର ହିଁ ବିଜୟ ସୁନିଶ୍ଚିତ । କିନ୍ତୁ ସାଧାରଣ ମଣିଷର ଏତେ ବିଦ୍ୟା ବା ବୁଦ୍ଧି ନାଁହି । ସେ ବଡ଼ ବଡ଼ମାନଙ୍କ ଠାରୁ ଯାହା ଶୁଣେ ତାହା ବିଶ୍ଵାସ କରେ । ତେଣୁ ଅସତ୍ୟ ଓ ଅନ୍ଧବିଶ୍ଵାସର ଉତ୍ସ ବହୁ ଭିତରେ । ଏହାର ଚେର ଅନେକ ଭିତରେ ଜମିଥିବା ଅଜ୍ଞତା ଓ ଅନ୍ଧବିଶ୍ୱାସର ଅଳନ୍ଧୁ ସଫା କରିବା ପାଇଁ ଯେପରି ସତ୍ୟନିଷ୍ଠା, ସାହସ ଦରକାର ତାହା ଆମର ନାହିଁ । ସତ୍ୟର ସାମ୍‌ନା କରିବା ପାଇଁ ସାହସ ଦରକାର ହୁଏ । ସତ୍ୟକୁ ଭୟ କରୁଥିବା ବ୍ୟକ୍ତିର ମନ ତ ବୁଢ଼ିଆଣୀ ବସା ଓ ଅଳନ୍ଧୁରେ ପୂର୍ଣ୍ଣ । ଅଜ୍ଞତା ଅନ୍ଧବିଶ୍ଵାସକୁ ଜନ୍ମଦିଏ । ସେଥିପାଇଁ ମନରୁ ଅଜ୍ଞତା ଦୂର କରିବା ପାଇଁ ଉଦ୍ୟମ ସଦା ଜାରି ରଖିବା ଉଚିତ । ବିଜ୍ଞାନ କେବଳ ପ୍ରମାଣ ଉପରେ ପ୍ରତିଷ୍ଠିତ, କଥା ବା କାହାଣୀ ଉପରେ ନୁହେଁ । ଲୋକଙ୍କ ବିଶ୍ଵାସ ଅନୁସାରେ ଇନ୍ଦ୍ରଦେବତା ବର୍ଷା କରନ୍ତି । ସେ ଅସନ୍ତୁଷ୍ଟ ହେଲେ ବର୍ଷା ହୁଏନାହିଁ ବା ଝଡ଼ବର୍ଷାରେ କ୍ଷୟକ୍ଷତି ହୁଏ । କିନ୍ତୁ ବର୍ଷା ହୁଏ ବୈଜ୍ଞାନିକ କାରଣରୁ । ସେହିପରି ଝଡ଼ବର୍ଷା ବା ପ୍ରାକୃତିକ ବିପଦ ଦେବତାଙ୍କ କୋପରୁ ହୁଏନାହିଁ । ବୈଜ୍ଞାନିକ କାରଣରୁ ହୁଏ । ବହୁକାଳ ଧରି ଯେଉଁ ବିଶ୍ଵାସ ଚଳି ଆସୁଛି ତାହା ଯଦି ଅନ୍ଧବିଶ୍ଵାସ ହୁଏ, ତେବେ ସେସବୁକୁ ମନରୁ ଦୂରକରିବା କେବଳ କର୍ତ୍ତବ୍ୟ ନୁହେଁ, ମନୁଷ୍ୟର ଧର୍ମ । ଅନୁସନ୍ଧାନ କରିବା ଓ ପରୀକ୍ଷା କରିବା ଦ୍ୱାରା ସତ୍ୟ ପ୍ରତିଷ୍ଠିତ ହୁଏ, ଅଜ୍ଞତାର ଲାଳନପାଳନ ଅନ୍ଧବିଶ୍ଵାସକୁ ଦୃଢ଼ କରେ । ଏହି କାରଣରୁ ବିଜ୍ଞାନ ଶିକ୍ଷା ଏବଂ ବିଜ୍ଞାନର ପ୍ରସାର ଏକାନ୍ତ ଆବଶ୍ୟକ ।

Image

 

ପ୍ରେମ ଓ ବିବାହର ନୂତନ ଧାରା

 

ସହର ହେଉ ବା ଗାଁ ହେଉ ବାହାଘରର ଧାରା ଆଉ ପୂର୍ବ ପରି ନାହିଁ, ଅନେକ ବଦଳିଗଲାଣି । ଆମ ସମୟରେ କଲେଜରେ ପଢ଼ିବା ବେଳେ ମା’ମାନେ ଝିଅମାନଙ୍କୁ ସାବଧାନ କରି ଦେଉଥିଲେ ପ୍ରେମରେ ନପଡ଼ିବା ପାଇଁ । ପ୍ରେମ ତ ସବୁବେଳେ ପ୍ରଥମ ସାକ୍ଷାତରେ ହୁଏନାହିଁ-। ପ୍ରତିଦିନ ଗୋଟିଏ ସ୍ଥାନରେ ଦେଖାସାକ୍ଷାତ ହେଲେ ପରିଚୟ ହୁଏ, ତା’ ପରେ ପରସ୍ପର ପ୍ରତି ଆଗ୍ରହ ଜନ୍ମେ ଏବଂ ସେଇ ଆଗ୍ରହ ମନରେ ସୃଷ୍ଟିକରେ ପରସ୍ପର ପ୍ରତି ଆକର୍ଷଣ । ସବୁ ଆକର୍ଷଣରେ ପ୍ରେମ ନଥାଏ କି ପରସ୍ପରର ସାନ୍ନିଧ୍ୟ ପାଇବା ପାଇଁ ବ୍ୟାକୁଳତା ନଥାଏ । କିନ୍ତୁ ଯେଉଠିଁ ଏହା ରହେ ସେଠାରେ ପ୍ରେମ ଫାଶରେ ପଡ଼ିଯାଆନ୍ତି ପୁଅଝିଅ । କଲେଜର ପରିବେଶ ଏଥିପାଇଁ ଅନୁକୂଳ ସୁଯୋଗ ଯୋଗାଇ ଦିଏ । ତଥାପି ଶହେରୁ ଶହେ ଝିଅ ବା ପୁଅ ପ୍ରେମରେ ପଡ଼ନ୍ତି ନାହିଁ । କ୍ଵଚିତ୍‌ ପ୍ରତିଶତ ଚାରି କି ପାଞ୍ଚଙ୍କ ପରିଚୟ ଘନିଷ୍ଠ ହୋଇ ପ୍ରେମରେ ପରିଣତ ହୁଏ-। ସେଥିରୁ ପ୍ରେମ କରୁଥିବା ସମସ୍ତେ ବାହା ହୁଅନ୍ତି ନାହିଁ। କାରଣ ଆମ ସମାଜରେ ଧର୍ମ, ଜାତି, ଗୋତ୍ର ଓ ବୃତ୍ତିକୁ ନେଇ ଏତେ ସ୍ତର ଓ ପ୍ରତ୍ୟେକ ସ୍ତରରେ ଏତେ ପାର୍ଥିକ୍ୟ ରହିଛି ଯେ, ଝିଅ ଓ ପୁଅ ପରସ୍ପରକୁ ଭଲପାଇ ମଧ ବାହା ହୋଇପାରନ୍ତି ନାହିଁ । ଆଉ ଅସଲ ପ୍ରେମ ଅପେକ୍ଷା ଯୌବନର ଉନ୍ମାଦନା ଏଥିରେ ବେଶୀ ଥାଏ ବୋଲି ସବୁ ପ୍ରେମ ବିବାହ ସଫଳ ହୁଏ ନାହିଁ । ବିବାହ ପରେ ସଂସାରର ବାଧ୍ୟବାଧକତା ଦ୍ଵାରା ଜର୍ଜରିତ ସ୍ଵାମୀ- ସ୍ତ୍ରୀ ପ୍ରେମ ଅପେକ୍ଷା ବାସ୍ତବତା ଦ୍ଵାରା ପ୍ରତାଡ଼ିତ ହୋଇ ପରସ୍ପର ଠାରୁ ଦୂରେଇ ଯାଆନ୍ତି । ପରିବାର ମଧ୍ୟ ଅଧିକାଂଶ କ୍ଷେତ୍ରରେ ପ୍ରେମ ବିବାହକୁ ଭଲ ଦୃଷ୍ଟିରେ ଗ୍ରହଣ କରିନିଏ ନାହିଁ । ମନାନ୍ତର ଲାଗିରହେ । ପରସ୍ପରକୁ ସହ୍ୟ କରିବାର ମାନସିକତା ଥରେ ନଷ୍ଟ ହୋଇଗଲେ ବା ସେଥିରେ ବୁଝାମଣା ଓ ବିଶ୍ଵାସର ଅଭାବ ହେଲେ ତାହାର ପରିଣତି ଘଟେ ବିବାହ ବିଚ୍ଛେଦ ବା ସ୍ଵାମୀ- ସ୍ତ୍ରୀ ଅଲଗା ରହିବାର । ଏହି ଧାରା ବର୍ତ୍ତମାନ ଏବେ ବଢ଼ିଗଲାଣି ଯେ, ପ୍ରେମ କରୁଥିବା ଝିଅପୁଅଙ୍କ ସଂଖ୍ୟା ବଢ଼ୁଥିଲେ ମଧ ତା’ ସହିତ ତାଳ ଦେଇ ବଢ଼ି ଚାଲିଛି ଅସଫଳ ପ୍ରେମ ବିବାହ ।

 

କଲେଜରେ ପଢ଼ିବା ପାଇଁ ବା ଅନ୍ୟ କୌଣସି କାରଣରୁ ସହରକୁ ଆସିଲେ ସହରର ମୁକ୍ତ ମିଳାମିଶାରୁ ଝିଅ ଓ ପୁଅମାନଙ୍କ ମଧ୍ୟରେ ପ୍ରେମ ହୁଏ । କିନ୍ତୁ ଗାଁରେ ତ ଝିଅ ଓ ପୁଅ ଗୋଟିଏ ପରିବେଶରେ ବଢ଼ନ୍ତି, ଖେଳାବୁଲା କରନ୍ତି, ପାଠ ପଢ଼ନ୍ତି ଓ ସ୍ଵପ୍ନ ବି ଦେଖନ୍ତି । କିନ୍ତୁ ସେଠାରେ ହଠାତ୍‌ କେହି କାହାକୁ ପ୍ରେମ କରିବାର ସୁଯୋଗ ପରିବେଶ ଦିଏନାହିଁ । ଗାଁର ସମସ୍ତ ଲୋକଙ୍କ ମଧ୍ୟରେ ରକ୍ତ ସଂପର୍କ ନଥିଲେ ମଧ୍ୟ ଆତ୍ମୀୟତା, ଅନ୍ତରଙ୍ଗତା ରହି ଆସିଥାଏ ପୁରୁଷ ପୁରୁଷ ଧରି । ସେଥିପାଇଁ ବାପାଙ୍କ ଠାରୁ ବୟସରେ ସାନମାନେ କକେଇ, ବଡ଼ମାନେ ନନା, ଛୋଟମାନେ ସାନଭାଇ ହୋଇଯାଆନ୍ତି । ନିଜର ଭାଇ, ମାମୁ, କକେଇ ନହୋଇ ମଧ୍ୟ ପ୍ରତିଦିନ ଦେଖାଚାହାଁ ଯୋଗୁଁ ଭାବନାରେ ଓ ସଂପର୍କରେ ସେମାନଙ୍କ ସହିତ ଏମିତି ନିର୍ମଳ ଆତ୍ମୀୟତା ହୋଇଯାଏ ଯେ ସେଠାରେ ଅନ୍ୟ କୌଣସି ସଂପର୍କ ସ୍ଥାପନ କରିବା ପ୍ରଶ୍ନ ଉଠୁନି । ତଥାପି ଗାଁ ଝିଅ ଓ ପୁଅଙ୍କ ମଧ୍ୟରେ ଯେ ବିବାହ ନହୁଏ, ତାହା ମଧ୍ୟ ନୁହେଁ । କିନ୍ତୁ ସେସବୁ ଯୋଗାଡ଼ କରି କରାଯାଉଥିବା ସମ୍ବନ୍ଧ । ମୋ’ ଘର ଓ ସାତକଡ଼ି ବାବୁଙ୍କ ଘର ଗୋଟିଏ ଗାଁରେ । ତାଙ୍କର ସହିତ ମୋର ବାହାଘର ହେବା ପୂର୍ବରୁ ସେ ଥିଲେ ମୋର ଲେଖାଯୋଖା ଭାଇ । ମୋ ବଡ଼ ଭାଇଙ୍କର ସେ ଥିଲେ ସାଙ୍ଗ । ଦିନେ ହଠାତ୍‌ ପ୍ରସ୍ତାବ ଉଠିଲା ବାହାଘରର । ସେତେବେଳେ ସେ କଲେଜ ଛାତ୍ର, ମୁଁ ସ୍କୁଲରେ ପଢୁଥିଲି । ପରେ ବାହାଘର ହେଲା ଦୁଇପକ୍ଷ ରାଜି ହେବାରୁ । ଆଜିକାଲି ବି ଏପରି ଯୋଗାଡ଼କରା ବାହାଘର ହେଉଛି ସତ କିନ୍ତୁ ପ୍ରେମ ବାହାଘର ସଂଖ୍ୟା ବଢ଼ିଯାଇଛି ।

 

ପୂର୍ବକାଳେ ଗୋଟିଏ ଗାଁର ଝିଅ ଓ ପୁଅ ପରସ୍ପରକୁ ଭଲ ପାଉଥିଲେ ମଧ୍ୟ ତାହା ସହଜରେ ପ୍ରକାଶ ପାଉନଥିଲା । ଅତି ବ୍ୟକ୍ତିଗତ ଗୋପନୀୟ ବିଷୟ ଥଲା ଏହି ପ୍ରେମ । ଆଜିକାଲି ଯେପରି ଘର ତିଅଣ ସଦାବେଳେ ସୁଆଦ ଲାଗୁ ନଥବାରୁ ହୋଟେଲ୍‌ ବା ରେସ୍ତୋଁରାରୁ ଖାଇ ଆସିବାକୁ ମନ ହୁଏ । ଗାଁରେ ସେପରି ବ୍ୟବସ୍ଥା ନଥାଏ । “ଗାଁ କନିଆଁ ସିଙ୍ଘାଣି ନାକି” କଥାଟି ଏଇ କାରଣରୁ ଚଳିଯାଇଛି ଯେ, ପ୍ରତିଦିନ ଦେଖି ଚାହିଁ ତଉଲୁ ଥିବାରୁ ଗାଁ ଝିଅର ଗୁଣ ଓ ସୌନ୍ଦର୍ଯ୍ୟ ଆଖିରେ ପଡ଼େନାହିଁ ସହଜରେ । ସହରରେ ବି ସେହି ଏକା କଥା । ଝରକା ସେପାଖରେ ପ୍ରତିଦିନ ଦେଖାଯାଉଥିବା ମୁହଁ ବା ଘର଼ ଦାଣ୍ଡରେ ପ୍ରତିଦିନ ଆତଯାତ ହେଉଥି‌ବା ଝିଅ ବା ପୁଅର ବିଶେଷତ୍ଵ ସହଜରେ ଧରାପଡ଼େ ନାହିଁ । ଅବଶ୍ୟ ପ୍ରେମ କୌଣସି ବିଶେଷତ୍ଵର ଅପେକ୍ଷା ନାହିଁ । ବେଳେ ବେଳେ ସୁନ୍ଦର ବରଟିଏ କାଳି କନ୍ୟାଟିକୁ ବାହା ହୋଇ ସନ୍ତୋଷରେ ରହୁଥିବା ମଧ୍ୟ ଦେଖାଯାଏ । ମୋର କହିବାର ତାତ୍ପର୍ଯ୍ୟ ଏହି ଯେ ଗାଁରେ ପ୍ରତିଦିନ ଦେଖାଚାହାଁ ହେଉଥିଲେ ମଧ୍ୟ ପୁଅ ଓ ଝିଅଙ୍କ ମଧ୍ୟରେ ଆମ ସମୟରେ ପ୍ରେମ ବା ସେପରି ମଧୁର ସଂପର୍କ ଗଢ଼ିଉଠୁ ନଥିଲା । କଦାଚିତ ତାହା ହେଉଥିଲା । ଅବଶ୍ୟ ଏହାର କାରଣ ଏପରି ମଧ୍ୟ ହୋଇପାରେ ଯେ ସେତେବେଳେ ଏତେ ଖୋଲାଖୋଲି ମିଳାମିଶା ନଥିଲା । ଖୋଲାମେଲା ମିଳାମିଶାରୁ ଏସବୁ ବଢ଼ୁଛି ବର୍ତ୍ତମାନ।

 

ଏବେ ତ ଚଉଦିଗ ସାହାଣମେଲା । ସହରର ଖେଳପଡ଼ିଆରେ, ସିନେମା ଘରେ, ପାର୍କ ବା ବଜାରରେ, କଲେଜ ଵା ଏକ୍‌ଜିବିସନ୍‌ରେ ହଠାତ଼ ଦେଖା ସାକ୍ଷାତ୍‌ରୁ ବନ୍ଧୁତା ହେବାପରି ଗାଁରେ ମଧ୍ୟ ଝିଅ ଓ ପୁଅଙ୍କ ମଧ୍ୟରେ ସେପରି ସଂପର୍କ ବଢ଼ୁଥିବା ଦେଖିବାକୁ ମିଳୁଛି । ଆମ ଗାଁ କଥା ଭାବିଲେ ମୋତେ ଆଶ୍ଚର୍ଯ୍ୟ ଲାଗେ । ଯେଉଁଠାରେ ଆପଣାର ମନେ ହେଉଥିବା ପଡ଼ୋଶୀ ଘରର ଝିଅଟିକୁ ଦେଖିବା ବା ତା’ ସହିତ କଥା କହିବାରେ ବାଧା ନଥିଲେ ମଧ୍ୟ ବିଶୃଙ୍ଖଳା ନଥିଲା । ସେଠାରେ ଏବେ ଭିନ୍ନ ଅବସ୍ଥା । ସହରର ଚଳଣି, ଫେସନ୍‌, ବ୍ୟବହାର ସହରକୁ ମାଡ଼ି ଆସିଛି । ବଦଳି ଯାଉଛି ଜୀବନଶୈଳୀ । ଆଉ ଆଗକାଳ ପରି ଲୁଚେଇ ଲୁଚେଇ ଝିଅମାନେ ଭପନ୍ୟାସ ପଢ଼ୁ ନାହାନ୍ତି ବା ପ୍ରେମ କବିତା ଆବୃତ୍ତି କରୁ ନାହାନ୍ତି । ମାୟାଧର ମାନସିଂଙ୍କ ପ୍ରେମ କବିତା ଆଉ ଲେଖୁଚି କିଏ ଯେ ଝିଅବୋହୂ ପଢ଼ିବେ ? ଧୂପ, ହେମଶସ୍ୟ, ପୂଜାରିଣୀ ପରି ମନ ରସଉଥିବା କବିତା ଆଜି ଦୁର୍ଲଭ ହୋଇଗଲାଣି । ହୁଏତ କବିତାରେ ଆଙ୍ଗିକ ଓ ଆମ୍ବିକ ପରିବର୍ତ୍ତନ ଘଟିଛି । ନୂଆ ଚେତନା ଧସେଇ ପଶିଛି । କବିତା ଭିତରେ । ମଣିଷର ସ୍ନିଗ୍ଧ ପ୍ରଗଳ୍‌ଭ ସରଳତା ଅପେକ୍ଷା ତା’ ମନର ବୁଢ଼ିଆଣୀ କେବଳ ସାମାଜିକ ଶ୍ରେଣୀବଦ୍ଧତା ବା ଜୀବନଦର୍ଶନର ବିଭିନ୍ନତାକୁ ନେଇ ଜାଲ ବୁଣିବାରେ ଲାଗିଛି । ମଣିଷ ମନର ଝରକା କବାଟ ଖୋଲା ରହିଥିବାରୁ ବାହାର ଜଗତର ଆଲୁଅ, ପବନ, ବାସନା ଓ ଦୃଶ୍ୟ ସହଜରେ ପଶିଆସୁଛି ଭିତରକୁ । ସେଇଥିପାଇଁ ବୋଧହୁଏ ଆଜିକାଲି ଗାଁରେ ଶାରଳା ଦାସଙ୍କ ମହାଭାରତ ବା ଜଗନ୍ନାଥ ଦାସଙ୍କ ଭାଗବତ ଅପେକ୍ଷା ଖବରକାଗଜ, ଟି.ଭି. ଓ ରେଡ଼ିଓର ପ୍ରସାର ହୋଇଛି ବେଶୀ । ଶିକ୍ଷା ସହିତ ସଚେତନତା ଧୀରେ ଧୀରେ ଗାଁର ଝିଅବୋହୂଙ୍କ ଓଢ଼ଣା ଖସାଇ ଦେଇଛି, ଓଢ଼ଣା ତଳର ଲାଜମିଶା ହସ ସ୍ଥାନ ଛାଡ଼ି ଦେଇଛି ଗୋପନରେ ନୁହେଁ ପ୍ରକାଶ୍ୟରେ ଅଭିସାର କରିବାର ଅଜିଳାଷକୁ । ସେଥିପାଇଁ ଗ୍ରାମ୍ୟ ଜୀବନକୁ ଘେରି ରହିଥିବା ବାଡ଼ ଭାଙ୍ଗି ପଡ଼ିଛି ଆଖିର ଆଢୁଆଳରେ । ଭାଇ ବୋଲି ବା ମାମୁଁ ବୋଲି ଡ଼ାକୁଥିଵା ପୁଅ ଝିଅଟିର ପ୍ରେମ କରିବାରେ ଥିବା ବାଧାବନ୍ଧନ ସ୍ଥାନ ଛାଡ଼ିଦେଇଛି ଅବାଧ ଅଗ୍ରଗତିକୁ । ଆଖିର ଇସାରାରେ, ଗୋପନ ପତ୍ର ବିନିମୟରେ ସବୁ କଥା ନକହି ମନଭରି ସେମାନେ କଥାଭାଷା ହେଉଛନ୍ତି ଆଜିକାଲି । ଏଇଥିରୁ ସ୍ୱାଭାବିକ ରୀତିରେ ଗଢ଼ିଉଠିଛି ମାନବିକ ବନ୍ଧନ- ସ୍ଵାମୀ ସ୍ତ୍ରୀ ହେବାର ସହଜାତ ଆଗ୍ରହ । ସେଇ ଆଗ୍ରହ ଆଗରେ ଭାଙ୍ଗିପଡ଼ିଛି ପ୍ରତିବନ୍ଧକ । ପ୍ରତିକୂଳତାକୁ ଅତିକ୍ରମ କରି ବାପା ମା’ଙ୍କ ଅଗୋଚରରେ ପୁଅଟିଏ ପଡ଼ୋଶୀ ଘରର ଝିଅକୁ ବାହା ହୋଇପଡ଼ୁଛି ! ମୁଁ ହିସାବ କରି ଦେଖିଛି ଯେ, କେବଳ ଆମ ଗାଁରେ ବର୍ଷେ ଦୁଇବର୍ଷ ମଧ୍ୟରେ ଚାରିଟି ଝିଅ ଓ ପୁଅଙ୍କର ପ୍ରେମ ବିବାହ ହୋଇଛି ଗାଁ ଦାଣ୍ଡ ବେଦୀ ଉପରେ ନୁହେଁ ରେମୁଣାର କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ପ୍ରାଙ୍ଗଣରେ । ରେଜେଷ୍ଟ୍ରି ବିବାହ ଓ ମନ୍ଦିରରେ ମାଳବଦଳ ସଂଖ୍ୟା ମଧ୍ୟ ବଢୁଛି ଏବଂ ବୈଦିକ ରୀତିରେ ବେଦୀରେ ବସି ସାତପୁରୁଷ ପାଇଁ ଶପଥ ନେଉଥିବା ବିବାହ ପବିତ୍ରତା ମଧ୍ୟ ନଷ୍ଟ ହୋଇଗଲାଣି । ବିବାହ ଆଉ ପୂର୍ବପରି ସାମାଜିକ ଓ ପବିତ୍ର ହୋଇ ରହିନାହିଁ ଅଧିକ ବ୍ୟକ୍ତିକୈନ୍ଦ୍ରିକ ହୋଇପଡୁଛି ।

 

ଆମ ଜିଲ୍ଲାର ଅଶୀଭାଗ ଲୋକ ଆଦିବାସୀ । ଆମ ଗାଁ ଓ ଆଖପାଖରେ ରହୁଥିବା ଆଦିବାସୀମାନଙ୍କ ଜୀବନଧାରାରେ ଯେ ପରିବର୍ତ୍ତନ ହୋଇନାହିଁ, ତାହା ମଧ୍ୟ ନୁହେଁ । ମୋ’ ପିଲାବେଳେ ମୁଁ ସେମାନଙ୍କ ସହିତ ମିଶିଛି, ଅନେକ ସମୟ କଟାଇଛି । ସାନ୍ତାଳ ଝିଅମାନେ ଆମ ଘରକୁ କାମ କରିବାକୁ ଆସିଲେ ସେମାନଙ୍କ ସହିତ ଆଳାପ କରିବାର ସୁଯୋଗ ମିଳେ। ସେମାନେ ହୁଏତ ପଛରେ ପଡ଼ିଯାଇଛନ୍ତି ଐତିହାସିକ କାରଣରୁ । ମୁସଲମାନ୍‌ ସଂପ୍ରଦାୟରେ ବା ହିନ୍ଦୁମାନଙ୍କ ମଧ୍ୟରେ ଥିବା କେତେକ ଜାତିର ଲୋକମାନଙ୍କ ମଧ୍ୟରେ ଯେପରି ରକ୍ଷଣଶୀଳତା ଅଛି ଆଦିବାସୀମାନଙ୍କ ମଧ୍ୟରେ ସେପରି ନାହିଁ। ସେମାନେ ଅରଣ୍ୟର ପଶୁପକ୍ଷୀ ପରି ମୁକ୍ତ ଜୀବନଯାପନ କରିବାକୁ ପସନ୍ଦ କରନ୍ତି । କିନ୍ତୁ ତାହା ସତ୍ତ୍ଵେ ସମାଜରେ ରହିବା ପାଇଁ ମୂଲ୍ୟ ଦେବାକୁ ହୁଏ । ସମାଜରେ ରହି ଅସାମାଜିକ ହେବା ମନା । କିନ୍ତୁ ଶୃଙ୍ଖଳା ଓ ରୀତିମାନି ମଧ୍ୟ ଆଦିବାସୀ ଝିଅ ଓ ପୁଅମାନଙ୍କ ମଧ୍ୟରେ ଗଢ଼ି ଉଠୁଥିବା ସଂପର୍କ ଠିକ୍‌ ଆଗୁଆ ଜାତିର ପୁଅ ଓ ଝିଅଙ୍କ ପରି କେବଳ ସାମାଜିକ ଚଳଣିରେ ଯାହା ପାର୍ଥକ୍ୟ । ଜଣେ ସାନ୍ତାଳ ଝିଅକୁ ଯଦି ସାନ୍ତାଳ ପୁଅ ପସନ୍ଦ କରେ ଏବଂ ଦୁହେଁ ରାଜି ହୁଅନ୍ତି ଘରସଂସାର କରିବା ପାଇଁ, ତେବେ ବାପା ମା’ ଯୋଗାଡ଼ କରି ଉଭୟଙ୍କୁ ବାହା କରାଇ ଦିଅନ୍ତି । ନଚେତ୍‌ ଯଦି ସେଥିରେ ଡେରି ହୁଏ ବା ବାଧା ସୃଷ୍ଟିହୁଏ ଦିନେ ବିଲ ମଝିରେ, ଧାନକାଟି ବା ଜଙ୍ଗଲରୁ କାଠପତ୍ର ନେଇ ଫେରୁଥିବା ବେଳେ ମନୋନୀତ ଝିଅର କପାଳରେ ସିନ୍ଦୂର ଲଗାଇ ଦିଏ ପୁଅ । ତା’ ପରେ ସେଇ ଝିଅ ହୋଇଯାଏ ତାହାରି । ବାପା ମା’ ରାଜି ନହେଲେ କଳିଗୋଳ ମାଡ଼ ଫୌଜଦାରୀ ହୁଏ, କିନ୍ତୁ ସିନ୍ଦୂର ଲଗାଇଥିବା ଝିଅକୁ ଆଉ କୌଣସି ପୁଅ ବାହା ହୁଅନ୍ତି ନାହିଁ । ନାଚଗୀତ ଦେବାନେବା ଓ ଧୁମ୍‌ଧାମ୍‌ ମଧ୍ୟରେ ସେ ଦୁହେଁ ସ୍ଵାମୀ ସ୍ତ୍ରୀ ହୋର ଘର କରନ୍ତି । ହାଟୁଆମାନଙ୍କ ମଧ୍ୟରେ ଆଗୁଆ ଜାତିର ରୀତି ଚଳି ଆସୁଛି । କିନ୍ତୁ ଗୋଟିଏ କଥା ସତ ଯେ, ଆଦିବାସୀ ବା ଅଣଆଦିବାସୀ ଯିଏ ହୁଅନ୍ତୁନା କାହିଁକି ମାନବିକ ସଭ୍ୟତାର ଅଗ୍ରଗତି ସହିତ ତାଳଦେଇ ପୁଅଝିଅଙ୍କ ମଧ୍ୟରେ ଥିବା ଜଡ଼ତା ଓ ରକ୍ଷଣଶୀଳତା ଧୀରେ ଧାରେ ଅପସରି ଯାଉଛି ।

 

ଜୀବନର ଗତିଶୀଳତା ବଢୁଛି । ଏହାର ନିଦର୍ଶନ, ସର୍ବତ୍ର ଦେଖିବାକୁ ମିଳେ । ଏଥିରେ ସବୁଠାରୁ ଅଧିକା ପ୍ରଭାବ ପଢ଼ିଛି ଶିକ୍ଷା, ସଚେତନଦା ଓ ଯୋଗାଯୋଗର । ଆମ ଗାଁ ଓ ଏ ଅଂଚଳର ଅନ୍ୟାନ୍ୟ ଗାଁ ଆଉ ଅଗନାଅଗନି ଅଗମ୍ୟ ବନସ୍ତର ଧରାବନ୍ଧା ନିୟମ ଭିତରେ ଆବଦ୍ଧ ନୁହେଁ । ଵଣଜଙ୍ଗଲ କେଉଁଦିନୁ ଉଭେର ଗଲାଣି । ସବୁଜ ଅରଣ୍ୟର ଦୃଶ୍ୟ ଦିନକୁ ଦିନ ଘୁଞ୍ଚି ଘୁଞ୍ଚି ଯାଉଛି । ପଶୁପକ୍ଷୀଙ୍କ ସଂଖ୍ୟା କମି କମି ଆସୁଛି । ମୟୂର, ଗେଣ୍ଡାଳିଆ, ହରଡ଼ ଚଢ଼େଇ, ଶୁଆ ବା କୁମ୍ଭାଟୁଆ ବିରଳ ହୋର ଗଲେଣି । କିନ୍ତୁ ମଣିଷ ସଂଖ୍ୟା ବଢ଼ିଚାଲିଛି । ଗୋଟିଏ ବିଷୟ କହିରଖିବା ଉଚିତ୍‌ ହେବ ଯେ, ବିବାହ ବୟସ କେବଳ ସହର ଲୋକଙ୍କ ମଧ୍ୟରେ ବ଼ଢିନାହିଁ । ଗ୍ରାମାଞ୍ଚଳରେ ମଧ୍ୟ ଆଉ ଅଳ୍ପ ବୟସରେ ବିବାହ ହେଉନାହିଁ । ପଚିଶ ବର୍ଷର ଅନୂଢ଼ା କନ୍ୟା କେବଳ ସହରରେ ଦେଖିବାକୁ ମିଳନ୍ତି ନାହିଁ ଗାଁ ମାନଙ୍କରେ ମଧ୍ୟ ସେମାନଙ୍କ ଅବସ୍ଥା ସେହିପରି ।

 

ପ୍ରେମ କରିବା ପାଇଁ ଆଉ ଯେପରି କଲେଜକୁ ଯିବା ବା ଉଦ୍ୟାନକୁ ଯିବା ଦରକାର ନାହିଁ, ସେହିପରି ପ୍ରେମର ପରିସର ଓ ସଂଖା ମଧ୍ୟ ବଦଳି ଗଲାଣି । ତା’ ସହିତ ବିବାହର ରୀତିନୀତିରେ ମଧ୍ୟ ଆଖିଦୃଶିଆ ପରିବର୍ତ୍ତନ । ସହରରେ ପ୍ରେମ କରି ବାହା ହେଉଥିବା ଯୁବକ-ଯୁବତୀ ଯୌତୁକ ନେବା ଓ ଦେବା ସପକ୍ଷରେ ନୁହନ୍ତି । କିନ୍ତୁ ଗାଁରେ କନ୍ୟାପକ୍ଷ ଏବେ ବି ନରମ ଓ ନୁଆଁଣିଆ । କାଳେ ଝିଅ ଅଭିଆଡ଼ି ରହିଯିବ ? ସେଥିପାଇଁ ଯୋଗାଡ଼ ବାହାଘର ହେଉ ବା ପ୍ରେମ ବାହାଘର ହେଉ ସବୁଠାରେ ଦେବା ନେବା ରହିଛି । ତାରତମ୍ୟ କେବଳ ଏତିକି ଯେ, ଗାଁରେ ଆସବାବପତ୍ର ଅପେକ୍ଷା ସୁନା, ନଗଦ ଟଙ୍କା, ଟି,ଭି ଓ ମୋଟରସାଇକେଲ୍‌ର ଚାହିଦା ବେଶୀ । ଆଦିବାସୀମାନଙ୍କର ବିବାହ ଆହୁରି ଅବାଧ ଓ ଉଲ୍ଲାସର ଉତ୍ସବ । କନ୍ୟା ଓ ବର ନାଚନ୍ତି ଅନ୍ୟମାନଙ୍କ ସହିତ । ପାଶ୍ଚାତ୍ୟ ଦେଶରେ ବରକନ୍ୟା ନାଚିବାର ରୀତି ଦେଶରେ ଚଳିନାହିଁ ସତ, କିନ୍ତୁ ଆମ ଦେଶରେ ଆଦିବାସୀମାନଙ୍କର ମଧ୍ୟରେ ଏଇ ରୀତି ବହୁ ପୂର୍ବରୁ ଚଳି ଆସୁଛି । ମୋ’ ପିଲାଦିନେ ମନ୍ଦିରରେ ବା ଧର୍ମଶାଳାରେ ବିବାହ ହେଉ ନଥିଲା । କିନ୍ତୁ ଏବେ ଏହାର ପ୍ରଚଳନ ବଢ଼ୁଛି । ପରିବାର ବିରୋଧ କରୁଥିବା ପ୍ରେମ ବିବାହ ପାଇଁ ମନ୍ଦିର, ହୋଟେଲ୍‌ ବା ଧର୍ମଶାଳା ଉପଯୁକ୍ତ ସ୍ଥାନ । ବର ଓ କନ୍ୟା ସହିତ କେତେଜଣ ଶୁଭେଛୁ ଗୋଟିଏ ଟ୍ରେକର ଭଡ଼ା କରି ଦେବସ୍ଥାନକୁ ଯାଇ କାର୍ଯ୍ୟ ସମାପ୍ତ କରୁଥିବା ଦେଖାଯାଉଛି । କନ୍ୟାମଙ୍ଗୁଳା ରୀତି କମିଗଲାଣି । ଆମ ଗାଁରେ ଗୋଟିଏ ପ୍ରେମ ବିବାହରେ ବାହାଘର କରିବା ପାଇଁ ଶେଷରେ ଉଭୟ ପକ୍ଷ ରାଜି ହେଲେ ମଧ୍ୟ ବିବାହ ସାରି ମନ୍ଦିରରୁ ଫେରିବା ପରେ ବର ଘରକୁ କନ୍ୟା ନଯାଇ ନିଜ ଘରେ ବର ସହିତ ରହିଲା । ଛଅମାସ ଲାଗିଲା ସମାଧାନ ପାଇଁ । ସହରର ହାଓ୍ୱା ବହୁଛି ଗ୍ରାମାଞ୍ଚଳରେ । ଫାଷ୍ଟଫୁଡ଼୍‌ ପରି ପ୍ରେମ ମଧ୍ୟ ସରଳ ଓ ଶସ୍ତା ହୋଇଗଲାଣି । ପଚାଶ ବର୍ଷ ପୂର୍ବେ ନୂଆବୋହୂ ଛଅମାସ ବରଷେ ପର୍ଯ୍ୟନ୍ତ ନୀରବ ରହୁଥିଲା ବେଳେ ଏବେ ତ ଘରେ ଘରେ ଝରଣା ପରି ପ୍ରଗଳ୍‌ଭା ନବବଧୂ । କେବଳ ଶାଶୁ ଶ୍ଵଶୁର ନୁହଁନ୍ତି, ସ୍ଵାମୀ ସହିତ ପ୍ରକାଶ୍ୟରେ କଥାଭାଷା ହେବାରେ ବାଧା ନାହିଁ । ବୁଢ଼ୀମାନେ କହନ୍ତି ଧନ୍ୟ ଏ କଳିକାଳ ରୀତି !

Image

 

ଗାଅଁର ଚଳଣିରେ ସହରର ଫେସନ

 

ମୁଁ ମୟୂରଭଞ୍ଜ ଅଞ୍ଚଳରେ ଗ୍ରାମ୍ୟ ଜୀବନ କଥା କହୁଛି । ଯେଉଁଠାରେ ଏବେବି ନାରୀ ସ୍ଵାକ୍ଷରତା କୋଡ଼ିଏ ପ୍ରତିଶତରୁ ବେଶୀ ନୁହେଁ । ସାଧାରଣ ସ୍ଵାକ୍ଷରତା ପଇଁତିରିଶ ପ୍ରତିଶତ ମଧ୍ୟରେ-। ସ୍ଵାଧୀନତା ପୂର୍ବରୁ ଆମ ଅଞ୍ଚଳର ନାରୀ ସ୍ଵାକ୍ଷରତା ପ୍ରତିଶତ ପାଞ୍ଚରୁ କମ୍‌ ଥିଲା । ଏବେ ତାହା ପନ୍ଦର କୋଡ଼ିଏରୁ ବେଶି ନୁହେଁ । ଏଇ ଗତ କେତେବର୍ଷ ସ୍ଵାକ୍ଷରତା ବଢ଼ିବା ଯୋଗୁଁ ସଚେତନତା ମଧ୍ୟ ବଢ଼ିଛି। ମୋ ପିଲାବେଳେ ଆମ ଗାଁକୁ ଗୋଟିଏ ବୋଲି ଖବରକାଗଚ୍ଚ ଯାଉ ନଥିଲା । ଏବେ ପ୍ରାୟ ପନ୍ଦର କୋଡ଼ିଏ ଖଣ୍ଡ ଦୈନିକ ଖବରକାଗଜ ଯାଉଛି । ଆମ ଗାଁ ଜଗନ୍ନାଥଖୁଣ୍ଟାରେ ‘ସମ୍ବାଦ’ ଓ ‘ସମୟର ସମ୍ବାଦତାତା ଅଛନ୍ତି । ପ୍ରାୟ ପନ୍ଦରରୁ କୋଡ଼ିଏ ଘରେ ଟିଭି ଅଛି । ଏଇଥିରୁ ବାହାରର ଚଳଣି କିପରି ସହଜରେ ଗାଁକୁ ଆସିପାରୁଛି ତାହା ଧାରଣା କରିହୁଏ । ସ୍ତ୍ରୀ ଓ ପୁରୁଷ ଲୋକଙ୍କର ଅଭ୍ୟାସ, ବ୍ୟବହାର, ଖାଦ୍ୟ, ରୁଚି ପରିଧାନ ଓ ଆମୋଦ ପ୍ରମୋଦର ରୀତିରେ ଆଖିଝଲସା ପରିବର୍ତ୍ତନ ଦେଖିବାକୁ ମିଳେ । ପଚାଶ ବର୍ଷ ପୂର୍ବେ ଆମ ଗାଁରେ ଜଣେ ବୋଲି ସ୍ତ୍ରୀଲୋକ ଶାଢ଼ି ସହିତ ସାୟା, ସେମିଜ ଓ ଜୋତା ବ୍ୟବହାର କରୁନଥିବା ବେଳେ ଏବେ ପ୍ରାୟ ସତୁରି/ ଅଶୀ ଭାଗ ମହିଳା ଏସବୁ ବ୍ୟବହାର କରୁଛନ୍ତି । ଆଦିବାସୀ ମହିଳାମାନଙ୍କର ବଞ୍ଚିବାର ଶୈଳୀ ମଧ୍ୟ ବଦଳିଯାଇଛି। ଆଦିବାସୀ ଅଣଆଦିବାସୀ ଅନଗ୍ରସର ବର୍ଗର ସ୍ତ୍ରୀ ଲୋକମାନେ ବିଲବାଡ଼ିରେ କାମ କଲାବେଳେ ଆଉ ଆଗପରି ଗୀତ ଗାଉ ନାହାନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ସାୟା ଓ ସେମିଜ ବ୍ୟବହାର କରି ଶିଖିଲେଣି । ହାଟକୁ ବା ପର୍ବପର୍ବାଣି ସମୟରେ ଯାତ୍ରା ଓ ଉତ୍ସବକୁ ଗଲାବେଳେ ଖାଲି ପାଦରେ ଚାଲୁଥିବା ଲୋକଙ୍କ ସଂଖ୍ୟା ଅନେକ କମିଗଲାଣି । ଘରେ ଘରେ ସାଇକେଲ୍‌ ଓ ଟର୍ଚ୍ଚ ଲାଇଟ୍‌ ବ୍ୟବହାର କରିବାର ଦେଖାଯାଏ । କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା ଯେ, ଟି.ଭି. ଦେଖିବା ରେଡ଼ିଓ ଶୁଣିବା ପାଇଁ ଯେତେ ଆଗ୍ରହ ଖବରକାଗଜ ବହିପଢିବା ପାଇଁ ସେତେ ଆଗ୍ରହ ନାହିଁ ।

 

ଗତ କେତେବର୍ଷ ମଧ୍ୟରେ ସ୍ଵାକ୍ଷରତା ବଢ଼ିଛି । ଝିଅ ଓ ବୋହୂମାନଙ୍କ ମଧ୍ୟରେ ଅବସର ସମୟରେ ଭପନ୍ୟାସ, ଗଳ୍ପ ଓ ପୁରାଣ ପଢ଼ିବାର ଅଭ୍ୟାସ ବଢ଼ିବାରେ ଲାଗିଛି । ମୁଁ ପିଲା ଥିବାବେଳେ ତାଳପତ୍ର ପୋଥି ରାମାୟଣ, ମହାଭାରତ ବା ହରିବଂଶ ପଢ଼ା ହେଉଥିବାର ଶୁଣିଛି । ସେହି ଧାରା ପ୍ରାୟ ସମସ୍ତ ଗାଁରେ ଚଳୁଥିଲା । କିନ୍ତୁ ଆଦିବାସୀ ଓ ଅନଗ୍ରସର ବର୍ଗର ଲୋକମାନଙ୍କ ମଧ୍ୟରେ ସ୍ଵାକ୍ଷରତା କମ୍‌ ଥିବାରୁ ପଢ଼ିବାର ଆଗ୍ରହ ମଧ୍ୟ ନଥିଲା । ମେଳା ମଉଚ୍ଛବ ବା ପର୍ବପର୍ବାଣିରେ ସେମାନେ ଅଂଶଗ୍ରହଣ କରୁଥିଲେ ମଧ୍ୟ ଓପାସ ବ୍ରତ ପାଳନ କରିବାର ପ୍ରଚଳନ ବିଶେଷ ନଥିଲା । ଶିବରାତ୍ରୀ ଦିନ ଶହ ଶହ ସଂଖ୍ୟାରେ ସ୍ତ୍ରୀ ଲୋକ ମନ୍ଦିର ବେଢ଼ାରେ ଦୀପ ଜାଳୁଥିଲେ ଓ ପୂଜା ଅର୍ଚ୍ଚନା କରୁଥିଲେ । ଏବେ ମଧ୍ୟ ସେହି ଧାରା ରହିଛି । କିନ୍ତୁ ମହିଳାମାନଙ୍କ ମଧ୍ୟରେ ସେତେବେଳେ ମଗୁଶିର ମାସରେ ଲକ୍ଷ୍ମୀପୂଜା ବା ସୁଦଶା ବ୍ରତ କରିବା ବେଳର ଉତ୍ସାହ ଓ ଆଡ଼ମ୍ବର ଏବେ ଆଉ ଦେଖାଯାଉ ନାହିଁ । ଘରର ଦ୍ଵାର ମୁହଁରେ, କାନ୍ଥରେ ଓ ଠାକୁର ଘରେ ବିଭିନ୍ନ ଶୈଳୀରେ ଝୋଟି ଆଙ୍କିବାର ଯେଉଁ ରୀତି ଚଳୁଥିଲା ତାହା ଏବେ କମିଗଲାଣି । ପାଠ ପଢୁଆ ଝିଅବୋହୂମାନେ ଝୋଟି ଦେବାପାଇଁ ମନ ବଳାଉ ନାହାନ୍ତି ବା ପୂଜାପାର୍ବଣ ସମୟରେ ବିଭିନ୍ନ ପ୍ରକାର ପିଠାପଣା କରିବା କମିଗଲାଣି । ମୋ ପିଲାବେଳେ ଝିଅମାନେ ଶାଶୁଘରକୁ ଯିବୀ ପୂର୍ବରୁ ଘରେ ମା ଓ ଖୁଡ଼ୀମାନଙ୍କ ଠାରୁ ଝୋଟିଦେବା, ପୂଜା ଉପାସନା କରିବା ଓ ବିଭିନ୍ନ ପ୍ରକାର ପିଠାପଣା ତିଆରି କରିବା ରୀତି ଶିଖୁଥିଲେ । କିନ୍ତୁ ଏହି ଧାରା ପ୍ରାୟ ଅଚଳ ହୋଇ ଯାଇଥିବାରୁ ପାଠ ପଢ଼ି ଆଧୁନିକ ହେଉଥିବା ଝିଅବୋହୂ ମାନେ ପରିଶ୍ରମ କରି ଆରିସା, କାକରା, ମଣ୍ଡା, ପୋଡ଼ପିଠା, ଏଣ୍ଡୁରୀ ଇତ୍ୟାଦି କରିବାକୁ ପସନ୍ଦ କରୁନାହାନ୍ତି । ଅଥଚ ମୁଁ ପିଲା ଥଲାବେଳେ ଘରେ ଘରେ ଉଚ୍ଚ ଓ ନିମ୍ନ ବର୍ଗର ସମସ୍ତେ ଢିଙ୍କି ବ୍ୟବହାର କରୁଥିଲେ । ଆମ ଗାଁ ଠାରୁ ମାଇଲିଏ ଦୂରରେ ଥିବା ଖଡ଼ିଆଶୋଳ ଗ୍ରାମରେ ସ୍ତ୍ରୀ ଲୋକମାନେ ରାତି ପାହାନ୍ତାରେ ଚୁଡ଼ା କୁଟିବାର ଶବ୍ଦ ଆମ ଗାଁ ପର୍ଯ୍ୟନ୍ତ ଶୁଣା ଯାଉଥିଲା । ଏବେ ବି ଗାଁ ମାନଙ୍କରେ ଚୂଡ଼ା କୁଟା ଯାଉଥିଲେ ମଧ୍ୟ ତାହା ଧୀରେ ଧୀରେ କମିବାରେ ଲାଗିଛି । ବର୍ତ୍ତମାନ ପ୍ରାୟ ପ୍ରତି ଗାଁରେ ଚାଉଳ କଳ କାମ କରୁଥିବାରୁ ଢ଼ିଙ୍କିର ବ୍ୟବହାର ଅଚଳ ହୋଇଗଲାଣି । ଯେଉଁମାନେ ଧାନରୁ ଚାଉଳ କରି ଚୁଡ଼ାକୁଟି ବା ମୁଢ଼ି ଭାଜି ଅଳ୍ପ କିଛି ଉପାର୍ଜନ କରି ସଂସାର ଚଳାଉଥିଲେ, ସେମାନେ ଅସହାୟ ହୋଇ ଯାଇଛନ୍ତି । ଗାଁର ଅସହାୟ ବିଧବା ବା ସମ୍ବଳ ନଥିବା ସ୍ତ୍ରୀ ଲୋକମାନେ କାମ ନପାଇ ଦୁଃସ୍ଥ ଅବସ୍ଥାରେ ଅଛନ୍ତି-। ଅବଶ୍ୟ ସେମାନଙ୍କ ମଧ୍ୟରୁ ଯେଉଁମାନେ ନିରୂପାୟ ଓ ଅସହାୟ ଏବଂ ବୟସ୍କ । ସେମାନଙ୍କ ମଧ୍ୟରୁ କେହି କେହି ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । କିନ୍ତୁ ଗତ ପଚାଶବର୍ଷ ମଧ୍ୟରେ ମୂଲ୍ୟବୃଦ୍ଧି ଯେତିକି ପରିମାଣରେ ହେଉଛି, ସେହି ପରିମାଣରେ ଗ୍ରାମାଞ୍ଚଳରେ ରୋଜଗାର ବଢ଼ିନାହିଁ । ମୋ ପିଲାବେଳେ ଗୋଟିଏ ମିଲ୍‌ ପ୍ରସ୍ତୁତ ସୂତା ଶାଢ଼ିର ମୂଲ୍ୟ ଦେଢ଼ ଟଙ୍କା ଓ ତନ୍ତବୁଣା କସ୍ତା ଶାଢ଼ିର ମୂଲ୍ୟ ଟଙ୍କାଟାଏ ଥିଲା । ଗୁଆ ଘିଅ ସେର ଟଙ୍କାଏ, ଚାଉଳ ଟଙ୍କାରେ ସାତ ଆଠ ସେର ଓ ମାଂସ ସେର ଟଙ୍କାଏ ଥିଲା ।

 

ରୋଜଗାର କରିବାର ଏତେ ସୁବିଧା ନଥିଲା । ସ୍ୱାଧୀନତା ଆସିବା ପରେ ଶିକ୍ଷା ଓ ସୁଯୋଗର ଦ୍ଵାର ଫିଟିଲା । ଶିକ୍ଷିତ ପିଲାମାନେ ବିଭିନ୍ନ ଚାକିରିରେ ନିଯୁକ୍ତି ପାଇଲେ ମଧ୍ୟ ବିଭିନ୍ନ ଧନ୍ଦା କରିବାର ସୁଯୋଗ ମଧ୍ୟ ସୃଷ୍ଟି ହେଲା । ଆମ ଗାଁର ପାଠଶାଳାଟି ସ୍ୱାଧୀନତାର ପନ୍ଦର କୋଡ଼ିଏ ବର୍ଷ ପରେ ହାଇସ୍କୁଲରେ ପରିଣତ ହେଲା ଏବଂ ତିନିଚାରି ବର୍ଷ ହେଲା ଗୋଟିଏ କଲେଜ ମଧ୍ୟ ଖୋଲିଛି । ଶିକ୍ଷା କ୍ଷେତ୍ରରେ ଭର୍ତ୍ତି ଯୋଗୁଁ ଗାଁ ଗହଳିରେ ଆଧୁନିକ ହେବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି । ଶାଢ଼ି ପିନ୍ଧିବାର ଶୈଳୀ ବଦଳିଛି । ପ୍ରସାଧନ କରିବାର ଧାରାରେ ମଧ୍ୟ ପରିବର୍ତ୍ତନ ହୋଇଛି । ଏହା ସହିତ ସହରରୁ ଆମଦାନୀ ହୋଇଛି ଚଳଚିତ୍ରର ନାୟକ ନାୟିକାମାନଙ୍କ ଛବି, କ୍ୟାଲେଣ୍ଡର ବିଭିନ୍ନ ରଙ୍ଗର ଓ କିସମର ବେଶପୋଷାକ, ବାସନା ତେଲ, ନାନାପ୍ରକାର ସାବୁନ, ଲୁଗା ସଫାକରିବା ପାଇଁ ଲୁଗାଧୁଆ ପାଉଡ଼ର, ଟୁଥବ୍ରସ୍‌ ଓ ପେଷ୍ଟ, ସାମ୍ପୁ ଇତ୍ୟାଦି । ଏହିସବୁ ଆଧୁନିକ ବ୍ୟବହାର୍ଯ୍ୟ ସାମଗ୍ରୀ ଆଉ ଶିକ୍ଷିତ ଓ ସହରି ଲୋକଙ୍କ ଦ୍ୱାରା କେବଳ ବ୍ୟବହାର କଗଯାଉ ନାହିଁ ତାହା ଗାଁ ଗହଳୀର ଲୋକମାନଙ୍କ ଦ୍ୱାରା ମଧ୍ୟ ବ୍ୟବହାର କରାଯାଉଛି । ଫଳରେ ଉପଭୋକ୍ତାବାଦୀ ସମାଜ ଧୀରେ ଧୀରେ ପ୍ରସାରିତ ହେଉଛି ଏବଂ ଗାଁର ଦୋକାନରେ ବା ହାଟରେ ବିଭିନ୍ନ ରକମର ବିଳାସ ସାମଗ୍ରୀ ମିଳୁଛି । ପଚିଶ ତିରିଶ ବର୍ଷ ପୂର୍ବେ ଯାତ୍ରା ବିଳାସ ଓ ଆଡ଼ମ୍ବରପୂର୍ଣ୍ଣ ମନେ ହେଉଥିଲା ତାହା ଆଜି ଚଳଣିରେ ପଡ଼ିଗଲାଣି । ପୂର୍ବେ କାହାଘରକୁ ବୁଲିବା ପାଇଁ ଗଲେ ସେ ପାନ ଖଣ୍ଡେ ବା କଦଳୀ, ପିଜୁଳି କି ଖାଇ ମୁଆଁ କି ଖସା ଲଡ଼ୁ ବା ଆରିସା କି ମଣ୍ଡାପିଠା ଖୁଆଇ ଆପ୍ୟାୟିତ କରୁଥିଲେ । ଏବେ ସେ ସବୁର ଚଳଣି କମି ଯାଇଛି ଏବଂ ଅତିଥି ପହଞ୍ଚିଲା କ୍ଷଣି ପୂର୍ବପରି ହାତ ମୁହଁ ଓ ପାଦ ଧୋଇବାର ବ୍ୟବସ୍ତା ଜାଗାରେ ଚା’ ଓ ଚେନାଚୁର ଦେବାର ବ୍ୟବସ୍ଥା ଚଳିଗଲାଣି । ଏହାଦ୍ଵାରା ଅବଶ୍ୟ ସ୍ତ୍ରୀ ଲୋକମାନଙ୍କର ପରିଶ୍ରମ କମିଛି କିନ୍ତୁ ଆାମର ନିଜସ୍ଵ ଜୀବନଧାରା ପରିବର୍ତ୍ତେ ପ୍ରସାରିତ ହେଉଛି ଖାଉଟୀବାଦର ଆଧୁନିକ ଧାରା । ଗାଁମାନଙ୍କରେ ବିଜୁଳିଶକ୍ତି ଦିଆାଯାଇଛି । ଆଜି ଗାଁ ଦାଣ୍ଡ କି ଗାଁ ମୁଣ୍ତରେ ଆଉ ବ୍ରହ୍ମରାକ୍ଷସ ବା ଭୂତ ବାସ କରୁନାହାନ୍ତି । ସବୁଠାରେ ଆଲୁଅ, ଗାଁ ଗାଁରେ ଡାକଘର ଓ ଟେଲିଫୋନ।

 

ମୁଁ ସ୍କୁଲରେ ପଢ଼ୁଥିଲା ବେଳେ ସରସ୍ୱତୀ ପୂଜା, ଗଣେଶ ପୂଜା ଥିଲା ପିଲାମାନଙ୍କ ପ୍ରଧାନ ଆକର୍ଷଣ । ସରସ୍ଵତୀ ପୂଜା ସମୟରେ ପିଲାମାନେ ସମବେତ କଣ୍ଠରେ ‘ବନ୍ଦଇ ହରି ଦେବ ମୁରାରି ଲକ୍ଷ୍ମୀଦେବୀଙ୍କର କାନ୍ତ’ ଗୀତ ବୋଲି ପ୍ରତି ଘରୁ ଯିଏ ଯାହା ଦେଲା ନେଉଥିଲେ । ପୋଖରୀ ଭିତରେ ସମସ୍ତଙ୍କ ଅଜ୍ଞାତରେ ଶିକ୍ଷକ ପୋତିଥିବା ନଡ଼ିଆ ଯିଏ ଖୋଜି ପାଉଥିଲା ତାକୁ ପୁରସ୍କାର ମିଳୁଥିଲା । ନୂଆକରି ବିଦ୍ୟାରମ୍ଭ କରୁଥିବା ପିଲାମାନେ ନୂଆ ଲୁଗା ପିନ୍ଧି ବ୍ରହ୍ମା, ବିଷ୍ଣୁ, ମହେଶ୍ଵର ତିନୋଟି ମଣ୍ଡଳ ଉପରେ ଖଡ଼ି ବୁଲାଉଥିଲେ । ମଧୁସୂଦନ ରାଓଙ୍କର ବର୍ଣ୍ଣବୋଧ ସମସ୍ତଙ୍କର ଥିଲା ଅତି ପ୍ରିୟ । ସେହି ବହିରେ ଲେଖାଥିବା ଗୀତଗୁଡ଼ିକ ସମସ୍ତଙ୍କର ଥାଏ କଣ୍ଠସ୍ଥ । ଗତ ତିରିଶ ବର୍ଷ ଭିତରେ ବହୁ ପ୍ରକାର ଛବି ବହି ପ୍ରଚଳିତ ହୋଇଛି । ତାହା ଶିକ୍ଷାର ଉପଯୋଗୀ ବୋଲି କୁହାଯାଉଥିଲେ ମଧ୍ୟ ବର୍ଣ୍ଣବୋଧକୁ ପିଲାମାନେ ଏଯାଏଁ ଛାଡ଼ି ନାହାନ୍ତି । ବଣ୍ଣବୋଧ ପରେ ଯଦି ଆଉ କେଉଁ ଲେଖକଙ୍କର ଗୀତ ପିଲାମାନେ ମନେ ରଖିଥାଆନ୍ତି ତାହା ହେଉଛି ରାମକୃଷ୍ଣ ନନ୍ଦଙ୍କର ବିଭିନ୍ନ ଗୀତ ଓ ପ୍ରାର୍ଥନା । ମାଟିବଂଶ ଅବଧାନମାନଙ୍କର ବିଦାୟ ପରେ ପରେ ତାଲିମପ୍ରାପ୍ତ ଶିକ୍ଷକମାନେ ଗାଁ ଗହଳିକୁ ଆସିଲେ । ପଢ଼ାଇବାର ନୂତନ ଶୈଳୀ ଆରମ୍ଭ ହେଲା । ଆଜି ଆଉ ପିଲାମାନେ ସମସ୍ତେ ପଣକିଆ ଘୋଷୁ ନାହାନ୍ତି ବା ବର୍ଣ୍ଣବୋଧ ପଢୁନାହାନ୍ତି । ତେଣୁ ବର୍ଣ୍ଣବୋଧରେ ଥିବା ନୀତିଶିକ୍ଷାଗୁଡ଼ିକ ଶିଶୁମାନେ ପ୍ରାୟ ଭୁଲିଗଲେଣି । ସେହିପରି ମା’ ଓ ଜେଜେମା ଠାରୁ ପୁରାଣର କାହାଣୀ ବା ବୁଢ଼ୀ ଅସୁରୁଣୀ କଥା ଶୁଣିବାର ପ୍ରଥା ଉଭେଇ ଯାଉଛି । ଏହା ଫଳରେ ଆମ ଦେଶର ଜୀବନ ଦର୍ଶନ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହିତ ସମ୍ବନ୍ଧ ଥିବା ସାହିତ୍ୟର ଆଦର କମି ଯାଉଛି । ବର୍ତ୍ତମାନ ସୁଦ୍ଧା ତାଳପତ୍ର ପୋଥି ପଢ଼ା ପ୍ରଚଳିତ ଅଛି । କେତେକଙ୍କର ଘରେ ବହୁ ପୁରୁଣା ତାଳପତ୍ର ପୋଥି ପୂଜା ପାଉଥିବାର ମୁଁ ଦେଖିଛି । ସେସବୁର ରଯଣାବେକ୍ଷଣ ଠିକ଼଼୍‌ ଭାବେ ହେଉ ନଥିବାରୁ ନଷ୍ଟ ହୋଇଯାଉଛି ।

 

ମୁଁ ପିଲା ଥିଲାବେଳେ ଜାତିଭେଦ ପ୍ରଥା ଯେପରି ଉତ୍କଟ ଥିଲା ଏବେ ତାହା ଅନେକ କମିଯାଇଛି । ବ୍ରାହ୍ମଣ ଶାସନର ଲୋକମାନେ ଅନ୍ୟଜାତିର ଲୋକମାନଙ୍କ ସହତ ବସି ପଂକ୍ତି ଭୋଜନ କରିବାକୁ ସଙ୍କୋଚ କରୁନାହାନ୍ତି । କୂଅରୁ ଆଦିବାସୀ ଓ ଅନଗ୍ରସର ଶ୍ରେଣୀର ଲୋକମାନେ ପାଣି ଉଠାଇଲେ ତାହା ଆଉ ମାରା ହୋଇଯାଉ ନାହିଁ । ଆମ ଗାଁ ମୁଣ୍ଡରେ ଥିବା ଠାକୁରାଣୀଙ୍କୁ ଅନ୍ୟଜାତିର ଜଣେ ଦେହୁରି ପୂଜା ଅର୍ଚ୍ଚନା କରିଥାନ୍ତି । କିନ୍ତୁ ମହାଦେବ ମନ୍ଦିର ପୂଜା ବ୍ରାହ୍ମଣମାନେ ହିଁ କରନ୍ତି । ଆଦିବାସୀମାନଙ୍କର ଅଲଗା ବିଶ୍ଵାସ ଥିଲେ ମଧ୍ୟ ସେମାନେ ଯେ ହିନ୍ଦୁ ଏହି ଧାରଣା କ୍ରମଶଃ ଦୃଢ଼ ହେଉଛି । ପଚାଶ ବର୍ଷ ପୂର୍ବେ ସେମାନେ ମନ୍ଦିରକୁ ଆସୁନଥିଲେ । ଏବେ ସେମାନେ ପର୍ବପର୍ବାଣୀରେ ପୂଜା ଅର୍ଚ୍ଚନା କରିବା ପାଇଁ ମନ୍ଦିରକୁ ଆସୁଥିବାର ଦେଖାଯାଉଛି-। ଅନେକ ଆଦିବାସୀ ଅଞ୍ଚଳରେ ମହା ସମାରୋହରେ ଦୁଗାଁପୂଜା ଓ କାଳୀ ପୂଜା ପାଳନ କରାଯାଏ । ମତେ କହିବାକୁ ସୁଖ ଲାଗୁଛି ଯେ, ଧର୍ମ ବିଶ୍ୱାସ ତ୍ରାସ ପାଉନାହିଁ. କିନ୍ତୁ କୁଂସଂସ୍କାର ଓ ଅନ୍ଧବିଶ୍ୱାସ ହ୍ରାସ ପାଇବାରେ ଲାଗିଛି । ଅଣବ୍ରାହ୍ମଣମାନଙ୍କ ଘରେ ବିବାହ, ଶ୍ରାଦ୍ଧ କର୍ମ ଓ ପୂଜା ଅର୍ଚ୍ଚନା କରିବା ପାଇଁ ବ୍ରାହ୍ମଣ ପୁରୋହିତମାନେ ନିଯୁକ୍ତି ହେଉଥିଲେ । ସେଇ ପ୍ରଥା ଏବେ ମଧ୍ୟ ପ୍ରଚଳିତ ଅଛି, କିନ୍ତୁ ବ୍ରାହ୍ମଣ ପୁରୋହିତମାନେ ଉଚ୍ଚଶିକ୍ଷାର ସୁଯୋଗ ପାଇ କୌଳିକ ବୂତ୍ତି କରିବା ପରିବର୍ତ୍ତେ ଅନ୍ୟ ବୃତ୍ତି କରୁଛନ୍ତି । ଫଳରେ କର୍ମକାଣ୍ଡ ପଦ୍ଧତି ଜାଣିଥିବା ପୁରୋହିତମାନଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଛି ।

 

ବିବାହ କାର୍ଯ୍ୟରେ ପୂର୍ବ ରୀତି ପ୍ରଚଳିତ ଥିଲେ ମଧ୍ୟ ସମୟକୁ ଚାହିଁ ତାହା ସଂକ୍ଷିପ୍ତ ଓ ସରଳ ହେଉଛି । ମୋ ପିଲାବେଳେ ବର ସବାରୀରେ ଯାଉଥିଲା । ବରଯାତ୍ରୀମାନେ ଶଗଡ଼, ସାଇକେଲ ବା ବସ୍‌ରେ ଯାଉଥିଲେ । ବାଣ ରୋଷଣୀ ନଥିଲା କି ବ୍ୟାଣ୍ଡପାର୍ଟି ନଥିଲା । ବର୍ତ୍ତମାନ ବାଣ ରୋଷଣୀ,, ବ୍ୟାଣ୍ଡ ପାର୍ଟି ତ ସାର୍ବଜନୀନ ହୋଇଗଲାଣି । ଖାଇବା ପିଇବାର ରୀତି ମଧ୍ୟ ବଦଳିଛି । ସାଜସଜ୍ଜା କରିବା ପାଇଁ, ରନ୍ଧାବଢ଼ା କରିବା ପାଇଁ ସହରରୁ ଲୋକ ଆସୁଛନ୍ତି । ବ୍ୟାଣ୍ଡ ପାର୍ଟି, ମାଇକ୍‌, ସିନେମା ଗୀତ, ଆଲୋକ ସଜ୍ଜା ଇତ୍ୟାଦି କରିବା ପାଇଁ ସହରରୁ ଲୋକ ଆସନ୍ତି । ସବୁଠାରୁ ଭଲ୍ଲେ‌ଖନୀୟ ବିଷୟ ଯେ, ମୋ ପିଲାଦିନେ ଯୌତୁକ ଦେବା ନଥିଲେ ମଧ୍ୟ ଏବେ ବିନା ଯୌତୁକରେ ଆଉ ବାହାଘର ହେଉନାହିଁ । ସରକାରୀ ପିଅନ ହୋଇଥିବା ଜଣେ କର୍ମଚାରୀ ଗୋଟିଏ ମଟର ସାଇକେଲ, ଅନ୍ୟାନ୍ୟ. ଆସବାବ ପତ୍ର, ପାଞ୍ଚ, ସାତ ଭରିର ସୁନା ଗହଣା ଏବଂ ତିରିଶ ଚାଳିଶ ହଜାର ଟଙ୍କା ନ ପାଇଲେ ବାହା ହେଉନାହିଁ । ଆଦିବାସୀମାନଙ୍କ ମଧ୍ୟ ଦେବା ନେବାର ପ୍ରଥା ପ୍ରଚଳିତ ଅଛି । କିନ୍ତୁ ବାହାଘର ବେଳେ ପୁଅମାନେ ହିଁ ଝିଅଘରକୁ ଧାନ, ଚାଉଳ, ଛେଳି, ମେଣ୍ଢା, ଗୋରୁ ଗାଈ ଓ କିଛି ନଗଦ ଟଙ୍କା ଦିଅନ୍ତି । ଆଦିବାସୀମାନଙ୍କ ମଧ୍ୟରେ ବାହାଘର ବେଳେ ଉଭୟ ନାଚ ଗୀତ ଓ ଆଉ କେତେକ ଜାତିର ଲୋକଙ୍କ ମଧ୍ୟରେ ଚାଗି ପାଞ୍ଚବର୍ଷର ଝିଅମାନଙ୍କୁ ଆଠ ନଅ ବର୍ଷର ପୁଅମାନଙ୍କ ସହିତ ବାହା କରାଇ ଦିଆଯାଇଥିବା ମୁଁ ଦେଖିଛି । କିନ୍ତୁ ଏ ପ୍ରଥା ଉଠିଗଲାଣି । ତଥାପି କନ୍ୟାର ଅଠର ବର୍ଷ ପୂର୍ବରୁ ଓ ଏକୋଇଶ ବର୍ଷ ପୂର୍ବରୁ ବରର ବାହାହେବା ପ୍ରଥା ବହୁଳ ଭାବେ ପ୍ରଚଳିତ ଅଛି ।

 

ପଚାଶ ବର୍ଷ ଭିତରେ ଶିକ୍ଷା ଓ ସଚେତନଦା ବଢ଼ିଛି । ଯୋଗାଯୋଗ ଓ ସାମାଜିକ ଗତିଶୀଳତାରେ ମଧ୍ୟ ଉନ୍ନତି ହୋଇଛି । ଗାଁ ଗାଁକୁ ରାସ୍ତା ପଡ଼ିଛି । ଜୀବନଧାରଣର ମାନ ଓ ପରମାୟୁ ବୃଦ୍ଧି ପାଇଛି । ଶିଶୁ ଓ ପ୍ରସୂତି ମୃତ୍ୟୁ ଅନେକ କମିଯାଇଛି । ସହରର ଚାକଚକ୍ୟ ଓ ଉପଭୋଗ କରିବାର ପ୍ରବୃତ୍ତି ଗ୍ରାମ୍ୟ ଜୀବନକୁ ଯେ ପ୍ରଭାବିତ କରୁଛି । ଏହା ନିଃସଦେହ । ଗାଁମାନଙ୍କରେ ସିନେମା ଓ ଯାତ୍ରା ଦେଖିବା ପାଇଁ ହେଉଥିବା ଭିଡ଼ରୁ ଜଣାପଡ଼ୁଛି ଯେ, ସେମାନଙ୍କ ମଧ୍ୟରେ ଥିବା ନୈତିକତା ଓ ଶୃଙ୍ଖଳା ଆସ୍ତେ ଆସ୍ତେ ହୁଗୁଳା ହୋଇଯାଉଛି । କିନ୍ତୁ ସଭ୍ୟତାର ଗତିକୁ କିଏ ଅଟକାଇବ ? ପ୍ରତିବେଶୀ ଭାବ ଓ ପରସ୍ପର ମଧ୍ୟରେ ସହଯୋଗ ଏବଂ ଆଦାନ ପ୍ରଦାନ କମୁଛି । ସ୍ଵାର୍ଥପରତା ବଢ଼ୁଛି । ଧର୍ମୀୟ ଶୃଙ୍ଖଳା ମଧ୍ୟ ଶିଥିଳ ହୋଇଯାଉଚି । ଗୋଟିଏ ନୂଆ ସହଜିଆ ସମାଚ୍ଚ ଜନ୍ମ ନେଉଛି ।

Image

 

ଭୂତ ପ୍ରେତର ପୃଥିବୀ

 

ଭୂତ ପ୍ରେତ ଅଛନ୍ତି କି ନାହିଁ, ଏହା ପରୀକ୍ଷାଗାରରେ ପ୍ରମାଣ କରାଯାଇ ପାରିବ ନାହିଁ । କିନ୍ତୁ ଅଶରୀରୀ ଆତ୍ମା ଯେ ବିଭିନ୍ନ ଭାବରେ ବିଚରଣ କରେ, ଏହାର ବହୁ ଦୃଷ୍ଟାନ୍ତ ରହିଛି । ପ୍ଲାନଚେଣ୍ଟ କରି ଯେଉଁମାନେ ମୃତ ବ୍ୟକ୍ତିଙ୍କୁ ଆବାହନ କରନ୍ତି, ସେମାନେ ଏ ବିଷୟ ଉପଲବ୍ଧ କରିଛନ୍ତି । ପୃଥିବୀ ବିଖ୍ୟାତ କବି ରବୀନ୍ଦ୍ର ନାଥ ଠାକୁର ପ୍ଲାନଚେଣ୍ଟରେ ମୃତବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ସ୍ଥାପନ କରୁଥିଲେ । ଓଡ଼ିଶାର ପ୍ରସିଦ୍ଧ ସାହିତ୍ୟିକ ଶ୍ରୀ ଚନ୍ଦ୍ରଶେଖର ରଥ ଏ ସଂପର୍କରେ ଯେଉଁ ଅଦ୍ଭୁତ ଅଭିଜ୍ଞତା ହାସଲ କରିଛନ୍ତି ତାହା ଧାରାବାହିକ ଭାବରେ ‘ସମ୍ବାଦ’ରେ ଲେଖିଥିଲେ । ଆଉ ଜଣେ ସାହିତ୍ୟିକ ଶ୍ରୀ ଗଣେଶ ପ୍ରସାଦ ପରିଜା ମଧ୍ୟ ପ୍ଲାନଚେଣ୍ଟ ମାଧ୍ୟମରେ ପାଇଥିବା ଅନେକ ବିଷୟ ଉଲ୍ଲେଖ କରନ୍ତି । ପ୍ଲାନ ଚେଣ୍ଟର ଭାଷା ଅଲଗା ଏବଂ ଏହା ନିରୋଳାରେ ଏବଂ ଏକାଗ୍ର ଚିତ୍ତରେ କରିବାକୁ ହୁଏ ।

 

ମୁଁ ପିଲାବେଳ ଗାଆଁରେ କଟାଇଛି । ବୁଢ଼ା-ବୁଢ଼ୀମାନଙ୍କ ଠାରୁ ଭୂତ ପ୍ରେତମାନଙ୍କର ଅଜବ କାହାଣୀ ଶୁଣିଛି । ଆମ ଗାଆଁର ରଘୁନାଥ ପାଣି ଜଣେ ଗୁଣିଆ ଥିଲେ ଭୂତ ପ୍ରେତମାନେ ଉତ୍ପାତ କଲେ, ମନ୍ତ୍ରକ୍ରିୟା ବଳରେ ସେମାନଙ୍କୁ ଜବତ କରୁଥିଲେ । ଗାଆଁରେ ଝିଅବୋହୂଙ୍କୁ ଡାହାଣୀ ଲାଗିଲେ ସେ ଫୁଙ୍କି, ଝାଡ଼ି ସେମାନଙ୍କୁ ଭଲ କରୁଥିଲେ । ବିଦୁ ପୀଉସୀଙ୍କୁ ଡାହାଣୀ ଲାଗିବା ମୁଁ ଦେଖିଛି । ସେ ବାଲ୍ୟବିଧବା ଥିଲେ, ଡାହାଣୀ ଲାଗିଥିଲା ବେଳେ ଦୁଇ ତିନିଜଣ ପୁରୁଷ ଲୋକ ମଧ୍ୟ ତାଙ୍କୁ ଅଟକାଇବା ମୁସ୍କିଲ୍‌ ହୋଇ ପଡ଼ୁଥିଲା, କିନ୍ତୁ ରଘୁ ପାଣି ପହଞ୍ଚି ଯାଇ ମନ୍ତ୍ର କଲେ ସେ ଶୂନ୍ୟେ ଶୂନ୍ୟେ ଦୁଇ ତିନିଟା ବାଡ଼ ଡ଼େଇଁ ବିଲ ମଝିରେ କଚାଡ଼ି ହୋଇ ପଡ଼ୁଥିଲେ-। ଦାନ୍ତ ପାଟି ପଡ଼ିଯାଉଥିଲା । ତା’ ପରେ ଡାହାଣୀ ଛାଡ଼ି ଯାଉଥିଲା । କାହାରି ଖରାପ ନିଜର ପଡ଼ିଗଲେ, ପିଲାମାନେ ଏତେ କାନ୍ଦନ୍ତି ଯେ, ମାଆ ଯାହା କଲେ ମଧ୍ୟ କାନ୍ଦ ବନ୍ଦହୁଏ ନାହିଁ । କିନ୍ତୁ ରଘୁ ପାଣି ବା ମୋର ଜଣେ ଦେଠେଇ ତାକୁ ମନ୍ତ୍ର କରି ଦେହ ଝାଡ଼ି ଦେଲେ ପିଲା ତୁନି ହୋଇ ଯାଉଥିଲେ ।

 

ଗାଆଁରେ ରାତିରେ ଗହଳ ଚହଳ ନଥାଏ ବୋଲି ବୋଧହୁଏ ଅଶରୀରୀ ଅସନ୍ତୁଷ୍ଟ ଆତ୍ମା ସହଜରେ ସକ୍ରିୟ ହୋଇପାରେ । ପାଞ୍ଚ ନମ୍ବର ଜାତୀୟ ରାଜପଥରୁ ଆମ ଗାଆଁକୁ ରାସ୍ତା ପଡ଼ିଛି । ରାତି ୧୨ଟା ହେବ, ବସ୍‌ରୁ ଓହ୍ଲାଇ ସଚିନ୍‌ ଡାକ୍ତର ସେହି ବାଟରେ ଆସୁଥିଲା ବେଳେ ଠାକୁରାଣୀ ଶାଳ ପହଞ୍ଚିବା ପୂର୍ବରୁ କିଭଳି ଛନକା ଲାଗିଲା । ଠାକୁରାଣୀ ଶାଳ ଅତିକ୍ରମ କିପରି କରିବେ ଭାବିଲା ବେଳକୁ ଭୟରେ ଦେହ ଶୀତେଇ ଉଠିଲା । ସେ ଏକା ଆସୁଥିଲେ ! କିନ୍ତୁ ହଠାତ୍‌ ଆଉଜଣେ ତାଙ୍କ ସହିତ ସାମନ୍ତରାଳ ରାବେ ଚାଲୁଥିବା ଭଳି ଅନୁଭବ କଲେ । ସେ ଆମ ଗାଆଁର ଭାନୁ ଷଡଙ୍ଗୀଙ୍କ ସାନରାର ଭବାନୀ ପରି ମନେହେଲା । ତେଣୁ ଭବାନୀ ସାହସ ବଢ଼ିଗଲା । ସେ ତାକୁ କହିଲେ, ଏତେ ରାତିରେ କୁଆଡ଼େ ଫେରୁଛୁ ? ଏହିଭଳି ଆପେ ଆପେ ସଚ୍ଚିନ୍‌ ଡାକ୍ତର ଗୋଟିଏ ପରେ ଗୋଟିଏ କଥା କହି ଚାଲିଥାନ୍ତି, ସେ କିନ୍ତୁ କିଛି ଉତ୍ତର ଦେଉନଥାଏ । କଥା କହୁ କହୁ ଠାକୁରାଣୀଶାଳ ପାର ହୋଇଗଲେ । ଗାଆଁ ମୁଣ୍ଡରେ ତାଙ୍କର ହେଜ ହେଲା ଯେ ଭାନୁ ଷଡଙ୍ଗୀର ଭାଇ ଦୁଇମାସ ଆଗରୁ ମରିଯାଇଛନ୍ତି, ସେତେବେଳେ ସେ ଆହୁରି ଦବିଗଲେ ଏବଂ ଘରେ ପହଞ୍ଚିଲା ବେଳକୁ ୧୦୪ ଡିଗ୍ରୀ ଜରରେ ଘୋଡ଼ାଘୋଡ଼ି ହୋର ଶୋଇଲେ ।

 

ମୁଁ ଭୁବନେଶ୍ୱରରେ ଥିଲାବେଳେ କବି ପ୍ରସନ୍ନ ପାଟଶାଣୀଙ୍କର ଆଖି ଖରାପ ହେଲା । ସେ କଟକ ମେଡ଼ିକାଲ୍‌ରେ କ୍ୟାବିନ୍‌ରେ ରହୁଥିଲେ । ତାଙ୍କୁ ସାହାଯ୍ୟ କରିବା ପାଇଁ ଆଉ ଜଣେ ବ୍ୟକ୍ତି ସବୁବେଳେ ସେହି କୋଠରୀରେ ରହୁଥିଲେ । କିନ୍ତୁ ନିଶାର୍ଦ୍ଧରେ ଜଣେ କେହି ଆସି ତାଙ୍କୁ ଆଉଁସି ଦେଉଥିବା ସେ ଅନୁଭବ କରିଥଲେ । ସେ ଭାବୁଥିଲେ ଯେ, ସେ ବୋଧହୁଏ ନର୍ସ ହୋଇଥିଲେ । କିନ୍ତୁ ଦିନେ ଦେହ ଉପରେ ହାତ ବୁଲାଇବା ବେଳେ କିଏ ଆଉଁସି ଦେଉଛି ବୋଲି ତା’ର ହାତ ଧରିବା ବେଳକୁ ସେ ଶୋଇଥିବା ଲୋକର ପାଖରେ ଧଳାକଙ୍କାଳ ପରି କିଛି କୋଠରୀରୁ ବାହାରି ଯାଉଥିବା ପରି ମନେହେଲା । ଏହାପରେ ପ୍ରସନ୍ନବାବୁ ସେଇ କ୍ୟାବିନ୍‌ ଛାଡ଼ି ଅନ୍ୟ କ୍ୟାବିନ଼କୁ ଚାଲିଗଲେ ଏବଂ ସେହି କ୍ୟାବିନ୍‌ରେ ଚିକିତ୍ସା ହେବା ପାଇଁ ରହିଥିଲେ, ଆଉ ଜଣେ ପ୍ରସିଦ୍ଧ ଲେଖିକା ପ୍ରତିଭା ରାୟ । ତାଙ୍କର ମଧ୍ୟ ସେହିପରି ଅନୁଭବ ହୋଇଥଲା । ସେ ମଧ୍ୟ ସେହି କ୍ୟାବିନ ଛାଡ଼ି ଅନ୍ୟତ୍ର ଗଲେ । ପରେ ଅନୁସନ୍ଧାନରୁ ଜଣାଗଲା ଯେ, ଗୋଟିଏ ବିଧବା ମାଆର ପୁଅ ସେହି କ୍ୟାବିନ୍‌ରେ କେତେମାସ ପୂର୍ବରୁ ମରିଯାଇଥିଲା ଏବଂ ସେହି ଦୁଃଖରେ ମାଆ ମଧ୍ୟ ଆତ୍ମହତ୍ୟା କରିଥିଲା । ଯେଉଁମାନେ ସେଇ କ୍ୟାବିନ୍‌ ରହୁଥିଲେ ସେମାନଙ୍କର କୌଣସି କ୍ଷତି ନ କରି ଅପତ୍ୟ ସ୍ନେହ ଜଣାଇବାପରି ମା’ର ଅଶରୀରି ଆତ୍ମା ଆସୁଥିଲା ।

 

ଦିନେ ପୂର୍ବତନ ସଂସ୍କୃତି ବିଭାଗର ସଚିବ ଶ୍ରୀ ଅବଧି ନାରାୟଣ ତିଓ୍ୱାରୀ ସନ୍ଧ୍ୟାବେଳେ ଆସି ଆମ ବଙ୍ଗଳାରେ ପହଞ୍ଚିଲେ । ମୋ ବାପା ଜଣେ ତାନ୍ତ୍ରିକ ଜାଣି ଆସିଥିଲେ । ତିଓ୍ୱାରୀ ସାହେବଙ୍କ ଠାରୁ ଶୁଣିଲି ଯେ, ତାଙ୍କ ସାନ ଭାଇ ଆନ୍ଧ୍ର ପ୍ରଦେଶର ନାଲ୍‌ଗୁଣ୍ଡା ଜିଲ୍ଲାରେ କଲେକ୍‌ଟରେ । ସେ ସସ୍ତ୍ରୀକ ଗୋଟିଏ ବଡ଼ ବଙ୍ଗଳାରେ ରହୁଥିଲେ । କଲେକ୍‌ଟରଙ୍କ ସ୍ତ୍ରୀ ଦିନେ ଖୋଲା ଆଲ୍‌ମାରିରେ ଥିବା ତାଙ୍କ ସିଲ୍‌କ ଶାଢ଼ିଟି ଖୋଜିଲା ବେଳକୁ ତାହା ନ ପାଇ ଆଶର୍ଯ୍ୟ ହେଲେ । କିନ୍ତୁ ପରେ ବାଥିରୁମ୍‌କୁ ପଶିବା ବେଳେ ଆଉ କେହି ଚପର୍ ଚପର୍ ଶବ୍ଦ କରି ଚାଲିଯାଉଥିବା ଅନୁଭବ କରି ଭାବିଲେ ଚୋର ହୋଇଥିବ । ଫେରିଆସି ଡାକିଲେ, ପାଖରେ ଥିବା ଚାକର ଚାକରାଣୀ ଦୌଡ଼ି ଆସିଲେ, ସେତେବେଳେ ସେ ଦେଖିଲେ ଯେ ସେ ଖୋଜୁଥିବା ଶାଢ଼ିଟି ବାଥ୍‌ରୁମ୍‌ରେ ଓଦା ହୋଇ ପଡ଼ିଛି । ଆଉ ଦିନେ କଲେକ୍ଟରଙ୍କ ସ୍ତ୍ରୀ ଏବଂ କଲେକ୍‌ଟର ସିନେମା ଦେଖ୍‌ ଫେରିବା ପରେ ତାଙ୍କ ସ୍ତ୍ରୀ ଲୁଗା ବଦଳେଇବା ପାଇଁ ବାଥିରୁମ୍‌ ଗଲେ, କିନ୍ତୁ ଲୁଗା ବଦଳେର ସାରି ଫେରିଆସିବା ପରେ ପୁଣି ଯେତେବେଳେ ବାଥ୍‌ରୁମ୍‌କୁ ପିନ୍ଧିଥିବା ଲୁଗାଟି ଆଣିବା ପାଇଁ ଯାଆନ୍ତି ତାହା ଆଉ ସେଠାରେ ନଥିଲା । ତାଙ୍କର ମନେ ହେଲା ଯେ କେହି ଚୋର ବଙ୍ଗଳା ଭିତରୁ ଶାଢ଼ି ଚୋରି କରୁଛି । କିନ୍ତୁ ସତର୍କ ପ୍ରହରୀ ଥିବା ସତ୍ତ୍ୱେ ଏପରି ଘଟି ଚାଲିବାରୁ ଘରର କୋଣ ପ୍ରତିକୋଣ ଖୋଜାଗଲା ଏବଂ ସ୍କାଏ ଲାଇଟ୍‌ ପାଖରେ ଯୋଡ଼ିଏ ଶାଢ଼ି ରହିଥିବା ଦେଖାଗଲା । ଏହା ଭୌତିକ କାଣ୍ଡ ବୋଲି ସମସ୍ତେ କହିଲେ ଏବଂ ସ୍ଥାନୀୟ ଗୁଣିଆମାନେ ଏହାର ପ୍ରତିକାର କରି ନ ପାରିବାରୁ ତିୱାରୀ ସାହେବ ଜାଣିବାକୁ ଆସିଥିଲେ ବାପା ବା ତାଙ୍କର ତନ୍ତ୍ରଗୁରୁ ବା ଉଭୟେ ନାଲ୍‌ଗୁଣ୍ଡା ଯାଇ ଏହାର ପ୍ରତିକାର କରିବେ କି ? ବାପା ତାଙ୍କୁ କେତେକ ପରାମର୍ଶ ଦେଇଥିଲେ । କିନ୍ତୁ ସେମାନେ ଯିବା ପୂର୍ବରୁ ଆନ୍ଧ୍ରପ୍ରଦେଶର ଆଉ ଜଣେ ତାନ୍ତ୍ରିକ କ୍ରିୟାବଳରେ ଏହି ଭୌତିକକାଣ୍ଡ ବନ୍ଦ କରିଦେଇଥିଲେ ।

 

ଏହିପରି ବହୁ ଘଟଣା ମୁଁ ଶୁଣିଛି ଏବଂ ମୋ ଅଙ୍ଗେନିଭା କାହାଣୀରୁ ମୁଁ ଅନୁଭବ କରିଛି ଯେ, ଏସବୁ ଅବିଶ୍ୱାସ କରିବାର କୌଣସି କାରଣ ନାହିଁ । ଆମ ବାରିପଦାର ଜଣେ ପୋଲିସ୍‌ ଅଫିସର କଲିକତାରେ ପଢ଼ୁଥିଲା ବେଳେ ସହପାଠିନୀ ମୁସଲ୍‌ମାନ ଝିଅକୁ ଭଲ ପାଉଥିଲେ । ତାଙ୍କ ଘରଲୋକ ଏହା ଜାଣିବା ପରେ ଝିଅ ସହିତ ସମ୍ପର୍କ ଛାଡ଼ିବା ପାଇଁ ତାଙ୍କୁ ବାଧ୍ୟ କରିଥିଲେ । ଝିଅଟି ଦୁଃଖରେ ଆତ୍ମହତ୍ୟା କରିଥିଲା । ଏବଂ ତା’ପରେ ତାଙ୍କୁ ଆଉ ଗୋଟିଏ ଝିଅ ସହିତ ବାହା କରାଇ ଦିଆଯାଇଥିଲା । କିନ୍ତୁ ଅଳ୍ପଦିନ ପରେ ଆଉ ଜଣେ କେହି ସ୍ତ୍ରୀଲୋକ କୋଠରି ଭିତରକୁ ଆସୁଥିବା ଏବଂ ବିଛଣା ପାଖରେ ବସୁଥିବା ଅନୁଭବ କରି ସେ ଘରଲୋକଙ୍କୁ କହିଲା । ପ୍ରଥମେ କେହି ଏକଥା ବିଶ୍ଵାସ କଲେନାହିଁ, କିନ୍ତୁ ଏହି ପ୍ରକ୍ରିୟା ଲାଗି ରହିବାରୁ ଘରେ ଅଶାନ୍ତି ସୃଷ୍ଟି ହେଲା । ବିଷୟଟି ସତ କି ମିଛ ଏହା ଯାଞ୍ଚ କରିବା ପାଇଁ ଜଣେ ଭାଉଜ ଲୁଚି ରହିଲେ । ସେ ମଧ୍ୟ ଆଉ ଜଣେ ସ୍ତ୍ରୀଲୋକ ଆସି ପୋଲିସ୍‌ ଅଫିସରଙ୍କ ସହିତ ବସୁଥିବା ଓ ଆଳାପ କରୁଥିବା ଅନୁଭବ କରି ଘରର ଅନ୍ୟମାନଙ୍କୁ ଉଠାଇଦେବା ପରେ ସମସ୍ତେ ଏହାକୁ । ନଦେଖି ଏହା ଭୌତିକ କାଣ୍ଡ ହୋଇଥିବା ବୋଲି ଭାବିଲେ । ପୋଲିସ୍‌ ଅଫିସରଙ୍କ ସହିତ ଭାଇମାନେ ଏକାନ୍ତରେ ଆଲୋଚନା କରିବା ପରେ ସେ ପୂର୍ବ ସମ୍ପର୍କ ଥିବା ଏବଂ ଆତ୍ମହତ୍ୟା କରିଥିବା ସେହି ପ୍ରେମ ପାଗଳିନୀ ମୁସଲ୍‌ମାନ ଝିଅ ତାଙ୍କ ପାଖକୁ ଆସୁଥିବା ସୂଚନା ଦେଇଥିଲେ । ଆହୁରି ମଧ୍ୟ ଭାଇମାନଙ୍କୁ କହିଥିଲେ ଯେ, ସେହି ଝିଅଟିର ଅଶରୀରୀ ଆତ୍ମା କେବଳ ତାଙ୍କର ସାନିଧ୍ୟ ଲାଭ କରିବାକୁ ଆସେ ଏବଂ ସେ ତାଙ୍କୁ ବାରମ୍ବାର କହିଛି ଯେ, ସେ କାହାରି କିଛି କ୍ଷତି କରିବ ନାହିଁ ବରଂ ମଙ୍ଗଳ କରିବ । ସତକୁ ସତ ବିବାହ କେତେମାସ ପରେ ପୋଲିସ୍‌ ଅଫିସରଙ୍କ ପଦୋନ୍ନତି ହୋଇଥିଲା । (ପୋଲିସ୍‌ ଅଫିସରଙ୍କ ନାମ ଗୋପନ ରଖାଯାଇଛି)

 

ଏପରି ଅନୁଭବ ଯେ କେବଳ ଗୋଟିଏ ଦୁଇଟି ଜାଗାରେ ହେଉଛି ତାହା ନୁହେଁ । ଅଲୌକିକ ଘଟଣା ଘଟିବା ପଛରେ ଯେପରି କୌଣସି ପ୍ରମାଣ ନଥାଏ । ସେହିପରି ଏସବୁ ଭୂତପ୍ରେତଙ୍କ କଥା ବିଜ୍ଞାନାଗାରରେ ପରୀକ୍ଷାର ବସ୍ତୁ ନୁହେଁ । କିନ୍ତୁ ବାସ୍ତବ । ଅଶରୀର ଆତ୍ମାମାନେ କେଉଁଠି କିପରି ପ୍ରତିକ୍ରିୟା ପ୍ରକାଶ କରନ୍ତି ତାହା କେବଳ ଅନୁଭବ କରିଥିବା ବ୍ୟକ୍ତି ହିଁ କହିପାରିବ ଏବଂ ସେହି ବ୍ୟକ୍ତିମାନେ ଯେ ସମସ୍ତେ ଗୁଲିଖଟି ଗପ କହନ୍ତି ନାହିଁ ଏହା ବିଶ୍ଵାସ କରିବାକୁ ପଡ଼ିବ । ସବୁ ବିଶ୍ଵାସ ସେ ଅନ୍ଧ ବିଶ୍ଵାସ ନୁହେଁ ଏହା ମଧ୍ୟ ସ୍ଵୀକାର କରିବାକୁ ପଡ଼ିବ ।

Image

 

ତନ୍ତ୍ର ମନ୍ତ୍ରର ଜଗତ

 

ତନ୍ତ୍ରମନ୍ତ୍ରର ଜଗତ ଅତି ପୁରୁଣା । ବହୁ କାଳରୁ ଏଇ ବିଶ୍ଵାସ ଚଳିଆସୁଛି । ଭାରତୀୟମାନେ ଯେ କେବଳ ତନ୍ତ୍ରମନ୍ତ୍ର ବିଶ୍ଵାସ କରନ୍ତି ତାହା ନୁହେଁ ସବୁ ଦେଶର ଲୋକମାନଙ୍କ ଚଳଣିରେ ଭୌତିକ, ଅଧିଭୌତିକ ତନ୍ତ୍ରମନ୍ତ୍ରର ରହସ୍ୟମୟ କାହାଣୀ ରହିଛି । ତିବ୍‌ବତୀୟମାନଙ୍କ ବିଶ୍ୱାସରେ ତନ୍ତ୍ର ଏମିତି ଆସନ ଜମାଇ ବସିଛି ଯେ ବିଂଶ ଶତାବ୍ଦୀ ଶେଷ ହେବାକୁ ଯାଉଥିଲା ବେଳେ ସେମାନେ ନିଜର ବିଶ୍ଵାସ ଓ ଧାରଣାକୁ ଛାଡ଼ି ପାରୁନାହାନ୍ତି । ମୁଁ ପିଲାବେଳୁ ତନ୍ତ୍ରମନ୍ତ୍ର ଅଲୌକିକ ଜଗତପ୍ରତି ଆକୃଷ୍ଟ । ବେଳେ ବେଳେ ବିଶ୍ଵାସ କରିହେଉନଥିବା ଏମିତି ଘଟଣା ବିଚିତ୍ର ଭାବେ ଘଟିଯାଏ ଯେ, ତାହା ଦେଖି ଯେ କେହି ଚମକି ପଡ଼ିବ । ଅଘଟଣ ଯେ ଏବେ ବି ଘଟୁଛି ଏବଂ ଚନ୍ଦ୍ରସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଘଟୁଥିବ ତାହା କୁହାଯାଇ ପାରେ । ବରଂ ଏହା କହିଲେ ବି ଠିକ୍‌ ହେବ ଯେ, ସଭ୍ୟତା ଯେତିକି ପୁରୁଣା ତନ୍ତ୍ରମନ୍ତ୍ର ପୃଥିବୀ ମଧ୍ୟ ସେତିକି ବା ତା’ଠାରୁ ଅଧିକ ପୁରୁଣା-

 

ମୋ ଜେଜେବାପା କୃଷ୍ଣଚନ୍ଦ୍ର ମିଶ୍ର ଜଣେ ଶାସ୍ତ୍ରଜ୍ଞ ଥିଲେ । ତାଙ୍କ ଗଣନା ନିର୍ଭୁଲ୍‌ ପ୍ରମାଣିତ ହେଉଥିଲା । ସେଥିପାଇଁ ଜାତକ ବା ଟିପ୍ପଣୀ ନେଇ ଅନେକ ତାଙ୍କ ପାଖକୁ ଆସୁଥିଲେ କ’ଣ ଘଟିବ ବା ନ ଘଟିବ ଜାଣିବା ପାଇଁ । ସେ ଆଗତ ଭବିଷ୍ୟତ ସମ୍ବନ୍ଧରେ ସଠିକ ସୂଚନା ଦେଇ ପାରୁଥିଲେ । ଗାଁରେ କେହି ମରିଗଲେ ଦଶଦିନ ରାତିରେ ସମତଳ କରି ରଖାଯାଇଥିବା ବାଲି ଉପରେ ଦୀପ ରଖି ଢ଼ାଙ୍କୁଣି ଦ୍ଵାରା ଘୋଡ଼ାଇ ଦିଆହୁଏ । ସକାଳୁ ବାଲି ଉପରେ ପାଦ ଚିହ୍ନ ବା ଆଉ କୌଣସି ଚିହ୍ନ ଦେଖି ପ୍ରେତାତ୍ମା ମୁକ୍ତି ପାଇଛି କି ପୁଷ୍ପର ହୋଇ ରହିଛି ତାହା ଜଣାପଡ଼େ । ଥରେ ଜଣେ ବୁଢ଼ୀ ମରିଯିବା ପରେ ତାଙ୍କ ଦଶାହ କ୍ରିୟା ସମାପନ ହେବା ଦିନ ବାଲି ଉପରେ ଗୋଟିଏ ପାଦ ଚିହ୍ନ ପଡ଼ିଥିବାର ଦେଖି ପୁଅ ବୋହୂ ଚମକି ପଡ଼ିଲେ । ଜ୍ୟୋତିଷ ଓ ପଣ୍ଡିତମାନଙ୍କ ସହିତ ପରାମର୍ଶ କଲେ ପ୍ରେତାତ୍ମାର ମୁକ୍ତି ସମ୍ବନ୍ଧରେ । ଏକ ପାଦ ପ୍ରେତାତ୍ମା ବଡ଼ ଅଶୁଭ, ବଡ଼ ଭୟଙ୍କର । ସେଥିରୁ ମୁକ୍ତି ନ ପାଇବା ପର୍ଯ୍ୟନ୍ତ ସେ ଆଉ ଗୋଟିଏ ପାଦର ସାହାଯ୍ୟ ଖୋଜୁଥାଏ । ତେଣୁ ଘର ଭିତରେ କାହାର ପାଳି ପଡ଼ିବ ସେଥିପାଇଁ ସମସ୍ତେ ଡ଼ରି ଡ଼ରି ରହନ୍ତି । ଗୋଟିଏ ପାଦରେ ଛିଡ଼ା ହେବା ଅସମ୍ଭବ । ତେଣୁ ଆଉ ଜଣେ କାହାକୁ ଟାଣିନିଏ । ସେଥିରୁ ରକ୍ଷା କରିବା ଉଦ୍ଦେଶ୍ୟ ନେଇ ବିଧି ଅନୁସାରେ କ୍ରିୟାକର୍ମ କରାଯାଏ ଏବଂ ତା’ ପରେ ଏକପାଦ ପୁଷ୍କର ମୁକ୍ତି ପାଇ ଚାଲିଯାଏ । ଏର ବିଶ୍ଵାସ କେଉଁ କାଳରୁ ଗାଁ ଓ ସହରର ଲୋକଙ୍କ ଚଳଣିରେ ରହିଯାଇଛି । ଆଉ କେଉଁଠି ଚଢ଼େଇ ପାଦ ପରି, ହାତୀ ବା ବାଘ ପାଦ ପରି ଚିହ୍ନ ଦେଖାଯାଏ । ସେଇଥିରୁ ଜଣାଯାଏ ଯେ ପ୍ରେତାତ୍ମା ଚଢ଼େଇ ବା ହାତୀ ରୂପେ ଜନ୍ମ ହେବ । ଦଶାହ କ୍ରିୟା ସମସ୍ତ ବ୍ରାହ୍ମଣ ପୁରୋହିତ କରନ୍ତି ନାହିଁ । ସେଥିପାଇଁ ଅଲଗା ଘାଟୁଆ ବ୍ରାହ୍ମଣ ଅଛନ୍ତି । ଆମ ଗାଁରେ ପୀତାମ୍ବର ଷଡ଼ଙ୍ଗୀ ନାମରେ ଜଣେ ଘାଟୁଆ ବ୍ରାହ୍ମଣ ଥିଲେ । ପାଖ ଆଖ ଗାଁରେ କେହି ମଲେ ତା’ର ଘାଟ କାମ କରିବା ପାଇଁ ତାଙ୍କୁ ଡାକରା ଆସୁଥିଲା । ତାଙ୍କ ଘର ମୋ ଶ୍ଵଶୁର ଘର ସାମ୍ନାରେ । ମୁଁ ଦେଖିଛି ଯେ ଯେଉଁଦିନ ଘାଟ କାମ ନଥାଏ ସେ ରାତିରେ ଭଲଭାବେ ଶୋଇ ପାରନ୍ତି ନାହିଁ ଏବଂ ବିଳିବିଳେଇବା ପରି କାହାକୁ ପାଖରେ ଦେଖି କହୁଥାଆନ୍ତି- ଆଃ । ଘାଟ ଛାଡ଼ି ତୁ ଏଠିକୁ ଚାଲିଆସିଛୁ... ପଳା ପଳା... ଗୃହସ୍ଥ ଘର... ଏଠାରେ ଅଘଟଣ ନଘଟେ ଯେପରି....। ତା’ ପରେ ଗୁଣୁ ଗୁଣୁ ହୋଇ କ’ଣ ମନ୍ତ୍ର କରନ୍ତି ଏବଂ ପ୍ରେତାତ୍ମାର ଉତ୍ପାତ ବନ୍ଦ ହୋଇଯାଏ ।

 

ଥରେ ମୋର ଜଣେ ଆତ୍ମୀୟ ଗର୍ଭାବସ୍ଥାରେ ମରିଗଲେ । ତାଙ୍କର ଶୁଦ୍ଧକ୍ରିୟା ବିଧି ଅନୁସାରେ ସମାପ୍ତ ହେଲା ପରେ ମଧ୍ୟ ତାଙ୍କ ଘରେ ଓ ସମ୍ପର୍କୀୟମାନଙ୍କ ଘରେ କିଛି ନା କିଛି ଉତ୍ପାତ ଲାଗି ରହିଲା । ଭୂତ ପ୍ରେତମାନେ ରାତିରେ ଚଳପ୍ରଚଳ କରନ୍ତି । ବୋଧହୁଏ ଅନ୍ଧାର ରାତିରେ ଭୂତ ସେଥିପାଇଁ ଏତେ ଭୟଙ୍କର । ବାରିପଦା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପାଖରେ ସେତେବେଟେ ମୋ ମା’ ଓ ବାପା ମଧ୍ୟ ଥିଲେ । ଶ୍ରାଦ୍ଧକ୍ରିୟା ସମାପ୍ତ ହେବା ପରେ ଆମ ବାରିପଦା ଘରେ ଉତ୍ପାତ ଲାଗି ରହିଲା । ପ୍ରତିଦିନ ଗୋଟିଏ ଚଢ଼େଇ ଭଳି ଶଦ୍ଦ କରି ଛାତ ଉପରେ ଚକ୍କର କାଟେ ଏବଂ ମଇଳା ପକାଏ । ଦିନ ଦିନ ଧରି ଏପରି ଭୌତିକ କ୍ରିୟା ଲାଗି ରହିବାରୁ ମୋ ମା’ ବ୍ୟତିବ୍ୟସ୍ତ ହୋଇ ବାପାଙ୍କୁ କହିଲା ଏବଂ ବାପା କହିଲେ ଯେ କିଏ ଏ କାଣ୍ଡ କରୁଛି ସେ ଜାଣନ୍ତି ମୋ ବାପା ପୁରୀ ସଂସ୍କୃତ କଲେଜରେ ଅଧ୍ୟୟନ କଲା ଦିନୁ ତନ୍ତ୍ର ବିଦ୍ୟା ପ୍ରତି ଆକର୍ଷିତ ହୋଇଥିଲେ । ପରେ ତନ୍ତ୍ରଗୁରୁଙ୍କଠାରୁ ଦୀକ୍ଷା ନେର ଜଣେ ଉଲ ତାନ୍ତ୍ରିକ ଭାବେ ସୁନାମ ଅର୍ଜନ କରିଥିଲେ । ଦିନେ ରାତିରେ ସେହିପରି ଶବ୍ଦ ହେବା ବେଳକୁ ବାପା କ୍ରିୟା ଆରମ୍ଭ କରି ମନ୍ତ୍ର କଲେ ଏବଂ ତା’ପର ଦିନଠାରୁ ଆଉ ସେପରି କାର୍ଯ୍ୟ ହୋଇ ନଥିଲା ।

 

ମୋ ସମୁଦି ବ୍ରଜବନ୍ଧୁ ରଥ ଜଣେ ସୁପରିଚିତ ସମାଜସେବୀ । ଜୀବନରେ ସମାଜବାଦୀ ଓ ଆଦର୍ଶବାଦୀ ବ୍ୟକ୍ତି ରୂପେ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କ ଆଦି ଘର ନିମାପଡ଼ା ପାଖରେ । ତାଙ୍କ ଗାଁରେ ଏବେ ବି ତାଙ୍କ ସମ୍ପର୍କୀୟମାନେ ଅଛନ୍ତି । ଥରେ ସେ ତାଙ୍କ ଖୁଡ଼ୀଙ୍କ ଅସୁସ୍ଥତାର ଖବର ପାଇ ଗାଁକୁ ଗଲେ । ଖୁଡ଼ୀ ବୟସ୍କା ମହିଳା ଓ ବିଧବା । ତାଙ୍କୁ କ’ଣ ହୋଇଥାଏ କେଜାଣି ସେ ପାଣି, ତୋରାଣି ପିଇ ପାରୁନଥାନ୍ତି କି କୌଣସି ଖାଦ୍ୟ ପାଟିରେ ପୂରାଇ ପାରୁନଥାନ୍ତି । ହାତ ଅଧବାଟରେ ଆପେ ଆପେ ଅଟକି ଯାଉଥାଏ ଏବଂ ଖାଦ୍ୟ ବା ପାଣି ପଡ଼ି ଯାଉଥାଏ । ଚିକିତ୍ସା ଦ୍ଵାରା କିଛି ଫଳ ଫଳିଲା ନାହିଁ । ଗୁଣିଆ ଡକା ହୋଇ ଆସିଲା । ବ୍ରଜବାବୁ ସେଦିନ ଗାଁରେ ଥିଲେ ଏବଂ ଆଖିରେ ଦେଖୁଛନ୍ତି । ଗୁଣିଆ ଆସି ମନ୍ତ୍ର ଓ କ୍ରିୟା କଲା । ଲୁଣ ଓ ସୋରିଷ ମନ୍ତ୍ର କରି ଛାଟିବାରୁ ତାଙ୍କ ଖୁଡ଼ୀ ଚିତ୍କାର କଲେ - ଆରେ ଏ କ’ଣ କରୁଛୁ... ମୋତେ ଶାସ୍ତି ଦେଏନା... । ଗୁଣିଆ ନଛୋଡ଼ବନ୍ଧା । ସେ କ୍ରିୟା କରିଚାଲିଲା ଏବଂ ଅଳ୍ପ ସମୟ ପରେ ଖୁଡ଼ୀଙ୍କ ଦେହରେ ପ୍ରବେଶ କରି ଏସବୁ କାଣ୍ଡ କରୁଥିବା ପ୍ରେତାତ୍ମା ପଳାଇଗଲା । ଗୁଣିଆ ତାକୁ ଚିହ୍ନିପାରି କହିଲା ତୁ ତା’ ହେଲେ ଏଠାରେ ବି ଆସି ରତ୍ପାତ କରୁଥିଲୁ । ଯା, ଆଉ ତୋତେ ଆସିବାକୁ ହେବନାହିଁ । ଆଠ ଦଶଦିନ ଧରି ଖାଇପିଇ ପାରୁ ନଥିବା ଖୁଡ଼ୀ ପୁଣି ସ୍ଵାଭାବିକ ଭାବେ ଖିଆପିଆ କଲେ ।

 

ମୋ ବାପା ତାଙ୍କ ତନ୍ତ୍ରଗୁରୁ ବିହାରର ଲହରିଆ ସରାଇ ପାଖର ଖଗରିଆ ଗ୍ରାମର ଜଗନ୍ନାଥ ମିଶ୍ରଙ୍କ ଠାରୁ ତନ୍ତ୍ର ଶିକ୍ଷା କରିଥିଲେ । ମୁଁ ବାରିପଦାରେ ଥିବାବେଳେ ଦୁହିଁଙ୍କୁ ଅଧରାତିରେ ଶ୍ମଶାନକୁ ଯିବାର ଦେଖୁଛି । ତାଙ୍କୁ ଆମେ ଗୁରୁଜୀ ତାକୁଥାଉ । ସେ ମାଛ ମାଂସ ଖାଉଥିଲେ ଓ ବାରର ବାରଣ ମାନୁନଥିଲେ । ବିପଦ ଆପଦରେ ପଡ଼ି ବାପାଙ୍କୁ କେହି ପ୍ରତିକାର କରିବା ପାଇଁ କହିଲେ ବାପା ଗୁରୁଜୀଙ୍କୁ କହୁଥିଲେ ଏବଂ ସ୍ଥଳ ବିଶେଷରେ ପରୋପକାର କରିବା ଲାଗି ଗୁରୁଜୀ ଶ୍ମଶାନକୁ ଯାଇ ତନ୍ତ୍ରସାଧନା କରୁଥିଲେ । ବାପା ତାଙ୍କ ସହିତ ଅନେକ ଥର ବାରିପଦାର ଶ୍ମଶାନ ବାରୁଣୀ ଘାଟରେ ରାତି କଟାଇଛନ୍ତି । ଥରେ ଜଣେ ଭଦ୍ରଲୋକଙ୍କ ଅନୁରୋଧ ରକ୍ଷା କରି ତାଙ୍କ ଅମଙ୍ଗଳର କାରଣ ଜାଣିବା ଓ ପ୍ରତିକାର କରିବା ପାଇଁ ଗୁରୁଜୀଙ୍କ ସହିତ ବାପା ଶ୍ମଶାନକୁ ଯାଇଥିଲେ । ଏମାନେ ଯିବାବେଳେ ମୂଷଳ ଧାରାରେ ବର୍ଷା ହେଉଥିଲା । ପ୍ରବଳ ବର୍ଷା ଯୋଗୁଁ ବାରୁଣୀ ଘାଟ ଶ୍ମଶାନକୁ ଦାହ କରିବା ପାଇଁ ଆଣିଥିବା ଜଣେ ସଧବା ସ୍ତ୍ରୀଙ୍କୁ ଛାଡ଼ି ମାଲଭାରମାନେ ପଳାଇ ଯାଇଥାନ୍ତି । ଗୁରୁଜୀ ସେଇ ସ୍ତ୍ରୀ ଲୋକ ଉପରେ ବସି ତନ୍ତ୍ରସାଧନା କଲେ । ଏବଂ ଭଦ୍ରଲୋକଙ୍କ ପାଇଁ ଯାହା କରିବା କଥା ତାହା ହୋଇଗଲା ।

 

ଏମିତି ହୁଏ । ନ ହେବା କଥା ହୋଇଯାଏ ଅପ୍ରତ୍ୟାଶିତ ଭାବେ ଅଲୌକିକ ଢଙ୍ଗରେ । ବେଳେ ବେଳେ ଚମକି ଯାଏ ମନ । ଚେତନାରେ ପ୍ରଶ୍ନ ପଚାରିବାର ଢେଉ ଉଠେ । ହୁଏତ ସବୁଠାରେ ସବୁକ୍ଷେତ୍ରରେ ଏପରି ଘଟୁଥିବ, ମନ ଦେଇ ଚିନ୍ତା ନକଲେ ଅନୁଭୂତିର ପରଦାରେ ନଘଟିବା କଥା ଘଟୁଥିବାର ଚିତ୍ର ଦେଖିହୁଏ ନାହିଁ । ମୋ ବଡ଼ ପୁଅର ପିଲାବେଳ କଥା । ତାକୁ ସେତେବେଳେ ଆଠ କି ନଅ ବରଷ ବୟସ । ପ୍ରାୟ ଅସୁସ୍ଥ ରହୁଥାଏ । ଜ୍ୟୋତିଷ କହିଲେ ଘାଟି ପଡ଼ିବ ଆଗରେ । ଦୈବୀକୃପା ହେଲେ ହୁଏତ ଟାଳିଦେବ, ନହେଲେ ବିପଦ । ମୋ ଅଜା ଈଶ୍ୱର ଚନ୍ଦ୍ର ହୋତା ଜଣେ ଶାସ୍ତ୍ରଜ୍ଞ ସାଧକ ଥିଲେ । ତାଙ୍କରି ପରାମର୍ଶ ଅନୁସାରେ ଦିବ୍ୟକୃପା ଲାଭ କରିବା ପାଇଁ କର୍ମ କରାଗଲା । କାଳିଗାଈର ଘିଅ ଯିଏ କରିଥିବେ ତାଙ୍କ ଘରେ ଛୁତିକା କିମ୍ବା ଅଶୁଦ୍ଧ ସମୟ ପଡ଼ିନଥିବ । ଘିଅ ଶୁଦ୍ଧ ସାନରେ ରଖାଯାଇଥିବ । ଏପରି ସର୍ତ୍ତ ପାଳନ କରି ଘିଅ ସଂଗ୍ରହ କରିବା କଷ୍ଟ । ତଥାପି ଦେହରେ ଜ୍ଵର ଥିଲେ ମଧ୍ୟ ବାପା ପ୍ରବଳ ବର୍ଷାରେ ଏହିପରି ଜଣେ ଲୋକଠାରୁ ଘିଅ ସଂଗ୍ରହ କଲେ । କଳା ଛାଗ ମଧ୍ୟ ମିଳିଗଲା । ଯଜ୍ଞାନୁଷ୍ଠାନ ସମାପ୍ତ ହେଲା । ପୁଅର ରିଷ୍ଟ କଟିଗଲା । ସେଇଦିନୁ ସେ ଆରୋଗ୍ୟ ।

 

ସତରେ ଦୈବୀଶକ୍ତି ଅଛି କି ନାହିଁ, ଯନ୍ତ୍ରମନ୍ତ୍ର ଭୂତପ୍ରେତ ଅଛନ୍ତି କି ନାହିଁ ଏ ବିଷୟ ବିଜ୍ଞାନ ସମ୍ମତ ଉପାୟରେ ପ୍ରମାଣ କରିହେବ ନାହିଁ । କିନ୍ତୁ ଯୁଗ ଯୁଗ ଧରି ଏହା ଅଛି ଓ ରହିଥିବ ବୋଲି ବିଶ୍ଵାସ କରି ଆସିଛି ମଣିଷ । ବିଶ୍ୱାସର ପୃଥିବୀ ଅଲଗା । ସେଠାରେ ଅଲୌକିକତା ଅଛି, ସେଠାରେ ଅପ୍ରତ୍ୟାଶିତ ସମ୍ଭବ ହୁଏ । ଆମେ ବଦଳି ହୋଇ କଲିକତାରୁ ଆସିଲୁ ଭୁବନେଶ୍ଵର । ପହଞ୍ଚିବାର ଦୁଇତିନି ଦିନ ପରେ ସାତକଡ଼ି ବାବୁ ବେମାର ପଡ଼ିଲେ । ଶ୍ଵାସ । ତାକ୍ତର ସୌମିତ୍ର ପାଣିଗ୍ରାହୀ ରୋଗ ଚିହ୍ନଟ କରି ନିଦାନ ଲେଖିଦେଲେ । ଇଏ ଗୋଟେ ପ୍ରକାର ଏଲର୍ଜି । ସେହି ବର୍ଷଠାରୁ ପ୍ରତିବର୍ଷ ଶୀତ ଋତୁରେ ଶ୍ଵାସ ରୋଗରେ ଆକ୍ରାନ୍ତ ହେଲେ । ଥରେ ଲେଖକ ସାମ୍ମୁଖ୍ୟ ଅଧିବେଶନରେ ଯୋଗ ଦେବା ପାଇଁ ରାଉରକେଲା ଟ୍ରେନ୍‌ରେ ଯାଉଥିବା ବେଳେ ଟ୍ରେନ୍‌ରେ ଶ୍ଵାସ କଷ୍ଟ ପ୍ରବଳ ହେବାରୁ ଖଡ଼ଗପୁରରେ ଓହ୍ଲାଇ ସାତଦିନ ଅକ୍ସିଜେନ୍ ଟେଣ୍ଟ ଭିତରେ ହସ୍‌ପିଟାଲରେ ରହିଲେ । ସେଠାରୁ ଫେରିବା ପରେ ପୁଣି ଭୁବନେଶ୍ୱରର ହସ୍‌ପିଟାଲରେ ରହିଲେ ସାତଦିନ । ଅକ୍ସିଜେନ୍ ପ୍ରାଣ ବଞ୍ଚାଇ ଦେଲା । ବାପା ଆସିଲେ ଆଉ ଜଣେ ନିଷ୍ଠାପର ତନ୍ତ୍ର ସାଧକଙ୍କୁ ନେଇ । ତନ୍ତ୍ରୋକ୍ତ ମତେ ସମ୍ପୁର୍ଣ ଚଣ୍ଡୀ ତିନିଦିନ କରାଗଲା । ହୋମ ଯଜ୍ଞ ମଧ୍ୟ ହେଲା । ପାଞ୍ଚ ବର୍ଷ ଶ୍ଵାସ ରୋଗ ଭୋଗ କରିବା ପରେ ସେ ଭଲ ହୋଇଗଲେ ଯେ ଆଉ ହୋଇନାହିଁ । ଡାକ୍ତରମାନେ ଆଶ୍ଚର୍ଯ୍ୟ ହେଲେ ଏଇ ଅଭାବିତ ଘଟଣା ଦେଖି ।

 

ହିନ୍ଦୁ ବିଶ୍ଵାସ ଶୂନ୍ୟରେ ଗଠିତ ହୋଇନାହିଁ କି ଶୂନ୍ୟରୁ ଖସି ନାହିଁ । ବିଜ୍ଞାନ ଯେପରି ଦୃଢ଼ ପ୍ରମାଣ ଉପରେ ପ୍ରତିଷ୍ଠିତ ଯୁଗ ଯୁଗର ବିଶ୍ଵାସ ପଛରେ ସେହିପରି ବହୁ ଉପଲବ୍ଧି ରହିଛି । ସେସବୁକୁ ଅନ୍ଧବିଶ୍ଵାସ କହି ଉଡ଼ାଇ ଦେଇ ହେବ ନାହିଁ । ହୁଏତ ବୈଜ୍ଞାନିକ ରୀତିରେ ତାହା ପ୍ରମାଣ ମଧ୍ୟ କରିହେବ ନାହିଁ । କିନ୍ତୁ କୁହାଯାଏ ଯେ ବିଶ୍ଵାସେ ମିଳଇ ହରି । ବିଶ୍ଵାସ ହିଁ ମୂଳ । ଅନ୍ଧବିଶ୍ଵାସ ଯେ ନାହିଁ ତାହା ମୁଁ କହୁନାହିଁ । ଅଜ୍ଞତାରୁ ଅନ୍ଧବିଶ୍ଵାସର ଜନ୍ମ । କିନ୍ତୁ ବିଶ୍ଵାସର ଜନ୍ମ ଚେତନାଦୀପ୍ତ ଉପଲବ୍ଧିରୁ । ସବୁ ଧର୍ମ ବିଶ୍ଵାସ ଉପରେ ପ୍ରତିଷ୍ଠିତ । ସବୁ ଧର୍ମର ଲୋକଙ୍କ ମଧ୍ୟରେ ବିଶ୍ଵାସ ଓ ଅନ୍ଧବିଶ୍ଵାସ ଉଭୟ ରହିଛି । ବିଶ୍ଵାସ ଠାରୁ ଅନ୍ଧବିଶ୍ଵାସକୁ ଅଲଗା କରିବା ସବୁବେଳେ ସହଜ ନୁହେଁ, କିନ୍ତୁ ଏହା ଅନ୍ଧମାନଙ୍କର ହାତୀ ଦେଖା ପରି ମଧ୍ୟ ନୁହେଁ । ଜଣେ ଲୋକର ବିଶ୍ଵାସ ପଛରେ ଶାଣିତ ଅନୁଭବ ବା ପ୍ରମାଣିକ ଉପଲବ୍ଧି ଥାଇ ନ ପାରେ । କିନ୍ତୁ ଶହ ଶହ ହଜାର ହଜାର ଲୋକଙ୍କ ଉତ୍ତରୋତ୍ତର ଉପଲବ୍ଧି ଗୁଲିଖଟି ଗପ ନୁହେଁ । ଶ୍ରୀରାମକୃଷ୍ଣ ପରମହଂସ ପ୍ରତି ଦେଶରେ ପ୍ରତିବର୍ଷ ଆବିର୍ଭାବ ହୁଅନ୍ତି ନାହିଁ କି ବିବେକାନନ୍ଦ ସଦାବେଳେ ପୃଥିବୀକୁ ଆସନ୍ତି ନାହିଁ । ବିବେକାନନ୍ଦ ମା’ ଅଛନ୍ତି କି ନାହିଁ ଜାଣିବାକୁ ଚାହିଁବାରୁ ଶ୍ରୀରାମକୃଷ୍ଣ ତାଙ୍କୁ ମାଆଙ୍କ ପାଖକୁ ପଠାଇ ଦେଇଥିଲେ । ଉତ୍କଟ ଦାରିଦ୍ର୍ୟରୁ ତ୍ରାହି ପାଇବା ପାଇଁ କିଛି ମାଗିବା ପାଇଁ ମଧ୍ୟ କହିଥିଲେ । କିନ୍ତୁ ଶ୍ରୀରାମକୃଷ୍ଣଙ୍କ ଅନୁଭବରେ ମା’ ଯେପରି ଆବିର୍ଭୁତା ହେଲେ ବିବେକାନନ୍ଦଙ୍କ ଅନୁଭବରେ ମଧ୍ୟ ସେହିପରି ଆସିଲେ, କିନ୍ତୁ ସେ କିଛି ମାଗି ପାରିଲେ ନାହିଁ । ଏଇପରି ଅନେକ ଅନୁଭବକୁ ନେଇ, ସତ୍ୟର ପୁଟଦିଆ ଶାଣିତ ଉପଲବ୍ଧି ଉପରେ ଗଢ଼ି ଉଠିଛି ଯୁଗ ଯୁଗର ବିଶ୍ଵାସ । ଅନୁଭବ ଯେତିକି ସ୍ଵଚ୍ଛ ଓ ନିର୍ମଳ ହେବ, ପ୍ରତ୍ୟୟ ଯେତିକି ଗଭୀର ଓ ଅହଙ୍କାର ବର୍ଜିତ ହେବ, ବିଶ୍ୱାସର ହିରଣ୍ମୟ ଜଗତରେ ଅଲୌକିକ ଘଟଣା ସେତିକି ଘଟୁଥିବ ଏବଂ ଯନ୍ତ୍ରମନ୍ତ୍ରର ଜଗତ ସେତିକି ବାସ୍ତବତା ସହିତ ସଂପୃକ୍ତ ହେଉଥିବ ।

 

ଆଉଥରେ କହିବି ଭୂତପ୍ରେତଙ୍କ କଥା- କଳ୍ପନା ନୁହେଁ- ଲୋକମାନଙ୍କର ଅଙ୍ଗେନିଭା କାହାଣୀ ।

Image

 

ଜ୍ଞାନପୀଠ ପୁରସ୍କାର

 

ଦିଲ୍ଲୀରେ ପହଞ୍ଚିବାରେ ମୁଁ ଜାଣିଲି ଯେ, ମାର୍ଚ୍ଚ ୨୮ ତାରିଖ ଦିନ ବଙ୍ଗଳା ଲେଖିକା ଶ୍ରୀମତୀ ମହାଶ୍ଵେତା ଦେବୀଙ୍କୁ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବ । ଖବର କାଗଜରୁ ଜାଣିଥିଲି, କିନ୍ତୁ ଯେତେବେଳେ ୩୨ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗ ଦେବା ପାଇଁ ଆମନ୍ତ୍ରଣ ପାଇଲି ସେତେବେଳେ ପ୍ରକୃତରେ ମୁଁ ଭାରି ଖୁସି ହୋଇଥିଲି । ଭୁବନେଶ୍ୱର ସୂଚନା ଭବନରେ ବହୁପ୍ରକାର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୁଏ । କିନ୍ତୁ ସେ ସବୁର ମହିମା ଓ ଗାରିମା ଅପେକ୍ଷା ଜ୍ଞାନପୀଠ ପୁରସ୍କାର ଯେ ଅତି ସମ୍ମାନଜନକ ଏହା ନିଃସନ୍ଦେହ । କାର୍ଯ୍ୟନିର୍ଘଣ୍ଟ ଅନୁସାରେ ଅପରାହ୍ନ ସାଢ଼େ ଚାରିଟା ସମୟରେ ପୁରସ୍କାର ଅନୁଷ୍ଠିତ ହେବାର କଥା, କିନ୍ତୁ ପ୍ରଧାନମନ୍ତ୍ରୀ ଶ୍ରୀ ଦେବେଗୌଡ଼ା ଏବଂ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଶ୍ରୀ ନେଲ୍‌ସନ୍ ମାଣ୍ଡେଲା ଉତ୍ସବକୁ ଆସୁଥିବାରୁ କଡ଼ା ନିରାପତ୍ତା ବ୍ୟବସ୍ଥା କରାଯାଇଥିଲା । ଏଣୁ ଆମନ୍ତ୍ରିତ ଅତିଥିମାନଙ୍କୁ ଅଧଘଣ୍ଟାଏ ପୂର୍ବରୁ ବିଜ୍ଞାନ ଭବନରେ ପହଞ୍ଚିବା ପାଇଁ ଅନୁରୋଧ କରାଯାଇଥିଲା ।

 

ସାତକଡ଼ି ବାବୁଙ୍କ ସହିତ ମୁଁ ବିଜ୍ଞାନ ଭବନରେ ପହଞ୍ଚିଲା ବେଳକୁ ଅନେକ ଆମନ୍ତ୍ରିତ ବ୍ୟକ୍ତି ଆସି ସାରିଥିଲେ । ହଲ୍ ଭିତରକୁ ପ୍ରବେଶ କରିବା ପୂର୍ବରୁ ଓଡ଼ିଶା ସାହିତ୍ୟରୁ ବଛାବଛା ଲେଖା ହିନ୍ଦୀକୁ ଅନୁବାଦ କରି ପ୍ରସିଦ୍ଧି ଲାଭ କରିଥିବା ଲେଖକ ଏବଂ ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ରାଜେନ୍ଦ୍ର ମିଶ୍ରଙ୍କ ସହିତ ଦ୍ଵାର ମୁହଁରେ ଭେଟ ହୋଇଗଲା । ରାଜେନ୍ଦ୍ର ବାବୁଙ୍କ ସହିତ ପୂର୍ବରୁ ବନ୍ଧୁତା ଅଛି ଏବଂ ଜ୍ଞାନପୀଠ ଟ୍ରଷ୍ଟ ପକ୍ଷରୁ ହିନ୍ଦୀରେ ଦଶଜଣ ଓଡ଼ିଆ ନାରୀ ଲେଖିକାଙ୍କର ପ୍ରକାଶିତ ଅନୁବାଦିତ ଗଳ୍ପ ମଧ୍ୟରୁ ମୋର ‘ଇତୁନାନୀ’ ଗଳ୍ପଟି ସ୍ଥାନ ପାଇଛି ।ଏହି ଗଳ୍ପ ଶ୍ରୀ ରାଜେନ୍ଦ୍ର ମିଶ୍ର ଓଡ଼ିଆରୁ ହିନ୍ଦୀକୁ ଅନୁବାଦ କରିଛନ୍ତି । ରାଜେନ୍ଦ୍ର ବାବୁଙ୍କ ସହିତ ଆସିଥିବା ଆଉ କେଦେକ ହିନ୍ଦୀ ଲେଖକ ଲେଖିକାଙ୍କ ସହ ପରିଚିତ ହେଲା । ବିଜ୍ଞାନ ଭବନର ରୂପ ଯେ ଏ ଭିତରେ ବଦଳି ଯାଇଛି ମୁଁ ତାହା ଜାଣି ନ ଥିଲି । ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲାବେଳେ ଅଗ୍ନିକାଣ୍ଡ ଦୁର୍ଘଟଣାରୁ ବିଜ୍ଞାନ ଭବନର କେତେକ ଅଂଶ ପୋଡ଼ିଜଳି ନଷ୍ଟ ହୋଇଯାଇଥିଲା । ତା’ପରେ ବିଜ୍ଞାନ ଭବନକୁ ଆହୁରି ସୁନ୍ଦର ଏବଂ ସାଜସଜ୍ଜା ମଣ୍ଡିତ କରାଯାଇଛି । ଆମେ ବସିଥିବା ପ୍ରକାଣ୍ଡ ହଲ୍‌ରେ ଅଢ଼େଇ ହଜାର ଲୋକଙ୍କ ବସିବା ଭଳି ଆୟୋଜନ । ପ୍ରତି ସିଟ୍‌ ରୁ ଭାଷଣ ଶୁଣିବା ପାଇଁ ଏୟାରଫୋନ୍ ଓ କହିବା ପାଇଁ ପବ୍ଲିକ ଆଡ଼୍ରେସ୍‌ ସିଷ୍ଟମ୍‌ ଏବଂ ଶଦ୍ଦ କମ୍‌ ବେଶୀ କରିବା ପାଇଁ ତକ୍‌ନିକି ବ୍ୟବସ୍ଥା ରହିଛି ।

 

ଠିକ୍ ସାଢ଼େ ଚାରିଟା ବେଳେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଡକ୍ଟର ନେଲ୍‌ସନ୍ ମାଣ୍ଡେଲା ଉଲ୍ଲସିତ କରତାଳି ମଧ୍ୟରେ ମଞ୍ଚ ଉପରେ ପହଞ୍ଚିବା କ୍ଷଣି ଦର୍ଶକମଣ୍ଡଳୀ ତାଙ୍କୁ ଅଭିବାଦନ ଜଣାଇଥିଲେ । ତା’ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନ୍, ଇନ୍ଦ୍ରକୁମାର ଗୁଜୁରାଲ, ଶ୍ରୀ ବେଣୀପ୍ରସାଦ ବର୍ମା ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଆସି ଆଗ ଧାଡ଼ିରେ ବସିଥିଲେ । ରାଷ୍ଟ୍ରପତି ମାଣ୍ଡେଲା ଆସିବାର କେତେ ମିନିଟ୍‌ ପୂର୍ବରୁ ଶ୍ରୀମତୀ ସୋନିଆ ଗାନ୍ଧିଙ୍କୁ ହଲ କିତରଳୁ ପ୍ରବେଶ କରିବାର ଦେଖିଲି । ଶିଷ୍ଟାଚାର ଦୃଷ୍ଚିରୁ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ପହଞ୍ଚିବା ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ପହଞ୍ଚିବା କଥାକୁ ପ୍ରଧାନମନ୍ତ୍ରୀ ପ୍ରାୟ ସାତ ମିନିଟ୍‌ ପରେ ସଭାସ୍ଥଳରେ ପହଞ୍ଚିଲେ । ପୁଷ୍ପଗୁଚ୍ଛ ପ୍ରଦାନ ପରେ ସରସ୍ୱତୀଙ୍କ ବନ୍ଦନା ସହିତ କାର୍ଯ୍ୟକ୍ରମ ଆରମ୍ଭ ହେଲା ।

 

ଜ୍ଞାନପୀଠ ପୁରସ୍କାର ଭାରତର ସବୁ ସାହିତ୍ୟ ପୁରସ୍କାର ଠାରୁ ଅଧିକ ସମ୍ମାନଜନକ ଏବଂ ତାହା ଭାରତର ସାହିତ୍ୟ ନୋବେଲ୍‌ ପୁରସ୍କାର ବୋଲି କୁହାଯାଏ । ସୌଭାଗ୍ୟର ବିଷୟ ଯେ, ଏ ପର୍ଯ୍ୟନ୍ତ ଜ୍ଞାନପୀଠ ପୁରସ୍କାର ପାଇଥିବା ଚଉତିରିଶ ଜଣ ଭାରତୀୟ ଲେଖକଙ୍କ ମଧ୍ୟରେ ଓଡ଼ିଶାର ସ୍ଵର୍ଗତ ଗୋପୀନାଥ ମହାନ୍ତି, ବିଶିଷ୍ଟ କବି ଶ୍ରୀ ସଚ୍ଚି ରାଉତରାୟ ଓ ଶ୍ରୀ ସୀତାକାନ୍ତ ମହାପାତ୍ର ମର୍ଯ୍ୟାଦାପୂର୍ଣ୍ଣ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି ।

 

‘ଟାଇମ୍‌ସ ଅଫ ଇଣ୍ଡିଆ’ର ପ୍ରକାଶକ ‘ବେନେଟ୍‌ କୋଲମନ୍ ଏବଂ କମ୍ପାନୀ’ର ପୂର୍ବତନ ଅଧ୍ୟକ୍ଷ ୰ଶାନ୍ତି ପ୍ରସାଦ ଜୈନ ଏବଂ ତାଙ୍କର ଧର୍ମପତ୍ନୀ ୰ରମା ଜୈନଙ୍କ ଦ୍ଵାରା ପ୍ରତିଷ୍ଠିତ ଜ୍ଞାନପୀଠ ପୁରସ୍କାର ୧୯୬୫ ମସିହାରୁ ଦିଆଯାଇଛି । ଏପର୍ଯ୍ୟନ୍ତ ପୁରସ୍କୃତ ହୋଇଥିବା ଲେଖକମାନଙ୍କ ମଧରେ କେବଳ ଦୁଇଥର ଯୁଗ୍ମ ବିଜେତା ପୁରସ୍କାର ପାଇଛନ୍ତି । ୩୪ ଥର ପୁରସ୍କାର ଦିଆଯାଇଛି ଏବଂ ଏଥି ମଧ୍ୟରୁ କନ୍ନଡ଼ ସାହିତ୍ୟକୁ ଛ’ଥର ହିନ୍ଦୀ ବଙ୍ଗଳା ପ୍ରତ୍ୟେକଙ୍କୁ ପାଞ୍ଚଥର ...ଚାରିଥର, ଓଡ଼ିଆକୁ ତିନିଅର, ଗୁଜୁରାଟୀ, ମରାଠୀ, ତେଲୁଗୁ ଏବଂ ଉର୍ଦ୍ଦ ପ୍ରତ୍ୟେକରୁ ଦୁଇଥର ଏବଂ ଆସାମୀ ପଞ୍ଜାବୀ ଓ ତାମିଲ ସାହିତ୍ୟ ପ୍ରତ୍ୟେକକୁ ଥରେ ଲେଖାଏଁ ଦିଆଯାଇଛି । ଓଡ଼ିଆ ସାହିତ୍ୟକୁ ତିନିଥର ପୁରସ୍କାର ମିଳିବା କମ୍‌ ଗୌରବର କଥା ନୁହେଁ । ଆହୁରି ଜାଣି ଖୁସି ଲାଗିଲା ଯେ, ୧୯୬୨ ମସିହାରେ ଏହି ପୁରସ୍କାର ପ୍ରଦାନ କରିବା ସମନ୍ଧରେ ହୋଇଥିବା ପ୍ରାଥମିକ ଆଲୋଚନାରେ ଓଡ଼ିଶାର ସ୍ୱର୍ଗତ ଡ. ହରେକୃଷ୍ଣ ମହତାବ ଏବଂ ସୁରେନ୍ଦ୍ର ମହାନ୍ତି ଅନ୍ୟାନ୍ୟ ପ୍ରସିଦ୍ଧ ବୁଦ୍ଧିଜୀବୀ ଓ ସାହିତ୍ୟିକଙ୍କ ସହିତ ଅଂଶଗ୍ରହଣ କରିଥଲେ । ଜ୍ଞାନପୀଠ ପୁରସ୍କାର ପ୍ରଦାନ ଏବଂ ଆନୁଷଙ୍ଗିକ କାର୍ଯ୍ୟ ଭାରତୀୟ ଜ୍ଞାଳପୀଠ ଟ୍ରଷ୍ଟ ଦ୍ୱାରା କରାଯାଇଥାଏ । ସବୁ ଭାରତୀୟ ଭାଷାରେ ଲିଖିତ ସାହିତ୍ୟର ମୂଲ୍ୟାଙ୍କନ କରିବା ପାଇଁ ଗୋଟିଏ ସିଲେକ୍‌ସନ୍‌ ବୋର୍ଡ଼ ରହିଛି । ଡକ୍ତର କରନ୍ ସିଂ ଏହି ବୋର୍ଡ଼ର ଅଧକ୍ଷ ଏବଂ ଏଥିରେ ଅଛନ୍ତି କିଛିଦିନ ତଳେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଆମନ୍ତ୍ରଣରେ ଭୁବନେଶ୍ଵର ଆସିଥିବା ହିନ୍ଦୀ ସାହିତ୍ୟ ଅଧ୍ୟାପକ ବିଦ୍ୟାନିବାସ ମିଶ୍ର, ଡକ୍ତର ବରେନ୍ଦ୍ର କୁମାର ଭଟ୍ଟାଚାର୍ଯ୍ୟ, ଡଃ. ନବନୀତା ଦେବସେନ୍, ଡଃ, ଜେ. ଏସ୍‌. ଜର୍ଜ, ଡଃ, ଶାନ୍ତିନାଥ ଦେଶାଇ, ଅଧ୍ୟାପକ ନାମୱାର ସିଂ, ଅଧ୍ୟାପକ ପି.ଏଲ୍‌. ଗାଡ଼୍‌ଗିଲ୍‌, ଡଃ ସୀତାକାନ୍ତ ମହାପାତ୍ର, ଅଧ୍ୟାପକ ଦୀନେଶ ମିଶ୍ର । ପ୍ରତି ଭାଷା ପାଇଁ ଗୋଟିଏ ଗୋଟିଏ ଉପଦେଷ୍ଟା କମିଟି ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ୧୯୯୬ ମସିହା ପୁରସ୍କାର ପାଇଁ କୌଣସି ଓଡ଼ିଆ କନ୍ନଡ଼ ଓ ମାଲୟାଲମ୍‌ ପୁସ୍ତକ ବିଚାରକୁ ନିଆଯାଇ ନଥିବାରୁ ଓଡ଼ିଆ ଭପଦେଷ୍ଟା କମିଟିର କେହି ନଥିଲେ ।

 

ଜ୍ଞାନପୀଠ ପୁରସ୍କାର ବାବଦକୁ ଅଢ଼େଇ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ଏହା ସହିତ ସରସ୍ୱତୀ ମୂର୍ତ୍ତି, ତାମ୍ରଫଳକ ମଧ୍ୟ ଦିଆଯାଏ । ଶ୍ରୀମତୀ ଜୈନ ସ୍ଵାଗତ ଭାଷଣରେ ପୁରୀ ଜଗନ୍ନାଥଙ୍କୁ ସ୍ମରଣ କରି କବିଗୁରୁ ରବୀନ୍ଦ୍ର ନାଥ କବିତାର ପ୍ରଥମ ଦୁଇଧାଡ଼ି କବିତା ଆବୃତ୍ତି କରିଥିଲେ ।

 

‘‘ରଥ ବୋଲେ ଆମି ଦେବତା

ପଥ ବୋଲେ ଆମି

ରଥ ପଥ କିଛୁ ନାଇଁ ହାସେନ୍‌ ଅନ୍ତର୍ଯ୍ୟାମି ।’’

 

ସ୍ୱାଗତ ଭାଷଣ ପରେ ବିପୁଳ କରତାଳି ମଧ୍ୟରେ ଡକ୍ଟର ମାଣ୍ଡେଲା ୧୯୯୬ ମସିହା ପାଇଁ ଜ୍ଞାନପୀଠ ପୁରସ୍କାର ଯଶସ୍ଵିନୀ ବଙ୍ଗଳା ଲେଖିକା ଶ୍ରୀମତୀ ମହାଶ୍ଵେତା ଦେବୀଙ୍କୁ ପ୍ରଦାନ କରିଥିଲେ । ଶ୍ରୀମତୀ ମହାଶ୍ଵେତା ଦେବୀ ଜଣେ ପ୍ରସିଦ୍ଧ ଭାରତୀୟ ଲେଖିକା ଏବଂ ଏ ପର୍ଯ୍ୟନ୍ତ ତାଙ୍କର ଶତାଧିକ ପୁସ୍ତକ ପ୍ରକାଶିତ ହୋଇଛି । ସେଥିମଧ୍ୟରୁ ଉପନ୍ୟାସ ଝାନ୍‌ସୀର ରାଣୀ, ପ୍ରଭୃତି ୪୫ଟି ଉପନ୍ୟାସର, ସପ୍ତପର୍ଣ୍ଣି ସୋନା ନାଇଁ ରୂପା ନାଇଁ ପ୍ରଭୃତି ୧୪ଟି ଗଳ୍ପ ସଂକଳନ, ହାଜର ଚୋରାସିର ମା’ ନାଟକ, ପଥଚଲି ଆନନ୍ଦେ, ବିର୍ସାମୁଣ୍ଡା ପ୍ରଭୃତି ଏଗାରଟି ଶିଶୁ ସାହିତ୍ୟ ଇତ୍ୟାଦି ଶତାଧିକ ପୁମ୍ତକ ରଚନା କରିଛନ୍ତି । ୧୯୨୬ ମସିହାରେ ଜନ୍ମଗ୍ରହଣ କରିଥିବା ମହାଶ୍ଵେତା ଦେବା ସାରା ଜୀବନ ଦୁଃଖୀ ଓ ବଂଚିତ ଆଦିବାସୀମାନଙ୍କ ମଧ୍ୟରେ ଜଣେ ସମାଜସେବୀ ଭାବରେ କାର୍ଯ୍ୟ କରି ଆସିଛନ୍ତି । ମାନବିକ ଅଧିକାର ସହିତ ମାନବିକ ମୂଲ୍ୟବୋଧ ଏବଂ ସାମାଜିକ ଅବିଚାର ବିରୋଧରେ ସେ କଲମ ଚଳାର ଆସିଛନ୍ତି । ଏହି ସାମାଜିକ ପ୍ରତିବଦ୍ଧତା ତାଙ୍କ ରଚନାରେ ମୂର୍ତ୍ତି ହୋଇଛି ଏବଂ ଏହି କାରଣରୁ ସେ ବଂଚିତ, ଦୁଃଖୀ ଓ ଦୁର୍ବଳମାନଙ୍କର ଏତେ ପ୍ରିୟ ।

 

ଜ୍ଞାନପୀଠ ପୁରସ୍କାର ଗ୍ରହଣ କରି ମହାଶ୍ଵେତା ଦେବୀ ଯାହା କହିଥିଲେ ତା’ର କିୟଦଂଶ ଏଠାରେ ଉଦ୍ଧାର କରୁଛି । ‘‘ଆଫ୍ରିକାର ସାଧାରଣତନ୍ତ୍ରର ରାଷ୍ଟ୍ରପତି ଡକ୍ଟର ନେଲ୍‌ସନ୍ ମାଣ୍ଡେଲାଙ୍କ ପରି ଜଣେ ମହାନ୍ ବ୍ୟକ୍ତିଙ୍କ ହାତରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରି ମୁଁ ଅଭିଭୂତ ହୋଇପଡ଼ିଛି । ଜେଲ୍‌ ଯିବା ପୂର୍ବରୁ, ଜେଲ ଭିତରେ ରହିବା ସମୟ ଏବଂ ତା’ପରେ ବହୁବର୍ଷ ଧରି ଡକ୍ଟର ମାଣ୍ଡୋଲ୍‌ ନିର୍ଯ୍ୟାତିତ, ଉତ୍ପୀଡ଼ୀତ ଏବଂ ମାନବିକ ଅଧିକାର ଓ ସମ୍ମାନ ପାଇଁ ସଂଗ୍ରାମ କରୁଥିବା ଅତ୍ୟାଚାରିତ ମାନଙ୍କର କେବଳ ତାଙ୍କ ନିଜ ଦେଶରେ ନୁହେଁ ସାରା ବିଶ୍ଵରେ ଏହାର ପ୍ରତୀକ ହୋଇ ରହିଛନ୍ତି । ମୋ ପରି ତାଙ୍କର ବହୁ ନିୟୁତ୍ତ ପ୍ରଶଂସକଙ୍କ ପାଇଁ ସେ ହେଉଛନ୍ତି ଆମ ସମୟର ସର୍ବାପେକ୍ଷା ମହାନ୍ ବୀର ।’

 

‘‘ଏବଂ ଆଦିବାସୀମାନେ ଏ ଦେଶର କେବଳ ବଂଚିତ ଲୋକ ନୁହଁନ୍ତି । ଏହି ଲୋକମାନେ ଭଲଭାବେ ବଂଚିବା ପାଇଁ ଅବିରତ ସଂଗ୍ରାମ କରି ଆସୁଛନ୍ତି, ସେମାନଙ୍କର ଆଶା ଓ ଉଦ୍‌ବେଗ, ସେମାନଙ୍କର ଜୟ ଏବଂ ପରାଜୟ ହିଁ ମୋ ଲେଖାର ବିଷୟବସ୍ତୁ ଏବଂ ତାହା ହିଁ ମୋ ଲେଖାର ବିଷୟବସ୍ତୁ ହୋଇରହିବ ।’’

 

ଲେଖକମାନଙ୍କୁ ସେମାନଙ୍କର ସାମାଜିକ ପ୍ରତିବଦ୍ଧତା ସଂପର୍କରେ ସୂଚନା ଦେଇ ମହାଶ୍ଵେତା ଦେବୀ କହିଲେ ଯେ, ଭାରତର ଅଗଣିତ ଲୋକ ଏବେବି ଅନ୍ଧକାରର ଅନ୍ତରାଳରେ ବାସ କରନ୍ତି । ଏହି ପ୍ରସଙ୍ଗରେ ସେ ବଙ୍ଗଳା ଲୋକ କବି ଗୋବିନ୍ଦ ଚନ୍ଦ୍ର ରାୟଙ୍କର ଗୋଟିଏ ପଂକ୍ତି, ଆବୃତ୍ତି କରିଥିଲେ ।

‘‘ସହର ସବୁ ଆଲୋକିତ ଝଲମଲ କରୁଛି ଆଲୋକର ମାଳ । କିନ୍ତୁ ସମଗ୍ର ଦେଶରେ ପରିବ୍ୟାପ୍ତ ଅନ୍ଧକାର । ଅନ୍ଧାର ହିଁ ଆମର ଦିନ ଏବଂ ରାତି ।’’

ଡକ୍ଟର ନେଲ୍‌ସନ୍ ମାଣ୍ଡେଲା ଲେଖକ ଏବଂ ବୁଦ୍ଧିଜୀବୀମୀନଙ୍କର ଏପରି ଏକ ଭବ୍ୟ ସମାରୋହକୁ ଆସିବାର ସୁଯୋଗ ପାଇଥିବାରୁ ଆନନ୍ଦ ପ୍ରକାଶ କରି କହିଥିଲେ ଯେ- ‘‘ମାନବିକ ଅଧିକାର ଏବଂ ମୂଲ୍ୟବୋଧ ସହିତ ଅନ୍ୟାୟ ଏବଂ ଉତ୍‌ପୀଡ଼ନ ବିରୋଧରେ ସାହିତ୍ୟ ମଣିଷ ସମାଜକୁ ସବୁକାଳରେ ଉଦ୍‌ବୁଦ୍ଧ କରିଆସିଛି ଏବଂ ତାହାହିଁ ଲକ୍ଷ୍ୟ ସିଦ୍ଧି ନ ହେଲା ପର୍ଯ୍ୟନ୍ତ ଲକ୍ଷ୍ୟ ହୋଇ ରହିବା ଆବଶ୍ୟକ ।’’ ପରିଶେଷରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୈତ୍ରୀ କାମନା କରି ଡକ୍ଟର ମାଣ୍ଡେଲା ନିମ୍ନୋକ୍ତ ବାକ୍ୟ କହି ତାଙ୍କର ଅଭିଭାଷଣ ଶେଷ କରିଥିଲେ ।

‘‘ହିନ୍ଦୁସ୍ଥାନ କି ଦୋସ୍ତି, ଆଫ୍ରିକା କି ଦୋସ୍ତି ହମାରା ହୈ ।’’

ଏହି ଉତ୍ସବ ଉପଲକ୍ଷେ ଡାକବିଭାଗ ପକ୍ଷରୁ ଚାରିଜଣ କନ୍ନଡ଼ କବିଙ୍କୁ ସମ୍ମୀନ ଜଣାଇବା ପାଇଁ ପ୍ରକାଶ ପାଇଥିବା ତାକଟିକଟ ପ୍ରଧାନମନ୍ତ୍ରୀ ଉନ୍ନୋଚନ କରିଥିଲେ ଏବଂ ଉଦ୍‌ବୋଧନ ଦେଇ ସାହିତ୍ୟିକମାନଙ୍କର ସାମାଜିକ ପ୍ରତିବଦ୍ଧତା ସଂପର୍କରେ ସୂଚାଇ ଦେଇଥିଲେ । ଏଠାରେ ଆହୁରି କହିରଖିବା ପ୍ରାସଙ୍ଗିକ ହେବ ଯେ, ଜ୍ଞାନପୀଠ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସର୍ଜନାତ୍ମକ ସାହିତ୍ୟ ପାଇଁ ମୂର୍ତ୍ତି ଦେବୀ ପୁରସ୍କାର ନାମରେ ଆଉ ଏକ ସର୍ବଭାରତୀୟ ପୁରସ୍କାର ପ୍ରତିବର୍ଷ ଦିଆଯାଇଥାଏ । ଗର୍ବର ବିଷୟ ଯେ, ଏହି ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ଏଗାର ଜଣ ମୂର୍ତ୍ତି ଦେବୀ ପୁରସ୍କାର ପାଇଥିବା ଲେଖକଲେଖିକା ମଧ୍ୟରୁ ଓଡ଼ିଶାର ଡଃ ପ୍ରତିଭା ରାୟ ଅନ୍ୟତମ । ସେ ଚାରିବର୍ଷ ତଳେ ତାଙ୍କର ‘ଯାଜ୍ଞସେନୀ’ ଉପନ୍ୟାସ ପାଇଁ ଏହି ପୁରସ୍କାର ପାଇଥିଲେ । ଆହୁରି ଜ୍ଞାନପୀଠ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପ୍ରତି ଭାରତୀୟ ଭାଷାରେ ଲିଖିତ ଉଚ୍ଚକୋଟୀର ସର୍ଜନାତ୍ମକ ସାହିତ୍ୟ ହିନ୍ଦୀ ଭାଷାରେ ପ୍ରକାଶ କରାଯାଏ । ଭାରତୀୟ ସାହିତ୍ୟରେ ସର୍ବାତ୍ମକ ଉନ୍ନତି ଓ ସାହିତ୍ୟ ମାଧ୍ୟମରେ ମାନବିକ ମୂଲ୍ୟବୋଧର ପ୍ରସାର ପାଇଁ ଦୀର୍ଘ ପଇଁତିରିଶ ଵର୍ଷ ଧରି ବେନେଟ୍‌ କୋଲ୍‌ମ୍ୟାନ ଆଣ୍ଡ କମ୍ପାନୀ କାଯ୍ୟ କରି ଆସୁଛନ୍ତି ଏବଂ ଜ୍ଞାନପୀଠ ପୁରସ୍କାର ଏବେ ଭାରତର ସର୍ବାପେକ୍ଷା ମର୍ଯ୍ୟାଦାଜନକ ପୁରସ୍କାରଭାବେ ପ୍ରସିଦ୍ଧି ଅର୍ଚ୍ଚନ କରିଛି ।

ଏହି ଭବ୍ୟ ଓ ମନୋଜ୍ଞା ସାରସ୍ଵତ ଉତ୍ସବରୁ ଫେରିବାବେଳେ ଜ୍ଞାନପୀଠ ପୁରସ୍କାର ବିଜେତା ମହେଶ୍ଵତା ଦେବୀଙ୍କର ସଂଘର୍ଷମୟ ଜୀବନ ଏବଂ ଓଡ଼ିଆ ଲେଖିକା ଡ଼ଃ ପ୍ରତିଭା ରାୟଙ୍କର ସର୍ଜନାତ୍ମକ ସାହିତ୍ୟ କ୍ଷେତ୍ରରେ ସଫଳତା ସଂବନ୍ଧରେ ଭାବିବାକୁ ସୁଖ ଲାଗୁଥିଲା । ହୁଏତ ଦିନ ଆସିବ ଯେତେବେଳେ ଓଡ଼ିଶାର ଅଧିକ ଲେଖକ ଲେଖିକା ଜ୍ଞାନପୀଠ ପୁରସ୍କାର ପାଇବେ ଏବଂ ଓଡ଼ିଆ ସାହିତ୍ୟର ମହିମାର ପ୍ରଶସ୍ତି ଦେଶ ବିଦେଶକୁ ବ୍ୟାପିଯିବ ।

ଆହୁରି ମନେ ପଡ଼ୁଥିଲା ଶ୍ରୀମତୀ ଇନ୍ଦୁ ଜୈନଙ୍କର ପଦେ କଥା : ଅମନ୍ତ୍ର ଅକ୍ଷର ନାସ୍ତି (ମନ୍ତ୍ର ହୋଇନଥିବା ଅକ୍ଷର ନାହିଁ) ଏବଂ ଅଯୋଗ୍ୟ ପୁରୁଷ ନାସ୍ତି (ଯୋଗ୍ୟତା ନଥିବ ପୁରୁଷ ମଧ୍ୟ ନାହିଁ) ଅର୍ଥାତ୍ ଅକ୍ଷର ହିଁ ମନ୍ତ୍ର ଏବଂ ଅଯୋଗ୍ୟ ବ୍ୟକ୍ତି ପୁରୁଷ ନୁହେଁ । ପ୍ରତି କବିତା ଗଳ୍ପ ବା ଉପନ୍ୟାସର ପ୍ରତି ବାକ୍ୟ କିପରି ମନ୍ତ୍ର ହୋଇପାରିବ ତାହା ଲେଖକ ଲେଖିକାମାନଙ୍କର ସତ୍ୟବଦ୍ଧତା, ନିଷ୍ଠା ଓ ସାଧନା ଉପରେ ନିର୍ଭର କରେ ।

Image

 

ତନ୍ତ୍ରମନ୍ତ୍ର ସାଧକ ଗଣେଶ ପରିଜା

 

ଲମ୍ବା ଗୋରା ଧୋତି ପଞ୍ଜାବି ପିନ୍ଧି ଭୁବନେଶ୍ୱରର ଏ ପ୍ରାନ୍ତରୁ ସେ ପ୍ରାନ୍ତ ପର୍ଯ୍ୟନ୍ତ ପାଦରେ ଅତିକ୍ରମ କରୁଥିବା ସେଇ ଲମ୍ବା ମଣିଷଟି ଆଉ ରାଜଧାନୀର ସାହିତ୍ୟ ସଭାରେ ମନ୍ଦିର ବେଢ଼ାରେ ବା ବନ୍ଧୁଗହଣରେ ଦେଖାଯିବେ ନାହିଁ । ସେ ଯେଉଁଠୁ ଆସିଥିଲେ ସେଇଠାକୁ ଫେରି ଯାଇଛନ୍ତି । ୧୯୩୦ ରୁ ୧୯୯୯ ଏହି ୭୦ ବର୍ଷ ଧରି ଯିଏ ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କର ବଂଶଧର ବୋଲି ପରିଚୟ ଦେଉଥିଲେ ସେ ଗଣେଶ ପ୍ରସାଦ ପରିଜା ଆଉ ଆମ ଗହଣରେ ନାହାନ୍ତି । ଜନ୍ମହେଲେ ମୃତ୍ୟୁ ସୁନିଶ୍ଚିତ । ସେ ମୃତ୍ୟୁକୁ ଆଦୌ ଭୟ କରୁନଥିଲେ ବରଂ ମୃତ୍ୟୁ ସହିତ ସାମ୍‌ନାସାମ୍‌ନି ହେବାପାଇଁ ସେ ଶ୍ମଶାନକୁ ଯାଇ ତନ୍ତ୍ର ସାଧନା କରୁଥିଲେ । ମୋ ବାପା ଥିଲେ ଜଣେ ତନ୍ତ୍ରସାଧକ ଏବଂ ତାଙ୍କ ସହିତ ଗଣେଶ ବାବୁଙ୍କ ଘନିଷ୍ଠ ସଂପର୍କ ଥିଲା ।

 

ଜଗନ୍ନାଥଙ୍କୁ ଜାଣିବା ପାଇଁ କେତେ ଆଚାର୍ଯ୍ୟ, ସାଧୁ ଓ ସନ୍ଥ ଯୁଗ ଯୁଗ ଧରି ସାଧନା କରିଆସିଛନ୍ତି । ଗଣେଶବାବୁଙ୍କର ଜଗନ୍ନାଥଙ୍କ ପ୍ରତି ଅନୁରାଗ ଏତେ ପ୍ରବଳ ଥିଲା ଯେ, ଘଣ୍ଟାଏ ତାଙ୍କ ସହିତ ଆଲୋଚନା କଲେ ଜଗନ୍ନାଥଙ୍କର ଆରମ୍ଭ ଓ ବିସ୍ତାର ସମ୍ବନ୍ଧରେ ମନରେ ମୋଟାମୋଟି ଗୋଟିଏ ଧାରଣା ହୋଇଥାଏ । ଆମେ କଲିକତାରେ ଥିଲାବେଳେ ଗଣେଶବାବୁ ଆସିଥିଲେ ସାହିତ୍ୟ ସଭାରେ ଯୋଗଦେବା ପାଇଁ । ବିଖ୍ୟାତ ଦାନ୍ତ ଡାକ୍ତର. ବାରିନ୍ ରାୟ ଗଣେଶବାବୁ ଆମ ଘରେ ଥିବା ଶୁଣି ନିମନ୍ତ୍ରଣ କଲେ ତାଙ୍କ ଘରକୁ ଯିବା ପାଇଁ । ସେତେବେଳେ ବାରିନ୍‌ବାବୁ ଯୋଜନା କରୁଥିଲେ ଚନ୍ଦନ ଯାତ୍ରାଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଜଗନ୍ନାଥଙ୍କର ବିଭିନ୍ନ ଉତ୍ସବ ଉପରେ ଏକ ପ୍ରାମାଣିକ ଚିତ୍ର କରିବା ପାଇଁ । ତାଙ୍କ ଘରେ ଗଣେଶବାବୁଙ୍କ ସହିତ ଏ ବିଷୟରେ ଆଲୋଚନା ହେଲା ଏବଂ ତା’ପରେ ସେ ପ୍ରାମାଣିକ ଚିତ୍ରର ପ୍ରସ୍ତୁତି ଆରମ୍ଭ କରିଥିଲେ । ଜଗନ୍ନାଥ ମନ୍ଦିର ବେଢ଼ା ଭିତରେ ଥିବା ସମସ୍ତ ଦେବାଦେବୀଙ୍କ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ସେ ଦିଅନ୍ତି-। କିପରି ପରମ ବୈଷ୍ଣବ ଜଗନ୍ନାଥଙ୍କ ନୀତି ଓ ପୂଜା ପଦ୍ଧତି ମଧ୍ୟରେ ଶାକ୍ତ, ଗାଣପତ୍ୟ, ତନ୍ତ୍ର ଇତ୍ୟାଦି ବିଭିନ୍ନ ମାର୍ଗର ନୀତିନିୟମର ସମନ୍ଵୟ ଘଟିଛି, ତାହା ସେ ଗୋଟି ଗୋଟି କରି ବୁଝାନ୍ତି । ଜଗନ୍ନାଥଙ୍କର ନବକଳେବର ଉତ୍ସବ ଆରମ୍ଭ ହେବା ପୂର୍ବରୁ ସେ ସମ୍ବନ୍ଧରେ ଏକ ପ୍ରାମାଣିତ ପୁସ୍ତକ ରଚନା କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ ମନ୍ତ୍ରୀ ସେକ୍‌ ମତ୍‌ଲୁବ୍ ଅଲ୍ଲୀ । ସେବକମାନେ ଦାରୁ ଆଣିବା ପାଇଁ ଯିବା ସମୟରେ ମମସ୍ତ ରୀତିନୀତି ସ୍ଵଚକ୍ଷୁରେ ଦେଖି ଓ ସେବକମାନଙ୍କ ସହିତ ରହି ଏ ବିଷୟରେ ଏକ ସୁନ୍ଦର ପାଣ୍ଠୁଲିପି ପ୍ରସ୍ତୁତ କରିଥିଲେ । ଡଗନ୍ନାଥ ଏଵଂ ତାଙ୍କର ମହିମାକୁ ନେଇ ଗଢ଼ି ଭଠିଥିବା କାହାଣୀ ଓ କିମ୍ବଦନ୍ତୀକୁ ଆଧାର କରି ସେ ବହୁ ଗଳ୍ପ ଲେଖିଛନ୍ତି, ଯାହା ଓଡ଼ିଆ ସାହିତ୍ୟକୁ ତାଙ୍କର ଅନନ୍ୟ ଅବଦାନ । ଖାଲି କ’ଣ ସେତିକି, ବୁଦ୍ଧ, ବୌଦ୍ଧ ଧର୍ମ, ହୀନଯାନ, ମହାଯାନ, ବୌଦ୍ଧତନ୍ତ୍ର ଓ ହିନ୍ଦୁତନ୍ତ୍ର ଏବଂ ଜୈନଧର୍ମ ଉପରେ ତାଙ୍କର ପାଣ୍ଡିତ୍ୟ ଥିଲା ଏବଂ ସେସବୁ ବହୁ ବିଚକ୍ଷଣ କଥା ଓ କିମ୍ବଦନ୍ତୀକୁ ନେଇ ସେ ବହୁ ପ୍ରବନ୍ଧ ଓ ଗଳ୍ପ ରଚନା କରିଛନ୍ତି-। ଏସବୁ ଓଡ଼ିଆ ସାହିତ୍ୟରେ ତାଙ୍କ ଆଗରୁ କେହି ଲେଖିନଥିଲେ ।

 

ଗଣେଶବାବୁ ଦୀର୍ଘ ସମୟ ଧରି ତନ୍ତ୍ରସାଧନା କରିଥିଲେ । ରାତି ରାତି ଶ୍ମଶାନରେ ଶବ ଉପରେ ବସି ବୀରପୂଜା କରିଥିଲେ । ତନ୍ତ୍ର ଉପରେ ତାଙ୍କର କେବଳ ଅଭିନିବେଶ ଥିଲା ତାହା ନୁହେଁ, ସେ ବିନା ସ୍ୱାର୍ଥରେ ତନ୍ତ୍ର ସାଧନା କରି ବହୁ ଲୋକଙ୍କର ସଂକଟମୋଚନ କରିବାରେ ସାହାଯ୍ୟ କରୁଥିଲେ । ଓଡ଼ିଆ ତନ୍ତ୍ର ସାହିତ୍ୟକୁ ତାଙ୍କର ଅବଦାନ ଉଲ୍ଲେଖନୀୟ । ସେ ତନ୍ତ୍ର ସାଧନାରେ ଅନେକ ବାଟ ଅଗ୍ରଗତି କରିଥିଲେ ବୋଲି ମନ୍ତ୍ରୀ, ତନ୍ତ୍ରୀ, ପ୍ରଶାସକ ସଂପଦଶାଳୀ ବ୍ୟକ୍ତିମାନେ ଅନେକ ସମୟରେ ନିଜର ମନସ୍କାମନ ସିଦ୍ଧ କରିବା ସକାଶେ ତାଙ୍କର ସାହାଯ୍ୟ ନେଉଥିଲେ ଏବଂ ପାଇବାର କୌଣସି ଆଶା ନରଖି ଗଣେଶବାବୁ ସେମାନକର କାର୍ଯ୍ୟ ଯଥାଶକ୍ତି ସମ୍ପୂର୍ଣ୍ଣ କରୁଥିଲେ । ସେ ଚାହିଁଥିଲେ ଅନେକ ଅର୍ଥ ଉପାର୍ଜନ କରିପାରିଥାନ୍ତେ କିନ୍ତୁ ତାହା ନକରି କେବଳ ସାଧୁତାର ସହିତ ନିଜର ବିଦ୍ୟା, ବୁଦ୍ଧି ଓ ଶକ୍ତିର ଉପଯୋଗ କରିଛନ୍ତି । ବହୁ ଦୃଷ୍ଟାନ୍ତ ମଧ୍ୟରୁ ଗୋଟିଏ ଏଠାରେ ଉଲ୍ଲେଖ କରାଯାଇପାରେ । ଜଣେ ମୁଖ୍ୟମନ୍ତ୍ରୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିଲା ବେଳେ ତାଙ୍କୁ ଜିତାଇବା ପାଇଁ ଆଧ୍ୟାତ୍ମିକ କ୍ରିୟା କରିବା ସକାଶେ ଗଣେଶବାବୁଙ୍କୁ ଅନୁରୋଧ କରାଯାଇଥିଲା । ସେ ମନା କରିପାରି ନଥିଲେ ଏବଂ ତିନି ରାତି ଶ୍ମଶାନରେ ବସି ତନ୍ତ୍ରସାଧନା କରିଥିଲେ । ମୁଖ୍ୟମନ୍ତ୍ରୀ ବିଜୟୀ ମଧ୍ୟ ହେଲେ । ଏହିପରି ପ୍ରତିକୂଳତାକୁ ଅଚଳତାରେ ପରିଣତ କରିବା ପାଇଁ ସେ ତନ୍ତ୍ରସାଧନା କରୁଥିଲେ । ଏହି କାରଣରୁ ନେତାମାନେ ବିଧାୟକ ହେବା ପାଇଁ, ବିଧାୟକ ମନ୍ତ୍ରୀ ଓ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କ ସାହାଯ୍ୟ ଲୋଡ଼ୁଥିଲେ । ସେମାନଙ୍କ ମଧ୍ୟରୁ ଯେ କେତେକ ଉପକୃତ ହୋଇଛନ୍ତି ଏହା ମୁଁ ଜାଣେ । ବିପଦ ଆପଦରେ ପଡ଼ି ତାଙ୍କ ଯୋଗୁଁ ସେଥିରୁ ଉଦ୍ଧାର ପାଇବାର ଚାକ୍ଷୁସ ପ୍ରମାଣ ମୁଁ ନିଜେ ପାଇଛି । ଆଉ ଗୋଟିଏ ବିଶେଷ ଗୁଣ ଥିଲା । ସେ ପ୍ଲାଞ୍ଚେଣ୍ଟ ସାଧନା କରୁଥିଲେ ଏବଂ ମୃତବ୍ୟକ୍ତିକୁ ଡାକି ବିଭିନ୍ନ ପ୍ରଶ୍ନ ପଚାରୁଥିଲେ । ଏହିପରି କେତେଥର ପ୍ଲାଞ୍ଚେଣ୍ଟ କରୁଥିବା ମୁଁ ଦେଖିଛି ।

 

ଗଣେଶବାବୁ ବଡ଼ ଚାକିରୀ କରୁ ନ ଥିଲେ । କିନ୍ତୁ ବଡ଼ ମଣିଷଟିଏ ଥଲେ । ଭୁବନେଶ୍ୱରର ରାସ୍ତାରେ ଚାଲିଲା ବେଳେ ସାଧାରଣ ଲୋକଙ୍କ ଠାରୁ ସଚିବମାନଙ୍କ ପର୍ଯ୍ୟନ୍ତ ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରୁଥିଲେ । ଆଦିକବି ସାରଳା ଦାସଙ୍କର ସମାଧି ପୀଠ ଯେଉଁଠି ଅଛି, ସେହି ତେନ୍ତୁଳିପଦାରେ ଗଣେଶଵାବୁଙ୍କ ପୈତୃକ ବାସସ୍ଥାନ । ମାଘ ସପ୍ତମୀ ଦିନ ସାରଳା ଦାସଙ୍କର ଶ୍ରାଦ୍ଧ କରିବା ପାଇଁ ସେ ପ୍ରତିବର୍ଷ ଗାଆଁକୁ ଯାଆନ୍ତି । ଗତ ତିରିଶବର୍ଷ ଧରି ସାରଳା ଶ୍ରାଦ୍ଧୋତ୍ସବ ତାଙ୍କରି ଉଦ୍ୟମରୁ ତେନ୍ତୁଳିପଦାଠାରେ ସମାରୋହରେ ପାଳିତ ହୋଇଆସିଛି । ସେଠାରେ ଏକ ସ୍ମୃତି ମନ୍ଦିର ନିର୍ମାଣ କରିବା ପାଇଁ ତାଙ୍କର ଉଦ୍ୟମ ଫଳବତୀ ହୋଇଥିଲା । ସେ ଏବଂ ସାତକଡ଼ି ବାବୁ ସେତେବେଳେର ସଂସ୍କୃତି ସଚିବ ଏ.ଏନ୍ ତିୱାରୀଙ୍କ ମାଧ୍ୟମରେ ତେନ୍ତୁଳିପଦା ସମାଧି ପୀଠରେ ସ୍ମୃତିମନ୍ଦିର ନିର୍ମାଣ କରାଇଥିଲେ । କଟକର ବିଶିଷ୍ଟ ବଦାନ୍ୟ ବ୍ୟକ୍ତି ସ୍ଵର୍ଗତ ଆଦିକନ୍ଦ ସାମନ୍ତରାୟ ଓ ତାଙ୍କ ପତ୍ନୀ ଶ୍ରୀମତୀ ଶଶିପ୍ରଭା ସାମନ୍ତରାୟଙ୍କୁ ପ୍ରବର୍ତ୍ତାଇ ସମାଧି ପୀଠ ଓ ନଦୀଘାଟର ସଂସ୍କାର କରାଇଥିଲେ । ଗଣେଶବାବୁ ବଡ଼, ଛୋଟ, ଜ୍ଞାନୀ, ଗୁଣୀ ରାଜନୈତିଜ୍ଞ ନେତା ଓ ବ୍ୟବସାୟୀ ସବୁ ମହଲରେ ଥିଲେ ଜଣାଶୁଣା । ମନ୍ତ୍ରୀମାନେ ଅନେକ ସମୟରେ ସେମାନଙ୍କର ଭବିଷ୍ୟ ଗଣନା କରିବା ପାଇଁ ତାଙ୍କୁ କହୁଥିଲେ । କିନ୍ତୁ ସେ ଦିନେ ହେଲେ କାହାଠାରୁ କୌଣସି ସୁବିଧା ନେଇନାହାନ୍ତି । ସେଥିପାଇଁ ଭୁବନେଶ୍ୱରରେ ଚାଳିଶ ବର୍ଷ ରହିଥିଲେ ମଧ୍ୟ ସେ ଗୋଟିଏ ଛୋଟ ଘର ତୋଳିବା ପାଇଁ ଜମିଖଣ୍ଡିଏ ମଧ୍ୟ ନେଇପାରିଲେ ନାହିଁ । ତାଙ୍କର ସବୁକିଛି ପାଇବାର ଥିଲା । ତାହା ତାଙ୍କୁ ଦିଆ ଯାଇ ପାରିନାହିଁ । ସେ ବିଷୁବ ପୁରସ୍କାର ପାଇଥିଲେ । ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ‘ସମୟ’ ଖବର କାଗଜ ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇଥିଲେ । ‘ସମାଜ’, ‘ସମୟ’, ‘ସମ୍ବାଦ’, ‘ପ୍ରଜାତନ୍ତ୍ର’ ପ୍ରଭୃତି ବିଭିନ୍ନ ଦୈନିକ ଖବର କାଗଜରେ ସେ ନିୟମିତ ସ୍ତମ୍ଭ ଓ ଅନ୍ୟାନ୍ୟ ରଚନା ଲେଖୁଥିଲେ ।

 

ଏହି ଗୁଣୀ ଲୋକଟି କାହାରି ଶତ୍ରୁ ନଥିଲେ । ବରଂ ଥିଲେ ସମସ୍ତଙ୍କର ମିତ୍ର ଓ ଶୁଭ ଚିନ୍ତକ । ଆଜି ତାଙ୍କ ବିୟୋଗରେ ବସୁନ୍ଧରା ବନ୍ଧୁହୀନ ହୋଇଯିବା ପରି ଲାଗୁଛି । ଦୀର୍ଘ ସମୟ କର୍କଟ ରୋଗରେ ପଡ଼ି ମଧ୍ୟ ଲଢ଼ୁଆ ସୈନିକ ପରି ସେ ନିଶ୍ଚିନ୍ତ ମନରେ ଚାଲିଗଲେ ଆଉ ଏକ ଅଜଣା ସ୍ଥାନର ଆହ୍ୱାନ ପାଇ । ହୁଏତ ତନ୍ତ୍ରମନ୍ତ୍ରରେ ସେହି ସ୍ଥାନ ସମ୍ବନ୍ଧରେ କିଞ୍ଚିତ୍‌ ଆଭାସ ପାଇଥିବେ ହଜାର ହଜାର ସାଧାରଣ ପାଠକଙ୍କର ଏହି ପ୍ରିୟ ଲେଖକ । ସେ ଥିଲେ ଆମର ଅତି ଘନିଷ୍ଠ ପାରିବାରିକ ବନ୍ଧୁ । ତାଙ୍କର ବିୟୋଗରେ ମୁଁ ମୋର ବଡ଼ ଭାଇକୁ ହରାଇବା ପରି ଲାଗୁଛି । ଠିକ୍‌ ବର୍ଷକ ପୂର୍ବେ ତାଙ୍କ ସ୍ତ୍ରୀର ପରଲୋକ ହୋଇଥିଲା । ଆଗ ପଛ ହୋଇ ଦୁହେଁ ଚାଲିଗଲେ । ସେହି ପରମଧାମକୁ । ସେ ଥିଲେ ତାନ୍ତ୍ରିକ ଓ ଜଗନ୍ନାଥଙ୍କର ପରମ ଭକ୍ତ । ମୃତ୍ୟୁକୁ ଆଦୌ ଭୟ କରୁନଥିଲେ । ମୃତ୍ୟୁ ତାଙ୍କ ଆଗରେ ଆତତାୟୀ ହୋଇ ରହିଗଲା । କିନ୍ତୁ ତାଙ୍କୁ ପରାଜିତ କରିପାରିଲା ନାହିଁ । ତାଙ୍କର ଆତ୍ମାର ସଦ୍‌ଗତି ହେଉ ଶେଷରେ ଜଗନ୍ନାଥଙ୍କ ପାଖରେ ମୋର ଏତିକି ପ୍ରାର୍ଥନା ।

Image